ଆଶା ଅସୀମ
ଆଶା ଅସୀମ
ଅସୀମ ଜଣେ ଅମାୟିକ ବ୍ୟକ୍ତି। ସେଇଥି ପାଇଁ ସେ ବହୁତ ହଇରାଣ ହୁଅନ୍ତି।ତାଙ୍କ ସାଙ୍ଗରେ ମିଶୁଥିବା ତାଙ୍କରି ବୟସ ର ସାଙ୍ଗ ସାଥି କହନ୍ତି ," ତୁମେ ଏତେ ଶାନ୍ତ ସରଳ ;ଏଇଟା ଗୋଟେ ଜଟିଳ ଦୁନିଆ ,ତୁମର ଏଇ ମହାନତା କୁ ସେମାନେ ଭିନ୍ନ ଅର୍ଥ ରେ ନେବେ । କହିବେ ," ଏଇଟା ବୁଦ୍ଦୁ ଟାଏ।
ନାନା ଆଳରେ ଆସି ତମକୁ ଠକି ନେଇ ଯିବେ।"
ଅସୀମ ବାବୁଙ୍କ ର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ,ଲେଖିବା ଏବଂ ଜଣକୁ ପଢି ଶୁଣେଇବା।ଏହି କ୍ରମରେ ,ନିଳାମ୍ବର, ନିଶିକାନ୍ତ, ନିତ୍ୟାନନ୍ଦ_ ସର୍ବୋପରି ନୀଳିମା ତାଙ୍କ ଘରକୁ ଆସନ୍ତି। ସେମାନେ ଆସନ୍ତେ କି ନାହିଁ ଅସୀମ ବାବୁ ସେମାନଙ୍କୁ କହନ୍ତି ,"ଆଜି ଲଂଚ ମୋ ବସାରେ।"
ସେଇଥି ପାଇଁ ସେ ହୋଟେଲ୍ ରୁ ସ୍ପେଶିଅଲ୍ ଡିସ୍ ଅର୍ଡର୍ ଦିଅନ୍ତି। ସେଥିରେ ଭେଜ୍ ନନ୍ ଭେଜ୍ ସବୁ ଥାଏ।
ଡିସ୍ ଆସିବା ବହୁ ପୁର୍ବରୁ ସାଙ୍ଗ ସାଥି ମାନେ ପହଞ୍ଚି ଯାନ୍ତି। ଏଇ ସୁଯୋଗ କୁ ହାତ ଛଡା କରନ୍ତି ନାହିଁ ସେ। ଆରମ୍ଭ ହୋଇ ଯାଏ ଗଳ୍ପ ପଢ଼ିବା।ଅବଶେଷ ରେ କରତାଳି ବୃଷ୍ଟି।
ତାପରେ ଟିପ୍ପଣୀ," ଏଇଟା କୁ ସାଇତି ରଖନ୍ତୁ ; ପୂଜା ସଂଖ୍ୟା ରେ ବାହା୍ର କରିବେ ।" ଆଉ କିଏ ମତ ରଖେ," ସବୁ ତକ ମିଶେଇ ଗୋଟେ ବହି କରନ୍ତୁ _ ଦେଖୁବେ ,ଆପଣ ହଜାରେ କପି କଲେ ବି ଆରାମ ସେ ବିକ୍ରି ହୋଇଯିବ ।"
ଅସୀମ ବାବୁ ଉଦୁବୁଦ୍ଧିତ ହୋଇ ପୂଜା ସଂଖ୍ୟାରେ ତାଙ୍କର ଏକ ଗଳ୍ପ 'କୁସୁମିତା' କୁ ପଠାନ୍ତି । ଅନ୍ୟାନ୍ୟ ମାଗାଜିନ୍ କୁ ମଧ୍ୟ କୁ ପଠାନ୍ତି । ଗୋଟାଏ ହେଲେ ଗଳ୍ପ ପ୍ରକାଶ ପାଏନା।
ତାଙ୍କୁ କେହି ବଜାର ହାଟ ରେ ଦେଖେ ନାହିଁ।
କେତେ ବେଳେ କେମିତି ପରିବା ଯୋଡେ କି ମାଛ ମାଂସ ପାଇଁ ସେ ବଜାର କୁ ଯାଆନ୍ତି ।
ଅସୀମ ବାବୁଙ୍କ ବୃତ୍ତି ଥିଲା ଶିକ୍ଷକତା। କିନ୍ତୁ ପ୍ରବୃତ୍ତି ଲେଖା ଲେଖି କରିବା।ଦଶରୁ ଚାରି , ସମୁଦାୟ ସମୟ ତାଙ୍କୁ ଦେଖବାକୁ ମିଳେ ଶ୍ରେଣୀ କକ୍ଷ ମାନଙ୍କରେ।ଘଣ୍ଟା ବାଜିଲେ ଅଫିସ ଓଳି ପଛରେ ଡେରା ହୋଇଥିବା ସାଇକେଲ ଟି ଧରି ଘର ମୁହାଁ ହୁଅନ୍ତି।
ବାପ ଘାଟ ରେ ସାଙ୍ଗ ସାଥି ଦେଖା ହୋଇଗଲେ ପଚାରନ୍ତି," କି ଅସୀମ ବାବୁ , ଆପଣଙ୍କୁ କୋଉଠି କାହିଁ ଦେଖା ମିଳୁନି ? ବାହାର କୁ ଆସନ୍ତି ନି ବୋଧେ ?"
" ଆସେ କିନ୍ତୁ ଆପଣଙ୍କ ସାଙ୍ଗରେ ହେଉନି।ଆପଣଙ୍କର ମାର୍ରକେଟ ବୁଲିବ ଗୋଟେ ସଉକ। ବହି ପଢନ୍ତି କି ପୂଜା ପାଠ କରନ୍ତି,କୁହନ୍ତୁ?"
ତାପରେ ତାଙ୍କର କଟୂ କଥା ଶୁଣିବା ପୂର୍ବରୁ ସିଏ ସାଇକେଲ ଚଢି ଦୃଷ୍ଟି ପଥରୁ ଅନ୍ତର ହୁଅନ୍ତି। ସେ କିନ୍ତୁ କହି ପାରନ୍ତି ନି ,"ତମ ମାନଙ୍କ ସହିତ ସମୟ କଟେଇବା ପାଇଁ ମୋର ସମୟ ନାହିଁ।"
ସେ ତାଙ୍କର ଖାସ ଦୋସ୍ତ ପାଇଗଲେ ପଚାରନ୍ନ୍ତି ," ତମେ ଗତ ମାସର 'ଅମୃତାୟନ ' ପଢିଚ ? ମୋର ଏକ କ୍ଷୁଦ୍ର ଗଳ୍ପ ବାହାରିଛି "
କଥା ବାଆଁରେଇ ଦିଅନ୍ତି ସାଙ୍ଗ । ନିରାଶ ହୁଅନ୍ତି ଅସୀମ ସାର୍। ଦୀର୍ଘ ନିଶ୍ଵାସ ପକାନ୍ତି । ଓଡ଼ିଶା ରେ ଓଡିଆ ଭାଷା ର ଆଦର ନାହିଁ_ ପୁଣି ଶାସ୍ତ୍ରୀୟ। ମାନ୍ୟତା ପାଇଛି !
ତାଙ୍କ ପଛରେ ଲୋକେ କହନ୍ତି ,"ଗୁଡବକ୍।"
ଗଳ୍ପ ବ୍ୟତୀତ ସେ କବିତା ବି ଲେଖନ୍ତି। ଯଦି କୋଉଠି ପଢ଼ିଲେ ତ ଅମୁକ ଜାଗାରେ କବି ସମ୍ମିଳନୀ ହେଉଛି ,ପଚାଶ ମାଇଲ୍ ଦୂର ରେ ହେଲେବି ସାଇକେଲ ମାଡ଼ି ଚାଲିଯିବେ। ସ୍ଵରଚିତ କବିତା ପାଠ ରେ ସେ ପହିଲା ନମ୍ବର। ଫେରିବା ବେଳକୁ କିଟ୍ ମିଟ୍ ଅନ୍ଧାର । ଜୁଳୁ ଜୁଳିଆ ପୋକ ମାନେ ଅନ୍ଧକାର ରେ ଏକ ମାତ୍ର ସାହାରା ।
।ଓଡ଼ିଆ ସାହିତ୍ୟ ପ୍ରତି ଅଙ୍ଗୀକାର ଅସୀମ ବାବୁ ଯୁବ ବର୍ଗ ଙ୍କୁ ଭେଟିଲେ କହନ୍ତି," ତୁମ ମାନଂକ ଶାଗ ବି ସିଝିବନି।"
କେରମ୍ ଖେଳୁଥିବା ଏଇ ଯୁବକମାନେ ଗୋଟି ଚାଳନା ବନ୍ଦ କରି ତାଙ୍କୁ ଚାହିଁ ରହନ୍ତି ।
ସେମାନେ ସମୂହ ଭାବ ରେ ଭାବନ୍ତି ," ଏ ବୁଢା ଟା କ'ଣ କହିବାକୁ ଚାହୁଁଛି ? ( ଓହୋ ଧୁମସା ମହୋଉତ୍ସବ ରେ ଇଏ ସବଡିଭଜନ୍ ରେ ଶ୍ରେଷ୍ଠ ଲେଖକ ପୁରସ୍କାର ପାଇ ଥିଲା । )
କାଳ ବିଳମ୍ବ ନକରି ଅସୀମ ବାବୁ କହନ୍ତି," ଓଡ଼ିଆ ଭାଷା ପାଇଁ ଯଦି ସର୍ବନିମ୍ନ ସମ୍ମାନ ଥାଏ ତେବେ ସବୁ ଦୋକାନ ଫଳକ ରେ ଇଂରାଜୀ ଭାଷା ପରିବର୍ତ୍ତେ ଓଡିଆ ଭାଷା ରେ ଲେଖିବା ପାଇଁ କିଛି କର ?"
ସମବେତ ଯୁବକ ମାନଙ୍କ ଭିତରୁ ଜଣେ କହେ,"
ଫଳକ ରେ ଥିବା ଇଂରାଜୀ ଅକ୍ଷର କୁ ଓଡ଼ିଆ ଭାଷା ରେ ଲେଖିଦେଲେ କ'ଣ ମାନସିକତା ର ପରିବର୍ତ୍ତନ ହୋଇ ଯିବ ? ଆପଣ ଏତେ ଲେଖୁଛନ୍ତି; ପଢୁଛି କିଏ ?"
ଅସୀମ ବାବୁ ନିଜ ଭୁଲ ବୁଝିପାରି ,କାନ ମୁଣ୍ଡ ଆଉଁସି,ସେ ସ୍ଥାନ ପରିତ୍ୟାଗ କରନ୍ତି।
ସେ ଖବରକାଗଜ ରେ ପଢନ୍ତି , ଭୁବନେଶ୍ୱର ରେ ଓଡ଼ିଆ ଭାଷା କୁ ଟେକି ଧରିଥିବା କତିପୟ ଲେଖକ " ଭଷା ବଞ୍ଚାଅ", ଆନ୍ଦୋଳନ ରେ ସାମିଲ ହୋଇ , ବଡ଼ ବଡ ପ୍ଲାକାର୍ଡ ଧରି ରାଜ୍ ରାସ୍ତାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ସେମାନେ ହାସ୍ୟାସ୍ପଦ ହୁଅନ୍ତି ସିନା ,ଆଡ ଆଖିରେ କେହି ଚାହାଁନ୍ତି ନାହିଁ।
କିଛି ଜ୍ଞାନୀ ଗୁଣୀ ଲୋକ ଅସୀମ ବାବୁଙ୍କ ର ଓଡ଼ିଆ ଭାଷା ପାଇଁ ଅନୁରାଗ ପାଇଁ ଊଦବୁଦ୍ଧ ହୋଇ ତାଙ୍କ ସୃଷ୍ଟି ସମ୍ଭାର କୁ ଲୋକ ଲୋଚନ କୁ ଆଣନ୍ତି। ତାଙ୍କ ଲିଖିତ କାବ୍ୟ କବିତା ଜିଲା ର ବହୁ ପରିଚିତ ଲେଖି ସଂସ୍ଥା ମାନଙ୍କ ସହିତ ଯୋଗାଯୋଗ କରି , ତାଙ୍କୁ ପୁରସ୍କୃତ କରାନ୍ତି। ଖବରକାଗଜ ମାନଙ୍କରେ ବଡ଼ ଅକ୍ଷର ରେ ତାଙ୍କର ଲେଖା ଗୁଡିକ ପ୍ରଶଂସା କରି ପ୍ରକାଶିତ ହୁଏ।
ଏହି ସମୟ ମାନଙ୍କରେ ,ଲେଖା ବାହାରିଥିବା ଖବର କାଗଜ କି ପତ୍ରିକା ଟି ହାତରେ ଧରି ବଜାର ର ଏମୁଣ୍ଡ ରୁ ସେ ମୁଣ୍ଡ ବୁଲୁ ଥାଆନ୍ତି। ଯଦି କୌଣସି ବନ୍ଧୁ କି ଚିହ୍ନା ଲୋକ ଦେଖା ହୁଅନ୍ତି,ତାଙ୍କୁ ହାତ ହଲେଇ ଛିଡ଼ା ହେବା ପାଇଁ କହନ୍ତି ଏବଂ ପଚାରନ୍ତି' "ଆଜିକାର ( ରବିବାର) ' ସମାଜ' ଦେଖିଛନ୍ତି ; ମୋର ଗୋଟେ ଗଳ୍ପ ବାହାରିଛି?"
ଏହା କହି ପେପର ଟି ରେ ନିର୍ଦ୍ଦିଷ୍ଟ ସ୍ଥାନ ରେ ଆଙ୍ଗୁଳି ମାରି ଦେଖେଇ ଦିଅନ୍ତି।ଲୋକ ଟି ଟିକେ ମୁରୁକି ହସି ,ମୁଣ୍ଡ ହଲେଇ କୁହେ ," ବହୁତ ଖୁସି ର କଥା ...ଆଉ। ଏଇ ଟାଉନ ରେ କିଏ ଆପଣ ଜଣେ ବିଶିଷ୍ଟ ଲେଖକ ବୋଲି ,ନ ଜାଣେ କିଏ? ମୁହଁ ରେ ନ କହିଲେ କ'ଣ ହେଲା ଆପଣ ପଛରେ ଆପଣଙ୍କର ଭୂରି ଭୂରି ପ୍ରଶଂସା।"
କୃତ୍ୟ କୃତ୍ୟ ହୋଇ ଯାଆନ୍ତି ଅସୀମ ବାବୁ ।
ସେ ଲୋକ କିନ୍ତୁ ସେ ଗଳ୍ପ ଟି ପଢେ ନାହିଁ।ଘର ପହଞ୍ଚିଲେ, ଟିଭି ଖୋଲି ଗତ ରାତିରେ ଦେଖି ନ ଥିବା ଓଡ଼ିଆ ସରିଏଲ ଗୁଡିକ ଦେଖିବାରେ ମନୋନିବେଶ କରେ ।'ରବି ବାର' ସଂଖ୍ୟା ଟି ସେମିତି ଥୁଆ ହୋଇ ଥାଏ । ଅସୀମ ବାବୁ ବା ଜାଣିବେ କେମିତି ଉପରେ ପ୍ରଶଂସା କରୁଥିବା ଲୋକଟି ,ବହି ପଢ଼ାରେ ନାଁ ଧରେନି !
ଇଏ ତ ଗଲା ବାହାର ଲୋକଙ୍କ କଥା।ତାଙ୍କ ଘର କୁ କୌଣସି ଜରୁରୀ କାମ କି ଟଂକା ପଇସା ଧାର ଉଦ୍ଧାର ନେବା ପାଇଁ ଆସୁଥିବା ଲୋକ ମାନଙ୍କୁ କଥା ପ୍ରସଙ୍ଗରେ ତାଙ୍କ ଲେଖା ଲେଖି ଆଡ଼କୁ ଟାଣି ନିଅନ୍ତି।ତଦୋପରି ନିଜ ସହକର୍ମି ମାନେ,ତାଙ୍କ ପଛ ଆଡେ କହୁଥିବା କଥା ଶୁଣିବା ପରି ନୁହେଁ
ଇତ୍ୟବସରେ ସେ ଅବସର ଗ୍ରହଣ କରନ୍ତି । ଛାତ୍ର ପ୍ରିୟ ଅସୀମ ବାବୁ ସେମାନଙ୍କୁ ନିଜର ପୁଅ ଝିଅ ଭାବୁ ଥିବା ସାର୍ ଙ୍କୁ ଅନ୍ତର ରୁ ବିଦାୟ ଦେଇ ପାରନ୍ତିନି
ଭାଷଣ ଦେବା ଛଳରେ ସେମାନେ କହନ୍ତି," ସାର୍,ଆପଣ ବାକି ଜୀବନ ନିଶ୍ଚିତ ଭାବରେ ଭଲ ରହିବେ। ଆମର ଶ୍ରଦ୍ଧା ଭକ୍ତି ଆଉ ଆପଣଙ୍କର କାଳଜୟୀ ଲେଖା ପାଇଁ ଆପଣ ଯଶସ୍ବୀ ହେବେ।"
ସମଗ୍ର କୋଠରୀ ଶୋକାକୁଳ। ଝିଅ ମାନଙ୍କୁ ଖେଳ ଛୁଟିରେ ଡାକି ନିଜ ଖାଇବା କୁ ବାଣ୍ଟି ଦେଉ ଥିବା ଅସୀମ ସାର୍ ଙ୍କ ସ୍ଖଳିତ ଚରିତ୍ର ର ଦୋଷାରୋପ ଶୁଣୁଥିବା ସାର୍ ଆଜିଠାରୁ ମୁକ୍ତ।
ଅବସର ପରେ ସେ ପଳେଇ ଆସନ୍ତି ଭୁବନେଶ୍ୱର। ଅର୍ଥ ବିଭାଗ ରେ ଚାକିରି କରୁଥିବା ପୁଅ ପାଖରେ ରହନ୍ତି ଭୁବନେଶ୍ୱର ରେ ଏକ ଆପାର୍ଟମେଣ୍ଟର ଦ୍ବିତୀୟ ମହଲାରେ।ଏଣିକି ଖୋଲା ଆକାଶରେ ବିହଙ୍ଗ ର ଜୀବନ । ତାଙ୍କର ସାହିତ୍ୟ ପ୍ରୀତି ଆହୁରି ଦ୍ଵିଗୁଣ ହୋଇ ଯାଏ।ଅବସର ପରେ ଅତିକ୍ରାନ୍ତ ବୟସରେ ,ସମୟ କଟେଇବା ଗୋଟେ ବଡ ସମସ୍ୟା ରୂପେ ଖାଡା ହୁଏ ବୟସ୍କ ଲୋକଙ୍କର।
ଏଣିକି ଜୀବନ ହୋଇଯାଏ ଚଳ ଚଞ୍ଚଳ। ପ୍ରଭାତ ଫେରି କରିବା ସମୟ ରେ ଆପାର୍ଟମେଣ୍ଟରେ ପରିଧି ଭିତରେ ଅନେକ ସମ ବୟସ୍କ ଭଦ୍ରଲୋକଙ୍କ ସହିତ ଦେଖା ହୁଏ। ଧୀରେ ଧୀରେ ବଂଧୁତା ବଢେ ସେମାନଙ୍କ ସହିତ। ସେମାନଙ୍କ ପ୍ରରୋଚନାରେ ସେ ବରିଷ୍ଠ ନାଗରିକ ସଂଘ ରେ ସଭ୍ୟ ହୋଇ ଯାଆନ୍ତି। ପ୍ରତିଭା ପ୍ରଦର୍ଶନ କରିବା ପାଇଁ ପ୍ରକୋଷ୍ଠ କ୍ଷେତ୍ର ମିଳିଯାଏ।ଗୁଣି କୁ ଗୁଣି ଚିହ୍ନେ । ସେମାନଙ୍କ ଠାରୁ ଉତ୍ସାହ ମିଳେ ତାଙ୍କ ଗଳ୍ପ କବିତା ପଢ଼ିବାର ଭଲ ପରିବେଶ। ତାଙ୍କ ଲିଖିତ ପୁସ୍ତକ ; ଭଜନ, ଜଣାଣ,ଢଗ ଢମାଳି ଆଦି ସେ ପଢନ୍ତି । ପ୍ରଶଂସିତ ହୁଅନ୍ତି ଏସବୁ ପାଇଁ। ବହୁ ଚର୍ଚ୍ଚିତ ହୁଅନ୍ତି ଏଠାରେ ରହୁଥିବା ଆବାଳବୃଦ୍ଧବନିତା ଙ୍କ ଠାରେ। ନିଜେ ଗୀତ ଲେଖି ପଢନ୍ତି । ବନି ଯାଆନ୍ତି ଗୀତିକାର। ଭିନ୍ନ ଏକ ସମୟ ଦେଇ ଗତି କରୁଛନ୍ତି ଅସୀମ ସାର୍। ଯୋଉ ସମୟ କୁ ସେ ଜୀବନ ତମାମ ଅପେକ୍ଷା କରିଥିଲେ। କଳା କିଟି କିଟି ଅନ୍ଧାର ରାତିରେ ପଥ ହୁଡା ପଥିକ ଟିଏ ପରି ସେ ଏଇ ସୁନେଲି ସକାଳ ର ପହିଲି ଆଲୋକ ଭିତରେ ସେ ନିଜ କୁ ଖୋଜି ପାଇଛନ୍ତି। ଜୀବନ ଏକ ଅନ୍ତହୀନ ପ୍ରତିକ୍ଷା। ସେ ଶିହରିତ ହେଉଛନ୍ତି। ନୂତନ ପ୍ରତିଶ୍ରୁତି ପାଉଛନ୍ତି ଭିନ୍ନ ଏକ ସମୟର ।
...........+..........
