Jyotiranjan Sahu

Abstract

2  

Jyotiranjan Sahu

Abstract

ଭିକାରୀ

ଭିକାରୀ

4 mins
221


ମୋ ଧର୍ମ ପତ୍ନୀକଂ ସବୁବେଳେ ଅଭିଯୋଗ ମୁଁ କୁଆଡେ ଟିକିଏ ଫିଟ୍ ଫାଟ୍ ରୁହେନାହିଁ । ଯେତେବେଳେ ଯାହା ହାତରେ ବାଜିଲା ପିନ୍ଧିଦେଇ ଚାଲିଗଲି । କିନ୍ତୁ ତାଂକର ବାରମ୍ବାର କଟକଣା ପରେ ଏବେ ମୁଁ ଟିକିଏ ଟିକିଏ ଫିଟ୍ ଫାଟ୍ ରହିବାକୁ ଚେଷ୍ଟା କରୁଛି । କେତେବେଳେ କେମିତି ବିରକ୍ତି ବି ଲାଗେ ! ଏଇ ଯେମିତି ସେଦିନ ମୋତେ ତାଂକ ଉପରେ ଭୀଷଣ ବିରକ୍ତି ଆସିଲା ତଥାପି ତାଂକୁ ଟିକିଏ ତେଲେଇ ହୋଇକହିଲି " ଆଚ୍ଛା ! ଚକଚକିଆ ସୁଟ୍ ନପିନ୍ଧିଲେ ତୁମେ କଣ ମୋତେ ଭଲପାଇବା ଛାଡିଦେବ " ? ଏଥର ଚିଡିଯାଇ ମୋ ଧର୍ମପତ୍ନୀ କହିଲେ " ଭେକ ଅଛି ତ ଭିକ ଅଛି । ଆଚ୍ଛା ! ଯଦି ମୁଁ ଅପରିଷ୍କାର ହୋଇ ତୁମ ଆଗରେ ଘୁରିବୁଲିବି ତୁମକୁ ଭଲ ଲାଗିବ " ! ମୁଁ ଏଥର ଟିକିଏ ରୋମାଣ୍ଟିକ୍ ମୁଡ୍ ରେ କହିଲି " ସତ କହୁଛି ଇତି ! ତୁମ ପୋଷାକ ଠୁ ମୁଁ ତୁମ ମନକୁ ବେଶୀ ପସନ୍ଦ କରେ । ପୋଷାକ ଟା ମଇଳା ହେଲେ ଚଳିବ ! ହେଲେ ତୁମ ମନ ଭିତରେ ମୋପାଇଁ ଯେଉଁ ଭଲ ପାଇବା ଅଛି ସେଇଟା ଯେମିତି ମଇଳା ନହେଉ " ! ଆଶ୍ଚର୍ଯ୍ୟ ହୋଇ ଇତି କହିଲେ " ମାନେ " ! ମୁଁ କହିଲି " ମାନେ ହେଉଛି ବାହାର ବେଶ ପରିପାଟିରେ ଜଣକୁ ଚିହ୍ନିବା ଏତେ ସହଜ ନୁହେଁ " । ଏତିକି ବେଳେ ଦାଣ୍ଡ ଦୁଆର ରେ ଭିକାରୀ ଟିଏ ଦେଖି ମୋତେ ହସିଦେଲେ ଇତି । କହିଲେ " ହେଇ ଦେଖ " ! ମୁଁ କହିଲି " ଭିକାରୀଟେ ବୋଧେ !  କିଛି ଟଂକା ଦେଇଦିଅ "! ସେ କହିଲେ " ଏଇଟା କି ଭିକାରୀ ! ପୋଷାକରୁ କଣ କାହାକୁ ଜାଣିହୁଏ ? ଇଏତ ମହାରାଜା ! ଇଏ ଭିକାରୀ କାହିଁକି ହେବ " ? ମୋ ପତ୍ନୀକଂ ଏ ଅଭିମାନିଆ କଥା କହିବାର ତାତ୍ପର୍ଯ୍ୟ ମୁଁ ଠିକ୍ ବୁଝିଗଲି । ହସିହସି କହିଲି " ତୁମେ ଜାଣିନକି !!ସେଦିନ ଶନିବାର ସକାଳୁ ସକାଳୁ ତରତର ହୋଇ ଶନି ମନ୍ଦିର ଭିତରୁ ମୁଁ ବାହାରୁ ଥିଲି । ହଠାତ୍ ଦେଖା ହୋଇଗଲା ନଗର ନିଗମ ଅଫିସ୍ ରେ କାମ କରୁଥିବା ଦେବ ବାବୁ କଂ ସହ । ଦେବ ବାବୁ କଂ ସହ ମୋର ଏହି କିଛିଦିନର ପରିଚୟ । ସେଦିନପ୍ରଥମ କରି ଦେବ ବାବୁ ଶନି ମନ୍ଦିର ଆସିଥାଅନ୍ତି । ଦେବ ବାବୁକଂ ସହ ଦେଖା ହୋଇଯିବାରୁ ସେ କହିଲେ ' ଆପଣ ଏଇଠି ଅପେକ୍ଷା କରନ୍ତୁ ! ମୁଁ ଖାଲି ମୁଣ୍ଡିଆଟେ ମାରିଆସେ । ଅଫିସ୍ ଯିବା ରାସ୍ତାରେ ଆପଣକୁଂ ଘରେ ଛାଡିଦେଇ ଅଫିସ୍ ଚାଲିଯିବି ' । କିଛି ସମୟପରେ ଆମେ ଦୁହେଁ ଯାଇ ଦେବ ବାବୁକଂ ଗାଡି ଭିତରେ ବସିଲେ । ଗାଡି ଭିତରୁ ମୁଁ ବାହାରକୁ ଏପଟ ସେପଟ ଦେଖୁଥିବାର ଦେଖି ଦେବ ବାବୁ ପ୍ରଶ୍ନ କଲେ ' କଣ ଆଜ୍ଞା ! କାହାକୁ ଖୋଜୁଛନ୍ତି କି ' ? ମୁଁ କହିଲି ' ନା' ମ ! ଏଇ ସେଇଠି ଏ ଭିକାରିକଂ ଭିଡଠୁ ଅଲଗା ଗଲା ପାନ୍ଚ ଛଅ ମାସ ହେବ ଭିକାରୀ ଟିଏ ଆସି ବସୁଥିଲା । ତାର ମଇଳା ପୋଷାକ କୁ ଛାଡି ଦେଲେ ତାକୁ କେହି କହିବନି ସେଇଟା ଭିକାରୀ ବୋଲି । କୋଡିଏ ପଚିଶି ବର୍ଷର ପିଲାଟା ମ ! ଦେଖିବାକୁ ଆଦୌ ଭିକାରୀ ନଥିଲା ତଥାପି ଆସି ଭିକ ମାଗୁଥିଲା ' । ଏହା ଭିତରେ ଗାଡି ବେଶ୍ କିଛି ବାଟ ଚାଲିଯାଇଥାଏ । ବଡ ବଜାର ଛକ ପାଖ ବରଗଛ ମୂଳରେ ଥିବା ରବି ଚା' ଦୋକାନ ପାଖରେ ରବିବାବୁ ଗାଡି ଅଟକାଇ କହିଲେ ' ଚାଲନ୍ତୁ ଟିକିଏ ଚା' ପିଇଦେବା । ରବି ଚା' ଟା ଖୁବ୍ ଫେମସ୍ । ସବୁଦିନ ଅଫିସ୍ ଯିବା ବାଟରେ ମୁଁ ଏଇଠି ଟିକିଏ ଚା' ପିଇଦେଇ ଯାଏ ' । ଆମେ ଦୁଇ ଜଣ ଚା' ପିଉ ପିଉ ଦେବ ବାବୁ ପଚାରିଲେ ' କଣ କହୁଥିଲେ ସେ ଭିକାରୀ କଥା ' ? ସେଇଠୁ ମୁଁ କହିଲି ' ହଁ ମ ! ସେ ଭିକାରୀଟା ! ସବୁଦିନ ମୋ ପାଖରୁ କୋଡିଏ ଟଂକା ନିଏ । ଆଜି କାହିଁ ବସିନାହିଁ ତ ! ସେଇଥିପାଇଁ ଭାବିଲି କୁଆଡେ ଗଲା ! ପ୍ରଥମେ ପ୍ରଥମେ ତାକୁ ଦେଖି ବହୁତ ବିଗିଡିଲି । କହିଲି ତୁ ତ ପୁରାପୁରି ଭଲ ଲୋକଟା ! କାମଧନ୍ଦା ନକରି ଏଇଠି ଭିକମାଗୁଛୁ ଯେ ? ପିଲାଟି କିଛି ନକହି ଖାଲି ମୋ ଗୋଡ ଧରିଲା । ତାପରେ ଏମିତି କୋଡିଏ ଟଂକା ଦେଉଦେଉ ତାସହ କେମିତି ଗୋଟିଏ ଅଜଣା ସଂମ୍ପର୍କ ଟିଏ ହୋଇଯାଇଛି । ଆଜି ପର୍ଯ୍ୟନ୍ତ ପ୍ରତିଥର କୋଡିଏ ଟଂକା ପାଇଗଲେ କିଛି ନକହି ଖାଲି ମୋ ଗୋଡକୁ ଜାବୁଡି ଧରିବ । କେବେ ଜାଣିବାକୁ ଚେଷ୍ଟା କରିନି କଣ ପାଇଁ ପିଲାଟା ଭିକ ମାଗୁଛି । ପ୍ରତିଥର କିଛିବି ପ୍ରଶ୍ନ ନକରି ମୁଁ ତାହାତକୁ କୋଡିଏ ଟଂକା ବଢାଇଦିଏ ଆଉ ସେବି ଚୁପଚାପ୍ ଖୁସିରେ ତାକୁ ନେଇଯାଏ ' । ମୋ କଥା ଶୁଣି ଦେବ ବାବୁ କହିଲେ ' ବୁଝିଲେ ଆଜ୍ଞା ଏ କୁଂ ଜମାରୁ ଟଂକା ଦେବେନି । ସରକାର ଏମାନକଂ ପାଇଁ କେତେ କଣ ଯୋଜନା କରୁଛନ୍ତି । ଏମାନକଂ ଆଦତ ହେଲା ଭିକ ମାଗି ଖାଇବା । ସେଇଥିପାଇଁ ତ ଭିକାରୀ । ଏମାନକୁଂ ଯେତେଦେଲେବି ନିଅଣ୍ଟ । ଭିକ ମାଗିବାଟାକୁ ଏମାନେ ବିଜନେସ୍ କରିସାରିଲେଣି । ଲୋକ ଦେଖି ଭିକ ମାଗୁଛନ୍ତି ଆଉ ରାତିରେ ଚୋରି ବି କରୁଛନ୍ତି । ସେଇଥିପାଇଁ ଏ ଭିକାରୀକୁଂ ସାବଧାନ ' ! ଏହା ପରେ ଆମେ କାର୍ ଭିତରକୁ ଆସିଗଲୁ । ଏତିକିବେଳେ ହଠାତ୍ କାର୍ କାଚ ଧଡ ଧଡ ହେଲା । ମୁଁ ଦେଖିଲି ସେଇ ଭିକାରୀ ପିଲାଟି । ବୋଧେ ଭିକ ମାଗିବାକୁ ଆସିଛି । ଏହାଭିତରେ ଦେବ ବାବୁ କାଚ ଟା ଖୋଲି ହାତ ବଢେଇଦେଲେ । ମୁଁ ଭାବିଲି ସେ ବୋଧେ ପିଲାଟିକୁ ଟଂକା ଦେଉଛନ୍ତି । କିନ୍ତୁ ମୋ ଧାରଣା ଭୁଲ୍ । ଓଲଟି ପିଲାଟା ତାଂକ ହାତରେ ଥୋଇଦେଲା ବେଶ୍ କିଛି ଟଂକା ; ଆଉ ମୋ ହାତରେ ଗେଞିଦେଇଗଲା କାଗଜ ଗୁଡା ଜିନିଷଟିଏ । କିଛି ବୁଝିବା ଆଗରୁ ଗାଡି ଚଲାଉ ଚଲାଉ ଦେବ ବାବୁ କହୁଥିଲେ ' ବୁଝିଲେ ଆଜ୍ଞା ! ଏ ପିଲାଟା ଦୋକାନ କରିବ ବୋଲି କେବିନ୍ ଟିଏ ମାଗୁଥିଲା । ବହୁତ କଷ୍ଟରେ ଆମ ଏଡଭକେଟ୍ ମହାନ୍ତି ବାବୁକଂ ନାଁ ରେ ବୁକ୍ ଥିବା କେବିନ୍ ଟିକୁ ଏଇ ପିଲା ନାଁ କୁ କରିବି । କୋଡିଏ ହଜାର ଖର୍ଚ୍ଚ ଅଛି । ମହାନ୍ତି ବାବୁ ନେବେ ପନ୍ଦର ମୋର ପାନ୍ଚ । ଲୋକ ଚାଳିଶି ପଚାଶ ଯାଚୁଛନ୍ତି । କିନ୍ତୁ ମୁଁ ଜାଣିଛି ପିଲାଟା ଗରୀବ ଆଉ ଭଲ ପେଣ୍ଟି କରେ । ସିଏ କେବିନ୍ ଟେ ନେଇ ପେଣ୍ଟିଂ ସପ୍ ଟେ କରିବ । ମୋ ମିସେସ୍ ର ଏତେ ସୁନ୍ଦର ପେଣ୍ଟିଂ କରିଛି ଯେ ଆପଣ ନଦେଖିଲେ ବିଶ୍ବାସ କରିପାରିବେନି ! ଆଉ ସବୁଠାରୁ ବଡ କଥା ହେଲା ପିଲାଟା କଥା ହୋଇପାରେନି ! କଥା ସିନା କହିପାରୁନି କିନ୍ତୁ ଭଗବାନ କଳା ଖଣ୍ଡେ ଦେଇଛନ୍ତି ତ ! ସେଇଥି ପାଇଁ କୋଡିଏରେ ରାଜି ହୋଇଗଲି । ମାନବିକତା ବୋଲି କିଛି ଅଛି ନା ନାହିଁ ' ଏହା ଭିତରେ ମୁଁ ସେ କାଗଜ କଭର ଟା ଖୋଲି ସାରିଥିଲି । ଦେଖିଲି ସୁନ୍ଦର ଚିତ୍ରଟିଏ ଅଂକାଯାଇଛି । ମୁଁ  ମନ୍ଦିର ରୁ ବାହାରୁ ଥିବାର ଚିତ୍ର । କିଛି ସମୟ ପାଇଁ ମୁଁ ବୁଝିପାରିଲିନି ' ମୋତେ ଉପହାର ଦେଇଥିବା ଲୋକଟା ଭିକାରୀ ନା ମୁଁ ବସିଥିବା କାର୍ ର ମାଲିକଟା ଭିକାରୀ "


      ମୋ କଥା କୁ ଚୁପଚାପ୍ ଶୁଣୁଥିବା ମୋ ଧର୍ମପତ୍ନୀ ଏଥର ବସାବସା ସ୍ବର ରେ କହିଲେ " ଠିକ୍ କହିଛ ! ଆଜିଠୁ ମୁଁ ତୁମ ଗେଟଅପ୍ ନୁହେଁ ତୁମ ମନଟା ପଢିବାକୁ ଚେଷ୍ଟା କରିବି " । ଏହା ଶୁଣି ମୁଁ ତାକୁଂ ଆବଦ୍ଧ କରିଦେଲି ମୋ ବାହୁ ବନ୍ଧନରେ । ହଠାତ୍ ସେ ଚମକି ପଡି କହିଲେ " ଆରେ ! ଭିକାରୀଟା ପଳାଇଲାଣି ନା କଣ " ?


Rate this content
Log in

Similar oriya story from Abstract