Sambit Srikumar

Abstract Tragedy Inspirational

4.5  

Sambit Srikumar

Abstract Tragedy Inspirational

ଭଦ୍ରବ୍ୟକ୍ତି

ଭଦ୍ରବ୍ୟକ୍ତି

8 mins
414



ଡ଼ଃ ମାୟାଧର ଦାଶ! ଶିକ୍ଷାଗତ ଯୋଗ୍ୟତାର ଲମ୍ବିଛି ଲମ୍ବା ତାଲିକା। ବାସଭବନ ବାହାରେ ଝୁଲୁଥିବା ନାମ ଫଳକରେ ଉଲ୍ଲିଖିତ ଡିଗ୍ରୀ ଗୁଡିକ ସାଧାରଣ ଲୋକଙ୍କ ପାଇଁ ଅବୋଧ୍ୟ। ଏତେ ସବୁ ପାଠ ପଢି ନାନାଦି ଉପାଧି ହାସଲ କରିଥିବା ସତ୍ତ୍ବେ ମଧ୍ୟ ଏଥିପାଇଁ ତାଙ୍କ ମନରେ ଗର୍ବ ଟିକିଏ ବୋଲି ନାହିଁ। କାରଣ ସେ ଅବତାରୀ ପୁରୁଷ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣାଶ୍ରିତ। ମଥାର ରାମାନନ୍ଦୀ ତିଲକ ଏବଂ ଗଳାରେ ପଡିଥିବା ତୁଳସୀ ମାଳି ଦାଶ ମହୋଦୟ ବୈଷ୍ଣବ ଦୀକ୍ଷାଗ୍ରହଣ କରିଥିବାର ପ୍ରମାଣପତ୍ରର ସଶ୍ରଦ୍ଧ ସ୍ବାକ୍ଷର ବହନ କରେ। ସେ ଅନନ୍ଯ ପ୍ରତିଭାର ଅଧିକାରୀ। ଏକାଧାରରେ ସେ ଜଣେ ଅଧ୍ୟାପକ, କବି, ଲେଖକ, ପ୍ରାବନ୍ଧିକ, ପ୍ରବଚକ, ସଂସ୍କୃତି ଗବେଷକ, ସମାଜସୁଧାରକ, ସମାଜସେବୀ, ଆଇନଜୀବୀ, ବୁଦ୍ଧିଜୀବୀ ଏବଂ ଜ୍ଯୋତିଷ୍କ ଶାସ୍ତ୍ର ବିଶାରଦ ଦିବ୍ୟଦୃଷ୍ଟି ସମ୍ପର୍ଣ୍ଣ ଭବିଷ୍ଯ ଦ୍ରଷ୍ଟା।


ସର୍ବୋପରି ପ୍ରଜ୍ଞାନ ପ୍ରବୁଦ୍ଧ ଅତିମାନବ। 

କଥା କଥାକେ ଅନ୍ୟମାନଙ୍କ ଆଗରେ ନିଜର ପରିଚୟ ପ୍ରଦାନ କରିବା ଅବସରରେ ସେ କୁହନ୍ତି, "ମୁଁ ଡବଲ ଏମ୍.ଏ.! ତା' ପରେ ପୁଣି ପିଏଚଡି କରିଛି ବନାରସ୍ ହିନ୍ଦୁ ବିଶ୍ଵବିଦ୍ୟାଳୟରୁ। ଅମୁକ ମହାବିଦ୍ୟାଳୟରେ ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ। ଶହ ଶହ ସଂଖ୍ଯାରେ ପୁସ୍ତକ ରଚନା କରିଛି ଓଡ଼ିଆ ଏବଂ ସଂସ୍କୃତ ଭାଷାରେ। ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ହୋଇଛି ମୋତେ ସମାଲୋଚନା ସାହିତ୍ୟ ବିଭାଗରେ। ଅଗଣିତ ସଂଗଠନ ମୋତେ ମାନପତ୍ର, ଉପଢୌକନ ପ୍ରଦାନ କରି ନିଜ ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ହଜାର ହଜାର ସଭା ସମିତି, ଆଲୋଚନାଚକ୍ର, ପାଠଚକ୍ରରେ ମୁଁ ଛାତ୍ରଛାତ୍ରୀ, ଅଭିଭାବକ, ସମାଜର ଅଗଣିତ ନରନାରୀଙ୍କୁ ଉଦବୋଧନ ଦିଏ। ଆଜିକାଲି ଟିଭି ଚ୍ୟାନେଲ ପରଦାରେ ବି ମୋର ପ୍ରବଚନ କାର୍ଯ୍ଯକ୍ରମ ଆସୁଛି, ଆଗରୁ ଆକାଶବାଣୀ କଟକରୁ ବିଭିନ୍ନ ପ୍ରୋଗ୍ରାମ କରୁଥିଲି। ଟିଭିରେ ଦେଖିଥିବେ ନିଶ୍ଚିତ। ନେତା ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ଅମଲା କିରାଣୀ ସମସ୍ତେ ମୋର ଭକ୍ତ ଆଉ ଆଜ୍ଞାଧୀନ ଛାତ୍ର। ସଭିଙ୍କର ଜନ୍ମ ଜାତକ ମୋ ପାଖରେ ସଂରକ୍ଷିତ... "


ଏଇ ପରିଚୟ ପ୍ରଦାନ ପର୍ବଟା ବେଶ୍ ଲମ୍ବା ହୋଇଗଲା, ନାହିଁ? ସମସ୍ତ ସଭାସମିତିରେ ପାଠ କରାଯାଉଥିବା ପ୍ରଶସ୍ତି ପତ୍ର ମଧ୍ୟ ଏତେ ଲମ୍ବା ହୋଇନଥିବ! ମାତ୍ର ବହୁମୁଖୀ ବିରଳ ପ୍ରତିଭାର ଅଧିକାରୀ ବ୍ୟକ୍ତିବିଶେଷ ମାତା ସରସ୍ଵତୀଙ୍କର ମାନସପୁତ୍ର ଡ଼ଃ ମାୟାଧର ଦାଶଙ୍କ ପାଇଁ ଇଏତ କିଛି ନୁହେଁ। ସମୟ ହାତରେ ଥିଲେ ହୁଏତଃ ଅହର୍ନିଶି ସେ ଏମିତି ଆତ୍ମଶ୍ଲାଘାର ପ୍ରଚାର କରୁଥାନ୍ତେ। କିନ୍ତୁ ନିଜର ବ୍ଯସ୍ତବହୁଳ ଜୀବନଚର୍ଯ୍ୟାରୁ ତାଙ୍କୁ କ୍ବଚିତ୍ ଫୁରସତ୍ ମିଳେ। ରାଜଧାନୀ ଭୁବନେଶ୍ଵର ମହାନଗରୀରେ ପରିବାର ସହିତ ବସବାସ କରନ୍ତି ମାୟାଧର ଦାଶ। ରାଜଧାନୀ ଉପକଣ୍ଠରେ ଥିବା ଏକ ଗ୍ରାମୀଣ ମହାବିଦ୍ୟାଳୟରେ ଅଧ୍ୟାପନା କରିବା ସହିତ ବିଭିନ୍ନ ଉତ୍ସବ ଅନୁଷ୍ଠାନରେ ପ୍ରବଚନ ପ୍ରଦାନ କରିବା ଏବଂ ଧର୍ମ ଚର୍ଚ୍ଚା କରିବାରେ ଦିନଟା କେମିତି କଟିଯାଏ ତାହା ଜଣା ପଡ଼େ ନାହିଁ।


ଏମିତି ଦିନେ ଭେଟ ହୋଇଥିଲା ଏହି ଅନନ୍ୟ ପ୍ରତିଭାଧାରୀ ବ୍ଯକ୍ତି ଡ଼ଃ ମାୟାଧର ଦାଶଙ୍କ ସହିତ ମୋର ରେଳଯାତ୍ରା ସମୟରେ। ଦୀର୍ଘ ଏକ ଦଶନ୍ଧି ତଳର କଥା ଇଏ। ଏକ ବ୍ଯବସାୟିକ କାର୍ଯ୍ୟ ନିମନ୍ତେ ଭୁବନେଶ୍ବରରୁ ଚେନ୍ନାଇ ଯିବା ପାଇଁ ମୁଁ କରୋମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥାଏ ଦ୍ବିତୀୟ ଶ୍ରେଣୀ ବାତାନୁକୂଳିତ ବଗିରେ। ଭୁବନେଶ୍ବର ଷ୍ଟେସନରୁ ଟ୍ରେନ୍ ଛାଡିବାର କିଛି ସମୟ ପରେ ହଠାତ୍ ଜନୈକ ମଧ୍ଯ ବୟସ୍କ ଭଦ୍ରବ୍ୟକ୍ତି ମୋ ପାଖକୁ ଆସି ଧଇଁସଇଁ ହୋଇ ସାମାନ୍ଯ ଚଢା ଗଳାରେ କହିଲେ, "ଉଠନ୍ତୁ ଆଜ୍ଞା! ଏଇଟା ମୋ ସିଟ୍।" ସଠିକ୍ ଭାବେ ଯାଞ୍ଚ ପରଖ କରି ଶୋଇଥିବା ସିଟ୍.ରୁ ଟିଟିଇ ଭିନ୍ନ ଅନ୍ୟ କେହି ଅଜ୍ଞାତ ବ୍ୟକ୍ତିବିଶେଷଙ୍କ ଏମିତି ତାଗିଦ୍ ଭରା ଡାକରେ ମୁଁ ହତବମ୍ବ ହୋଇ ସେହି ଭଦ୍ରବ୍ୟକ୍ତିଙ୍କୁ ନିର୍ମିନେଷ ନୟନରେ ଚାହିଁ ରହିଥିଲି। ଧୋତି କୁର୍ତ୍ତା ପରିହିତ ଗୌରବର୍ଣ୍ଣର ସୁଦୀର୍ଘ ସୁଠାମ ସୁଦର୍ଶନ ବପୁଧାରୀ ବ୍ଯକ୍ତିତ୍ବ। ମୁଖମଣ୍ଡଳରେ ଦିବ୍ୟ ଆଭା ସ୍ପଷ୍ଟ ବାରି ହୋଇପଡ଼ୁଛି। ତାଙ୍କର ଧଇଁପେଲା କମି ନଥାଏ ସେବେ ଯାଏଁ। ଏଥିପାଇଁ ତାଙ୍କୁ ମୋ ସିଟ୍.ରେ ବସିବା ପାଇଁ ମୁଁ ଶୋଇଥିବା ଅବସ୍ଥାରୁ ଉଠି ଗୋଡ଼କୁ ତଳକୁ କରି ବସି ରହିଲି। ସେ ଆଉ କିଛି ନକହି ଲଗେଜ୍ ବ୍ଯାଗସବୁକୁ ସିଟ୍ ତଳେ ଥିବା ଉଦ୍ଦିଷ୍ଟ ସ୍ଥାନରେ ରଖି ଦେଇ ମୋ ପାଖରେ ବସି ପଡ଼ିଲେ। 


ମୋର ଏପରି ଆଚରଣ ସେହି ଭଦ୍ରବ୍ୟକ୍ତିଙ୍କ ନିମନ୍ତେ ଥିଲା ଅସହ୍ୟ ପୀଡାର କାରଣ। ତାଙ୍କର କଥା ମାନି ସିଟ୍ ନଛାଡ଼ି ବସି ରହିବା ତାଙ୍କୁ ଅପମାନିତ ବୋଧ ହେଉଥିଲା। କ୍ରୋଧରେ ଜର୍ଜରିତ ହୋଇ ସିଏ କେବଳ ମୋତେ କଟମଟ କରି ଚାହୁଁଥିଲେ। ଯଦି ତାଙ୍କର ବଶରେ ଥାଆନ୍ତା ମୋତେ ହୁଏତଃ ଜୀଅଁନ୍ତା ଗିଳି ପକାଇଥାନ୍ତେ! କିଛି ସମୟର ଅନ୍ତରାଳରେ ନିଜ ହ୍ଯାଣ୍ଡବ୍ଯାଗରୁ ଇନ୍ହେଲେର୍ କାଢି ଦୁଇ ଚାରି ଥର ଶୋଷାଡ଼ି ନେଲେ। ଏବେ ତାଙ୍କର ଧଇଁପେଲା ଅନେକମାତ୍ରାରେ ଉପଶମ ହେବା ପରି ପ୍ରତୀୟମାନ ହେଉଥିଲା। ଧିରେ ଧିରେ ସେ ପ୍ରକୃତିସ୍ଥ ହେଉଥିଲେ। ଏଥିରୁ ସିଏ ଶ୍ବାସରୋଗୀ ବୋଲି ମୁଁ ବସ୍ତୁତଃ ଅନୁମାନ କରିପାରିଲି। ମୁଁ ପୂର୍ବପରି ମୋ ସିଟ୍.ରେ ବସିରହି ତାଙ୍କ ଉପରେ ନଜର ପହଁରାଇ ଆଣୁଥିଲି ବେଳକୁ ବେଳ। ମନେ ମନେ ମୁଁ ଭାବୁଥିଲି, "ହଉ ବୁଢ଼ା ଏଠି ବସିଛି ତ ବସିଥାଉ। ଟିଟିଇ ଆସି ଟିକଟ ଯାଞ୍ଚ କରିବା ପରେ ବଳେ ବଳେ ଉଠିଯିବନି ଯେ, ମୁଁ କାହିଁକି କିଛି କହିବି? କେତେ ସମୟ ଏଇଠି ବସୁଛି ବସୁ! ବିଚରା ଶ୍ବାସରୋଗୀଟା ବାଟରେ କଣ ନାଇଁ କଣ ହେଲେ ମୋ ଉପରେ ବୋଝର ନଳିତା ବିଡା ହୋଇଯିବ ପୁଣି।"


ଏମିତି ଭାବୁ ଭାବୁ ମୋର ଟିକେ ଆଖି ଲାଗି ଆସୁଥିବା ବେଳେ ସେହି ଭଦ୍ରବ୍ୟକ୍ତିଙ୍କ ପୁ୍ନଶ୍ଚ ପ୍ରଶ୍ନବାଣ କର୍ଣ୍ଣଗୋଚର ହେବାର ଅନନ୍ତରରେ ମୋ ଆଖି ଖୋଲିଗଲା। ସେ କହୁଥାନ୍ତି," କାହିଁକି ଏମିତି ଦାରୁଭୂତ ପରି ବସିରହିଛନ୍ତି ମୋ ସିଟ୍.ରେ? ଜଲଦି ଉଠନ୍ତୁ...!" ଏଇ 'ଦାରୁଭୂତ' ଶବ୍ଦଟି ମୋ ପାଇଁ ଟିକେ ଦୁର୍ବୋଧ୍ୟ ମନେହେଲା। ଦାରୁ ଆଉ ଭୂତ ଦୁଇ ଦୁଇଟି ପୃଥକ ଶବ୍ଦର ଏକୀକୃତ ବ୍ୟବହାର ସମ୍ମାନସୂଚକ ଅଥବା ଅପମାନିତ କରିବା ପାଇଁ କରାଯାଏ ତାହା ମୋର ବୋଧଶକ୍ତିର ବାହାରେ ଥିଲା। ଆଜି ଯାଏଁ ବି ଅଛି। ମୁଁ ତ ଭାଷା ସାହିତ୍ୟର ଛାତ୍ର କିମ୍ବା ଗବେଷକ ନୁହେଁ ଯେ, ଏତେ ସବୁ ଗୁଢ଼ ଅର୍ଥ ଓ କଥା ଓ ନଥାର ରହସ୍ୟ ଜାଣିବି। ଆଇନତଃ ନିଜ ଆସନରେ ବସିଥିବା ବେଳେ ଅନ୍ୟ କାହାର ଅନଧିକାର ପ୍ରବେଶ ଏବଂ ତାହା ଉପରେ ହାକୁମାତି ଦେଖାଇବାକୁ ଯାଇ ଗୁରୁଗମ୍ଭୀର ଶବ୍ଦବାଣ ପ୍ରୟୋଗ ମୋର ଧୈର୍ଯ୍ୟଚ୍ୟୁତି ଘଟାଇବାକୁ ଯଥେଷ୍ଟ ଥିଲା। ତାରୁଣ୍ୟର ଉଦ୍ଧାମତା ପୁଣି ଆପଣାର ନ୍ଯାୟିକ ହକ୍ ପାଇଁ ଲଢେଇ କରିବା ପ୍ରତିଟି ନାଗରିକର କର୍ତ୍ତବ୍ୟ ଏବଂ ଅଧିକାର। ଏକଥା ମୁଁ ସ୍କୁଲରେ ନଗର ବିଜ୍ଞାନ ବହିରେ ପଢିଥିଲି। ମୋର ସାହିତ୍ୟ ପାଠ ସିନା ଜୀବନ ଜଞ୍ଜାଳରେ ଘାଣ୍ଟିଚକଟି ହୋଇ କେଉଁଠି ମରିଗଲା ଫୁଲଗଛଟି ଜଳର ଅଭାବରେ ମରିଯିବା ପରି କିନ୍ତୁ ଏଇ ରାଜନୀତି ବିଜ୍ଞାନର ପାଠ ତ ଦୈନନ୍ଦିନ ଜୀବନରେ ଲାଗୁଛି, ଆଗକୁ ଲାଗୁଥିବ ମଧ୍ୟ ନିଶ୍ଚିତ ଭାବରେ। 


ଭଦ୍ରବ୍ୟକ୍ତିଙ୍କୁ ଏବେ ଉପଯୁକ୍ତ ପ୍ରତ୍ଯୁତ୍ତର ଦେବାର ସମୟ ଉପନୀତ ହୋଇଛି। ଆରେ ଧଇଁପେଲା ଉଠୁଥିଲା ବୋଲି ବସିବାକୁ କଣ ଟିକେ ସୁଯୋଗ ଦେଲି ଯେ, ମୋତେ ତ ମୋର ସ୍ଵେଦାର୍ଜିତ ଅର୍ଥେ କ୍ରୀତ ନାର୍ଯ୍ୟ ଅଧିକାରରୁ ବିତାଡିତ କରିବାକୁ ମସୁଧା କରିବାକୁ ବସିଲାଣି ବୁଢ଼ା! କିଛି କହିବା ପୂର୍ବରୁ ମୁଁ ନିଜର ଗଳାକୁ ଟିକେ ସଜାଡି ନେଲି। ମନ ଭିତରେ ଯାହା କିଛି ଥାଉନା କାହିଁକି କାହାରିକୁ ମୁହଁ ଖେଙ୍କାରି କଥା କହିବା ମୋର ସଂସ୍କାର ଏବଂ ସଂସ୍କୃତି ବହିର୍ଭୂତ ଆଚରଣ। ବାଳୁତ କାଳରେ ଏମିତି ଦିନେ କାହାକୁ କିଛି କହିଥିଲି ବୋଲି ଜେଜେ ବାପା ମୋ ପିଠିରେ ପୁଷ୍କରିଣୀ ଖନନ କରିଦେଇଥିଲେ ତାଙ୍କର ହଳୁଆ ପାଞ୍ଚଣରେ। ସେବେଠୁ ମୁଁ ପୁରା ସିଧାସଳଖ ଭଦ୍ର ପିଲା। କଥାରେ ନାହିଁ "ଚାଟଘର ପିଲା ଚାଟ, ଭାଟଘର ପିଲା ଭାଟ!" ସବୁଆଡୁ ବିଚାର କରି ଦୁଇ ତିନି ଥର ମନେ ମନେ ଅଭ୍ୟାସ କରି ମୁଁ ସେହି ଭଦ୍ରବ୍ୟକ୍ତିଙ୍କୁ ଅତ୍ଯନ୍ତ ବିନମ୍ରତାର ସହିତ କୋମଳକଣ୍ଠରେ ପଚାରିଲି, "ସାର୍! ଆପଣଙ୍କ ସିଟ୍ ନମ୍ବର କେତେ?"


ମୋର ଅଖଣ୍ଡ ନିରବତାର ପରେ ପରେ ଉତ୍ତର ଦେବା ପରିବର୍ତ୍ତେ ତାଙ୍କୁ ପ୍ରଶ୍ନ କରିବା ଭଦ୍ରବ୍ୟକ୍ତିଙ୍କ ଅହଂକୁ ଆଘାତ ଦେଲା। ଇଶ୍ବରଦତ୍ତ ସୁନ୍ଦରିଆ ମୁହଁକୁ ତାଙ୍କର ଛିଞ୍ଚାଡି କହିଲେ, "ହଉ ହେଲା। ବସିଥା ଟିଟିଇ ଆସିଲେ ତଣ୍ଟିଆ ମାରି ଉଠେଇବ..." ଅଚାନକ ତାଙ୍କର ଏହିପରି ଅସ୍ବାଭାବିକ ବ୍ୟବହାର ମୋତେ ବିସ୍ମିତ କରୁଥିଲା। ଆଜ୍ଞା ଆପଣରୁ ହଠାତ୍ ତୁ - ତକାରକୁ ଓହ୍ଲାଇ ଆସିଲେ ଭଦ୍ରବ୍ୟକ୍ତି ଜଣକ। ଲାଗୁଥିଲା ସାହିତ୍ୟ ଶ୍ରେଣୀରେ ଆମେ ସାଙ୍ଗସାଥିମାନଙ୍କ ମେଳରେ ଭାଷାର ଶୁଦ୍ଧତାକୁ ନେଇ ଥଟ୍ଟା ପରିହାସ ଛଳରେ କହୁଥିଲୁ,"ଶ୍ୟାମଳ ଦୁର୍ବାଦଳ, କୋଡ଼ିରେ ତାଞ୍ଚିଆଣ!" ଏତେ ସୁନ୍ଦର ଗୁରୁଗାମ୍ଭିର୍ଯ୍ଯ ଭରା ଶବ୍ଦର ବ୍ୟବହାର ପରେ ଏପରି ତୁଛ ଇତର ଶବ୍ଦର ବ୍ୟବହାର ମୁଁ କଦାପି ଆଶା କରିନଥିଲି ସେହି ଭଦ୍ରବ୍ୟକ୍ତିଙ୍କ ନିକଟରୁ। ପରିପାଟି ଓ ରୂପଭେକରେ ବେଶ୍ ଉଚ୍ଚ ଶିକ୍ଷିତ, ଉନ୍ନତ, ସମ୍ଭାନ୍ତ, ସୁସଂସ୍କୃତ ଏବଂ ମାର୍ଜିତ ମନେ ହେଉଥିଲେ। ମୁଁ ତ ତାହାଙ୍କୁ କିଛି ମାରହାଣ କଥା ବି କହିନାହିଁ। କେବଳ ସିଟ୍ ନମ୍ଵର୍ ଜିଜ୍ଞାସା କରିଥିଲି ତାଙ୍କର ଶଙ୍କାର ମୀମାଂସା କରିବା ପାଇଁ। ଅନ୍ଯାନ୍ଯ ଅଭଦ୍ର ଉଦଭ୍ରାନ୍ତ ଯୁବକଙ୍କ ପରି ଟିକଟ ମାଗିନାହିଁ କି ଅବାନ୍ତର ଯୁକ୍ତି ତର୍କ ମଧ୍ୟ କରିନାହିଁ। ହୁଏତଃ ଏହା ମୋର ମାତ୍ରାଧିକ ବିନମ୍ରତା ଓ ଶାଳିନତାର ପ୍ରତିଫଳ। ଯଦି ଦ୍ବିପାକ୍ଷିକ ଆଲୋଚନାରେ ବିବାଦ ସମାଧାନ ହେଉ ନାହିଁ ତେବେ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ସ୍ବୀକାର କରାଯାଉ। ଅପେକ୍ଷା କରାଯାଉ ଟିକଟ ନିରୀକ୍ଷକଙ୍କ ଶୁଭ ଆଗମନକୁ। 


ମୁଁ ଆଉ ସେହି ଭଦ୍ରବ୍ୟକ୍ତିଙ୍କୁ ରାମ୍ କି ବିଷ୍ଣୁ କିଛି ବି ନକହି ନିଶ୍ଚୁପ ହୋଇ ବସିରହିଲି। ମନେ ମନେ ଭାବୁଥିଲି କିଛି ତ ଅଶୋଭନୀୟ ବ୍ଯବହାର ମୁଁ ପ୍ରଦର୍ଶନ କରି ନାହିଁ ତାଙ୍କୁ। ପୁଣି ମୋ ପ୍ରତି କାହିଁକି ତାଙ୍କର ଏପରି ଅଭଦ୍ରୋଚିତ ଆଚରଣ? ଶ୍ବାସରୋଗୀ ବୋଲି ଶୋଇବା ଜାଗାରୁ ଉଠି ବସିବାକୁ ଜାଗା ଦେଲି ଏହା କଣ ତାହାର ପ୍ରତିଦାନ? ମନ ମୋର ବିଦ୍ରୋହ କରି ଉଠୁଥିଲା। ରକ୍ତକଣିକା ସବୁ ଟକ୍ ମକ୍ ହୋଇ ଫୁଟୁଥିଲେ। ଏହା ହିଁ ଉଦ୍ଧାମ ତାରୁଣ୍ୟର ବିସ୍ଫୋରଣ! ତଥାପି ମୋତେ ସଞ୍ଜମତା ରକ୍ଷା କରି ଟିକଟ ନିରୀକ୍ଷକଙ୍କ ପ୍ରତୀକ୍ଷା କରିବାକୁ ହିଁ ପଡ଼ିବ। ଆଉ ଗତ୍ଯାନ୍ତର ନାହିଁ।


କିଛି କ୍ଷଣର ବ୍ଯବଧାନରେ ଖୋର୍ଦ୍ଧାରୋଡ଼ ଷ୍ଟେସନ ପୂର୍ବରୁ ଟିକଟ ନିରୀକ୍ଷକ ମହୋଦୟ ଆମ ବଗିରେ ଆସି ଉପସ୍ଥିତ ହେଲେ। ଏବେ ମୋତେ କିଛି ମାତ୍ରାରେ ଆଶ୍ବସ୍ତି ଅନୁଭବ ହେଉଥିଲା। ଗୋଟି ଗୋଟି କରି ସମସ୍ତ ଯାତ୍ରୀଙ୍କ ଟିକଟ ଯାଞ୍ଚ କରିବା ପରେ ଆମ ପାଖକୁ ଆସି କହିଲେ, ସିଟ୍ ନଂ. - ୨୫, ଟିକେଟ୍ ପ୍ଲିଜ୍...!" ମୁଁ ପକେଟ୍.ରୁ ମୋ ଟିକଟ କାଢି ଦେଖାଇବା ପୂର୍ବରୁ ଅନଧିକାର ଆସ୍ଥାନ ଜମାଇଥିବା ଭଦ୍ରବ୍ୟକ୍ତି ଜଣକ ଟିଟିଇଙ୍କ ଉଦ୍ଧେଶ୍ୟରେ କହିଲେ,"ଟିଟି ସାହେବ! ଏଇ ଅସଭ୍ୟ ଅଭଦ୍ର ଅନାର୍ଯ୍ୟ ଲୋକଟା ମୋ ସିଟଟାକୁ କବ୍ଜା କରି ବସିଛି। ମୋତେ ଶୋଇବାକୁ ଦେଉନାହିଁ। ଆପଣ କଣ କିଛି ଗୋଟେ କରି ତାକୁ କାଢ଼ି ଫିଙ୍ଗି ଦିଅନ୍ତୁ ଏ ଟ୍ରେନରୁ।" ମୁଁ ହତବାକ ହେଇଗଲି ଭଦ୍ରବ୍ୟକ୍ତିଙ୍କ କଥା ଶୁଣି। ଶ୍ବାସରୁଦ୍ଧ ଅବସ୍ଥାରେ ଦୟା ପରବଶ ହୋଇ ଯାହାକୁ ମୁଁ ମୋ ଆସନରେ ବସିବାକୁ ସୁଯୋଗ ଦେଇ ଦୀର୍ଘ ଅର୍ଦ୍ଧ ଘଣ୍ଟା ଧରି ମାନସିକ ଅତ୍ଯାଚାର ସହି ଚାଲିଥିଲି ପରିଶେଷରେ ସେ ଏପରି ଅଭିଯୋଗ ମୋ ବିରୋଧରେ ଆଣି ପାରିଲେ କିପରି? ମୋର କ୍ରୋଧ ଫୁଟୁଥାଏ। ଅଷ୍ଟାଙ୍ଗ ଶରୀର କମ୍ପୁଥାଏ କ୍ରୋଧାଗ୍ନିର ପ୍ରଜ୍ଜ୍ଵଳନରେ। ତଥାପି ବିବେକ କବଚ ସୁଦୃଢ଼ ଥାଏ କିଛି ଅଘଟଣକୁ ପ୍ରତିରୋଧ କରିବା ପାଇଁ। 


ଟିକଟ ନିରୀକ୍ଷକ ଆମ ଦୁଇଜଣଙ୍କ ଠାରୁ ଟିକଟ ନେଇ ପୁନଃ ପୁନଃ ନିରୀକ୍ଷଣ କରିବାକୁ ଲାଗିଲେ। ତାଙ୍କ ପାଖରେ ଥିବା ଯାତ୍ରୀ ତାଲିକା ସହିତ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ଦୀର୍ଘ ଶ୍ବାସ ତ୍ଯାଗ କରି କହିଲେ, "ଅଯଥାରେ ଆପଣମାନେ ଦ୍ବନ୍ଦ ସୃଷ୍ଟି କରୁଛନ୍ତି କାହିଁକି? ଏଇ ବଗିର ସିଟ୍ ନଂ. - ୨୫ ର ଯାତ୍ରୀ ହେଉଛନ୍ତି ରାଜେନ୍ଦ୍ର କୁମାର ରାୟ। ଲିଙ୍ଗ - ପୁରୁଷ, ବୟସ ଚବିଶ ବର୍ଷ। ସଂରକ୍ଷଣ - ଭୁବନେଶ୍ଵରରୁ ଚେନ୍ନାଇ ସେଣ୍ଟ୍ରାଲ୍...!" ଏହା ଶୁଣି ମନେ ମନେ ମୁରୁକି ମୁରୁକି ହସୁଥିଲି ମୁଁ। କ୍ରୋଧାଗ୍ନି ପ୍ରଶମିତ ହୋଇଯାଇଥିଲା କ୍ଷଣିକରେ, ଶୀତଳ ବାରିପାତରେ ଉତ୍ତପ୍ତ ଧରଣୀର ଜ୍ୱାଳା ନିବାରଣ ହେବା ପରି। ଅନିର୍ବଚନୀୟ ପ୍ରଶାନ୍ତି ଅନୁଭୂତ ହେଉଥିଲା। ଏବେ ମୁଁ ସଳଖି ଚାହିଁଲି ଭଦ୍ରବ୍ୟକ୍ତିଙ୍କ ମୁଖକୁ। ତାଙ୍କର ଉଜ୍ଜ୍ବଳ ଚହଟ ଚିକ୍କଣ ମୁଖମଣ୍ଡଳରେ ବିଷର୍ଣ୍ଣତାର ମଳିନ ରେଖା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଥିଲା। ଦଣ୍ଡାୟମାନ ହୋଇ ଟିଟିଇ ମହାଶୟଙ୍କ କାନ ପାଖରେ କିଛି ଫୁସ୍ ଫୁସ୍ କରି କହୁଥାନ୍ତି ସେ। କିଛି ନଗଦ ଅର୍ଥ ପଇଠ କରି ରଶିଦ୍ କାଟିଲେ। ସେ କେଉଁ ଟ୍ରେନରେ, କେଉଁ ଟିକଟ କାଟିଥିଲେ, କେଉଁ ଶ୍ରେଣୀରେ ଓ କେଉଁ ବଗିରେ ସେସବୁ ମୋ ପାଇଁ ଥିଲା ଅନାବଶ୍ୟକ। ମୋର ଜାଣିବାକୁ ଆଦୌ ସ୍ପୃହା ନଥିଲା। ନିଜର ନାର୍ଯ୍ୟ ଏବଂ ନ୍ଯାୟ ସଙ୍ଗତ ଉପଭୋକ୍ତା ଅଧିକାରର ସୁରକ୍ଷାରେ ମୁଁ ଥିଲି ଉତଫୁଲ୍ଲିତ। 'ଜୋକ ମୁହଁରେ ଲୁଣ' ପରି ଦାମ୍ଭିକତାରେ ପରିପୁଷ୍ଟ ଭଦ୍ରବ୍ୟକ୍ତି ଜଣକ ମୋ ପାଖକୁ ଆସି ନମ୍ର ଭାବରେ କହିଲେ, "କିଛି ମାଇଣ୍ଡ କରିବେନି ରାୟ ବାବୁ! ବିଶାଖାପାଟଣା ଯାଏଁ ଯିବି ଜରୁରୀ କାର୍ଯ୍ୟରେ। ଏଇଠି ଟିକେ ଆଡଜଷ୍ଟ୍ କରିଦେବେ। ଟିଟିଇ କହିଛି ବ୍ରହ୍ମପୁରରୁ ସିଟ୍ ଦେବ ବୋଲି।" 


ମୁଁ ନୀରବରେ ଅନ୍ତର୍ମନରେ ଚିନ୍ତା କରୁଥିଲି ବହୁରୂପୀ ମଣିଷର ଚରିତ୍ର ଓ ଚିନ୍ତାଧାରା ବାବଦରେ। ସ୍ବାର୍ଥର ବ୍ଯାପାର ଉଠିବାରୁ ଅଚାନକ ଆପଣାର ରଙ୍ଗ ବଦଳେଇବା ଆରମ୍ଭ କରିଦେଲେ ଭଦ୍ରବ୍ୟକ୍ତି। ଅହରହ ପ୍ରତି କ୍ଷଣ ରଙ୍ଗ ବଦଳାଏ ମଣିଷ, କୃତ୍ରିମ ଅଶ୍ରୁ ଝରାଏ ଆଖିରୁ କିନ୍ତୁ ସାହିତ୍ୟରେ ନିନ୍ଦିତ ହୁଅନ୍ତି ବିଚରା ପିହୁଳା ଏଣ୍ଡୁଅ ଓ କୁମ୍ଭୀର। ଆପଣା ଆପଣା ପ୍ରାକୃତିକ ପରିବେଶରେ ପ୍ରାଣ ରକ୍ଷା ପାଇଁ ଏବଂ ଖାଦ୍ୟ ଗ୍ରହଣ କରିବାକୁ ଏହି ଜୀବମାନେ ପ୍ରାକୃତିକ ଲୀଳା ରଚିଥାନ୍ତି, ସେଥିପାଇଁ ପୁଣି ନିନ୍ଦାର ଶରବ୍ଯ ହୁଅନ୍ତି। ମଣିଷ ତ ନିଜ ସ୍ବାର୍ଥ ପାଇଁ ଏସବୁ କରେ, ତାହାକୁ ଚତୁର ଧୂରନ୍ଧର ବୋଲି ଆଖ୍ୟା ଦିଆଯାଏ। ବାଃ! କି ବିଚିତ୍ର ନ୍ୟାୟ! ଶାସ୍ତ୍ରରେ ପରା ଉଲ୍ଲେଖ ରହିଛି, ଲୀଳାମୟ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ପରିସ୍ଥିତିରେ ପଡ଼ି ଗଧପାଦ ଧରି ଥିଲେ! 

"କିଛି ନାହିଁ ସାର୍! କେଇଟା ଘଣ୍ଟାର କଥା ତ!" ପ୍ରତି ଉତ୍ତରରେ ଅତି ସଂକ୍ଷିପ୍ତ ଭାବେ ମୁଁ କହିଲି। ଏହା ପରେ ଆରମ୍ଭ ହେଲା ଆମର ଦ୍ବିପାକ୍ଷିକ ପରିଚୟ ଆଦନପ୍ରଦାନର ପର୍ବ। ଭଦ୍ରବ୍ୟକ୍ତି ଜଣକ ଥିଲେ ମହାମାନ୍ଯ ଡ଼ଃ ମାୟାଧର ଦାଶ, ଏମ୍.ଏ.,ଏଲ୍.ଏଲ୍.ବି, ପିଏଚଡ଼ି ଇତ୍ଯାଦି ଇତ୍ଯାଦି ଉପାଧି ଭୂଷଣରେ ସମ୍ମାନିତ ଏକ ବିରଳ, ବିଚକ୍ଷଣ ଏବଂ ଧୂରୀଣ ବ୍ୟକ୍ତିତ୍ୱ। ରାଜଧାନୀର କ୍ଷମତା ଅଳିନ୍ଦରେ ବିଶେଷ ପତିଆରା ରହିଛି। ନିଜର ଶିକ୍ଷା, ଦୀକ୍ଷା, ଅନୁଭୂତି, ଅନୁଭବ, ପ୍ରାପ୍ତ ହୋଇଥିବା ପୁରସ୍କାର ବାବଦରେ ସୁବିସ୍ତୃତ ବିବରଣୀ ପ୍ରଦାନ କଲେ ସେ ଏହି ଅବସରରେ। ଅନିଚ୍ଛା ସତ୍ତ୍ବେ ମୁଁ ଶୁଣୁଥାଏ ମନ୍ତ୍ରମୁଗ୍ଧ ହୋଇ ବାଧ୍ଯ ଛାତ୍ରଟିଏ ପରି। ଘଣ୍ଟା ଘଣ୍ଟା ଧରି ସେ ପ୍ରଗଳ୍ଭ ହୋଇ କହି ଚାଲିଥାଆନ୍ତି। ବିସ୍ଫାରିତ ନେତ୍ରରେ ତାଙ୍କର ପଲକ ପଡୁନଥାଏ। ଆତ୍ମଦର୍ପରେ ଆତ୍ମଶ୍ଲାଘାରେ ଆତ୍ମପ୍ରଚାରର ଡେଙ୍ଗୁରା ପିଟୁଥାନ୍ତି ମୋ ସମ୍ମୁଖରେ। ବୁଦ୍ଧି ଓ ଜ୍ଞାନ ବିହିନ ଗୋଟିଏ ହାରାହାରି ଛାତ୍ରଟିକୁ ଜ୍ଞାନ ଗାରିମାର କଥା କହି କହି ବିମୁଗ୍ଧ କରି ଦେଉଥାନ୍ତି। ରାତ୍ରିର ଅନ୍ଧକାରରେ ଅନ୍ୟ ସହଯାତ୍ରୀମାନେ ଗଭୀର ନିଦ୍ରାରେ ଶୟନରତ। ଦିବସର ତମାମ ଧାଁଦୌଡ଼ ପରେ କ୍ଲାନ୍ତ ଶ୍ରାନ୍ତ ଶରୀରକୁ ଟିକେ ବିଶ୍ରାମ ଲୋଡ଼ା ଥିଲା। ମୋତେ ମଧ୍ଯ ଭୀଷଣ ନିଦ୍ରା ଲାଗୁଥିଲା କିନ୍ତୁ ନାଚାର। ନା ଶୋଇ ପାରିବି ନା ଏଇ ପ୍ରବୁଦ୍ଧ ବୁଦ୍ଧିଜୀବୀଙ୍କ ମାନସିକ ଅତ୍ଯାଚାରରୁ ମୁକ୍ତି ପାଇ ପାରିବି! 


ଏତେ ସବୁ ଶୁଣିବା ପରେ କେବଳ ସ୍ନାତକ ଡିଗ୍ରୀ ପ୍ରମାଣପତ୍ର ପ୍ରାପ୍ତ ମୋ ଭଳି ହାରାହାରି ଛାତ୍ରଟି ଭାବୁଥିଲା ଡ଼ଃ ଦାଶ ମହୋଦୟ ଆପଣାର ସମସ୍ତ ବିଜ୍ଞତାକୁ ଉପଯୋଗ କରି ମୋତେ ଏଇ ଟ୍ରେନ୍.ରେ ବଳିବୋଦା ବନାଇବାର ପ୍ରସ୍ତୁତିରେ କୌଣସି ହେଳା କରିନଥିଲେ। ବାହ୍ୟ ଜଗତ ବିଷୟରେ ସାମାନ୍ଯ ବ୍ୟବହାରିକ ଜ୍ଞାନ ନଥିଲେ ନୀରିହ ମଣିଷମାନେ ଏହିପରି ଭଦ୍ରମୁଖାଧାରୀ ବଳିଷ୍ଠ ସର୍ବଗ୍ରାସୀ ତିମିଙ୍ଗିଳମାନଙ୍କ ଶିକାର ହେବା କିଛି ବିଚିତ୍ର କଥା ନୁହେଁ ଆଜିର ଦୁନିଆରେ। ଜୀବନର ପ୍ରତିଟି ପାଦରେ ଏଭଳି ବ୍ଯକ୍ତିବିଶେଷଙ୍କର ଆଦୌ ଅଭାବ ନାହିଁ। ଦୁନିଆଁ ବୁକୁରେ ଜୀଇଁବାକୁ ହେଲେ ସଦାସର୍ବଦା ଜାଗ୍ରତ ରହିବାର ଆବଶ୍ୟକତା ଅବଶ୍ୟ ରହିଛି... 



Rate this content
Log in

Similar oriya story from Abstract