puspanjali das

Abstract

2  

puspanjali das

Abstract

ଭଡାଘର

ଭଡାଘର

6 mins
535


      ଶ୍ରଦ୍ଧା ସେଦିନ ଖୁବ୍ ବିମର୍ଷ ହୋଇ ଘରକୁ ଫେରିଥିଲା। ଖବରକାଗଜ ରେ ବାହାରିଥିବା ତିନୋଟି ଯାକ ଘର ଦେଖିବାକୁ ବହୁ କଷ୍ଟ ରେ ସମୟ ବାହାରକରି ଯାଇଥିଲେ ହେଁ,କୌଣସି ଟା ବି ତା'ମନ ପସନ୍ଦ ହୋଇନଥିଲା। ଏଣେ ଘର ମାଲିକ ଙ୍କୁ କଥା ଦେବା ଅନୁଯାଇ, ସମୟସୀମା ବିଶେଷ ହୋଇଯିବାକୁ ବସିଥିଲା। ଆଉ ମାତ୍ର ପନ୍ଦର ଟା ଦିନ ଭିତରେ ସେମାନଙ୍କୁ ଯେମିତି ହେଲେ କୋଉଠିକୁ ଯିବାକୁ ପଡ଼ିବ, ଗତ ଦେଢମାସ ହେବ ଘର ଦେଖି ଦେଖି ,ପୁରା ପରିବାର ଟା ନୟାନ୍ତ ହୋଇଗଲେଣି! ଝିଅ ଦୁଇଟି ,ତାଙ୍କ ସ୍କୁଲ ସମୟ ପରେ ମଧ୍ୟ ଘର ଦେଖିବାକୁ ଯିବାକୁ ଭୁଲନ୍ତୁନି। ଆଉ ସଞ୍ଜୟ ମଧ୍ୟ ତାଙ୍କ ଚାମ୍ବର ନ ଯାଇକି ଅନେକ ଘର ଦେଖିବାକୁ ଯାଇସାରିଛନ୍ତି, ହେଲେ, ତାଙ୍କ ବୃତ୍ତି କୁ ନେଇ ଅନେକ ଜାଗାରେ ଘରଟିକୁ ଦେଖିବାର ସୌଭାଗ୍ୟ ବି ପାଇ ପାରିନାହାନ୍ତି ଓକିଲାତି ର ନାଁ ଶୁଣୁ ଶୁଣୁ ,କେତେକ ଙ୍କ ର ଘରଟା ଆଗରୁ କିଏ ଆଡ଼ଭାନ୍ସ ଦେଇଦେଇଛି ର ଖବର ଟା ମିଳିଯାଏ। ଶେଷ କୁ ବାଧ୍ୟ ହୋଇ ଶ୍ରଦ୍ଧା କୁ ଘରୁ ଗୋଡ କାଢ଼ିବାକୁ ପଡିଥିଲା। ଘର ଖୋଜା ଅଭିଯାନ ର ପ୍ରଥମ ଦିନରେ ପୁରା ଥକି ଯାଇ ହାରିଗଲା ଭଳି ଶ୍ରଦ୍ଧା ଡ୍ରଇଂ ରୁମ୍ ରେ ବସିପଡ଼ିଥିଲା।

           ସେତିକି ବେଳେ ଭାଇ ର ଫୋନ ଆସିଯିବାରୁ ଶ୍ରଦ୍ଧା ଫୋନ ଟିକୁ ଧରି ଉଠିଯାଇଥିଲା ଅନ୍ୟ ରୁମ୍ କୁ ଯୋଉଠି ଠିକ ଭାବରେ ନେଟୱର୍କ ଆସିଯାଏ। କଥା ହେବାରୁ ଜାଣିଥିଲା ଯେ ତା'ଙ୍କ ସାଙ୍ଗ ରହୁଥିବା ସାହିରେ ଗୋଟିଏ ଭଲ ଘର ଖାଲି ଅଛି ବୋଲି,ହେଲେ,ସେଥିରେ ପୁଣି ସେଇ ପୁରୁଣା କ୍ଲଜ ଟା ଥିଲା–'ଓକିଲ କି ପୋଲିସ ଙ୍କୁ ଘର ଦେବେନି '। ଶ୍ରଦ୍ଧା ବିରକ୍ତ ହୋଇ ଉଠିଥିଲା ତାଙ୍କ କଥା ରେ,କହିପକାଇଥିଲା–ତମେ ଜାଣିଛ ଯଦି,କାହିଁକି ଅପଦସ୍ତ ହେବାକୁ ମତେ ସେଠିକି ଯିବା କୁ କହୁଛ? ଶୁଣୁ ଶୁଣୁ ତ ସେମାନେ ମନା କରିଦେବେ,ଆଉ କ'ଣ ମିଛକହିକି ରହିବୁ? ମୁଁ ଜମାରୁ ଯିବିନି। ଭାଇ ଙ୍କ ର କିନ୍ତୁ ଜିଦ୍ଦି ଥିଲା ,ଯେ ଥରୁଟିଏ ଶ୍ରଦ୍ଧା ଝିଅ ୨ଟିଙ୍କୁ ନେଇକି ସେ ଘର ଟି ଦେଖିବାକୁ ଯିବାକୁ। ତା'ପରଦିନ ଇଛା ବିରୁଦ୍ଧରେ ଶ୍ରଦ୍ଧା ଝିଅ ଦୁଇଜଣଙ୍କୁ ନେଇ ବହାରିଯାଇଥିଲା ଘର ଦେଖିବାକୁ,କିନ୍ତୁ ପ୍ରକୃତ ଉଦ୍ଦେଶ ଥିଲା ତା'ର ଗଣେଶ ମୂର୍ତ୍ତୀ କିଣିବା। ଅଳ୍ପ ଦିନପରେ ଗଣେଶପୂଜା ଥିଲା,ଓ ପ୍ରତିବର୍ଷ ଭଳି ଗଣେଶ ମୂର୍ତ୍ତୀ କିଣିବାକୁ ପିଲାଙ୍କ ସାଙ୍ଗରେ ତାକୁହିଁ ଯିବାକୁ ପଡେ। ଯଦିଓ ପିଲା ତା'ର ସବୁ ଆଣି ପାରନ୍ତି ଠିକ କରି,ହେଲେ,ମୂର୍ତ୍ତୀ ଟି ଶ୍ରଦ୍ଧା ନିଜେ ବାଛିକି ନ ଆଣିଲେ ତାକୁ ଶାନ୍ତି ଲାଗେନି।

    ଗଣେଶ ମୂର୍ତ୍ତୀ ଓ ଆନୁସଙ୍ଗିକ ପୂଜା ସାମଗ୍ରୀ କିଣିସାରି ଫେରିବା ବାଟରେ ଶ୍ରଦ୍ଧା,ତା'ଭାଇଙ୍କ କଥା ରକ୍ଷା କରିବାକୁ ଯାଇ ଘର ଟିକୁ ଦେଖିବା କୁ ,ପିଲାଙ୍କୁ ଧରି ଚାଲି ଯାଇଥିଲା। କବାଟ ରେ ନକ୍ କରିବାରୁ,କବାଟ ଟି ଖୋଲିଥିଲେ ଜଣେ ସତୁରି ଅଶୀ ବର୍ଷୀୟା ବୃଦ୍ଧା। ଗୋଡ଼ରୁ ମୁଣ୍ଡ ଯାକେ ସମସ୍ତଙ୍କ ଉପରେ ଥରେ ଆଖି ବୁଲାଇ ଆଣି ଥିଲେ ଓ କିଛି ପ୍ରଶ୍ନ ନ କରି ଭିତରକୁ ଡାକି ନେଇଥିଲେ। ଶ୍ରଦ୍ଧା ର ହାତରେ ଥିଲା ଗଣେଶ ଙ୍କ ମୂର୍ତ୍ତୀ, ଯାହାକୁ ଅତି ଯତ୍ନ ରେ କୋଳରେ ଏକପ୍ରକାର ଜାବୁଡି ଧରିଥିଲା। ଝିଅ ର ହାତକୁ ମୂର୍ତ୍ତୀ ଟିକୁ ବଢ଼ାଇ ଦେଇ ନଇଁ ପଡ଼ିଥିଲା ବୃଦ୍ଧା ଜଣକ ଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ,ଯୋଉଟା ତାର ଅଭ୍ୟାସ ଗତ ଥିଲା,ବାପାଙ୍କ ଠାରୁ ଥରୁଟିଏ କାନ ମୋଡା ଖାଇ ମନ ଭିତରେ ଗାର ଟାଣି ହୋଇ ଯାଇଥିଲା,ଯେକୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତି ଙ୍କର ପାଦ ଛୁଇଁ ପ୍ରଣାମ କରିବାକୁ କେବେ ଭୁଲୁନଥିଲା। ପରେ ପରେ ଝିଅ ଦୁଇଜଣ ଶ୍ରଦ୍ଧା ର ହାତକୁ ଗଣେଶ ମୂର୍ତ୍ତୀ ଟି ବଢ଼ାଇ ଦେଇ ,ଅନୁରୂପ ପ୍ରଣାମ କରିଦେଇଥିଲେ। ବୃଦ୍ଧା ଜଣକଙ୍କର ମୁହଁ ର ଭାବକୁ କେହି ପଢି ପାରିନଥିଲା,କୌଣସି ପ୍ରତିକ୍ରିୟା ନ ଥାଇ ,କେବଳ ମୁଣ୍ଡ ହଲାଇ ଭିତରକୁ ଚାଲି ଯାଉ ଯାଉ, ଡ୍ରଇଂ ରୁମ୍ ର ପାଖାପାଖି ରୁମ୍,ଯୋଉଟା ହୁଏତ ଅଚିହ୍ନା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା,ସେଇଠି ବସାଇଦେଇ ଚାଲି ଯାଇଥିଲେ। କିଛି ସମୟ ପରେ, ସାଙ୍ଗରେ ତାଙ୍କର ଘରେ କାମ କରୁଥିବା ଝିଅଟି ତିନୋଟି ଗ୍ଲାସ ରେ ପାଣି ଧରି ଚାଲି ଆସିଥିଲା ଓ ତା'ପରେ ବୃଦ୍ଧା ଜଣକଙ୍କ ର ପ୍ରଶ୍ନ ଗୁଚ୍ଛା ର ସମ୍ମୁଖୀନ ହୋଇଥିଲେ ଶ୍ରଦ୍ଧା ଓ ତା'ର ଦୁଇ ଝିଅ। କିଛି ସମୟ ର କଥୋପକଥନ ଭିତରେ ,ସଞ୍ଜୟ ଙ୍କ ଓକିଲାତି ବୃତ୍ତି କୁ ମଧ୍ୟ ଜଣାଇ ଦେଇଥିଲା । ଶେଷରେ ବୃଦ୍ଧା ଙ୍କ ଠାରୁ କୌଣସି ଆଶାପୁର୍ଣ ପ୍ରତିଶୃତି ନ ପାଇ ଫେରିଆସିଥିଲେ ଘରକୁ,କିନ୍ତୁ କେମିତି କେଜାଣି ଶ୍ରଦ୍ଧା ର ଘରଟି ପ୍ରତି ଆକର୍ଷଣ ମନକୁ ତାର ଆନ୍ଦୋଳିତ କରୁଥିଲା।

     ଯଦିଓ ଘରଟି ସମ୍ପୁର୍ଣ୍ଣ ସେମାନଙ୍କ ର ଆବଶ୍ୟକତା ଓ ରୁଚି ଅନୁଯାଇ ଥିଲା,ହେଲେ ବୃଦ୍ଧା ଜଣକ ଙ୍କର ଗାମ୍ଭିର୍ଯ୍ୟପୁର୍ଣ ଚେହେରା ଦେଖି କେହି କିଛି ପଚାରିପାରି ନଥିଲେ,କେବଳ ଅନିଶ୍ଚିତତା ଭିତରେ ଫେରିଆସିଥିଲେ। ଘର ଭିତରକୁ ପସୁ ପସୁ କିନ୍ତୁ ସଞ୍ଜୟ ଙ୍କ ପ୍ରଶ୍ନବାଣ ର ସମ୍ମୁଖୀନ ହେବାକୁ ପଡିଥିଲା। ପୁର୍ବ ଭଳି ନିରାଶ ହୋଇ ନିତି ଦିନିଆ କାର୍ଯ୍ୟ ରେ ସମସ୍ତେ ଲାଗିପଡିଥିଲେ,ହେଲେ

ପ୍ରମୁଖ କାର୍ଯ୍ୟ ଟି ନେଟ ରୁ 'ହାଉସ ଫର ରେଣ୍ଟ' ଟା ଦେଖିବାକୁ ଭୁଲିନଥିଲେ। ୟା ଭିତରେ କିଛି ଦିନ କଟି ଯାଇଥିଲେ ବି କୌଣସି ଟି ଘର କାହାରି ମନୋପଯୋଗୀ ହୋଇପାରିନଥିଲା। ଭଡାଘର ର ହୀନସ୍ତା ,ଦୀର୍ଘ ପଚିଶ ବର୍ଷ ରେ କେବେ ଜାଣିପାରିନଥିଲା, ପ୍ରଥମ ଥର କରି ଘର ଖୋଜିବାର ପ୍ରକୃତ କଷ୍ଟ ଟା ଅନୁଭବ କରିଥିଲା ଶ୍ରଦ୍ଧା। ବିବାହ ପରେ ନିଜ ବାପଘର ସାହି ରେ ଅନେକ ବର୍ଷ ଭଡାରେ କଟା ଇ ଥିଲା,ଯୋଉଠି 'ଭଡାଟିଆ'ର ଟ୍ୟାଗ୍ ଟି ଲାଗିନଥିଲା,ଆଉ ଅତି ନିର୍ଦ୍ୱନ୍ଦ ରେ ନିଜ ସୁବିଧା ଅନୁଯାୟୀ ଗୋଟିଏ ପରେ ଗୋଟିଏ ଘର ବଦଳାଇ ଦେଇପାରିଥିଲା,ହେଲେ ବର୍ଷା ଦିନ ରେ ରାସ୍ତା ଘାଟ ର ହୀନସ୍ତା ହିଁ ତାକୁ ତା'ସାହି ଛାଡିବାକୁ ବାଧ୍ୟ କରିଥିଲା।

      ଚାହୁଁ ଚାହୁଁ ପନ୍ଦର ଟା ଦିନ ବି କେତେଶିଘ୍ର ସରି ଆସିଥିଲା,ଯୋଉଥିପାଇଁ ,ବାଧ୍ୟ ହୋଇ ଅନିଛାସତ୍ୱେ ବହୁ ଦୂରରେ ଥିବା ଫ୍ଲାଟ ଟିକୁ ଯିବାକୁ ମାନସିକ ସ୍ତରରେ ସମସ୍ତେ ପ୍ରସ୍ତୁତ ହୋଇଯାଇଥିଲେ। ଯଦିଓ ଶ୍ରଦ୍ଧା ର କୌଣସି ଆଶା ନ ଥିଲା,ସେ ବୃଦ୍ଧା ଙ୍କ ପାଖରୁ କିଛି ସୂଚନା ପାଇବାର ,ତଥାପି ଅନ୍ୟଜାଗାରେ ଆଡ଼ଭାନ୍ସ ଦେଵା ପୂର୍ବରୁ ଥରୁଟିଏ ତା'ଭାଇ ଙ୍କୁ ଫୋନ କରି ଜଣାଇଦେଇଥିଲା ସେମାନଙ୍କ ର ନିଷ୍ପତ୍ତି ଓ ସେହିଆଳ ରେ ସେ ବୃଦ୍ଧା ଙ୍କ ପାଖରୁ କିଛି ଖବର ମିଳିଛି କି ନାହିଁ ମଧ୍ୟ ବୁଝିଦେଇଥିଲା।

        ସେଦିନ ସଞ୍ଜୟ ଙ୍କୁ ଚାମ୍ବର ଯିବା ସମୟ ରେ ଆଡ଼ଭାନ୍ସ ଦେବାପାଇଁ ଟଙ୍କା ବହାରକରିଦେବା ବେକେ ଭାଇ ତା'ର ଘର ଭିତରକୁ ପସି ଆସିଥିଲେ ଓ ପାଖରେ ବସିପଡି ପଚାରିଦେଇଥିଲେ–କ'ଣ ,ତମମାନଙ୍କର ଫାଇନାଲ୍ ହୋଇଗଲା? ସେ ଘରଟା ପରା ପିଲାଙ୍କ ସ୍କୁଲ ଠାରୁ ଏତେଦୁର, ତା'ଛଡା ଆହୁରି କେତେ ଛୋଟ ଛୋଟ ପ୍ରବ୍ଲେମ ଅଛି ବୋଲି କହୁଥିଲୁ ପୁଣି ସେଇଟା ହିଁ ଠିକ କରିଦେଲ? ଆଉ ଟିକେ ଅପେକ୍ଷା ନ କରି ଆଡ଼ଭାନ୍ସ ବି ଦେଇ ଦେବାକୁ ଯାଉଛ ଏତକ କଥାରେ ଶ୍ରଦ୍ଧା ର ଅଭିମାନିଆ ମନଟା ଯେମିତି କୁହୁଳି ଉଠିଥିଲା,ସଙ୍ଗେ ସଙ୍ଗେ କହିଉଠିଥିଲା–ଆଉ କ'ଣ କରିବୁ ଯେ? ଏଠି ତ ଘର ଛାଡିବାକୁ ଆମେ ନିଜେ ସମୟ ନେଇଥିଲୁ,ଆମ କଥା ରକ୍ଷା ଯେମିତିହେଲେ କରିବୁ ଅପ୍ରୀତିକର ପରିସ୍ଥିତି କିଛି ଯେମିତି ନ ହେଉ,ସେଥିପାଇଁ ଆଉ କିଛି ଉପାୟ ନାହିଁ। ଏତେ ବର୍ଷ ପର୍ଯ୍ୟନ୍ତ ଯେତେ କହିଲେ ବି ଘର ଖଣ୍ଡେ କରିଲେନି ଏ ବୟସରେ ଏମିତି କଷ୍ଟକରି ଆଡ଼ଜଷ୍ଟ କରି ରହିବାକୁ ପଡିବା ଛଡା ଆଉ କିଛି ଉପାୟ ନାହିଁ ଆଖିରେ ଲୁହ ଢଳ ଢଳ କରି ଶ୍ରଦ୍ଧା ଅନ୍ୟରୁମ କୁ ଉଠିଯିବାକୁ ବସୁଥିଲା,ଏତିକିବେଳେ ଭାଇ ତା'ହାତକୁ ଧରିପକାଇ ତାକୁ ବସିବାକୁ କହି,ସଞ୍ଜୟ ଙ୍କୁ ମଧ୍ୟ ବସିବାକୁ କହିଥିଲେ। ଶ୍ରଦ୍ଧା ଓ ସଞ୍ଜୟ କିଛି ନବୁଝି ପାରିଲେ ମଧ୍ୟ ଭାଇଙ୍କ କଥାମାନି ଚୁପଚାପ ବସି ପଡ଼ିଥିଲେ।

           ଶ୍ରଦ୍ଧା ର ମୁହଁ ରେ ଆଶଙ୍କା ର ରଙ୍ଗ ଟା ଯେମିତି ବୋଳି ହୋଇଯାଇଥିଲା। ମନେ ମନେ ଭାବି ଚାଲିଥିଲା–ତା'ଘର କରିନଥିବା କଥା ତା'ଭାଇ ପକାଇବେନି ତ? ଯଦିଓ ତା'ଭାଇ ସଞ୍ଜୟ ଙ୍କ ସ୍ୱାଭିମାନି ଗୁଣ ଟା ସହିତ ପରିଚିତ ଓ ତାଙ୍କ ଉପରେ ତାଙ୍କ ପରିବାର ର ସବୁ ଭାଇଭଉଣୀ ଙ୍କ ଦାୟିତ୍ୱ ଟା ଥିଲା ବୋଲି ମଧ୍ୟ ଜାଣିଛନ୍ତି, ତଥାପି,କାଳେ କିଛି ତାଙ୍କ ମନକୁ ବାଧିଲା ଭଳିଆ ଅଜାଣତ ରେ କହିଦେବେ ବୋଲି ଭାବି ଭାବି ଶ୍ରଦ୍ଧା ଵ୍ୟସ୍ତ ହୋଇ ପଡୁଥିଲା। କାହିଁକି ଯେ ସେ ଘର ଖଣ୍ଡେ ହେଇନି ବୋଲି କଥା ଟି ଉଠାଉ ଥିଲା ଭାବି ଭାବି ନିଜକୁ ଦୋଷୀ ମଣୁ ଥିଲା। ଚୁପଚାପ ,ଅନେକ ଦ୍ଵିଧା ଓ ଆଶଙ୍କା ନେଇ ବସିରହି ଅପେକ୍ଷା କରିଥିଲା ଭାଇଙ୍କ କଥା ଶୁଣିବାକୁ।

        ଇତ୍ୟଵସର ରେ ଝିଅ ପାଣିଗିଲାସେ ଆଣି ଧରାଇ ଦେଇଥିଲା ତା'ମାମୁଁ ଙ୍କ ହାତରେ ଓ ପାଖରେ ବସିପଡିଥିଲା। ଏଥର ଭାଇ ,ପାଣି ଗିଲାସକ ହାତରେ ଧରି ଆରମ୍ଭ କରିଥିଲେ–ଆରେ, ସେ ମାଉଷୀ ଜଣକ କାଲି ଖବର ପଠାଇଛନ୍ତି,ସେ ଘର ଖଣ୍ଡିକ ତୁମକୁ ଭଡା ରେ ଦେବେ ବୋଲି , ତୁମର ପରା ସେ ଘରଟି ସମସ୍ତଙ୍କର ପସନ୍ଦ ହୋଇଥିଲା, କେବଳ ସଞ୍ଜୟ ଙ୍କ ର ଦେଖିବାର ବାକି ଅଛି। ତାଙ୍କୁ ଦେଖିଯିବାକୁ ସେ ମାଉଷୀ କହି ପଠେଇଛନ୍ତି। ଭାଇ ଙ୍କର ଏଇ କେଇପଦ ସତେ ଯେମିତି ଶ୍ରଦ୍ଧା ର ଆଶଙ୍କିତ ମନକୁ ଶାନ୍ତି ଦେଇ ଦେଇଥିଲା! ତା'ପାଟିରୁ ବାହାରି ଆସିଥିଲା–ସତରେ ଭାଇ? ଓକିଲ ଙ୍କୁ ପା ସେମାନେ ରଖନ୍ତିନି ବୋଲି ତୁମେ ଆଗରୁ କହୁଥିଲ ଯେ ତାଙ୍କ ପୁଅ ବୋହୂ ବି କ'ଣ ରାଜି ହୋଇଗଲେ? ତା'ଛଡା ,ସେ ମାଉଷୀ ଜଣକ ତ କିଛି ଆମକୁ କହିନଥିଲେ! ଏତେ ଗମ୍ଭୀର ଯେ ଆମକୁ କିଛି ବି ପଚାରିବାକୁ ଡର ଲାଗିଥିଲା ଭାଇ ଙ୍କ ମୁହଁ ରୁ ସାଙ୍ଗେ ସାଙ୍ଗେ ବାହାରି ଆସିଥିଲା–ଆରେ ହଁ,ଶୁଣୁ,ସେ ମାଉଷୀ ଜଣକ କୁଆଡେ ତୋର ଓ ଆମ ଏ ଗେହ୍ଲି ଦୁଇଜଣଙ୍କ ର ବ୍ୟବହାର ରେ ବହୁତ ପ୍ରଭାବିତ ହୋଇ ଯାଇଛନ୍ତି। ତମେମାନେ ତା'ଙ୍କୁ ପାଦ ଛୁଇଁ ଯୋଉ ପ୍ରଣାମ କରିଥିଲ,ସେଇଟା ତାଙ୍କ ମନ କୁ ଛୁଇଁ ଯାଇଥିଲା, ତା'ଛଡା ଗଣେଶ ଙ୍କ ମୂର୍ତ୍ତୀ କୁ ବଡ଼ ଶ୍ରଦ୍ଧା ସହକାରେ ଧରି ,ମୁଣ୍ଡିଆ ମାରିଲା ବେଳେ ଅନ୍ୟହାତ କୁ ବଢାଇଦେବା ଟା କୁଆଡେ ଏମିତି ସଂସ୍କାର ଯେ ,ତା ଙ୍କ ମନ କୁ ପୁରା ପାଇ ଯାଇଥିଲା। ସାମାନ୍ୟ ଅଟକି ଯାଇ କହିଲେ ଯେ ,ହେଲେ ,ଗୋଟାଏ ଅସୁବିଧା ଅଛି,ତାଙ୍କ ଏକମାତ୍ର ଝିଅ ଟି ଦୀପାବଳି ଦିନ ଚାଲି ଯାଇଥିବାରୁ ,ସେ ଘରେ କେବେହେଲେ ଦୀପାବଳି କରନ୍ତିନି କି ସେ ଭଡାଟିଆ ଙ୍କୁ ବି ଦୀପ ଟିଏ ଲଗେଇବା କୁ ଦିଅନ୍ତିନି ଏକଥା ମୁଁ ବାହାରୁ ଯାହା ଶୁଣିଲି। ସେଥିପାଇଁ ତତେ କହୁଛି,କ'ଣ ତମେ ମାନେ କହୁଛ? ଆଡ଼ଜଷ୍ଟ କେମିତି କରିବ ଭାବୁଛି ତୋ ଘରେ ତ ଆମ ପିଲାମାନେ ଏତେ ସୁନ୍ଦର ଘର ସଜା ଇକି ଦୀପାବଳି ପାଳନ୍ତି ନ ହେଲେ,ଘରଟି ଅନ୍ୟ ସବୁ ଦୃଷ୍ଟିରୁ ବହୁତ ଭଲ। ରେଣ୍ଟ ଟା ବି ଅନ୍ୟ ଘର ତୁଳନା ରେ ବହୁତ କମ ଅଛି!

         ଅନ୍ୟ କେହି କିଛି କହିବା ଆଗରୁ, ଝିଅ ହସି ହସି କହିପକାଇଲା-ତମେ ବ୍ୟସ୍ତ ହୁଅନା ମାମୁଁ,ଖାଲି ସେଠି ଥରେ ଆମେ ରହିଯାଉ,ସେ ଆଈ ଙ୍କୁ ପୁରା ଲାଇନ ରେ ନେଇ ଆସିବୁ। ତୁମ ସାହିର ସେଇ ଚାନ୍ଦି ବୁଢ଼ୀ ଆଈ ଙ୍କ ଘରେ କେହି କୁଆଡେ ରହିପାରନ୍ତି ନି ବୋଲି ଶୁଣୁଥିଲୁ ଆମେ ରହିବା ଆଗରୁ,ହେଲେ ଆମେ ସେଠି କେମିତି ପାଞ୍ଚବର୍ଷ ଖୁସି ଖୁସିରେ ରହିଥିଲୁ,ଆମେମାନେ ବଡ଼ ହୋଇଗଲାରୁ ,ବଡ ଘରଟିଏ ଦର କାର ହେଲା ବୋଲି ସିନା ଘର ବଦଳାଇଲୁ! ସିଏ ,ଏବେବି ବାଟରେ ଦେଖାହେଲେ ଆମକୁ କୁଣ୍ଢାଇ ପକାଉଛନ୍ତି! ଏକା ନିଶ୍ୱାସକରେ ଏତକ କହିଦେଇ ସଞ୍ଜୟ ଙ୍କ ଆଡକୁ ଅନାଇଦେଇଥିଲା,ଆଉ ସତେ ଯେମିତି ତାଙ୍କ ଆଖିରେ ଅନୁମୋଦନ ପାଇ ଯାଇଥିଲା! ତା' କଥାରେ ସମ୍ମତି ଜଣାଇ ସଞ୍ଜୟ କହିପକାଇଥିଲେ–ଶ୍ରଦ୍ଧା କୁ ତ ଜାଣନ୍ତି ଭାଇ,ସେଠିକି ଗଲେ ,ସେ ତା'ଶ୍ରଦ୍ଧା ରେ ହିଁ ବହୁତ କିଛି ବଦଳାଇ ଦେବ,ବୋଲି ମୁଁ ଭାବୁଛି! ମୋ ଭଳି ବାଘ ପ୍ରକୃତି ର ଲୋକଟାକୁ ଦେଖୁନାହାନ୍ତି କେମିତି ବିଲେଇ କରିଦେଲାଣି! ତା'ପରେ ପରେ ଘରଟି ସଞ୍ଜୟ ,ଝିଅ ଓ ଭାଇଙ୍କ ହସରେ କମ୍ପି ଉଠିଥିଲା।

       ବର୍ଷଟିଏ ପରେ ,ଦୀପାବଳି ର ସନ୍ଧ୍ୟାରେ ସେ ଘରଟିକୁ,ଆଲୋକ ମାଳା ରେ ସଜ୍ଜିତ ନୂଆ ବୋହୁଟିଏ ଭଳି ସଜ ହେବାର ଦେଖି ସେ ସାହିର ଲୋକେ ଯେତିକି ଆଶ୍ଚର୍ଯ୍ୟ ହେଉଥିଲେ,ସେତିକି ଖୁସି ହୋଇଯାଉଥିଲେ। ସବୁକିଛି ଯେମିତି ଖୁବ୍ ସହଜ ହୋଇଯାଇଥିଲା।


Rate this content
Log in

Similar oriya story from Abstract