STORYMIRROR

Er. Suchismita Satpathy

Abstract Tragedy Inspirational

4  

Er. Suchismita Satpathy

Abstract Tragedy Inspirational

ଭାଗ୍ୟର ବିଡମ୍ବନା-ଗର୍ବ

ଭାଗ୍ୟର ବିଡମ୍ବନା-ଗର୍ବ

5 mins
231


          

ସମାଜ, ଦେଖିବାକୁ ଗଲେ ଶବ୍ଦ ବହୁତ ଛୋଟ ମାତ୍ର ତାର ମର୍ମ ଓ ଗୁରୁତ୍ବ ବହୁତ ଗୁରୁ। ଏହି ସମାଜ ଚାହିଁଲେ ବ୍ୟକ୍ତି କୁ ବହୁ ଉର୍ଦ୍ଧକୁ ନେଇ ପାରେ ଏବଂ ଚାହିଁଲେ ତଳିତଳାନ୍ତ କରି ଦେଇପାରେ। 

ଅଜୟ ବାବୁ ଓ ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ଝିଅଙ୍କୁ ନେଇ ସହରରେ ଏକ ଛୋଟ ଘର ଭଡା ନେଇ ରହୁଥିଲେ। ଛୋଟିଆ ସରକାରୀ କର୍ମଚାରୀ କୁ ଛୋଟ ପରିବାର। ଆବଶ୍ୟକତା ସମ୍ପୂର୍ଣ୍ଣ ରୂପେ ମେଣ୍ଟାଇ ନ ପାରିଲେ ମଧ୍ୟ ଖୁସିରେ ବସବାସ କରୁଥିଲେ। ତାଙ୍କର ଏକ ମାତ୍ର ଝିଅ ନିତୀ।ଦଶମ ଶ୍ରେଣୀରେ ପାଠ ପଢେ।ବିଦ୍ୟାଳୟରେ ଭଲ ପାଠ ପଢେ ବୋଲି ଅଜୟ ବାବୁ ଓ ତାଙ୍କ ସ୍ତ୍ରୀ ବହୁତ ଗର୍ବ କରନ୍ତି। 


ଅଫିସରେ ମଧ୍ୟ ଅଜୟ ବାବୁ ସବୁବେଳେ ଗର୍ବର ସହ କୁହନ୍ତି ତାଙ୍କ ଝିଅ ବିଷୟରେ। ଆବଶ୍ୟକତା ଠାରୁ ଅଧିକ ଚର୍ଚ୍ଚା କରୁଥିବାରୁ ଅନ୍ୟ କର୍ମଚାରୀ ମାନେ ବିଶେଷ ଦୃଷ୍ଟି ଦିଅନ୍ତି ନାହିଁ। ମାତ୍ର ତାଙ୍କ କାର୍ଯ୍ୟ ଶୈଳୀ ପାଇଁ ସେ ସମସ୍ତଙ୍କ ପ୍ରିୟ। ଏପଟେ ଅଜୟ ବାବୁଙ୍କ ସ୍ତ୍ରୀ ଭାନୁମତୀ, ଝିଅର ପାଠପଢାକୁ ନେଇ ସର୍ବଦା ପଡୋଶୀ ମାନଙ୍କ ସହ ଆଲୋଚନା କରିବା ସହିତ ସମୟ ପଡିଲେ ଯୁକ୍ତି ଉପରକୁ ମଧ୍ୟ ଆସି ଯାଆନ୍ତି। 


ବିଦ୍ୟାଳୟ ରେ ଯେତେବେଳେ ଅଭିଭାବକ ମାନଙ୍କର ଏକତ୍ରୀକରଣ ହୁଏ ସେତେବେଳେ ଭାନୁମତୀ ଦେବୀଙ୍କ କଥା ଆଉ କହିଲେ ନସରେ। ସର୍ବଦା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଚର୍ଚ୍ଚା ର ମୂଳରେ ତାଙ୍କରି କଥା। ତେବେ ସେ ଯାହା ହେଉ, ସମୟ ଗଡି ଚାଲେ। ଶେଷରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା। ବହୁ ଜୋର ସୋରରେ ଲାଗି ପଡିଛନ୍ତି ବାପା ମାଆ ଉଭୟେ। ଦିନ ରାତି ସବୁ ସମାନ। ସବୁ ବନ୍ଧୁ ବାନ୍ଧବ ମାନଙ୍କୁ ମନା କରି ଥାନ୍ତି ତାଙ୍କ ଘରକୁ ଆସିବାକୁ ଏବଂ ନିଜେ ମଧ୍ୟ କୌଣସି ପର୍ବ ପର୍ବାଣୀ, ଭୋଜିଭାତରେ ସମସ୍ତଙ୍କ ଘରକୁ ଯିବା ବନ୍ଦ କରିଦେଇଥାନ୍ତି। ଯେତେ ନିମିତିଅ ଓ ଜାନିଜାତ ସବୁ ବନ୍ଦ। ଘରକୁ ବାହାର ସବୁଠି ସମସ୍ତେ ଠାହି ଟାପରା କରି କୁହନ୍ତି "ସତେ ଯେମିତି ଝିଅ ମାଲିକାଣୀ ହେବ"। ମାତ୍ର କାହାରି କଥାରେ ସେମାନଙ୍କର ଖାତିର ନଥାଏ। 


ପରୀକ୍ଷା ସମୟ ଆସିଲା, ସବୁ ଭଲରେ ଭଲରେ ସରିଲା। ଛୁଟି ସମୟରେ ଝିଅକୁ ଅନ୍ୟାନ୍ୟ ପାଠରେ ନିୟୋଜିତ କଲେ ଯେମିତି ଆଗକୁ କିଛି ଅସୁବିଧା ନହୁଏ।ନିତୀର ମଧ୍ୟ ପାଠରେ ବହୁତ ମନ। ସବୁବେଳେ ଧିର ଓ ଶାନ୍ତ। କିଛି ଦିନ ପରେ ପରୀକ୍ଷା ଫଳ ବାହାରିଲା। ଅଜୟ ବାବୁ ଅଣନିଶ୍ୱାସୀ ହୋଇ ଘରକୁ ଦୌଡି ଆସି ନିତୀକୁ କୁଣ୍ଢାଇ ପକାଇ କହିଲେ, ହଇଓ ଶୁଣୁଛ ଆମ ଝିଅ ବିଦ୍ୟାଳୟରେ ପ୍ରଥମ ହୋଇଛି। ବାପା ମାଆଙ୍କର ଖୁସିରେ ଆଉ ତୁଳନା ରହିଲା ନାହିଁ। ଦଶ ଟଙ୍କିଆ ମିଠା ଆଣି ସମସ୍ତଙ୍କ ଘରେ ବାଣ୍ଟିଲେ। ଅଜୟ ବାବୁ ନିଜ ଅଫିସରେ ମଧ୍ୟ ମିଠା ବାଣ୍ଟିଥିଲେ।


 ସେହିଦିନ ଠାରୁ ଉଭୟଙ୍କ ମନ ମଧ୍ୟରେ ଗର୍ବ ଓ ଅହଙ୍କାର ଏତେ ମାତ୍ରାରେ ବଢିଗଲା ଯେ, ସେମାନେ ଇନ୍ଦ୍ର ଚନ୍ଦ୍ର ମାନିଲେ ନାହିଁ। ଏମିତିକି ଝିଅର ବିଦ୍ୟାଳୟ ର ସହପାଠୀ ଓ ସହପାଠୀନି ବନ୍ଧୁ ମାନେ ଆସିଲେ ମଧ୍ୟ କଥା ହେବାପାଇଁ ମନେକରନ୍ତି ଭାନୁମତୀ ଦେବୀ। ସବୁଠାରୁ ଭଲ କଲେଜରେ ନିତୀ ର ନାମ ଲେଖାଇଲେ। ପାଠ ପଢା ଚାଲିଲା। ମାତ୍ର ସମାଜିକ ଜୀବନ ଜିଇଁବା ସେମାନେ ନିତୀକୁ ଶିଖେଇବାକୁ ଭୂଲିଗଲେ। 


ଭାନୁମତୀ ଦେବୀଙ୍କ ମୁହଁରେ ସର୍ବଦା ଗୋଟିଏ କଥା ମୋ ଝିଅ ଆଇଏଏସ୍ ହେବ। ତେଣୁ ତାର କିଛି ଶିଖିବାର ଆବଶ୍ୟକତା ନାହିଁ।ତା ଗୋଡତଳେ ତ ଚାକର ଚାକରାଣୀ ଖଟିବେ। କେତେ ଗାଡି ଘୋଡା ତା ଦୁଆରେ ଲାଗିବ। ଏମିତି ଅନେକ କଥା। ଆତ୍ମ ଗର୍ବ ଓ ଆତ୍ମ ବଡ଼ିମା ଏତେ ମାତ୍ରାରେ ବଢିଗଲା ଯେ ସାହି ପଡିଶା ଓ ସମାଜ ସହିତ ସମ୍ପର୍କ ମଧ୍ୟ ରଖୁନଥିଲେ।ଦିନ ପରେ ଦିନ ଗଡି ଚାଲିଲା। ସବୁ ଠିକ ଠାକ୍ ଚାଲିଥିଲା। 


ହଠାତ ଦିନେ ଅଜୟ ବାବୁ ଅଫିସରେ ବସିଛନ୍ତି ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ସମସ୍ତ କର୍ମଚାରୀ ବ୍ୟତିବ୍ୟସ୍ତ ହୋଇ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଇ ଭାନୁମତୀ ଦେବୀଙ୍କୁ ଖବର ପଠାଇଲେ। ଭାନୁମତୀ ଦେବୀ ଓ ତାଙ୍କ ଝିଅ ନିତୀ କିଛି ମୁହୂର୍ତ୍ତ ମଧ୍ୟରେ ଆସି ପହଞ୍ଚିଲେ। ଅଜୟ ବାବୁଙ୍କ ଏପରି ଅବସ୍ଥା ଦେଖି କାନ୍ଦି କାନ୍ଦି ବେହୋସ ପ୍ରାୟ ହୋଇଗଲେ। ସେଠାରେ ଥିବା ନର୍ସ ମାନେ ତାଙ୍କୁ ପାଣି ଓ ଔଷଧ ଦେଇ ପ୍ରକୃତିସ୍ଥ କରାଇଲେ। ଡାକ୍ତରମାନେ ସବୁ ପ୍ରକାରର ଚେଷ୍ଟା କଲେ ମାତ୍ର ଅଜୟ ବାବୁଙ୍କୁ ବଞ୍ଚାଇ ପାରିଲେ ନାହିଁ। ଦୁଃଖର ଯେମିତି ପାହାଡ ଛିଡି ପଡିଲା ସେମାନଙ୍କ ଉପରେ। 


ସାଇପଡିଶା,ବନ୍ଧୁ ବାନ୍ଧବ ଓ ସହକର୍ମୀ ମାନଙ୍କ ସହାୟତାରେ ଅଜୟ ବାବୁଙ୍କ ସବୁ କର୍ମ ଯଥାରିତୀ ସମ୍ପନ୍ନ ହେଲା। ବନ୍ଧୁ ବାନ୍ଧବ ତାପରେ ଦିନେ ଦୁଇ ଦିନ ରହି ଯେଝା ବାଟରେ ଯେଝା ଗଲେ।ଅଜୟ ବାବୁଙ୍କର ଯାହା ସରକାରୀ ପ୍ରାପ୍ୟ ଥିଲା ସେସବୁ ମିଳିଗଲା। ଯାହା ଅର୍ଥ ମିଳିଥିଲା ମାଆ ଝିଅ ଦୁହେଁ ସେଥିରେ ନିଜର ଭରଣ ପୋଷଣ କରୁଥିଲେ। ନିତୀର ପାଠ ପଢା ସରିଲା ମାତ୍ର କୌଣସି ଉଚ୍ଚ ପଦ ପାଇଁ ଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିଲା ନାହିଁ। ବହୁ ଚେଷ୍ଟା କରି କରି କିଛି ଲାଭ ହେଲା ନାହିଁ। ଭାନୁମତୀ ଦେବୀଙ୍କ ତୂଛ ବ୍ୟବହାର ପାଇଁ କୌଣସି ବନ୍ଧୁ ବାନ୍ଧବ ମଧ୍ୟ ସାହାଯ୍ୟର ହାତ ବଢାଇଲେ ନାହିଁ। 


ଗଚ୍ଛିତ ଥିବା ଧନ ଧିରେ ଧିରେ ସମାପ୍ତ ପ୍ରାୟ।ଅଭାବ ଓ ଅନାଟନ ଧିରେ ଧିରେ ବଢିବାକୁ ଲାଗିଲା। ଘର ଭଡା ଦେଇ ନ ପାରିବାରୁ ଘର ମାଲିକ ବାରମ୍ବାର ତାଗିଦ୍ କରିବାକୁ ଲାଗିଲା ।ଅନ୍ୟନ୍ୟୌପାୟ ହୋଇ ଏକ କ୍ଷୁଦ୍ର ଚାଳ ଘରକୁ ବାହାରିଆସିଲେ ମା ଝିଅ ଦୁହେଁ। ସେଠିବି ଅବସ୍ଥା କହିଲେ ନସରେ। ଅଧିକ ପାଠ ପଢିଥିବାରୁ ଅନ୍ୟ ଝିଅ ମାନେ ନିତୀ ସହ ମିଳାମିଶା କରିବାକୁ ପସନ୍ଦ କଲେ ନାହିଁ। ଦୁଇ ଜଣଙ୍କର ଏପରି ଦୂରାବସ୍ଥା ଦେଖି ଦେଖି ଭାନୁମତୀ ଦେବୀ ଶଯ୍ୟାଶାୟୀ ହେଲେ। 


ଆଖିରେ ଆଖିଏ ସ୍ୱପ୍ନ ଓ ଆକାଶରେ ଉଡିବାର ଆଶା ଦେଖୁଥିବା ଆଖି ଏବେ ଅଜସ୍ର ଅଶ୍ରୁ ରେ ପରିପୂର୍ଣ୍ଣ ହୋଇ ରହୁଥିଲା। ନିଜ ପ୍ରାଣ ଠାରୁ ଅଧିକ ଭଲ ପାଉଥିବା ଝିଅ ଶରୀରରେ ଛିଡି ଯାଇଥିବା ପୋଷାକ ଦେଖି ଶଯ୍ୟ କରିପାରୁନଥିଲେ ଭାନୁମତୀ ଦେବୀ। କେଉଁଠି ନା କେଉଁଠି ମନ ମଧ୍ୟରେ ପଶ୍ଚାତାପର ଅଗ୍ନି ରେ ସେ ଭସ୍ମୀଭୂତ ହେଉଥିଲେ। ଭାବୁଥିଲେ ନିଜେ କରିଥିବା କର୍ମର ଫଳ ଆଜି ତାଙ୍କ ଝିଅକୁ ଭୋଗିବାକୁ ପଡୁଛି। 


ନିତୀ କୁ ମଧ୍ୟ କିଛି ବୁଦ୍ଧିବାଟ ଦୃଶ୍ୟ ମାନ ହେଉ ନଥାଏ। କିଛି ଦିନ ଦେଖିଲା ସେ ରହୁଥିବା ଚାଳିର ଏକ ଘରୁ ଦୁଇ ଜଣ ଝିଅ ପ୍ରତ୍ୟେକ ଦିନ କେଉଁ ଆଡେ ବାହାରି ଯାଉଛନ୍ତି। ସାହାସ କରି ପଚାରିଲା, ତୁମେ ମାନେ କୁଆଡେ ଯାଉଛ? ଉତ୍ତର ଥିଲା ଆମେ ହେଲୁ ଦିନ ମଜୁରିଆ। ସକାଳେ ଖଟିଲେ ଯାଇ ସଂଜ କୁ ଖାଇବାକୁ ମିଳିବ ନଚେତ ଉପାସ ରହିବାକୁ ପଡିବ। ବୁଡି ଯାଉଥିବା ମଣିଷ କୁଟା ଖିଅକୁ ଭରଷା କଲା ପରି ନିତୀ ତାଙ୍କ ସହିତ ଚାଲିଲା ପାଉଁରୁଟି ଫ୍ୟାକ୍ଟ୍ରୀ ରେ କାମ କରିବାକୁ।


କିଛି ଦିନ ଧରି ସେଠାରେ କାମ କଲା। ଦି ପଇସା ମଧ୍ୟ ମିଳିଲା। ପାଠ ପଢିଥିବାରୁ ସେଠାକାର କିଛି ପିଲାଙ୍କୁ ପାଠ ମଧ୍ୟ ପଢାଇଲା। ଏମିତି ଭାବେ ସୁରୁଖୁରୁରେ ଜୀବନ ସମ୍ଭାଳିବାକୁ ଆସିବାକୁ ଥାଏ "ବୋଝ ଉପରେ ନଳିତାବିଡା" ପରି ମହାମାରୀ ସ୍ୱରୂପ ସମଗ୍ର ବିଶ୍ବରେ ବ୍ୟାପିଗଲା କରୋନା ଭାଇରସ। ସରକାର ଘୋଷଣା କଲେ ସବୁ ବନ୍ଦ। ଏମିତି ମନୁଷ୍ୟ ସହ ମନୁଷ୍ୟ କଥା ହେବା ମଧ୍ୟ ବନ୍ଦ। ଦୀର୍ଘ ତିନି ମାସ ଧରି ଘରୁ ବାହାରିବା ଏକ ପ୍ରକାର ନିଷେଧ ହୋଇଗଲା। ଖାଇବାକୁ ଭୁଜା ମୁଠେ ମଧ୍ୟ ମାଆ ଝିଅ ପାଇଲେ ନାହିଁ। ଦୁଇ ଓଳି ପଖାଳ ଓ ପାଣି ଖାଇ ରହିଲେ। ନିତୀ ଏ ଭିତରେ ନିଜକୁ ଭୂଲି ଯାଇଥିଲା। ସେହି ବସ୍ତିର ଝିଅ ମାନଙ୍କ ସହ ମିଶି ଓଳି ମୂଳରେ ବସି ଉକୁଣି ବାଛିବା କାମରେ ଲାଗିଯାଇଥିଲା। 


ହଠାତ ଦିନେ ଶୁଣିଲା ତାଙ୍କ ବସ୍ତିର ଜଣେ ବୃଦ୍ଧା ପାଖ ସାଇର ଏକ ସମ୍ଭ୍ରାନ୍ତ ଘରକୁ ପାଇଟି କରିବାକୁ ଯାଉଥିଲା ମାତ୍ର ତା ଭଉଣୀର ଅସୁସ୍ଥତା ଯୋଗୁଁ ସେ କାମ ଛାଡ଼ି ଦେଇଛି। ସେମାନେ ଏଣେ କାମବାଲୀ ଖୋଜୁଛନ୍ତି। ଏହା ଶୁଣି ନିତୀର ମନ କାହିଁକି ସେ ଆଡକୁ ଟାଣିଲା। କ୍ଷୁଧା ନିବାରଣ ନିମନ୍ତେ ସେ କାମବାଲୀର ସ୍ଥାନ ନେବାକୁ ବାହାରିପଡିଲା। ଶେଷରେ ସେଠାରେ ତାକୁ କାମ ମିଳିଗଲା। ଦିନକୁ ଦୁଇ ଥର ରୁଟି କରିବ ଓ ଝାଡୁ ପୋଛା କରିବ।  

ସେଦିନ ପ୍ରଥମ କରି ତାଙ୍କ ଘରକୁ କାମ କରି ଯାଇ ତାଙ୍କ ଝିଅକୁ ଦେଖି ନିତୀର ପିଲାଦିନର ସବୁକଥା ମନେ ପଡିଗଲା। ଆଖିରୁ ଅଶ୍ରୁର ଧାରା ଶ୍ରାବଣ ବହିବାରେ ଲାଗିଲା। 

କେଉଁଠି ମାଲିକାଣୀ ହେବାର ସ୍ୱପ୍ନ ସ୍ଥାନରେ ଆଜି ସେ ବସ୍ତିର କାମବାଲୀ ବାଇ ବନିଗଲା ।


Rate this content
Log in

Similar oriya story from Abstract