Soumya Shubhadarshinee

Abstract Others

3  

Soumya Shubhadarshinee

Abstract Others

ବେପାରୀ

ବେପାରୀ

5 mins
773


 


 ଜୀବନ ଜଞ୍ଜାଳର ଅସହାୟତା , ଅଭାବବୋଧ ଭିତରେ , କେବେ ଜୀଇଁ ବାକୁ ଆଉ କେବେ ମରିବାକୁ ବ୍ୟାପାର କରିବାକୁ ହୁଏ ।


★★★


 '' ପାନସରା କିଏଗୋ 

   କଞ୍ଚି କଣ୍ଢେଇ ନିଅ ଗୋ'' ......


-- '' ହେ ନାଇଁ ମଁ ସେଇଟା ନୁହେଁ ଆଜି କାଳିଆ ଭାଲୁ ଗପ କହିବା ।''


-- '' ନା' ତୁ ସେଇ ଗପ କହିବୁ ପୁଣି ଥରେ , ସେଇ 'ପାନସରା' ଗପ । "


-- " ଆରେ ତୁ କ'ଣ ଝୁଅ ପିଲା ସେଇ ଗପୁଟା ଶୁଣୁଥିବୁ ନିଇତି ।''


--'' ହଁ ମୁଁ ଝୁଅ ତୋ ନାତୁଣୀ ।''


 ମା' ହାତ ଉଠେଇ ଗୋଡେଇଲା ମୋତେ ଆମ ବିରାଟ ଆମ୍ବ ତୋଟା ଭିତରେ । ମୁଁ ଧାଇଁଲି । 


 ମଡମଡ ହେଇ ମକଚି ହେଇଗଲା ଶୁଖିଲା ଆମ୍ବପତ୍ର । ଗୋଟେ ଖସଖସ ଶବ୍ଦ ହେଲା । ମୋ ତନ୍ଦ୍ରା ଭାଙ୍ଗିଗଲା । ନଜର ଚାଲିଗଲା ସେଇ ଶବ୍ଦ ଆଡେ । ବଡ଼ ସାପ ଗୋଟେ ପତ୍ର ଉପରେ ଦୃତ ଗତିରେ ଦଉଡି ଯାଉଥିଲା । 


 ମା' ହଜିଗଲା ସେଇ ଅତୀତର ଜୀର୍ଣ୍ଣ ପୃଷ୍ଠା ଭିତରେ । ହଜିଗଲା ମୋ ଗପ , ଗୁଗୁପାଞ୍ଚି , ରୁମାଲ ଚୋରୀ , ମା' ର ଚେନାଚୁର , ଘୋଳଦହି । ଏକଦମ ଲିଭିଗଲା ସବୁ ସ୍ମୃତି । 


 ମୁଁ ଜୋରରେ ଡାକିଲି ଚାନ୍ଦ............ ଆ' ଆ' । ପବନରେ ମିଳେଇ ଗଲା ମୋ ଡାକ ।

ନଥିଲା ଚାନ୍ଦ କେଉଁଠି , ମୁଁ କିନ୍ତୁ ଖୁବ୍ ସ୍ପଷ୍ଟ ଦେଖୁଥିଲି ଚାନ୍ଦ ଆଉ ତା' ମା' ନେତକୁ । କାନରେ ଶୁଭିଲା ବୋଉର କଥା , '' ନେତଟା ମୋର କାଳୀ ଗାଈ ,ତା' କ୍ଷୀର କେଡେ ମିଠା ଆଃ ! '' 


ଚାନ୍ଦ ସହ ମୁଁ ଖେଳିଲି ବହୁତ । ସେମିତି ଶୁଭୁଥିଲା , ଚାନ୍ଦ..... ଆ ଆ ପବନରେ । 


 ଝୁପ୍ କି ପଡିଲା କିଛି , ଓଃ ! ପାଚିଲା ଆମ୍ବ , ହଳଦୀ ଗୁରୁଗୁରୁ । ମିଠା ବହୁତ ମିଠା ଏକଦମ ଚିନି । ଆମ୍ବର ନାଁ 

'ଆମ୍ର ସୁନ୍ଦରୀ' ଜେଜେ ଆଣିଥିଲେ ବଡ଼ବଜାରରୁ , ମୁଁ ନିଜେ ଯାଇଥିଲି କାନ୍ଧରେ ବସି । 


'' ଗୋଟେ ଆମ୍ବ ଗଛ ନେବି ମୁଁ ।''


--'' କିରେ ଅଛି ପା ଏତେ ଗୁରା ।''


-- '' ନାଇଁ ମିଠା ଆମ୍ବ ଗଛ ନେବି ଆଜି ଏଇ ତୋଟାରୁ ।''


 ମୁଁ ଜିଦ କଲି । ଆଉ ଜେଜେ ଏଇ 'ଆମ୍ର ସୁନ୍ଦରୀ ' କୁ ଆଣିଥିଲେ । ମୋରି ହାତରେ ଲଗେଇଥିଲେ ଗଛ । ବହୁତ ମିଠା ଆମ୍ବ ତକ ପାକୁଆ ପାଟିରେ ଖାଇଲା ବେଳେ ସବୁବେଳେ କହୁଥିଲେ , '' ଏଇଟା ବୁଟୁ ଆମ୍ବ !'' ହସୁଥିଲେ ସଭିଏଁ ଆଉ କହୁଥିଲେ , '' ନା 'ବୁଟୁସୁନ୍ଦରୀ ' ଆମ୍ବ ।' ମୁଁ ଚିଡୁଥିଲି ଭାଇ ଆଉ ଦେଈ ଉପରେ । 

ଆମ୍ବଟାକୁ ଉଠେଇ ନେଇ ଚୁଷିବାକୁ ଲାଗିଲି ମୁଁ । ଭୁଲିଗଲି ମୋ ବଢ଼ନ୍ତା ସୁଗାର ଲେଭଲ । ଭୁଲିଗଲି ମୋ ଡାଏଟ୍ ପ୍ଲାନ । ମିଠା ରସ ଭିତରେ ବେଜାଏ ମିଠା ସ୍ମୃତି ଭରିଗଲା ମୋ ଶୁନ୍ୟ ମନରେ ।

ଛୁଇଁ ଦେଲି ଗଛଟାକୁ ଯେମିତି ସେଇଟି ମୋ ନିଜ ଲୋକ ଭାରି ନିଜର ଏକଦମ ପାଖ ଲୋକ । ଗଛ ଦେହରୁ ଜେଜେଙ୍କ ସୋରିଷ ତେଲ ମଖା ଦେହର ବାସ୍ନା ଆସିଲା । ମୁଁ ଆହୁରି ଜୋରରେ ଜାବୁଡ଼ି ଧରିଲି । ଘଡ଼ିଏ କାଳ : ନିସ୍ତୁପ ହେଇ , ନୀରବ ହେଇ , ନିର୍ଜୀବ ହେଇ । 


ସାନ କକାଙ୍କ ବାହାଘର ବେଳେ ଆମ୍ବ ପରା ହେଉଥିଲା ବିରାଟ ଆମ୍ବ ବଗିଚାରୁ । ପୁଳାଏ ଆମ୍ବ ଗଦା ହେଉଥାଏ । ଭୋଜିରେ ଆମ୍ବ ଖଟା ହବ । ମୋତେ ଭାରି ସୁଆଦ ଲାଗେ । ନହନହକା ଖାଲି ଦେହରେ ଆମ୍ବ ଗୁଡା ଗୋଟେଇ ନେଉଥାଏ ମୁଁ । ଆମ୍ବ ନସି ଲାଗି ମୋ ସାରା ଦେହରେ ଘା ' ଫୋଟକା । ମୁଁ ଜମାରୁ ପାଞ୍ଚ ବରଷର ପିଲାଲୋକ । ମୁଁ କି ଜାଣେ ଆମ୍ବ ନସି ଏମିତି । 


 ବୋଉ ସକେଇ ସକେଇ ବାପାଙ୍କୁ କହୁଥିଲା , '' ଛୁଆଟା ସିନା ଜାଣିନି , ତମେ ଟିକେ ଦେଖିନଥାନ୍ତ ?''

 ବାପାଙ୍କ ପାଟି ଶୁଭୁଥାଏ , '' ଓଃ ! ମଲମ ଟିକେ ଲଗେଇଦେ କାଲିକି ଠିକ ହେଇଯିବ ।''

 ମୋର କାନ୍ଦ ରାହା ଧରି , '' ଆମ୍ର ସୁନ୍ଦରୀ ତୁ ଏମିତି କଲୁ କିଆଁ । ତୁ ପା' ମୋ ଗଛ , ବୁଟୁ ଗଛ ।''

ଆମ୍ବ ଖାଉ ଖାଉ କେତେବେଳେ କାନ୍ଦିପକେଇଲିଣି ମୁଁ ଜାଣିନି । ରୁମାଲ କାଢି ଲୁହ ପୋଛିଲି । ମୁଁ କି ଆଉ ପାଞ୍ଚ ବର୍ଷର ବୁଟୁ କାନ୍ଦିବି ରାହା ଧରି । 


 ଖରା ଛୁଟି ହେଲେ ମା' ପାଖରେ ଆମର ଅଳିଅର୍ଦଳୀ , ହସଖୁସି , ଖେଳକୁଦ । ସଭିଏଁ ଠୁଳ ଗାଁରେ । ସେଇଠି ରଜ ଆଉ କୁଆଁର ପୁନେଇ । ବାଡ଼ି ଖେଳ , ଡାଳ ମାଙ୍କୁଡ଼ି , ଖୋ ଖୋ । ନଈ ପଠାରେ କୁକୁଡ଼ା ଭୋଜି । 


 କୁଆଁର ପୁନେଇ ସଞ୍ଜରେ ପୁଚି ଖେଳ ଆଉ ଆମ ଚଉଁରା ମୂଳେ । ଆଉ ସେଇଠି ସୁଗନ୍ଧରାଜ ଫୁଲ ପାଇଁ ନିଶିର ଅଳି ,


-- '' ବୁଟୁ ଦେ ଗୋଟେ ଫୁଲ ଆଜି ପାଇଁ । ମୁଁ ଚୂଳରେ ନଗେଇବି । ବାସିବି ବଢିଆ । ତୋତେ ଭଲ ଲାଗିବନି ମୁଁ ବାସିଲେ ।''


-- '' ଜମା ନୁହେଁ , ମା' ମନା କରିଛି । ଫୁଲ ଖାଲି ମଦନ ମୋହନ ନାଇବେ , ତୁ ମାଙ୍କିଡି ନୁହେଁ ।''


--'' ଦେ, ଜମାରୁ ଗୋଟାଏ !''


 ଆଜିବି ଅଛି ଗଛଟା , ବାସ୍ନା ମିଳୁଛି ପବନରେ । ମୁଁ ଗଛରୁ ଫୁଲଟେ ତୋଳି ବଢ଼େଇଲି ନିଶିପଦ୍ମାକୁ ଶୁନ୍ୟରେ। 

ଲାଗିଲା ଯେମିତି ସେ ମନେ ମନେ ଆଜିବି ଝୁରୁଛି ସେଇ ବାସ୍ନାକୁ । ନା' ମୁଁ ଝୁରୁଛି ନିଶି ପଦ୍ମାକୁ ଆଜିଯାଏଁ । ଭେଟିନି ତା'ର ସେଇ ମିଠା ପଣକୁ ଜୀବନରେ ଆଉ କେଉଁଠି !


 ସନ୍ଧ୍ୟାର ଉପକ୍ରମ ସହ ଶୁଭିଲା ଘଣ୍ଟ ଘଣ୍ଟା ଶବ୍ଦ । ମଦନ ମୋହନ ମନ୍ଦିର , ହଁ ଆଜିବି ସେମିତି ସତେଜ , ସଜଳ । 


  ମଦନ ମୋହନ ମନ୍ଦିରରେ ଜନ୍ମାଷ୍ଟମୀ ବେଳକୁ ବଡ ଆୟୋଜନ। ଦଶ ଖଣ୍ଡ ଗାଁ ଲୋକକଙ୍କ ମେଳ । ଘଣ୍ଟ , ଖୋଳ , ତାଳ ,  ମୃଦଙ୍ଗ ମାଡ଼ରେ ସଂକୀର୍ତ୍ତନ । ସାରା ରାତି ଉଜାଗର ରହି କୃଷ୍ଣ ଜନ୍ମର ପ୍ରତୀକ୍ଷା । ନିଶି କରୁଥିଲା କେବଳ ସେଇ ଗୋଟିଏ ଓଷା । ତାରି ଦେଖାଦେଖି ମୁଁ ବି କରୁଥିଲି ଓଷା ।


ହେଲେ ସତରେ ମନ ମୋର ଥିଲା ସେଇ ଭୋଜିଠି ଯେଉଁଠି ହେଉଥିଲା,ଘି' ଅନ୍ନ ସହ ଆଳୁ , କଖାରୁ , ଟବକା ଘାଣ୍ଟ , ପାଏସ ଆଉ ରସଗୋଲା ।


  ଭୋକ ଲାଗିଲା ମୋତେ , ବହୁତ ଜୋରରେ । ମୁଁ ଖୋଜୁଥିଲି ବୋଧେ ସେଇ ଦିବ୍ୟ ଭୋଜନର ବାସ୍ନା । ଆଉ କେବେ କେଉଁଠି ସେଇ ବାସ୍ନା ମିଳିନି ସତରେ ।


  ଫୋନ୍ ରିଙ୍ଗ ହେଲା ମୋର ଆଉ ହଜିଗଲା ଘି ଅନ୍ନର ବାସ୍ନା । ସେପଟେ ଥିଲା ଶ୍ରେୟା : ମୋ ବର୍ତ୍ତମାନ ।


--'' ହେ , କଉଠି ଅଛ ଯେ ?'' 


--'' ଗାଁରେ , ଆଉ କଉଠି ?''


--" ଆଉ ଡିଲ୍ କଥା କ'ଣ ହେଲା ? "


--'' ଆସିନାହାଁନ୍ତି ସେମାନେ , ମୁଁ ୱେଟ୍ କରୁଛି । ଜଣେଇବି ତୁମକୁ ଜଲ୍ଦି ।''


     ବାଇପାସ୍ ରୋଡ଼ ତିଆରି ହେଲା ପରେ ଗାଁର ପରିତ୍ୟକ୍ତ ଜମି ଏବେ ଅମୂଲ ମୂଲ । ଆକାଶ ଛୁଆଁ ପ୍ରାଇସ୍ ଦେଇ ସେଇଟିକୁ କିଣିବାକୁ ଗୋଟେ ବିଲଡର୍ ପାର୍ଟିର ଅଫର୍ । ଭାଇ ଆଉ ଦେଈ ଉଭୟ ରାଜି । ଦାୟିତ୍ୱ ମୋତେ ଦେଇଛନ୍ତି ଡିଲ୍ ଫାଇନାଲ୍ କରିବାକୁ । ସେଇଥିଲାଗି ପୂରା ବାର ବର୍ଷ ପାରେ ମୋ ପାଦ ଗାଁ ମାଟିରେ ।


 ଲାଗିଲା ଜେଜେ ଠିଆ ହେଇଛନ୍ତି ଦୁଆର ମୁହଁରେ । ସେମିତି ଧୋବ ଫର ଫର ପାକଲା କେଶ ତାଙ୍କର ଉଡୁଛି । ଆଉ ତାଙ୍କ କଡ଼ରେ ମା' ସେଇ ନାଲି ପାଢି ଵାଲା ସମ୍ବଲପୁରୀ ଶାଢ଼ୀ ପିନ୍ଧି ହସୁଛି ମୋତେ ଅନେଇ । କହୁଛି , '' ଆ ବୁଟୁ , ମୋ ଧନ , ନେତର ମିଠା କ୍ଷୀର ପିଇବୁ । ଚାନ୍ଦ ସହ ଖେଳିବୁ । ରାତିରେ ଗପ ଶୁଣିବୁ ।''


ଜେଜେ କିନ୍ତୁ କହୁଛନ୍ତି , '' ସେ କ'ଣ ଆଉ ଆମ ବୁଟୁ ହେଇକି ଅଛି । ବେପାରୀ ହେଇଗଲାଣି ପା' ଏଇନେ ।"


ମୁଁ ଗାଡି ଷ୍ଟାର୍ଟ କରି ବାହାରି ଆସିଲି । ଅଧିକ ସମୟ ରହିହେଲାନି ଆଉ । ଧର୍ଯ୍ୟ ନଥିଲା , ସାହସ ନଥିଲା ! .


 ଫୋନ୍ କଲି ସେ ବିଲଡରକୁ ,  


'' ସରି ଦାସ ବାବୁ ଏବେ ଜମି ବିକିବାର ନାହିଁ ଆମର । ''


 ଫେରନ୍ତା ରାସ୍ତାରେ କିନ୍ତୁ କାହିଁକି କେଜାଣି ଭାରି ଖୁସି ଲାଗୁଥିଲା । ବଡ଼ ହାଲୁକା ହେଇଯାଇଥିଲା ଦେହ , ମନ ଆଉ ଆତ୍ମା । 


   


Rate this content
Log in

Similar oriya story from Abstract