ବଡ଼ମା'
ବଡ଼ମା'
ବଡ଼ମା'
ପୁଅକୁ ବ୍ରତ କରିବି, ଆଉ ମାତ୍ର ବାରଦିନ ରହିଲା। ଟିପାଖାତାରେ ସମସ୍ତଙ୍କ ନାଁ ଲେଖି ଜଣ ଜଣକି ଫୋନକରି ନିମନ୍ତ୍ରଣ କରିଛି।
ବଡ଼ ମା' ଙ୍କ ନାଁ ଲିଷ୍ଟରେ ନଥିଲେ ବି ମୋ ଅନ୍ତରରେ ସର୍ବ ପ୍ରଥମେ। ବାଡ଼ି ପଛପଟ ଆମ୍ବଗଛ ଆରପଟକୁ ତାଙ୍କବସା। ସେ ଗଛ ନୁହେଁ, ଏକ ମୁକ ସାକ୍ଷୀ। ସେମାନେ ବ୍ରାହ୍ମଣ ନୁହେଁ, ଜାଣିନି ଜାତି ପାତି। ବହୁବର୍ଷ ପୂର୍ବେ ଆମ ପରିବାର ସହ ତାଙ୍କ ପରିବାରର ଅନ୍ତରଙ୍ଗ ସମ୍ପର୍କ ଥିଲା। ଦୁନିଆର ନଜର ଲାଗିଗଲା ବୋଧେ। ଦୁର୍ଗଭଳି ବଳିଷ୍ଠ ଚଟ୍ଟାଣ ଭୁଷୁଡ଼ି ପଡିବାକୁ ରାତିକର ପ୍ରଳୟଙ୍କାରୀ ଝଡ଼ଟିଏ ମାତ୍ର ଦରକାର। ବାସ।
ତା ପରେ ନା କଥା ନା ବାର୍ତ୍ତା । ଆମ ଦୁଇ ଘର ନିସ୍ତବ୍ଧତା ଦେଖି ଆମ୍ବଗଛ ଉପରେ ବସିଥିବା କାଉ କୋଇଲିବି ମୁହଁ ଝଳାଇ ମୌନ ହୋଇଯାଇଥାନ୍ତି। ହାତ ପା'ନ୍ତା ଆକାଶରେ ଅଙ୍କାବଙ୍କା ରେଖା କାଟି ଦିଗହରା ହୋଇପଡିଛି କୁନି ଘରଚଟିଆ... ମା' ବିନା ବସାଖୋଜି ପାଉନି ଯେମିତି।
ମନେ ପଡିଲା ସ୍ୱସ୍ତିକର ଜନ୍ମ ପୂର୍ଵର କିଛି ଘଟଣା। ସମୟ ପୂର୍ଵରୁ ଜନ୍ମ ।
ଶ୍ୱଶୁରଙ୍କ ଅସୁସ୍ଥତାକୁ ନେଇ ଘରଲୋକେ କେହିବି ସେ ସମୟରେ ପାଖରେ ନଥିଲେ। ବଡ଼ମା' ହାତ ଧରି ମୋତେ ତାଙ୍କ କାନ୍ଧରେ ସାହାରା ଦେଇ ଡାକ୍ତରଖାନା ସମୟରେ ନେଇ ନଥିଲେ କଣଯେ ହୋଇଥାନ୍ତା? ମା' ଟିଏ ଝିଅକୁ ମା'ର ସଂଜ୍ଞାସହ ପରିଚୟ କରାଏ। ଜୀବନର ନନ୍ଦିଘୋଷ ଭିଡିନେବା ପାଇଁ ଅଲକ୍ଷରେ ଯେଉଁ ହାତ ଦୁଇଟି ବଢ଼ିଆସେ ସେ ହାତ ଛାଡି ପାଦେ ଆଗେଇବା ଦୁର୍ବିସହ।
ସ୍ୱସ୍ତିକ ପଛରୁ କୁଣ୍ଢାଇ ପଚାରିଲା, ବୋଉ, ବଡ଼ମା' ଙ୍କୁ ଭୋଜିରେ ଡ଼ାକିବୁନି?
ବର୍ତମାନ ବଡ଼ମା' ଆମ ଜୀବନର ଏକ ଦୁଃଖଦ ଅଧ୍ୟାୟ। ତାକୁ ବନ୍ଦ ରଖିଲେ ଦୁଇ ପରିବାରର ମଙ୍ଗଳ କାଳେ।ଏସବୁ ଛନ୍ଦ ବୁଝିବା ମୋ ପାଇଁ କାଠିକାର ପାଠ। ତାକୁ ବୁଝାଇବି କେମିତି? ମୋତେ ସୀମା ଉଲଂଘନ ନ କରିବାକୁ ସେତେବେଳେ ଶାଶୁଙ୍କ ଚେତାବନୀ ମୁଁ ଭୁଲିନି। ଏବେ ଶାଶୁ ଆଉ ଜଗତରେ ନାହାନ୍ତି। ତାଙ୍କୁ ଦେଇଥିବା ପ୍ରତିଶୃତି ରଖିବାକୁ ହେବ। ମନକୁ ନିୟନ୍ତ୍ରଣ କଲି। ହଠାତ କାର୍ଡ ଉପରେ ଦୁଇଟୋପା ଲୁହ। ମୋ ହୃଦୟ କଥା ବଡ଼ମା' ନଦେଖି ବି ଜାଣିପାରିଲେ ବୋଧେ।
ଆଶ୍ଚର୍ଯ୍ୟ...
ବାଡ଼ ଡେଇଁ ଚାଲି ଆସିଲେ। ତାଙ୍କ ଝୁଲାମୁଣି ଭିତରେ ଚାରୋଟି ପାଟ, ମଠା, ପାଞ୍ଚି, ଯୋଡ, ବ୍ଲାଉଜ ପିସ, ସାର୍ଟ ପ୍ୟାଣ୍ଟ କପଡା, ଆସନ ଦେଖି ଆଖି ତରାଟି ଚାହିଁଲି। କହିଲେ,
-ମର୍ଯ୍ୟାଦା ବାବଦକୁ। ହାତରୁ ସୁନାମୁଦି କାଢି ମୋ ହାତରେ ରଖି କହିଲେ, ବ୍ରହ୍ମଚାରୀ ପାଇଁ ବ୍ରତଭିକ୍ଷା।
ଫେରିଲା ବେଳେ ପଣତରେ ଆଖି ପୋଛି କହୁଥିଲେ, ମୁଁ କଣ ବା ଦେଇ ପାରିବି? ତା'ଜେଜେମା ଥିଲେ କଣ ଏଇଆକୁ ଦେଇଥାନ୍ତା? ମୁଁ ତାଙ୍କ ଅତ୍ମୀୟତାର ବୋଝତଳେ ଚାପି ହୋଇ ରୁନ୍ଧି ହୋଇଯାଉଥିଲି। ମା ପିଲା ଭିତରେ ବାଡ଼, ସର୍ତ୍ତ, ମିଛ ଅହଂକାର ଏସବୁ ରହିଲା ପୁଣି କେଉଁଠି? ହେଜୁଥିଲି ବଡ଼ମା',ମା' ଠୁଁ ବି ବଡ଼। ମାତୃତ୍ତ୍ୱର ସୀମା ନିରୂପଣ କରିବାକୁ ମଣିଷ କେତେ ଲାଚାର ସତେ?
