STORYMIRROR

Sachidananda Kar

Classics

2  

Sachidananda Kar

Classics

ବାଟୋଇ

ବାଟୋଇ

2 mins
202

         ସବୁ ସମୟ ତା' ପାଇଁ ଏକାପରି ନୁହେଁ।


         ବାଟ ଚାଲିବା ତା'ର ଜୀବନ। ସେ ଜଣେ ବାଟୋଇ। ସବୁଦିନେ ରାତି ପାହିଲେ ତା'ର ଆରମ୍ଭ ହୁଏ ବାଟଚଲା।


         ସେ ଭୁଲି ସାରିଥାଏ କେଉଁଠି ତା'ର ଘର। କେଉଁଠି ତା'ର ଗାଆଁ, କ'ଣ ତା'ର ନାଆଁ - ଏକଥା ମଧ୍ୟ ଭୁଲି ସାରିଥାଏ ସେ।


         ଏଇ ବାଟେ ସିଏ ଆଗରୁ ଯାଇଛି କି ନାହିଁ, ଯଦି ଯାଇଛି କାହା ସହିତ ଯାଇଛି କିମ୍ବା ଏକାଏକା ଯାଇଛି - ଏକଥା କେବେ ମନେ ପକାଇ ପାରେନାହିଁ ସେ। ସେ ଚାଲିଥାଏ। କେବେ ସାଥି ଖୋଜେ ତ କେବେ ତାହା ଖୋଜେ ନାହିଁ।


         ସେ କେବେ ଚାଲି ଚାଲି ଯାଏ ତ କେବେ ସାଇକେଲରେ। କେବେ ବସ୍ ରେ ତ କେବେ ଟ୍ରେନ୍ ରେ ଯାଏ। କେବେ ପୁଣି ଜାହାଜରେ ବସି ଯାଏ ସେ।


         କେବେ କେବେ ସେ ସାଙ୍ଗରେ ବହୁତ କିଛି ଜିନିଷ ଧରିଥାଏ ତ କେବେ ଖାଲିଖାଲି। ମନ ହେଲେ କେବେ ରାସ୍ତା କଡରେ ବସିଯାଏ ଗଛ ଛାଇରେ। କେବେ ଷ୍ଟେସନରେ ତ କେବେ ଫୁଟପାଥ୍ ରେ ବସିପଡେ।। ବ୍ୟାଗ୍ ରୁ ବୋତଲ ବାହାର କରି ପାଣି ପିଏ। ଥକ୍କା ମେଣ୍ଟାଏ। କେତେ କଥା ଭାବେ। ପୁଣି ଚାଲେ।


         କେବେ ଯେ ସେ କୋଉଠି ଥାଏ, ତା'ର କିଛି ଠିକଣା ନ ଥାଏ। କେବେ ସେ ମାଆର ଉଷୁମ କୋଳରେ, କେବେ ସାଙ୍ଗ ମେଳରେ, କେବେ ଅଫିସରେ ତ କେବେ ମଶାଣିରେ ଥାଏ ସେ। ସତ - ସବୁ ଜାଗା ତାକୁ ଏକାପରି ଲାଗେ ନାହିଁ। ସବୁଠିକି ଯିବାକୁ ତା'ର ଆଗ୍ରହ ନ ଥାଏ। ହେଲେ କେମିତି କେଜାଣି ଗୋଟେ ମେସିନ୍ ପରି ହୋଇ ଯାଇଥାଏ ସେ। ଯିବା ପାଇଁ ନିଜକୁ ପ୍ରସ୍ତୁତ କରିନିଏ। ଆଗଭର ହୋଇ ଚାଲିଯାଏ।


         କେତେବେଳେ ତା' ମୁଣ୍ଡ ଉପରକୁ ଆସିଯାଏ ଖରା ତ କେତେବେଳେ ବର୍ଷା।ଶୀତ, କାକର,କୁହୁଡ଼ି ପୁଣି ଆସିଯାଏ ତା' ପାଇଁ କେବେ। କେବେ ଝୁଣ୍ଟିପଡେ ସେ। କେବେ ପୁଣି ତା' ପାଦରେ କଣ୍ଟା ଗଳିଯାଏ। ହେଲେ ସେସବୁକୁ ତା'ର ଖାତିର୍ ନ ଥାଏ। ଗହନ ବନ,ସାତ ସମୁଦ୍ର, ତେର ନଈ - ଚାଲି ଚାଲି ସବୁ ଟପିଯାଏ ସେ। ଖାଲଖମା,ପାହାଡ ପର୍ବତ -କିଛି ମାନେନି।


         ଯେଉଁଠି ଦିନ ସରେ ସେଇଠି ସରେ ତା'ର ଚାଲିବା। ଅନ୍ଧାର ତାକୁ ଆକ୍ତାମାକ୍ତା କରେ। ପାଦ ଆଗକୁ ପଡେ ନାହିଁ। ସେଇଠୁ ତା'ର ଆରମ୍ଭ ହୁଏ ସ୍ବପ୍ନିଳ ରାତି।


         ସେ ଶୋଇ ଶୋଇ ସ୍ବପ୍ନ ଦେଖେ। ସ୍ବପ୍ନରେ ତା'ର ଦିନଯାକର ଅନୁଭବ ଆସେ। ତାକୁ କିଛି ବୁଝିବାକୁ ପଡେ। କିଛି ବୁଝେଇବାକୁ ପଡେ। କେବେ ସାରାରାତି ଶୋଇ ଶୋଇ ସ୍ବପ୍ନ ଦେଖେ ତ କେବେ ଅଧରାତିରେ ନିଦ ଭାଙ୍ଗି ଉଠି ବସେ। ଆଉ ନିଦ ଆସେନା। ରାତି ପାହିଯିଏ।


         କେବେ କେବେ ବିରାମ ଇଚ୍ଛା କରେ ସେ। ହେଲେ କୁମ୍ଭାର ଘରର ବୋହୂ ପରି ବିଶ୍ରାମ ତା'ର କାହିଁ ଯେ ! - ଝାଟିକି ଯାଉ । ଝାଟିକି ନ ଗଲେ ମାଟିକି ଯାଉ। କେଉଁଠି ଆଜି ପୁଣି ଆଶ୍ରୟ ନେବ ତା'ର ଦେହ ! ତା' ମନ ଭିତରେ ଆରମ୍ଭ ହୋଇଯାଏ ତା'ର ବାଟଚଲା ଚିନ୍ତା।


         କିଛି କାମ କରିଯିବା ଭଲ। ଜୀବନଟା ଗୋଟେ କର୍ମଶାଳା। ନିଜ ନିଜ ଭାଗ୍ୟ ଗଢିବାକୁ ହୁଏ ଏଠି। - ଏମିତି ଭାବି ନିଜକୁ ସଜାଡେ ସେ। ପୁଣି ଆରମ୍ଭ ହୋଇଯାଏ ତା'ର ବାଟଚଲା।


         ବର୍ଷ, ମାସ, ଦିନ, ଦଣ୍ଡ - ସବୁକିଛି ବିତୁଥାଏ ତା' ଜୀବନରେ। ଦିନ, ରାତି ଦେଖୁଥାଏ ସେ। ନିଜର ଜୀବନକୁ ନିଜେ ସବୁବେଳେ ପରଖୁଥାଏ। ନିଜକୁ ଜଣେ ବାଟୋଇ ଭାବୁଥାଏ।


         ହେଲେ ଦିନେ ଏମିତି ଗୋଟିଏ ସମୟ ଆସେ ତା' ଜୀବନରେ, ନା ତା'ର ପାଦ ଆଗକୁ ପଡେ, ନା ତା'ର ରାତି ପାହେ। ଆଖି ଖୋଲି ଦେଖିବା ଶକ୍ତି ହରାଇ ବସିଥାଏ ସେ। ତା' ପାଇଁ ସବୁଠି ଥାଏ କେବଳ ଅନ୍ଧାର ଆଉ ଅନ୍ଧାର।


         ସବୁ ସମୟ ଏକାପରି କ'ଣ     ଜଣେ ବାଟୋଇ ପାଇଁ


Rate this content
Log in

Similar oriya story from Classics