ବାସି ପଖାଳ
ବାସି ପଖାଳ
ସୌମିତ୍ରି ଦେବୀ ସମ୍ପୂର୍ଣ୍ଣ ଏକା ହେଇ ଯାଇ ଅଛନ୍ତି ସୂରୋଜ ବାବୁଙ୍କ ଦେହାନ୍ତ ପରେ । ଅମାପ ସମ୍ପତ୍ତିର ଅଧିକାରିଣୀ ସେ କିନ୍ତୁ ସବୁ କିଛି ଅସାର , ସୁହାଗ୍ ସିନ୍ଦୂର ବିନା । ସନ୍ଧ୍ୟା ହେଲେ ସ୍ଵାମୀଙ୍କ କଥା ବହୁତ ମନେ ପଡୁଛି । ତାଙ୍କର ସ୍ୱପ୍ନ ବାସ୍ତବରେ ପରିଣତ କରିବା ପାଇଁ ସୌମିତ୍ରି ଦେବୀ ପ୍ରାଣ ପଣେ ଚେଷ୍ଠା କରୁଛନ୍ତି । କିନ୍ତୁ ସେ ରୋହନ ପାଇଁ ବ୍ୟତିବ୍ୟସ୍ତ ହୋଇ ପଡନ୍ତି । ବଢିଲା ପୁଅ , ପାଠ ସାଠ ପଢ଼ି ସାରିବା ପରେ ଏମିତି ଘରେ ବସି ହୁଣ୍ଡି ସଫା କରୁଛି । ଘର କେମିତି ଚାଲିବ ସେ ପ୍ରତି ତାର ଧ୍ୟାନ ନାହିଁ । ବିଧବା ସ୍ତ୍ରୀ ସୌମିତ୍ରି ଦେବୀ କିପରି ଘର ଚଳାଇବେ ଏହା ଏକ ସମସ୍ୟା ହେଇଯାଇଛି ।
ସକାଳ ହେଲା , ରୋହନ ସବୁ ବର୍ଷ ପରି ଏବର୍ଷ ମଧ୍ୟ ଗୁରୁ ବନ୍ଦନା ପାଇଁ ମଆ ସୌମିତ୍ରି ଦେବୀଙ୍କୁ ପାଖରେ ବସାଇ ଗ୍ରୁରୁ ମନ୍ତ୍ର ପଢୁଛି । ଏବର୍ଷ କିନ୍ତୁ ଚୌକିରେ ବସିଛନ୍ତି କେବଳ ସୌମିତ୍ରି ଦେବୀ । ପାଖରେ ନାହାନ୍ତି ରୋହନ ର ପିତlଶ୍ରୀ ତଥା ସୌମିତ୍ରି ଦେବୀଙ୍କ ସ୍ଵାମୀ ସୂରୋଜ୍ ବାବୁ । ମନ୍ତ୍ର ପାଠ କରି ରୋହନ ପୁଷ୍ପାଞ୍ଜଳୀ ପ୍ରଦାନ କରୁଛି
ଅଖଣ୍ଡମଣ୍ଡଲାକାରଂ ଵ୍ୟାପ୍ତଂ ୟେନ ଚରାଚରମ୍
ତତ୍ପଦଂ ଦର୍ଶିତଂ ୟେନ ତସ୍ମୈ ଶ୍ରୀଗୁରଵେ ନମଃ
ଅଜ୍ଞାନତିମିରାନ୍ଧସ୍ୟ ଜ୍ଞାନାଞ୍ଜନଶଲାକୟା
ଚକ୍ଷୁରୁନ୍ମୀଲିତଂ ୟେନ ତସ୍ମୈ ଶ୍ରୀଗୁରଵେ ନମଃ
ଗୁରୁର୍ବ୍ରହ୍ମା ଗୁରୁର୍ଵିଷ୍ଣୁଃ ଗୁରୁର୍ଦେଵୋ ମହେଶ୍ଵରଃ
ଗୁରୁରେଵ ପରଂ ବ୍ରହ୍ମ ତସ୍ମୈ ଶ୍ରୀଗୁରଵେ ନମଃ ।
ପ୍ରଣାମ କରିଛି ପୂଜ୍ୟାସ୍ପଦ ମାଆ ସୌମିତ୍ରି ଦେବୀଙ୍କୁ । ମାଆ ଆଶୀର୍ବାଦ କରିବା ପରେ ରୋହନ କୁ କହିଲେ ବାବୁରେ ତୁ ଏଇଠି ବସେ ମୁଁ ତୋ ପାଇଁ ଖାଇବାକୁ ଆଣୁଛି । ରୋହନ । କିଛି ସମୟ ପରେ ମାଆ ସୌମିତ୍ରି ଦେବୀ ଖାଦ୍ୟ ପରୋଷି କହିଲେ ଏଇ ନେ , " ବାସି ପଖାଳ" ଖାଇ ଦିଏ । ଏକଥା ଶୁଣି ରୋହନ ହତବାକ୍ୟ ହେଇ ଗଲା । କଣ କହିବ ଆଉ କଣ ନକହିବ ତାକୁ ବୁଦ୍ଧି ଦିଶିଲା ନାହିଁ । ପୁଣି ପଛରେ ଭାବିଲା , ହଅ ମାଆ କହୁଛି , " କହୁଥାଉ । ମୁଁ ତାର ଗୋଟିଏ ବୋଲି ପୁଅ , ଗେହ୍ଲାରେ କହୁଛି ।
ସୁରୋଜ ବାବୁଙ୍କ ଦେହାନ୍ତ ପରେ , ସୌମିତ୍ରି ଦେବୀ " ସବୁଦିନ ଏମିତି କହି ଖାଦ୍ୟ ପରଷି ଦିଅନ୍ତି । କିନ୍ତୁ ଏଇ ଅବୋଧ ବାଳକ ରୋହନ ମାଆଙ୍କ ଇଙ୍ଗିତ ବୁଝି ପାରେ ନାହିଁ । କାରଣ ସବୁଦିନ ସେ ସଜ୍ ଗରମ ଭାତ ସହିତ ନାନାଦି ବ୍ୟଞ୍ଜନ ଖାଉଛି । ମିଛରେ ମାଆ ଏମିତି କହିଛନ୍ତି ଭାବି ସେ ଖାଇ , ପିଇ ଉଠି ପଳେଇଯାଏ । କଥାରେ ଅଛି " ବସି ଖାଇଲେ ନଈ ବାଲି ସରେ " ଏକଥା କେବେ ବୁଝିବ ସେ ମୁର୍ଖ ଅଜ୍ଞାନ ଅବସ୍ଥାରେ ଥିବା ପାଠୁଆ ପୁଅ ରୋହନ ।
ଦିନେ ଏକାକୀ ରୋହନ ବସିଛି ଏକ ନିରୋଳା ସ୍ଥାନରେ । ଗ୍ରାମର ଜଣେ ବୟସ୍କ ବ୍ୟକ୍ତି ପଚାରିଲେ ଆରେ ବାପା ରୋହନ , ଆଜି କଣ "ଏମିତି ଏକୁଟିଆ ବସିଛୁ ଯେ ? " କଣ ହେଇଛି ବୟସ ତାର ଗଧ ପଚିଶ । ସେ ମୁଣ୍ଡରେ ବୁଦ୍ଧି ଆସିବ କୁଆଡୁ । ବୟସ୍କ ବ୍ୟକ୍ତି ଜଣଙ୍କ କହିଲେ ବୁଝିଲୁ ବାପା , ତୋ ବୟସ ଗଧ ପଚିଶ ଅର୍ଥ , ପଚିଶ ରୁ ତିରିଶ ବର୍ଷ ବୟସରେ କିଛି ବୁଦ୍ଧି ଦିଶିବ ନାହିଁ ଖାଲି ଗଧ ଭଳି ଖଟିବ ଆଉ ଖାଇବ କିନ୍ତୁ ତୁ ଖଟି ଖାଇବା ଦେଖିନି ମୁଁ ।
କିଛି ମାସ ବିତିଗଲା ପରେ ,ବୟସ୍କ ବ୍ୟକ୍ତି ଜଣଙ୍କ ସୌମିତ୍ରି ଦେବୀଙ୍କ ଘରକୁ ଆସି କହିଲେ । ଆଚ୍ଛା ମା ଏଇ ରୋହାନ କୁ ବିବାହ କରେଇ ଦିଅ । ସେ ଆପେ ଠିକ୍ ହେଇଯିବ । ଯୁହାଲି ପଡିଲେ କେତେ ଗଧ ଠିକ୍ ବାଟକୁ ଆସିଛନ୍ତି ଆଉ ଏଇ ଗୋଟେ କି ଗଧ । ସବୁ କିଛି ଶୁଣିବା ପରେ ସୌମିତ୍ରି ଦେବୀ କହିଲେ ତା ବାପା ମରିଲା ପରଠାରୁ ସେ ବସି ଖାଉଛି ଆଉ ବିବାହ କରିଲେ ଦୁହିଁଙ୍କୁ ପୋଷିବାକୁ ପଡ଼ିବ ମୋତେ । ତଥାପି ବୟସ ହେଲାଣି ଯେତେବେଳେ ବିବାହ କାର୍ଯ୍ୟ ସମ୍ପାଦନ କରି ମୁଁ ଟିକେ ଆରାମ କରିବି ।
କଥାରେ ଅଛି - ଆଙ୍ଗୁଠି ବଙ୍କା ନକଲେ ଘିଅ ବାହାରିବ ନାହିଁ I ଏହାର ଗୋଟିଏ ଅର୍ଥ ହେଲା ବଙ୍କା କଥା କହିଲେ, କାମ ସହଜରେ ଆଦାୟ କରିହେବ I ବୋତଲରେ ଯଦି ଘିଅ ନ ଥିବ, ତାହେଲେ ଆଙ୍ଗୁଠି ବଙ୍କା କଲେ ମଧ୍ୟ ବାହାରିବ ନାହିଁ I ଯଦି ଘିଅ ଅଛି, ତାହେଲେ ଚାମଚ ବ୍ୟବହାର କରିବା, ଆଙ୍ଗୁଠି ବଙ୍କା କରିବା ଆବଶ୍ୟକ ନାହିଁ !
କିଛି ଦିନ ମଧ୍ୟରେ ରୋହନ ର ବିବାହ ସରିଯାଇଛି। । ପୁଅ ବୋହୂଙ୍କୁ ଡାକି ସୌମିତ୍ରି ଦେବୀ ଘର କାମ ସମ୍ଭାଳିବାକୁ ଦାୟିତ୍ଵ ଦେଲେ ଓ କହିଲେ କିଛି ଦିନ ମୁଁ ମୋ ବାପ ଘରକୁ ଯିବି । ମୋତେ ଏବେ ଆରାମ ଦରକାର୍ ଆଉ ଏମିତି ତୋ କଥା ବୁଝିବା ପାଇଁ ବୋହୂ ଆଣିଲି । ଏବେ ତୋ ଦାୟିତ୍ଵ ରୀମା ର ଆଉ ରିମା ଦାୟିତ୍ଵ ତୋର । ସମସ୍ତେ ଚାଲିଗଲେ , ସୌମିତ୍ରି ଦେବୀ ଏକାକୀ ବୋହୂ ରୀମାକୁ ଡ଼ାକି କହିଲେ ଦେଖ ବୋହୂ ତାକୁ ସୁଧାରିବା , ଭଲ ଭଲ ଖାଦ୍ୟ ପେୟ ତିଆରି ପରଷିବା ଦାୟିତ୍ଵ ତୋର କିନ୍ତୁ ଖାଦ୍ୟ ପରଷିବା ପରେ ଏତିକି କହିବୁ ଯେ , ଏଇ ଖାଇ ଦିଅ " ବାସି ପଖାଳ" । ଏତିକି ଶିକ୍ଷା ଦୀକ୍ଷା ଦେଇ ଶାଶୁ ସୌମିତ୍ରି ଦେବୀ ବାପ ଘରକୁ ଚାଲି ଗଲେ ।
ଆମେ ସମସ୍ତେ ଗୋଟିଏ ଗୋଟିଏ ଦୋକାନ ଭଳି I ଆମର ମୁହଁ ସେ ଦୋକାନର ତାଲା I ମୁହଁ (ତାଲା) ଖୋଲିଲେ ଜଣା ପଡେ ଆମ ଭିତରେ (ଦୋକାନରେ) ହୀରା ଅଛି ନା କୋଇଲା ଅଛି ! ଏମିତି ବେଳେ ବେଳେ ଶବ୍ଦ ହିଁ ମୌହସଧି ହେଇ ଯାଏ ଆଉ ମନିଷ କୁ ଠିକ୍ ରାସ୍ତାରେ ନେଇ ଚାଲେ । ଏବେ ଶାଶୁ ସୌମିତ୍ରି ଦେବୀଙ୍କ କହିବା ଅନୁଯାୟୀ କାମ କରୁଛି ବୋହୂ ରୀମା । ଖାଇବାକୁ ଦେଇ କହୁଛି "ବାସି ପଖାଳ " ଗଣ୍ଡାୟେ ଖାଇ ଦିଅ !
ପତ୍ନୀ ରୀମାଙ୍କ କଥା ଶୁଣି , କ୍ରୋଧରେ ଜର୍ଜରିତ ରୋହନ କହିଲା , ଶାଳୀ ମାଇକିନିଆ , ମୋ ମାଆ କହିବ ବୋଲି କଣ ତୁ ମୋତେ କହିବୁ "ବାସି ପଖାଳ " ଗଣ୍ଡାୟେ ଖାଇ ଦିଅ ଆଉ ହେବନି ତୋତେ ଏଠାରୁ ବିଦାୟ ନିଶ୍ଚିନ୍ତ କରିବି ।
କଥା ପ୍ରଘଟ ହେଲା । ମାଆ ଫେରିଆସିଲେ ବାପ ଘରୁ ।କଥାଟି ନ୍ୟାୟ ନିଷ୍ପାପ ପାଇଁ ସରପଞ୍ଚ ତଥା ଗ୍ରାମ ମୁଖିଆ ଙ୍କ ପାଖକୁ ଗଲା । ରୀମା କୁ ଛାଡ଼ପତ୍ର ଦେବେ ଏମାନେ। ମାଆ ଆସି ସବୁ ତଥ୍ୟ ଅନୁସାରେ କହିଲେ ଦେଖ ବାପା ଏମିତି ହୁଅ ନାହିଁ । ସେ କଣ ଭୁଲ୍ କହିଲା ତୁ ସବୁଦିନ "ବାସି ପଖାଳ" ଖାଉଛୁ । ଆଉ ଏମିତି ମୁଁ ମଧ୍ଯ କହୁଥିଲି ମୋତେ କେବେ କିଛି କହିନୁ ତୁ ,ଆଉ ଏବେ ତା ଉପରେ ରାଗିବାର କାରଣ କଣ କୁହ ?
ରୋହନ କହିଲା ତୁମେ , ମାଆ ଆଉ ସେ ପତ୍ନୀ । ତୁମେ କହିବ ବୋଲି କଣ ତାର ଏଡେ ବହପ ସେ ମୋତେ କହିବ । ସବୁଦିନିଆ ଖାଇବାକୁ ଦେଉଛି ଭଲମନ୍ଦ, ପୁଣି କହୁଛି "ବାସି ପଖାଳ" ଖାଇନିଅ । ସବୁ କିଛିତ ସଜ ଦେଉଛି କହିବ କାହିଁ ବାସି ପଖାଳ ବୋଲି !
ରୀମl ଚୁପ୍ ମାଆ ରୋହନ କୁ ପଚାରିଲେ "ବାସି " ର ଅର୍ଥ କଣ୍ କୁହ ?
ଯେଉଁ ଖାଦ୍ୟ ସକାଳେ ତିଆରି ରାତ୍ରୀରେ ଖାଇବ ଆଉ ରାତ୍ରୀରେ ରନ୍ଧନ କରି ସକାଳେ ଖାଇବ ବାସ୍ ଏତିକି ଅର୍ଥ ।
ତାହାଲେ ସେ ଭୁଲ୍ କଣ କହିଛି । ଆମର କହିବା ଶବ୍ଦ ସଦାବେଳେ ମଧୁର ଓ ସକାରାତ୍ମକ ହେବା ଆବଶ୍ୟକ I ସତ୍ୟତା ଉପରେ ଆଧାରିତ ଶବ୍ଦ ଅନ୍ୟକୁ ଅଡୁଆ ଲାଗିପାରେ କିନ୍ତୁ କାହାର ଅନିଷ୍ଟ କରେ ନାହିଁ ! ଏବେ ତୁ କୁହ ଯେଉଁ ଟଙ୍କା ରୋଜଗାର କରି ରଖି ଯାଇଥିଲେ ତୋ ବାପା ସେଇଟା ସଜ ନା ବାସି ରୋହନ ଉତ୍ତର ଦେଲା ଯେ ସେ ହେଉଛି ବାସି ! ମାଆ ପୁଣି କହିଲେ ଯେ , ଯଦି ବାପ ରୋଜଗାର ବାସି ତାହାଲେ ସେଥିରେ କିଣା ଖାଦ୍ୟ ପଦାର୍ଥ ମଧ୍ଯ ବାସି । ଏଇଟା ସତ୍ ଯଦି ତୁ ସବୁଦିନ ତାହାଲେ ଖlଉଛୁ ବାସି । ଆଉ ଖାଦ୍ୟରେ ବାସି କେବଳ ପଖାଳ କୁ କୁହାଯାଏ । ଆଉ ସବୁଦିନ ତୁ ସେଇ "ବାସି ପଖାଳ " ଖାଉଛୁ । ଯେବେ ତୁ " ତୋ " ରୋଜଗାର ଟଙ୍କାରେ କିଣି ଖାଇବୁ ସେଇଟା ହେବ "ସଜ " ।
ସବୁକିଛି ଶୁଣିବା ପରେ , ରୋହନର , ମୁଣ୍ଡ ତଳକୁ ହେଇଗଲା । ସେ ପାଠ ପଢିଥିବା ସେଇ ଓଡ଼ିଆ ବ୍ୟାକରଣ ପୁସ୍ତକର , ଢଗ ଢମାଳି ମନ୍ ପକାଇ କହିଲା , ସତରେ ମାଆ " ବସି ଖାଇଲେ ନଈ ବାଲି ସରେ "ଆଉ ମୁଁ ସତରେ " ବାସି ପଖାଳ " ଖାଉଥିଲି । ଏବେ ମୁଁ ମୋର ଭୁଲ୍ ବୁଝି ପାରିଛି । ପ୍ରକୃତରେ ନାରୀ ଚାରି ପ୍ରକାର । ମାତା , ପତ୍ନୀ , ଭଗ୍ନୀ ଓ କନ୍ୟା ଆଉ ଏମାନେ ସର୍ବଦା ସମୟ ସମୟରେ ଗୁରୁଙ୍କ କାର୍ଯ୍ୟ ସମ୍ପାଦନ କରନ୍ତି । ଏମାନେ ପୂଜ୍ୟା। , ନମସ୍ୟ । ନାରୀ ପଛରେ ରହିଲେ ପୁରୁଷ ସଫଳ ହୁଏ,ନାରୀ ପଛରେ ପଡିଲେ ପୁରୁଷ ବର୍ବାଦ ହୁଏ ! ଅତଃ , ମାଆ , ମୁଁ ଏବେ ସମୟ ନଷ୍ଟ ନକରି କର୍ମ କରିବି କାରଣ ବୋହି ଯାଇଥିବା ପାଣି,ବାହାରି ଯାଇଥିବା କଥା,ବିତି ଯାଇଥିବା ସମୟ ଓ ଚାଲି ଯାଇଥିବା ପିଲା ଦିନ ଜୀବନରେ କେବେ ଫେରି ଆସେ ନାହିଁ ! ଆଉ ମୁଁ "ବାସି ପଖାଳ " ଖାଇ ଭବିଷ୍ୟତ ନଷ୍ଟ କରିବି ନାହିଁ ।
