STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Tragedy Fantasy Children

4  

ପ୍ରଶାନ୍ତ କୁମାର ବିଦ୍ୟାଧର

Tragedy Fantasy Children

ଅବୁଝା ମଣିଷ

ଅବୁଝା ମଣିଷ

6 mins
324


    ତନୁଜା ଦେବୀଙ୍କ ମୃତ୍ୟୁପରେ ଶ୍ରୀନିବାସ ବାବୁ ସଂପୂର୍ଣ୍ଣ ଏକାକି ହୋଇଯାଇଥିଲେ। ସଂପୂର୍ଣ୍ଣ ଘରଟା ଯେପରି ତାଙ୍କୁ କାମୁଡିବାକୁ ଗୋଡ଼ଉଥିଲା ।ଘର ବୋଲି କହିଲେ ଏବେ ତିନି ପ୍ରାଣୀର କୁଟୁମ୍ବ । ପୁଅ ଅଫିସ ଗଲାପରେ ଘରେ ରହିଯାଆନ୍ତି  କେବଳ ବୋହୂ ମଧୁସ୍ମିତା ଏବଂ ଶ୍ରୀନିବାସ ବାବୁ ।


     ଅନେକ ସମୟରେ ଘର କାମ ସାରି ଶ୍ଵଶୁରଙ୍କ ଭଲମନ୍ଦ ବୁଝିବା ପାଇଁ ଗଲାବେଳେ ମଧୁସ୍ମିତା ଦେଖନ୍ତି ଯେ, କାନ୍ଥରେ ଓହଳି ଥିବା "ବୋଉ ର ଲକେଟ"କୁ ଚାହିଁରହି କିଛି ଚିନ୍ତାକରନ୍ତି ଶ୍ରୀନିବାସ ବାବୁ । ସେ ଟିକେ ବିଚାରକରିବା ପରେ ବାପାଙ୍କ ଖାଇବା ପିଇବା ବୁଝି ଆରାମ କରନ୍ତି ।


    ଏମିତି ଦିନ ପରେ ଦିନ ବିତିଯାଏ । ଶ୍ରୀନିବାସ ବାବୁ ଏକ ଅସହାୟ ," ଅବୁଝା ମଣିଷ " ଭଳି ସୁଖର ଠିକଣା ଖୋଜି ବୁଲନ୍ତି ନିଜ ମଧ୍ୟରେ। କିନ୍ତୁ କିଏ ଏଠାରେ କାହାର ? ସମସ୍ତେ ସୁଖର ସାଥୀ ଥିବାବେଳେ ଆମ ଜୀବନର ସୁଖ ଦୁଃଖର ସାଥୀ କେବଳ ସେହି " ଅବୁଝା ମଣିଷ..." ଟି ସମସ୍ତଙ୍କ ପଛରେ ଛାଇ ଭଳି ଅନବର୍ତ୍ତ ଆମର ମଙ୍ଗଳ ଚିନ୍ତା କରିବାରେ ବ୍ୟସ୍ତ କିନ୍ତୁ ତାରି ଏହି ଏକାକୀ ପଣକୁ ଆଜି ଦୂରେଇବା ପାଇଁ କେହି ନାହିଁ ?


    ଦିନ ପରେ ଦିନ ବିତି ଯାଏ ,ପ୍ରଣୟ ଘରକୁ ଆସନ୍ତି । ତାପରେ ଅଫିସ କାର୍ଯ୍ୟ , ସାଙ୍ଗ ସାଥିଙ୍କ ସହିତ ବାର୍ତ୍ତାଳାପ କରିବାପରେ ନିଜ ଅନ୍ତରଙ୍ଗ କକ୍ଷରେ ବସିରୁହନ୍ତି ତ' ପୁଣି କେତେବେଳେ ପତ୍ନୀ ମଧୁସ୍ମିତାଙ୍କ ସହିତ ତ' ପୁଣି କେବେ ଏକା । ଠିକ୍ ସେହି ସମୟରେ ଅନେକ ବାହାନାକରି ଶ୍ରୀନିବାସ ବାବୁ କବାଟ ନକ କରି ଘର ଭିତରକୁ ଆସନ୍ତି ଏବଂ ତୁରନ୍ତ ଚାଲି ଯାଆନ୍ତି ।


    ଦିନେ ମଧୁସ୍ମିତା ଓ ପ୍ରଣୟ ନିଜ ଅନ୍ତରଙ୍ଗ କକ୍ଷରେ ବସି ଆଳାପ କରୁଥିଲେ। ଶ୍ରୀନିବାସ ବାବୁ କବାଟ ନକ କରି ଭିତରକୁ ଆସିଲେ ,ତାଙ୍କୁ ଦେଖି ପୁଅ ଓ ବୋହୂ ସଞ୍ଜତହେଇ ବସିଲେ ଏବଂ ବାପାଙ୍କୁ ବସିବାକୁ କହିଲେ କିନ୍ତୁ ଶ୍ରୀନିବାସ ବାବୁ ଘରକୁ ତର୍ଣ୍ଣ ତର୍ଣ୍ଣ କରି ଚାହିଁବା ପରେ କହିଲେ ଆଛା ପ୍ରଣୟ ୱାସ ରୁମ୍ ଝରକା ଠିକ୍ ହେଇଗଲା..?


କବାଟ କୁଁ...ଶବ୍ଦ କରୁଥିଲା ତାକୁ ସଜାଡ଼ିଲୁ..?


ପଲଙ୍କ ର ଗଦି,  ଯଦି ତୁଳାରେ ତିଆରି ତେବେ ଠିକ୍ ନଚେତ ଚୁଟି ଉପୁଡ଼ିବlର ଭୟ। ତେଣୁ ତାକୁ ମଧ୍ୟ ବଦଳେଇ ନେବୁ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବୁ। ବୋହୂ ଟା ମୋର ଏକାକୀ ହଇରାଣ ହେଉଛି , ଗୋଟେ ମେଡ୍ ରଖିନେବୁ । ଆଛା ତୁମେ ମାନେ ଆରାମ କର । ମୁଁ ଆସୁଛି ..!!


     ବାବା , ଶ୍ରୀନିବାସଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ରେ ପ୍ରଣୟ କେବଳ ହୁଁ , ହାଁ ..ରେ ଜବାବ ଦିଅନ୍ତି । ତେଣୁ ବୃଦ୍ଧ ବାପା କଣ ଆଉ କରିବେ । ମନର ଆଶା ମନରେ ରଖି ପୁନଃ ଚୁପ୍ ଚାପ୍ ଚାଲି ଯାଆନ୍ତି ନିଜ ଶୋଇବା କକ୍ଷକୁ । ପୁଣି ଦେଖନ୍ତି ପ୍ରଣୟ ର " ବୋଉ ର ଲକେଟ୍ " କୁ । ଭାବନ୍ତି ଅନେକ କଥା । ଠିକ୍ ଏହି ସମୟରେ ପ୍ରଣୟ କହିଲେ...


ଆରେ ମଧୁ ... ବାବା ରୁମ୍ ଭିତରକୁ ଆସିଲେ କିନ୍ତୁ ବସିଲେ ନାହିଁ , ଯେତେବେଳେ ଆସୁଛନ୍ତି ଏମିତି ବ୍ୟବହାର ! ଏଭଳି କରିବାର ଅଭିପ୍ରାୟ କଣ ମଧୁ ?


ସ୍ବାମୀଙ୍କ କଥାର ଉତ୍ତରଦେଇ ମଧୁସ୍ମିତା  କହିଲେ ଅଭିପ୍ରାୟ ଅନେକ ଅଛି ପ୍ରଣୟ !!


ବାବାଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ରେ ପ୍ରଣୟ,  ତୁମେ କେବଳ ହୁଁ , ହାଁ ..ରେ ଜବାବ ଦିଅ । ଯାହା ତାଙ୍କୁ ଖୁସି ଦିଏ ନାହିଁ ।


ସେ ତୁମକୁ ବହୁତ ମିସ୍ କରୁଛନ୍ତି ପ୍ରଣୟ ।


ବାବା ତୁମକୁ ବହୁତ ପ୍ରେମ କରନ୍ତି। ଖାଲି ସେତିକି ନୁହେଁ ପ୍ରଣୟ , ପ୍ରତ୍ୟେକ ମନୁଷ୍ୟର ବାପା ମାଆ ପିଲାଙ୍କ ସହିତ ସମୟ ବିତାଇବା ପାଇଁ ଇଚ୍ଛା କରନ୍ତି କିନ୍ତୁ ତୁମର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ରେ  କେବଳ ହୁଁ , ହାଁ ..ରେ ଜବାବ । ଏହା କଣ ତାଙ୍କ ମନଙ୍କୁ ଦୁଃଖ ଦେଉନି । ବାବାଙ୍କୁ କଷ୍ଟ ହେଉଛି ପ୍ରଣୟ । ତୁମେ ଜାଣିଛ ପୁଅ ମାନେ ବାପାଙ୍କୁ କୁଣ୍ଢେଇଧରି ନିଜର ଦୁଃଖସୁଖ କୁହନ୍ତି ନାହିଁ।ପୁଅମାନେ ମାଆ ପାଖରେ ନିଜର ଅଳୀ ଅର୍ଦ୍ଦଳି କରନ୍ତି। ଉପରକୁ ଶକ୍ତ, କଠୋର, ନିର୍ଦୟୀ, ହୃଦୟହୀନ, "ଅବୁଝା ମଣିଷ ..."ଟା କେବଳ ଟିକେ ସ୍ନେହପ୍ରେମ ର ଭୋକରେ ଏକ ଅନ୍ଧାରୀ ଘର ମଧ୍ୟରେ ନିଜକୁ ହଜାଇ ଦେଇ ନିଗାଡି ଥାଏ ଟୋପା ଟୋପା ଲୁହ । ସେ ଚିତ୍କାର କରେ । ବୁକୁ ଫଟେଇ ନିଜର ଛାତିର କୋହକୁ ସେ ଅନ୍ଧାରଘର ମଧ୍ୟରେ କବର ଦେଇଦିଏ।


ତୁମେ ଜାଣିଛ ପ୍ରଣୟ ....;


ଯେତେବେଳେ ପୁଅ ଘରକୁ ଫୋନ୍ କରେ ବାପାଙ୍କ ସହିତ କଥା ନହେଉ ମାଆ'ଙ୍କ କଥା ହେବାର ଶୁଣି ସେଇ ବାପା କୁହନ୍ତି,


ତନୁଜା ....


ଆରେ ତାକୁ କୁହ ବାପା ତୋର ଏବେ ବଞ୍ଚିଛନ୍ତି । ତୁ ମାଛ , ମାଂସ , ପନିର, ଖିରି ଖାଇ ସୁଖ ସୁବିଧାରେ ରୁହ । ଘର ର ଚିନ୍ତା କରିବା ତୋର ଆବଶ୍ୟକ ନାହିଁ । ପରିବେଶ ତଥା ପରିସ୍ଥିତି ସୁଧାରିବା ପାଇଁ ନାମୀ ଦାମୀ ବସ୍ତ୍ର ଆଣି ପରିଧାନ କରୁ। ତାକୁ କୁହ ପାଦରେ ଭଲ ଜୋତା ହଳେ ପିନ୍ଧୁ। ପିଲାଦିନେ ଯେତେବେଳେ ପୁଅର ସବୁବେଳେ ଗୋଟିଏ ଅଭିଯୋଗ ଥାଏ,  ବାପା ଆଜିକାଲି କାହିଁକି ବିଳମ୍ବରେ ଅଫିସରୁ ଫେରୁଛନ୍ତି । ଆଉ ଏହି ଅଭିଯୋଗ ସହିତ ବୋଉ ମଧ୍ୟ ସ୍ବର ମିଳାନ୍ତି। କିନ୍ତୁ ବାପା ଏହି ଅଭିଯୋଗକୁ ବିଭିନ୍ନ ପ୍ରକାର ବାହାନା ଦେଖାଇ ଏଡ଼େଇ ଯାଆନ୍ତି କାରଣ ସେ ଜାଣନ୍ତି ଯେ ପୁତ୍ର ମୋହ ଦ୍ଵାରା ପୁତ୍ରର ଅନିଷ୍ଟ ହୁଏ । ତେଣୁ ସେଇ କଠୋର " ଅବୁଝା ମଣିଷ..." ସବୁ ଜାଣି ଶୁଣି ଅଭୁଝା ହେଇ ରୁହନ୍ତି ।


   ବାପା ଆମ ମୁହଁରେ ହସ ଟିକେ ଦେଖିବା ପାଇଁ ବା ଆମକୁ ଖୁସିରେ ରଖିବା ପାଇଁ ଆମ ଅଜାଣତରେ କେତେ ଯେ ଦୁଃଖ କରନ୍ତି, ତା’ର ପ୍ରମାଣ ଦୁନିଆର କୌଣସି ପୁଅ ପାଖରେ ନାହିଁ ପ୍ରଣୟ । ତୁମେ ବୁଝିବାକୁ ଚେଷ୍ଟାକର । ହେଲେ ଯେତେବେଳେ କୌଣସି ମଣିଷର ନିଜର ବାପା ଆରପାରିକୁ ଚାଲିଯାଆନ୍ତି, ସେତେବେଳେ ଦୁଃଖର ପାହାଡ଼ରୁ ଅତଡ଼ା ଖସିବା ଆରମ୍ଭ ହୁଏ। ଯେଉଁ ବାପା ଦିନେ ସାଧାରଣ ମଣିଷଟିଏ ଲାଗୁଥିଲେ, ସେ ହଠାତ୍‌ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ ହୁଅନ୍ତି। ବାପାଙ୍କ କାନ୍ଧରେ ବସିବା ଦିନଠାରୁ ବାପାଙ୍କୁ କାନ୍ଧରେ ନେବା ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣା ଆଖି ସାମ୍ନାରେ ନାଚି ଯାଇଥାଏ। ଭାଙ୍ଗି ଯାଇଥାଏ ସାମାଜିକ ସୁରକ୍ଷାର ବିଶାଳ ପ୍ରାଚୀର। ଦିନେ ଯେଉଁ ବାପା ସନ୍ତାନଟିଏ ପାଇଲା ପରେ ଫୁଲର ପାହାଡ଼ ଉପରେ ବସିଥିଲେ, ସେହି ସନ୍ତାନ ତାଙ୍କ ପାଇଁ ଆଜି ପାଲଟିଛି କଣ୍ଟକିତ ପଥ। ସମାଜରେ ଅନେକ ବାପାଙ୍କର ଶେଷ ସମୟର ଦୁଃଖର କାରଣ ହେଉଛନ୍ତି ତାଙ୍କର ସନ୍ତାନମାନେ ତେଣୁ ପ୍ରଣୟ ତୁମେ ବାପାଙ୍କ ପାଖରେ ବସ। କଥା ହୁଅ । ତାଙ୍କୁ ସମୟ ଦିଅ। ସେ ତୁମଠlରୁ କିଛି ଆଶା କରି ନାହାଁନ୍ତି କେବଳ ତୁମ ଭଲପାଇବା ଓ ଆଦର ପ୍ରେମ ବିନା । ସେଥିପାଇଁ ବାପା ଅନେକ ସମୟରେ "ବୋଉ ର ଲକେଟ୍ " କୁ ଚାହିଁ ଦୁଃଖ ପ୍ରକାଶ କରନ୍ତି ।


   ପତ୍ନୀ ମଧୁସ୍ମିତାଙ୍କ କଥା ଶୁଣିବା ପରେ ପ୍ରଣୟ କହିଲେ କଣ କଥା ହେବି କୁହ ମଧୁ ?


କି କଥା ହେବି ? କିନ୍ତୁ ସ୍ବାମୀ ପ୍ରଣୟଙ୍କ କଥାର ଉତ୍ତର ଦେବାକୁ ଯାଇ ମଧୁସ୍ମିତା କହିଲେ କିଛି ବି କୁହ । ବାପା ଯେମିତି ବାହାନା କରି ତୁମ ପାଖକୁ ଆସନ୍ତି ଠିକ୍ ତୁମେ ମଧ୍ୟ ସେହିପରି ବାହାନା କର । ବାବା ତୁମକୁ ବହୁତ୍ ମିସ୍ କରୁଚନ୍ତି । ସେ ତୁମକୁ , ତୁମର ପିଲାଦିନ ମାଗୁଛନ୍ତି ଠିକ୍ ଯେପରି ଦିନେ ତୁମେ କହୁଥିଲ ଯେ ବାପା ଆଜିକାଲି କାହିଁକି ବିଳମ୍ବରେ ଅଫିସରୁ ଫେରୁଛନ୍ତି। ମୋ ସହିତ କଣ ପାଇଁ ଖେଳୁ ନାହାନ୍ତି । କିନ୍ତୁ ବାପା ଏବେ ତୁମ ସହିତ ବସିବାକୁ , ହସିବାକୁ , ଖେଳିବାକୁ ଚାହୁଁଛନ୍ତି । ତୁମେ ମୋ ସହିତ ଯେପରି କଥା ହେଉଛ ଠିକ୍ ସେହିଭଳି ବାପାଙ୍କ ସହିତ ବାହାନା କରି କଥା ହୁଅ ।


   ଶ୍ରୀନିବାସ ବାବୁ ଅନ୍ଧାରୀ ରୁମ୍ ମଧ୍ୟରେ ଏକାକୀ ବସି ଜୀବନ ର ସବୁ ଫର୍ଦ୍ଦ ଗୁଡ଼ିକର ଗଣିତ,ଭୂଗୋଳ, ସାହିତ୍ୟ ଓ ଇତିହାସ ର ତର୍ଜମା ନିଜ ବିବେକ ସହିତ କରୁଥିଲେ , ଠିକ୍ ସେହି ସମୟରେ ପତ୍ନୀ ମଧୁସ୍ମିତାଙ୍କ କଥା ଶୁଣି ପ୍ରଣୟ ଙ୍କ ଆଖି ଖୋଲିଗଲା । ଭିଜା ଭିଜା ଆଖିରେ ସେ ଦୌଡ଼ି ବାହାରିଗଲେ ବାପାଙ୍କ ପାଖକୁ ଏବଂ ବାପାଙ୍କୁ ଧରି କୁଣ୍ଢେଇ ପକେଇଲେ ।


ବାବା ,ଦେହ କେମିତି ଅଛି ?


ବାବା , କିଛି ଖାଇବ କି ?


ଚାହା ପିଇବ । ଟିକେ ଗୋଡ଼ ଦେଖା ମୁଁ ଘଷି ଦେବି। ବାବା , ୱାସ ରୁମ୍ ଝରକା ରେ କାଚ ଠିକ୍ ରେ ଲାଗୁନି। ଗଦିର ତୁଳା ଗୁଡାକ ଜମା ହେଇଗଲାଣି ।


   ପୁଅର ପରିବର୍ତ୍ତନ ଦେଖି ଶ୍ରୀନିବାସ ବାବୁ।ଅଭିନୟ କରି ଚିତ୍କାର କରିଉଠିଲେ। ଗଧ କେଉଁଠିକାର।ଗୋଟେ କାମ ବି ଠିକ୍ ରେ ହେଉନି ତୋ ଦ୍ଵାରା । କିନ୍ତୁ ବ୍ୟସ୍ତ ହୁଅନି ପ୍ରଣୟ ,ଆଜି ମଧ୍ୟ ତୋ ବାପା ବଞ୍ଚିଛି କହି ପ୍ରଣୟ କୁ କୁଣ୍ଡେଇ ଧରି କହିଲେ ବାପା ରେ । ମୁଁ ବୁଢ଼ା ହେଇଗଲାଣି । ଏକାକୀ ରହିବାକୁ ଭୟ ଲାଗୁଛି ତେଣୁ ସମୟ ସମୟରେ ତୁମ ଦୁଇଜଣଙ୍କ ପାଖକୁ ଦେଖିବା ପାଇଁ ବାହାନା କରି ଚାଲି ଯାଉଛି । ପୁଣି ତୁମ ଦୁହିଁଙ୍କ ହସ ଖୁସିରେ ଧୂଳି ନପଡୁ ଭାବି ଚାଲିଆସେ । କାହାକୁ କହିବି ଏଇ କଥା । ମନର କଥା ମନରେ ରଖି ଗୁଣୁ ଗୁଣୁ ହେଇ ତୋ " ବୋଉ ର ଲକେଟ୍ " ଆଗରେ ହୃଦୟର ଆବେଗ କୁ ବୟାନ କରେ ...!!


   ବାପା ଓ ପୁଅଙ୍କ ମହା ମିଳନ ରେ , ଖୁସି ହେଇ ବୋହୂ ମଧୁସ୍ମିତା ଅପଲକ ନୟନରେ ଚାହିଁ ରହିଥିଲେ ସେଇ " ଅବୁଝା ମଣିଷ..."କୁ ...!


।।ସମାପ୍ତ ।।


✍️ପ୍ରଶାନ୍ତ କୁମାର ବିଦ୍ୟାଧର


ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।


Rate this content
Log in

Similar oriya story from Tragedy