ଖଣ୍ଡିଆ ହାତ
ଖଣ୍ଡିଆ ହାତ
ଅନ୍ଧାର ରାତି। ବର୍ଷା ସହିତ ଚଡ ଚଡ଼ି ଘଡ଼ ଘଡି ରେ ଚଉଦିଗ ମାଡ଼ି ମାଡ଼ି ପଡୁଛି। ବିଜୁଳୀ ର ଚିକି ମିକିଆ କ୍ଷୀଣ ଆଲୋକରେ କିଛି ସ୍ପଷ୍ଟ ଦୃଶ୍ୟ ହେଉନାହିଁ।ଗୋଟିଏ ହାତରେ ଟର୍ଚ୍ଚ ଲାଇଟ୍ ଧରି ଅନ୍ୟ ହାତରେ ବୁଦାଳିଆ ଗ୍ଲୁମ ଗୁଡ଼ିକୁ ଦରାଣ୍ଡୁ ଦରାଣ୍ଡୁ ମୁନୁ ବାବୁଙ୍କ ହାତରେ ବାଜିଲା ହାଲକା ଓଦା ଗାମୁଛା ର ପୁଟୁଳି। ଥରିଲା ହାତରେ ଓଦା ଯୁଡୁ ବୁଡୁ ପୁଟୁଳି କୁ ଟାଣି ଆଣିଲେ ମୂନୁ ବାବୁ। କ୍ଷୀଣ ଟର୍ଚ୍ଚ ଲାଇଟ ର ଆଲୋକ ରେ ସେହି ପୁଟୁଳି ଖୋଲିଦେବା ମାତ୍ରେ ଅସ୍ପଷ୍ଟ ଚିତ୍କାର କରିଲେ ସେ। ତା ଭିତରେ ରହିଥିଲା କେବଳ ଗୋଟିଏ " ଖଣ୍ଡିଆ ହାତ"!
ଭୟ ଓ କମ୍ପିତ ନେତ୍ରରେ ଇନ୍ସପେକ୍ଟର ବିଜୟ ମାଲହୋତ୍ରାଙ୍କୁ ଚାହିଁ ରହିଲେ ମୁନୁ। ଆଖିରୁ ବହି ଯାଉଛି ଧାର ଧାର ଲୁହ। ସଭିଏଁ ଅବାକ୍ ହେଇଚାହିଁ ରହିଥିଲେ। ଠିକ୍ ସେତିକି ବେଳେ ଅନି ଅପା କହିଲେ କ'ଣ ଏଇଟା ନନାଙ୍କ ହାତ ?
ପକେଟ ରୁ ରୁମାଲ ବାହାର କରି ମୁହଁ ପୋଛିଲେ ମୁନୁ ବାବୁ। କହିଲେ ଏଇଟା ଭାଇଙ୍କ ହାତ ହେଇଥିଲେ ମୁଁ ଜାଣି ପାରିଥାନ୍ତି କିନ୍ତୁ ଏଇଟା ଭାଇଙ୍କ ହାତ ନୁହେଁ ?
: ତେବେ କାହାର ଏଇ " ଖଣ୍ଡିଆ ହାତ" ?
: ସ୍ପଷ୍ଟ କହି ହେଉନି କିନ୍ତୁ ଭାଇଙ୍କ ଶବ ଯଦି ମିଳିବ ତେବେ କିଛି କହି ହେବ ? କାରଣ ଭାଇଙ୍କ ବାମ ଆଣ୍ଠୁରେ ଗୋଟିଏ ଧଳା ଛଉ ଥିଲା ..!
ମୁନୁ ବାବୁଙ୍କ କଥା ଶୁଣି ଇନ୍ସପେକ୍ଟର ବିଜୟ ମାଲହୋତ୍ରାଙ୍କୁ ଚାହିଁ ରହିଲେ ତାଙ୍କ ମୁହଁକୁ ! ତେବେ କାହାର ଏଇ ହାତ?
ଏଭଳି ଅବସ୍ଥାରେ କିଏ ଏହି "ଖଣ୍ଡିଆ ହାତ"କୁ ନିରକରପୁର ଷ୍ଟେସନ ର ଅନାବନା ଗ୍ଲୁମ୍ ମଧ୍ୟରେ ଫୋପାଡି ଦେଇ ଯାଇଛି ?
ସୂତ୍ର ଅନୁସାରେ, ଦୁଇଦିନ ତଳେ ଜଣେ ବ୍ୟକ୍ତି ସନ୍ଧ୍ୟା ସମୟରେ ସୋଲରି ଷ୍ଟେସନ ପାଖରେ ଟ୍ରେନ ଦୁର୍ଘଟଣା ରେ ପ୍ରାଣ ହରାଇଲେ। ଲୋକଙ୍କ କହିବା ଅନୁସାରେ ସେ ବ୍ୟକ୍ତି ଜଣଙ୍କର ହାତ ଟ୍ରେନ ରେ କଟି ଯାଇଥିଲା କିନ୍ତୁ ଆପଣ ...?
:ଏଇ ଘଟଣା ଯଦି ସତ୍ୟ ତେବେ ସେ ମୃତ ବ୍ୟକ୍ତିଙ୍କ ଶବ କେଉଁଠି, ଇନ୍ସପେକ୍ଟର ବିଜୟ ?
ଏହା "ଗୋଟେ ଯାତ୍ରା ର କାହାଣୀ " ନୁହେଁ ମହାଶୟ। ଏହା ମୋ ପରିବାର ର ଘଡି ସନ୍ଧିର ମୁହୂର୍ତ୍ତ। ଦୀର୍ଘ ଦୁଇଦିନ ହେଲା ମୋ ଭାଇ ଘରକୁ ଫେରି ନାହାଁନ୍ତି। ତା' ସହିତ କାଲିଠାରୁ ଆଜି ପର୍ଯ୍ୟନ୍ତ ଆମେ ଖୋର୍ଦ୍ଧା ରୁ ଭୁବନେଶ୍ୱର ଏବଂ ଭୁବନେଶ୍ବର ରୁ ବାଲୁଗାଁ ପର୍ଯ୍ୟନ୍ତ ୨୫/୩୦ ଥର ରାଉଣ୍ଡ ମାରିବା ପରେ ଆମକୁ ମିଳୁଛି କଣ ?
: ଧର୍ଯ୍ୟ ରଖନ୍ତୁ ମୁନୁ ବାବୁ ! ମୁଁ ଆପଣଙ୍କ କଣ୍ଡିସନ୍ ବୁଝି ପାରୁଛି କିନ୍ତୁ ଏବେ ପ୍ରଶ୍ନ ଏଇଟା ଯେ ଏଇ "ଖଣ୍ଡିଆ ହାତ " କାହାର ?
: ଆପଣଙ୍କ ପ୍ରଶ୍ନ ର ଉତ୍ତର ଆମେ କିପରି କହିବୁ?
ଆପଣ ଖୋଜନ୍ତୁ।
ଭାଇ ଯଦି ମୃତ ତେବେ ଏହା ପଛରେ କାରଣ କଣ ଆମେ ମଧ୍ୟ ଜାଣି ନାହୁଁ। ତାପରେ ଠିକ ସମୟରେ ତାଙ୍କ ବଡି ମଧ୍ୟ ମିଳୁନାହିଁ। ରାତି ଆସି ୧୨ଟା' ହେଲାଣି। ସାରା ସହର ଟା' ଶୋଇଗଲାଣି । ଚପରାସୀ ଆସି ଷ୍ଟେସନ ର ବତୀ ଗୁଡ଼ିକୁ ବନ୍ଦ କଲେଣି କିନ୍ତୁ ଆପଣ କହିଛନ୍ତି କଣ ?
ନାଁ , ମୁଁ ଏହା ମାନିବାକୁ ପ୍ରସ୍ତୁତ ନୁହେଁ ଯେ ମୋ ଭାଇ ମୃତ ବୋଲି। ସେ ମରି ଯାଇଥିଲେ ଅବଶ୍ୟ ମୁଁ ଖୁସି ହେଇଥାନ୍ତି କିନ୍ତୁ ଦୀର୍ଘ ତିନିଦିନ ହେଲା ମୁଁ ମୋର ଛୁଆ ,ଭାଉଜ ଓ ଭାଇ-ଭଉଣୀଙ୍କ ଆଖିର ଲୁହ ଦେଖି ସହି ପାରୁନି। ବୟସ ତାଙ୍କୁ ବେଶୀ ହେଇନଥିଲା। ୪୯ ବର୍ଷର ଭେଣ୍ଡିଆ ସେ । ସୁସ୍ଥ , ସର୍ବଳ ଓ ଖାସ କରି ରେଭେନ୍ସା.କଲେଜ ର ଜଣେ ଭଲ ଷ୍ଟୁଡେଣ୍ଟ୍ ଥିଲେ। ତାଙ୍କର ସମୟ ଜ୍ଞାନ ଥିଲା।ସେ ବୁଝିବା ଶୁଝିବା ଲୋକ ହେଇ ସାମାନ୍ୟ "ଗୋଟିଏ ଯାତ୍ରା ର କାହାଣୀ" ହୋଇପାରିବେ ନାହିଁ..!
ପିଲାଙ୍କ ଭଳି କାନ୍ଦି ଉଠିଲେ ମୁନୁ ବାବୁ। ତାଙ୍କୁ ଚାହିଁ ରହିଥିଲେ ଇନ୍ସପେକ୍ଟର ବିଜୟ ମାଲହୋତ୍ରା। କିନ୍ତୁ ନିଷ୍କର୍ଷ କିଛି ମିଳୁନାହିଁ। ସମସ୍ତେ ବ୍ୟସ୍ତ ଓ ବିବ୍ରତ। ଘନ ଅନ୍ଧକାର ମଧ୍ୟରେ ଷ୍ଟେସନ ଟା ଖାଁ ଖାଁ ଲାଗୁଛି। ଠିକ୍ ସେହି ସମୟରେ ଅନି ଅପା କହିଲେ ମୁନୁ ଚାଲ ଫେରିଯିବା ଘରକୁ। ଆଉ ଏଠାରେ ଅଧିକ ସମୟ ରହି ଲାଭ ନାହିଁ । ଯାହା ହେବାର ଥିବ ହେବ। ଯିଏ ମରିଲା ଗଲା ତାଙ୍କ ପାଇଁ ଆଉ ବ୍ୟସ୍ତ ନହେଇ ଘରେ ସଭିଙ୍କୁ ବୁଝାଇବାକୁ ପଡ଼ିବ।
ସମସ୍ତେ ଘରକୁ ଚାଲି ଆସିଲେ। ଦିନ ତମାମ ର ଥକାନ ଓ ପରିଶ୍ରମ ସହିତ ଖାଇବା ପିଇବା ନାହିଁ। ତେଣୁ ଯେମିତି ଗାଡ଼ିରେ ମୁନୁ ବାବୁ ବସିଛନ୍ତି ତାଙ୍କୁ ନିଘୋଡ଼ ନିଦ ଆସିଗଲା। ବୋଧହୁଏ ଏହା ମଧ୍ୟ ଏକ ପ୍ରକାର ନିଶ୍ଚିନ୍ତ ନିଦ୍ରା ଥିଲା।
ଶ୍ରାବଣ ମାସ ର କୃଷ ପକ୍ଷ ଅନ୍ଧାର। ତୁହାକୁ ତୁହା ବର୍ଷା ସହିତ ବିଜୁଳୀ ଘଡ଼ ଘଡି।ରାସ୍ତା ପରିଷ୍କାର ଦେଖା ଯାଉନି। ଘାସ ଉପରେ ବର୍ଷାର ଛୋଟ ଛୋଟ କଣିକା ଗୁଡ଼ିକ ମୋତି ଭଳି ଚମକି ଉଠୁଥିଲା। ସକାଳ ପହର ରୁ ରାତି ଗୋଟାଏ ପର୍ଯ୍ୟନ୍ତ ବର୍ଷା ପବନ ସହିତ ସଂଗ୍ରାମ କରି କରି ମୁନୁ ବାବୁ ଥକି ପଡିଥିଲେ ଯେପରି।
ସାନ ଭାଇ ସୁଟୁ ଓ ଭଉଣୀ ଅନି ସହିତ ସର୍ବମୋଟ ଗାଡ଼ିରେ ୪ଜଣ ଯାତ୍ରୀ। ଭାଇର ଅକ୍ଲାନ୍ତ ପରିଶ୍ରମ ପାଇଁ ବୋଧେ ତାଙ୍କୁ କେହି ଡିଷ୍ଟର୍ବ କରିବାକୁ ଚାହୁଁ ନଥିଲେ। ସଭିଙ୍କ ଆଖିରେ ମେଞ୍ଚା ମେଞ୍ଚା ଲୁହ ସହିତ ଛାତିର କୋହ ସମ୍ଭାଳିବା ବଡକଷ୍ଟକର ବ୍ୟାପାର। ତଥାପି ବଡ଼ ଭଉଣୀ ହିସାବରେ ସଭିଙ୍କୁ ବୁଝାଇବା ଦାୟିତ୍ଵ ଅନି ଆପଣଙ୍କର ଥିଲା।
ଗାଡି ଦୃତ ଗତିରେ ରେଲୱେ ଫାଟକ ପାର କରିବାପରେ। ଖଣ୍ଡିଆ ଦଦରା ପିଚୁ ରାସ୍ତାରେ ଚାଲିଥାଏ। କିଛି ସମୟ ଯିବାପରେ ରାତିଟା ତାର କରାମତି ଦେଖାଇଲା। ରାସ୍ତାର ଦୁଇ କଡ଼କୁ ଦେଖିଲେ ବଡ଼ ବଡ ଆମ୍ବ ପଣସ ଓ ୟୁକାଲି ପଟାସ ବୃକ୍ଷରେ ଆଚ୍ଛାଦିତ। ହଠାତ ଗାଡ଼ିର ହାଲକା ନାଲିଆ ଆଲୁଅରେ ଗୋଟେ "ଖଣ୍ଡିଆ ହାତ" ର ଅସ୍ପଷ୍ଟ ଦୃଶ୍ୟ ,ଦୃଶ୍ୟମାନ ହେଲା।
"ଖଣ୍ଡିଆ ହାତ" ର ଅସ୍ପଷ୍ଟ ଦୃଶ୍ୟ ଦେଖି ଡ୍ରାଇଭର ବାବୁ ଟିକେ ଅସମାଜସ୍ୟ ହେଲେ। ଆଖିକୁ ମଳି ପୁନଃ ଗାଡ଼ି ଚଳାଇବାକୁ ପ୍ରୟାସ କରିଲେ କିନ୍ତୁ ଏମିତି ଲାଗୁଥାଏ ସତେ ଯେପରି କେହି ଜଣେ ପଛ ଭାଗରୁ ଗାଡ଼ିକୁ ଭିଡ଼ି ଧରିଛି । ଗାଡି ଝଟକା ମାରି ଅଟକି ଗଲା। ଠିକ୍ ସେହି ସମୟରେ ମୁନୁ ବାବୁଙ୍କ ଘୋର ଚିତ୍କାର ରେ ସମସ୍ତେ ଭୟଭୀତ ହେଇଗଲେ।
: ନାଁ...! ଏମିତି ହେଇପାରିବ ନାହିଁ !
ଅସମ୍ଭବ ..!
ତୁମ ଭଳି ମଣିଷ କଣ ...?
ମୁନୁ ବାବୁଙ୍କ ଘୋର ଚିତ୍କାର ରେ ସମସ୍ତେ ଭୟଭୀତ ହେଇଗଲେ ସତ କିନ୍ତୁ ଅନି ଅପା ସମସ୍ତଙ୍କୁ ସମ୍ଭାଳି ନେଇ କହିଲେ ନାଁ। ବ୍ୟସ୍ତ ହୁଅନି ସେ ବେଳେ ବେଳେ ଏମିତି ଚମକିପଡେ।
ବୋଧ ହୁଏ ସ୍ବପ୍ନ ଦେଖିଛି। ଥକି ଯାଇଛି ପିଲାଟା। କାଲିଠାରୁ ଏକା କି କେତେ ହଇରାଣ ହେଲାଣି। ତୁମେ ମାନେ ବ୍ୟସ୍ତ ହୁଅନି। ଚାଲ ଶୀଘ୍ର ଘରକୁ ଯିବା। ସେପଟେ ସଭିଏଁ ଘରେ ଅନେଇ ବସିଥିବେ।
: ନାଁ..!
ଏମିତି ହେଇପାରିବ ନାହିଁ !
ଅସମ୍ଭବ ..!
ତୁମ ଭଳି ମଣିଷ କଣ ...?
ଏଇ "ଖଣ୍ଡିଆ ହାତ" ତୁମର ହେଇ ନପାରେ ?
ଭାଇ ତୁମେ ମିଛ କହୁଚ୍ଛ ନାଁ ..?
ଦେଖ ଭାଇ ମୋତେ ଡରାନି କହୁଛି ..! ଦେଖ ତୁମର ଝିଆରୀ ପୁତୁରା ଦୁଇଟା ବହୁତ ଛୋଟ। ତୁମେ ଏମିତି ଡ଼ରାଇବ ଯଦି କେମିତି ହେବ କହିଲ ..!
ମୁନୁ ବାବୁଙ୍କ କଥା ଶୁଣି, ଡ୍ରାଇଭର ବାବୁଙ୍କ ଆଖି ବଡ଼ ବଡ ହେଇଗଲା। ସେ ସିଟ ରେ ପରିସ୍ରା କରିସାରିଲେଣି। ଏପଟେ ସାନ ଭାଇ ସୁଟୁ ମଧ୍ୟ ଭୟରେ ଥରୁଛି। ଅନିଅପା ବିଚାରୀ କଣ ବା ଏକା କରିବ। ସେ ଗୋଟେ ଶକ୍ତ ଚାପୁଡ଼ା ଦେଇ କହିଲେ ମୁନୁ..!
ଏ କଣ ପାଗଳାମି।
ତୁ କଣ ପାଗଳ ହେଇଗଲୁ କି ?
ହୋସ ରେ ଆସ ମୋ ଭାଇ ।
ମୁଁ ଜାଣିଛି ତୁ ଭାଇଙ୍କୁ ବହୁତ ଭଲ ପାଉଥିଲୁ। ବହୁତ ସମ୍ମାନ କରୁଥିଲୁ କିନ୍ତୁ ତାଙ୍କର ଦୁଃସମ୍ବାଦ ପାଇ ତୁ ବିଚଳିତ ହୁଅନି ।
ଉଠ...!
ଅନି ଅପାର ଗୋଟେ ଚାପୁଡ଼ା ରେ ନିଦ ଭାଙ୍ଗିଗଲା ସତ।କିନ୍ତୁ ମୁନୁ ବାବୁ କହିଲେ ଡ୍ରାଇଭର ବାବୁ ଗାଡ଼ି କୁ "ୟୁ-ଟର୍ଣ୍ଣ" କର । ଆମେ ସମସ୍ତେ ପୁନଃ ନିରାକାରପୁର ଷ୍ଟେସନ ଯିବା। ଏଇ ହାତଟା ଭାଇଙ୍କର। ଭାଇଙ୍କ ଡେଡ଼ ବଡି ଟା ନିଶ୍ଚିନ୍ତ ମିଳିବ।
: ନାଁ ବାବା ନାଁ...!
ମୁଁ ଆଉ ଯିବିନି ସେଠାକୁ। ବଡ ଭୟଙ୍କର ପରିସ୍ଥିତି। ତୁମେମାନେ ଘରକୁ ଫେରିବ ନାହିଁ ଯଦି ତେବେ ମୁଁ ଗାଡ଼ି ଛାଡ଼ି ଚାଲିଯିବି। କିନ୍ତୁ ସେଠାକୁ ଆଉ ଯିବିନି । ଏଇ ଦେଖନ୍ତୁ ବାବୁ। ଆପଣ ସ୍ବପ୍ନ ଦେଖି ନାହାଁନ୍ତି ଏଇଟା ସତ ଘଟଣା। ମୁଁ ସେହି "ଖଣ୍ଡିଆ ହାତ"କୁ ଅସ୍ପଷ୍ଟ ଭାବେ ମୋ ଗାଡ଼ି ସାମ୍ନାରେ ଦେଖିଛି। ଏଇ ଗାଡ଼ି ଏମିତି ବନ୍ଦ ହୁଏ ନାହିଁ। ଗାଡ଼ିରେ ପେଟ୍ରୋଲ ଅଛି। ଅରଖ ନୂଆ ଗାଡି କିନ୍ତୁ ଝଟକା ଖାଇ ବନ୍ଦ କଣ ପାଇଁ ହେଲା। ଭାଇ ଭୁତ ହୋଇଯାଇଛନ୍ତି। ଏହା ଏକ ଅପମୃତ୍ୟୁ ତେଣୁ ତାଙ୍କ ଆତ୍ମା ଛଟପଟ ହେଉଛି ।
:ଚୁପ୍ କର , ସନିଆ ଭାଇ। ତୁମେ ଯଦି ଗାଡ଼ି ଚଳାଇବ ନାହିଁ ମୋତେ ଦିଅ ଆଉ ପଛ ସିଟ ରେ ଚୁପ୍ ଚାପ୍ ବସି ରୁହ। ମିଛ କାହିଁ କହୁଚ୍ଛ? ସେ " ଖଣ୍ଡିଆ ହାତ" କୁ ଜଗିବା ପାଇଁ ତିନିଟା କନେଷ୍ଟବଳ ସହିତ ଜଣେ ଇନ୍ସପେକ୍ଟର ଅଛନ୍ତି। ସେମାନଙ୍କୁ ଭୟ ଲାଗୁନି ଆଉ ତୁମକୁ । ସେଇ ହାତଟା ମୋ ଭାଇଙ୍କର।
ହଁ .. ହଁ ମୁଁ ନିଶ୍ଚିତ କାରଣ ...
: କାରଣ କଣ ମୁନୁ ..?
: କାରଣ ,ମୁଁ ଏବେ ଭାଇଙ୍କୁ ସ୍ବପ୍ନ ଦେଖିଲି। ଭାଇ ମୋତେ ସବୁ କିଛି କହିଲେ !
: କଣ କହିଲେ ..?
ସଭିଁଙ୍କ ଗୋଟିଏ ପ୍ରଶ୍ନ ଶୁଣି ମିନୁ ବାବୁ କହିଲେ , ଭୟ କରିବ ନାହିଁ ତ ..!
: ନାଁ...! କୁହ...!
ଓକେ ।
ଶୁଣ ତେବେ ...!
ଖୁବ୍ ସୁନ୍ଦର ଥିଲା ସେହି ସକାଳ ଟି। ଶାନ୍ତ , ସରଳ ଓ କମନୀୟ। ଦିବସରେ ନାଁ ଥିଲା କୋଳାହଳ କି ସୂର୍ଯ୍ୟ ଦେବଙ୍କ ଲାଲ ରକ୍ତିମ ରଶ୍ମି। ଚାରିଆଡେ ଅନ୍ଧାର। ଝିପି ଝିପି ହେଇ ବର୍ଷା ପଡୁଥିଲା। ସେଦିନ ଥିଲା ଅଗଷ୍ଟ ମାସ ୨୪ ତାରିଖ। ସକାଳୁ ସକାଳୁ ଖବର ଆସିଲା ଯେ ମାମୁଁଙ୍କ ଝିଅ ଲିଲି ଆଉ ଏଇ ଦୁନିଆଁରେ ନାହିଁ। ଖବର ଟି ଶୁଣି ଖୁବ୍ ଖରାପ ଲାଗିଲା। ଛ' ମାସର ଗର୍ଭବତୀ ସୁନ୍ଦରୀ ଲିଲି ଏମିତି ହଠାତ କିପରି ଚାଲିଗଲା। କିନ୍ତୁ ଖବର ପାଇବାପରେ ସୋଲରି ଯିବାକୁ କିଛି ବ୍ୟବସ୍ଥା ନାହିଁ। ଗାଡ଼ିରେ ଯାଇ ହେବନାହିଁ। ବର୍ଷା ସହିତ ପବନ ହେଉଛି ତେଣୁ ଭାଇ ସ୍ଥିର କରିଲେ ସନ୍ଧ୍ୟା ମାଛ ଗାଡ଼ିରେ ସୋଲରି ଯିବେ ଭଉଣୀ ଘରକୁ ସଙ୍ଖାଳିଵାକୁ। ଘଟଣା ମଧ୍ୟ ସ୍ଥିର ହେଲା। ସେ ଗାଡ଼ିରେ ଚଢ଼ି ଚାଲିଗଲେ। କିନ୍ତୁ ଗଙ୍ଗାଧରପୁର ଷ୍ଟେସନ ରେ ଗାଡି ଅଟକିଗଲା। ଅତ୍ୟଧିକ ବିଳମ୍ବ ପାଇଁ ଗାଡ଼ି ସୋଲରି ଷ୍ଟେସନ ରେ ପହଞ୍ଚିବା ବେଳକୁ ରାତି ପ୍ରାୟ ୯ କି ୧୦ ବାଜିଥିଲା। ବର୍ଷା ସେମିତି ପଡୁଛି। ଛୋଟ ଷ୍ଟେସନ। ଘୋର ଅନ୍ଧକାର। ଲାଇଟ ର ବ୍ୟବସ୍ଥା ନାହିଁ। ପ୍ଲାଟଫର୍ମ ମଧ୍ୟ ନାହିଁ। ଗାଡି ସେଠାରେ ୧ ମିନିଟ ରଖେ। ତାପରେ ତୁରନ୍ତ ଗାର୍ଡ ସାହେବ ହ୍ୟୁସିଲ ମାରି ନୀଳ ବତୀ ଦେଖାଇବା ପରେ ଗାଡ଼ି ତୁରନ୍ତ ଛାଡ଼ିଦିଏ। ସେଥିପାଇଁ ଭାଇ ତରବର ହେଇ ରଙ୍ଗ ସାଇଡ ରେ ଉତୁରି ପଡିଲେ। ରାସ୍ତା ଜଣା ପଡୁନାହିଁ। କିଚିର ମିଚିର ଅନ୍ଧାର। ମୁହଁ କୁ ମୁହଁ ଦେଖା ଯାଉନାହିଁ। ହଠାତ ଗୋଟିଏ ଟ୍ରେନ ସେହି ସ୍ଥାନରେ ପାସ କରିଲା। ଭାଇ ଗୋଟେ ସାଇଡ ରେ ଠିଆ ହେଇଛନ୍ତି କି ଦୃତଗାମୀ ଲୌହ ଦାନବ ତାଙ୍କୁ ଟାଣି ନେଲା ଏବଂ ସେ ତଳେ ପଡିଗଲେ। ତଳେ ପଡ଼ିବା ଦ୍ଵାରା ଟ୍ରେନ ର ଚକାରେ ତାଙ୍କ ଡ଼ାହାଣ ହାତ କଟିଗଲା। ମୁହଁରେ ମାଡ଼ ହେବା ଦ୍ବାରା ମୁହଁରେ ମଧ୍ୟ ଗୋଟେ ବଡ଼କଣା ହେଇଗଲା ଏବଂ ସ୍ପଟ୍ ଉପରେ ତାଙ୍କର ଡେଥ ହେଇଗଲା।
: ଏଇଟା ସତ କି ମନ୍ ଗଢଣ କାହାଣୀ ରେ ?
: ଜାଣିନି ମୁଁ । କିନ୍ତୁ ମୁଁ ସ୍ୱପ୍ନରେ ଦେଖିଲି ଏଇଭଳି କିଛି । ତାପରେ ଭାଇ କାନ୍ଦି କାନ୍ଦି ଆସି ମୋତେ ତାଙ୍କ " ଖଣ୍ଡିଆ ହାତ" ଦେଖାଇ କହୁଛନ୍ତି ଏଇ ଦେଖ ମୁନୁ । ତୋ ଭାଇର କିଭଳି ଅବସ୍ଥା ହେଇଛି। ମୁଁ ମରି ଯାଇଛି ରେ । ଏଇ " ଖଣ୍ଡିଆ ହାତ " ଟା ମୋର। ମୋତେ ଘରକୁ ନେଇ ଚାଲ। ଏଠାରେ ଏମିତି ଛାଡ଼ି ଯାଆନି। ମୋର ବଡି କୁ ମଧ୍ୟ ସେ ଅସଣା ବୁଦୁ ବୁଦିଆ ଝାଡି ମଧ୍ୟକୁ ଗୋଟେ ଅଖାରେ ବାନ୍ଧି ଫୋପାଡି ଦେଇଛନ୍ତି ।
: ଓଃ ମାଇଁ ଗଡ଼।
ତୁ ଗାଁ କୁ ଖବର ଦିଏ। ଆଉ କେଇଜଣ ଏଠାକୁ ଲାଇଟ ନେଇ ଆସନ୍ତୁ। କିଛି ଗୋଟେ ସୁରାକ ଅବଶ୍ୟ ମିଳିବ।
ଆଉ ବେଶୀ ସମୟ ଅପେକ୍ଷା କରିବା ଉଚିତ ମନେକରିଲେ ନାହିଁ ମୁନୁବାବୁ। ସେ ତୁରନ୍ତ ସନିଆ କୁ ଡ୍ରାଇଭର ସିଟ ରୁ ବାହାରିଯିବା କୁ କହିଲେ ଏବଂ ଗାଡ଼ିକୁ ରାମେଶ୍ବର ଠାରେ "ୟୁ - ଟର୍ଣ୍ଣ" କରି ଆଗକୁ ବଢିବାକୁ ଉଦେତ ହେଲେ । ଠିକ୍ ସେହି ସମୟରେ ଇନ୍ସପେକ୍ଟର ବିଜୟ ମାଲହୋତ୍ରାଙ୍କ ଫୋନ୍ ଆସିଲା ...!
: ମୁନୁବାବୁ ...!
ଆପଣ କେଉଁଠି ପାଇଛନ୍ତି ..?
ଆପଣ କଣ ସେ "ଖଣ୍ଡିଆ ହାତ" କୁ ନେଇ ଚାଲିଗଲେ ନାଁ କଣ ?
: ୱାଟ ଏ ନନ୍ ସେନ୍ସ ଟକିଂ ଇନ୍ସପେକ୍ଟର...!
ଆପଣ କଣ ଏମିତି କହୁଛନ୍ତି ବିଜୟ ସାର୍ ।
"ଖଣ୍ଡିଆ ହାତ" ଟା ଆପଣ ଆପଣଙ୍କ କଷ୍ଟଡି ରେ ରଖିଥିଲେ । ଆମେ କିପରି ଜାଣିବୁ ..?
: ବାବୁ , ଆପଣକୁ ମିଛ । ମୋତେ ସତ । ମୁଁ ଏଇ ଟିକିଏ ସମୟ ପୂର୍ବରୁ ସେହି "ଖଣ୍ଡିଆ ହାତ"କୁ ଏଠାରେ ଦେଖିଥିଲି । ମୁଁ ଏହା ଦେଖି ଭୟରେ ପରିସ୍ରା ବି କରିଦେଇଛି ସିଟ ଉପରେ। ତାପରେ ଗାଡ଼ି ହଠାତ ଝଟକା ମାରି ବନ୍ଦ ହେଇଗଲା। ତାପରେ ଆପଣ ନିଦରେ ଏମିତି ସ୍ବପ୍ନ ଦେଖିଲେ । ଏକା ସାଙ୍ଗରେ ଏତେ ଗୁଡ଼ିଏ Considencey (ବିବେଚନାପୂର୍ଣ୍ଣ ) ସମ୍ଭବ ନୁହେଁ। ମୋର ପିଲା ଛୁଆର ସଂସାର ବାବୁ। ମୋତେ କ୍ଷମା କର। ଆପଣଙ୍କ ଭାଇ ଏବେ...!
: ଚୁପ୍।
ଚୁପ୍ ଚାପ୍ ବସ ସନିଆ ଭାଇ।
ଡ୍ରାଇଭର ସନିଆ ର ଆପାଦମସ୍ତକ ଥରି ଉଠୁଥିଲା। ସେ ସ୍ୱପ୍ନରେ ସୁଧା କଳ୍ପନା କରିନଥିଲେ ଯେ ବଡ଼ ଭାଇଙ୍କ ଏଭଳି ଅବସ୍ଥା ହେବ। ତାଙ୍କ ଆତ୍ମା ଏକ ଅତୃପ୍ତ ଆତ୍ମା ହେଇ ଘୁରି ବୁଲିବ ମୋକ୍ଷ ପାଇଁ। ସେ ଚୁପ୍ ଥିଲେ। ଗାଡି ଧିରେ ଧୀରେ "ୟୁ - ଟର୍ଣ୍ଣ" ନେଇ ପୁନଃ ପହଁଚିଗଲା ନିରାକାରପୁର ଷ୍ଟେସନ ରେ। ସେତେବେଳକୁ ଅନେକ ବନ୍ଧୁ ବାନ୍ଧବଙ୍କ ସହିତ ଇନ୍ସପେକ୍ଟର ପ୍ରଧାନ ମଧ୍ୟ ସେଠାରେ ପହଞ୍ଚି ଛାଣ୍ଟଭିନ କରୁଛନ୍ତି।
ବର୍ଷା ଥମିଯାଇଛି। ଶୀତୁଆ ପବନରେ ଦେହ ଥରି ଉଠୁଛି । ସମସ୍ତଙ୍କ ଆଖି କେନ୍ଦ୍ରିତ ହେଇଛି ଯେ ପ୍ରକୃତରେ "ଖଣ୍ଡିଆ ହାତ" ଗଲା କୁଆଡେ ? ଠିକ୍ ସେହି ସମୟରେ ଘଟଣା ସ୍ଥଳରେ ପହଞ୍ଚିଲେ ମୁନୁବାବୁ , ଅନି ଅପା , ସାନଭାଇ ଓ ଡ୍ରାଇଭର ସନିଆ। ଠିକ୍ ସେହି ସମୟରେ ଗୋଟିଏ ବିଲୁଆ ହୁକେ ହୁ ଶବ୍ଦ କରି ବୁଦା ଅଢୁଆଳ ରୁ ବାହାରି ଆସିଲା ।
ବୁଦା ଅଢୁଆଳ ରୁ ବିଲୁଆ ବାହାରିବା ଦେଖି ସମସ୍ତେ ଭୟରେ ସେହି ଦିଗକୁ ଟର୍ଚ୍ଚ ମାରି ଦେଖିଲେ ଯେ ଏକ ସୁତୁଲି ଚିନି ଅଖା ମଧ୍ୟରେ କିଛି ବନ୍ଧା ହେଇ ପଡ଼ିଛି ।
ଇନ୍ସପେକ୍ଟର ବିଜୟ ମାଲୋହୋତ୍ରା ଙ୍କ ସହିତ ମୁନୁବାବୁ ସେ ସନ୍ଦିଗ୍ଧ ସ୍ଥାନକୁ ଗଲେ ଏବଂ ସେହି ଅଖା କୁ ଖୋଲି ଦେଖିଲା ବେଳକୁ "ଖଣ୍ଡିଆ ହାତ" ହଠାତ ବାହାରକୁ ଛିଟିକି ପଡିଲା। ବିଷ୍ମୟର ସହିତ ସଭିଏଁ ସେହି ହାତକୁ ଦେଖୁଛନ୍ତି କି ସାନଭାଇ ସୁଟୁ କହିଲା , ଭାଇ ଏଇଟା ନନାଙ୍କ ଗୋଡ଼ । ଏଇ ଦେଖ ତାଙ୍କ ଆଣ୍ଠୁରେ ଧଳା ଛଉ ।
।ସମାପ୍ତ ।
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

