Sukanti Mohanty

Abstract

4  

Sukanti Mohanty

Abstract

ବାପାଙ୍କ ଅପେକ୍ଷାରେ ଡଃ ସୁକାନ୍ତି

ବାପାଙ୍କ ଅପେକ୍ଷାରେ ଡଃ ସୁକାନ୍ତି

3 mins
401



ସେ ଦିନ କେତେ ତାରିଖ ହୋଇଥିଲା ମନେ ନାହିଁ। କଲେଜରୁ ଫେରି ଦେଖିଲି ଘରେ ବାପା ନାହାନ୍ତି। ବୋଉ କହିଲା ବାପା ଯାଇଛନ୍ତି ଭଉଣୀ ର ବାହାଘର ପ୍ରସ୍ତାବ ଦେଖି। ଆଶ୍ଚର୍ୟ୍ଯ ହୋଇଗଲି। କିଛି ବି ଜଣା ଶୁଣା ନ ଥିଲା। କୋଉଠୁ କେମିତି ହଠାତ୍ ପ୍ରସ୍ତାବ ଆସିଲା। ବାପା ଚାଲି ଗଲେ। ପୁଣି ଆମେ ଝିଅ ଘର। ପୁଅ ଘର ଆଗ ଆସିଥିଲେ ଆମେ ଯାଇ ଥାଆନ୍ତେ। କିନ୍ତୁ।

ବୋଉ କୁ ପଚାରୁ ପଚାରୁ ବୋଉ ଗାଇ ଗଲା ସବୁତକ ଏକ ନିଶ୍ଵାସ ରେ। ବୋଉ ଟା ଆମର ଅତି ସରଳ। ଆମ ମାନଙ୍କ କଥା ଯେତିକି ବିଶ୍ବାସ ନ ଥାଏ ବାହାର ଲୋକଙ୍କ କଥାକୁ ବେଦର ଗାର କରିଥାଏ।

କହିଲା -", ସେ ଯେଉଁ ହରିପୁରର ଲୋକ ମଧ୍ୟସ୍ଥି କାମ କରୁଛି ସେଇ ଲୋକ ବାପା ଙ୍କୁ ନେଇଛି। ଗୋଟିଏ ପୁଅ। ଅଚଳାଚଳ ସମ୍ପତ୍ତି। କମ୍ପାନୀ ଚାକିରି କରିଛି। ଜାନି ଯୌତୁକ କିଛି ନେବେନି। ଭଲ ପ୍ରସ୍ତାବ। ସଙ୍ଗେ ସଙ୍ଗେ ଯିବାକୁ କହିଲା। ଏମିତି ଭଲ ପ୍ରସ୍ତାବ ଆମ ଶାନ୍ତି ପାଇଁ କୋଉଠୁ ମିଳିବ।"।

ତା ହେଲେ ବୋଉର ଏସବୁ ଯୋଜନା। ଟିକିଏ ଚିନ୍ତା କରି ପାରିଲାନି। ଏଡେ ବଡ଼ ଲୋକ। ତାକୁ କଣ ପ୍ରସ୍ତାବ ମିଳୁନି। ଶାନ୍ତି ଅପା ଆମର ମେଟ୍ରିକ୍ ଫେଲ। ରଙ୍ଗ ମଧ୍ୟ ଶାବନା। ଅବଶ୍ୟ ଗୁଣର ଝିଅ। କାମ ଦାମ ରେ ଧୁରନ୍ଧର। ବ୍ୟବହାର ଚାଲି ଚଳନ ଖୁବ୍ ପରି ମାର୍ଜିତ। କିନ୍ତୁ ଏ ଯୁଗର ଏ ସବୁ ପଛ। ଆଗ ସୁନ୍ଦର। ଚାକଚକ୍ୟ। ପଇସା ପତ୍ର। ଆମର ମଧ୍ୟବିତ୍ତ ପରିବାର ସହ ତାଙ୍କ କାନ୍ଧ ପଡ଼ିବନି। ବୋଧ ହୁଏ ବାପା ଫସି ଗଲେ। ବୋଉ କହୁଥିଲା ବାପା ଟଙ୍କା ଦୁଇ ତିନି ହଜାର ଧରିଛନ୍ତି। ତେଣୁ ମୋର ଅନୁମାନ ଠିକ୍ ହୋଇ ଗଲା। ଏମିତି କେତେ ଦଲାଲ ଅଛନ୍ତି। କେତେ ପ୍ରକାର ଠକ ଅଛନ୍ତି। କିଏ କେଉଁ ଉପାୟ ରେ ରୋଜଗାର ପନ୍ଥା ଅବଲମ୍ବନ କରନ୍ତି।

ଏ ଲୋକ ବାପାଙ୍କୁ ଠକିବ ଆଉ ହଇରାଣ କରିବ। ଏଇ ଆଶଂକାରେ ଆମେ ସମସ୍ତେ ରହିଲୁ। ବୋଉ ଏ ପର୍ଯ୍ୟନ୍ତ ତା ମୁଣ୍ଡକୁ କଥା ଟା ନେଇ ନ ଥିଲା। ଯେତେବେଳେ ମୋ ଠାରୁ ଏ କଥା ଶୁଣିଲା ଖାଲି କାନ୍ଦିଲା। ଠାକୁରାଣୀ ପାଖରେ ଅଧିଆ ପଡ଼ିଲା ପରି ପଡ଼ି ରହିଲା। ଆମେ ବାପାଙ୍କୁ ଅପେକ୍ଷା କରି ରହିଲୁ। ଠାକୁରଙ୍କୁ ଡାକିଲୁ। ଦିନ ଯାଇ ସନ୍ଧ୍ୟା ହେଲା। ତା ପରେ ରାତି। ଆଜିକାଲି ପରି ଫୋନ୍ ସୁବିଧା ନ ଥିଲା। କେମିତି ବୁଝିବୁ ଖବର। ରାତି ଗଭୀର ରୁ ଗଭୀରତର ହେଲା। ଘରେ ଖିଆ ପିଆ ନାହିଁ। କେବଳ କାନ୍ଦ ବୋବାଳି। ତୁଣ୍ଡ ବାଇଦ ସହସ୍ର କୋଶ। ସାଇ ପଡ଼ିଶା ଜାଣିଲେ। ଏମିତି ହେଉ ହେଉ ଗାଁ ସାରା ଜାଣିଲେ। ଯାଇଛନ୍ତି ବରଘର ଦେଖି ଏ କଥା ସମସ୍ତେ ଜାଣି ଥିଲେ ମାତ୍ର ଏତେ ରାତି ଯାଏଁ ଆସି ନାହାଁନ୍ତି ଜାଣି ନ ଥିଲେ। ଗାଁ ରେ ବି ଲୋକ ମାନେ ବ୍ୟସ୍ତ ହୋଇ ପଡ଼ିଥିଲେ।।ରାତି ସାରା ବୋଉ ଦାଣ୍ଡ କୁ ଘର ଖାଲି ହେଉଥାଏ। ଠିକ୍ ସାଢ଼େ ଦୁଇଟା ବେଳକୁ ଖୁବ୍ କ୍ଷୀଣ ସ୍ଵରରେ ଦୁଆରେ ଶୁଭିଲା "ଝିଅ ଲୋ"।ସମସ୍ତେ ଦୌଡ଼ି ଗଲୁ। ଦେଖିଲୁ ବାପା ଅଚେତ ଅବସ୍ଥାରେ ପଡ଼ିଛନ୍ତି।ବୋଉ ଉରଡି ଛାଡିଲା।ମୁଁ ପାଣି ଆଣି ମୁହଁରେ ସିଞ୍ଚିଲି।ବାପା ଟିକେ ଆଖି ଖୋଲିଲେ।ମୋତେ ଧରି କେଵଳ ଭୋ ଭୋ କାନ୍ଦିଲେ।ବୋଉ ବ୍ୟସ୍ତ ହୋଇ ପଚାରି ପକାଉଥାଏ "କଣ ହେଲା"। ତାକୁ ଚୁପ ହେବାକୁ ଇସାରା ଦେଇ ବାପାଙ୍କୁ ନେଇ ଶୁଆଇଦେଲୁ।

 ସକାଳ ହେଲା।ବାପା ସବୁ ଗୋଟି ଗୋଟି କରି କହି ପକାଉଥିଲେ।-,ସେ ଲୋକ ଭୁବନେଶ୍ୱର ବସରେ ନେଇଗଲା।ବାଟରେ ଗୋଟିଏ ଜାଗାରେ ଓଲ୍ହାଇ ପଡିଲା।କେତେ ବାଟ ଚାଲି ଚାଲି ଗଲେ ଦୁହେଁ।ଗୋଟିଏ ନିଛାଟିଆ ଜାଗାରେ ହାଲିଆ ହୋଇ ବସି ପଡିଲେ।ଦୂରରେ ଦେଖା ଯାଉଥିଲା କିଛି ଘର।ସେଇ ଘରକୁ ଦେଖେଇ ପୁଅ ଘର ବୋଲି କହିଲା।ଟଙ୍କା କେତେ ପାଖରେ ଅଛି ପଚାରି ବୁଝିଲା।ତା ପରେ ସେ ଘର ଆଡ଼କୁ ଚାଲି ଚାଲି ଗଲେ ସନ୍ଧ୍ୟା ହୋଇ ଯାଇଥିଲା।ଗୋଟିଏ gate ପାଖରେ ଠିଆ ହୋଇ ଗୋଟିଏ ପିଲାକୁ ଡାକିଲା ବବୋଧ ହୁଏ ସେ ପିଲା ସେ ଘରର ଚାକର।

କ୍ରମଶଃ ରାତି ହୋଇ ଆସିଲା।ବାପାଙ୍କ ପାଖକୁ ଯାଇ ଅପେକ୍ଷା କରିବାକୁ କହିଲା।କାରଣ ପୁଅ ଓ ପୁଅ ବାପା ଏଇ ବଜାର ଆଡ଼େ ଯାଇଛନ୍ତି କହିଲା।ଟଙ୍କା ତକ ଦେଇ ଦିଅ ମାଗିଲା।ମନା କରିବାରୁ ବାପାଙ୍କୁ ଦୁଇ ଚାପଡା ମାରିଲା।ବାପାଙ୍କ ଠାରୁ ଟଙ୍କା ତକ ଛଡେଇ ନେଇ ଗଲା।ସେଇଠି ବାପାଙ୍କର ସନ୍ଦେହ ହେ ଲା ଯେ ଠକ ଲୋକ ବୋଲି। ଟଙ୍କା ଯାଉ ପଛେ ଜୀବନତ ରହିଗଲା।କେତେ ରାତି ହେବ ଜଣା ପଡୁ ନ ଥିଲା।ବାପାଙ୍କ ହାତରେ ଥିବା ଘଣ୍ଟା ଆଉ ମୁଦି ଛଡେଇ ନେଇ ଯାଇଥିଲା। ଭଗବାନଙ୍କୁ ଡାକିବା ଛଡ଼ା ଆଉ ଉପାୟ ନ ଥିଲା। 


ଠିକ୍ ଏତିକି ବେଳେ ଗୋଟିଏ ଟ୍ରକ ଆସିଲା। ବାପା ହାତ ଦେଖେଇଲେ। ପ୍ରଭୁ ବୋଧହୁଏ ଆମ ମାନଙ୍କର ଡାକ ଶୁଣିଲେ। ବାପା ସବୁକଥା ଡ୍ରାଇଭରକୁ କହିଲେ। ବିଚରା ଡ୍ରାଇଭର ସାହାର୍ଯ୍ୟ କଲା। ଟଙ୍କା ପଇସା କିଛି ନାହିଁ। ସକାଳୁ କିଛି ଖାଇ ନାହାନ୍ତି ଶୁଣି ତାଙ୍କୁ ସେ ଟ୍ରକ୍ ରେ ବସାଇ ଆଣିଲେ। ବାଟରେ ଗୋଟିଏ ଢାବାରେ ଖୁଆଇଲେ।ପାଖ ସହରରେ ଓହ୍ଲାଇ ଦେଇ ତାର ସେ ଗନ୍ତବ୍ୟ ସ୍ଥଳକୁ ଚାଲିଗଲା।


ଯେଉଁ ସହରରେ ଛାଡ଼ିଲା ସେଠାରୁ ଘର ପ୍ରାୟ ତେର କିଲୋ ମିଟର।ଅନ୍ଧାର ରାତିରେ ବାପା ଠାକୁରଙ୍କୁ ଡାକି ଡ଼ାକି ଚାଲି ଚାଲି ଆସିଲେ। ଆମ ପ୍ରତୀକ୍ଷାର ଅନ୍ତ ହେଲା। ସେ ଦିନ ମୋ ବୋଉ ଠାକୁରଙ୍କୁ ଯେତିକି ମୁଣ୍ଡିଆ ମାରିଛି ସେତିକି ସେ ଲୋକକୁ ଗାଳି କରିଛି। ମୋ ମୁଣ୍ଡକୁ ଆଉଁସି ଦେଉ ଦେଉ କହି ପକାଇଲା "ତୁ କେଡ଼େ ସର୍ବଜ୍ଞ। ଜାଣିଲା ପରି ସବୁ କହି ଥିଲୁ"

ଜନ୍ମ ଦାତା ସେ। ହାତ ଧରି ଠୁକୁ ଠୁକୁ ଚାଲି ଶିଖେଇ ଛନ୍ତି। ଦୁନିଆଁ ର ଆଲୋକ ଦେଖେଇ ମଣିଷ କରିଛନ୍ତି। ତାଙ୍କର ଟିକେ ଅସୁବିଧା ହେଲେ ପିଲା ମାନେ ସହଜରେ ଗ୍ରହଣ କରି ପାରିବେନି। ତାଙ୍କ ବାଟକୁ ଚାହିଁ ରହିଥିବେ ଠିକ୍ ଯେମିତି ଆମେ ଚାହିଥିଲୁ ଆମ ବାପାଙ୍କ ବାଟକୁ।



Rate this content
Log in

Similar oriya story from Abstract