Sukanti Mohanty

Others

3  

Sukanti Mohanty

Others

ସଫେଇ ବାଲାର ଇତିତବୃତି

ସଫେଇ ବାଲାର ଇତିତବୃତି

4 mins
136


ସକାଳୁ ସକାଳୁ ଦାମ ଆସି ଦାଣ୍ଡରେ କହିଲା ସଫେଇ ବାଲାଟା ମରିଗଲା। ଦାଣ୍ଡ ଦୁଆରେ ମୁଁ ଖବର କାଗଜ ପଢ଼ୁଥିଲି। କାଗଜ ଉପରୁ ଆଖି ଫେରେଇ ଆଣି ଦାମ ଆଡ଼କୁ ଟିକେ ଚାହିଁଲି। କହିଲା -

"କକେ଼ଇ! ସଫେଇ ବାଲାଟା କାଲି ରାତିରେ ଚାଲିଗଲା। ତା ଘର ଦୁଆର ପାଖରେ ପଡ଼ିଛି।"

" ଆରେ ଦାମ! ଗାଁ ର କାହାକୁ କାହାକୁ ଡ଼ାକି ତାର ଶବ ସତ୍କାର କରିବାକୁ ହେବ। ମୁଁ ଯାଉଛି। ତୁ ଯାଆ ଡକା ଡକି କରିବୁ।"

ଦାମ ଟା ଚାଲିଗଲା। ସତରେ ତାର କିଏ ଆଉ ଅଛି ଯେ? ତାକୁ ଆମ ଗାଁ ଲୋକ ମାନେ ମଶାଣି ଭୂଇଁକୁ ନେବେ।

ସଫେଇ ବାଲା। ତା ନାଁ ଯାହା ହେଇ ଥାଉ ପିଲା ଠାରୁ ବୁଢ଼ା ଯାଏଁ ସମସ୍ତେ ଡାକନ୍ତି ସଫେଇ ବାଲା। ସକାଳ ହେଲେ ଗାଁ ସାରା ଝାଡୁ କରି ପରିଷ୍କାର ପରିଚ୍ଛନ୍ନ ରହିବା ତାର ପ୍ରଥମ କର୍ତ୍ତବ୍ୟ। ଏଥିପାଇଁ ସେ କାହା ପାଖରୁ ବେତନ ପାଏ ନାହିଁ। ସେ କହେ ତାର ଏଥିରେ ଖୁସି। ଆତ୍ମ ସନ୍ତୋଷ ମିଳେ।

ମୁଁ ପିଲା ବେଳୁ ତାକୁ ଦେଖି ଆସିଛି ଏଇମିତି ସେ ଦୁଆର ଦୁଆର ବୁଲି ସଫେଇ କରି ଆସୁଛି। ତା ନାଁ କଣ କେହି ତାକୁ ପଚାରି ନାହାନ୍ତି। ତାର ଘର, ଗାଁ ମଧ୍ୟ କିଏ ଠିକ୍ ରେ ଜାଣି ଥିବେ କି ନାହିଁ କେଜାଣି। ବାପା କୁହନ୍ତି। ସେ କୁଆଡେ଼ ତାର କିଶୋର ବୟସରୁ ଏ ଗାଁକୁ ଆସିଥିଲା। ଏ ଗାଁ ଦାଣ୍ଡ ଝାଡୁ କରିବା ଆରମ୍ଭ କରିଥିଲା। ଏଥି ପାଇଁ ସେ କାହାଠାରୁ ପାରିଶ୍ରମିକ କିଛି କେବେ ମାଗିନି। ହୁଏତ ସେତେବେଳେ ତା ବିଷୟରେ କେହି କିଛି ବୁଝି ଥିବେ। ମୋ ବାପା ତାକୁ ଡାକୁଥିଲେ ସଫେଇ ବାଲା। ମୁଁ ବି ସେୟା ଡାକୁଛି। ଆଉ ମୋ ପୁଅ ବି ସଫେଇବାଲା ଡାକୁଛି।

କାହାକୁ କେବେ ମୁହଁ ଖୋଲି କିଛି ମାଗିବାର ନଜିର ଆସିନି। ପ୍ରଥମେ ପ୍ରଥମେ ସେ ସଫେଇ କରି ସରିଲା ପରେ ପରେ ଯିଏ ଯାହା ଦେଲା ତାକୁ ଖାଇଦେଇ କାହା ଦାଣ୍ଡ ପିଣ୍ଡାରେ ଶୋଇ ପଡେ। ଯୁବକ ହେଲା ପରେ ମଧ୍ୟ ସେହିପରି ସେ ପିଣ୍ଡା ତାର ଭରସା। ଗାଁ ଲୋକେ ବିଚାର କରି ଗାଁ ମୁଣ୍ଡରେ ଥିବା ସରକାରୀ ଜାଗାରେ ବଖରାଟିଏ ଚାଲ ଘର ତିଆରି କରିଦେଲେ। ସେଇ ଘରେ ସେ ରହି ଆସୁଛି। କେତେ ବୟସ ତାକୁ ହେବ କେହି ନ କହି ପାରିଲେ ମଧ୍ୟ ଅନୁମାନ କରୁଚି ବୋଧ ହୁଏ ଅଶି ବର୍ଷ ଟପି ଯିବଣି। କିନ୍ତୁ ଏବେ ବି ସେ ଆଗ ପରି ସଫେଇ କରି ଆସୁଥିଲା।

କେବେ ସେ ଚୁଲି କରି ହାଣ୍ଡି ଟିଏ ବସେଇ ନାହିଁ। କିନ୍ତୁ ତାର ଖାଇବା ଅଭାବ ହୁଏନି। ଗାଁର ସମସ୍ତେ ତାକୁ ଖାଇବା ନେଇ ଦିଅନ୍ତି। କାହାର ପୁରୁଣା ଲୁଗା ପଟା ଥିଲେ ତାକୁ ମଧ୍ୟ ଦିଅନ୍ତି। କେହି କେହି ନୂଆ ଦିଅନ୍ତି। ବଡ଼ ଉପକାରୀ ମଣିଷ ଟିଏ। ଦେହ ପା ହେଲେ ଗାଁ ଲୋକେ ଔଷଧ ପତ୍ର ଆଣି ଦିଅନ୍ତି। ଦରକାର ବେଳେ ଡ଼ାକ୍ତଖାନାକୁ ନେଇ ଦେଖାନ୍ତି। ବଡି ଭୋରରୁ ଉଠି ସଫେଇ କରିବା ତାର ନିତି ଦିନିଆ କାମ।

ଦାଣ୍ଡରେ ପିଲା ମାନେ ଖେଳିଲା ବେଳେ ସେ ମଧ୍ୟ ପିଲାଙ୍କ ସାଙ୍ଗରେ ଖେଳେ। କାହାକୁ କାନ୍ଧରେ କାହାକୁ ପିଠିରେ ବୋହି କେତେ ପ୍ରକାର ଖେଳ ଖେଳେ। ପିଲାମାନେ ଘରେ ଅଳି ଅଝଟ କଲେ ସଫେଇ ବାଲା ଡାକୁଛି କହି ଦେଲେ ସେ ଅଳି ଅଝଟ ସବୁ ବନ୍ଦ ହୋଇ ଯାଏ।

ଘରେ ମାଆ ମାନେ ପିଲାଙ୍କୁ ଦାଣ୍ଡକୁ ଛାଡ଼ି ଦେଲେ ସଫେଇ ବାଲା ଅଛି ଯଦି ତାଙ୍କର ଚିନ୍ତା ନାହିଁ।

ବିବାହ ବ୍ରତ ସାମାଜିକ କାର୍ଯ୍ୟରେ ସଫେଇ ବାଲାକୁ ଖୋଜିବାକୁ ପଡେନି। ଆପେ ଆପେ ଯାଇ କାମରେ ଲାଗି ପଡ଼େ। ଖଲି ଉଠେଇବା ଠାରୁ ଆରମ୍ଭ କରି ପାଣି ବୋହିବା ଯାଏଁ ସବୁ କାମ ନିଜେ ନିଜେ ସବୁ କରି ପକାଏ। ଗାଁରେ ମେଳା ମଉଛବ ହେଲେ ସଫେଇ ବାଲା ଅଛି ଯଦି କିଛି ଚିନ୍ତା ନାହିଁ। କାମ ସରୁ ସରୁ ରାତି ଅନିଦ୍ରା ହୋଇ ସଫା ସୁତୁରା କରି ଦେବ। ଗାଁ ଟା କେତେ ବେଳେ ଅପରିଷ୍କାର ରହିବାର କେହି ଦେଖି ନାହାନ୍ତି। ତାକୁ ଯଦି କେବେ କେହି ପଚାରନ୍ତି ସେ କୁହେ "ପରିବେଶ ସଫା ରହିଲେ ଆମେ ସୁସ୍ଥ ରହିବା। ଅପରିଷ୍କାର ରହିବା ଭଲ ନୁହେଁ "।

ବଡ଼ ଉପକାରୀ ଲୋକଟିଏ । କେବଳ ସଫେଇ କାମ ନୁହେଁ ସୁବିଧା ଅସୁବିଧାରେ ପାଖରେ ଯାଇ ଠିଆ ହୁଏ। କିଏ ଡାକ୍ତରଖାନା ଗଲେ ସାଙ୍ଗରେ ଯାଇ ରହେ। ରାତି ରାତି ଅନିଦ୍ରା ରହି ସେବା ଶୁଶ୍ରୁଷା ବି କରେ। କିନ୍ତୁ ଆଜି ସେ ମରି ପଡ଼ିଛି। ଉପକାର କରନ୍ତୁ ନ କରନ୍ତୁ ପ୍ରତ୍ତିପତିଶାଳୀ ବ୍ୟକ୍ତି ଟିଏ ମରିଗଲେ ଖବର କାଗଜ ବାଲା ମାନେ କେତେ କଥା ବଢ଼େଇ ଚଢ଼େଇ ଲେଖି ଦିଅନ୍ତି। ଓକିଲ ମାନେ କଳାକୁ ଧଳା କରନ୍ତି କିନ୍ତୁ ଆଜିକାଲି ଏ ମିଡ଼ିଆ ବାଲା ମାନେ କଳାକୁ ଧଳା ନାଲି ନେଳି ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗେଇ ଦିଅନ୍ତି। କିନ୍ତୁ ବିଚାରା ସଫେଇ ବାଲା ପରି କେତେ କେତେ ଲୋକ ଏମିତି ଏ ସମାଜରେ ନିତି ଦେଖା ଯାଆନ୍ତି କିନ୍ତୁ ପଦୁଟିଏ ହେଲେ କିଛି ଲେଖନ୍ତି ନାହିଁ।

ଏତେ ଦିନ ଏଇ ଏକ ବଖୁରିଆ କୁଡ଼ିଆ ଖଣ୍ଡୁକରେ ପଡ଼ି ରହିଲା କିନ୍ତୁ କାହାର ଦୃଷ୍ଟି ପଡିନି ସଫେଇବାଲା ଉପରେ। ଇନ୍ଦିରା ଆବାସ ଖଣ୍ଡେ ବିଚାରା ପାଇଥିଲେ ହୁଏତ ସେ ଅନ୍ଧାର ଘରୁ ବାହାରି ଆସି ଆଲୁଅ ଟିକିଏ ଦେଖି ଥାଆନ୍ତା। କ୍ଳବ୍ ପିଲା ମନେ ଗୋଟିଏ ଆଲୋକର ବନ୍ଦୋବସ୍ତ କରି ଦେଇଥିଲେ। ତଥାପି ଅଭିଯୋଗ ନାହିଁ କି ପ୍ରତିବାଦ ନାହିଁ। ତାର କର୍ତ୍ତବ୍ୟ ସେ କରି ଚାଲିଥିଲା।

ସମସ୍ତଙ୍କ ମନୋବୃତ୍ତି ସମାନ ନୁହେଁ। ଗାଁର ସରୋଜ ମିଶ୍ର ବିଦେଶରେ ରହନ୍ତି। ସେ ବର୍ଷକୁ ଥରେ ଗାଁ କୁଆସନ୍ତି। ଏଇ ସଫେଇ ବାଲା ପାଇଁ ଲୁଗା, ସାର୍ଟ, ଚପଲ ଇତ୍ୟାଦି ଆଣି ଦିଅନ୍ତି। କିଛି ଟଙ୍କା ମଧ୍ୟ ଦିଅନ୍ତି ଖର୍ଚ୍ଚ କରିବାକୁ। ସେଇ ଟଙ୍କାକୁ ସେ ଛୋଟ ଛୋଟ ପିଲାଙ୍କ ପାଇଁ ଚକୋଲେଟ୍ କିଣି ଆଣି ଦିଏ। ଗାଁର ଯଦି କେହି ବି କିଛି ଟଙ୍କା ପଇସା ଦିଅନ୍ତି ନେବାକୁ ମନା କରେ। ଯଦି ଜବରଦସ୍ତ କରି କିଏ ଦିଏ ଏଇ ଛୋଟ ପିଲାଙ୍କ ପାଇଁ ସବୁ ଖର୍ଚ୍ଚ କରିଦିଏ। ଉଦାର ହୃଦୟୀ ମଣିଷ ଟିଏ। ସ୍ନେହ ମମତାର ପଟାନ୍ତର ନାହିଁ। ଛୋଟ ପିଲାଙ୍କୁ ଆଦର ଯତ୍ନ କରିବାରେ ହେଳା କରେନି।

ଆଜି ଏ ଗାଁ ସଫେଇ ହୋଇନି। ଗାଁ ସାରା ଲୋକ ସେଇ ସଫେଇବାଲା ଦୁଆରେ ରୁଣ୍ଡ ହୋଇଛନ୍ତି। କାହା ଆଖିରେ ଲୁହ ରହୁନି। ତାର ଗୁଣକୁ ସମସ୍ତେ ଯିଏ ଯାହା ଜାଣିଛି ବର୍ଣ୍ଣନା କରୁଛନ୍ତି। ସଫେଇରେ ତାର ଥିଲା ଆନନ୍ଦ ଆଉ ଆଗ୍ରହ।



Rate this content
Log in