STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ବାପା

ବାପା

2 mins
145

ଛାଇ ଛାଇ ନିଦଟା ଟିକେ ବହଳ ହୋଇ ଆସିବା ବେଳକୁ ଦୁଆରେ ଖଟ ଖଟ ଶବ୍ଦ ସହିତ ରେବାରେ ରେଵାରେ ଡାକରେ ଦୌଡ଼ିଗଲି। କବାଟ ଫିଟାଇ ମୋ ବାପାଙ୍କୁ ତୃତୀୟ ରଜ ରେ ଦେଖି ଏତେ ଖୁସି ହୋଇଗଲି କହିବାକୁ ଭାଷା ପାଉନି। ମୁଣ୍ଡିଆ ଟିଏ ମାରି ପିଠା ଖାଇବ ଆସ ବାପା। ପାନ ବି ରଖିଛି ଆସ ଆସ ଦେଖିବ ମୋ ଘର, ମୁଁ ଏବେ ଉପରେ ରହୁଛି ପରା, ତୁମେ ତ ଦେଖିନ, ଆସ ଆସ।

    ବାପା ବାରଣ କଲେ, ମାଆ ଉପରକୁ ମୁଁ ଯାଇପାରିବିନାହିଁ। ବହୁତ କଷ୍ଟରେ ଆସିଛି ନାରଦ ମୁନିଙ୍କ ସଙ୍ଗରେ। ଝିଅ ତାଙ୍କୁ ଜପ କରେ ଦେଖିବୁ ଏ କଳି ଯୁଗରେ ଘରେ ଘରେ କଳି ଭିତରେ ବି ତୁ ଶାନ୍ତିରେ ରହିବୁ ମାଆ। ଆଉ ଗୋଟେ କଥା ତତେ କହିବି ବୋଲି ଆସିଛି ମାଆ, ଗତକାଲି ରଜ ସଂକ୍ରାନ୍ତରେ ତୁ ମତେ ବହୁତ ମନେ ପକାଉଛୁ। ମୁଁ କିମିତି ଘର ସବୁ ବାହାରୁ ଚକ୍ ଖଡିରେ ଗାର ପକାଏ, ସର୍ପ ଭୟ ନରହିବା ପାଇଁ ଆସ୍ତିକ୍ ଆସ୍ତିକ ଡ଼ାକି ଘର ବାହାର କୋଉଠି ଜାଗା ନଛାଡି ମୁଣ୍ଡୁଳା ବୁଲାଇବା ସହ ପୁଜା ପରେ ପରେ ସିନ୍ଦୁର ଘିଅରେ ଗୋଳେଇ ଚନ୍ଦନ ସହିତ ସବୁ ଦ୍ଵାର ରେ ଓଁ ଲେଖି ଜଳ ଦାନ କରେ ଇତ୍ୟାଦି ସବୁ ମନେପକାଉଥିଲୁ ନା ?

   ହଁ ବାପା ହେଲେ ତୁମେ ଏତେସବୁ କଥା କେମିତି ଜାଣିଲ ?ମୁଁ ପରା ପିତୃପୁରୁଷ ହୋଇ ଗଲିଣି ମାଆ, ମୁଁ ସବୁ ଜାଣେ, ଆଉ ଏକଥା ବି ଜାଣେ ଯେ ତୋ ଦେହ ମନ ଭଲ ରହୁନଥିବାରୁ, କାମଦାମ, ପୂଜା ପଦ୍ଧତି, ଜଣାଣ ବୋଲା ସବୁଥିରେ ହେଲା କରୁଛୁ, ଆଉ ଗୋଟିଏ କଥା ମାଆ, ଏବେ ତୁ ଆଗପରି ପ୍ରତ୍ୟେକ ପିତୃପୁରୁଷଙ୍କ ନାମ ନେଇ ଭୋଗ ପୂଜା କରୁନୁ, କରିବୁ ମାଆ, ଭୁଲିବୁନି, ଦେଖୁନୁ ତୋ ଆଈ ତୋ ନାତୁଣୀ ହୋଇ ତୋ ଝିଅ କୋଳକୁ ଆସିଛନ୍ତି, ଆଉ ମୁଁ ତୋ ପୁଅର ପୁଅ ହୋଇ ଆସିବି ମାଆ। ତମେ ସତ କହୁଚ ବାପା କହି ବାପାଙ୍କୁ କୁଣ୍ଢେଇ ପକାଇଲା ବେଳକୁ ସେ ଘୁଞ୍ଚିଗଲେ। ମନ ଦୁଃଖରେ କହିଲି ମୁଁ ଆଉ ପାରୁନି ବାପା, ସବୁ ପାରିବୁ ମାଆ,ଧନନ୍ତ୍ଵରି ମହାପ୍ରଭୁଙ୍କୁ ପୂଜାରେ ସାମିଲ କରିନେ, ଦେଖିବୁ ଭଲ ହେଇଯିବୁ।

    ବାପା ବାପା କହି ଯେତେ ଡାକିଲେ ବି ,ଦୂରେଇ ଯାଉଥିଲେ ବାପା। ନିଦ ଭାଙ୍ଗିଗଲା। ଆସନ୍ତା କାଲି ଦିଅଁ ଗାଧୁଆ, ବାପା ଯାହା ସବୁ କହିଗଲେ ସତ କି ମିଛ ପରଖିବାକୁ ମୋ ଅବଶ ପାଦ ଠାକୁର ଘର ଆଡ଼କୁ ପଡୁଥିଲା। ଆଖିରେ ଆଖିଏ ଲୁହ ଭରି ଆଣ୍ଠେଇ ପଡ଼ିଲି ସାଷ୍ଟାଂଗ ପ୍ରଣିପାତ ହେବାକୁ, କି ଆଶ୍ଚର୍ଯ୍ୟ ଆଜି ସକାଳୁ ଯେତେ ଚେଷ୍ଟା କଲେ ବି ସାଷ୍ଟାଂଗ ପ୍ରଣିପାତ କରିପାରୁନଥିଲି, ଏବେ ବାପାଙ୍କ ଯୋଗୁଁ କେବଳ, ହେ ପ୍ରଭୁ ଧନନ୍ତ୍ୱରି , ରକ୍ଷା କର ପ୍ରଭୁ ଚାରିବାହୁ ସବୁରି କହି ସଞ୍ଜ ନେଇ ସିଡ଼ି ଚଢ଼ୁଥିଲି ତୁଳସୀଚଉରା ମୂଳକୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract