ବାପା
ବାପା
ବାପା କାହାକୁ କହନ୍ତି ଜାଣେ, ହେଲେ ବାପା ଶବ୍ଦର ଅର୍ଥ କଣ। କାହିଁକି ଜନ୍ମଦାତାଙ୍କୁ ବାପା କୁହାଯାଏ। ଏହାର ଅର୍ଥ ବା - ବାରମାସ, ପା - ପାଲନକର୍ତ୍ତା, ନା ଅସରନ୍ତି ଭଣ୍ଡାର, ନା ସାହସର ଯାଦୁ ଛଡି ସିଏ ନା ବିପଦ ସମୟର ଢାଲ। ଯେତେ ଯାହା ବିଶ୍ଳେଷଣ ଲଗେଇଲେ ବି ବୋଧେ ବାପା ଶବ୍ଦର ଅର୍ଥ ବୁଝେଇ ହେବନି। ମୋ ମତରେ ବାପା ଏକ ଶବ୍ଦ ନୁହେଁ ଏହା ଏକ ଅନୁଭବ, ଏକ ଭାବ। ଆଶ୍ଚର୍ଯ୍ୟ ଲାଗେ, ଯିଏ ଘରର ଗୁଜୁରାଣ ମେଣ୍ଟେଇବାକୁ ଯାଇ ଘର ଛାଡ଼ି ବହୁତ୍ ଦୂରରେ ରୁହନ୍ତି, ବର୍ଷରେ କିଛିଦିନର ଦେଖା ହୁଏ, ତଥାପି ତାଙ୍କ ପ୍ରତି ଏତେ ମମତା କେମିତି? ଲୋକେ କୁହନ୍ତି ବାପ ଥିବା ପୁଅ କେବେ ହାରେନା। ହେଲେ କେମିତି, କାହିଁକି? ଏ ସବୁର ଉତ୍ତର ପାଇଲି ଯେବେ ଜୀବନ ମତେ ଠେଲିଦେଲା ବନ୍ଦ ଅନ୍ଧାର କୋଠରୀ ଭିତରକୁ ଯାହାର ସୂଚନା ମତେ ପୂର୍ବରୁ ମିଳି ନଥିଲା। ବନ୍ଦ କୋଠରୀ ଭିତରେ ଥାଇ ଯେବେ ଯନ୍ତ୍ରଣାରେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲି, ସେତେବେଳେ ସମସ୍ତେ ହାତ ଛାଡ଼ିଦେଲେ। କିଏ କହିଲେ ତାଙ୍କ ଜୀବନରେ ବି ଯନ୍ତ୍ରଣା ଅଛି ସେସବୁ ସମାଧାନ ସେ କରୁଛନ୍ତି, କିଏ କହିଲା ସମୟ ନାହିଁ, କିଏ କହିଲା ଏ ତ ବନ୍ଦ କୋଠରୀ ଏଥିରୁ କେମିତି କାଢିବି ତତେ, ମତେ କାଢିବାର ରାସ୍ତା ଅଜଣା, ଆଉ କିଏ କହିଲା ଯଦି ବି ମୁଁ ସେ କୋଠରୀରେ ପଶିଯିବି, ଏତେ ଅନ୍ଧାରରେ ତତେ କେମିତି ପାଇବି? ଅନ୍ଧାର ଭିତରେ ତତେ ବଞ୍ଚେଇବାକୁ ଯାଇ ମୁଁ ଯଦି ଫସିଯିବି? ନିଜ ମୂର୍ଖାମି ପାଇଁ ତୁ ଆଜି ଏଠି, ତେଣୁ ତୁ ନିଜ ରାସ୍ତା ନିଜେ କାଢେ। ବୁଢ଼ା ବଳଦ ଅଲୋଡା ପରି, ଅନ୍ଧାରରେ ଥିବାରୁ ମୁଁ ଅଲୋଡା ହେଇଗଲି ସଭିଙ୍କ ପାଇଁ ଆଉ ଶେଷରେ ଅନେକ ପ୍ରିୟଜନ ଛାଡ଼ି ଚାଲିଗଲେ। ସେଥିପାଇଁ ଦୁଃଖ ତ ଲାଗିଲା ହେଲେ ଅଭିଶାପ ବଦଳରେ ସେମାନଙ୍କୁ ଧନ୍ୟବାଦ୍ କହି ବିଦାୟ ଦେଇଦେଲି ମୋ ଜୀବନରୁ। ଏମିତି ଏକ ନିସ୍ଵ ସମୟରେ ଭାଗ୍ୟକୁ ନିନ୍ଦି ନିଜ ପରାଜୟକୁ ସ୍ବୀକାର କରିବା ସମୟରେ ଶୁଣିବାକୁ ପାଇଲି କିଛି ଶବ୍ଦ। ଟିକେ ଧ୍ୟାନ ଦେବାରୁ ବୁଝିଲି ଇଏ ତ ଭାଙ୍ଗିବାର ଶବ୍ଦ, କେହି ଜଣେ କୋଠରିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ବେଳେ ବେଳେ ଦୀର୍ଘ ନିଶ୍ୱାସ ନେବାର ଶବ୍ଦ, ବେଳେ ବେଳେ ଝାଳ ଟପ୍ ଟପ୍ ହୋଇ ତଳେ ପଡ଼ିବାର ଶବ୍ଦ। କିଏ ଇଏ? ନିସ୍ୱର୍ଥ ଭାବେ ନିଜ ଜୀବନକୁ ଖାତିର ନ କରି ମତେ ବଞ୍ଚାଇବାକୁ ଚେଷ୍ଟା କରୁଛି। ଅନେକ ମାସର ଚେଷ୍ଟା ପରେ, ହଠାତ୍ ଦେଖିଲି ଆଲୋକ ରଶ୍ମି, କୋଠରୀର ହେଇଛି ଏକ କ୍ଷୁଦ୍ର ଛିଦ୍ର, ଆଉ ତାହା ଦେଇ ପଶିଆସିଛି କିଛି ଆଲୋକ। ଖୁସିରେ ନାଚି ଉଠିଲି, ଅନ୍ଧ ଆଖି ପାଇଲେ ଯେମିତି ଖୁସି ହୁଏ। ଏତେ ମାସ ପରେ ଆଲୋକ ଦେଖି ଦୌଡ଼ି ଧାଇଁ ଆସିଲି ସେଇ ଛିଦ୍ର ନିକଟକୁ। ଛୋଟ ଛିଦ୍ର ଦେଇ ଝାପସା ଭାବେ ଦେଖିବାକୁ ପାଇଲି ଜଣେ ରୁଗ୍ନ, ଜୀର୍ଣ୍ଣ ପୁରୁଷ, ନିଜର ସମସ୍ତ ବଳ ଖଟେଇ ଏଇ କ୍ଷୁଦ୍ର ଛିଦ୍ର କରିବାକୁ ସକ୍ଷମ ହେଇପାରିଛନ୍ତି। ଶରୀର ଦୁର୍ବଳ ସତ୍ତ୍ୱେ ସେ ନ ହାରି ମତେ ମୁକୁଳେଇବାର ସମସ୍ତ ଚେଷ୍ଟା କରିଚାଲିଛନ୍ତି। ତାଙ୍କ ଦୁର୍ବଳ, କ୍ଳାନ୍ତ, ଋଗ୍ନ ଶରୀର ଦେଖି ଆଖି ମୋର ଭିଜିଗଲା। ଆପେ ଆପେ ମୁଣ୍ଡ ନଇଁଗଲା। ଜାଣନ୍ତି ସେ କିଏ ଥିଲେ? ସେ ଥିଲେ ମୋ ବାପା। ବୋଧେ ବାପା ହିଁ ଏମିତି କରି ପାରନ୍ତି। ସେଦିନ ମୁଁ ନିଶ୍ଚିତ ହେଇଗଲି, ମୁଁ ନିଶ୍ଚେ ଏ କାଳ ଅନ୍ଧାର କୋଠରୀରୁ ବାହାରିବି। ସପ୍ତମ ଶ୍ରେଣୀ ଯାଏ ପଢିଥିବା ଜଣେ ମଣିଷ ନିଜ ବୁଦ୍ଧିବି ବଳ ଖଟେଇ ଯଦି ଏକ କ୍ଷୁଦ୍ର ରନ୍ଦ୍ର କରିପାରିଲେ ତେବେ ଏତେ ଶିକ୍ଷିତ ହୋଇ ମୁଁ କାନ୍ଦୁଛି କଣ ପାଇଁ। ଉପାୟ ଖୋଜୁନି କଣ ପାଇଁ। ଅନ୍ୟ କାହାର ସାହାଯ୍ୟ ଲୋଡୁଛି କଣ ପାଇଁ। ମତେ ବାହାରିବାର ଉପାୟ ଖୋଜିବାକୁ ପଡ଼ିବ ଓ ମୁଁ ନିଶ୍ଚେ ପାଇବି ସେ ବାଟ। ସେଦିନ ମୁଁ କାହ୍ନୁ କୁ ହାତ ଯୋଡ଼ି ଗୋଟିଏ ଅନୁରୋଧ କରିଲି। ପୁଣି ଯଦି ମତେ ଜନ୍ମ ଦେଉ, ତେବେ ସେ ମହାନ ପୁରୁଷକୁ କେବେ ମୋର ବାପା କରିବୁନି। ବରଂ ତାଙ୍କୁ ମୋର ପୁଅ ଭାବେ ଜନ୍ମ ଦେବୁ। ମାଆ ହିସାବରେ ପୁଅର ଅଳୀ ଅର୍ଦ୍ଦଳି ସହି ପାରିଲେ ବୋଧେ କିଛି ମାତ୍ରାରେ ଋଣ ମୁକ୍ତ ହେବ।
