ବାପା ବିନୋଦ ଆଜି ଭାଙ୍ଗିପଡିଛନ୍ତି. ତାଙ୍କର ଏମିତି କହିବା ଉଚିତ ନଥିଲା ପୁଅକୁ. ସ୍ତ୍ରୀ ମରିଗଲା ପରେ ଦ୍ୱିତୀୟ ବିବାହ କରିନଥିଲେ ବିନୋଦବାବୁ ତାଙ୍କର ଏଇ ଏକମାତ୍ର ପୁଅ ଅଂଶୁ ପାଇଁ. ଅଂଶୁର ନିଶ୍ୱାସରେ ବିଶ୍ୱାସ ଭରି ଜୀଵନ ଚଲାପଥରେ ଚାଲୁ ଚାଲୁ ଆଜି କାହିଁକି ପୁଅ ପାଇଁ ଏ ଅବିଚାର କଲେ ବିନୋଦ ବୁଝି ପାରୁନଥିଲେ. କୁଆଡେ ଗଲା ତାଙ୍କ ନିଷ୍ଠା, ଚେଷ୍ଟା ଓ ପ୍ରଚେଷ୍ଟା. କୁଆଡେ ଗଲା ତାଙ୍କର ଧର୍ଯ୍ୟ, ସହାନୁଭୂତି, ସହନଶୀଳତା! କିଏ କାହା ପାଇଁ କଣ କରିଥିଲେ କହିଦେଲେ ପରା ଅଧର୍ମ ହୁଏ ବୋଲି ନିଜେ ପୁଅକୁ ବୁଝାନ୍ତି ବିନୋଦ, ତେବେ ଆଜି ତାର କୋଉ ଆସ୍ପର୍ଦ୍ଧା ଦେଖି ବିନୋଦ ତାକୁ ହିସାବ ଦେଲେ ତା ପାଇଁ ଖାଇବା, ପିଇବା, ପଢେଇବା, ଔଷଧ ଖର୍ଚ୍ଚ ସହିତ ତେଲ ଲୁଣ ଚା ଚିନିର ହିସାବ!କାହିଁକି ଆଜି ହରେଇ ବସିଲେ ଏତେଦିନର ସାଧନାର ଫଳ!
କଥାରେ ଅଛି ବାପ ଥିଲା ପୁଅ ସଭାରେ ହାରେନା, ସାହାସ ଭାଙ୍ଗେନା, ଚିନ୍ତାରେ ପଡ଼େନା କାରଣ ତାର କାନ୍ଧ ହୋଇ ଥାଆନ୍ତି ବାପା. ଶାସ୍ତ୍ର ମତରେ ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ... ପିତରି ପ୍ରତିମା ପହ୍ନେ ପ୍ରିୟନ୍ତି ସର୍ବ ଦେବତା.ବାପାଙ୍କ ମହତ ଦାନର ପରିଶୋଧ ଗୋଟିଏ ଜୀଵନ କାହିଁକି ସାତ ଜନ୍ମରେ ମଧ୍ୟ ପରିଶୋଧ କରିହେବ ନାହିଁ. ଯିଏ ହାତ ଧରି ଚାଲି ଶିଖାଇଛି, ଦାଣ୍ଡରେ ଆଣି ଠିଆ କରେଇଛି, ବିପଦ ଆପଦରେ ନିକଟରେ ରହି ସମସ୍ତ ବାଧା ବିଘ୍ନକୁ ପିଠିରେ ସହି ନେଇଛି ସେହି ବାପା ବିନୋଦ ଆଜି ଏତେ କଠୋର ଶବ୍ଦ କହିପାରିଲେ କେମିତି ଅଂଶୁକୁ!ତାଙ୍କୁ ମାନ ସମ୍ମାନ ଦେବାରେ ତ ପୁଅ ଅଂଶୁ କିଛି ହେଳା କରିନି. କେବଳ ବିବାହ କରିବାକୁ ରାଜି ନହୋଇ ଭଲ ଘରଟିଏ ତୋଳିବାକୁ ଚାହିଁଛି ଏବଂ ଘର ତୋଳା ପରେ ବିବାହ କରିବାକୁ ଯାଇ ବାପାଙ୍କ ବିରକ୍ତିର ସାମ୍ନା କରିବାକୁ ଯାଇ କହିଦେଇଛି ଦେଖିଲ ବାପା ଏମିତି ଘର କଣ ସଙ୍ଗେ ସଙ୍ଗେ ହୋଇଯାଏ. ଆମ ବାପା ଅଜା ଚଉଦ ପୁରୁଷରେ ଏମିତି ଘର କିଏ ତୋଳିଥିଲା!
କଥାଟା ଏତିକି ଥିଲା. କେଵେ ପୁଅ ଉପରେ ରାଗୁ ନଥିବା ବାପା ଆଜି ଏତିକି ଶୁଣି ନିଆଁ ହୋଇଗଲେ କାହିଁକି ପୁଅ ଉପରେ!ହିସାବ କରିବସିଲେ ତାର ଜନ୍ମଠୁ ଏଯାଏଁ ସେ କରିଥିବା ଖର୍ଚ୍ଚକୁ. ପୁଣି କହିଦେଲେ ଯେ ସେ ପଇସା ଯଦି ମତେ ଶୁଝିଦେଇପାରନ୍ତୁ ତେବେ ଏମିତି ଗୋଟେ କଣ ଦୁଇଟା କୋଠା ଠିଆ କରି ବୋହୁ ଆଣନ୍ତିଣି. ଏଇ କେଇପଦ ପ୍ରଶ୍ନ ଉତ୍ତରରେ ଅଂଶୁ ଘରୁ ବାହାରି ଗଲା ଯେ ଗଲା. ତା ସାଙ୍ଗ ମାନଙ୍କୁ କେତେ ଫୋନ କଲେଣି ବିନୋଦ ହେଲେ କାହା ଘରକୁ ଯାଇନି ସେ. ଥାନାରେ ପୁଅର ଘର ଛାଡ଼ିବା କାରଣ ପଚାରିଲେ କଣ କହିବେ ବିନୋଦ!ଆଜି ପିତା ହୋଇ ପିତୃତ୍ୱର ବଡ଼ପଣ ଭାଙ୍ଗି ଦେଇ ଚୋର ମାଆ ଦୁଆର କିଳି କାନ୍ଦିଲା ପରି କାନ୍ଦୁଥିଲେ ବିନୋଦ.
ଦାଣ୍ଡଦୁଆରେ ରିକ୍ସାବାଲାର ଟିନ ଟିନ ଘଣ୍ଟି ଶବ୍ଦ ଶୁଣି କବାଟ ଖୋଲି ଦେଖିଲେ ରିକ୍ସାବାଲା ଅଂଶୁକୁ ଧରି ଘରେ ପଶୁଛି. ଦେହ ମୁହଁ ସବୁଆଡେ ବ୍ୟାଣ୍ଡେଜ. ମୋ ପୁଅର କଣ ହେଲା କହି ହାଉଳି ଖାଉ ଖାଉ ରିକ୍ସାବାଲା ଭାଇ କହୁଥିଲେ କିଛି ନାହିଁ ବାବୁ ମୋ ରିକ୍ସାରେ ବାଡେଇ ହୋଇ ତଳେ ପଡିଯିବାରୁ ମୁଁ ଯାତ୍ରୀଙ୍କୁ ଓଲ୍ହେଇ ବାବୁଙ୍କୁ ହସ୍ପିଟାଲ ନେଇ ଯାଇଥିଲି. ସାମାନ୍ୟ ଛିଣ୍ଡି ଯାଇଥିବା ଆଣ୍ଠୁ ଓ କହୁଣୀରେ ବ୍ୟାଣ୍ଡେଜ ହେଲାପରେ ଘର ବୁଝି ଏଇଠିକୁ ନେଇ ଆସିଛି. ଅଂଶୁକୁ ପାଇ ବିନୋଦ ତା ପାଇଁ ଯତ୍ନ କରୁଥିବା ବେଳେ ଯୁବକ ଦୁଇଜଣ ଅଂଶୁର ବାଇକ ଆଣି ରଖିଦେଇ ଗଲେ. ରିକ୍ସାଵାଲା ଭାଇ ନଥିଲେ ଆଜି ଅଂଶୁର କଣ ଯେ ହୋଇଥାଆନ୍ତା ଭାବି ଦେଖିଲା ବେଳକୁ ମଣିଷପଣିଆ ପ୍ରତିଦାନରେ ପଇସା ନନେଇ ରିକ୍ସାଵାଲା ଚାଲିଯାଇଛନ୍ତି. ତାଙ୍କ ନିର୍ଦ୍ଦେଶରେ ଦୁଇ ଯୁବକ ଅଂଶୁର ଗାଡି ଆଣି ଥୋଇଲେ ତାଙ୍କୁ ମଧ୍ୟ ତେଲ ପାଣି ଖର୍ଚ୍ଚ ନଦେଇପାରି ବିନୋଦ ଅସ୍ତବ୍ୟସ୍ତ ହେଲାବେଳେ ଅଂଶୁ କହୁଥିଲା ଆଉ କେଵେ ଉପର କଥା କହିବିନି ବାପା. ବିନୋଦ କିନ୍ତୁ ସେହିଦିନୁ ଖୋଜୁଥିଲେ ସେହି ରିକ୍ସାଵାଲାଙ୍କୁ. ନପାଇ ନିଜ ଭିତରେ ରିକ୍ସାବାଲାଙ୍କ ମଣିଷପଣିଆ ଖୋଜି ହେଉଥିଲେ. ଅଂଶୁ କହୁଥିଲା ମତେ କ୍ଷମା କରିଦିଅ ବାପା. ଅଂଶୁକୁ ଜାବୁଡି ଧରି ବିନୋଦ କାନ୍ଦୁଥିଲେ ଓ କହୁଥିଲେ ଭାଇ ତୁମ ଭଳି କେତେଜଣ ସହୃଦୟ ଵ୍ୟକ୍ତିଙ୍କ ମଣିଷପଣିଆ ଯୋଗୁଁ ଏ ଧରା ଆଜିବି ତିଷ୍ଠିଛି. ଅଂଶୁ କହୁଥିଲା କାହାକୁ କଣ କହୁଛ ବାପା!