Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sriman Bapu

Abstract Fantasy Inspirational

4.3  

Sriman Bapu

Abstract Fantasy Inspirational

ବାଇଆ ଏକା ଚାଲେ

ବାଇଆ ଏକା ଚାଲେ

5 mins
606



     


ବାଇଆଙ୍କର(ବାଇଧର) ବହୁଦିନରୁ ସକାଳ ପାଞ୍ଚଟା ପୂର୍ବରୁ ବିଛଣା ଛାଡ଼ିବା ଅଭ୍ୟାସ। ଅନୁଶାସନକୁ ସେ ଭାରି ଗୁରୁତ୍ୱ ଦିଅନ୍ତି, ଶିକ୍ଷକ ବୋଲି ନୁହେଁ, ପିଲାବେଳେ ବାପାଙ୍କଠୁ ବହୁ ତାଡ଼ନା ଖାଇ ସକାଳୁ ଉଠିବା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଛି । ଦୁଇ ବର୍ଷ ତଳେ ବିବାହ ହୋଇଥିଲା, ସ୍ତ୍ରୀ ଆସିବା ପରେ ମଧ୍ୟ ଏ ଅଭ୍ୟାସକୁ ସେ କାୟମ ରଖିଛନ୍ତି ।


ଗୌତମ ବୁଦ୍ଧଙ୍କୁ ସେ ଭାରି ଭକ୍ତି କରନ୍ତି ତେଣୁ ବୁଦ୍ଧପୂର୍ଣ୍ଣିମା ପୂର୍ବ ଦିନ ରାତିରେ ବିଚାର କଲେ କି କାଲି ସକାଳେ ସେ ଟିକେ ଜଳଦି ଉଠି ଧ୍ୟାନରେ ବସିବେ ହେଲେ ଠିକ୍ ନିଦ ମାଡ଼ି ଆସିଲା ବେଳକୁ ସ୍ତ୍ରୀଙ୍କର ଆରମ୍ଭ ହୋଇଗଲା... ପାରିବାରିକ ସମସ୍ୟାକୁ ନେଇ ଫରିଆଦ‌ ! ବୁଝାସୁଝା କରାଇ ଶୋଇଲା ବେଳକୁ ରାତି ଅଧା ହେଲା, ପୁଣି ନିଦ ଲାଗୁ ଲାଗୁ ଆଉ ଟିକେ ବିଳମ୍ବ ।ଏକ ଉଦ୍ଭଟ ସ୍ୱପ୍ନ ତାଙ୍କ ନିଦ ଭାଙ୍ଗିଦେଲା । ମୋବାଇଲ ଟିପି ଦେଖିଲେ ଭୋର୍ ଚାରିଟା ଆଉ ଘଣ୍ଟାଏ କି ଅଧ ଘଣ୍ଟା ଶୋଇବା ପାଇଁ ତାଙ୍କର ଇଚ୍ଛା ଥିଲା ହେଲେ ସେ ବିଚିତ୍ର ସ୍ୱପ୍ନ ଯୋଗୁଁ ତାଙ୍କ ଆଖିରେ ଆଉ ନିଦ ନଥିଲା ଉଠିପଡ଼ିଲେ । ସ୍ତ୍ରୀ ଗଭୀର ନିଦରେ ଶୋଇ ଥାଆନ୍ତି ,ସେ ଚୁପଚାପ୍ କବାଟ ଖୋଲି ବାହାରକୁ ଆସିଲେ । ନିତ୍ୟକର୍ମ ସଂପାଦନ ପରେ ସବୁଦିନ ଭଳି ତାଙ୍କ ପଢ଼ାଘରେ କିଛି ସମୟ ଧ୍ୟାନରେ ବସିବାକୁ ଚେଷ୍ଟାକଲେ । ଯେତେ ଚେଷ୍ଟା କଲେବି ସେ ସେହି ସ୍ୱପ୍ନ ସମ୍ଭନ୍ଧରେ ଚିନ୍ତା ପରିହାର କରିବାକୁ ଅସମର୍ଥ ହେଲେ ।


ଦିନେ ସପତ୍ନୀ ଗାଁରେ ପୁରା ପରିବାର ସହ ଥିବା ବେଳେ ଘରକୁ ଦୁଇଜଣ ବିଦେଶୀ ଆସିଲେ‌ । ଜଣେ ପୁରୁଷ, ବୟସ ଷାଠିଏ ଉପରେ ହେବ, ପତଳା ଆଉ ଲମ୍ବା ଶରୀର ଆଉ ତାଙ୍କ ସହ ଥିଲେ ଜଣେ ତରୁଣୀ, ବୟସ କୋଡ଼ିଏରୁ ପଚିଶ ଭିତରେ। ଆସିବାର ଅଭିପ୍ରାୟ ପଚାରିବାରୁ କହିଲେ,ଆମେ ମିଳିତ ଭାବେ ଭାରତୀୟ ଗ୍ରାମ୍ୟ ଜୀବନ, ପରମ୍ପରା ଆଉ ସଂସ୍କୃତି ଉପରେ ଗବେଷଣା କରୁଛୁ । କିଛିଦିନ ରହିବା ପାଇଁ ଘରଟିଏ ଖୋଜି ଖୋଜି ଆସି ତାଙ୍କ ଘରେ ପହଞ୍ଚିଛନ୍ତି ଆଉ ବଡ଼ ଆଶାୟୀ କି ମିଳିଯିବ। ଯେହେତୁ ସେମାନେ ଓଡ଼ିଆ ଜାଣି ନଥିଲେ, ତେଣୁ ବାପା ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କଲେ, ବାଇଆଙ୍କୁ ପୁରୁଷ ବିଦେଶୀ ଜଣକ ଚିହ୍ନା ଚିହ୍ନା ଲାଗିଲେ, ସେଠୁ ମନେ ପଡ଼ିଲା କି ତାଙ୍କର ବରୋଦା ରହଣି କାଳ ଭିତରେ ସେ ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ ସେହିଠି ଅନ୍ୟ ଏକ ଫ୍ଲୋରରେ ଏହି ବ୍ୟକ୍ତିଜଣକ ରହୁଥିଲେ। କେବେ କେମିତି ଗଲା ଆସିଲା ବେଳେ ଦେଖାହୁଏ ଆଉ ସେ ସଂପର୍କ ହେଲୋ ହାଏ ଭାତରେ ହିଁ ସୀମିତ ଥିଲା। କାମ ପଢ଼ିବାରୁ ଏ କ୍ଷୁଦ୍ର ପରିଚିତିକୁ ସାହାରା କରି କାହା କାହାଠାରୁ ତାଙ୍କ ଘର ଠିକଣା ଖୋଜି ଖୋଜି ଆସି ପହଞ୍ଚିଛନ୍ତି ।ଏସବୁ ଜାଣିଲା ପରେ ସେ କେମିତି ମନା କରିଥାଆନ୍ତେ ? ସାଙ୍ଗରେ ପୁଣି ସୁନ୍ଦର ଝିଅଟିଏ ହାତ ଯୋଡ଼ି ମୀନତି କରୁଛି !


ଏବେ ସମସ୍ୟା ହେଲା, ବାପା ଭାଇ ତ ବୁଝିଯିବେ ହେଲେ ବୋଉ ଆଉ ଭାଉଜ ତ ମାନିବେନି ଜମା ,ଏ ବିର୍ଧମୀମାନଙ୍କୁ କେମିତି ଘରେ ସ୍ଥାନ ଦେବେ ? ସେଠୁ ଶେଷରେ ଘର ସାମ୍ନାରେ ଥିବା ଦୁଇ ବଖରା ଘର ଯେଉଁଠି ଆଗରୁ ଡ୍ରାଇଭର ର‌ହୁଥିଲା, ସଫାସୁତୁରା କରି ହସ୍ତାନ୍ତର କରାଗଲା। ସେ ନିଜେ ଏ ସ୍ୱଚ୍ଛତା ଅଭିଯାନରେ ମୂଖ୍ୟ ଭୂମିକା ଗ୍ରହଣ ଗଲେ। ସେ ଦିନଟି ସୁରୁଖୁରୁରେ କଟିଗଲା, ଉତ୍ତମ ରୂପେ ଅତିଥି ସତ୍କାର କରାଗଲା । ଭାରତୀୟ ଅତିଥି ସତ୍କାର ସମ୍ଭନ୍ଧରେ ଯାହା ଦୁହେଁ ଶୁଣିଥିଲେ, ପଢ଼ିଥିଲେ ତାହା ଅଙ୍ଗେ ଲିଭାଇ ନିଜର ଖୁସି ଜାହିର କଲେ। ବାଇଆ ଉଭୟ ଅନୁବାଦକ ଆଉ ପରିଚାରିକର ଭୂମିକା ସୁଚାରୁରୂପେ ତୁଲାଇଥିଲେ ।


ପରଦିନ ସକାଳେ ଏକ ଅଭାବନୀୟ ଘଟଣା ଘଟିଥିଲା,ଏକ ଅଦ୍ଭୁତ ଦୃଶ୍ୟ ଦେଖି ସେ ନିଜେ ସ୍ତମ୍ଭିଭୁତ ହୋଇଗଲେ। ସାହି ପଡ଼ୋଶୀର ସମସ୍ତ ଆବାଳବୃଦ୍ଧବନିତା ସେ ଘର ଚାରିପଟେ ଠୁଳ ହୋଇ ଉପରକୁ ଚାହିଁଛନ୍ତି ! ବାଇଆ ଯୋଗ ପ୍ରାଣାୟମ କରିବା ପାଇଁ ସବୁଦିନ ପରି ନିର୍ଘଣ୍ଟ ସମୟରେ ଯେତେବେଳେ ଛାତରେ ପହଞ୍ଚିଲେ , କୋଳାହଳ ର ଶବ୍ଦ ଶୁଣି ଚାହିଁ ଯାହା ଦେଖିଲେ ସେଥିରେ ତାଙ୍କ ରକ୍ତ ପାଣି ହୋଇଗଲା ! ଦୁଇ ଅତିଥି ଛାତରେ ଠିଆ ହୋଇ ଯୋଗାସନ ଅଭ୍ୟାସ କରୁଛନ୍ତି, ଛାତକୁ ତ ସିଡ଼ି ନାହିଁ ଚଢ଼ିଲେ କେମିତି ? ଏ ପ୍ରଶ୍ନ ତାଙ୍କ ମନକୁ ବିଚଳିତ କରୁ ନଥିଲା ! ଛାତ ଉପରେ ଯୋଗାସନ କରିବା ବି ସାଧାରଣ କଥା ,ସେ ତ ନିଜେ କରନ୍ତି ହେଲେ ବିଦେଶୀ ବିଦେଶିନୀଙ୍କୁ ଏମିତି ଯୋଗାସନ କରିବାର ଗାଁ ଲୋକ ପ୍ରତ୍ୟକ୍ଷ ଆଉ ଜୀବନ୍ତ କେବେ ଦେଖି ନ ଥିଲେ ପୁଣି ଏକ ସୁନ୍ଦରୀ ଝିଅ ନିତ୍ୟାନ୍ତ ଛୋଟ ପୋଷାକ ପିନ୍ଧି ହାତ ଗୋଡ଼ ଟେକି ଯୋଗାସନ କରିବାର ଦୃଶ୍ୟ ନିଆରା ! ସେ ନିଜେ ଏ ଦୃଶ୍ୟ ଦେଖି କିଛି କ୍ଷଣ ଚେତା ହରେଇ ଥିଲେ ।


ସେଦିନ ଅଳ୍ପ କିଛି କ୍ଷଣ ମଧ୍ୟରେ ଆଖପାଖ ବାରଖଣ୍ଡ ଗାଁକୁ ଦାବାନଳ ପରି ଏ ଖବର ବ୍ଯାପି ଯାଇଥିଲା। ରକ୍ଷଣଶୀଳ, ଈର୍ଷାଳୁ ଲୋକମାନଙ୍କ ପକ୍ଷରୁ ଏକ ଚପା ବିଦ୍ରୋହ ଆଉ କଡ଼ା ସମାଲୋଚନାର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡ଼ିଲା ,ସବୁ ଅଠା ବାୟାଙ୍କ ମୁଣ୍ଡରେ ବୋଳାଗଲା । କିଛି ଗୋଟାଏ ବଡ଼ ସମସ୍ୟା ଘଟିବା ପୂର୍ବରୁ ସେ ହସ୍ତକ୍ଷେପ କରିବା ଉଚିତ ମଣିଲେ । ମଧ୍ୟାହ୍ନ ଭୋଜନ ପରେ ସେ ବାହାରିଗଲେ ସମସ୍ୟା ବିଷୟରେ ଦୁହିଁଙ୍କୁ ଅବଗତ କରାଇବାକୁ।ଦୁଆରେ ଠିଆ ହୋଇ ଠକ୍ ଠକ୍ କଲେ , ତରୁଣୀ ଜଣକ କବାଟ ଖୋଲିଲେ, ସ୍ମିତ ହାସ୍ୟ ସହ ଅଭିବାଦନ କରି ଭିତରକୁ ଆସିବାକୁ କହିଲେ ,ବାଇଆ ଯନ୍ତ୍ରଚାଳିତ ଭାବେ ଟାଣି ହୋଇଗଲେ। ପତଳା ଧଳା ଟି ସାର୍ଟ ସହ ଛୋଟ ଗାର ଗାରିଆ ସୁତାର ପ୍ୟାଣ୍ଟ୍ଟଟିଏ ,ସେ ଆଗରୁ କେବେବି ଝିଅଟିକୁ ଏତେ ପାଖରୁ ଦେଖିନଥିଲେ । ସେହି ପତଳା ବସ୍ତ୍ର ତଳୁ ତାଙ୍କ ନିଖୁଣ ଯୌବନ ଫୁଟିଉଠୁଥିଲା । ନିଜକୁ ନିଜେ ସଚେତନ କରାଇ ପଚାରିଲେ ମିସ୍ ମାରର୍ଗେଟ୍ ,ମିଷ୍ଟର ସ୍ମିଥ୍ ଘରେ ନାହାନ୍ତି କି ? ତା' ପରେ ସେ ଆବିଷ୍କାର କଲେ, ତରୁଣୀର କୋମଳ ହାତ ଦ୍ୱୟ ତାଙ୍କ ହାତରେ ଦୃଢ଼ ଭାବରେ ଛନ୍ଦି ହୋଇ ଥିବାର । ଜୋରରେ ତରୁଣୀଟି ତାଙ୍କୁ ବାହୁ ଯୁଗଳରେ ଚାପି ଧରିଲେ। ଏତେ ଜୋରରେ ଯେ ସେ ଅଣନିଃଶ୍ବାସୀ ଅନୁଭବ କଲେ ନିଦ ଭାଙ୍ଗିଗଲା ! ଆଖି ଖୋଲି ଦେଖିଲେ ସ୍ତ୍ରୀ ତାଙ୍କୁ ନିଦରେ ଜାବୁଡ଼ି ଧରିଛନ୍ତି !


ପ୍ରତିଦିନ ସକାଳେ ସ୍ତ୍ରୀ ତାଙ୍କର ଝିଆରୀ ପୁତୁରା ଙ୍କୁ ପାଠ ପଢ଼ାନ୍ତି ଆଉ ସେ ବସିରହି କିଛି ପଢ଼ା ଲେଖା କରନ୍ତି । ସେଦିନ ସକାଳେ ସେ ବହି ଖଣ୍ଡିଏ ଧରି ପଢ଼ିବାର ଛଳନା କରୁଥିଲେ, ମନ ତାଙ୍କର ସେ ସ୍ୱପ୍ନ ବିଷୟରେ ଚିନ୍ତା କରୁଥିଲା । କାକୁ ! ତୁମକୁ ଗାନ୍ଧୀଜୀଙ୍କ ତିନି ମାଙ୍କଡ଼ କାହାଣୀ ଜଣା ଅଛି ?ବାଇଆ ଟିକେ ଚମକି ପଡ଼ି ମୁହଁ ଉଠେଇ ଚାହିଁଲେ, ତାଙ୍କ ସାତ ବର୍ଷର ଝିଆରୀ ଲିପି ! ଗାନ୍ଧୀଜୀଙ୍କ ତିନି ମାଙ୍କଡ଼ ? ହଁ, ଜଣା ଅଛି ହେଲେ, ପରେ କହିବି ,ତୁ ଏବେ ଯା ପଢ଼ିବୁ। ସେ ଉଠି ଠିଆ ହେଲେ, ସ୍ତ୍ରୀଙ୍କୁ କହିଲେ ଯାଏଁ ଗାଧୋଇ ପଡ଼େ । ସ୍ତ୍ରୀ ତାଙ୍କ ମୁହଁକୁ ଚାହିଁଦେଇ ପଚାରିଲେ କ'ଣ ଭାବୁଛ ଏତେ ? ସେ ହସିଦେଇ କହିଲେ ନା କିଛି ନୁହେଁ । 


ଗାଧୋଇ ସାରି ପଖାଳ ଗଣ୍ଡେ ଖାଇଦେଇ ବହି ଖଣ୍ଡିଏ ଧରି ଶୋଇବା ଘରକୁ ପଳେଇ ଗଲେ । ବିଛଣାରେ ପଡ଼ି ଚିନ୍ତା କଲେ ତିନି ମାଙ୍କଡ଼ଙ୍କ କଥା । କେଉଁଠି ଗୋଟେ ପଢ଼ିଥିଲେ କି ଜଣେ କିଏ ଗାନ୍ଧିଜୀଙ୍କୁ ତିନି ମାଙ୍କଡ଼ଙ୍କ ଏକ ଜାପାନୀ ହାତ ଅଙ୍କା ଛବିଟିଏ( କି ମୂର୍ତ୍ତି ଠିକସେ ଜଣା ନାହିଁ) ଆଣି ଉପହାର ଦେଲେ , ଗାନ୍ଧୀଜୀ ଛବିଟି ଦେଖି ଅଭିଭୂତ ହୋଇଥିଲେ। ପରେ ବାଇଆ ଜାଣିବାକୁ ପାଇଲେ କି, ଏହି ତିନି ବିଜ୍ଞ୍ଯ ବାନର ବା ରହସ୍ୟବାଦୀ ବାନରଙ୍କ କାହାଣୀ ଅତି ପ୍ରାଚୀନ। ଏହାର ଚେର ବହୁତ ଲମ୍ବା,ଏହାକୁ ନେଇ କେତେ ଭିନ୍ନ ଭିନ୍ନ ମତ ପୋଷଣ କରାଯାଇଛି। ଜାପାନର ନିକୋ ଠାରେ ସତରଶହ ମସିହାରେ ନିର୍ମିତ ତୋସୋଗୁ ମନ୍ଦିରର କବାଟରେ ଖୋଦିତ ହୋଇଥିଲେ ଏହି ରହସ୍ୟବାଦୀ ବାନର ତ୍ରୟ । ତେନ୍ଦାଇ ବୌଦ୍ଧ ମାନ୍ୟତା ସହ ଜଡ଼ିତ, ପୁଣି କୁହାଯାଏ ଏହା ଚାଇନାର କନଫୁସିୟସଙ୍କ ଟାଓ ଧର୍ମ ମତରୁ ଆସିଅଛି, ପୁଣି କୁହାଯାଏ ଏହା କାଳେ ଭାରତରୁ ବୌଦ୍ଧ ଧର୍ମ ସହ ଚାଇନାକୁ ଯାଇଥିଲା ସେଠୁ ପୁଣି ଜାପାନକୁ । ଏହାର ସତ୍ଯାସତ ଖୋଜିବା ଯୋଗ୍ୟତା ମୋର କାହୁଁ ଆସିବ, ନା କ'ଣ ମିଳିବ ଏଥରୁ ?ଏଇଆ ଭାବି ବାଇଆ ନିଜ ଚିନ୍ତାକୁ ଅନ୍ୟଦିଗକୁ ମୋଡ଼ିବାକୁ ଚେଷ୍ଟା କରି ଫେସବୁକ ଖୋଲିଲେ, ସେଥିରୁ କିଛି ସମୟ ମଧ୍ୟରେ ବିରକ୍ତି ହୋଇ ପୁଣି ସେହି ବାନରମାନଙ୍କ କଥା ଚିନ୍ତା କଲେ ।


ବାନର ସହ ମଣିଷର ସାମଞ୍ଜସ୍ଯତା ବହୁତ। ମଣିଷ ମନର ଚରିତ୍ରଟି ମାଙ୍କଡ଼ ଚରିତ୍ର ଭଳି, ସବୁବେଳେ ଅସ୍ଥିର ଆଉ ବିଚଳିତ। ଗୋଟିଏ କଥାରୁ ଆଉ ଗୋଟେ କଥାକୁ ଡ଼ିଆଁ ମାରେ ଆଉ ଏଇମିତି ଅହରହ ଚିନ୍ତା ଆଉ ଭାବନାରାଶିରେ ସେ ଡ଼େଉଁଥାଏ । ଇନ୍ଦ୍ରୀୟମାନେ ହିଁ ଏହାକୁ ଶକ୍ତି ଯୋଗାଇଥାନ୍ତି, ଏହି ଇନ୍ଦ୍ରୀୟମାନଙ୍କ ମଧ୍ୟରେ ମୂଖ୍ୟ ହେଲେ ଆଖି,କାନ,ପାଟି । ଇନ୍ଦ୍ରିୟ ମାନଙ୍କୁ ନିୟନ୍ତ୍ରଣ କରିପାରିଲେ ମଣିଷ ନିଜର ମନ ଉପରେ ନିୟନ୍ତ୍ରଣ ପାଇପାରେ । ଯେଉଁ ଚତୁର୍ଥ ବାନର କଥା କୁହାଯାଏ ତାହା କେଉଁଠି ହାତଦୁଇଟି ନାକ ଉପରେ ରଖି ଥିବାର ଚିତ୍ରିତ କରାଯାଇଛି ତ କେଉଁଠି ଯୌନାନ୍ଦ୍ରିୟ ଉପରେ ।ଯୌନାନ୍ଦ୍ରିୟ ପରିକଳ୍ପନାଟି ଅଧିକ ଯୁକ୍ତିଯୁକ୍ତ ଲାଗେ। ନାକ ଉପରେ ହାତ ରଖିବା ସତ୍ୟ ହୋଇଥିଲେ ତାକୁ ଅଲଗା କରିବାର ପ୍ରୟୋଜନ ନଥିଲା,ପରେ ହୁଏତ ନୈତିକତାବାଦୀ ଆଉ ରକ୍ଷଣଶୀଳ ଚିନ୍ତାଧାରାର ଧାର୍ମିକ ନେତାମାନେ ବିଚରାକୁ ଅଲଗା କରିଥିବେ। କିଏ ଜାଣେ, ସତ କ'ଣ ? ସ୍ୱପ୍ନର ରହସ୍ୟକୁ ଭେଦ କରିବା ଯେମିତି ଦୁଷ୍କର ସେମିତି ଏହି ରହସ୍ୟବାଦୀ ବିଜ୍ଞ୍ଯ ବାନର ମାନଙ୍କ ରହସ୍ୟ ଉନ୍ମୋଚନ କରିବା। ବୁଦ୍ଧଙ୍କ ବାଣି ଥିଲା " ଅପ୍ପ ଦିପୋ ଭବ " ଆଉ ରବିନ୍ଦ୍ର ନାଥଙ୍କ ସେହି ସମାନ ଡ଼ାକରା ଥିଲା  

"ଏକଲା ଚଲୋ ରେ" ।


Rate this content
Log in

More oriya story from Sriman Bapu

Similar oriya story from Abstract