SIPRA NAMTA

Romance

3  

SIPRA NAMTA

Romance

ଅସ୍ତ ରବିର ଧୂଷର ପ୍ରେମ

ଅସ୍ତ ରବିର ଧୂଷର ପ୍ରେମ

8 mins
7.5K


                                    

ସ୍ନିଗ୍ଧାର ପ୍ରୋଫାଇଲ ଫୋଟୋକୁ ମୋବାଇଲରେ ନିର୍ନିମେଶ ନୟନରେ ଚାହିଁ ରହିଥିଲା ଶୁଭେନ୍ଦୁ । ଅସ୍ତ ରବିର କିରଣ ବୁଣି ଦେଉଥିଲା ମେଞ୍ଚାଏ ରଙ୍ଗ ଅବିର ।ଘର ବାଲକୋନିରେ ଚେଆର ଟେ ପକାଇ ବସିଥିଲା ସେ ଆଉ ଭାବୁଥିଲା ସ୍ନିଗ୍ଧା ବିଷୟରେ । ତା'ବିଷୟରେ ଯେତେ ଯେତେ ଭାବୁଥିଲା ସେ ,ସେତେ ଅଧିକ ରହସ୍ୟର ଘନ ତିମିର ଭିତରକୁ ଯାଉ ଥିଲା ଶୁଭେନ୍ଦୁ ।

           ଗୋଟିଏ ବ୍ଲକରେ ଦୁଇଜଣ ଚାକିରୀ କରନ୍ତି । ଏକା ଅଫିସରେ । ଫିଲଡ଼ ଡିଉଟି ପ୍ରାୟ ରହେ । ସବୁବେଳେ ଗ୍ରାମୀଣ ଲୋକଙ୍କ ସହ ସମ୍ପର୍କ ,ସେମାନଙ୍କ ପାରିପାର୍ଶ୍ବିକ ସମସ୍ୟାର ଆଶୁ ସମାଧାନ, କୃଷି କାର୍ଯ୍ୟର ବିକାଶ ତଥା ଅନ୍ୟାନ୍ୟ ସରକାରୀ କଳର ଚାପ ପ୍ରାୟଃ ଲାଗିରହେ । ଆଜିକୁ ତିନି ବର୍ଷ ହେଲାଣି ତା' ସହ ପରିଚୟ । ଯେତେ ସରଳ ଉପରକୁ ଦେଖା ଯାଏ ସେତିକି ଜଟିଳ ସେ ଅନ୍ତର୍ମନରେ ।

ବୟସ କଥା ପଚାରିଲେ କହେ,"ବୟସ ଜାଣି କଣ କରିବ ?

ଯୋଉ ମାନେ ଲାଇଫ ପାର୍ଟନର ଖୋଜନ୍ତି ସେମାନଙ୍କ ବୟସ ଜାଣିବା ଦରକାର ପଡେ । ମୋର ତ ସେମିତି କିଛି ନାହିଁ । "

କ୍ବାଲିଫିକେସନ କଥା ପଚାରିଲେ କହେ "କଣ ମିଳିବ ଶିକ୍ଷାଗତ ଯୋଗ୍ୟତା ର ଇତିହାସରୁ ? ଏଇ ଚାକିରୀ ହିଁ ମୋ ଶେଷ ଯୋଗ୍ୟତା ।" ଜୀଵନର ଲକ୍ଷ୍ୟ ବିଷୟରେ ପଚାରିଲେ କହେ

"ଲକ୍ଷ୍ୟ କଥା ସେଇମାନେ ଭାବନ୍ତି ଯେଉଁ ମାନଙ୍କର ଭବିଷ୍ୟତର ମୋହ ଥାଏ ,ସ୍ବପ୍ନ ଥାଏ । ମୋ ପରି ଝିଅଙ୍କର କୌଣସି ସ୍ବପ୍ନ ନାହିଁ ଯେତେବେଳେ ଲକ୍ଷ୍ୟ ଆସିବ କୁଆଡୁ ?"

 - "ଏମିତି କଣ ଉଦ୍ଭ୍ରାନ୍ତ ଚିନ୍ତା ତୁମର ? ଜୀବନର ଅସ୍ତିତ୍ବକୁ ଏମିତି ନକାରି ଦେଲେ କଣ ତାହା ଶେଷ ହୋଇଯିବ ? ଚାଲିବାକୁ ହେବ ଏ ରାସ୍ତାର ଅନ୍ତିମ ଚରଣ ପର୍ଯ୍ୟନ୍ତ ।"

ଶୁଭେନ୍ଦୁ କହେ ।ସ୍ନିଗ୍ଧା ଆଉ କିଛି କହେନି ।ଆଖିପତା ଦୁଇଟିକୁ ବୁଜିଦିଏ ସେ । କାଳେ ମୁକ୍ତା ପରି ଢଳ ଢଳ ଲୁହ ଦି' ବୁନ୍ଦା ବାହାରି ଆସିବ କି ?ବୋଲି ଅନୁମାନ କରେ ଶୁଭେନ୍ଦୁ ।

ବୁଝି ହୁଏନି ସ୍ନିଗ୍ଧା ପରି ଝିଅ ଟି ର ଦୁଃଖ କଣ? ଯେତିକି ତା'

ସଂସ୍ପର୍ଶରେ ଆସିଛି ବେଶ ଭଦ୍ର, ନମନୀୟ, ସୁଶୀଳ ,ଉଚ୍ଚଶିକ୍ଷିତ, ମାନବିକତା ଗୁଣ ରେ ପୂର୍ଣ୍ଣ ଏବଂ ସୁନ୍ଦର ମଧ୍ୟ ।ସ୍ନିଗ୍ଧା ର ସୁନ୍ଦରତା ତାକୁ ବିଶେଷ ଭଲ ଲାଗେ । "ତା' ହେଲେ କଣ କୁହାଯିବ ଯେ ସ୍ନିଗ୍ଧା ଅସାମାନ୍ୟ ସୁନ୍ଦରୀ । ନାସେମିତି ନୁହଁ ଯେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଙ୍କ ଭିନ୍ନ ଭିନ୍ନ ବିଶ୍ଲେଷଣ ଅଛି ।" ମନେ ମନେ ଯୁକ୍ତି କରୁଥିଲା ଶୁଭେନ୍ଦୁ । କଲିଂ ବେଲ ଡାକ ଦେବାରୁ ଭାବନା ବ୍ୟାହତ ହେଲା ।

ପଡିଶା ଘର ଛୋଟ ଝିଅ ଟିଏ ଟିଫିନ ନେଇ ଆସିଛି । ଯା' ହେଉ ରାତିକର ଚିନ୍ତା ଗଲା । ଆଜି ରୋଷେଇଆଣି ମାଉସୀ ଆସିବନି ବୋଲି କହିଯାଇଥିଲା ।

######

"ବାପା ,ତମ ଚଷମା କାହିଁ ? ଖାଲି ଆଖିରେ ଦେଖାଯାଉଛି ?"

--"ହ, ପରିଷ୍କାର ହେଉନି ।ଡାହାଣ ଆଖି ଟା ବିଲକୁଲ ଦେଖଗାଯାଉନି ।ସେଇଥିପାଇଁ ଟେଷ୍ଟ କରୁଥିଲି ଯେ ..."

 "ହଉ ମୁଁ ଅଫିସ ରୁ ଫେରିଲା ପରେ ଡାକ୍ତର ପାଖକୁ ଯିବା

ବୁଝିଲ । "କହି ସ୍ନିଗ୍ଧା ଅଫିସ ବାହାରିଗଲା ।

ଅଫିସ ରେ ଲଞ୍ଚ ସମୟରେ "-ଶୁଭେନ୍ଦୁ ମୋତେ ଟିକେ ସାହାଯ୍ୟ କରିବ ? ଏଇ ଫାଇଲ କାମ ଟା ଟିକେ କରିଦେଇଥାନ୍ତ !! ମୁଁ ସବୁ କରିଦେଇଛି କେବଳ ଡାଟା ଗୁଡିକ କମ୍ପୁଟର ରେ ଉଠିବାକୁ ବାକି ଅଛି ।ଆଜି ଟିକେ ଶୀଘ୍ର ଯାଇଥାନ୍ତି ।ତମେ ମ୍ୟାନେଜ କରିନେଵ ଯଦି ଯିବି । "

.ଶୁଭେନ୍ଦୁ ର ଉତ୍ତର କୁ ଅପେକ୍ଷା ନ କରି ଗୋଟିଏ ପରେ ଗୋଟିଏ କଥା କହି ଚାଲିଥାଏ ସ୍ନିଗ୍ଧା ।ଶୁଭେନ୍ଦୁ ଏକ ଧ୍ୟାନରେ ତାକୁ ଚାହିଁ ପଚାରିଲା -"ଆଉ କିଛି ? ଯଦି ଆବଶ୍ୟକତା ଅଛି ମୁଁ ସାଙ୍ଗ ରେ ରହିବି "

--"ଆରେ ନା ନା ମୁଁ ଏକା ପାରିବି ଯେ କେବଳ ଏଇ କାମ ଟା ଅଡୁଆ ।ହଉ ମୁଁ ଆସେ.... ୩ ଟା ବାଜିଯିବ ଯେ କହି ସେ ଭାନିଟି ବେଗ ଟି କୁ କାନ୍ଧ ରେ ଗଳାଇ ପଛ ଗେଟ ଦେଇ ବାହାରକୁ ଆସିଲା ।

_"ହ୍ୟାଲୋ ...ବାପା ରେଡି ଥାଅ ,ମୁଁ ପହଞ୍ଚୁଛି ସାଙ୍ଗେ ସାଙ୍ଗେ ଯିବା ।"କହି ମୋବାଇଲ ଭାନିଟି ରେ ରଖିଦେଇ ଗାଡି ଷ୍ଟାର୍ଟ କଲା ସ୍ନିଗ୍ଧା ।

                    ଆଖି ଡାକ୍ତର ଙ୍କ ପାଖରେ ଲାଇନରେ ବସି ପ୍ରତୀକ୍ଷା କରୁ କରୁ ଅତୀତରେ ହଜିଗଲା ସେ । କଣ ଆଉ କରିବାକୁ ବାକି ରହିଲା ଜୀବନରେ ? କେବଳ ନିଜ ପାଇଁ ଯାହା ସେ କିଛି କରିପାରିନାହିଁ ।ଅଳ୍ପ ବୟସ ରେ ମାଆ ଚାଲିଗଲେ ଅଫେରା ପଥ ର ପଥୁକୀ ସାଜି ।ବାପା ଙ୍କ ର ନିଜ ଜିଲ୍ଲା ଭିତରକୁ କୌଣସି ପ୍ରକାରେ ଉପର ମହଲ ରେ ଧରା ଧରି କରି ଚାକିରୀରେ ବଦଳି କରେଇ ପାରିଛି । ସେଥିପାଇଁ ଯେତିକି ପାମ୍ପଡ଼ ବେଲିଛି ସେକଥା ବାପାଙ୍କ ଅଫିସ ଆଉ ସେ,

ଏବଂ ସହାୟତା କରିଥିବା ଓକିଲ ସନ୍ତୋଷ ମଉସାଙ୍କ ବ୍ୟତୀତ କିଏ ଅଧିକ ଜାଣିବ ଯେ ? ଦୁଇ ଭାଇଙ୍କ ଠାରୁ ସାନ ହେଲେ ମଧ୍ୟ ବୁଦ୍ଧି ଜ୍ଞାନର ପ୍ରଖରତା ନିମନ୍ତେ ସବୁ କାମ କାର୍ଯ୍ୟର ଭାରା ସମ୍ଭାଳିବାକୁ ପଡିଲା ତାକୁ । ବାପାଙ୍କ ପେନସନ ପାଇବା, ଭାଇଙ୍କ ବିଜିନେସ ପାଇଁ ବ୍ୟାଙ୍କ ଲୋନ କରିବା ,ସାନ ଭାଇର ଚାକିରୀ ପାଇଁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସୁପାରିଶ କରାଇବା, ଏସବୁ କଣ ତା'ର କରିବାର ଥିଲା ? କିନ୍ତୁ ତାକୁ ସେସବୁ କରିବାକୁ ପଡିଲା । ସର୍ବୋପରି ମାଆ ର ଅନ୍ତ୍ୟେଷ୍ଟିକ୍ରିୟା ଠାରୁ ଆରମ୍ଭ କରି ଭାଇ ଦୁଇଜଣ ଙ୍କ ର ବିବାହ ପର୍ଯ୍ୟନ୍ତ ସାମଗ୍ରୀକ ଭାବେ ସବୁ କାମ ତାକୁ ହିଁ ତ କରିବାକୁ ପଡିଲା ।କିନ୍ତୁ ସବୁଠାରୁ ବେଶୀ ଆଶ୍ଚର୍ଯ୍ୟ ର କଥା ଯେ, ସେଇ ଭାଇ ମାନେ ତା' କଥା ବୁଝିବାକୁ ସମ୍ପୂର୍ଣ୍ଣ ଅସମର୍ଥ । ସେମାନଙ୍କ ନିଜ ନିଜ ଦାୟିତ୍ୱ ରୁ ଫୁରୁସତ କାହିଁ ଯେ ? ।ଦୁଃଖ ର ଖୋଳପା ଟା ଏମିତି ଢାଙ୍କି ଯାଇଛି ଯେ ସେଇଟା ଆଉ କାଢି ହେଉ ନାହିଁ ।ସେତିକି ହିଁ ବିଶେଷ କଷ୍ଟ କାରଣ । ଆଉ ଯୋୖଥ ପରିବାର ନାହିଁ ।ଯିଏ ଯାହା ର ସଂସାରରେ ବ୍ୟସ୍ତ । ସମ୍ପର୍କ ର ବ୍ୟବଧାନ ଅସମ୍ଭବ ରୂପେ ବଢି ଯାଇଛି । ଜୀବନ ର ହସ ଖୁସି,ମାୟାମମତା,ସୁଖ ସମ୍ପନ୍ନତା କିଛି ଆଉ ଅନୁଭବ କରିପାରେନି ସେ ।ସ୍ନାୟୁ ରେ କୌଣସି ଶିହରଣ ନାହିଁ ।ବିବାହ ପ୍ରସ୍ତାବ ଆସିଲେ ମଧ୍ୟସ୍ଥି ଙ୍କ ହାତ ରେ ଖବର କରାଏ ,ପୁଅ ଘର ପସନ୍ଦ କଲେନି ।କାରଣ କଥା ଫାଇନାଲ ବେଳକୁ ପୁଣି ସେଇ ଦେବା ନେବା ବିଷୟ ର ରେଞ୍ଜ ଘେସ ଆଉ ତା ପରେ ପରେ ନାକଚ ।ବାପା ଙ୍କ ର ଚେହେରା ର ଭୌଗୋଳିକ ପରିବର୍ତ୍ତନ ଆଉ ଆଖିକୋଣ ରେ ଅନେକ ଦିନ ପର୍ଯ୍ୟନ୍ତ ସଞ୍ଚିତ କୋହ ଦେଖି ଦେଖି ମନଟା ରିକ୍ତ, ବିଷର୍ଣ୍ଣ ,ହୋଇଯାଇଛି ।ସେଠି ସ୍ୱାଭାବିକ ସ୍ନେହ ପ୍ରେମ କିଛି ନାହିଁ । ମଧ୍ୟସ୍ଥି ମଉସା ଙ୍କୁ ବୁଦ୍ଧି ଦେବା ପରେ କିନ୍ତୁ ସେଇ ଯୁକ୍ତି ତର୍କ ର କଥା ଆଉ ଆଗକୁ ବଢେନି ମଧ୍ୟସ୍ଥି ଙ୍କ କଥା "ନା, ଟିକେ ବୟସ ବେଶୀ ହେଇଯାଉଛି ବୋଲି କହିଲେ " ରେ ଛିଡିଯାଏ ।ସ୍ୱସ୍ତି ର ନିଃଶ୍ୱାସ ଟିଏ ମାରେ ସ୍ନିଗ୍ଧା ,ଛାତି ରୁ ଦକ ଟିଏ ଯାଏ ।

ବାପା ଙ୍କ ମୁହଁ କୁ ସିଧା ଚାହିଁ ପାରେ ନାହିଁ ସେ ।ଜୀବନର ଅପରାହ୍ନ ରେ ଉପନୀତ ।ସନ୍ଧ୍ୟା ଆସିବାକୁ ଆଉ କେତେ କ୍ଷଣ ବାକି ?? ।ପତ୍ନୀ କୁ ହରାଇ ସଂସାର ର ଅର୍ଧେକ ସୁଖ ରୁ ବଞ୍ଚିତ ହୋଇ ଝିଅ ଟି କୁ କୁଳ ରେ ଲଗାଇ ନ ପାରିବା ର ଦୁଃଖ ସେଇ ପିତା ହିଁ ବୁଝିପାରିବ ଯିଏ ଭୁକ୍ତ ଭୋଗୀ ।ସବୁ ବୁଝେ ସ୍ନିଗ୍ଧା ।ଅସ୍ତମିତ ରବି କିରଣ ରେ ସେ ତେଜ ଔଜ୍ଜ୍ୱଲ୍ୟ କାହୁଁ ଆସିବ ..?

ଏ ଯେ ପ୍ରତୀକ୍ଷା କରିଛି ,ସେଇ ମୁହୂର୍ତ୍ତ କୁ..... ଘନ ତମସା ର ବକ୍ଷ ଵିଦୀର୍ଣ୍ଣ କରି କେତେବେଳେ ଉଠିବ ଅଗ୍ନି ର ସଂଯୋଜନା ରେ ସ୍ତୁପୀକୃତ ଜୁପକାଷ୍ଠ ଉପରେ ଶୋଇଥିବା ଅସଜଡ଼ା ପ୍ରାଣ ର ବନ୍ହି ।ତା' ପରେ ...ତା' ପରେ ହୋଇଯିବ ଗୋଟିଏ ଯୁଗ ର ଅବସାନ ।ଆଉ ସେ ଯୁଗ ର ଅବସାନ ପରେ ପୁଣି ଦିନ ଆସିବ , ରାତି ଆସିବ କିନ୍ତୁ ନ ଥିବ ପାଖରେ ସେଇ ଅସ୍ତ ରବି

ର ଧୂସର ପ୍ରେମ । ଭଲ ପାଇବାର ଏକ ସ୍ଵକୀୟ ଧାରା ଅଛି ।ସେଇ ଭାଵ ରୁ ସେ ବା କେମିତି ବାଦ ପଡ଼ିଥାନ୍ତା !ଶୁଭେନ୍ଦୁ ର ପ୍ରଶ୍ନ ସବୁ ଏଡେଇଯାଏ ,କାହିଁକି ଜଣକ ର ଭାବନା ସହ ଖେଳିବ ?କାହା ଦୟା ,ଅନୁକମ୍ପା ର ପାତ୍ର ହେବା କୁ ଚାହେଁନି ସେ ।

       "ଜ୍ୟୋତିଶଙ୍କର ପଟ୍ଟନାୟକ "ନାଁ ଡକା ହେବାରୁ ଭାବନା ପ୍ରତିହତ ହେଲା ସ୍ନିଗ୍ଧା ର ।ବାପାଙ୍କ ଡାହାଣ ଆଖି କୁ ଆଉ ଦେଖାଯାଉନି ।ଅପରେସନ ହେବ ବୋଲି ଡାକ୍ତର କହିଲେ ।

"ହଁ କରିବାକୁ ପଡିବ ,"ସେ ହିଁ ତ ଏବେ ତାଙ୍କର ସାହା ଭରସା ।

ଦୋଷ ଛଡା ହେବା ପାଇଁ ଭାଇ ଦୁଇଜଣ ଙ୍କୁ ଖବର କରିଦେଇଥିଲା ସେ ।କିନ୍ତୁ ଜଣେ ଟୁର ରେ ବାହାର କୁ ଯାଇଛନ୍ତି କହିଲେ ପନ୍ଦର ଦିନ ପରେ ଆସିବେ ତେଣୁ ତା'ପରେ ଅପରେସନ କରିବାକୁ ଉପଦେଶ ଦେଲେ ।ଆଉ ଜଣେ ବିଜିନେସ ରେ ଫୁରୁସତ ପାଇବେନି କହି କୁନ୍ଥୁ କୁନ୍ଥୁ ହେଲେ ।

"ହଉ ତୁ ଗୋଟେ କାମ କର ,ବାପା ଙ୍କୁ ଆଣି ଏଠି ଛାଡି ଦେଇଯା "କହିଲେ ।କିନ୍ତୁ ବାପା ସିଧା ମନା କରିଦେଲେ ।ନିଜ

ଉପରେ ଭରସା ରଖି ବାପା ଙ୍କ ଆଖି ଅପରେସନ ପାଇଁ ପ୍ରସ୍ତୁତ ହେଲା ସ୍ନିଗ୍ଧା ।ଅବଶ୍ୟ ଶୁଭେନ୍ଦୁ ଢେର ସାହାଯ୍ୟ କଲେ ।ପ୍ରକୃତ ବନ୍ଧୁ ପରି ତାକୁ ଲାଗିଲା ।ଶୁଭେନ୍ଦୁ ର ଆଖି ର ଭାଵ ସ୍ନିଗ୍ଧା ବୁଝେ ଆଉ ହୃଦୟ ର ଗଭୀରତା କୁ ଯାଇ ପ୍ରଶ୍ନ ର ସମ୍ମୁଖୀନ୍ନ ହୁଏ ସେ ,ଶୁଭେନ୍ଦୁ ଯୁବକ, ସୁନ୍ଦର, ସୁଠାମ ହୁଏତ ରଙ୍ଗୀନ ପ୍ରେମ ରେ ଉବେଇ ଟୁବେଇ ହେଉଥିବ ,,ସେ କାହିଁକି ସ୍ନିଗ୍ଧା କୁ ପ୍ରତୀକ୍ଷା କରିବ ? ଏକ ନିର୍ଲିପ୍ତ ହୃଦୟ, ନିର୍ବିକାର ମନ, ଆଉ ନିଃଶବ୍ଦ ପ୍ରେମ କୁ ।

    ######

                   ସବୁ ଆଶଙ୍କା କୁ ହେୟ କରିଦେଲା ସେଦିନର ମୋବାଇଲ ମେସେଜ ---"ସତରେ କଣ ତୁମ ହୃଦୟ ରେ ମୋ ପାଇଁ କାଣିଚାଏ ସ୍ଥାନ ନାହିଁ ?ତୁମ ନିର୍ଲିପ୍ତତା,ନିର୍ବିକାରିତା, ମୋତେ କେଉଁ ରହସ୍ୟ ର ଗହନ, ଗଭୀର ମୁଲକକୁ ନେଇଯାଇଛି ଜାଣେନା ,କିନ୍ତୁ ତୁମ ସହିତ ଓତୋପ୍ରୋତ ଜଡିତ ହେବା ପରେ ଲାଗୁଛି ,ସତେ କି ତୁମେ ହିଁ...... କେବଳ ତୁମେ ହିଁ ମୋର ବହୁ ଆକାଂକ୍ଷିତ ନାୟିକା ।ତୁମର ଶୁନ୍ୟତା ହିଁ ମୋର ପୂର୍ଣ୍ଣତା ।ସେଇ ଅଭିଳାଷ ରେ ଏତିକି ବ୍ୟକ୍ତ କଲି ।ଜାଣେନା ତମ ପ୍ରତିକ୍ରିୟା କଣ ହେବ ? ତଥାପି ମୋର "ବିଶ୍ୱାସ "ମୋତେ ହାରିବାକୁ ଦେବ ନାହିଁ ବୋଲି ମୁଁ ବିଶ୍ବାସ କରୁଛି ।ଯାହା ବି ହେଉ ମୋତେ କିନ୍ତୁ ସବୁବେଳେ ତୁମ ପାଖେ ପାଖେ ପାଇବ ।"

              କଣ ଲେଖିବ ?କି ପ୍ରଶ୍ନ ପଚାରିବ ?କାହିଁକି କାହିଁକି ତୁମେ ଶୁଭେନ୍ଦୁ ଏମିତି କରୁଛ ? ଯାହା ପାଇଁ ମୋ ଆତ୍ମା ହା--ହା କାର କରି ଉଠୁଛି ।ବିବଶ ହୋଇ ପଡୁଛି ମୁଁ ।----""ତୁମର ପ୍ରତ୍ୟେକ କାମ, ପ୍ରତି ଟି ଉକ୍ତି ,ପ୍ରତି ଟି ଭାଵ ତୁମ ବିଶ୍ୱସ୍ତତାର ପରିଚୟ ଦେଉଛନ୍ତି ସିନା ,କିନ୍ତୁ ମୋ ଠାରୁ ତୁମର ସେଇ ପ୍ରାପ୍ୟ ତୁମେ ପାଇ ପାରିବ ତ ? ମୋ ଭିତରେ ଯେଉଁ ଶୁନ୍ୟତା ସୃଷ୍ଟି ହୋଇଛି, ତାହା ଯେ ଖୁବ୍ ଶୀଘ୍ର ପୂର୍ଣ୍ଣ ହେବ ସେଥିରେ ମୋର ଆସ୍ଥା ନାହିଁ ।ତେଣୁ ତୁମକୁ ବା କେମିତି ସୁଖୀ କରାଇପାରିବି?

ଛଳନାର ମୁଖା ମୁଁ ପିନ୍ଧିପାରିବିନି ଶୁଭେନ୍ଦୁ । ଯେଉଁ ସମୟରେ ତାରୁଣ୍ୟ ର ଅଥଳ ସାଗର ରେ ଛଳ ଛଳ ଢେଉ ସୃଷ୍ଟି କରନ୍ତି ତରୁଣ ତରୁଣୀ ସେ ସମୟ ରେ ସଂସାରଟା କୁ ମୁଣ୍ଡେଇସାରିଲା ପରେ ଯୋଉ ଖାଁ ଖାଁ ଶୁନ୍ୟତା ନିଶିଦିନ ଚତୁର୍ପାଶ୍ୱ ରେ ବୁଲୁଛି ତା'ର ଅବସାନ ଯେମିତି ନାହିଁ ।ତୁମେ

କଣ ସବୁଦିନ ସେଇ ଅସ୍ତ ରାଗର ଉଷ୍ଣତା ଭିତରେ ଆବଦ୍ଧ ହୋଇ ରହିପାରିବ ?କେବେ ତୁମେ ମଧ୍ୟାହ୍ନ ର ପ୍ରଖର କିରଣ ର ଉତ୍ତାପ ରେ ଅତିଷ୍ଠ, ଜର୍ଜରିତ ହୋଇ ପଡିବନି ତ ?ଜଳିବନି ତ ଅନୁତାପର ଦାବାନଳ ରେ ।କାରଣ ସେଇ ଜ୍ବଳନ ରେ ମୁଁ ଜଳିଯାଇ ସମ୍ପୂର୍ଣ୍ଣ ନିଃସ୍ୱ ହୋଇ ଯାଇଛି ଆଉ ସେ ନିଃସ୍ୱତା ର ଆନନ୍ଦ ତୀବ୍ର ହୋଇ ରୂପାନ୍ତର ହୋଇଯାଇଛି ଧୂସର ପ୍ରେମ ର କୋହ ରେ ।""

                ଗଭୀର ଅନ୍ତରଦାହ ରେ ସ୍ନିଗ୍ଧା ର ହାତ ଲେଖିସାରିଥିଲା ସେଇତକ କଥା ମୋବାଇଲ ର ମେସେଜ ବକ୍ସ ରେ । ଉପର ଠାଉରିଆ ଦି'ପଦ କଥା ଆଉ ତା'ପରେ ପରେ ଶ୍ବାନ ପ୍ରେମପରି ପ୍ରୀତି ର ଘୋର ବିରୋଧୀ ସେ । ରକ୍ତ ମାଂସ ର ଭୂଗୋଳ ର ସ୍ନାୟୁ ରେ ଚଉକା ଟିଏ କି ଛକ୍କା ଟିଏ ବାଡେଇ ଦେବାର ସଂଖ୍ୟା ତ ଢେର । କେବଳ ମନ ର ଚୌହଦି ଟି କୁ ବିଶ୍ଳେଷଣ କରିପାରିବା ହିଁ ପ୍ରକୃତ ପ୍ରେମ ।ବାସ୍ତବ ରୂପାୟନ ଅନାବିଳ ପ୍ରେମ ର ।ଚାପା କୋହ ଭରା ଦୀର୍ଘଶ୍ଵାସ ଟିଏ ବାହାରି ଆସିଲା ପଞ୍ଜରା ଥରାଇ । "ତୁମ ସର୍ବାଙ୍ଗ କୁ ମୋ ଭିତରେ ଅନୁଭବ କରୁଛି ଶୁଭେନ୍ଦୁ ...। ପ୍ରତ୍ୟେକ ଜଡତା ମୋର ତୁମ ଭିତରେ ଲୁଚିଯାଉଛି । ମୋ ଶୁନ୍ୟତାକୁ ତୁମେ ପୂର୍ଣ୍ଣତାରେ ଆଦରି ନେଇଛ ସତ .....,ବନ୍ଦ ଆଖି ପତାରୁ କେଇ ଟୋପା ଲୁହ ଗଡି ଆସୁଥିଲା ଚିବୁକ ଦେଇ । ଆଃ ...ଶୁଭେନ୍ଦୁ ଇଛା ହେଉଛି ଏଇ ମୁହୂର୍ତ୍ତରେ ତୁମ ଛାତିରେ ମଥା ରଖି ଟିକିଏ ଶାନ୍ତିରେ କାନ୍ଦି ପାରନ୍ତି । କିନ୍ତୁ ସବୁଦିନ ପାଇଁ ସେ ସୌଭାଗ୍ୟ କୁ ଆଦରିନେବା ପାଇଁ ହୁଏତ ମୋର ସାହସ ନାହିଁ ।ମୋତେ କ୍ଷମା କର ଶୁଭେନ୍ଦୁ,ଏଇ ଧୁସରତା କୁ ଯୋଉଦିନ ତୁମ ପ୍ରେମ ପୂର୍ଣ୍ଣ ସବୁଜ କରିଦେଇପାରିବ ସେଇଦିନ ହୁଏତ ମୋ ଜୀବନର ସର୍ବଶ୍ରେଷ୍ଠ ଦିନ ହେବ ଆଉ ତୁମେ ହେବ ମୋ ପାଇଁ ଶ୍ରେଷ୍ଠ ପୁରୁଷ ।""

ସ୍ୱଗୋତୋକ୍ତି କରୁଥିବା ଅବସ୍ଥା ରେ ତାକୁ ଲାଗିଲା ଯେମିତି ଶୁଭେନ୍ଦୁ ଅତି ନିକଟରେ ବସି ବଡ ବଡ ଆଖି କରି ଲୋଭୀଲା ହୋଇ ଖୁବ୍ ଗଭୀର ଭାବରେ ଚାହିଁ ଓଠ କୋଣ ରେ ଚାପା ହସ ରଖି ମନ କଥାକୁ ପଢିପାରିବା ପରି କହୁଛନ୍ତି "ମୁଁ ସବୁ ପାରିବି ସ୍ନିଗ୍ଧା ,ଖାଲି ଥରେ ତୁମେ ' ହଁ ' କହି ଦେଖ ତ "।

 -"ଧେତ ,ଏମିତି କଣ ଚାହିଁଛ ?ତୁମର ସବୁ ପ୍ରଶ୍ନ ର ଉତ୍ତର

ମୁହଁ ଖୋଲି ନ କହିଲେ ଚଳେନି ନା ?......ମୋର ତ ପୁଣି ଲଜ୍ଜା ଅଛି ;ତଥାପି ତ କହୁ କହୁ କହିଦେଲି ...."ଦଲକାଏ ପବନ ମୁହଁରେ ଆସି ବାଜିଲା ସ୍ନିଗ୍ଧାର । ଚାଉଁକିନା ଆଖିପତା ଖୋଲିଗଲା । ଶୁଭେନ୍ଦୁର ଉପସ୍ଥିତି କୁ ଅନୁଭବ କରୁଥିବା ବେଳେ ବାପାଙ୍କର ଡାକରେ ବାସ୍ତବତାକୁ ଫେରିଆସି ନିଜ ବଗିଚାରୁ ଘର ଭିତରକୁ ଯାଉଥିବା ବେଳେ ପଛକୁ ଚାହିଁଲା ସ୍ନିଗ୍ଧା । ଶୁଭେନ୍ଦୁର ଛାୟାଟି ପବନରେ ମିଶିଯାଉଛି ଯେପରି......ସେଇ ଛାୟା ପ୍ରତି ସୁମଧୁର ତେରେଛା ହସ ଟିଏ ଉକୁଟି ଉଠୁଥିଲା ଆଉ ଛାତି ଭିତରୁ ବାହାରି ଆସୁଥିଲା କଥା ଗୁଡିକ --"ଯାଃ... ଦୁଷ୍ଟ ...! ହେଇ ଦେଖ ,ପଶ୍ଚିମାକାଶ କେମିତି ଧୂସର ବର୍ଣ୍ଣରୁ ଧୀରେ ଧୀରେ ରକ୍ତିମ ହୋଇ ଆସିଲାଣି.....ଠିକ୍ ତୁମ ପ୍ରେମ ପରି "।।

                 ---------    -------    ----------

  ସିପ୍ରା ନାମତା (ନମ୍ରତା )

 ବାରିପଦା

ମୟୁରଭଞ୍ଜ

          


Rate this content
Log in

Similar oriya story from Romance