Soumya Shubhadarshinee

Abstract

4  

Soumya Shubhadarshinee

Abstract

ଅପୂର୍ଣ୍ଣ

ଅପୂର୍ଣ୍ଣ

5 mins
233


 କିଛି ଅଭିଶପ୍ତ ଶେଷଇଚ୍ଛା ଅପୂର୍ଣ୍ଣ ରହିବା ମଙ୍ଗଳମୟ ସଭିଙ୍କ ପାଇଁ ।

 


 ସେ ଏତେ ଉନ୍ମୁକ୍ତ କିପରି ହେଇପାରିଲେ ସେତକ ଭାବି ଶୋଭିତ ଆଶ୍ଚର୍ଯ୍ୟ ହେଉଥିଲା । ଜଣେ ଅପରିଚିତ ପ୍ରତି ଏଭଳି ବିଶ୍ୱାସ ସାଧାରଣତଃ ଦେଖାଯାଏନି ! କିନ୍ତୁ ସେ ଦେଖେଇଲେ । ପୁରୁଣା ବେତ ଚୌକି ଉପରେ ବସି ଶୋଭିତ ତାଙ୍କୁ ଦେଖୁଥିଲା । ଶୋଭିତ କେବଳ ଏତିକି କହିଥିଲା ସେ ପୁରୀରୁ ଆସିଛି ।


  ସେ ଶୋଭିତକୁ ମୁଠେ କାଜୁ ମଞ୍ଜି ଭଜା , ଚେକାଏ ସପୁରୀ କଟା ଆଉ ଅଳ୍ପ ବେସନ ମୁଡୁୁକୁ ଗୋଟିଏ ସୁନ୍ଦର କଂସା ଥାଳିଆରେ ଧରେଇ ଦେଇ ଭିତରକୁ ଚାଲିଯାଇଥିଲେ । ଅତି ବଡ଼ ନୁହେଁ କି ଅତି ଛୋଟ ନୁହେଁ, ଯେତିକି ଜରୁରୀ ସେତିକି ଥିଲା ତାଙ୍କ ବୈଠକି । ଥାକରେ ଥିଲା କିଛି ପୁରୁଣା ତାଳପତ୍ର ପୋଥି ଆଉ ତା' ଉପରେ ଫୁଲ ଆଉ ନାଲି ସାଲୁ କନା ଘୋଡ଼ା ଗୋଟିଏ ଗୀତା ବହି । କାନ୍ଥରେ ସୁନ୍ଦର ପଟ୍ଟଚିତ୍ର । 


 କିଛି ଅଜଣା ଫୁଲ ସଜ୍ଜିତ ଦୁଇଟି ଫୁଲ କୁଣ୍ଡ ରହିଥିଲା ବାରଣ୍ଡାରେ। ଶୁଆଟିଏ ପଞ୍ଜୁରୀ ଭିତରେ ଘୁମେଇ ପଡିଥିଲା ନିଜ ବାଗରେ । ଗୋଟିଏ ବଡ଼ ସଜନା ଗଛ ଫୁଲରେ ମଣ୍ଡି ହେଇ ହସୁଥିଲା ଘର ଆଗରେ ଠିକ ତାଙ୍କ ପରି । ସେ ହୁଏତ କୌଣସି ମନ୍ତ୍ର ଉଚ୍ଚାରଣ କରୁଥିଲେ । ଅବୋଧ୍ୟ ମନ୍ତ୍ର ସବୁ ଶୋଭିତକୁ ଛୁଇଁ ସାରା ଇଥରରେ ବ୍ୟାପି ଯାଉଥିଲା ପବିତ୍ର କରି । 


  ଘରର ପ୍ରତ୍ୟକ କୋଣ ଅନୁକୋଣରେ ଥିଲା ଗୋଟେ ଅଦ୍ଭୁତ ସୁଗନ୍ଧ । କିଛି ଧୂପ, କିଛି ଝୁଣା ,କିଛି ଚନ୍ଦନ ନା କିଛି ଅଗରୁ ବା ସବୁର ମିଶ୍ରଣ; ମନ୍ଦିର ମନ୍ଦିର ଅନୁଭବ । ଶୋଭିତ ପ୍ରଥମ ଥର ଏଭଳି ପରିବେଶରେ ନିଜକୁ ସାମିଲ କରିଥିଲା । ମନୋଦଶା ବଦଳି ଯାଉଥିଲା ଏଇ ପୃଥିବୀରେ । ବିଶ୍ୱାସ ଆସୁଥିଲା ନିଜ ଉପରେ ଓ ଆଗାମୀ ସବୁଜିମା ଉପରେ। ହେଇପାରିବ ଜୀବନରେ କିଛି ସକାରାତ୍ମକ ନିଶ୍ଚିତ । ବାଇଶ ବର୍ଷୀୟ ତାରୁଣ୍ୟ ପ୍ରଥମ ଥର ଆତ୍ମବିଶ୍ୱାସୀ ହେଉଥିଲା । ଗୁଜୁରି ଆସୁଥିଲା କିଛି ନିଷ୍ପାପ ସ୍ୱପ୍ନ ଓ ନିର୍ମାୟା ମୋହ । ଘର ଶବ୍ଦର ନୂତନ ଅର୍ଥ ଲେଖୁଥିଲା ଜଣେ ମଣିଷ ସ୍ଵୀୟ ଅଭିଧାନରେ ।


 ଟିକେ କୌତୁହଳି ହେଇ ସେ ଥାକରୁ ନାମା ମାଳିଟିକୁ ନେଇ ହାତରେ ଧରିଲା । ହଳଦି ରଙ୍ଗର ରାମନାମ ଚିତ୍ରିତ ଉତ୍ତରୀୟଟିକୁ କାନ୍ଧରେ ପକେଇଲା । କାନ୍ଥରେ ଶୋଭା ପାଉଥିବା କମକୁଟ କରା ସୁନ୍ଦର ଦର୍ପଣ ଟିରେ ନିଜକୁ ଦେଖିଲା । ନା ସେ ଖାପ ଖାଉନି ସେ ରୂପରେ । ତା'ର ଉତ୍ସୃଙ୍ଖଳ ରୂପ, କଡା ନିକୋଟିନ ଛୁଆଁ କଳା ଓଠ , ବିକ୍ଷୀପ୍ତ କେଶରାଶି ସହ ସେଇ ପବିତ୍ର ପରିପାଟୀର

ଆଦୌ ସମିକରଣ ନଥିଲା । ବେଖାପ ଲାଗୁଥିଲା ସେ , ସାଧୁ ମେଳରେ ସଇତାନ ଭଳି ।  କିନ୍ତୁ ଏଥିରେ ତା'ର ଦୋଷ ନାହିଁ । ଦୋଷ କେବଳ ନିୟତିର ।


--" ବାହାର ଏଠୁ, ବହୁତ ମଉଜ କଲୁ ମୋ ପିଲାଙ୍କ ପଇସାରେ । ବହୁତ ଉଡେଇଲୁ ଆମ ପୈତୃକ ସମ୍ପତ୍ତି । ଏଥର ନିଜ ବାଟ ଦେଖ ।" ଅବିଶ୍ୱାସନୀୟ ଓ ରୁକ୍ଷ ଥିଲା , ଶବ୍ଦ ସବୁ ଗୋଟେ ବୋଉ ଓଠରୁ । ତିରସ୍କାର ଓ ଘୃଣା ବ୍ୟତୀତ କିଛି ଦେଇନଥିଲା ବୋଉ । ଦୁରଦୂର ମାରମାର କରିବା , କଟୁ ଭାଷାରେ ଗାଳି ଦେବା , ମାଡ଼ ଦେବା ଓ ପିଲାକୁ ମଣିଷ ନୁହେଁ ବସ୍ତୁ ଭଳି ବ୍ୟବହାର କରିବା ବ୍ୟତୀତ ଅନ୍ୟ କିଛି ଅନୁଭବ ଯୋଡ଼ା ହେଇନଥିଲା ବୋଉ ସହ । ଶୋଭିତ କେବେ ବୁଝି ପାରିନଥିଲା ବୋଉ ଗୋଟେ କୋମଳ , ସ୍ପର୍ଶକାତର , ସ୍ନେହଶୀଳ ଚେତନାର ମାନବୀୟ ରୂପାନ୍ତର । ବରଞ୍ଚ ସେ ଦେଖିଥିଲା ଗୋଟେ ନିସ୍କରୁଣ , ନିର୍ଦ୍ଦୟ ,ପଥର ହୃଦୟ । 


 ନନା ଶ୍ରଦ୍ଧା କରୁଥିଲେ କିନ୍ତୁ ବଡ଼ ଅଭାବୀ ଥିଲେ । ସେ ହୁଏତ ବାହାରର ମଣିଷ; ଘର ଭିତରେ ସଙ୍କୁଚିତ ହେଇଯାଉଥିଲେ ଅସମ୍ଭବ ଭାବରେ । ଦୁଇଟି ଭଉଣୀ କିନ୍ତୁ ସୌଭାଗ୍ୟ ସାଥିରେ ନେଇ ଆସିଥିଲେ । ବୋଉ କୋଳ ଆଉ ନନାଙ୍କ ଆଶୀର୍ବାଦ ବଡ଼ ବାଦାନ୍ୟ ଥିଲା ସେ ଦୁହିଁଙ୍କ ଲାଗି । ନନା ବୋଉ ଉଭୟ ଝିଅଙ୍କୁ ଏତେ ଆଦର କରୁଥିବା ପ୍ରଥମ ଓ ଶେଷ ଅଭିଭାବକ ଥିଲେ ନିଶ୍ଚିତ। ଆମ ସମାଜରେ ପୁଅ ପ୍ରତି ସଭିଏଁ ଅଧିକ ଯତ୍ନଶୀଳ ବୋଲି ଜଣାଥିଲା ଶୋଭିତକୁ ।


 ପୂର୍ବା ସବୁବେଳେ ସଂଶୟ ଦେଖାଉଥିଲା ଶୋଭିତ ଉପରେ ।

--'' ମୋର ଜମା ବିଶ୍ୱାସ ହୁଏନି ଶୋଭିତ , ସେ ତୁମ ବୋଉଟି ?''

--'' ଚୁପ କର ତୁ , ଏଭଳି ବାଜେ କଥା ଆଉ କେବେ କରିବୁ ନାହିଁ ।''

--'' ବାଜେ ନୁହେଁ, ଏକଦମ ସଠିକ କଥା କହୁଛି ମୁଁ । ଦେଖିବ ଦିନେ !''

 ପ୍ରେମିକାର ଏ ଆକ୍ଷେପ ଛୁରି ଭଳି ବିଦ୍ଧ କରେ କଲିଜା । ଝରେ ତାଜା ରକ୍ତ ଆଖିର ସରହଦରୁ । ପୁରୁଷ ଆଖିରେ ଲୁହ ଶୋଭା ପାଇନି କୁହେ ଅହଂ କିନ୍ତୁ ପୁଅର ଆଖି ବୋଉର ତିରସ୍କାର ସହିବାକୁ ସକ୍ଷମ 

ହୁଏନି । 


 ତଥାପି ନନାଙ୍କ ମୋହରେ ଅଢୁଆଳ ହେଇଯାଏ ଯାବତୀୟ ଯାତନା । ନନା ଘରେ ସିନା ପର ହେଇଯାନ୍ତି କିନ୍ତୁ ବାହାରେ କୁବେର ସାଜନ୍ତି । ହେଲେ ଅଳିକ ସେ 

ସୁଖ । ସେ ଯାଯାବର ନୁହେଁ , ଘରର ଚାରିକାନ୍ଥ ଭିତରେ ବିତେ ତା' ଜୀବନ ।


  ଖାସ ସେଥିପାଇଁ ଶୋଭିତ ନିଜକୁ ଘରଠୁ ଦୁରେଇ ନେବାର ଆଧାର ଖୋଜେ । ଖଟି ସହ ଯୋଡ଼େ ନିଜର ସମୟ ଓ ସ୍ୱପ୍ନ । ପୁରୁ , ଏବି , ଜିତ ଭଳି ପିଲାଏ ହୁଅନ୍ତି ନିଜର । ବଢେ ରାତିର ବୟସ ଓ ନିଶାର ଆୟୁଷ । ତିଆରି ହୁଏ ଗୋଟେ ଭାଗାବଣ୍ଡ ଅଦୃଶ୍ୟର ଷଡ଼ଯନ୍ତ୍ରରେ । କାୟା ବିସ୍ତାରନ୍ତି ନିକୋଟିନର ସାମ୍ରାଜ୍ୟ ଗୋଟେ ଅସହାୟ ଜୀବନରେ । କେବେକେବେ ଘର ବାହାରେ ରାତି ବିତେ , ଘୃଣିତ ଅଧ୍ୟାୟ ଲେଖେ । ନନା ଏଟିଏମ ଧରେଇ ଦେଇ ନିଜକୁ ମୁକ୍ତ କରିଦିଅନ୍ତି କେବଳ । ପରୋକ୍ଷରେ ସେଇ ଗାନ୍ଧିମୁଣ୍ଡ ଅମଣିଷ ତିଆରୁଛି ଶୋଭିତ ଭିତରେ ଏତକ ବୁଝିବାକୁ ସମୟ ନଥାଏ ତାଙ୍କ ପାଖରେ । ଶୋଭିତ ନିଶାରେ ନିଝୁମ ହୁଏ ଭୁଲିବାକୁ ନିଜ ଅସ୍ତିତ୍ୱ । କିନ୍ତୁ ନିଜ ଭିତରର ଲୋକଟା ଆଦୌ ନୀରବ ହୁଏନି ନିଶାସକ୍ତ ମୁହୂର୍ତ୍ତରେ । ଖେତେଇ ହେଇ ଯତେଇ ଦିଏ ସେ ଅପାଂନ୍ତେୟ ।  


--'' ଶୋଭିତ , ଦେଖ ବାବୁ କେବଳ ତୁ ମୋର ନିଜର । ତୋ ଉପରେ ଭରଷା କରେ 

ମୁଁ ନିଜଠୁ ଅଧିକ । ମୁଁ ଶେଷ ମୁହୂର୍ତ୍ତରେ ତୋଠୁ ଛୋଟ ଦୟା ଟିକେ ମାଗୁଛିରେ । ତୁ ମୋତେ କ୍ଷମା କରିଦେ ବାବୁ । ନହେଲେ ମୁଁ ଅନୁତାପ ନିଆଁରେ ଜଳିବି ମୃତ୍ୟୁ 

ବାଦେ ।'' 


 ନନା ଅସୁସ୍ଥ ହେଲେ ଦୁରାରୋଗ୍ୟ ବ୍ୟାଧିରେ । ଢେର ଅର୍ଥ ଶ୍ରଦ୍ଧା ପରେ ମଧ୍ୟ ଉନ୍ନତି କଲେନାହିଁ । ଏଇ ଅସୁସ୍ଥତା ସହ ବଦଳି ଯାଇଥିଲେ ଖୁବ୍ । ସବୁବେଳେ ଖୋଜୁଥିଲେ ତାକୁ । ବୋଉକୁ କଡା କରି ଜବାବ ଦେଉଥିଲେ ଶୋଭିତ ପ୍ରତି ଦୁର୍ବ୍ୟବହାର କଲେ । ହୁଏତ ଶେଷ ସମୟରେ ଉପନୀତ ହେଇଗଲାଣି ବୋଲି ଅନୁଭବ କରୁଥିଲେ । ଶୋଭିତ ତାଙ୍କ ପ୍ରତି ଆସକ୍ତ ହେଇଯାଉଥିଲା ଧୀରେଧୀରେ । ଭୟ ଗୋଟେ ଘର କରୁଥିଲା ମନରେ ; ନନା ଛାଡ଼ିଗଲେ କାହାକୁ ଆଧାର କରି ଜୀଇଁବ ସେ, କିନ୍ତୁ ସେ ଆଜି ଅନୁତପ୍ତ କାହିଁକି ? ସେଇ କାରଣ ବୁଝିବା ସମ୍ଭବ ନଥିଲା । 


  ସେଇ ନନା ଆଜି କ୍ଷମା ମାଗୁଛନ୍ତି । ଅସହାୟ ଲାଗୁଛନ୍ତି । ଶୋଭିତ ପାଖରେ କି ଭୁଲ କଲେ ଆଉ ! ଢେର ଘଣ୍ଟଘୋଡେଇତ ରଖିଲେ । ତା' ଛୋଟ ବଡ଼ ଇଚ୍ଛା ଗୁଡିକୁ ପୂର୍ଣ୍ଣ କରିବାକୁ ଚେଷ୍ଟା କରି ବୋଉ ପାଖରେ କାଇଲି ହେଲେ । ଆଉ ଏଇ ଶେଷ ମୁହୂର୍ତ୍ତରେ ନିଜ ପୁଅ ପ୍ରତି ଶ୍ରଦ୍ଧା ଅଜାଡି ନିଶ୍ୱ ହେଲେ । ବୋଉର ଘୃଣାର ପାତ୍ର ହେଲେ ।


  ନନା କିନ୍ତୁ ସତରେ ଭୟଙ୍କର ଭୁଲ କରିଦେଇଥିଲେ । ରୁକ୍ଷ, ହୃଦୟହୀନ ବୋଉ ଠୁ ବି ଅଧିକ । ଶୋଭିତ ନିଜକୁ ବିଶ୍ୱାସ କରିପାରିଲା ନାହିଁ । ସେ ନନାଙ୍କ ଅବୈଧ ସନ୍ତାନ । ନନା ତାକୁ ଗୁଞ୍ଜି ଦେଇଥିଲେ ବୋଉ କୋଳରେ । କୁଳ ରକ୍ଷା ପାଇଁ ପୁଅଟେ ଜନ୍ମ କରି ପାରିନଥିବା ବୋଉ ସହିଥିଲା ଏଇ ସିଦ୍ଧାନ୍ତ । ସେ ସେତିକି ମହାନ ଯେ ଖୋଲିନଥିଲା କେବେ ଶୋଭିତର ଜନ୍ମ ରହସ୍ୟ । କିନ୍ତୁ କେଉଁ ନାରୀ ସହେ ସଉତୁଣୀର ପିଲାକୁ ନିଜ ସଂସାରରେ ? କେତେ ସ୍ୱାର୍ଥପର ଥିଲେ ନନା । ବୋଉ ପ୍ରତି, ପରିବାର ପ୍ରତି, ଶୋଭିତ ପ୍ରତି ଆଉ ତା' ଜନ୍ମିତ ମା' ପ୍ରତି !.....


 ଆହୁରି ପୁଣି ସେଇ ସ୍ୱାର୍ଥପର ନନା ଯିବା ସମୟରେ କହିଦେଇଗଲେ ," ମୁଁ ଯିବା ପରେ ତୁ ନିଶ୍ଚିତ ଯିବୁ ବାବୁ ବାଣୀ ପାଖକୁ । ଆଉ ତାକୁ କହିବୁ ସେ ମୋର ବିଧବା; ପାଳିବ ସେ , ସେତିକି ମୁଁ ପାଇବି ମଲା ପରେ । ଏଇଟି ମୋ ଶେଷ ଇଚ୍ଛା । " 


 ଆଜି ଶୋଭିତ ଆସିଛି ବାଣୀ ପାଖକୁ । ତା' ଜନ୍ମିତ ବୋଉ ପାଖକୁ । ଯେ ରହୁଛି ଗୋଟେ ଭିନ୍ନ ମନ୍ଦିରରେ । ମଥାରେ ସିନ୍ଦୁର ପୋଥାଏ , ହାତରେ ଚୁଡ଼ି ମୁଠାଏ , ଦେହରେ ରଙ୍ଗୀନ ଶାଢ଼ୀ ପିନ୍ଧି ଲାଗୁଛି ଦେବୀ ଭଳି । ଏଇ ଦେବୀଟି କ'ଣ ସତରେ ନନାଙ୍କ ବିଧବା ହେବା ଉଚିତ । ପାଳିବା ଉଚିତ ଏଭଳି ଜଣେ ମଣିଷର ମୃତ୍ୟୁ ବିଧି , ଯେ ତାକୁ କାଙ୍ଗାଳିନୀ ସଜେଇ ଛାଡ଼ିଗଲେ । ଜନ୍ମିତ ପୁଅଟିକୁ ଛଡେଇ ନେଇ ,ବଞ୍ଚିବାର ଆଧାର ନେଇଗଲେ । ଏଡ଼େ ସ୍ନେହୀ ବୋଉ କୋଳରୁ ବିଯୁକ୍ତ କରି ଶୋଭିତକୁ ଅପାଙ୍କ୍ତେୟର ପରିଚୟ ଦେଲେ !

 ନା ଆଦୌ ଦରକାର ନାହିଁ । ସେ ସଧବା ହେଇ ରହୁ । ଦେବୀ ହେଇ ରହୁ । ଶୋଭିତ ତାକୁ କେବେ କହିବ ନାହିଁ ନନାଙ୍କ ଶେଷ ଇଚ୍ଛା । ସେଇ ଇଚ୍ଛା ଅପୂର୍ଣ୍ଣ ରହିବା ସଭିଙ୍କ ପାଇଁ ସୁନ୍ଦର ।


Rate this content
Log in

Similar oriya story from Abstract