ଅନନ୍ଯା ଅନୁରାଧା
ଅନନ୍ଯା ଅନୁରାଧା
ଘର ଭିତରେ ସତ୍ଯନାରାୟଣ ପୂଜା ଚାଲିଛି। ବାହାରେ ଭୋଜିଭାତର ଆସର। ଉଭୟେ ଘରେ ଓ ବାହାରେ ବନ୍ଧୁ ବାନ୍ଧବଙ୍କ ଭିଡ ଓ ଗହଳି। ଜେଜେଙ୍କ କୋଳରେ ବସିଛି କୁନି ନାତୁଣୀ। ଏବେ ଯାଏ କିଛି ନାମ ଦିଆ ଯାଇନି। ଧନ, ଗୁଡୁ, ଗେଲୁ ନାମରେ କାମ ଚାଲିଛି ଆଜିଯାଏ। ଆଜି ଏକୋଇଶା ପୂଜାରେ ନାମକରଣ କରାଯିବ। ପୁରୋହିତ ପଚାରିଲେ "ନାମ କ'ଣ ବାଛିଚ ନାତୁଣୀ ପାଇଁ? ଝିଅଟି ମେଷ ରାଶି କୃତ୍ତିକା ନକ୍ଷତ୍ରରେ ଜନ୍ମ ହେଇଛି। 'ଅ' ଅକ୍ଷରରେ ନାମଦେଲେ ଭଲ ହେବ।"
'ଅ' ଅକ୍ଷର?? ଅନୁରାଧା, ଅନୁରାଧା। ଅନୁରାଧା ରଖିବା ଝିଅର ନାମ। ଆପେ ଆପେ ପାଟିରୁ ନାଁ ଟି ବାହାରି ପଡିଲା ଗୌରହରି ବାବୁଙ୍କର। ପୁଅ ଅଂଶୁମାନ, ବୋହୂ ନୀଳିମା ଓ ସ୍ତ୍ରୀ ରତ୍ନପ୍ରଭା ଦେବୀ ସମସ୍ତଙ୍କ ମନକୁ ଆସିଲା ନାଁଟି।
ବାହାଘରର ପାଞ୍ଚ ବର୍ଷ ପରେ ଭୟ ଓ ଆତଙ୍କିତ ମନରେ ଯେବେ ସାରା ପରିବାର ବିତାଉଥିଲେ ସେତିକିବେଳେ ଆଶାର ସୂକ୍ଷ୍ମ କିରଣଟିଏ ହେଇ ସେ ଦେଖା ଦେଇଥିଲା। ସେବେଠାରୁ ପରିବାରରେ ଖୁସି ହିଁ ଖୁସି। ଆଜି ସେଇ ସୂକ୍ଷ୍ମ କିରଣଟି ତାଙ୍କ ପରିବାରରେ ରୋଶନୀ ସାଜି ଆସିଛି।
ପ୍ରତି ପାଦେପାଦେ ବୋହୂ ନୀଳିମାର ଖିଆଲ ରଖୁଥିଲେ ରତ୍ନପ୍ରଭା ଦେବୀ। ସେ ଯେବେ ଗର୍ଭରେ ଥାଇ ଟିକେ ଚଳଚଞ୍ଚଳ ହେଇଉଠେ, ନିଜ ପେଟକୁ ଧରି ଆଉଁସି ଦେଇ ଆହ୍ଲାଦିତ ହେଇଉଠେ ନୀଳିମା। ଯେତେ ନିଦରେ ଶୋଇଥିଲେ ବି ଅଂଶୁମାନଙ୍କୁ ଉଠେଇଦିଏ। ଅଂଶୁମାନ ବି ସେଇ ନିଦରୁ ଉଠିବସି ବହେ ବହେ ଗେଲ କରିପକାନ୍ତି। ଆଃ...ମୋ ଧନ ,କେବେ ତୁ ଆସିବୁ? ଗୌରହରି ବାବୁ ତ ସବୁଦିନ ଘରକୁ ଫେରିଲା ବେଳକୁ କିଛି ନା କିଛି କିଣିକି ଆଣିଥାନ୍ତି ବୋହୂ ପାଇଁ ଓ ତାଙ୍କର ଆଗାମୀ ବଂଶଧର ପାଇଁ। ଦୁଇମାସ ଆଗରୁ ଘର ଖେଳଣାରେ ଭର୍ତ୍ତି ହୋଇସାରିଥାଏ। କେବଳ ତା'ର ଆସିବାକୁ ଅପେକ୍ଷା ।ଶେଷରେ ଆସିଲା ସେଇ ପ୍ରତୀକ୍ଷିତ ଦିନ। ତା'ର କୁଆଁ କୁଆଁ କାନ୍ଦରେ ସମସ୍ତଙ୍କ ଓଠରେ ଧାରେ ହସ ଗାରେଇ ହେଇଗଲା। ନୀଳିମା ଓ ଅଂଶୁମାନ ଝିଅକୁ ଧରି ଦୁଇଦିନ ପରେ ଘରକୁ ଫେରିଲେ। ନୀଳିମା ଯେବେ ବୋହୂ ହେଇ ସେହି ଘରକୁ ଆସିଥିଲା ତାକୁ ଯେଉଁଭଳି ଭାବେ ସ୍ବାଗତ କରାଯାଇଥିଲା, ତା'ର ଦଶଗୁଣ ଅଧିକ ଭାବେ କୁନି ନାତୁଣୀକୁ ସ୍ବାଗତ କରିଥିଲେ ଗୌରହରି ବାବୁ ଓ ରତ୍ନପ୍ରଭା ଦେବୀ। ଘରର ମୁଖ୍ଯ ଦରଜା ଠାରୁ ନୀଳିମାର ଶୋଇବାଘର ପର୍ଯ୍ୟନ୍ତ ଫୁଲର ଗାଲିଚା ସଜା ଯାଇଥିଲା। ଆଜି ତ ସହଜେ ଏକୋଇଶା ଭୋଜି। ଏତେ ଖାଇବା ପିଇବା ହେଇଥିଲା ଯେ ସବୁରି ମୁହଁରେ ଭୁରିଭୁରି ପ୍ରଶଂସା। ଗୌରହରି ବାବୁଙ୍କ ମତରେ ଲୋକମାନଙ୍କ ଆତ୍ମା ଖୁସି କରେଇପାରିଲେ ସେମାନଙ୍କ ହୃଦୟରୁ ଆଶୀର୍ବାଦ ଆପେଆପେ ତାଙ୍କ ନାତୁଣୀ ଉପରେ ପଡିବ। ସେମିତି ହିଁ ହେଉଥିଲା।
ଅନୁରାଧାର କୁଆଁ କୁଆଁ କାନ୍ଦ ଘର ଭିତରେ ସାତସ୍ବରର ମଧୁର ରାଗିଣୀ ଭଳି ଲାଗୁଥାଏ ସମସ୍ତଙ୍କୁ। ତା'ର ଠୁକୁଠୁକୁ ଚାଲିରେ ଘର ଠାରୁ ଅଗଣା ସବୁ ଝୁମିଯାଉଥାଆନ୍ତି। ଧିରେ ଧିରେ ବଡ ହେଉଥିଲା ଅନୁରାଧା। ବାହାରକୁ ଖେଳିବାକୁ ଯିବାପାଇଁ ଜିଦି କରୁଥିଲା। ରତ୍ନପ୍ରଭା ଦେବୀ ନାତୁଣୀର ଏଭଳି ଜିଦି ଦେଖି କେତେଥର ବୋହୂକୁ ଦେଖେଇ ଦେଖେଇ କହିସାରିଲେଣି, ଏଥର ଅନୁରାଧା ପଛକୁ ତା'ର ଭାଇଟେ ଆସିବା ଦରକାର। ନହେଲେ ପିଲାଟା ଏକୁଟିଆ ହେଇଯିବ। ନୀଳିମା ବି ଏକଥା ଅଂଶୁମାନଙ୍କ କାନରେ ପକେଇ ସାରିଲାଣି।ଅଂଶୁମାନ ମଧ୍ଯ କଥାଟିକୁ ଗମ୍ଭୀରତାର ସହ ନେଇଛନ୍ତି। ସତରେ ଅନୁରାଧା ପାଇଁ ସାଥିଟିଏ ଦରକାର। କିନ୍ତୁ ସେ ଯେ ଭାଇଟେ ହେବ ସେଥିରେ କୌଣସି ଭରଷା ନାହିଁ। ହେଲେ ରତ୍ନପ୍ରଭା ଦେବୀଙ୍କ ପାଟିରେ କେବଳ ଭାଇ ଆଉ ଭାଇ। ହେଲା କିନ୍ତୁ ଭଉଣୀଟିଏ। ସେଇ ସମାନ ରାଶି ନକ୍ଷତ୍ରରେ। ଜେଜେ, ବାପା ,ମାଆ ସମସ୍ତେ ଖୁସିହେଲେ। ନାମ ଦେଲେ 'ଅନନ୍ଯା'।ରତ୍ନପ୍ରଭା ଦେବୀ କେବଳ ଖୁସି ହେବାର ଅଭିନୟ କଲେ ସିନା ଅନ୍ତର ମଧ୍ଯରୁ ଖୁସି ହେଇପାରିଲେନି। ଏକା ଏକା ଥିଲାବେଳେ ଭାରି ଉଦାସ ଉଦାସ ଲାଗନ୍ତି। ଅଂଶୁମାନ ଓ ନୀଳିମା ଉଭୟ ବୁଝାନ୍ତି "ବୋଉ କାହିଁକି ଏତେ ମନ ଦୁଃଖ କରୁଛ। ଯୁଗ ବହୁତ ବଦଳି ଗଲାଣି। ପୁଅ ଝିଅ ଭିତରେ କିଛି ବି ପ୍ରଭେଦ ନାହିଁ"। ସମସ୍ତେ ସବୁ କରିପାରିବେ। ତଥାପି ମନକୁ ବୁଝେଇ ପାରନ୍ତିନି ରତ୍ନପ୍ରଭା ଦେବୀ। କାନ୍ଦ କାନ୍ଦ ହୋଇ କୁହନ୍ତି "ମୁଁ ମୋ ପାଇଁ ମନ ଦୁଃଖ କରୁନିରେ। ମୁଁ ଆଉ କେତେଦିନର ଅବା ମଣିଷ। ମୋର ନାତି ନାହିଁ ବୋଲି ମନ ଦୁଃଖ ଯେତିକି ନୁହେଁ ମୋ ନାତୁଣୀର ଭାଇଟେ ନାହିଁ ବୋଲି ସେତିକି ମନ ଦୁଃଖ। ଆମେ କେତେଦିନ ଅବା ତାକୁ ସୁରକ୍ଷା ଦେଇପାରିବା। ଭାଇଟେ ଥିଲେ ତା'ର ସବୁ ଆପଦ ବିପଦରେ ପାଖେପାଖେ ଥାଆନ୍ତା ଛାଇ ହୋଇ। ସମସ୍ତେ ଜାଣନ୍ତେ ମୋ ନାତୁଣୀ ଏକା ନୁହେଁ "।ରତ୍ନପ୍ରଭା ଦେବୀଙ୍କ କଥାକୁ ନୀରବରେ ସମସ୍ତେ ସ୍ବୀକାର କରିନିଅନ୍ତି। ଅନନ୍ଯାକୁ କୋଳକୁ ନିଅନ୍ତି ସତ ହେଲେ ଅନୁରାଧା ଭଳି ନୁହେଁ। ସ୍ନେହ ଆଦରଟା ଟିକେ ଫିକା ପଡିଯାଏ ଅନୁରାଧା ଅପେକ୍ଷା। ତଥାପି ଅନନ୍ଯା ବଢେ ଆଗକୁ ଆଗକୁ। ଅନୁରାଧା ବହୁତ ଖୁସି ତା ପାଇଁ ଗୋଟେ ଭଲ ଖେଳ ସାଥି ମିଳିଗଲା ବୋଲି।
ସମୟ ସ୍ରୋତରେ ସମସ୍ତେ କୁଟା ଖିଅଟିଏ ଭଳି। ସ୍ରୋତ ଯୁଆଡେ ବୋହିନିଏ ସମସ୍ତେ ସେଇଆଡେ ବହିଯାଆନ୍ତି। ସେମିତି ବହିଯାଉଥିଲେ ଗୌରହରି ବାବୁଙ୍କ ପରିବାର। କିଏ ଜାଣିଥିଲା ତାଙ୍କୁ ସମୟ ସ୍ରୋତ ବୋହିନେଇ ଏମିତି କଚାଡି ଦେବ ବୋଲି। ଅନୁରାଧାକୁ ଘରେ ଜେଜେ ଓ ମା ପାଖରେ ଛାଡି ଅଂଶୁମାନ ଓ ନିଳୀମା ଅନନ୍ଯାକୁ ନେଇ ଯାଇଥିଲେ ଡାକ୍ତର ପାଖକୁ। ସାମାନ୍ଯ ଥଣ୍ଡା ଜ୍ବର ଟିକେ ହେଇଥିଲା। ଶାଶୁ ମନା କରୁଥିଲେ ଯିବାପାଇଁ। ଆପେଆପେ ଭଲ ହେଇଯିବ ବୋଲି କହୁଥିଲେ। ହେଲେ ଅଂଶୁମାନ ଓ ନୀଳିମା ଜାଣିଥିଲେ ଏକଥା କେବଳ ଅନନ୍ଯା ପାଇଁ, ଏତିକି ଯଦି ଅନୁରାଧାର ହେଇଥାନ୍ତା ତ ଏତେବେଳକୁ କେତେ ପୂଜାପାଠ ସରନ୍ତାଣି। କେତେ ମାନସିକ କେତେ ଦେବୀଙ୍କ ପାଖରେ ହେଇଯାଆନ୍ତାଣି। କେତେ ଡାକ୍ତରଙ୍କ ଭିଡ ତାଙ୍କ ଘରେ ହୁଅନ୍ତାଣି। ହେଲେ ଅନନ୍ଯା ପାଇଁ କିଛି ନୁହେଁ। ଏମିତିକି ଡାକ୍ତର ବି ନୁହେଁ ।ଇଏ କେମିତିକା କଥା। ଯାହାହେଲେବି ସେମାନଙ୍କର ସେ ଝିଅ। ମନ ବୁଝିବ କେମିତି। ସେଥିପାଇଁ ରତ୍ନପ୍ରଭା ଦେବୀଙ୍କ କଥାକୁ ନମାନି ହସ୍ପିଟାଲ ଗଲେ ଅଂଶୁମାନ ଓ ନୀଳିମା। କିନ୍ତୁ ହସ୍ପିଟାଲରେ ଆଡମିଟ୍ ସେ ଦୁଇଜଣ। ଅନନ୍ଯା ନୁହେଁ। ଭାରସ୍ୟାମ ହରେଇ ଏକ ଟ୍ରକ ମାଡିଆସିଥିଲା ସେମାନଙ୍କ ଉପରକୁ। ଗୋଟେ ସେକେଣ୍ଡରେ ରଚିଦେଇଗଲା ତାଣ୍ଡବ। ଛିଟିକି ପଡିଲା ଅନନ୍ଯା ନୀଳିମା କୋଳରୁ। ଦେଖେଣାହାରୀ କେତେଜଣ ଉଠେଇନେଲେ କୋଳକୁ। ଆଉ ଅଂଶୁମାନ ଓ ନୀଳିମାକୁ ହସ୍ପିଟାଲକୁ। ସେଠି ଡାକ୍ତର ଉଭୟଙ୍କୁ ଘୋଷଣା କଲେ ମୃତ ବୋଲି।
ଖବର ପାଇ ଦଉଡି ଆସିଲେ ଗୌରହରି ବାବୁ ଓ ରତ୍ନପ୍ରଭା ଦେବୀ। ପୁଅ ବୋହୂଙ୍କର ଏପରି ଅବସ୍ଥା ଦେଖି ପଥର ପାଲଟି ଗଲେ ଦୁହେଁ। ଯେଉଁ ବୟସରେ ପୁଅବୋହୂ ସେମାନଙ୍କ ଦାୟିତ୍ବ ନେବାକଥା ସେହି ବୟସରେ ଏତେବଡ ଦାୟିତ୍ବ ସେମାନଙ୍କ ମୁଣ୍ଡ ଉପରେ ଲଦିଦେଇ କେମିତି ଯାଇପାରିଲେ ଏମିତି। ଅନୁରାଧାକୁ କୋଳରେ ଆଉଜେଇ ଧରି କାନ୍ଦୁ ଥାନ୍ତି ଦୁହେଁ। ଯିଏ ଚାଲିଗଲେ ସେମାନଙ୍କ ଦୁଃଖ ଠାରୁ ଯିଏ ପାଖରେ ଅଛି ତା'ର ଦୁଃଖ ତ ବଳିପଡିଲା। ସେମିତିରେ ପିଲାଟିର ଭାଇ ନାହିଁ କିଏ ହେବ ତା'ର ସାହା ଭରସା।
ଏତିକି ବେଳେ କେହି ଜଣେ ଅନନ୍ଯାକୁ ଆଣି ସେମାନଙ୍କ ହାତରେ ଦେଇ କହିଲା "ମାଉସୀ ଝିଅଟି ବଡ ଭାଗ୍ଯବତୀ।ଏତେବଡ ଦୁର୍ଘଟଣା ଘଟିଗଲା ତା'ର କିଛିବି ହେଇନି "।
ଭାଗ୍ଯବତୀ ନା.... । ଇଏ ଯଦି ଆଜି ମୋ ଅନୁରାଧାର ଭାଇଟିଏ ହେଇଥାନ୍ତା। ଆମ କଥା କେତେ ଦିନ ବା ଆଉ। ଏକୁ ମେଡିକାଲ ଆଣି ଆସି ଆଜି ଏତେକଥା ଘଟିଗଲା। କୁନି ଅନନ୍ଯା କିମ୍ବା ଅନୁରାଧା କେହି କିଛି ବୁଝିପାରୁନଥାନ୍ତି। କାହା ପାଇଁ କିଏ ଭାଇ ହେବା ଦରକାର।
ମନର କଥା ଗୁଡା ଆଉ ପେଟଭିତରେ ଚାପି ରଖିପାରନ୍ତିନି ରତ୍ନପ୍ରଭା ଦେବୀ। ଯେତେ ଯେତେ ଦାୟିତ୍ବ ବଢେ ସେତେ ସେତେ ମନର ଅଶାନ୍ତି ଭାବ ବାହାରକୁ ବାହାରି ଆସେ। ଅନୁରାଧାର ଦାୟିତ୍ବ ଯେତିକି ନିଖୁଣ ଭାବେ କରିବାକୁ ଚାହାଁନ୍ତି ଅନନ୍ଯାକୁ ସେତିକି ଅବହେଳା କରନ୍ତି। ଅନୁରାଧା ନିଜ କାମ ପାଇଁ ଯେତିକି ଜେଜେ ଜେଜେମାଆଙ୍କ ଉପରେ ନିର୍ଭରଶୀଳ ଅନନ୍ଯା ସେତିକି ନିଜ କାମରେ ପାରଙ୍ଗମ। କହିବାକୁ ଗଲେ ଅନନ୍ଯା ଅନୁରାଧା ଠାରୁ ଚାରିବର୍ଷ ସାନ ହେଲେ ବି ସବୁ କାମରେ ଚାରିପାଦ ଆଗରେ ଥାଏ। ଜେଜେମାଆ ଯେତେ ଅନନ୍ଯାକୁ ଦୂରେଇ ଦୂରେଇ ରଖନ୍ତି ଅନୁରାଧା ସେତେ ଅନନ୍ଯା କୁ ପାଖକୁ ପାଖକୁ ଟାଣିଆଣେ। ଦୁହେଁ ଏବେ ଏମିତି ଏକ ବୟସରେ ଉପନୀତ ଭଉଣୀ କମ୍ ସାଙ୍ଗ ବେଶୀ ଭଳି ଲାଗନ୍ତି। ରତ୍ନପ୍ରଭା ଦେବୀ କାମକୁ ଆଉ ବେଶୀ ପାରୁନାହାଁନ୍ତି ।ଘରର ସବୁ ଦାୟିତ୍ବ ଅନନ୍ଯା ହିଁ ନେଇଛି। କଲେଜରୁ ଫେରିଲା ବେଳେ ପନିପରିବା କିଣିବା ଠାରୁ ଜେଜେ ଜେଜେମାଆଙ୍କ ମେଡିସିନ୍ ଆଣିବା, ଦେହ ଖରାପ ହେଲେ ଅଟୋରିକ୍ସା ଭଡା କରି ମେଡିକାଲ ନେବା, କାହାର ଲୁଗାପଟା ପୁରୁଣା ପୁରୁଣୀ ହେଲେ ତାକୁ ବି ନଜରରେ ରଖି ନୂଆ କିଣିଆଣିବା ଇତ୍ଯାଦି ସବୁକାମ କରେ ସେ। ସେସବୁ ସହିତ ପଡୋଶୀ କିଏ ତାଙ୍କ ପାଚେରୀ ପଟକୁ ମାଡି ଆସୁଛି ତାକୁ ବି ନଜର ରଖି ଆଇନର ସାହାଯ୍ଯ ନେଇ ପଛକୁ ହଟେଇଛି। ଘରେ ପାଣି ପାଇପ୍ କେଉଁଠି ଖରାପ ହେଇଛି, ଇଲେକ୍ଟ୍ରିକ୍ ସମସ୍ଯା କିଛି ହେଇଛି ସବୁ ତା ଆଖି ସାମ୍ନାରେ ହିଁ ଥାଏ। ଅନୁରାଧାକୁ ରତ୍ନପ୍ରଭା ଦେବୀ ସେସବୁ କିଛି କରେଇ ଦିଅନ୍ତିନି। ମୋ ପିଲା ଝିଅ ତୁ କିଛି କରିପାରିବୁନି କହି କୋଳରେ ପୂରେଇ ଦିଅନ୍ତି। ଅନୁରାଧା କରେ ତ ଘର ଭିତରେ ସବୁ କାମ କରେ। ଏମିତି ରୋଷେଇ କରେ ଖାଇବାଲୋକ ହାତ ଚାଟୁ ଥିବ ବାସ୍ନା ଛାଡିବା ଯାଏ। ଘର ବହୁତ ସୁନ୍ଦର ସଜାଏ। ହାତ ବୁଣା ଜିନିଷ ବହୁତ ତିଆରି କରେ। ଅଂଶୁମାନ ଆଗରୁ ପିଲାମାନଙ୍କ ପାଇଁ ସଞ୍ଚୟ କରି ରଖିଦେଇଛନ୍ତି। ଚଳିବାରେ କିଛି ଅସୁବିଧା ନାହିଁ। ଅସୁବିଧା କେବଳ ଚଳେଇବାରେ। ଗୌରହରି ବାବୁ ଓ ରତ୍ନପ୍ରଭା ଦେବୀ ଉଭୟ ଚିନ୍ତିତ ଯେ ଦୁଇଦୁଇଟି ଭଉଣୀଙ୍କର ସୁରକ୍ଷା କବଚ ହେଇ ଭାଇଟିଏ ନାହିଁ। ଦୁହିଁଙ୍କର ବିବାହ ବୟସ ହେଲାଣି। ନିଜେ ତ ସେମାନେ ଅଚଳ ହେଲେଣି। ପିଲାମାନଙ୍କ କଥା କେମିତି ବୁଝିବେ।
ଯାହାର କେହି ନାହିଁ ତା'ର ଭଗବାନ ଅଛନ୍ତି। ସତରେ ସେମିତି ହିଁ ହେଲା। ପଡିଶା ଘର ବାହାଘରକୁ ବରଯାତ୍ରୀରେ ଆସିଥିବା ବର ର ସାଙ୍ଗ ଅଖିଳ ,ଅନୁରାଧାକୁ ଦେଖିବା ପରେ ତା ବିଷୟରେ ଖବର ସଂଗ୍ରହ କରି ବିବାହ କରିବାକୁ ମନ ବଳେଇଲା। ସାଙ୍ଗ ମାନଙ୍କ ସହାୟତାରେ ଦୁଇ ପରିବାରରେ କଥା ବି ପକେଇଲା। ଅନୁରାଧାର ଜେଜେ ଭିତିରି ଖବର ନେଇ ଅଖିଳଙ୍କ ବିଷୟରେ ସବୁ ଜାଣିବା ପରେ ଆଗକୁ ବଢିବା ପାଇଁ ଇଚ୍ଛାକଲେ। ଅଖିଳଙ୍କ ପରିବାର ମଧ୍ଯ ଅନୁରାଧାକୁ ଦେଖିଲା ପରେ ଅରାଜିହେଲା ଭଳି କିଛି ନଥିଲା। ଅଂଶୁମାନଙ୍କର ମୃତ୍ୟୁପରେ ଇନସୁରାନ୍ସରୁ ଯେତିକି ମିଳିଥିଲା ଦୁଇ ଝିଅଙ୍କ ପାଇଁ ବାହାଘର ପାଇଁ ଆର୍ଥିକ ସମସ୍ଯା କିଛି ନଥିଲା। ସମସ୍ଯା ଥିଲା ଏତେ ସବୁ କାମ କରିବ କିଏ ? ଜେଜେ ଜେଜେମାଆଙ୍କ ର ତ ଅଣ୍ଟା ଭାଙ୍ଗି ପଡିଲାଣି। ରତ୍ନପ୍ରଭା ଦେବୀ କାମ କିଛି କରିବାକୁ ସିନା ଅସମର୍ଥ ପାଟି ଚାଲୁଛି ଇସ୍ପାତ ଭଳି। କଥାକଥାକେ "ମୋ ନାତୁଣୀର ଯଦି ଭାଇଟେ ଥାଆନ୍ତା ତାକୁ ଏକା ସବୁ କାମ ନିଅଣ୍ଟ ପଡିଥାନ୍ତା"କହିଚାଲିଥାନ୍ତି। ଜେଜେମାଆଙ୍କ ସବୁ କଥାକୁ ଆଡେଇ ଦେଇ ଅଣ୍ଟାରେ ଓଢଣୀ ବାନ୍ଧି ଅନନ୍ଯା ଏକା ଗୋଟେ ବାହାଘରର କାମ ଉଠେଇଲା।
ଆଖିରେ ଆଖିଏ ଲୁହ,ମନରେ ଅସରନ୍ତି ଆଶା ଓ ହଜାରେ ସ୍ବପ୍ନ ହୃଦୟରେ ଅମାପ ସ୍ନେହ, ପ୍ରେମ ଓ ଭଲ ପାଇବାକୁ ନେଇ ଶାଶୁ ଘରକୁ ଗଲା ଅନୁରାଧା। ସେଠି କଥା ଥିଲା ସଂପୂର୍ଣ୍ଣ ଓଲଟା। ତା ସ୍ନେହ ପ୍ରେମର କିଛି ମୂଲ୍ଯ ନଥିଲା ସେଠି। ଶାଶୁ ଶ୍ବଶୁର କେବଳ ଅନୁରାଧାର ଘର ସମ୍ପତ୍ତିର ମୂଲ୍ଯ ବୁଝୁଥିଲେ। ସେମାନଙ୍କ ନଜର ଥିଲା ଅଂଶୁମାନଙ୍କର ବ୍ଯାଙ୍କ ଆକାଉଣ୍ଟ ଉପରେ। ଘର କାମରେ ନିପୂଣା ଅନୁରାଧାକୁ ପ୍ରତ୍ଯେକ କାମରେ ଖୁଣାବଛା କରୁଥିଲେ ସେମାନେ। କଥା କଥାକେ ଗାଳି ଗୁଲଜ ବି କରୁଥିଲେ। ଅଖିଳ ବହୁତ ଭଲ ପାଆନ୍ତି ଅନୁରାଧାକୁ, ହେଲେ ମାଆ ବାପାଙ୍କ ମୁହଁରେ କିଛି କହିପାରନ୍ତିନି। ଅନୁରାଧା ପିଲାଟି ବେଳୁ ଏମିତି ବଢିଛି ଯେ ବିନା କାହାରି ସାହାଯ୍ଯରେ ଆଗକୁ ବଢିପାରେନି। ଦିନକୁ ଦିନ ଶାଶୁ ଶ୍ବଶୁରଙ୍କ ବ୍ଯବହାର ଅସହ୍ଯ ହେଉଥିଲା। ସବୁ ସମୟରେ ସେ ଚାହୁଁଥାନ୍ତି ଅନୁରାଧା ତା ଘରୁ ଆହୁରି କିଛି ଆଣୁ। ଯେଉଁଟା ଅନୁରାଧା କରିପାରେନି। ନଇଁ ନଇଁ ବାଟ ଚାଲୁଥିବା ବୁଢାବୁଢୀ ଦୁଇଟା ତା ସାଙ୍ଗକୁ ବିବାହ ଯୋଗ୍ଯା ଭଉଣୀଟେ ଥାଉଥାଉ ସେ କେମିତି ଏମିତି କରିପାରିବ।
ଶାଶୁ ଶ୍ବଶୁର କିଛି ବୁଝିବାକୁ ନାରାଜ। ସେମାନେ ଅନୁରାଧାକୁ ବୁଝେଇ ଚାଲିଛନ୍ତି ଯେ ଅନନ୍ଯା ଏବେ ଅବିବାହିତ ଅଛି। କିଛି ବି ପ୍ରତିବାଦ କରିପାରିବନି। ତା'ର ବାହାଘର ପରେ ହୁଏତ ସେ ବଦଳି ଯାଇପାରେ। ତା ଶାଶୁ ଶ୍ବଶୁର ବି ଭାଗ ବସେଇପାରନ୍ତି। ତେଣୁ ଏବେଠାରୁ ଅନୁରାଧା ଯାହା କରିବା କଥା କରୁ। ସେମାନଙ୍କର ଯାହା କରିବାର ମତଲବ୍ ଥିଲା ଅଖିଳଙ୍କ ବିଜିନେସ୍ ବଢେଇବାକୁ ପନ୍ଦର ଲକ୍ଷ ଟଙ୍କା ଅନୁରାଧା ତା ଘରୁ ଆଣୁ। ଯେଉଁଟା ଅଖିଳ ଆଦୌ ଚାହାଁନ୍ତିନି।ସେଥିପାଇଁ ତାଙ୍କ ବାପା ମାଆ ଅନୁରାଧାକୁ ଜୋର୍ ଦେଇ ପାରୁନଥିଲେ। କିନ୍ତୁ ଅଖିଳଙ୍କ ଅନୁପସ୍ଥିତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା। ଅଖିଳ ଗୋଟେ ମାସ ପାଇଁ ବିଜିନେସ କାମରେ କଲିକତା ଯାଇଥିବା ସମୟରେ ଅନୁରାଧାକୁ ତା'ର ଶାଶୁ ଶ୍ବଶୁର ପୁଣି ସେଇ ପରାମର୍ଶ ଦେବାକୁ ଲାଗିଲେ। ଅନୁରାଧା ବହୁତ ବିକଳ ହେଇ କହିଲା "ବାପା, ସାନ ଭଉଣୀଟାର ବାହାଘର ଆଗକୁ ଅଛି। ମୁଁ ବଡ ଭଉଣୀ ହେଇ ଏମିତି କେମିତି କରିପାରିବି"।
"ଆରେ ବାହାଘର କ'ଣ ଅଟକି ଗଲାଣି କାହାର ?ଆମେ ତା ବାହାଘର କରିବା"।ଅନୁରାଧାର ଶାଶୁ କହିଲେ।
ଅନୁରାଧାର ଟିକେ ବି ବିଶ୍ବାସ ନଥିଲା ସେମାନଙ୍କ କଥାରେ। ସେ ପୁଣି କହିଲା "ଜେଜେ ଜେଜେମାଆ ଅଛନ୍ତି। ସେମାନଙ୍କର ବି ଖର୍ଚ୍ଚ ଅଛି"।
ଆଜିକାଲି ବୁଢାବୁଢୀ ମାନଙ୍କ ପାଇଁ ବଢିଆ ସୁବିଧା ଅଛି ଜରାଶ୍ରମରେ।ସେଇଠି ସେମାନଙ୍କୁ ଛାଡିଦେବା।
ଚମକି ପଡିଲା ଅନୁରାଧା। ଏମାନେ ଏତେ ସ୍ବାର୍ଥପର! ଅନୁରାଧା ଯେ ସେମାନଙ୍କ ପ୍ରସ୍ତାବରେ ରାଜିନାହିଁ ବୁଝିଗଲେ ଅଖିଳଙ୍କ ବାପା ମାଆ। ଧମକ ଦେବା ଆରମ୍ଭ କରିଦେଲେ। ଆଉ କେଉଁଠି ବାହାଘର କରିଥିଲେ ଏତେ ପାଇଥାନ୍ତୁ ସେତେ ପାଇଥାନ୍ତୁ କହି ଅନୁରାଧାକୁ ଧିକ୍କାର କଲେ। ଆମ ପୁଅକୁ ଫସେଇ ବାହାହେଇଛି ବୋଲି ମଧ୍ଯ ଅଭିଯୋଗ କଲେ। ଅଖିଳଙ୍କ ଅନୁପସ୍ଥିତିରେ ଅନୁରାଧାର ଏସବୁ ସହିବାର ସୀମା ବାହାରେ ଥିଲା। ମାଆ ବାପା ଛେଉଣ୍ଡ ଅନୁରାଧା ପିଲାବେଳୁ କାହାରି ଠାରୁ ଏତେ କଡା କଥା ଶୁଣିନଥିଲା। ନିଜକୁ ସେଠାରେ ଅସୁରକ୍ଷିତ ମନେକରୁଥିଲା ସେ। ତେଣୁ ଭୟରେ ସେଠାରୁ ଲୁଚି ଚାଲିଆସିଲା ନିଜ ଘରକୁ।
ରତ୍ନପ୍ରଭା ଦେବୀ ଓ ଗୌରହରି ବାବୁ ଅନୁରାଧାକୁ ହଠାତ୍ ଏମିତି ଦେଖି ଆତଙ୍କିତ ହେଇଗଲେ। ତାଙ୍କ ନାତୁଣୀ ଠିକ୍ ଅଛିତ? ଅନୁରାଧା ଯେତେ କହିଲେ ବି ସେମାନେ ମାନିବାକୁ ରାଜିନଥିଲେ। ବୟସ୍କ ଲୋକ ସେମାନେ। ଅଭିଜ୍ଞତାରୁ ତାଙ୍କୁ ସବୁ ଜଣା। କୌଣସି ନବବିବାହିତ ଝିଅ ଶାଶୁଘରୁ ଏକାଏକା ଏମିତି ଅବେଳରେ ବିନା ଖବରରେ ଆସିବା ଅସମ୍ଭବ। ଦୁଇଭଉଣୀ ଖାଇସାରି ରାତିରେ ଶୋଇଲା ବେଳେ ରତ୍ନପ୍ରଭା ଦେବୀ ସେମାନଙ୍କ କଥା ଶୁଣିବାକୁ ଝରକା ପାଖରେ କାନେଇଲେ। ଅନୁରାଧା କାନ୍ଦୁଥିଲା କଇଁ କଇଁ ହେଇ। ବଖାଣୁଥିଲା ଗୋଟିଗୋଟି କରି ତା'ର ଦୁର୍ଦ୍ଦଶା କାହାଣୀ। ଛାତି ଫାଟିଗଲା ଯେମିତି ରତ୍ନପ୍ରଭା ଦେବୀଙ୍କର।ପିଲାବେଳୁ ଯାହା ଆଖିରେ ଟୋପିଏ ଲୁହ ଆସିବାକୁ ଦେଇନାହାଁନ୍ତି, ସେଇ ନାତୁଣୀ ଆଖିରେ ଆଜି ଲୁହର ବନ୍ଯା। ସେଇଠି ଗଡି ପଡି ଭୋ ଭୋ ହେଇ ବାହୁନା ଛାଡିଲେ। ଧାଇଁ ଆସିଲେ ଅନନ୍ଯା ଅନୁରାଧା। କୋଳକୁ ନେଲେ ଜେଜେମାଆଙ୍କୁ। ଅନନ୍ଯାର ହାତକୁ ଠେଲିଦେଇ ଅନୁରାଧାକୁ ଧରି ବାହୁନି ଉଠିଲେ ରତ୍ନପ୍ରଭା ଦେବୀ। "ଆଜି ଯଦି ତୋର ଭାଇଟେ ଥାନ୍ତା ତୋର ଏ ଅବସ୍ଥା ଦେଖି କ'ଣ ଚୁପ୍ ହେଇ ବସିଥାନ୍ତା"। ଅନନ୍ଯା ଚୁପ୍ ହେଇ ଗୋଟେ କ'ଣରେ କାନ୍ଥକୁ ଆଉଜି ଛିଡା ହେଇ ଭାବୁଥାଏ ଭାଇଟେ ଥିଲେ କ'ଣ କରିଥାନ୍ତା???
ଅଖିଳଙ୍କ ସାନ ଭାଇ ନିଖିଳ।ଭାଇ ବାହାଘର ଠାରୁ ଭାଇର ଶାଳୀକୁ ଦେଖି ଫିଦା ହେଇଯାଇଛି। ବାହାଘର ପରେ ଅନେକ ଥର ଅନନ୍ଯା ସହିତ କଥା ହେବାକୁ ଚେଷ୍ଟା କରିଛି। ମେସେଜ ବି ପଠେଇଛି। ଅନନ୍ଯା ଆଗରେ ଅସରନ୍ତି ଦାୟିତ୍ବ। ସେ ଏସବୁରେ ଏତେ ମନ ଦିଏନି ଆଗରୁ। ଆଜି କିନ୍ତୁ ନିଜ ତରଫରୁ ନିଖିଳ ପାଖକୁ ମେସେଜ କଲା। କିଛିଦିନ ମେସେଜ କଲାପରେ କଲ୍ ରେ କଥା ହେଲା। ତା ପରେ ଭିଡିଓ କଲ୍। ତାକୁ ଲାଗିଲା ତା ଥୋପ ଏବେ ଶିକାର ଧରିସାରିଛି। ପାଖକୁ ଟାଣିଆଣିବା ଖାଲି ବାକି ରହିଲା। ନିଖିଳ ଏମିତିରେ ବି ଅନନ୍ଯାକୁ ଆଗରୁ ବହୁତ ପସନ୍ଦ କରୁଥିଲେ। ଏବେ ସୁଯୋଗ ଆସିଗଲାପରେ ସେ ବି ଟାଣିହେଇ ଆସିବାକୁ ବ୍ଯଗ୍ର।
ଅଖିଳ ଘରକୁ ଆସି ଅନୁରାଧାକୁ ଫେରେଇ ନେବାକୁ ଅଡିବସିଛନ୍ତି। ଅନନ୍ଯାର ଏକା ଜିଦି ଅପା ଆଉ ତୁମ ଘରକୁ ଯିବନି। ରତ୍ନପ୍ରଭା ଦେବୀ ଓ ଗୌରହରି ବାବୁଙ୍କ ରାଗ ପଞ୍ଚମରେ। ଭଉଣୀ ହେଇ ଭଉଣୀର ସଂସାର ଭାଙ୍ଗୁଛି ବୋଲି ଦୋଷାରୋପ କରି କେତେ ଗାଳି କରୁଛନ୍ତି ଅନନ୍ଯାକୁ। ଅନୁରାଧାର ନିଜ ଅପେକ୍ଷା ଅନନ୍ଯା ଉପରେ ଅଧିକ ଭରସା ।ଜେଜେ ଜେଜେମାଆଙ୍କର ବୟସ ବି ହେଲାଣି। ଏଥର ତାଙ୍କ କଥାରେ ନଯାଇ ସେ ଅନନ୍ଯାକୁ ହିଁ ବିଶ୍ବାସ କରୁଛି। ତା ଭଉଣୀ ଯାହା କରୁଛି ନିଶ୍ଚୟ କିଛି ବୁଝି ବିଚାରି କରୁଥିବ।
ଏପଟେ ନିଖିଳ ଅନନ୍ଯା ପ୍ରେମରେ ସଂପୂର୍ଣ୍ଣ ଡୁବି ସାରିଲେଣି।ବାରମ୍ବାର ଅନନ୍ଯାକୁ ବାଧ୍ଯ କରୁଥାନ୍ତି ଦେଖା ହେବାପାଇଁ। ଅନନ୍ଯା ମଧ୍ଯ ସେଇ ବ୍ଯଗ୍ରତା ନିଖିଳଙ୍କ ନିକଟରେ ଦେଖଉଥାଏ। କିନ୍ତୁ ପରିବାର ଲୋକଙ୍କ ଭୟକୁ ପାଥେୟ କରି ଦୂରତା ରଖୁଥାଏ। ଏହାର ଉପାୟ ବାହାର କରି ଅନନ୍ଯା ପରାମର୍ଶ ଦେଲା ଯେ ମନ୍ଦିରରେ ବିବାହ କରିବାପାଇଁ। ନିଖିଳ ମଧ୍ଯ ଏହି ଉପାୟକୁ ମାନିନେଲେ।ଦୁହେଁ ପରିବାରର ଆଗୋଚରରେ ମନ୍ଦିରରେ ବିବାହ କରି ନିଖିଳଙ୍କ ଘରକୁ ଆସିଲେ। ସାନ ପୁଅର ଏପରି କାମକୁ କେବେ କଳ୍ପନା ବି କରିନଥିଲେ ଅଖିଳଙ୍କ ବାପା ମାଆ। ପୁଅ ତାଙ୍କର ଇଞ୍ଜିନିୟର। ମୁମ୍ବାଇ ଭଳି ମେଟ୍ରୋ ସିଟିରେ ରହୁଛି। ବର୍ଷକୁ ଚବିଶ ଲକ୍ଷ ଟଙ୍କାର ଦରମା ପାଉଛି। ତା ପାଇଁ କେତେ କ'ଣ ହିସାବ ନିକାଶ କରି ରଖିଥିଲେ ସେମାନେ ଯୌତୁକରେ କ'ଣ ସବୁ ଆଣିବେ ବୋଲି। ଦେଖିଲା ବେଳକୁ ପୁଅ ରାତିରାତି କାହାକୁ ଗୋଟେ ବାହା ହେଇ କହୁଛି କ'ଣ ନା ବାହାହେଇଗଲି। ସେ ପୁଣି ସେହି ବୋହୂର ଭଉଣୀ ଯିଏ ଘରୁ ପଳେଇଛି। ବାହାଘରକୁ ସେମାନେ ସ୍ବୀକାର କରୁନଥିଲେ। ଅନନ୍ଯା ବି ସେଇଆ ଚାହୁଁଥିଲା। ସେଇ ମୌକାରେ ସେ ନିଖିଳଙ୍କ ଠାରୁ ଦୂରେଇ ରହିବା ପାଇଁ ସୁଯୋଗ ପାଇଗଲା। ନିଖିଳ ଯେବେ ଅନନ୍ଯାର ନିକଟବର୍ତ୍ତୀ ହେବାକୁ ବ୍ଯଗ୍ର ହେଇଉଠୁଥିଲେ ଅନନ୍ଯା ସେତିକିବେଳେ ସର୍ତ୍ତ ରଖିଲା ଯେ "ବାପା ମାଆ ଯେତେଦିନ ଯାଏ ଆମକୁ ଗ୍ରହଣ ନକରିଛନ୍ତି ସେତେଦିନ ଯାଏ ଆମେ ଅଲଗା ରୁମ୍ ରେ ରହିବା "।ବାହାଘର ଯେତେବେଳେ ସରିଲାଣି ବାପା ମାଆ ବଳେ କିଛିଦିନ ଗଲେ ଗ୍ରହଣ କରିବେ ଭାବି ନିଖିଳ ବି ସର୍ତ୍ତ ମାନିନେଲେ। ସେ ଭଲରେ ଜାଣିଛନ୍ତି ତାଙ୍କ ଭଳି ରୋଜଗାରିଆ ପୁଅକୁ କୌଣସି ବାପା ମାଆ ନିଜଠାରୁ ଦୂରେଇ ଦେଇପାରିବେନି ବେଶୀ ଦିନ। ତାପରେ ସାନ ପୁଅ ଭାବେ ମାଆ ବି ବହୁତ ଭଲ ପାଆନ୍ତି ତାଙ୍କୁ। ତେଣୁ ଦୁଇଜଣ ଅଲଗା ଅଲଗା ରହିବା ଅପେକ୍ଷା ନିଖିଳ ଅନନ୍ଯାକୁ ଘରେ ଛାଡି ମୁମ୍ବାଇ ଚାଲିଗଲେ। ଅନନ୍ଯାକୁ କଥାଦେଇ ଗଲେ ଯେ ଘରେ ସମସ୍ତଙ୍କ ମନ ବଦଳି ଗଲାପରେ ଆଉଥରେ ଆସି ସମସ୍ତଙ୍କ ଉପସ୍ଥିତିରେ ସମସ୍ତଙ୍କ ଆଶୀର୍ବାଦ ନେଇ ବାହା ହେବେ। ଅନନ୍ଯା ବି ଏଇ ସୁଯୋଗର ଅପେକ୍ଷାରେ ଥିଲା। ନିଖିଳଙ୍କ ବାପା ମାଆ ବି ଏଇ ସୁଯୋଗର ଅପେକ୍ଷାରେ ଥିଲେ ପୁଅ ଗଲା ପରେ ଏଇ ଗ୍ରହକୁ ଘରୁ କେମିତି ବିଦାକରିବେ।
ସକାଳୁ ସକାଳୁ ରୋଷେଇଘରେ ପଶି ଅନନ୍ଯା ଡାକିଲା "ମାଆ ମୋତେ ଏପର୍ଯ୍ୟନ୍ତ ଚା କାହିଁକି ଦେଇ ନାହାଁନ୍ତି। ନିଜେ ତ ସମସ୍ତେ ପିଇ ସାରିଲେଣି"।ଆଶ୍ଚର୍ଯ୍ୟ ହୋଇ ତା ମୁହଁକୁ କିଛି ସମୟ ଚାହିଁ ରହିଲା ପରେ ଚିତ୍କାର କରି ନିଖିଳଙ୍କ ମାଆ କହିଲେ "ମୋ ରୋଷେଇଘରକୁ ନଗାଧେଇକି ପଶିବାକୁ ତୋର ସାହସ ହେଲା କେମିତି ।କେଉଁଠୁ ଉଡିଆସି ଉଡା ଚଢେଇଟେ ମୋ ଘରେ ପଶି ମୋତେ ଚା ପିଇବାକୁ ମାଗୁଛୁ ,ତୋର ଏତେ ସାହସ? "
ଚା ଟିକେ ମାଗିବାକୁ କି ସାହାସ ଲୋଡା ମାଆ? ସେଥିପାଇଁ କ'ଣ ଟ୍ରେନିଂ ନେବାକୁ ପଡେକି? ଆପଣ ତ ଲକ୍ଷ ଲକ୍ଷ ଟଙ୍କା ମାଗିପାରୁଛନ୍ତି ।ଆପଣଙ୍କ ଠାରୁ ହିଁ ଟ୍ରେନିଂ ନେଇଯିବି ତାହେଲେ।
ରାଗରେ ଗର୍ଜନ କରି ଉଠିଲେ ଅନନ୍ଯାର ଶାଶୁ ।ପାଟି ଶୁଣି ଶ୍ବଶୁର ବି ପହଞ୍ଚିଗଲେ।କଥା କ'ଣ? ଏତେ ପାଟିତୁଣ୍ଡ କ'ଣ ପାଇଁ ଏଘରେ ହେଉଛି?
ଦେଖନ୍ତୁନା ବାବା, ସକାଳୁ ଉଠିବା କିମ୍ବା ଗାଧେଇବା ଅଭ୍ଯାସ ମୋର ନାହିଁ। ମାଆଙ୍କୁ ଟିକେ ଚା' ମାଗିବାରୁ ରାଗୁଛନ୍ତି। ଭଲ ହେବ ଆପଣ ହିଁ ମୋତେ ଚା' କରିଦିଅନ୍ତୁ। ଭଲ ଲାଗିଲେ ଆପଣଙ୍କୁ ସବୁଦିନ ମାଗିବି। ହସିହସି କହିଲା ଅନନ୍ଯା।
ରାଗରେ ଅନନ୍ଯାର ଶାଶୁ ଶ୍ବଶୁର ଥରୁଥିଲେ ଯେମିତି। ସେମାନଙ୍କ ପାଟିରୁ କଥା ବାହାରୁ ନଥିଲା। ଅନନ୍ଯାର ହାତକୁ ଧରି ଘରୁ ବାହାରକୁ ବାହାର କରିବା ପାଇଁ ଉଦ୍ଯତ ହେଲେ ଦୁଇଜଣ। ଅନନ୍ଯା ବି ମିଛ କାନ୍ଦ କାନ୍ଦିକାନ୍ଦି କହିଲା "ଏଠୁ ଗଲେ ତୁମ ପୁଅ ପାଖକୁ ହିଁ ଯିବି ।ତୁମେ ଦୁହେଁ କେହି ଭଲ ନୁହେଁ। ମୁଁ କିମ୍ବା ନିଖିଳ କେହି ଏଠିକୁ ଆଉ ଆସିବୁନି"।
ଅଟକି ଗଲେ ଦୁଇଜଣ। ପୁଅ ତ ତାଙ୍କର ସବୁ ବାଟ ବନ୍ଦ କରିଦେଇଛି। କରିବେ କ'ଣ? ନିଜ କପାଳକୁ ନିନ୍ଦିବା ଛଡା।
ଏମିତି ସବୁଦିନ ଘରେ କିଛିନା କିଛି ଅଧ୍ୟାୟ ନିୟମିତ ହୁଏ। ନିଖିଳଙ୍କୁ ଚାହିଁଲେ ବି ସେମାନେ କିଛି ଜଣେଇ ପାରନ୍ତିନି। ଜଣେଇଲେ ବି ନିଖିଳ ବିଶ୍ବାସ କରିବନି। ମନରେ ଭାବିବ କି ନିଜ ପସନ୍ଦରେ ବାହାହେଇଥିବାରୁ ବାପା ମାଆ ବୋହୂ ଉପରେ ମିଛ ଅଭିଯୋଗ ଆଣୁଛନ୍ତି। ଅନନ୍ଯାର ଚିନ୍ତାଧାରା ଅନୁରାଧା ଭଳି ନୁହେଁ। ଅନୁରାଧା ପିଲାବେଳୁ ଜେଜେମାଆଙ୍କ ହିସାବରେ ବଢିଛି।ତାଙ୍କର ହିସାବରେ ସେ ଝିଅଟିଏ ମଥାପାତିଦେବା ଧର୍ମ ବୋଲି ଶିକ୍ଷା ଦେଇଛନ୍ତି। ଅନନ୍ଯା ନିଜେ ନିଜେ ପରିବେଶ ଓ ପରିସ୍ଥିତିରୁ ଶିକ୍ଷା ଲାଭ କରିଛି। ଇଟାର ଜବାବ କେଉଁଠି ପଥରରେ ଦେବା କଥା ତ କେଉଁଠି ଫୁଲରେ ଦେବାକଥା ସେ ଜାଣିଛି। ଗୋଟେ ପଟେ ନିଖିଳଙ୍କୁ ପ୍ରେମ ଡୋରିରେ ବାନ୍ଧି ରଖିଥିବାବେଳେ ଆଉ ଗୋଟେ ପଟେ ତାଙ୍କ ବାପା ମାଆଙ୍କୁ ତାଙ୍କରି ଘରେ ରହି ପ୍ରମାଦ ଗଣିବାକୁ ବାଧ୍ୟ କରିଦେଲାଣି। ତ୍ରାହି ତ୍ରାହି ଡାକିଲେଣି ଦୁହେଁ। ଅଖିଳ ବି ସବୁ ଦେଖନ୍ତି। ହେଲେ ବି କିଛି କୁହନ୍ତିନି। ତାଙ୍କର ବି ମନରେ ପ୍ରବଳ ଅଭିମାନ ବାପା ମାଆଙ୍କ ପାଇଁ ସେ ଆଜି ନିଜ ପ୍ରାଣପ୍ରିୟା ପତ୍ନୀ ଠାରୁ ଦୂରରେ ରହି ବିଚ୍ଛେଦ ଯନ୍ତ୍ରଣା ଭୋଗୁଛନ୍ତି।
ସକାଳୁ ପଳାନ୍ତି ଯେ ଆସନ୍ତି ରାତି ଏଗାରରେ। ପ୍ରାୟ ସମୟ ବାହାରେ ଖାଇ ଦେଇ ଆସିଥାନ୍ତି। ତେଣୁ ଘର କଥାରେ ମୁଣ୍ଡ ଖେଳେଇବାକୁ ସମୟ ନା ତାଙ୍କର ଥାଏ ନା ସେ ସମୟ ବାହାର କରନ୍ତି। ଅନନ୍ଯାର ପଥର ଭଳି ଜବାବରେ କ୍ଷତାକ୍ତ ହେଇ ପଡୁଥାନ୍ତି ଦିନକୁ ଦିନ ତା'ର ଶାଶୁ ଶ୍ବଶୁର। ବହୁତ ମନେ ପଡୁଛି ଏବେ ଅନୁରାଧା। ଗୋଟିଏ ମାଆ ପେଟରୁ ଜନ୍ମ ହେଇ ଇଏ କି ଆକାଶ ପାତାଳ ପ୍ରଭେଦରେ ବାବା। ଏକୁ କ'ଣ ବୋହୂ କୁହନ୍ତି?ଅନୁରାଧା ଥିଲା ବୋହୂ। ଆମେ ତାକୁ ଚିହ୍ନି ପାରିଲେନି। ବୋହୂ ଗଲା,ପୁଅବି ଗଲା। ଭଲହେବ ଏକୁବି ବୋହୂ ରୂପେ ସ୍ବୀକାର କରିନିଅ। ତାହେଲେ ନିଖିଳ ଆସି ଏକୁ ପାଖକୁ ନେଇଯିବ।ଆଉ ଆମେ ଆମ ବୋହୂକୁ ପାଖକୁ ନେଇ ଆସିବା।
ଶାଶୁ ଶ୍ବଶୁରଙ୍କ କଥା ବାହାରୁଥାଇ ଶୁଣୁଥିଲା ଅନନ୍ଯା। ମନେମନେ ହସୁଥିଲା ସେ।ମୁଁ ତ ସେଇଦିନକୁ ଅପେକ୍ଷା କରିଛି। ତାପରେ ମୋର ଅଭିନୟ ସରିଯିବ। ଶେଷ ଆଡକୁ ନିଜ ସ୍ବର ନିଜକୁ ଭାରି ଭାରି ଲାଗୁଥିଲା।
ନିଖିଳକୁ ଫୋନ କରି ଘରକୁ ଡକେଇଛନ୍ତି ତାଙ୍କ ବାପା। ସେପଟେ ଅନୁରାଧାକୁ ମଧ୍ଯ ଆଣିବାକୁ ତାଙ୍କ ଘରକୁ ଯାଇଛନ୍ତି। ସବୁ ଭୁଲ ସ୍ବୀକାର କରି ଆଉ ସେମିତି ହେବନି କହି ଘରକୁ ଫେରେଇ ଆଣିଛନ୍ତି ଅନୁରାଧାକୁ। ଅନୁରାଧା ଘରେ ପହଞ୍ଚୁ ପହଞ୍ଚୁ ଅନନ୍ଯା ତା ହାତ ଧରି "ଅପା ଏଥର ତୋ ଘର ତୁ ସମ୍ଭାଳେ" କହି ନିଜ ଘରକୁ ଚାଲିଗଲା।ରତ୍ନପ୍ରଭା ଦେବୀ ଓ ଗୌରହରି ବାବୁଙ୍କ ରାଗ ପଞ୍ଚମରେ। ଆମର ନାଁ ତଳେ ପକେଇ ଯାଇଥିଲୁ ପୁଣି କେଉଁ ମୁହଁରେ ଫେରିଲୁ? କାହାରି ପ୍ରଶ୍ନର ଉତ୍ତର ନଦେଇ ଖଟ ଉପରେ ମୁହଁ ମାଡି ଶୋଇ ରହିଛି ତିନିଦିନଧରି ଅନନ୍ଯା। ମୋବାଇଲ ଫୋନ ସୁଇଚ ଅଫ୍। ତିନିଦିନ ପରେ ଘରେ ପହଞ୍ଚିଲେ ନିଖିଳ। ଅନନ୍ଯାକୁ ନପାଇ ବ୍ଯସ୍ତ ହେଲେ। ବାପା ମାଆଙ୍କୁ ପଚାରିବାରୁ ସେମାନେ କହିଲେ କିଛି ଜାଣିନୁ। ଅନୁରାଧାକୁ ପଚାରିବାରୁ ସେ ଖାଲି କାନ୍ଦିବା ଛଡା ଆଉ କିଛି କହିଲାନି। ଏପଟେ ଅନନ୍ଯାର ଫୋନ୍ ବି ତିନିଦିନ ହେଲା ବନ୍ଦ ।ଶେଷରେ ଅନନ୍ଯା ତା ନିଜ ଘରକୁ ଯାଇଥିବ ଭାବି ସେଠି ଯାଇ ପହଞ୍ଚିଲେ ।ଅନନ୍ଯାକୁ ଦେଖି ବହୁତ ଖୁସି ହେଇଗଲେ ନିଖିଲ। ସାଙ୍ଗରେ ଯିବା ପାଇଁ ଯେତେବେଳେ କହିଲେ ଅନନ୍ଯା କାନ୍ଦି କାନ୍ଦି ତାଙ୍କୁ କ୍ଷମା ମାଗି କହିଲା "ଏ ବାହାଘର ମୋ ପାଇଁ ଅଭିନୟ ଥିଲା ।ଅପାକୁ ତା ଘରକୁ ପଠେଇବା ପାଇଁ ମୁଁ ଏସବୁ ନାଟକ କରିଥିଲି"।
ଚମକି ପଡିଲା ନିଖିଲ।
ମୋ ଭଲ ପାଇବା ତ ଅଭିନୟ ନଥିଲା। ଆମେ ଏକାଠି ରହିବାରେ ଅସୁବିଧା କ'ଣ?
ଅସୁବିଧା ଅଛି। ପ୍ରଥମତଃ ତୁମ ଯୋଗ୍ଯ ଯୌତୁକ ଆମେ ଦେଇପାରିବୁନି। ଦ୍ବିତୀୟତଃ ତୁମ ବାପା ମାଆଙ୍କ ନଜରରେ ମୁଁ ଏତେ ତଳକୁ ଖସିଯାଇଛି ଯେ ମୋ ଛାଇବି ଦେଖିବାକୁ ସେମାନେ ଘୃଣା କରିବେ। ଭଲ ହେବ ସେମାନଙ୍କ ପସନ୍ଦରେ ଆଉଗୋଟେ ଝିଅ ବାହା ହେଇଯାଅ। ସମସ୍ତେ ଖୁସି ହେବେ।
ମୁଁ ତ ଖୁସି ହେଇପାରିବିନି ନା। ଅସହାୟ ଭାବେ କହୁଥିଲେ ନିଖିଲ। କିଛିବି କଥା ତାଙ୍କର କାନକୁ ନନେଇ ନିଖିଲଙ୍କୁ ଘରୁ ବିଦା କରିଦେଲା ଅନନ୍ଯା। ବିଷାଦଭରା ମୁହଁରେ ଘରୁ ବାହାରିଗଲେ ନିଖିଲ। ପୁଣି ଖଟରେ ମୁହଁ ମାଡି ଶୋଇପଡିଲା ଅନନ୍ଯା। ବୋଧେ ଆଖିର ଲୁହକୁ ଲୁଚଉଥିଲା ସେ।
ନିଖିଲଙ୍କର ଘରୁ ଏମିତି କିଛି ନକହି ହଠାତ୍ ପଳେଇବାଟା ଆଶ୍ଚର୍ଯ୍ୟ ଲାଗିଲା ରତ୍ନପ୍ରଭା ଦେବୀଙ୍କୁ। ଅନନ୍ଯାକୁ ଆସି ପଚାରିଲେ "ଜ୍ବାଇଁ ନେବାକୁ ଆସିଥିଲେ ତୁ ଗଲୁନୁ କ'ଣ ପାଇଁ?
ସେ ତୁମ ଜ୍ବାଇଁ ନୁହେଁ।
ତାହେଲେ ଯେଉଁ ଚାରିମାସ ଯାଇ ତାଙ୍କ ଘରେଥିଲୁ ସିଏ କ'ଣ?
ସେ କିଛି ନୁହେଁ। ଏତିକି ଜାଣିଥା ଅପାର ଭାଇଟେ ଥିଲେ ଶାରୀରିକ ବଳରେ ତାକୁ ସାହାଯ୍ଯ କରିଥାନ୍ତା। ମୁଁ ଭଉଣୀଟେ ବୋଲି ମାନସିକ ବଳରେ ସାହାଯ୍ଯ କରିଛି।
କହୁକହୁ କାନ୍ଦି ପକେଇଲା ଅନନ୍ଯା। ରତ୍ନପ୍ରଭା ଦେବୀ ମଧ୍ଯ ଅନନ୍ଯାକୁ କୋଳକୁ ଭିଡିଆଣି କାନ୍ଦି ପକେଇଲେ। ପଛରେ ଥାଇ ସବୁ ଶୁଣିସାରି ଗାମୁଛାରେ ଆଖି ପୋଛିପୋଛି ବାହାରକୁ ପଳେଇଲେ ଗୌରହରି ବାବୁ।
ଘରେ ପହଞ୍ଚି ନିଖିଲଙ୍କର ମଧ୍ଯ ସେଇ ସମାନ ଅବସ୍ଥା। ନିଜ ରୁମ୍ ଭିତରୁ ବନ୍ଦ କରି ରହୁଛନ୍ତି ଯେ ବାହାରୁନାହାଁନ୍ତି ଆଦୌ। ଖାଇବା ପାଇଁ ତିନିଥର ଡାକିଲା ପରେ ବାହାରୁଛନ୍ତି ଖାଇସାରି ପୁଣି କବାଟ ବନ୍ଦ କରି ଦେଇ ପଶୁଛନ୍ତି। ଆଖିଗୁଡିକ ଅସମ୍ଭବ ଭାବେ ଫୁଲି ଲାଲ୍ ପଡିଯାଇଛି। ଆଶ୍ଚର୍ଯ୍ୟ ହେଉଛନ୍ତି ତା'ର ବାବା ଆଉ ମାଆ। ପୁଅ ତ ଆସିଥିଲା ବୋହୂକୁ ସାଙ୍ଗରେ ନେଇଯିବାପାଇଁ। ହେଲା ପୁଣି କ'ଣ? ନିଖିଲ ଘରେ ପହଞ୍ଚିବା ଆଗରୁ ଅନନ୍ଯା କୁଆଡେ ଚାଲିଗଲା? ସେଭଳି ଅଶାନ୍ତ ଗ୍ରହ ବୋହୂତ ଆମର ଦରକାର ନାହିଁ ।ହେଲେ ପୁଅର ଦୁଃଖ ଦେଖି ହେଉନାହିଁ। ମନେମନେ ଏଇ କଥା ବିଚାର କରି ନିଖିଳଙ୍କ ମାଆ ନିଖିଲଙ୍କୁ ରାଣ ପକେଇ ସବୁ କଥା ଆଦାୟ କଲେ। ନିଖିଲ ଠାରୁ ସବୁ ଶୁଣିଲା ପରେ ସ୍ତବ୍ଧ ହେଇଗଲେ ତାଙ୍କ ମାଆ। ପ୍ରକୃତରେ ସେ ଅନନ୍ଯାକୁ ଯାହା ଭାବୁଥିଲେ ଅନନ୍ଯା ଯେ ସେଇଆ ନୁହେଁ ପୁଣି ତା'ର ଉଦ୍ଦେଶ୍ଯ ଏତେ ମହାନ୍ ଜାଣିଲା ପରେ ନିଜକୁ ଅନନ୍ଯା ଠାରୁ ଖୁବ୍ ଛୋଟ ମନେକରୁଥିଲେ ସେ।
ଏଥର ଅନନ୍ଯାକୁ ବୋହୂ ରୂପେ ସ୍ବୀକାର କରିବାରେ କିଛି ସମସ୍ଯା ନାହିଁ। ପୁଅକୁ ବୁଝଉଥିଲେ ବାବା ମାଆ।
ସମସ୍ଯା ଅନନ୍ଯା ପାଖରେ ମାଆ।ସେ ଏ ବିବାହକୁ କେବଳ ଅଭିନୟ ବୋଲି ଭାବିନେଇଛି। ତାକୁ ଯେତେ ବୁଝେଇଲେ ବି ବୁଝିବାକୁ ନାରାଜ। ତୁମ ମାନଙ୍କ ନଜରରେ ସେ ବହୁତ ଖରାପ ବୋହୂ ହେଇଯାଇଛି। ସେଥିପାଇଁ ସେ ଅଲଗା ଝିଅକୁ ବିବାହ କରି ଅଧିକ ଯୌତୁକ ଆଣିବାକୁ ମୋତେ ବାଧ୍ଯ କରୁଛି। ମୋ ପାଇଁ ସେ ବିବାହ ଅଭିନୟ ନଥିଲା। ମୁଁ ଆଉ ଦ୍ବିତୀୟବାର ବିବାହ କରିପାରିବିନି।
ସେମିତି କେମିତି ହେବ। ବିବାହ ଜୀବନରେ ଥରେ କରାଯାଏ। ଆମେ ଭୂଲ ଥିଲୁ। ସେ ଠିକ୍ ଥିଲା। ଯୌତୁକର ଲୋଭ ଆମର ଆଉ ନାହିଁ। କେବଳ ପୁଅ ମାନଙ୍କ ଖୁସି ଆମର ଲୋଡା।
ସବୁ ଶୁଣିସାରି ଶାଶୁ ଶ୍ବଶୁରଙ୍କ ସାଥିରେ ଯୋଗ ଦେଲା ଅନୁରାଧା। ଅନନ୍ଯାକୁ ମୁଁ ରାଜି କରେଇବି। ତା କଥା ମୁଁ ଯଦି ମାନିଲି ମୋ କଥା ସେ ବି ମାନିବାକୁ ବାଧ୍ଯ। ମୋ ସୁନା ଦିଅର ପାଇଁ ମୋ ଭଉଣୀକୁ ମୁଁ ବାଧ୍ଯ କରେଇବି। ଅଖିଳ ବି ସମର୍ଥନ କଲେ ସେ କଥାକୁ।
ପରଦିନ ସମସ୍ତେ ଗୋଟେ ଗାଡିକରି ପହଞ୍ଚିଲେ ଗୌରହରି ବାବୁଙ୍କ ଘରେ। ଏବେବି ଅନନ୍ଯା ମୁହଁ ମାଡି ଖଟ ଉପରେ ଶୋଇଛି। ଜେଜେମାଆଙ୍କ ଡାକରେ ଉଠି ବସିଲା। ଜଣଜଣ ହେଇ ସମସ୍ତେ ଅନନ୍ଯାକୁ ବୁଝେଇଲେ। କିଛିବି କହୁନଥାଏ ସେ। ଶେଷକୁ ଥିଲେ ରତ୍ନପ୍ରଭା ଦେବୀ। ସେ ତ କେବେ ଅନନ୍ଯାକୁ ବୁଝାନ୍ତିନି। ସିଧା ଆକ୍ରମଣ କଲେ। "କେତେ ଛୋପରି ହଉଛୁଲୋ ତୁ,ମିଛରେ ମିଛରେ ଯଦି ବାହାହେଇଥିଲୁ ଆଠଦିନ ହେଲାଣି ଗୋଟିଏ ଘର ଭିତରେ ମୁହଁ ମାଡି କାହିଁକି ପଡିଛୁ? ଲୁଚେଇ ଲୁଚେଇ ଛୋଟିଆ ସିନ୍ଦୁର ଟୋପାଟେ କାହିଁକି ଲଗଉଛୁ? ରତ୍ନପ୍ରଭା ଦେବୀଙ୍କ କଥାରେ ସାରା ପରିବାରରେ ଖେଳିଗଲା ହାସ୍ୟରୋଳ। ଆଉ ଫାଙ୍କିବାକୁ ଅନନ୍ଯା ପାଖରେ ବାଟ ନଥିଲା। ବାଧ୍ଯ ହେଇ ସେ ସମ୍ମତି ପ୍ରଦାନ କଲା ।ହେଲେ ଗୋଟେ ସର୍ତ୍ତରେ।
ପୁଣି ସର୍ତ୍ତ!!ସମସ୍ତେ ଟିକେ ଶଙ୍କି ଗଲେ।
କି ସର୍ତ୍ତ? ପଚାରିଲେ ନିଖିଲ।
ପ୍ରଥମ ସର୍ତ୍ତ, ମୋ ଅପା ପିଲାଦିନରୁ ଘରେ କେବେ କାହାଠାରୁ ଗାଳିମନ୍ଦ ଶୁଣିନି। ତାକୁ ଘରେ କେହି କଡା ବାଧିଲାଭଳି କଥା କହିବେନି। ତା ବଦଳରେ ମୋତେ ଯାହାପାରିବେ କହିପାରିବେ।
ଦ୍ବିତୀୟ ସର୍ତ୍ତ, ଆମ ପରେ ଆମ ଜେଜେ ଜେଜେମାଆଙ୍କର ଦାୟିତ୍ବ ନେବାପାଇଁ ଏ ଘରେ କେହି ନାହାଁନ୍ତି। ତେଣୁ ସେମାନେ ସବୁଦିନେ ଆମ ପାଖରେ ରହିବେ।
ହସି ପକେଇଲେ ଅଖିଳଙ୍କ ବାବା ମାଆ। କହିଲେ"ଏଇଟା କ'ଣ ଗୋଟେ ସର୍ତ୍ତ ରଖିବା ଭଳି କଥା। ଇଏ ତ ଆମର କର୍ତ୍ତବ୍ୟ"।
ଦୁଇ ନାତୁଣୀଙ୍କୁ କୋଳକୁ ଟାଣି ଆଣିଲେ ରତ୍ନପ୍ରଭା ଦେବୀ। ଆଖିରୁ ଲୁହ ପୋଛି କହିଲେ ମୋ ଦୁଇ ଆଖିର ତାରା "ଅନନ୍ଯା ଅନୁରାଧା "।
