STORYMIRROR

Pratima Das

Abstract Others

2  

Pratima Das

Abstract Others

ଅଣପାଣି

ଅଣପାଣି

4 mins
468


ବୋଉ ବଡ଼ ମିଛେଇ କାହାଣୀଟି ପଢୁ ଥିବାବେଳେ ସୁଧା କାନ୍ଦି ପକାଇଲା। ଦୁନିଆର ସବୁ ବୋଉ ବଡ଼ ମିଛେଇ ଗୋଟିଏ ଗୋଟିଏ। ସେହି ମିଛରେ ଥାଏ ପୁଣ୍ୟ, ସେ ମିଛରେ ଥାଏ ତ୍ୟାଗ, ମିଠା ମିଠା ମହକ, ମୁଠା ମୁଠା ଆତ୍ମସନ୍ତୋଷ। ବଳିତାଟିଏ ହୋଇ ଦିଅଁ ପାଖରେ ଜଳି ଜଳି ଅନ୍ଧାରକୁ ଦୂରେଇବାର ପ୍ରାଣପଣ ଚେଷ୍ଟା ଆହୁରି ଅନେକ କିଛି।


ତିନି ଭାଇଭଉଣୀ, ସୁଧା ତା ଭିତରେ ସାନ ଝିଅ । ସୁଧା ବୋଉ ପାଖେ ଟିକେ ଅଧିକ ସମୟ ରହେ। ତାର କାରଣ ବି ଅଛି। ସୁଧା ମନେ ମନେ ଭାବୁଥାଏ ଦୁନିଆ ଏପଟ ସେପଟ ହୋଇଯାଉ ପଛେ ବୋଉଲୋ, ମୁଁ ତୋ ପରିହେବି। ତୋ ପାଖେ ପାଖେ ରହି ତୋତେ ଗୁରୁ କରି ଏମିତି ସରଳତା ସହକାରେ ଇଫୋର୍ଟଲେସ୍ଲି ଘର ଚଳା ଦେଖୁଥିବି ଶିଖୁଥିବି।

ବୋଉର ଆଗ ଝିଅଟିଏ ହେଲା ଶ୍ରଦ୍ଧା। ଶ୍ରଦ୍ଧା ଦେଇକୁ ଜେଜେମା ମୁଣ୍ଡାଇ ଥାଏ ତା ବଡ଼ ନାତୁଣୀ ବୋଲି। ହେଲେ ଜେଜେମାର, ନାତି ଦରକାର। ନହେଲେ ବଂଶ ଆଗକୁ ଚାଲିବ କିପରି?? ବଂଶ ରକ୍ଷା ପାଇଁ ପୁଅଟିଏ ନିହାତି ନିହାତି ......ଦରକାର ।


ଯେମିତି କି ଏ ମୋ ଜେଜେମାର ବଂଶ ପୃଥିବୀ ଆରମ୍ଭ ଦିନୁ ଅଛି, ଆଉ ମଧ୍ୟ ମହାପ୍ରଳୟ ଆସି ପୃଥିବୀ ଧ୍ବଂସ-ବିଧ୍ବସଂ ହୋଇଗଲା ପରେ ବି ଥିବ। ନୋ ବ୍ରେକ। ଜେଜେମା ବଂଶ ରହିଥିଲା… ରହିଛି, ରହିଥିବ। ତେଣୁ ବୋଉଠାରୁ ପୁତ୍ରଲାଭ ପରେ ଯାଇ ଯେଉଁ କଥା। ବୋଉର ଭାଗ୍ୟ ଭଲ ଭାଇ ସଂଜୟ ଜନ୍ମଗ୍ରହଣ କଲା। ଜେଜେମା ଖୁସ୍। କିଛି ବର୍ଷ ପରେ, ଜେଜେମା ମୁଣ୍ଡ ପୁଣି ଖରାପ ହେଲା।


ଗୋଟେ ଆଖି ଆଖି ନୁହେଁ

ଏକ ସାକ୍ଷୀ , ସାକ୍ଷୀ ନୁହେଁ।


ଗୋଟିଏ ପୁଅ ପୁଅରେ ଯାଏନି। ଜଦି ଭଲମନ୍ଦ କ'ଣ ହୋଇଗଲା ।ଜେଜେମା ବୋଉ ପଛେ ପଛେ ପୁଣି ଲାଗିଗଲା। ଅଗତ୍ୟା ସୁଧାର ଜନ୍ମ । ଯଦିଓ ପୁଅ ନ ହୋଇ ଝିଅଟିଏ ହେଲା ,କିନ୍ତୁ ସୁଧା ବହୁତ ସୁନ୍ଦର ଗୁଲୁଗୁଲିଆ ହୋଇଥିଲା ଜନ୍ମ ସମୟରେ । ତେଣୁ ଜେଜେମା ଖୁସି । ନୋ ଅବ୍ଜେକସନ । ହେଲେ ତା ବଡ଼ ନାତୁଣୀ ଆଉ ନାତି ଆଗ। ସୁଧା ତେଣୁ ବୋଉର କୋଳପୋଛା ହିସାବରେ । ବୋଉ ସାଂଗେ ବେଶୀ ନିକଟତର।

ବୋଉର ଟିକିନିଖି କାମ ସୁଧା ଲକ୍ଷ୍ୟ କରିବା ସହ ଆନନ୍ଦ ପାଏ। ଓଡ଼ିଶାର ମଧ୍ୟବିତ୍ତ ପରିବାରର ଚଳଣି କାହାକୁ ଅଛପା ନୁହେଁ । ଗ୍ୟାସ୍ ଜଲ୍ଦି ନସରି କିପରି ଅଧିକ ଦିନ ଯିବ ଗୋଟିଏ ହାଣ୍ଡି ଚୁଲିରେ ବସାଇ ତା ଉପରେ ନାନା ରକମ ଖାଦ୍ୟ ଗରମ କରାଇ ନେବା । ପିଲାମାନଙ୍କୁ ବୁଝାଇ ସୁଝାଇ ଘର ଖାଇବା ଖୁଆଇବା । ପଢ଼ାବହି ନବଦଳିବା ଯାଏଁ ବଡ଼ ଭାଇ ଭଉଣୀ ବହି ସାନମାନେ ପଢ଼ିବା । ଏପରିକି ଡ୍ରେସପଟାବି । ଚୁଲି ରୋଷେଇର ନିଆଁରେ ବି ଅନେକ ପୋଡା ପୋଡିର ପ୍ରସ୍ତୁତି।


ତିନି ଭାଇଭଉଣୀ ସ୍କୁଲ ଗଲାବେଳକୁ କି ଯତ୍ନରେ ଖାଦ୍ୟ ତିଆରି ବୋଉର। ଏକଳା ବୋଉର ଏକାନ୍ତ ଜନ୍ମଗତ । ମେଡ଼ିକାଲ ପାଖେ ଘରବୋଲି ବୋଉପାଖେ ବେଳ ଅବେଳରେ ଲୋକ ପହଂଚନ୍ତି। କେବେ ଅଭାବ ଶବ୍ଦ ତା ପାଖେ ନଥାଏ। ସ୍କୁଲରୁ ଫେରିବା ବେଳକୁ ବୋଉ କିପରି ଭଜାଭଜି କରି ବୁଝାଇଶୁଝାଇ ଦୋଡାଭାତ ଦିଟା ଖୁଆଇ ଦିଏ। ଯଦିଓ ଭାଇ ଭଉଣୀଙ୍କର ସେ ସମୟରେ ଇଛା ହେଉଥାଏ । ବାହାରେ ଯାଇ ଚାଟ୍-ଗୁପ୍ ଚୁପ ଖାଇବା ପାଇଁ। କେବେ କେବେ ଚୂଡା ଉପମା ତ କେବେ ସୂଜିହାଲୁଆ। ବେଳେବେଳେ ଝାଲମୁଢି,ଛତୁଆର ବ୍ୟବସ୍ଥା କରିଦିଏ। ବେଳେବେଳେ ପୁଣି ପରଟା ଆଉ ଆଳୁଭଜା। ପରଟା ଆଳୁଭଜା ଦିନ ସୁଧା ଭାରୀ ଖୁସି ଥାଏ। ସବୁ ହାତରନ୍ଧା ବାହର କିଣା କିଛି ନୁହେଁ। କାରଣ ବୋଉ ଜାଣିଛି ବାହାର କିଣା ଖାଦ୍ୟ ମାନେ ଡବଲ୍ ପଇସା ଏବଂ ଅସ୍ବାସ୍ଥ୍ୟକର।

ସାରା ଦିନର କାମ ଘରଦ୍ବାରର ଜାବତୀୟ ଜଞ୍ଜାଳ କରି କରି ବୋଉର ପିଠି ଖଡିକାପରି ଟାଣ ହୋଇଗଲେ ବି କଟକଟ୍ ଡାକିଲେ ବି ବୋଉ ପୁଣି ବାଡିବଗିଚାରେ କାମ କରୁଥିବ। କିଛି ତାଜା ପନିପରିବା ଆମମାନଙ୍କୁ ଖୁଆଇ ପାରିବ ବୋଲି ।


ପନିପରିବା ଲଗାଉଥିବ ଶାଗ ବୁଣୁଥିବ ଫୁଲଗଛ ଅନେକ ତା ବଗିଚାରେ । ମା ସିଏ ୫୦ଟଙ୍କା ମାଗିଲେ, ୨୦ ସିନା କମ କରିକି ଦେବ, କିନ୍ତୁଖଣ୍ଡେ ରୁଟି ଖାଇବାର ଥିଲେ କେଡେ ବାଗରେ ଦୁଇ ଖଣ୍ଡ ଖୁଆଇଦେଇ ଦେବ।


ମା...... ଏବିଚିତ୍ର ଚରିତ୍ରଟିକୁ ଗଢ଼ିବାକୁ ଈଶ୍ବରଙ୍କୁ ବି, (ପେସ୍ଆଲ) କୋଚିଂ ସେଣ୍ଟର ଯିବାକୁ ହୋଇଥିବ। ବୋଉ ବିଶ୍ରାମ ନେଉନୁ ଟିକିଏ। ମୋତେ ଭଲ ଲାଗୁଛି କହି ଖଟୁଥିବ। ସେହି ପରିଶ୍ରମର ଫଳ ତିନି ଭାଇଭଉଣୀ ଆଜି ପ୍ରତିଷ୍ଠିତ।


କ'ଣ ହୁଏ କେଜାଣି ମଝିରେ ମଝିରେ ଡାଲି ରେଟ୍ ଧଡ଼ଧାଡ଼ ହୋଇ ବଢିଯାଏ। ପରେ ଜାଣିଲି ଏ କଳାବଜାରୀ ବେପାରୀ ଏବଂ ରାଜନୀତିଆଙ୍କ ପ୍ଲାନ। ହୋଡିଂ.... ହୋଡିଂ। ଅସାଧୁମେଣ୍ଟ। ଗରୀବର ମାଛମାଂସ ବୋଲେ ଡାଲି। ଓଡ଼ିଆ ଘରେ ଡାଲି କିମ୍ବା ଡାଲମା ବିନା କିଛି ଚଳେଇ ହୁଏନି ମାନେ ସମ୍ଭାଳି ହୁଏନା କହିଲେ ଚଳେ।


ଓଡ଼ିଆଙ୍କ ଖାଇବା ପ୍ରଣାଳୀ ଟିକେ ଅଲଗା। ଭାତବଢା ହେବକଂସା ଥାଳିରେ ଆଉ ତରକାରୀ ବେଲାରେ । ସେ ଡାଲମା ହେଉକି ମାଂସଝୋଳ କିମ୍ବା ମାଛତିଅଣ । କଥାରେ ଅଛି ପରା ବଙ୍ଗାଳୀ ପଇସା ପେଡିକୁ ଓଡ଼ିଆ ପଇସା ପେଟକୁ ।


ସେ ଯାହା ବି ହେଉ ବାପାଙ୍କ ସୀମିତ ପଇସାରେ ବୋଉର ଚେଷ୍ଟା ଜାରି ରହିଥାଏ । ତା ପିଲାଙ୍କ ପେଟରେ ଶାଗମୁଗ ତରକାରୀ ସହିତ କିଛି ଡାଲିପାଣି ପଡୁ । ଏତେ ଅଧିକ ଦରଦାମ ସତ୍ବେ କାଳେ ପିଲା ହାରିଯିବେ । ମାନେ ସ୍ବାସ୍ଥ୍ୟର ବିକାଶ ହୋଇପାରିବ ନାହିଁ। ସୁଧା ଲକ୍ଷ୍ୟ କରେ ବୋଉ ବିଲ୍ କୁଲ ଡାଲି ନଖାଇ ବାଇଗଣ, ଭେଣ୍ଡି ଯାହା ମିଳିଲା, ତା ତିଆରି କରି ରଖିଥିବ। ବୋଉ ତୁ ଡାଲି ନେଉନୁ କାହିଁକି??

ଛି... ଛି ଡାଲି ରେଟ ବଢିବା ସଙ୍ଗେ ସଙ୍ଗେ ଏ କଳାବଜାରୀ ଖରାପ କ୍ଵାଲିଟି ଡାଲି ବିକୁଛନ୍ତି। ଏ ଡାଲି କି ଡାଲମା କ'ଣ ଖାଇହେଉଛି। ଏଠି ପୁଣି .....ମିଛ। ଛୋଟ ଛୋଟ କଥାରେ ବି ନିଜ ବଳି ଚଢାଇବାକୁ ପ୍ରସ୍ତୁତ ହୋଇଯାଏ ବୋଉ। ଏମିତି ନୁହେଁ ଯେ ବୋଉ ହାତ ଖୋଲା କରି ନିଜେ ଭରପୁର ନିଜ ପାଇଁ ଖର୍ଚ୍ଚ କରିପାରିବିନି। କିନ୍ତୁ ପଛରେ ତାକୁ ହିଁ ବଜେଟ୍ ସମ୍ଭାଳି ବାକୁ ପଡିବ।

ପିଲାଙ୍କ ଦେହମୁଣ୍ଡ, ବୃଦ୍ଧା ଶାଶୂ, ପୁନିଅ ପର୍ବ ତାକୁହିଁ ଚଳାଇବାକୁ ପଡ଼ିବ। ତେଣୁ କାଂଟଛାଟ, ଯାହା କରିବାକୁ ପଡେ ବୋଉ ନିଜ ଠାରୁ ହିଁ ଆରମ୍ଭ କରେ।

ମୋ (ଅଣପାଣି)....ବଢିଆ, ଏ ଡାଲି ଭଲ ଲାଗୁନି ଶୁଣି ଜେଜେମା ମୁହଁ ତଳକୁ କରିଦିଏ ଜେଜେମାର ଦାନ୍ତ ନଥିବାରୁ, ଜେଜେମା ଡାଲି ସହିତ ଭାତ ପତଳାକରି ଖାଇବାକୁ ବାଧ୍ୟ। ନହେଲେ ସେ ବି ମିଛ କୁହନ୍ତା କାରଣ ସେ ବି ଗୋଟିଏ ମା।


ସୁଧା କିନ୍ତୁ ଭଲଭାବେ ଜାଣେ ବୋଉ କ'ଣ ପାଇଁ ଖାଉନି ଆ ଆ... ତୋତେ ଦି ଗୁଣ୍ଡା ଖୁଆଇଦେବି। ବାଇଗଣ ପୋଡା ସାଂଗେ ଯେବେ ଯାହା ମିଳିଲା ଆଳୁସିଝା ଖଣ୍ଡେ ପକାଇ ଦେଇ ଟମାଟୋ ତତା,ଭେଣ୍ଡି ,ବାଇଗଣ, ଜହ୍ନି ପୋଡା ବାଡିପୁଦିନା, କଂଚାଲଙ୍କା ରସୁଣର ଦଳାଦଳି ଚକଟାର ଯେଉଁ ଅଣପାଣି ହୋଇ ଥିବ । ତା ବାସ୍ନାରେ ଭୋକ ନହେଉ ଥିବା ଲୋକକୁ ବି ଭୋକ ଆସିବ। ଅଣପାଣି ଗୋଳା ଭାତଗୁଣ୍ଡାର ଗୋଲ ଗୋଲ ଲଡୁକରି ଯେତେବେଳେ ଖୁଆଇ ଦିଏ ସତେ କି ଅମୃତ।


ଏବେ ସୁଧା ପାଖେ ଏତେ ଟଙ୍କାପଇସା କଲେକ୍ଟର ଘର ବୋଲି । ଜିଲ୍ଲା ଜାକର ବଛା ବଛା ଖାଇବା ପହଂଚୁଛି ହେଲେ ସେ ଅଣପାଣି ଗୋଳା ଭାତଗୁଣ୍ଡାର ସ୍ବାଦ ଆଜି ବି ସୁଧାକୁ ଆକର୍ଷିତ କରେ,ବୋଉର ତ୍ୟାଗକୁ ମନେ ପକାଇ ବ୍ୟାକୁଳିତ କରାଏ।


Rate this content
Log in

Similar oriya story from Abstract