Sambit Srikumar

Abstract Classics Inspirational

4.7  

Sambit Srikumar

Abstract Classics Inspirational

ଅମୃତପଥର ଅଭିଯାତ୍ରୀ

ଅମୃତପଥର ଅଭିଯାତ୍ରୀ

19 mins
436



ପଢିଥିଲି ସାହିତ୍ୟ ବହିରେ, ଶୁଣିଥିଲି ଆଈମାଆର କାହାଣୀରେ, ଦେଖିଥିଲି ଦୂରଦର୍ଶନ ପରଦାରେ, ଅମୃତର ସନ୍ଧାନ ନିମନ୍ତେ ଦେବତା ଓ ଦାନବ ଦିନେ ମିଳିତ ଭାବେ ସମୁଦ୍ର ମନ୍ଥନ କରିଥିଲେ। ଆଉ ସେଇ ଅମୃତ ପାଇଁ ପୁଣି ଦୁଇ ପକ୍ଷ ବିବାଦରେ ଲିପ୍ତ ହୋଇଥିଲେ। ସଭିଏଁ ତ ଅମୃତ ପାଇବା ନିମନ୍ତେ ଆଶାୟୀ କିନ୍ତୁ ଅମୃତ ସହିତ ପ୍ରାପ୍ତ ହୋଇଥିବା ଗରଳ ପାନ କରିବାକୁ କେହି ବି ପ୍ରସ୍ତୁତ ନୁହଁନ୍ତି। ସତରେ କଣ ଏଇ ଅମୃତ? ଏଇ ଅମୃତ ପ୍ରତି ସଭିଙ୍କର ଏତେ ଆକର୍ଷଣ କଣ ପାଇଁ? ଜନ୍ମ ମାତ୍ରେ ତ ମୃତ୍ୟୁ ସୁନିଶ୍ଚିତ, ତେବେ କଣ ପାଇଁ ଅମରତ୍ବ ଏତେ ଅପରିହାର୍ଯ୍ଯ? 


ମୁଁ ବି ତ ଦିନେ ଏମିତି ଅମୃତର ଆକର୍ଷଣରେ ହରାଇ ବସିଥିଲି ଆପଣାର ସର୍ବସ୍ବ। ତୀବ୍ର ଭୂମିକମ୍ପର ପ୍ରକୋପରେ କ୍ଷଣିକରେ ହୋଇ ଯାଇଥିଲି ନିଃସ୍ବ, ତଳିତଳାନ୍ତ। ଆଦ୍ୟ ତାରୁଣ୍ୟରୁ ମୁଁ ଖୋଜୁଛି ଅମୃତକୁ। ଆଜି ଯାଏଁ ପାଇ ନାହିଁ ଅମୃତର ସାକ୍ଷାତ କି ତାହାର ଉତ୍ସ। କିନ୍ତୁ ଥକିପଡ଼ିନି ଚାଲିଛି ଜୀବନର ଅସରନ୍ତି ରାସ୍ତା ଅମୃତର ସନ୍ଧାନରେ। ଚାଲିଛି ଯେ, ଚାଲିଛି। ମୋ ଚାଲିବାର ଅନ୍ତ ନାହିଁ। ଅମୃତର ସନ୍ଧାନ ଏପର୍ଯ୍ୟନ୍ତ ମିଳି ନାହିଁ। ଏଣୁ ପଛକୁ ଫେରି ଚାହିଁବାର ପ୍ରଶ୍ନ ଉଠେ ନାହିଁ। 


ଏଇଟା କଥା କି କାହାଣୀ ମୁଁ ଜାଣିନି। କେତେ ସତ୍ୟ କେତେ ଅପଳାପ, କେତେ କାଳ୍ପନିକ କେତେ କାହା ସହିତ ଆକସ୍ମିକ ସଂଯୋଗ, ତାହା ବି ଜାଣି ନାହିଁ। କେବଳ ମୁଁ ଜାଣିଛି ତୁମକୁ, ଚିହ୍ନିଛି କି ନାହିଁ ଜାଣିନି କି ତୁମର ଅସଲି ସ୍ବରୂପକୁ ଚିହ୍ନିବାର ଚେଷ୍ଟା ବି କେବେ କରିନି। ଏଇ କାହାଣୀ ମୋତେ ଆଉ ତୁମକୁ ନେଇ। ମୋର ଆଉ ତୁମର ଅପାଶୋରା ଅଲିଭା ମୂହୁର୍ତ୍ତଗୁଡିକର ସ୍ବର୍ଣ୍ଣିମ ସ୍ବାକ୍ଷର ଏଇ କାହାଣୀ। ଧ୍ବଂସର ବାରୁଦଗଦାରୁ ନବ ଉନ୍ମେଷର କାହାଣୀ। ସ୍ବାଭିମାନୀ ବୀରପୁଙ୍ଗଵ ଲଢୁଆ ଓଡ଼ିଆ ଯୁବକର ଜୀବନ ଯୁଦ୍ଧରେ ଜୟଯାତ୍ରାର କାହାଣୀ। 


ନାମହୀନ ସମ୍ପର୍କର ଏଇ କାହାଣୀ, ଯହିଁରେ ନାୟକ ମୁଁ, ନାୟିକା କେବଳ ହିଁ କେବଳ ତୁମେ। ମୁଁ ଅନାମଧ୍ୟେୟ ଅପାଙ୍କ୍ତେୟ ନାୟକ! ତୁମେ ଅନାମିକା ନାୟିକା! ଏହା ହିଁ ଆମ ଦୁହିଁଙ୍କର ମୌଳିକ ପରିଚୟ। ନାମହୀନ ସମ୍ପର୍କରେ ନାୟକ ନାୟିକାଙ୍କ ନାମ ଉହ୍ୟ ରହିବାଟା ହିଁ ଉଭୟଙ୍କ ଲାଗି ଶୁଭଙ୍କରୀ। କଣ କିଛି ଭୁଲ୍ କହି ଦେଲିକି? ଠିକ୍ ଭୁଲ୍ ନିର୍ଣ୍ଣୟ କରିବାର ଗୁରୁଦାୟିତ୍ବ ଜ୍ଞାନୀଗୁଣୀ ପାଠକପାଠିକାଙ୍କ ଉପରେ ଛାଡ଼ି ଦିଆଯାଉ। 


ତୁମେ ହିଁ ତ ମୋତେ ଦିନେ କହିଥିଲ ସୁମଧୁର ପ୍ରୀତି ସୋହାଗରେ, ଛଳ ଛଳ ଢଳ ଢଳ ବେନି ନୟନରେ, ବାଷ୍ପରୁଦ୍ଧ କଣ୍ଠରେ ଅଥଚ଼ ଦୃପ୍ତ ପ୍ରେମ ନିବେଦନରେ। ତୁମ୍ଭର ମନେ ଅଛି କି ପାଶୋର ଗଲାଣି ସେଇକଥା, ମୁଁ ଜାଣିନି। ସେଇ ଉଦାତ୍ତ ମର୍ମସ୍ପର୍ଶୀ ବାଣୀ, ରସପ୍ଲାବିତ ପୀରତି ରାଗିଣୀ ଆଜିବି ପରିଣତ ବୟସରେ ଶୁଭୁଛି ମୋର କର୍ଣ୍ଣ ପଟ୍ଟଳରେ। ସେଥିପାଇଁ ତ ମୁଁ ଆଜି ଯାଏଁ ବି ଭୁଲିନି କି ଜୀଇଁଥିବା ଯାଏଁ ବି ଭୁଲିପାରିବି ନାହିଁ ତୁମର ସେଇ ପ୍ରୀତି ବୋଳା କେଇ ପଦ କଥା। 


କେମିତି ଗୋ ପ୍ରିୟା ତୁମେ ଭୁଲିଗଲ ଏତେ ସହଜରେ ସ୍ବାଛନ୍ଦ୍ୟରେ, ନିଜେ କହିଥିବା ସେଇ ମର୍ମଭେଦୀ କଥା? କେହି କଣ ଏମିତି ଭୁଲିଯାଏ? ନା ଥିଲା ଇଏ ତୁମ୍ଭ ଅପରିମିତ ଛଳନାର ହଳାହଳରୁ ବୁନ୍ଦାଏ ମାତ୍ର? ମୁଁ ତ କିନ୍ତୁ ହୋଇ ଯାଇଥିଲି ତୁମ୍ଭର ନିଖୁଣ ଜୀବନ୍ତ ଅଭିନୟର ଯାଦୁରେ ଅଭିଭୂତ, ବିମୋହିତ। ତୁମ୍ଭର କାଉଁରୀ ମନ୍ତ୍ରରେ ବଶୀଭୂତ, ମନଛୁଆଁ ସୁମିଷ୍ଟ ଭାଷାରେ ମନ୍ତ୍ରମୁଗ୍ଧ, ଅବାକ୍ ହୋଇ ଶୁଣୁଥିଲି ତୁମ୍ଭର ମୃଦୁହସ ମିଶ୍ରିତ ମନ୍ଦ ମନ୍ଦ କଥା ଅହର୍ନିଶି ଅନବରତ ଅବିରତ। 


ସେଇ କଥା ପଦଟିଏ ତ ମୋତେ ସର୍ବୋତ ଭାବେ ତୁମ୍ଭର ପାଶରେ ସମର୍ପି ଦେଇଥିଲା। ତୁମ୍ଭ ପ୍ରୀତିର ନାଗପାଶରେ ବନ୍ଦୀକରି ନେଇଥିଲା। ତୁମେ ହିଁ ତ ଥିଲ ମୋ ପାପ ପୁଣ୍ୟର କାରଣ, ମୋ ଜୀବନ ମୃତ୍ୟୁର ବନ୍ଧନ। ମୋ କର୍ମ ଓ ଭାଗ୍ୟ ତୁମେ କରୁଥିଲ ସ୍ବେଚ୍ଛାରେ ନିର୍ଦ୍ଧାରଣ। ତୁମେ ହିଁ ତ ଥିଲ ମୋର ପ୍ରାଣପ୍ରିୟା ପ୍ରାଣେଶ୍ଵରୀ, ଲାବଣ୍ୟବତୀ କୋଟି ବ୍ରହ୍ମାଣ୍ଡସୁନ୍ଦରୀ। ମୁଁ ଥିଲି ରସରାଜ ରସିକ ପ୍ରବର, ତୁମ୍ଭ ଅନିନ୍ଦ୍ୟ ସୌନ୍ଦର୍ଯ୍ୟର ବିଦଗ୍ଧ ସ୍ତାବକ, ତୁମ୍ଭର ଗୁଣମୁଗ୍ଧ ପ୍ରସଂଶକ। 


ସେଇ କଥା ପଦକରେ କି ଯାଦୁ ଥିଲା କେଜାଣି? ମୋର କେଉଁ ଦୁର୍ବଳ ମୂହୁର୍ତ୍ତରେ ସେଇ କଥା ପଦିକ ତୁମ୍ଭେ କହିଥିଲ କେଜାଣି? ଲାଗୁଥିଲା ତୁମ୍ଭର ସମର୍ପିତ ମନ ପ୍ରାଣ ମୋର ଅନ୍ତରାତ୍ମାକୁ ଦୋହଲାଇ ଦେବା ଭଳି। ତୁମରି ସେଇ ପଦକ ମୋ ମନ ଭିତରେ ମୃଦୁ ମୃଦୁ ଭୂମିକମ୍ପ ସୃଷ୍ଟି କରୁଥିଲା। ଯୁଗପତ ଉତ୍କଣ୍ଠା ଓ ଭୀତି ସଞ୍ଚାର ହେଉଥିଲା। କେବେ ପୁଲକ କେବେ ବିଷାଦ କେବେ ଆହ୍ଲାଦିତ କେବେ ବିବ୍ରତ ହେଉଥିଲା ମୋର ଚିନ୍ତାମଗ୍ନ ମନ। 


ତୁମେ ହିଁ ତ ଥିଲ ସେଦିନ, ଯେଉଁ ଶୀତୁଆ ସନ୍ଧ୍ୟାରେ ଦୟାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆମର ହୋଇଥିଲା ପହିଲି ମିଳନ ଏକାନ୍ତରେ। ଆଖିରେ ଆଖି ମିଶାଇ, ମୋ ବଳିଷ୍ଠ ବାହୁ ଦ୍ବୟର ନିବିଡ଼ ବେଷ୍ଠନୀରେ ନିଜକୁ ବନ୍ଦୀକରି ନେଇ ସଲଜ୍ଜ ଠାଣିରେ ତୁମେ ହିଁ ତ କହିଥିଲ, ପ୍ରଣୟ ବିଭୋର ହୋଇ ଦୃପ୍ତ ପ୍ରେମ ସଂଭାଷଣରେ....


"ତୁମେ ମୋତେ ଏତେ ଭଲ ପାଅ ଯେ, ଯଦି ତୁମକୁ କେବେ ଅମୃତ ମିଳିଯାଏ, ତେବେ ପ୍ରଥମେ ମୋତେ ହିଁ ପିଆଇବ! ତାହା ପରେ ଯାଇ ଅନ୍ୟ କାହାକୁ ବାଣ୍ଟିବ, ଏପରିକି ନିଜେ ବି ପିଇବ ନାହିଁ..." 


ସତରେ କେତେ ସହଜରେ ତୁମେ କହି ଦେଇଥିଲ ଏଇ ଗୁରୁଗମ୍ଭୀର କଥାଟିକୁ! ମୁଁ ବି ମୋର ସରଳ, କପଟ ଶୂନ୍ୟ ମନରେ ତୁମର ପ୍ରୀତି ବୋଳା କଥାକୁ ସତ ବୋଲି ମଣି ନେଇଥିଲି। ତୁମକୁ ସନ୍ଦେହ କରିବାର ଟିକିଏ ବି କାରଣ ନଥିଲା। ପୁଣି ମୁଁ ବି ତ ସନ୍ଦେହ କିମ୍ବା ଅବିଶ୍ଵାସ କଣ ବୋଲି ଜାଣି ନଥିଲି। ମଣିଷ ଚିହ୍ନିବା ଶିଖି ନଥିଲି। ମହାଦେବ ଭୋଳାଶଙ୍କରଙ୍କ ପରି ତୁମ୍ଭ ପୀରତିର ନିଶାରେ ଭୋଳ ଥିଲି। ଦୁନିଆଁର ସୁଖଦୁଃଖ ହାନିଲାଭ ହାବଭାବ କେଉଁଥିରେ ବି ମୋହରି କୌଣସି ସଂପୃକ୍ତି ନଥିଲା। 


ମୋର ଏଇ ଭୋଳାପଣ ହୁଏତଃ ମୋ ପାଇଁ ବଇରୀ ସାଜିଲା। ସଂସାର ପ୍ରତି ଉଦାସୀନତା ଭାବ ରଖୁଥିବା ଲୋକଟିଏ କଣ ସତରେ ସଫଳ ଗୃହସ୍ଥ ହୋଇପାରେ? ଧନସମ୍ପତ୍ତି ରହିତ ତରୁଣଟିଏ କଣ ଏଇ ଉପଭୋକ୍ତାବାଦୀ ଯୁଗର ସମସ୍ତ ପାର୍ଥିବ ସୁଖ ସୁବିଧା ଉପଲବ୍ଧ କରାଇପାରିବ? ଅତି ଅଲିଅଳରେ ବଢିଥିବା ଜୀବନ କଣ କେବେ ଦାରିଦ୍ର୍ୟର କଷାଘାତ ସହିପାରିବ? ଏମିତି ଭାବନାରେ ଘାଣ୍ଟିଚକଟି ହୋଇ ଦ୍ୱିଧାରେ ପଡିଗଲା ତୁମ୍ଭର ହିସାବୀ ମନ। ଲାଭକ୍ଷତିର ଜଟିଳ ଗଣିତରେ ବିଚରା ବଳି ପଡ଼ିଗଲା ମୋହର ନିଷ୍କପଟ ମନ।


ସେଇଥି ପାଇଁକି ତୁମେ ମୋ ସହିତ ସଖିକଣ୍ଢେଇ ପରି ଖେଳ ଖେଳିଲ। ଦିନେ ନୁହେଁ କି ମାସେ ନୁହେଁ ପୁରା ପାଞ୍ଚ ବର୍ଷ! ମନକୁ ମୋର ଭଣ୍ଡେଇ ଦେଇ ଆଉ କାହା ସହିତ ଉଡିଗଲ ପର ଝାଡି ଝାଡି ମୋର ଅଲକ୍ଷ୍ୟରେ। ତୁମେ ଉଡିଗଲ ଅପହଞ୍ଚ ଦୂରକୁ। ଏତେ ଦୂରକୁ ତୁମେ ଉଡିଗଲ ଯେ, ମୋର ସେଠି ପହଞ୍ଚିବା ତ ଦୂର, କଳ୍ପନା କରିବା ବି ମୋ ପାଇଁ ଅସମ୍ଭବ!


ତୁମେ ଏମିତି କାହିଁକି କଲ? କିବା ମୋର ଦୋଷ ଥିଲା? ରୂପରେ ଗୁଣରେ ପାଠରେ ଶାଠରେ କେଉଁଥିରେ ବା ମୋର କମ୍ ଥିଲା? ହଁ, ଏଇଟା ନିହାତି ସତ ଯେ, ମୁଁ ଥିଲି ନିର୍ଦ୍ଧନ, କପର୍ଦ୍ଧକ ଶୂନ୍ଯ! ଯଦି ଏହା ହିଁ ଥିଲା ମୋର ଭୁଲ୍ ମୋର ଅଯୋଗ୍ୟତା, ତେବେ ଥରୁଟିଏ ତ ତୁମେ ମନ ଖୋଲି କହି ପାରିଥାନ୍ତ? ମୋତେ ମୋର ଦୋଷ ଦୁର୍ବଳତା ସାମାଜିକ ପ୍ରତିଷ୍ଠା ବିଷୟରେ ଅବଗତ କରିପାରିଥାନ୍ତ? କିନ୍ତୁ ତୁମେ ତାହା କଲ ନାହିଁ। ଏଥିରେ ତୁମ୍ଭର ଦୋଷ କିଛି ନାହିଁ। ମୋର ତୁମକୁ ବୁଝିବାରେ ହିଁ ଯାହା ଭୁଲ୍ ହୋଇଯାଇଛି। ଏଇ ଭୁଲ୍ ଅକ୍ଷମଣୀୟ! 


ତୁମର ଏମିତି ମୋ ହାତ ଛାଡ଼ି ଚାଲିଯିବାଟା ଯେତିକି କଷ୍ଟ ଦେଇ ନଥିଲା ତାହା ଠାରୁ ଅଧିକ କଷ୍ଟ ଦେଇଥିଲା ତୁମ ଦ୍ବାରା ମୋ ଉପରେ ଲଗାଯାଇଥିବା ଆରୋପ, ଅଭିଯୋଗ ଓ ଅପବାଦର କାଳିମା ଦାଗ। ଏଇ ଅପବାଦ ଯଦିଓ ପ୍ରେମର ଚିରନ୍ତନ ସହଚର ତଥାପି ମୁଁ ଅପ୍ରସ୍ତୁତ ଥିଲି ତାହାକୁ ବରଦାସ୍ତ କରିବାକୁ। ସେଇ ସବୁ ଅପବାଦର ଜିଦ୍ଦି ଚହଟ ଚିକ୍କଣ ଦାଗକୁ ଧୋଇ ମାଜି ସଫା କରିବା ପାଇଁ ଦୁନିଆ ବଜାରରେ କୌଣସି ବି ସାବୁନ୍ ଅବା ଡିଟର୍ଜେଣ୍ଟ୍ ଉପଲବ୍ଧ ନାହିଁ। ମୁଁ ଏକା ହିଁ ଜାଣିଛି ତୁମର ତମାମ ଅପବାଦର ଜ୍ୱାଳାରେ ମୁଁ କେମିତି ଜୀଇଁଛି। 


ନିଜକୁ ଶୁଦ୍ଧପୂତ ପ୍ରମାଣ କରିବାକୁ, ନିଷ୍କଳଙ୍କ ବେଦାଗ କରି ସଜାଇବାକୁ, ନିଷ୍କଣ୍ଟକ କରିବା ପାଇଁ ତୁମେ କଣ କଣ ନକରିଛ ସତେ? ରାଜ୍ୟ ସଚିବାଳୟର ଗୃହ ବିଭାଗରେ ଅନୁସଚିବ ପଦରେ କାର୍ଯ୍ୟରତ ତୁମ୍ଭର ପିତୃଦେବ କ୍ଷମତାର ଅପବ୍ୟବହାର ପୂର୍ବକ ମୋ ବିରୋଧରେ ନାଲିସ୍ କରି ଘରକୁ ପୋଲିସ୍ ପଠାଇଥିଲେ। ବାପାମାଆ ଓ ଛୋଟ ଭାଇଭଉଣୀମାନଙ୍କ ସାମ୍ନାରେ ମୋତେ ଅପମାନିତ କରିବାର ଅପଚେଷ୍ଟା ତୁମ୍ଭର ବିଫଳ ତ ହୋଇଗଲା କିନ୍ତୁ ଜୀବନ ମୋହର ବିଷମୟ ହୋଇଗଲା। ଅମୃତ ପିଆଇବାର ପ୍ରତିଶ୍ରୁତି ଦେଇ ତୁମେ ଜହର ଖେଳାଇ ଦେଇଗଲ ମୋ ଜୀବନର କ୍ଷୁଦ୍ର ପରିଧିରେ। 


ତୁମ୍ଭ ପ୍ରୀତିରେ ତୁମ୍ଭ ଠାରୁ ପ୍ରତ୍ଯାଶା ତ ମୋର କିଛି ବୋଲି କିଛି ନଥିଲା। କେବଳ ଥିଲା ନିରୁତା ଭଲପାଇବା। ଶାଶ୍ୱତ ନୈସର୍ଗିକ ଭାବନାର ଉତ୍ତାଳ ଜୁଆର କେବେ ବି ଲଙ୍ଘିଯିବାର ତିଳେ ମାତ୍ର ଚେଷ୍ଟା କରି ନାହିଁ ମର୍ଯ୍ୟାଦାର ଏରୁଣ୍ଡି ବନ୍ଧକୁ, ସମ୍ଭ୍ରମର ଲକ୍ଷ୍ମଣରେଖାକୁ, ତୁମ୍ଭ ଦେହର ଦେହଳୀକୁ। ଅଚାନକ ତୁମେ ଏମିତି ବଦଳି ଯିବ, ତାହା ଥିଲା ମୋର କଳ୍ପନାତୀତ। ପୁଣି ତା' ସହିତ ଅପବାଦର ଅଲିଭା କଳଙ୍କ, ମୋ ପାଇଁ ଥିଲା ଅସହ୍ୟ।


ନଷ୍ଟ ଚରିତ୍ର ବୋଲି ଅପବାଦର ବୋଝ ମୁଣ୍ଡାଇବା ତୁମକୁ ଭଲପାଇ ଅର୍ଜନ କରିଥିବା ପାପର ପ୍ରାୟଶ୍ଚିତ୍ତ ପାଇଁ ଯଥେଷ୍ଟ ନଥିଲା। ଏତିକିରେ ସରିଯାଇ ନଥିଲା ମୋର ଦୁଃଖ ଦୁର୍ଦ୍ଦଶା। ଦୁର୍ଦ୍ଦିନର କଳାହାଣ୍ଡିଆ ମେଘ ବର୍ଷୁଥିଲା ମୂଷଳଧାରାରେ ମୋ ଭାଗ୍ଯାକାଶରେ। ଥମିବାର ନାଁ ଧରୁନଥିଲା। ସୂର୍ଯ୍ୟୋଦୟର ଆଶା ଥିଲା କ୍ଷୀଣ। ବାପାମାଆ ବିନା ବିଚାରରେ ଘରୁ ତଡି ବାହାର କରିଦେଲେ। ସାଙ୍ଗସାଥି ମାନେ ମୁହଁ ମୋଡିଦେଲେ। କ୍ଷଣିକରେ ମୁଁ ପାଲଟି ଯାଇଥିଲି ଦୀନ ଅରକ୍ଷିତ, ବେସାହାରା, ସର୍ବହରା।


ନିଃସଙ୍ଗତାରେ ନିହାତି ଅସହାୟ ହୋଇ ମୁଁ ସାହାରା ନେଲି ଆଉ ଗୋଟିଏ ନୂଆ ନିଶାର! ମଦିରା ତାହାର ନାମ। ଆଜନ୍ମରୁ ମୁଁ ତ ଥିଲି ନିଶାଚର, ତୁମ୍ଭ ପ୍ରତାରଣାରେ ପାଲଟିଗଲି ମୁଁ ନିଶାଖୋର! ଅଧାପନ୍ତରିଆ ହୋଇ ରହିଗଲା ମୋର ପାଠପଢ଼ା। ବିଶ୍ବବିଦ୍ୟାଳୟର ଫାଟକ ମୋ ପାଇଁ ବନ୍ଦ ହୋଇଗଲା। ସାହିତ୍ୟ ସାଧନାରେ ବନ୍ଧା ହେଲା ଡୋରି। ତୁମ୍ଭ ପ୍ରତାରଣାର ଚୋରାବାଲିରେ ଜୀଇଁବାର ଏକଇ ସାହାରା ଥିଲା ନିଶା, ନିଶା ଆଉ ନିଶା ।


ହେଲେ ଆଜି ଦେଖ, ମୁଁ ଉପବେଶନ କରିଛି ଧନର ପାହାଡ଼ ଉପରେ। ଯେଉଁ ଧନସମ୍ପତ୍ତି ଅର୍ଥ ପ୍ରତିପତ୍ତି ପାଇଁ ତୁମ୍ଭେ ମୋତେ ଛାଡି ଚାଲିଗଲ, ଆଜି ସେସବୁ ମୋ ହାତମୁଠାରେ। ଏଇ ଦୁନିଆର ସକଳ ଐଶ୍ଵର୍ଯ୍ୟ ପ୍ରତିପତ୍ତି କ୍ଷମତା ଆଜି ଲୋଟୁଛି ମୋ ପାଦରେ। ଅଗଣିତ ଲୋକଙ୍କର ମୁହିଁ ନିଯୁକ୍ତିଦାତା। ସୁଖ ସୁବିଧା କୌଣସି ବି ଚିଜରେ ମୋର ଅଭାବ ନାହିଁ। ଅଭାବ ଅଛି ତ କେବଳ ନିରୁତା ଆବିଳତା ବିହିନ ଭଲପାଇବାର। ସେଇ ଅଭାବଟା ହିଁ ଚିରନ୍ତନ। ତୁମ ଅନୁପସ୍ଥିତିରେ ଚିରଦିନ ସେଠି ଶୂନ୍ୟସ୍ଥାନ। 


ତୁମେ କଣ ଭାବିଥିଲ? ତୁମ ନିଠୁର ପ୍ରତାରଣାରେ ଭାଙ୍ଗିପଡ଼ିବି, ପ୍ରତ୍ଯାଖ୍ଯାନରେ ମୁଁ ଜଳିଯିବି, ପାଉଁଶ ପାଲଟିଯିବି। ଇତିହାସର ଅତଳଗର୍ଭରେ ବିଲୀନ ହୋଇଯିବି, କାଳର କରାଳ ପ୍ରବାହରେ ଭାସିଯିବି। ନା, ତୁମ୍ଭର ଅନୁମାନ ବିଲକୁଲ୍ ଭୁଲ୍। ତୁମ ପରି ଭୁଲ୍। ଭୁଲ୍ ତ କାଳେ କାଳେ ଭୁଲ୍। ଭୁଲ୍ ଅବା କେବେ କେଉଁଠି କାହାର ଠିକ୍ ହେଲାଣି ଯେ, ତୁମ୍ଭର ହେବ? 


ମୁଁ କେବେ ଭାଙ୍ଗି ପଡ଼ିବି ନାହିଁ। ମୁଁ କେବେ ବି କୁପଥଗାମୀ ହେବି ନାହିଁ। ମୁଁ କେବେ ବି ଇତିହାସର ଅଥଳ ଗର୍ଭରେ ଲୀନ ହେବି ନାହିଁ। ମୁଁ ଉତ୍କର୍ଷ, ମୋର ବିଲୟ ନାହିଁ। କାରଣ ମୁଁ ଅମୃତର ସନ୍ତାନ, ଅବିନାଶୀ ମୋର ଅସ୍ତିତ୍ବ! ମୁଁ ଅମୃତପଥର ଅଭିଯାତ୍ରୀ! ମୁଁ ଅମୃତର ମହାମନ୍ତ୍ରରେ ଅଭିମନ୍ତ୍ରିତ! ମୁଁ ଅମୃତର ସନ୍ଧାନେ ଅମଡ଼ାବାଟରେ ଚାଲିବାକୁ ଅଭିପ୍ରେତ! ଜନଗଣରେ ଅମୃତ ବିତରଣ କରିବାକୁ କରିଛି ଜୀବନର ଏକମାତ୍ର ବ୍ରତ! ଅମୃତ ହିଁ ମୋର ଅସ୍ତିତ୍ବ ଅମୃତ ହିଁ ମୋର ଶକ୍ତିର ଉତ୍ସ! 


ମୋର ଲୋଡ଼ା ନାହିଁ ତୁମ୍ଭେ ହାତଟେକି ଢାଳି ଦେଇଥିବା କପୋଳକଳ୍ପିତ ଛଳନାର ରସସିକ୍ତ ଅମୃତ। ମୁଁ ଏଇ ପାଣ୍ଡୁର ପାର୍ଥିବ ଦୁନିଆର ହଳାହଳ ଜହର ପାନ କରି ସନ୍ତୁଷ୍ଟ। ଏଥିରେ ମୋର ପ୍ରାଣ ସଂତୃପ୍ତ। ଏଥିରେ ହିଁ ମୋହର ଚୌବର୍ଗ ପ୍ରାପ୍ତି। ଆଉ ଅଧିକ ବା କାହିଁକି ଲୋଭ କରିବି? 


ଜୀବନରେ ଅବା ଦୁର୍ଘଟଣା କାହାର ଘଟିନାହିଁ? ଦୁର୍ଘଟଣା ଏବଂ ସୁଯୋଗ ଦୁହେଁ ବିନା କୌଣସି ପ୍ରାକ୍ ସୂଚନାରେ ଆସି ଜୀବନରେ ଉପସ୍ଥିତ ହୁଅନ୍ତି। ମୋର ଜୀବନରେ ଏମିତି ହିଁ ଘଟିଥିଲା। ଯାହାକୁ ମୁଁ ତତ୍କାଳୀନ ସମୟରେ ସୁଯୋଗ ମଣି ଖୁସିରେ କୁରୁଳି ଉଠୁଥିଲି, ମନେ ମନେ ଉତଫୁଲ୍ଲିତ ହେଉଥିଲି, ଏକ କୁଶଳ ମଙ୍ଗଳ ସମୃଦ୍ଧ ଜୀବନର ସ୍ବପ୍ନ ଦେଖୁଥିଲି କିନ୍ତୁ ସେଇଟା ବାସ୍ତବରେ ଗୋଟିଏ ଦୁର୍ଘଟଣା ହିଁ ଥିଲା। ଏବାବଦରେ ମୁଁ ବୁଝିବା ବେଳକୁ ନେଡିଗୁଡ଼ କହୁଣୀକୁ ଗଡି ସାରିଥିଲା। ପଶ୍ଚାତ୍ତାପ ଭିନ୍ନ ଗତ୍ଯାନ୍ତର ନଥିଲା। 


ମୁଁ ତ ମୋର ଜୀଉଁଥିଲି ଆନନ୍ଦରେ, ମୁକ୍ତ ବିହଙ୍ଗ ସମ ସ୍ବାଧୀନ ଭାବେ ସୁଖ ଶାନ୍ତି ସ୍ବାଛନ୍ଦ୍ୟରେ। ଘରୁ କଲେଜ୍ ଯିବା ଆଉ ପୁଣି ଘରକୁ ଫେରିବା ଥିଲା ମୋର ଦୈନନ୍ଦିନ ଜୀବନଚର୍ଯ୍ୟା। ସାଙ୍ଗସାଥି ଭାଇ ଭଉଣୀମାନଙ୍କ ସହିତ ବେଶ୍ ହସଖୁସିରେ ଦିନ କାଟୁଥିଲି ମୁହିଁ। ଆଦ୍ୟ ତାରୁଣ୍ୟର ଉଦ୍ଧାମତାରେ ମଦମତ୍ତ ହୋଇ ନୂଆ କରି ପ୍ରେମ କବିତା ଲେଖୁଥିଲି, ଅବଶ୍ୟ ଲୁଚେଇ ଲୁଚେଇ! ମନ ଗହନର ଭାବନାକୁ ଫୁଟାଉଥିଲି ଶବ୍ଦର ଫୁଲଝରୀରେ। କିଛି ପ୍ରକାଶ୍ୟ କିଛି ଉହ୍ଯ ଏମିତି ଚାଲିଥିଲା ମୋର ଜୀବନର ଗତିପଥ ତୁମ୍ଭର ଆଗମନ ପୂର୍ବରୁ। ମୋଟାମୋଟି ଭାବେ ବେଶ୍ ସୁରୁଖୁରୁରେ ବିତୁଥିଲା ମୋହର ଜୀବନ। 


ଏଇ ପ୍ରେମ କବିତା ହିଁ ସାଜିଥିଲା ଆମ ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପନ କରିବାର ସେତୁବନ୍ଧ। ମୁଁ ଥିଲି ସଦାସର୍ବଦା ଚିନ୍ତା ମଗ୍ନ ଅଶାନ୍ତ ଲବଣାକ୍ତ ସାଗର ଆଉ ତୁମେ ଥିଲ ସୁମଧୁର ତଟିନୀର ଧାରା। ବିଜେବି କଲେଜ୍ ମାଗାଜିନ୍ "ଅଭିଯାତ୍ରୀ"ରେ ପ୍ରକାଶିତ ହୋଇଥିବା ମୋର କବିତାଟିକୁ ପଢି, ତୁମେ ମୋ ଆଡ଼କୁ ଆକର୍ଷିତ ହୋଇ ମାଡ଼ି ଆସିଥିଲ, ବହୁ ବାଧାବିଘ୍ନକୁ ପାଦ ତଳେ ଦଳିଦେଇ। ବେଗମତୀ ନଦୀର ଧାରା ପରି ଲବଣାକ୍ତ ସାଗରକୁ ରସସିକ୍ତ ରସମୟ କରିବା ପାଇଁ। 


ମାତ୍ର କିଏ ଅବା ଜାଣିଥିଲା ତୁମର ସେଇ ଆକର୍ଷଣ ଥିଲା ଅଳିକ କ୍ଷଣିକ ନିମିଷକର ବ୍ଯାପାର। ଆପଣାର ଯୌବନ ଦୀପ୍ତ ଶରୀରକୁ ସୁସଜ୍ଜିତ କରି ପେଷଣ କରିଥିଲ ତୁମେ ଫୁଲଶର। ତୁମ ବେଗମତୀ ପୀରତି ସ୍ରେତରେ ଭାସିଯାଇଥିଲା ମୋର ଅଖଣ୍ଡ ବ୍ରହ୍ମଚର୍ଯ୍ୟର ବାଲିବନ୍ଧ। ଷୋଡ଼ଶ ବର୍ଷ ବୟସରେ ପହିଲିବାର କିଛି ଭିନ୍ନ ଭିନ୍ନ ଅନୁଭୂତି ମର୍ମେ ମର୍ମେ ଅନୁଭବ କରୁଥିଲି ମୁହିଁ। କେତେବେଳେ ଜୀବନର ସୁରଭିତ କୁଞ୍ଜବନରେ କୋକିଳର କୁହୁତାନ ଶୁଭୁଥିଲା ତ କେତେବେଳେ ବୁକୁ ତଳେ ବାଷ୍ପିୟ ସକଟର ତୀବ୍ର ଗତିକୁ ଅନୁଭବ କରୁଥିଲି। କେତେବେଳେ ମନ୍ଦ ମଳୟ ବାଆ ବୋହୁଥିଲା ତ କେତେବେଳେ ପୁଣି କାଳ ବୈଶାଖିର ନିଠୁର ଝାଞ୍ଜାବାତ। 


ଏମିତି କେତେ ଯେ ରାତ୍ରୀ ଉଜାଗର ରହି ରହି ମୁଁ କାଟି ଦେଇଛି ତୁମ ପାଇଁ, ତୁମ ପତ୍ରାଳାପର ସାହାରାରେ, ତୁମ ସହ ବିତାଇଥିବା ମୂହୁର୍ତ୍ତର ସ୍ମୃତି ଚାରଣରେ ତାହାର ହିସାବ ମୁଁ ରଖି ନାହିଁ। କେବେ ବି ଏସବୁ କାର୍ଯ୍ୟ ପାଇଁ ମୋତେ ତର ସହି ନାହିଁ। ତୁମେ ଆସିଥିଲ ଏକ କକ୍ଷଚ୍ୟୁତ ଧୂମକେତୁ ଭଳି ସାମୟିକ ଝଲସିତ କରି ମୋ ଜୀବନର ଚଲାପଥରେ ପୁଣି ଭରିଦେଲ ତାହାକୁ ଅସୀମିତ ଯନ୍ତ୍ରଣାରେ। ସତରେ ତୁମେ ଥିଲ ସମ୍ମୋହନୀ ବ୍ଯକ୍ତିତ୍ବର ଅଧିକାରିଣୀ! 


ମୋ ଜୀବନର ପରିଧି ଭିତରକୁ ତୁମର ଆଗମନ ମୋ ପାଇଁ ସୁଯୋଗ ଥିଲା ଅବା ଦୁର୍ଘଟଣା ତାହା ଏକ ଅସମାହିତ ପ୍ରଶ୍ନ। ପ୍ରଥମେ ପ୍ରଥମେ ମୁଁ ହିଁ ଅନିଚ୍ଛୁକ ଥିଲି ଏଇ ନାମହୀନ ସମ୍ପର୍କକୁ ନେଇ। କିନ୍ତୁ ତୁମ ଅନିନ୍ଦ୍ୟ ରୂପମାଧୁର୍ଯ୍ଯର ସମ୍ମୋହନୀ ଶକ୍ତି ସମ୍ମୁଖରେ ଦିନକୁ ଦିନ ବିବଶ ହୋଇ ପଡୁଥିଲି। ତୁମର ସୁଢଳ ନିଟୋଳ ଦେହର ଦେହଳୀ ମୋର ତପସ୍ୟା ଭଗ୍ନ କରିବା ପାଇଁ ଯଥେଷ୍ଟ ଥିଲା। ତୁମ୍ଭର ସମ୍ମୋହନୀ ଶକ୍ତି ସାମ୍ନାରେ ମୋର ଇଛା ଅନିଚ୍ଛାର ଆଉ କିଛି ମୂଲ୍ଯ ନଥିଲା। ସୁଅ ମୁହଁର ପତର ପରି ମୁଁ ଭାସିଗଲି ତୁମ ପ୍ରୀତିର ପ୍ଲାବନରେ ଆଗତ ଭବିଷ୍ଯତ କିଛି ବି ଚିନ୍ତା ନକରି। ଏକରୁ ଏକାକାର ହେବା ପାଇଁ। ଯୌବନର ମଧୁ ଆସ୍ବାଦନ କରିବା ପାଇଁ। 


ଇତିହାସର ସ୍ଵର୍ଣ୍ଣିମ ପୃଷ୍ଠାରେ ବର୍ଣ୍ଣିତ ଦୟାନଦୀର କୂଳ ଥିଲା ଆମର ନିଭୃତ ମିଳନ ସ୍ଥଳୀ। ନୂଆ ଏକ ଇତିହାସ ରଚିବାକୁ ଯେମିତି ଆମକୁ ହାତ ଠାରି ଡାକୁଥିଲା ଦୟାନଦୀ। ପୌଷ ମାସର ମୁହଁ ସଞ୍ଜ ବେଳେ ପଶ୍ଚିମ ଆକାଶରେ ରକ୍ତିମ ଆଭା ଖେଳି ଯାଇଥିଲା। ତୁମ୍ଭେ ସାଜିଥିଲ ପ୍ରେମର ଦେବୀ ଆଉ ମୁଁ ସାଜିଥିଲି ପ୍ରଣୟ ଭିକ୍ଷୁ! ଆରକ୍ତ ଅଧରରେ ଦେଇଥିଲ ଆଙ୍କି ମୋ ତୃଷିତ ଓଷ୍ଠରେ ମଧୁ ଚୁମ୍ବନ ନିର୍ବିଚାରରେ! ଗୃହ ବାହୁଡ଼ା ପକ୍ଷୀ ସବୁ ଲଜ୍ଜାରେ ଆପଣାର ଗତିପଥ ବଦଳାଇ ଚାଲି ଯାଉଥିଲେ ଭିନ୍ନ ଦିଗରେ। 


ଏଇ ମଧୁ ବୋଳା ମୂହୁର୍ତ୍ତରେ ବିଭୋର ହୋଇ ଉଷ୍ମ ଚୁମ୍ୱନର ବର୍ଷାରେ ତନୁ ମନକୁ ମୋର ଭିଜାଇ ତୁମେ ହିଁ ତ କହିଥିଲ ସେଇ "ଅମୃତ" ପିଆଇବାର କଥା। ଓଃ! କି ସୁମଧୁର ଅନୁରାଗ ଭରା ପ୍ରେମ ସଂଭାଷଣ, ପ୍ରୀତି ନିବେଦନ! ଏଇ ଜୀବନରେ ମୁଁ କେବେ ଭୁଲ୍.ରେ ବି ଭୁଲି ପାରିବି ନାହିଁ। ପ୍ରଥମ ପ୍ରେମକୁ କଣ କେହି କେବେ ଭୁଲିପାରେ? ଭୁଲିଯାଉଥିବା ଲୋକ ନିହାତି ଭାବେ ପ୍ରତାରକ ହୋଇଥାଏ। 


ମୋର ଆଗୋଚରରେ ବିଧି ମୋ ପାଇଁ ଭିନ୍ନ ଏକ ବିଧାନ ଲେଖୁଥିଲା ତୁମ୍ଭର ସହଭାଗିତାରେ। ଜୀବନ ସାରା ଭାଗ୍ୟକୁ ବିଶ୍ବାସ ନକରୁଥିବା ଉଦ୍ଧାମ ତରୁଣଟିକୁ ବିଧି ତାହାର ବିଧାନରେ ବାନ୍ଧି ଦେବାକୁ ଚାହୁଁଥିଲା। ଆଉ ତୁମ୍ଭର ପ୍ରତ୍ୟକ୍ଷ ସହଭାଗିତାରେ ବିଧାତାର ଇଛା ବି ପୁର୍ଣ୍ଣ ହେବାକୁ ଯାଉଥିବା ବେଳେ ମୁଁ ଥିଲି ଏସବୁ ବିଷୟରେ ସଂପୂର୍ଣ୍ଣ ଭାବେ ଅନ୍ଧକାରରେ। ହାୟରେ ବିଧାତା! ଧନ୍ଯ ତୋହର ବିଧାନ! 


ଦୁର୍ଘଟଣା କଣ ଜୀବନର ଅନ୍ତ? ଦୁର୍ଘଟଣା ସଂଘଟିତ ହେଲେ ଏଥିରେ କ'ଣ ମୃତ୍ୟୁ ସୁନିଶ୍ଚିତ? ଏଥିରୁ କଣ କୌଣସି ନିସ୍ତାର ନାହିଁ? କୌଣସି ଉପାୟରେ ନିବୃତ୍ତି ନାହିଁ? ଦୁର୍ଘଟଣା ଘଟିଯିବା ପରେ ଆଉ ଥରେ ଜୀବନ ଆରମ୍ଭ କରିହୁଏ ନାହିଁ କି? ଏମିତି ଅସୁମାରି ପ୍ରଶ୍ନର ଜୁଆର ଉଠୁଥିଲା ମୋର ତରୁଣ ମନରେ। ଆଉ କେହି ନହେଲେ ନାହିଁ, ଅନ୍ତତଃପକ୍ଷେ ମୋ ବାପାମାଆ ତ ମୋତେ ଠିକ୍ ଭାବେ ବୁଝି ପାରିଥାନ୍ତେ? କୈଫିୟତ୍ ତଲବ କରି ପାରିଥାନ୍ତେ? ଯଦିବା ମୋର କିଛି ଭୁଲ୍ ଭଟକା ଥିଲା ସୁଧାରିବାକୁ ଗୋଟିଏ ମୌକା ତ ଦେଇ ପାରିଥାନ୍ତେ? କ୍ଷମା କରି ପୂର୍ବବତ୍ କୋଳେଇ ନେଇ ପାରିଥାନ୍ତେ?


ନା ଏମିତି କିଛି ବି ହେଲା ନାହିଁ। ତୁମେ ମୋ ଉପରେ ଲଗାଇଥିବା ଅସଦାଚରଣର ଆରୋପ ତ ପୋଲିସ୍ ଷ୍ଟେସନ୍.ରେ ଦୁଇ ପକ୍ଷଙ୍କ ଉପସ୍ଥିତିରେ ସାମ୍ନା ସାମ୍ନି ଜେରା ବେଳେ ମିଥ୍ଯା ସାବ୍ୟସ୍ତ ହୋଇଥିଲା। କିନ୍ତୁ ମୁଁ ଯେ, ପ୍ରେମ ପରି ଏକ ନିଷିଦ୍ଧ କାର୍ଯ୍ୟକଳାପରେ ଲିପ୍ତ ରହି ପରିବାରର ସମ୍ମାନରେ ଆଞ୍ଚ୍ ଆଣିଛି ଆଉ ନିଜର କ୍ଯାରିୟର ପ୍ରତି ଉଦାସୀନ ଏହି ଆରୋପରୁ ମୁକ୍ତ ହୋଇ ପାରିଲି ନାହିଁ। ଭାଗ୍ୟର ବିଡମ୍ବନା ଅବା ଜୀବନର ଗତିପଥରେ ନାଟକୀୟ ମୋଡ଼, ଏକଥା ଏବେଠାରୁ କହିବା କଷ୍ଟକର ବ୍ୟାପାର। 


ପୋଲିସ୍ ଷ୍ଟେସନ୍.ରୁ ଫେରିବା ପରେ ଘରେ ବସିଲା ବାପାଙ୍କ ଇଜିଲାସରେ ଅଦାଲତ। ସଭିଙ୍କ ଉପସ୍ଥିତରେ ବିନା ଜବାବସୁଆଲରେ, ବିନା ଅନୁସନ୍ଧାନରେ, ବିନା ବିଚାରରେ ହୋଇଗଲା ଫଇସଲା। ଦୁଇ ଦିନ ଭିତରେ ଘର ଛାଡ଼ି ନିଜ ବ୍ଯବସ୍ଥା କରିବାକୁ ବାପାଙ୍କର ଥିଲା କଠୋର ନିର୍ଦ୍ଦେଶ ଏବଂ ଅପରିବର୍ତ୍ତନୀୟ ନିଷ୍ପତ୍ତି। ଘରେ ଯେବେ ବି ଯେଉଁ ନିଷ୍ପତ୍ତି ବାପା ନିଅନ୍ତି ତାହା ସଦାସର୍ବଦା ଅକାଟ୍ଯ ଏବଂ ଅପରିବର୍ତ୍ତନୀୟ ହୋଇଥାଏ। ଏହା ବିରୁଦ୍ଧରେ କେହି ବି ନିଜର ସ୍ବର ଉତ୍ତୋଳନ କରିବା ତ ଦୂରର କଥା ଦ୍ବିମତ ହେବାର ଅନୁମତି ନାହିଁ। 


ମୋର ସେଇ ସୁଯୋଗ ଅଥବା ଦୁର୍ଘଟଣା ବାପାଙ୍କୁ ଏତେ ମାତ୍ରାରେ ମର୍ମାହତ କରିଥିଲା ଯେ, ବିନା କୈଫିୟତ୍ ତଲବ କରି ବିନା ବିଚାରରେ, ବିନା ଅନୁସନ୍ଧାନରେ ମୋତେ ପର କରି ଦେଇଥିଲେ। ଘରର ଜ୍ୟେଷ୍ଠ ସନ୍ତାନ ଘରର ସମ୍ମାନ। କିନ୍ତୁ ସନ୍ତାନ ପଥହୁଡ଼ିଲେ ବଂଶ ବିନାଶର କାରଣ ହୋଇଥାଏ। ନ୍ୟାୟ ନୀତି ଧର୍ମର ବିଚାରରେ ପିତାଙ୍କର ପୁତ୍ର ମୋହ ସର୍ବନାଶକୁ ଆମନ୍ତ୍ରଣ କରିଥାଏ। ଏଣୁ ମୋର ଦୁର୍ଘଟଣା ପାଇଁ କାଳେ ଅଭିଆଡ଼ି ଭଉଣୀମାନେ ଶାସ୍ତି ପାଇବେ ଭାଇମାନେ ବିପଥଗାମୀ ହେବେ ସେସବୁକୁ ଦୃଷ୍ଟିରେ ରଖି ମୋତେ ଗୃହତ୍ୟାଗର ଦଣ୍ଡ ବିଧାନ କରାଯାଇଥିଲା। 


ମନ ମୋର ବିଦ୍ରୋହୀ ହୋଇ ଉଠୁଥିଲା। ଘରୁ ତଡା ଖାଇବା ପରେ ଯାବତୀୟ ସୁଖ ସ୍ବାଛନ୍ଦ୍ୟରୁ ବାସନ୍ଦ ହେବାର ଦୁଃଖ ମୋତେ କଷ୍ଟ ଦେଉନଥାଏ ବରଂ ଥରୁଟିଏ ବି ନିଜର ପକ୍ଷ ଉପସ୍ଥାପନା କରିବାର ସୁଯୋଗ ମିଳିଲା ନାହିଁର ଭାବନା ମୋତେ ବିପ୍ଳବୀ ସଜାଇ ଦେଉଥାଏ। କିନ୍ତୁ ପ୍ରତିବାଦ କରିବାକୁ ମୋର ସତ୍ ସାହାସ କିମ୍ବା ଶକ୍ତି ନଥିଲା। ଏକଥା ବି ଜଣାଥିଲା ପ୍ରତିବାଦ ଏଠି ନିରର୍ଥକ ମୂଲ୍ୟହୀନ। ପଥରରେ ମଥା ପିଟିବା ସହିତ ସମାନ। 


ନିଶା, ନିଶା ଆଉ ନିଶା ମୋତେ ଓ ମୋର ସାମଗ୍ରିକ ସତ୍ତାକୁ ଆବୋରି ବସିଥିଲା। ଅଗତ୍ୟା ପ୍ରଚଣ୍ଡ ଅଭିମାନରେ ହାତରେ ଦୁଇ ଚାରି ହଳ ପୋଷାକ ଧରି ମୁଁ ଘର ଛାଡ଼ିଲି। ଯେଉଁ ଗୃହରେ ମୁଁ ଜନ୍ମ ଗ୍ରହଣ କରିଥିଲି, ଯାହାର ଅଗଣାରେ ମୁଁ ଗୁରୁଣ୍ଡି ଗୁରୁଣ୍ଡି କ୍ରମେ ଚାଲିବା ଶିଖିଥିଲି, ଯେଉଁ ଘରକୁ ମୁଁ ବୈକୁଣ୍ଠପୁର ଠାରୁ ବି ସୁନ୍ଦର ଏବଂ ମହନୀୟ ମଣୁଥିଲି ସେଇ ଘର ଆଜି ମୋ ପାଇଁ ପର ହୋଇଗଲା। ମୁଁ ସୁଯୋଗ ଓ ଦୁର୍ଘଟଣାର ଦୋଘାଇରେ ତ୍ଯଜ୍ଯପୁତ୍ର ହୋଇଗଲି। ତଥାପି ବି ମୋହର ଚୈତନ୍ୟ ଉଦୟ ହୋଇନଥାଏ। 


ଦିନକୁ ଦିନ ଜଠରର ଜ୍ୱାଳାରେ ଜୀବନ ଦୁର୍ବିସହ ହୋଇ ପଡୁଥାଏ। ଆଉ କେତେ ଦିନ ଅବା ମୁହିଁ ଏଇ ନିଶା ତ୍ରୟୀଙ୍କ ମାୟାଜାଲରେ ଏମିତି ଛନ୍ଦି ହୋଇ ରହିଥାନ୍ତି? ଦିନେ ନା ଦିନେ ତ ମୋତେ ଉଠିବାକୁ ହେବ ନିଦରୁ। ଜାଗ୍ରତ ହେବାକୁ ପଡ଼ିବ, ତନ୍ଦ୍ରାଳସକୁ ଦୂରେ ତଡ଼ିବାକୁ ହେବ। ଏକା ଏକା ଚାଲିବାକୁ ପଡ଼ିବ। ଜୀବନ ଅଛି ମାନେ ତ ଜୀଇଁବାକୁ ହେବ। ସମ୍ମାନର ସହିତ ମଥା ଉନ୍ନତ କରି ଜୀଇଁବାକୁ ହେବ। ନୂଆ ଗାଥା, ନୂଆ ଇତିହାସ ରଚିବାକୁ ହେବ। ଏଇଟା ହିଁ ତ ସମୟର ଆହ୍ବାନ। ଜୀବନର ସାର୍ଥକତା। "ଚରୈବେତି ଚରୈବେତି!" 


ହେଲେ ମୁଁ କରିବି କଣ? ଗୃହଶୂନ୍ୟ, ନିଃସଙ୍ଗ ତରୁଣ। ପାଖରେ ଅଧୁଲିଟିଏ ନାହିଁ ଉଦର ଜ୍ୱାଳା ପ୍ରଶମିତ କରିବା ପାଇଁ। ଘର ଲୋକେ ପର କରି ଦେବା ପରେ ଏଇ ମୋର ପ୍ରାଣପ୍ରିୟା ସହର ଭୁବନେଶ୍ୱର ବି ମୋତେ ତା'ର କୋଳରୁ ଦୂରେଇ ଦେଲା। ପ୍ରେମିକା ମୋ ନାମରେ ପୋଲିସ୍ କେସ୍ କରିଛି ବୋଲି ଜାଣିବା ପରେ ସାଙ୍ଗସାଥିମାନେ ଆଉ ମୋ ସହିତ ସମ୍ପର୍କ ରଖିବାକୁ ଆଗ୍ରହୀ ନଥିଲେ। ସେମାନଙ୍କର ହାବଭାବରୁ ଏକଥା ସ୍ପଷ୍ଟ ବାରି ହୋଇପଡୁଥିଲା। କିଏ ବା କାହିଁକି ତୁଚ୍ଛାଟାରେ ପୋଲିସ୍ କୋର୍ଟ କଚେରୀ ମାମଲାରେ ପକ୍ଷଭୁକ୍ତ ହେବାକୁ ଚାହିଁବ? 


ଚତୁର୍ଦ୍ଦିଗରୁ ନିରାଶ ହୋଇ ହାତରେ କିଛି ଟଙ୍କା ଧରି ମୁଁ ଚାଲିଗଲି ମାଡ୍ରାସ ମହାନଗରୀ। ଆଶା ଥିଲା ଜୀବନକୁ ନୂଆ କରି ଆରମ୍ଭ କରିବାକୁ, ଆଉ ଥରେ ମନଭରି ଜୀଇଁବାକୁ। ମାତ୍ର ସେଠାରେ ବି ଦୁର୍ଭାଗ୍ୟ ମୋର ପିଛା ଛାଡୁନଥିଲା। ଯେଉଁ ସ୍କୁଲ ସହପାଠୀର ଭରସାରେ ସେଠାକୁ ଯାଇଥିଲି, ମୁଁ ପହଞ୍ଚିଲା ବେଳକୁ ତାଙ୍କ ବସାଘରେ ତାଲା ଝୁଲୁଥିଲା। ଘର ମାଲିକଙ୍କ ଠାରୁ ଜାଣିବାକୁ ପାଇଲି ସେ ଏଇ କିଛିଦିନ ତଳେ ଘର ବଦଳାଇ କେଉଁ ଆଡ଼େ ପଳାଇଛନ୍ତି। ହୁଏତଃ ସେଠାରେ ବି ମୋ ଅପବାଦର ଖବର ମୋ ପହଞ୍ଚିବା ଆଗରୁ ପହଞ୍ଚି ଯାଇଥିଲା। 


ରେଳ ଷ୍ଟେସନରେ ଆଶ୍ରୟ ନେଇ ଯେତେ ଅଫିସ୍ ଫ୍ଯାକ୍ଟ୍ରିର ଦୁଆରକୁ ଦୌଡ଼ଲି ଚାକିରୀ ଖଣ୍ଡିଏ ପାଇଁ ସବୁଠି ନାସ୍ତିବାଣୀ ଶୁଣିବାକୁ ମିଳିଲା। ନିରୂପାୟ ହୋଇ ମୂଲ ଖଟିବା ପାଇଁ ଚାହିଁବାରୁ ରୂପଭେକ ଦେଖି ଓ ସ୍ଥାନୀୟ ଭାଷା ନଜାଣି ଥିବା ହେତୁ ସେତକ ବି ମିଳିଲା ନାହିଁ। ତଥାପି ସସମ୍ମାନେ ଜୀଇଁବାର ଆଶା ତ୍ଯାଗ କରିନଥାଏ। ଜୀବନ ଯୁଦ୍ଧରେ ଯୋଦ୍ଧା ପରି ଯୁଝିବାକୁ ସାହାସ ଜୁଟାଉଥାଏ। ମନରେ ବିଶ୍ୱାସ ଜନ୍ମାଇ ଆଗକୁ ଆଗକୁ ବଢ଼ିବାକୁ ଚେଷ୍ଟା ଜାରି ରଖିଥାଏ। 


କିନ୍ତୁ ଅମୃତର ପଥ ଏତେ ସହଜ ନୁହେଁ ଚାଲିବା ପାଇଁ। ବେଶ୍ ଦୁର୍ଗମ ଏବଂ କଣ୍ଟକିତ ମାର୍ଗ ଇଏ। ଏଇ ପଥରେ ଅପ୍ରମିତ ଯାତନା ସହିବାକୁ ପଡ଼େ। ଦୁଃଖରେ ମ୍ରିୟମାଣ ହୋଇ ଜୀବନର ଅନ୍ତ ଘଟାଇଦେବା ତ ବହୁତ ସହଜ କିନ୍ତୁ ସତ୍ଯନିଷ୍ଠ ହୋଇ ସତପଥର ଯାତ୍ରୀ ହୋଇ ଜୀବନକୁ ସରସ ସୁନ୍ଦର ଏବଂ ସାର୍ଥକ କରି ଗଢିତୋଳିବା ନିହାତି ଭାବରେ ଦୁଷ୍କର କାର୍ଯ୍ୟ। କଥାରେ କହିବା କି କବିତାରେ ଲେଖିବା ତ ଅତି ସରଳ କିନ୍ତୁ କାର୍ଯ୍ୟରେ ରୂପାୟନ କରିବା କଠିଣ ଓ ସମୟସାପେକ୍ଷ ବ୍ଯାପାର। 


ଟଙ୍କାଟିଏ ପାଖରେ ନଥାଏ, ତା'ଉପରେ ପୁଣି ଭୋକିଲା ପେଟର ଯନ୍ତ୍ରଣା, ଶୂନ୍ଯ ମନ ଶୂନ୍ଯ ହୃଦୟ, ନିହାତି ନିରୁତା ନିଃସ୍ବ ଭାବ, ପରମାର୍ଥ ପ୍ରାପ୍ତି ନିମନ୍ତେ ଆଉ କଣ ଆବଶ୍ୟକ? ଆଉ କାହାର ଅପେକ୍ଷା? ଚୈତନ୍ୟ ଉଦୟର ଦ୍ଵାରଦେଶରେ ମୁଁ ପହଞ୍ଚି ପାରିଛି ବୋଲି ମୋର ଅନୁଭବ ହେଉଥାଏ। 


ତାରୁଣ୍ୟରେ ଚୈତନ୍ୟ ଉଦୟ ହେବାଟା ଯଦିଓ କୌଣସି ନୂଆ କଥା ନୁହେଁ, କିନ୍ତୁ ମୋ ପରି ଖିଆଲି ମନୁଆ ତରୁଣ ପାଇଁ ଥିଲା ଏକ ବିଶେଷ ଏବଂ ମହାର୍ଘ ଉପଲବ୍ଧି। ମାଡ୍ରାସ୍ ମହାନଗରୀକୁ ମୁଁ ଧାଇଁ ଯାଇଥିଲି ସହପାଠୀର ସାହାରା ଆଶାରେ। ମାତ୍ର ବିଫଳ ମନୋରଥ ହୋଇ ଜଠରାଗ୍ନିର ଜ୍ୱାଳାରେ ଜର୍ଜରିତ ହେବା ପରେ ହୃଦବୋଧ ହେଲା ଯେ, ମୋତେ ଘରୁ ତଡି ଦେବା ପାଇଁ ବାପା ନେଇଥିବା ନିଷ୍ପତ୍ତି ତର୍କସଙ୍ଗତ ଏବଂ କେବଳ ହିଁ କେବଳ ମୋର ହିତ ନିମନ୍ତେ ଉଦ୍ଦିଷ୍ଟ। 


ଯେବେ ଯାଏଁ ମଣିଷ ପାଖରେ ଖାଦ୍ୟ ବସ୍ତ୍ର ବାସଗୃହ ପରି ମୌଳିକ ଆବଶ୍ୟକତା ସମେତ ଯାବତୀୟ ସୁଖସୁବିଧା ଉପଲବ୍ଧ ଥାଏ ସେବେ ଯାଏଁ ମଣିଷ ଦୁନିଆର କଟୁ ବାସ୍ତବିକତା ସହିତ ପରିଚିତ ହେବାର ସୁଯୋଗ ପାଇନଥାଏ। ପରିଶ୍ରମର ମର୍ଯ୍ୟାଦା କଣ ଜାଣି ନଥାଏ। ଅନ୍ନର ମହତ୍ତ୍ବ ଜାଣିବାକୁ ଚେଷ୍ଟା କରେ ନାହିଁ। ସ୍ବାବଲମ୍ବୀ, ଆତ୍ମନିର୍ଭର, ନିଜ ଗୋଡ଼ରେ ଠିଆ ହେବା କଣ ତାହା ଜାଣିବାକୁ ତା'ର ଆବଶ୍ୟକତା ନଥାଏ। ବାସ୍ତବ ଅର୍ଥରେ ପାଖରେ ଉପଲବ୍ଧ ଥିବା ଜିନିଷର ଆଦର ନଥାଏ। 


ଦିନେ ଅପରାହ୍ନରେ ଅଖିଆ ଅପିଆ ମରୀନା ସାଗର ବେଳାରେ ବସି ଢେଉ ଗଣୁଥାଏ। ଆକାଶ ନିର୍ମଳ ଥାଏ। ମନ ବି ମୋର ପରିଷ୍କାର ଥାଏ। ଆଗତ ଭବିଷ୍ଯତ ବିଷୟରେ କୌଣସି ଚିନ୍ତା ନଥାଏ କି ଦୁଃସହ୍ଯ ଅତୀତକୁ ନେଇ ମନସ୍ତାପ କି ଅବଶୋଷ ନଥାଏ। ହଠାତ୍ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସେହି ଜାତୀୟତାଭାବ ଉଦ୍ରେକକାରୀ କାଳଜୟୀ ସୃଷ୍ଟିର କିୟଦଂଶ ମୋର ମନରେ ସ୍ବତଃ ଗୁଞ୍ଜରିତ ହେବାରେ ଲାଗିଲା। 


"ଜାତି ନନ୍ଦିଘୋଷ ଚଳିବ କି ଭାଇ 

ସ୍ବାର୍ଥକୁ ସାରଥି କଲେ

ଟାଣେ କିରେ ଗାଡ଼ି ଦାନାର ତୋବଡା 

ଘୋଡ଼ା ମୁହେଁ ବନ୍ଧା ଥିଲେ!!" 


ବାପାଙ୍କର କଠୋର ନିଷ୍ପତ୍ତି ଯେ, ମୋତେ ଦାୟିତ୍ବବାନ ବନାଇବା ପାଇଁ ଉଦ୍ଦିଷ୍ଟ, ଏହି ବିଷୟରେ ଆଉ ଲେଶମାତ୍ର ସନ୍ଦେହ ରହିଲା ନାହିଁ। ବି.ଏ. ସରିବା ପରେ ଏମ.ଏ.। ପୁଣି ଏମ.ଫିଲ୍. ତାପରେ ପି.ଏଚ.ଡ଼ି... ଏମିତି ପାଠ ପଢା ମୋର ଚାଲିଥାଏ ଯେ ଚାଲିଥାଏ କିନ୍ତୁ ରୋଜଗାର ପାଇଁ ଚିନ୍ତା ନଥାଏ। ଆଉ କେତେ ଦିନ ଏମିତି ବାପାଙ୍କ ଉପରେ ବୋଝ ହୋଇ ସାନ ଭାଇଭଉଣୀଙ୍କ ଉନ୍ନତି ରାସ୍ତାରେ ଗଳଗ୍ରହ ସାଜିଥାନ୍ତି? ସେଥିରେ ପୁଣି ବିଫଳ ପ୍ରେମ, ନାମହୀନ ସମ୍ପର୍କ, ପ୍ରେମିକାର ଅସଦାଚରଣ ଅଭିଯୋଗ। ଘରକୁ ପୋଲିସ୍ ଆସି ଧମକଚମକ ଦେବା... କେଉଁ ମଧ୍ଯବିତ୍ତ ବାପା ଅବା ବରଦାସ୍ତ କରିପାରିବେ ମୋ ପରି ଅପଦାର୍ଥ କୁଳାଙ୍ଗାର ପୁଅକୁ? 


ମୋ ସହିତ ଅଚାନକ ଯାହା ଘଟିଗଲା, ମୋ ଜାଗାରେ ଆଉ କିଏ ଥିଲେ ହୁଏତଃ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତା! ମୁଁ ବି ଏଇ ବିଷୟରେ ଚିନ୍ତା କରି ନଥିଲି ବୋଲି ନୁହେଁ। ସେଇ ଦୟାନଦୀର ଉଛୁଳା ବକ୍ଷରେ ଝାସ ଦେବାକୁ ଚାହିଁଥିଲି, କିନ୍ତୁ ଅନ୍ତରାତ୍ମାର ଆହ୍ବାନ ଥିଲା ଲଢିବାକୁ ଆଉ ଜିତିବାକୁ, ନୂଆ ଗାଥା ନୂଆ ଇତିହାସ ରଚିବାକୁ। ଓଡ଼ିଆ ଜାତି ହେଉଛି ବୀର ଜାତି, କେବେ ଜୀବନର ରଣଭୂମିରୁ ପଳାୟନ କରି ପାରିବ ନାହିଁ। ସେଇଥିପାଇଁ ତ ମୁଁ ଓଡ଼ିଶା ଛାଡ଼ି ଚାଲି ଆସିଥିଲି ସୁଦୂର ମାଡ୍ରାସ। ନୂଆ ଜାଗାରେ ନୂଆ ପରିଚୟ ସୃଷ୍ଟି କରିବାକୁ। ନୂଆ କରି ଜୀବନ ଜୀଇଁବାକୁ। ଅମୃତପଥର ଅଭିଯାତ୍ରୀ ସାଜି ଆନ ଲାଗି ପ୍ରେରଣା ଯୋଗାଇବାକୁ। 


ନବେ ଦଶକର ଆରମ୍ଭ ସମୟ। ସେତେବେଳକୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ଯା ସମ୍ପର୍କିତ ମାମଲାକୁ ନେଇ ଦେଶର ବାତାବରଣ ବେଶ୍ ସରଗରମ ଥାଏ। ମାଡ୍ରାସରେ ଅବୈଧ ଭାବେ ରହୁଥିବା ଶ୍ରୀଲଙ୍କାର ତାମିଲ୍ ଶରଣାର୍ଥୀଙ୍କୁ ନେଇ ବିଶେଷ ଧରପଗଡ଼ ଚାଲିଥାଏ। ଗୋଟିଏ ଛୋଟ ଶରଣାର୍ଥୀ ଦଳ "ବମ୍ବେ" ନେଇ କିଛି ଆଲୋଚନା କରୁଥିବା ମୋହର କର୍ଣ୍ଣଗୋଚର ହେଲା। ମୋର ସ୍ଵଳ୍ପ ଜ୍ଞାନରେ ଜାଣିଥିଲି ଏଇ ବମ୍ବେ କାଳେ ଭାରତର ଅର୍ଥନୈତିକ ରାଜଧାନୀ ବୋଲି। ପୁଣି ଇଏ ମାୟା ନଗରୀ, ସ୍ଵପ୍ନପୁରୀ! ଏଠି ସଭିଙ୍କ ପାଇଁ କିଛି ନା କାମ ମିଳିଯାଏ ପେଟ ପୋଷିବା ପାଇଁ। ସେଇଥିପାଇଁ ତ ଏଠି ଦୁନିଆଯାକର ଲୋକଙ୍କ ଭୀଡ଼ ଲାଗିଛି। 


ସେବେ ଠାରୁ ମୁଁ ସେଇ ତାମିଲ୍ ଶରଣାର୍ଥୀ ଦଳ ଉପରେ ବରାବର ନଜର ରଖିଲି। ସେମାନଙ୍କର ଭାଷା ବୁଝିବା ମୋ ପାଇଁ କଷ୍ଟକର ବ୍ୟାପାର ଥିଲା। ତଥାପି ସେଇ ବମ୍ବେ ଶବ୍ଦକୁ ନେଇ ମୋର ଧ୍ୟାନ କେନ୍ଦ୍ରୀତ ରଖିଲି। ଭାଷା ଭିନ୍ନ ସେମାନଙ୍କ ଓ ମୋ ଭିତରେ କିଛି ବି ପାର୍ଥକ୍ୟ ନଥିଲା। ମୋ ଦେହର ଘନ ଶ୍ୟାମଳ ରଙ୍ଗ ସେମାନଙ୍କ ସହିତ ପ୍ରାୟ ସମାନ ଥିଲା। ମୋର କୁଞ୍ଚୁକୁଞ୍ଚିଆ କେଶ, ଅଯତ୍ନ ବର୍ଦ୍ଧିତ ଶ୍ମଶ୍ରୁ ସେମାନଙ୍କ ସହିତ ଏକ ମଧୁର ସାମଞ୍ଜସ୍ୟ ଗଢି ତୋଳୁଥିଲା। ମୋଟାମୋଟି ଭାବରେ ସେମାନେ ଥିଲେ ଶରଣାର୍ଥୀ ବିଦେଶ ମାଟିରେ, ମୁଁ ବି ଥିଲି ଶରଣାର୍ଥୀ ନିଜ ଜନ୍ମଭୂମିରେ। 


ସେମାନଙ୍କର ସଂସ୍ପର୍ଶରେ ଆସିବା ଫଳରେ ଖାଦ୍ୟ ଯୋଗାଡ଼ କରିବା ସମସ୍ଯା ଅନେକାଂଶରେ ଦୂରେଇ ଗଲା। କାରଣ ଶରଣାର୍ଥୀଙ୍କୁ ଅନେକ ଲୋକ ନୈତିକ ସମର୍ଥନ ଯୋଗାଉଥିଲେ। ଅନ୍ନଦାନ ତ ଖୁବ୍ ମାମୁଲି କଥା ଥିଲା। କିଛି ଦିନ ସେମାନଙ୍କର ସମ୍ପର୍କରେ ଆସିବା ପରେ ବହୁତ କଥା ଜାଣିବାକୁ ପାଇଲି ମୁଁ। ଜାଫନାରୁ ଯେଣତେଣ ଜୀବନ ବଞ୍ଚାଇ ମାଛଧରା ଡଙ୍ଗା ସାହାଯ୍ୟରେ ସମୁଦ୍ର ପାରି ହୋଇ ଭାରତ ପଳାଇ ଆସିଛନ୍ତି। ନା ସେମାନଙ୍କ ପାଖରେ ରହିଛି କିଛି ବୈଧ ପ୍ରବେଶ ପତ୍ର ନା କୌଣସି ପରିଚୟ ପତ୍ର। 


ଦିନେ ମଧ୍ୟରାତ୍ରିରେ ସେମାନଙ୍କର ବମ୍ବେ ଯିବା ପାଇଁ ମସୁଧା ଚାଲିଥିଲା। ଲେବର କଣ୍ଟ୍ରାକ୍ଟର ସହାୟତାରେ ସେମାନଙ୍କୁ ସେଠାକୁ ନେଇ ବିଭିନ୍ନ କାମରେ ନିୟୋଜିତ କରିବାର ଯୋଜନା ରହିଥାଏ। ଏଇଟା ଥିଲା ମୋ ପାଇଁ ସୁବର୍ଣ୍ଣ ସୁଯୋଗ। ହିନ୍ଦୀ ଜାଣିଥିବା କଥା କହି କଣ୍ଟ୍ରାକ୍ଟରକୁ ହାତ କରି ବମ୍ବେ ଅଭିମୁଖେ ଯାତ୍ରା ଆରମ୍ଭ କଲି ଏକ ନୂତନ ଅଧ୍ୟାୟର ଅୟମାରମ୍ଭ ନିମନ୍ତେ। ମାଲ୍ ବୋଝେଇ ଟ୍ରକରେ ଲୁଚାଛପାରେ ଆମେ ସବୁ ବୁହାହୋଇ ଚାଲାଣ ହେଉଥିଲୁ ମାଡ୍ରାସରୁ ବମ୍ବେ। ସାରା ରାତି ଆଖି ଦୁଇଟିକୁ ମୋର ନିଦ ଆସୁନଥାଏ। ଅଜଣା ଅନାହୂତ କର୍ତ୍ତବ୍ୟର ଆହ୍ବାନରେ ମନ ଉଚ୍ଚାଟିତ ହେଉଥାଏ। 


କେଉଁ ମାହେନ୍ଦ୍ର ଲଗ୍ନରେ ତୁମ ସହିତ ମୋର ପହିଲି ସାକ୍ଷାତ ହୋଇଥିଲା, ଚାରି ଚକ୍ଷୁ ମିଳିତ ହୋଇଥିଲା କେଜାଣି, ତୁମ ପ୍ରେମର ପ୍ରତିଫଳ ଗୋଟିଏ ଭାଷା ସାହିତ୍ୟର ଛାତ୍ରକୁ ଆଣି ଦଲାଲ୍ ଷ୍ଟ୍ରିଟ୍.ରେ ଠିଆ କରାଇଦେଲା! ଏକରକମ ଦଲାଲ ବନାଇ ଦେଲା! ଏଠାରେ ଥିବା ଏକ ଗୁଜରାଟୀ ସେଠ୍.ଙ୍କ ଷ୍ଟକ୍ ବ୍ରୋକିଂ ସଂସ୍ଥାରେ କାମ ମିଳିଗଲା ଲେବର କଣ୍ଟ୍ରାକ୍ଟରର ସହାୟତାରେ ମୋର ଯୋଗ୍ୟତା ଅନୁଯାୟୀ। ଏଥିପାଇଁ କିଛିଟା କମିଶନ ବି ଦେବାକୁ ଚୁକ୍ତି ହେଲା ତା ସହିତ। ଯଦିଓ ସ୍ଵଳ୍ପ ବେତନ ତଥାପି ଅଫିସ୍ ପାଖରେ ମାଗଣାରେ ରହିବା ଓ ଖାଇବାର ବ୍ୟବସ୍ଥା ସେଠ୍.ଙ୍କ ତରଫରୁ କରାଯାଇଥିଲା। ଆଉ ଚିନ୍ତା କଣ? ସମ୍ମାନର ସହିତ ଜୀଇଁବା ପାଇଁ ରାହା ମିଳିଗଲା, ଏଇଟା କଣ କମ୍ କଥା? 


କିଏ କହିଲା ପଶ୍ଚିମ ଦିଗରେ ସୂର୍ଯ୍ୟୋଦୟ ହୁଏ ନାହିଁ ବୋଲି? ମୁଁ ତ କହିବି ମୋର ଭାଗ୍ୟରବି ତ ଏଇ ପଶ୍ଚିମାକାଶରେ ହିଁ ଉଦିତ ହୋଇଥିଲା। ମୁଁ କି ଜାଣିଥିଲି ପୂର୍ବଭାରତରୁ ବିତାଡିତ ହୋଇ ପଶ୍ଚିମ ଉପକୂଳରେ ନିଜର ନୀଡ଼ ବାନ୍ଧିବି ବୋଲି? ଜୀବନରେ ଏମିତି ଅନେକ ଅପ୍ରତ୍ୟାଶିତ ଘଟଣା ଘଟିଥାଏ। ବାଣିଜ୍ୟ ବିଭାଗର ମୁଁ ଛାତ୍ର ନଥିଲି। ବ୍ଯାପାର ସହିତ ମୋର ଦୂର ଦୂର ଯାଏଁ ସମ୍ପର୍କ ନଥିଲା। ଲାଭକ୍ଷତିର ଅଙ୍କକଷାରେ ମୁଁ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲି। ମୁଁ ଥିଲି କେବଳ ଏକ ଭାଷା ସାହିତ୍ୟର ପୂଜାରୀ ମାତ୍ର। ଅଜାତିକୁ ବଣିଜ ଅଡୁଆ! କିନ୍ତୁ ତୁମର ପ୍ରେମ ମୋର ଜୀବନର ସବୁ ମାନସାଙ୍କ ଭୁଲ୍ କରିଦେଲା। ଜୀବନର ଗତିପଥ ପରିବର୍ତ୍ତନ କରିଦେଲା। ଆଶାୟୀ ଅଧ୍ୟାପକ, ସାହିତ୍ୟର ପୂଜାରୀରୁ ମୁଁ ପାଲଟିଗଲି କେଇଟା ଦିନରେ ଦଲାଲ୍ ଷ୍ଟ୍ରୀଟ୍.ର ପ୍ରଖ୍ଯାତ ଦଲାଲ୍, ପ୍ରମୁଖ ଜୁଆଡି! "ବିଗ୍ ବୁଲ୍"!! "ଡାର୍କ୍ ହର୍ସ୍"!!! 


ଜୁଆଡି?


ହଁ... ଠିକ୍ ଶୁଣିଲ ତୁମେ। ଜୁଆଡି! ତୁମର ସହଜ ସୁନ୍ଦର ସରଳ ସାବଲୀଳ ଭାଷା ଓ ଭାବରେ ଷ୍ଟକ୍ ମାର୍କେଟ୍ ତ ଜୁଆ ଆଡ୍ଡା ନା! ଏଠି ଜୁଆ ଖେଳ ଚାଲେ ବଡ଼ ବଡ଼ ଉଦ୍ଯୋଗପତିଙ୍କର। ଆମ ଭଳି ମଳି ମୁଣ୍ଡିଆ କେବଳ ଜଳକା ହୋଇ ଚାହିଁ ରହିଥାନ୍ତି ସେମାନଙ୍କୁ। ନିଜର ଲହୁ ଦେଇ ସେମାନଙ୍କର ସମ୍ପଦ ବଢାଇ ଚାଲିଥାନ୍ତି। ଆଇନତଃ ବୈଧ ଏବଂ ନିୟାମକ ପ୍ରାଧିକରଣ ଦ୍ବାରା ନିୟନ୍ତ୍ରିତ ଓ ପରିଚାଳିତ ହୁଏ ଏଇ ଜୁଆ ଖେଳ। ଏଠି ନିତି ସୃଷ୍ଟି ହୁଅନ୍ତି ଅର୍ବୁଦପତି ପୁଣି ଡୁବିଯାଆନ୍ତି ଅନେକ କୋଟିପତି। 


ଏଇ ଜୁଆ ଖେଳର ନିଶାଟା ଦୁନିଆର ସବୁ ନିଶା ଠାରୁ ଢେର୍ ଗୁଣା ଅଧିକ। ଏଥିପାଇଁ ଦରକାର ନାହିଁ କିଛି ବି ମାଦକ ଦ୍ରବ୍ଯ ତଥାପି ଏହାର ମାଦକତାରେ ସଭିଏଁ ବିଭୋର। କିଏ ଅବା ନଚାହେଁ ଧନୀ ହେବାକୁ? କିଏ ଅବା ନଚାହେଁ ଅୟସ ଆରାମରେ ଜୀବନ ବିତାଇବାକୁ? ଏଇଥିରୁ ହିଁ ଆରମ୍ଭ ହୁଏ ଏଇ ଜୁଆ ଖେଳର ମହୁଆ ନିଶା। ଜୀବନରେ ମୋର ତିନି ତିନିଟା ନିଶା ଥିଲା ପୂର୍ବରୁ। ଏବେ ଏଇ ଚତୁର୍ଥ ନିଶା ମୋ ଜୀବନରେ ଆସିବା ପରଠାରୁ ଆଉ କୌଣସି ନିଶା ମୋତେ ଆକୃଷ୍ଟ କରିବା ପାଇଁ ସକ୍ଷମ ହେଉନି। 


ଚାକିରୀ କରିବାର ପ୍ରଥମ କିଛି ଦିନ ବେଶ୍ ମନଯୋଗ ସହକାରେ ଷ୍ଟକ୍ ମାର୍କେଟ୍ ବିଷୟରେ ଜ୍ଞାନ ଆହରଣ କଲି। ଛୋଟମୋଟ ସବୁ ଦାଓପେଞ୍ଚ ଶିଖିଲି ଜିଦରେ। ଧନାଢ୍ୟ ହେବାର ଅମୁହାଁ ନିଶାରେ। ପ୍ରାଧିକୃତ ଜୁଆଡି ହେବାର ମହୁଆ ନିଶାରେ। ଦୀର୍ଘ ଏକ ଦଶନ୍ଧିର କଠୋର ଅଧ୍ୟବସାୟ ଓ ନିଷ୍ଠା ବଳରେ ମୁଁ ଶିଖିଛି ପୁଞ୍ଜି ବଜାରର ପ୍ରତିଟି ଟିକିନିଖି କଳା କୌଶଳ। ମୋର ବିଚକ୍ଷଣତାରେ ମୁଗ୍ଧ ହୋଇ ଗୁଜୁରାଟୀ ସେଠ୍ ଦେଇଛନ୍ତି ବ୍ଯବସାୟରେ ଅଂଶୀଦାର ବନାଇବାର ପ୍ରସ୍ତାବ ସହିତ ଆହୁରି ଅନେକ ପ୍ରଲୋଭନ। 


କିନ୍ତୁ ବିନମ୍ରତାର ସହିତ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ମୁଁ ଗଢି ତୋଳିଛି ମୋର ସ୍ବକୀୟ ସଂସ୍ଥାନ। ଅସଂଖ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ଦିନେ ଗଣ୍ଡେ ଖାଇବାକୁ ପାଉନଥିବା ଯୁବକଟିଏ। ଏହା କଣ ମୋ ଜୀବନର ଶ୍ରେଷ୍ଠ ଉପଲବ୍ଧି ନୁହେଁ କି? ମୋ ହୃଦୟର ସ୍ପନ୍ଦନ ସହିତ ବଢେ ପୁଞ୍ଜି ବଜାରର ସୂଚକାଙ୍କ। ପୁଣି ଗୋଟିଏ ହାଇରେ ଭୂଲୁଣ୍ଠିତ ହୁଏ। ଏହା କହିବାକୁ ମୋର ଟିକେ ବି ଦ୍ୱିଧା ନାହିଁ। ଅତିରଞ୍ଜିତ କି କପୋଳକଳ୍ପିତ ନୁହେଁ, ଏହା ମୋର ସ୍ବୀକାରୋକ୍ତି। ଏଇ ଦଲାଲ୍ ଷ୍ଟ୍ରିଟ୍.ରେ ମୁଁ ସୃଷ୍ଟି କରିଛି ଅସଂଖ୍ୟ କୋଟିପତି ପୁଣି ସେମାନଙ୍କୁ ସଜାଇ ଦେଇଛି କପର୍ଦ୍ଧକଶୂନ୍ଯ। ସଂଖ୍ୟାର ଏଇ ସାପଶିଡି ଖେଳରେ ଅଗଣିତ କ୍ଷୁଦ୍ର ନିବେଶକଙ୍କୁ ମୁଁ ରାତାରାତି ବନାଇଦିଏ ଲକ୍ଷପତି! ବୁର୍ଜ୍ଜୁଆଙ୍କ ଲାଭାଂଶ ମୁଁ ବିତରଣ କରିଦିଏ ସର୍ବହରାଙ୍କ ମଧ୍ଯରେ। ସେଥିପାଇଁ ସେମାନଙ୍କ ନଜରରେ ମୁଁ ଯୁଗପୁରୁଷ, ମେସିହା, ପରିତ୍ରାଣକର୍ତ୍ତା! 


ଜୀବନର ଅନୁଭୂତିରୁ ମୁଁ ଏତିକି ତ ବୁଝିଥିଲି ଆଉ ଶିଖିଥିଲି ଯେ, ଏଇ ବସ୍ତୁବାଦୀ ଉପଭୋକ୍ତାବାଦୀ ଦୁନିଆରେ ଅର୍ଥ ହିଁ ହେଉଛି ପ୍ରକୃତ ଅମୃତ! ଯାହା ପାଇଁ ରକ୍ତର ଅତୁଟ ସମ୍ବନ୍ଧରେ ସୃଷ୍ଟି ହୁଏ ଫାଟ। ଯାହା ପାଇଁ ନବ୍ଯ ପରିଣିତା ଛାଡ଼ି ଚାଲିଯାଏ ସାତଜନ୍ମର ଦେବତାର ହାତ। ଇଏ ସେହି ଅର୍ଥ ଯିଏ ବାସ୍ତବଧର୍ମୀ ଅମୃତ। ପୋଥି ପୁରାଣରେ ବର୍ଣ୍ଣିତ ଅମୃତ ତ ଏକ କଳ୍ପନା ମାତ୍ର! ଆଉ ତୁମେ କହିଥିବା ଅମୃତ ତ ଏକ ପ୍ରହେଳିକା ଯାହା ମାୟା ରଚିବାକୁ ଉଦ୍ଦିଷ୍ଟ। ଯେବେ ତୁମେ ପାଶରେ ନାହଁ ତ ଅମୃତ ପାନ କରି ଅମରତ୍ବ ପ୍ରାପ୍ତ ହେବା ନିହାତି ନିଷ୍ପ୍ରୟୋଜନ। 


ଆର୍ଥିକ ଉଦାରୀକରଣର ଯୁଗରେ ପୁଞ୍ଜି ବଜାରର ସୂଚକାଙ୍କ ଅର୍ଥନୈତିକ ଅଭିବୃଦ୍ଧିର ମାନକ ବୋଲି ବିବେଚନା କରାଯାଏ ଆଉ ସୂଚକାଙ୍କର ଜୁଆ ଖେଳରେ ମୁଁ ଅର୍ଜନ କରିଛି ବିପୁଳ ଅର୍ଥ। ପାହାଡ଼ ପ୍ରମାଣ ଅର୍ଥର ଗଦା ଉପରେ ମୁଁ ଆଜି ବସିଛି। ମାତ୍ର ଏତିକି ଜାଣିଛି ଏସବୁବି ତୁମ ପ୍ରେମ ପରି ଚିରସ୍ଥାୟୀ ନୁହେଁ। ଅଳିକ ମୋହ ବିଜଡିତ ଜୁଆ ଖେଳ। କେତେ ବେଳେ ଯେ, ସବୁ ଶୂନ୍ଯ ହୋଇଯିବ କହିବା ମୁସ୍କିଲ୍। ଏଣୁ ମୁଁ ଅର୍ଜିତ ଅର୍ଥକୁ ଉଡାଇଛି ନେଇକରି ବିଦେଶ ମାଟିରେ ମଉଜ ମସ୍ତିରେ ସୁରା ଓ ସାକୀରେ। ମନଭରି ଜୀବନକୁ ଉପଭୋଗ କରିବାରେ। ଅମରାବତୀର ସମସ୍ତ ସୁଖ ମୁଁ ପାଇଛି ଏଇ ଧୂଳି ଧୂସରିତ ଧରା ପୃଷ୍ଠରେ। 


କିନ୍ତୁ ଗୋଟିଏ ମୋ ଅବଶୋଷ ରହିଗଲା ଜୀବନରେ। ସୁଖ ସମ୍ଭୋଗରେ ମଜ୍ଜି ରହି ସବୁଠି ସଦାସର୍ବଦା ମୁଁ ଖୋଜିଛି ତୁମକୁ, ପ୍ରତିଟି ସ୍ଥାନରେ ପ୍ରତିଟି ମୂହୁର୍ତ୍ତରେ। କେବେ ସୁରାର ପିଆଲାରେ ତ କେବେ ସାକୀର ସୁଢଳ ଦେହଳୀରେ। କିନ୍ତୁ ତୁମକୁ ଆଉ କେଉଁଠି ବି ପାଇନି। ତୁମ ପ୍ରଦତ୍ତ ଅମୃତ ତ ବହୁ ଦୂର। ସେବେଠାରୁ ବୁଝିଛି ଅର୍ଥର ବିନିମୟରେ ସୌଖିନ୍ ଦେହ କିଣି ହୁଏ କିନ୍ତୁ ନିରୁତା ଭଲପାଇବା ନିର୍ଭେଜାଲ୍ ପ୍ରେମ କେବେ ବି ଖର୍ଦ୍ଧି କରି ହୁଏନାହିଁ। ମୋ ଜୀବନରେ ତୁମର ଶୂନ୍ୟସ୍ଥାନ ଆଜି ବି ଅପୂରଣୀୟ ହୋଇରହିଛି। 


ଲଣ୍ଡନ୍, ପ୍ଯାରିସ୍, ହଂକଂ, ଦୁବାଇ, ନ୍ଯୁୟର୍କ୍, ସାଙ୍ଘାଇ ସବୁଠି ମୋର ପ୍ରକାଣ୍ଡ ବ୍ଯବସାୟିକ କାର୍ଯ୍ୟାଳୟ ନିଜର ସ୍ଥିତି ଜାହିର କରୁଛନ୍ତି। ଗୋଟିଏ ଅର୍ଦ୍ଧ ଶିକ୍ଷିତ ଓଡ଼ିଆ ଯୁବକର ଜୟଯାତ୍ରାକୁ ସଗର୍ବେ ବଖାଣୁଛନ୍ତି। ଏକଦା ତୁମ୍ଭର ପ୍ରତାରଣାର ଚୋରାବାଲିରେ ତଳିତଳାନ୍ତ ହୋଇ ଦାଣ୍ଡର ଭିକାରି ସାଜିଥିବା ତରୁଣ ଆଜି ହଜାର ହଜାର କୋଟି ଟଙ୍କାର ମାଲିକ। ଅପରିମିତ ଐଶ୍ଵର୍ଯ୍ୟର ଏକାଙ୍ଗ ଚକ୍ରବର୍ତ୍ତୀ ଅଧିଶ୍ବର। ବୈଧାନିକ ଉପାୟରେ ମୁଁ ଆଜି ଆନକୁ ବିତରି ଚାଲିଛି କଳିକାଳର ଅମୃତ! ଶାଶ୍ୱତ ନୈସର୍ଗିକ ଅମୃତର ସନ୍ଧାନ ନ ମିଳିଲା ନାହିଁ, ମନ ଦୁଃଖ ନାହିଁ। 


ତୁମେ ହିଁ ତ ଦିନେ ଏଇ କପର୍ଦ୍ଧକ ଶୂନ୍ଯ ତରୁଣଟିକୁ ଅମୃତର ଭେଳିକି ଦେଖାଇ ଉଡିଯାଇଥିଲ ଐଶ୍ଵର୍ଯ୍ୟର ଅଧିକାରିଣୀ ହେବା ପାଇଁ, ବୟୋବୃଦ୍ଧ ଧନାଢ୍ୟ ବ୍ଯବସାୟୀର ପାଟରାଣୀ ହେବା ପାଇଁ। ଆଜି ଦେଖ ମୁଁ ଯାହା ସବୁ ବି କରିଛି ସ୍ବକୀୟ ମେଧାରେ, ସ୍ବୀୟ ଅଧ୍ୟବସାୟ ବଳରେ କରିଛି। ଏଥିପାଇଁ ତୁମ୍ଭ ପାଶରେ ଚିର ଋଣୀ। ତୁମେ ମୋତେ ଦଗା ଦେଇ ନଥିଲେ ମୁଁ ହୁଏତଃ କୂପମଣ୍ଡୁକଟିଏ ଆପଣାର ଚତୁପାର୍ଶ୍ବରେ ପ୍ରଦକ୍ଷଣ କରି ବିଶ୍ବଭ୍ରମଣ କରୁଛି ବୋଲି ଆତ୍ମ ପ୍ରବଞ୍ଚନାରେ ଜୀବନ ଜୀଇଁଥାନ୍ତି! ଅନ୍ୟକୁ ତୁମ ଭଳି ଅମୃତର କଥା କହି ଭ୍ରମିତ କରିଥାନ୍ତି... 


ତୁମେ ଦେଇଥିବା ଅପବାଦର ପ୍ରତିଫଳ ଆଉ ବାପାଙ୍କ ଅଭିସମ୍ପାତ ହେତୁ ଜନ୍ମମାଟି ଭୁବନେଶ୍ବର ଫେରିବାକୁ ସାହାସ ଜୁଟାଇ ପାରିନାହିଁ। ଆଜି ଅନେକ ଦିନର ବ୍ଯବଧାନ ପରେ ମୁଁ ଏଇ କାହାଣୀ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛି। ଆଶା କରେ ଯେଉଁଠି ବି ଥିବ ଯାହାର ଅଗଣାର ଶୋଭା ବର୍ଦ୍ଧନ କରୁଥିବ ଚିରକାଳ ସୁଖ ଶାନ୍ତି ସମୃଦ୍ଧିରେ ଦିନ କାଟୁଥିବ। ମୋର ଅନିଚ୍ଛାକୃତ ଅବାଞ୍ଛିତ ଭୁଲ୍ ପାଇଁ କ୍ଷମା କରିଦେବ। 


ହଁ... ତୁମକୁ ଅଶେଷ ଅଶେଷ ଧନ୍ୟବାଦ! ଧନ୍ଯରୁ ବାଦ୍ ତ କେବେ ବି ନୁହେଁ। ଧନ୍ୟବାଦ ମୋ ଅନ୍ଧାରୀ ଜୀବନରେ ଧୂମକେତୁ ସମ ଆସିଥିବା ହେତୁ। ଧନ୍ୟବାଦ ମୋ ଜୀବନକୁ କ୍ଷଣିକ ପାଇଁ ହେଉ ପଛକେ ଆଲୋକିତ କରିଥିବା ହେତୁ। କପୋଳକଳ୍ପିତ ଅମୃତର କଥା କହି ଅମୃତପଥର ଅଭିଯାତ୍ରୀ ସଜାଇ ଦେଇଥିବା ହେତୁ। ପରିଶେଷରେ ଏହି କାହାଣୀଟିର ପ୍ରେରଣା ସ୍ରୋତ ପାଲଟିଥିବା ହେତୁ। ଧନ୍ୟବାଦ! ଧନ୍ୟବାଦ!! ଧନ୍ୟବାଦ!!! 




Rate this content
Log in

Similar oriya story from Abstract