Nityananda Nandi

Abstract Classics Inspirational

4  

Nityananda Nandi

Abstract Classics Inspirational

ଅମଣିଷ

ଅମଣିଷ

6 mins
248



ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ଘରଟି, ଗ୍ରିଲରେ ତାଲା ଲାଗି ନ ଥିଲା। ଗ୍ରିଲ ଖୋଲା କରି ଭିତରକୁ ପଶିଲି। 

ଏଇଟା ଆମ ଘର, ଅତି କମରେ ପଚାଶ ମିଟର ଦୂରରେ ଅବସ୍ଥିତ ମୁଖ୍ୟ ଫାଟକ ପାଖରୁ। ଘାସ ଜଙ୍ଗଲ। ଦୁଇଟି ନାଗ ସାପ ଖେଳୁ ଛନ୍ତି ଘର ଆଗରେ। ଭୟ ଲାଗିଲା। ତୁଳସୀ ଚଉରା ପିଣ୍ଡା 

ଉପରେ ଯାଇ ବସିଲି। ଘରକୁ ଅନେଇଲି, ବାରଣ୍ଡାରେ କେତୋଟି ଚିଠି ପଡ଼ିଛି। ପରିତ୍ୟକ୍ତ ଅବସ୍ଥାରେ ବଗିଚା, ଫୁଲ ଗଛଟିଏ ବି ନାହିଁ। 


ଘର କିନ୍ତୁ ଐତିହାସିକ ଦୁର୍ଗ ପରି ଦଣ୍ଡାୟମାନ। ନିଶବ୍ଦ ଇଲାକା। ସେମିତି କିଛି ମାନ ଅଭିମାନ ନାହିଁ। ଖୋଲା ହୃଦୟ। ଯେତେବେଳେ ଯିଏ ଆସିଲେ ଦ୍ଵାର ଖୋଲିଯାଏ। ବିଶାଳତାର ପ୍ରତୀକ ଏଇ ଘରଟି। ସେ ଆମକୁ ଭୁଲେନି। ଆମେ କିନ୍ତୁ ତାକୁ ଛାଡି ଚାଲିଯାଉ।


ପିତାମହ ଭୀଷ୍ମ ପାଲଟି ଯାଇଛି ଆମ ଘରଟି। କେତେ ଘଟଣା ଘଟିଯାଇଛି ଏହା ଭିତରେ। ଜେଜ, ଜେଜେ ମା ଙ୍କ ବିଦାୟୀ, ବାପା ବୋଉଙ୍କ ବିବାହ, ଆମର ଜନ୍ମ, ବାପା ବୋଉଙ୍କ ମୃତ୍ୟୁ ଏମିତି ଅନେକ କିଛି...ଚିନ୍ତାମଗ୍ନ ହୋଇଗଲି କିଛି ମୁହୂର୍ତ୍ତ ପାଇଁ।


ମୁଁ କେବେ ବି ଖୁସି ନ ଥିଲି ମୋ ବାପାଙ୍କ ଉପରେ। ବାପା ମଧ୍ୟ ମୋ ଉପରେ ଖୁସି ନ ଥିଲେ । ମୁଁ ଯାହା କହେ ତାଙ୍କୁ ପସନ୍ଦ ହୁଏନି, ସେ ଯାହା କହନ୍ତି ମୋତେ ବି ଜମାରୁ ଭଲ ଲାଗେନି। ମୁଁ ଭୁଲ କରୁଛି ଜାଣି ସୁଦ୍ଧା ନିରୁପାୟ ଥିଲି। ଆଜିର କଥା ନୁହେଁ, ମୋ ପିଲା ବେଳରୁ ହିଁ ଆମେ ଏମିତି। 

ସେତେବେଳେ ମୁଁ ତୃତୀୟ ଶ୍ରେଣୀ ରେ ପଢ଼ୁଥିଲି। ଟିଉସନ ସାର ବାର ବାର ଫିଜ୍ ମାଗନ୍ତି। ମୁଁ ଯାଇ ବାପାଙ୍କୁ କହେ। ଚୁପ ରହନ୍ତି। ତାଙ୍କ ମୁହଁକୁ ମୁଁ ଅନେଇ ରହେ। ବିଶାଳ ପରାଜୟର ଗ୍ଲାନି ତାଙ୍କ ମୁହଁ ଉପରେ । ବୟସ ବି ଏତେ ହୋଇ ନ ଥିଲା ଯେ, ଆଉ ବେଶି କିଛି ବୁଝି ପାରନ୍ତି ! 

ବାପା କଣ କରନ୍ତି, ପରିବାର କେମିତି ଚଳାନ୍ତି, କିଛି ବୁଝି ନ ଥିଲି ସେତେବେଳେ। ଦିନେ ବାଡ଼ିରୁ ବାହାରିଥିବା ପ୍ରଥମ ଫୁଲ କୋବିକୁ ମୋତେ ଧରେଇ ଦେଇ କହିଲେ। ଯା, ଟିଉସନ୍ ସାର ଙ୍କୁ ଦେଇ ଆସ। ସାରଙ୍କୁ ଫୁଲ କୋବି ବଢେଇ ଦେଇ କହିଲି, ବାପା ଦେଇଛନ୍ତି। ପିଲାମାନେ ହସିଲେ, କିଏ ଜଣେ କାହା କାନ ପାଖରେ କହୁଥିଲା, ଫିଜ ଦେଇ ପାରୁନି ବୋଲି କୋବି ଆଣିଛି, କଥାଟି ଭାରି ବାଧିଲା। ମୋ ଭିତରେ ରକ୍ତ ଫୁଟୁଥିଲା। କାହିଁକି କେଜାଣି, ସାର ଭାବ ବିହ୍ଵଳ ହୋଇ ଉଠିଲେ। ଫୁଲ କୋବି ସାଥିରେ କିଛି ସ୍ନେହ, କିଛି ଆନ୍ତରିକତା ନେସି ହୋଇ ଯାଇଥିଲା ବୋଧେ। ଦାରିଦ୍ର୍ୟ ର ଭାଷା ସେତେ କଠିନ ନୁହେଁ, ସମସ୍ତେ ପ୍ରାୟ ବୁଝି ପାରନ୍ତି। ଟିଉସନ୍ ରୁ ଫେରିବା ବେଳେ ସାର କହିଲେ ବାପାଙ୍କୁ ଆଉ ଫିଜ୍ କଥା କହିବୁନି। ସବୁଦିନ କିନ୍ତୁ ପଢିବାକୁ ଆସିବୁ। ମୁଁ କିନ୍ତୁ କିଛି ବୁଝିଲିନି, ସାଙ୍ଗ ମାନଙ୍କ ତାଛଲ୍ୟ ଭରା ହସ କୋଠାରଘାତ କଲା ମୋ ଚପଳମତି ମନ ଉପରେ।

ମୁଁ ମନେ ମନେ ହିଂସ୍ର ହୋଇ ଉଠିଲି, ମୋ ଭିତରେ ପ୍ରତିଶୋଧ ର ନିଆଁ ଜଳିବାକୁ ଆରମ୍ଭ ହେଲା। ମୋ କଥାବାର୍ତ୍ତା, ଚାଲି ଚଳନ ବଦଳିଗଲା ଏଇ ଘଟଣା ପରଠୁ..ସବୁବେଳେ ଗୋଟାଏ ପ୍ରଶ୍ନ, ମୁଁ କାହିଁକି ଟିଉସନ୍ ଫିଜ ଦେଇ ପାରୁନି ??? ସେଥିପାଇଁ ମୋ ବାପା ଦାୟୀ ନା ଆଉ କିଏ ??


ଏଇ ଘଟଣାର ଅନେକ ବର୍ଷ ପରେ ବୁଝିଲି, ବାପା ଶିକ୍ଷକ ଥିଲେ ସତ, କିନ୍ତୁ ଦରମା ପାଉ ନ ଥିଲେ। ପତ୍ରଝଡ଼ା ଦେଇଥିବା ଗଛ କିଛି କାମରେ ଆସନ୍ତି ନାହିଁ। ପକ୍ଷୀଟିଏ ବି ବସିବାକୁ ଇଚ୍ଛା କରେନି ତା ଉପରେ। ବାପା ନିଃସହାୟ ଥିଲେ...


ସାନ ଭାଇ, ସାନ ଭଉଣୀ ର ପଢା ପାଇଁ କିଛି ଅସୁବିଧା ହେଲା ନାହିଁ। ସେତେବେଳକୁ ସେ ସ୍ଥାୟୀ ହୋଇ ଯାଇଥିଲେ ଚାକିରୀରେ। 


ସେଦିନ ଘଟଣାରେ ସେଇ ପିଲା ମାନଙ୍କ ବ୍ୟଙ୍ଗାତ୍ମକ କଥା ପାଇଁ ମୋ ଭିତରେ ବିରୋଧ କରିବାର ଗୋଟାଏ ଅଦ୍ଭୁତ ବିଯୁକ୍ତାତ୍ମକ ଶକ୍ତିର ବିକିରଣ ହେଲା। ଚିଡଚିଡା ପଣ ମୋ ଭିତରେ ବସା ବାନ୍ଧିଲା। ବାପାଙ୍କ ପ୍ରତ୍ୟେକ କଥାକୁ କାଟିଲି। ମୁଁ କିଛି କହିଲେ ତାଙ୍କୁ ପସନ୍ଦ ହେଲା ନାହିଁ। ମୋ ସହିତ ଅବାନ୍ତର ଯୁକ୍ତି କରିବାକୁ ଆରମ୍ଭ କଲେ। କେତେଥର ଏମିତି ଖାଇବା ଥାଳି ବୋଉ ଉପରକୁ ଫିଙ୍ଗି ଦେଇ ଘରୁ ବାହାରି ଯାଏ। ବଡ ବାପାଙ୍କ ଘରେ ଶୋଏ। ମନ ଶାନ୍ତ ହେଲେ ଘରକୁ ପୁଣି ଫେରିଆସେ। 


ମୁଁ ନିଜକୁ ନିୟନ୍ତ୍ରଣ କରି ପାରେନି। ମୋ ସାଙ୍ଗ ମାନେ ବାଇକ୍ ଚଲେଇ କଲେଜ ଆସୁଥିଲେ। ମୋ ପାଖରେ ସାଇକେଲ ବି ନ ଥିଲା। ହୀନମନ୍ୟତାର ଶିକାର ହୋଇ ମୁଁ ମୋର ନିଜତ୍ବ କୁ ସମର୍ପଣ କରିଦେଲି ହିଂସ୍ରତା ର ଵେକାବୁ ମାନସିକତା ଭିତରେ। ବାପାଙ୍କ ସରଳତା କୋଉ କାମକୁ !! ଅଭାବ ହିଁ ଅଭାବ। ବାପାଙ୍କ ଆଦର୍ଶବାଦ ଦେଖିଲେ ମୁଁ ବେଶି ହିଂସ୍ର ହୋଇ ଉଠୁଥିଲି।


ସମ୍ପର୍କ ବେଶି ଖରାପ ହେଲା ସେତେବେଳେ, ଯେତେବେଳେ ମୋ ଇଚ୍ଛାରେ ମୁଁ ବାହା ହୋଇ ଆସିଲି। ସେ ଚାହୁଁଥିଲେ ତାଙ୍କର ଜଣେ ଶିକ୍ଷକ ବନ୍ଧୁଙ୍କ ଝିଅ ସହିତ ମୋ ବାହାଘର କରେଇବାକୁ। ମୁଁ ମୋ ଜିଦରେ ଅଟଳ ରହିଲି। 

ଦୁଇ ଲକ୍ଷ ଟଙ୍କା ଯୌତୁକ ପାଇଁ ବାପାଙ୍କ ମାନସିକତା ସହ ବିନା ଯୌତୁକ ନେଇ ଗୋଟାଏ ଗରିବ ଝିଅକୁ ବାହା ପାଇଁ ବ୍ୟଗ୍ର ଥିବା ମାନସିକତାର ତମୁଳ ସଂଘର୍ଷ। କଣ ହେଲା ଆଉ ଶେଷରେ ?? ଆମେ ଦୁଇ ଜଣ ହିଁ ହାରିଗଲୁ। ନିଜକୁ ଜଣେ ଆଦର୍ଶ ଶିକ୍ଷକ ବୋଲାଉଥିବା ମୋ ବାପା ଦୁଇ ଲକ୍ଷ ଟଙ୍କା ପାଖରେ ସବୁ ଭୁଲିଗଲେ। ବାପାଙ୍କ ମନ ମୁତାବକ ଝିଅକୁ ମୁଁ ବାହା ନ ହୋଇ ମୁଁ ବି ଅମଣିଷ ହୋଇଗଲି ସମାଜ ଆଗରେ। ସେ ମୋତେ ଅଭିଶାପ ଦେଇ ଘରୁ ବିତାଡିତ କଲେ। କହିଲେ ଯା ! ସବୁ ଜମି ସାନ ଭାଇ ଆଉ ଭଉଣୀ ନାଁ ରେ କରି ଦେଇଛି। ତୋ ପାଇଁ ଏଇ ଘରେ କିଛି ନାହିଁ.... ଯା, ବାହାରି ଯା ! ମୋ ଘରୁ...


କଥାଟି ବହୁତ ବାଧିଲା। ଘରୁ ବାହାରି ଗଲି। ମାତ୍ର ଶହେ କିମି ଦୂର, ପାଞ୍ଚ ବର୍ଷ ବିତିଗଲା। ଥରୁଟିଏ ବି ଘରକୁ ଆସି ନ ଥିଲି। ବୋଉ ଦୁନିଆ ଛାଡି ଚାଲି ଯାଇଥିଲା ସେତେବେଳକୁ। ସାନ ଭଉଣୀ ରହୁଥିଲା ବାପାଙ୍କ ସହିତ। ହଠାତ ଦିନେ ଖବର ଆସିଲା, ବାପା ଆଉ ନାହାନ୍ତି। ମୁଁ ପହଞ୍ଚିଲି, ସାନ ଭାଇ ବିଦେଶରୁ ଫେରିବା ପର୍ଯ୍ୟନ୍ତ ମୁଁ ଆଉ ସାନ ଭଉଣୀ ବାପାଙ୍କ ଶବକୁ ଜଗି ରହିଲୁ। ଗୋଟାଏ ଶବ ଭିତରେ ମୁଁ ମୋ ବାପାଙ୍କୁ ଖୋଜୁଥିଲି। ଦେଢ଼ ଦିନ ଭିତରେ ଯେତେ ଦେଖୁଥିଲି, ସେତେ ଭଲ ଲାଗୁଥିଲା ମୋତେ ବାପାଙ୍କ ମୁହଁ ଟି। ଯୁଦ୍ଧରେ ହାରି ଯାଇଛନ୍ତି ଯେମିତି, ଏକ ଅସହାୟ ଚେହେରା ଭିତରେ ମୁଁ ଜୀବନର ଯନ୍ତ୍ରଣା କୁ ଅନୁଭବ କରୁଥିଲି । ଆଖ ପାଖ ପଡୋଶୀ ମାନେ କହୁଥିଲେ, ଗାନ୍ଧିବାଦୀ ବୁଢ଼ାଟିଏ ଚାଲିଗଲା। ଜେଜଙ୍କ ଘରେ ଜନ୍ମ ନେଇ ସେଇ ଘର ଅଗଣାରେ ମୃତ୍ୟୁ ବରଣ କରି ପାରିଲେ ତାଙ୍କୁ ଗାନ୍ଧିବାଦୀ କୁହାଯାଏ ବୋଲି, ସେଦିନ ବୁଝିଲି। ନିଜର କିଛି କରିବାର କରାମତି ନ ଥାଏ ଏଇ ଗାନ୍ଧିବାଦୀ ଲୋକଙ୍କର...

******

ବାପାଙ୍କ ମୃତ୍ୟୁ ପରେ ଏହା ଭିତରେ ଦଶ ବର୍ଷ ବିତି ଗଲାଣି। ମୋ ରାଗ ଏବେ ବି କମି ନ ଥାଏ। ଭାଇ ଭଉଣୀ ଦୁହେଁ ବିଦେଶରେ। ଭଉଣୀ ସ୍ନେହାର ଅନୁରୋଧ ମୁଁ ଟାଳି ପାରିଲିନି। 

କହିଲା ଭାଇ !! ଘରଟିକୁ ସଫା କରି ତମେ ରୁହ, ସେଇଠୁ ଅଫିସ ଯିବା ଆସିବା କର। ସେଇ ବାହାନାରେ ଆମେ ମଝିରେ ମଝିରେ ଭାରତ କୁ ଆସିଲେ ଘରେ କିଛି ସମୟ ବିତେଇ ପାରିବୁ।


ସାନ ଭଉଣୀ କୁ ମୁଁ ବହୁତ ଭଲ ପାଏ। ମନା କରି ପାରିଲିନି। ବାପାଙ୍କ କ୍ରିୟା କର୍ମ ପରେ ନୂଆ ତାଲା କିଣି ମୁଖ୍ୟ ଦ୍ଵାରରେ ପକେଇଥିଲୁ। ତିନି ଜଣଙ୍କ ପାଖରେ ଗୋଟାଏ ଗୋଟାଏ ଚାବିକାଠି ରହିଲା। ଚାହିଁଥିଲେ ମୁଁ ପ୍ରଥମ ଦିନରୁ ହିଁ ଘରଟିକୁ ଅକ୍ତିଆର କରି ଉପଭୋଗ କରିଥାଆନ୍ତି। ବାପା ଗାଳି କରି ଘରୁ ତଡି ଦେବା ପରେ ମୁଁ ମନେ ମନେ ପ୍ରତିଜ୍ଞା କରିଥିଲି, ଘରକୁ ଆଉ କେବେ ଫେରିବିନି। ସେଇ ଜିଦ୍ ରେ ମୁଁ ଅଟଳ ଥିଲି ....

*****

ଦେଖିଲି ନାଗ ସାପ ଦୁଇଟି ଉଭେଇ ଗଲେ, କୁଆଡେ ଗଲେ କେଜାଣି।

ତାଲାରେ ଜଙ୍କ ଲାଗି ଯାଇଛି। ଖୋଲିଲା, କିନ୍ତୁ ବହୁ କଷ୍ଟରେ। ବାପାଙ୍କ ଟ୍ରଙ୍କ ଭିତରେ ଥିବା ଜମି ବାଡ଼ି କାଗଜ ପତ୍ରରେ ଆଉ ଉଇ ଲାଗି ଯାଇନି ତ !!

ବାକ୍ସ ଖୋଲି ଦେଖିଲି, ଉଇ ଲାଗିନି। ଥ୍ୟାଙ୍କ ଗଡ।

କଭର ଫାଇଲ ଟିକୁ ଖୋଲି ଦେଖିଲି, ବାପାଙ୍କ ଉଇଲ !!!!

ପଢିଲି....


"ଜୀବନକୁ ସମ୍ପୂର୍ଣ୍ଣ ବୁଝିବା ପାଇଁ ଉପନ୍ୟାସର ପ୍ରତି ପୃଷ୍ଠା ହିଁ ପଢିବାକୁ ହୁଏ, ମୋ ବଡ ପୁଅର ଜୀବନ ବି ଉପନ୍ୟାସ ଠୁ କମ ନୁହେଁ, ପୂରା ପଢି ପାରିଲିନି। ସତ୍ୟ ର ସନ୍ଧାନ ପାଇଁ ମନକୁ ନିୟନ୍ତ୍ରଣ କରିବାକୁ ହୁଏ। ଆଖି ଆଗରେ ଥିବା ଅଳୁନ୍ଦିକୁ ଚିରିବାକୁ ହୁଏ। ମୁଁ ହାରିଗଲି....ପ୍ରତି ମୁହୂର୍ତ୍ତରେ।

ମୁଁ ବହୁତ ଅବହେଳା କରିଛି ମୋ ବଡ ପୁଅକୁ। ସେତେବେଳେ ମୁଁ ଦରମା ପାଉ ନ ଥିଲି। ଖର୍ଚ୍ଚ କରି ପାରିଲିନି ତା ପଢା ପାଇଁ। ଛୋଟ ଚାକିରୀ ଟିଏ କରି କଷ୍ଟରେ ଚଳୁଛି। 

ଦାରିଦ୍ର୍ୟ କୁ ଅତି ପାଖରୁ ଦେଖି ସେ ଅଚାନକ ହିଂସ୍ର ହୋଇ ଉଠିଲା। ପିଲାବେଳେ କିନ୍ତୁ ଭାରି ସରଳ ସ୍ଵଭାବର ଥିଲା ମୋ ବଡ଼ ପୁଅ। ମାଛିକୁ ମର ବୋଲି କହେନି, ହଠାତ ବଦଳି ଗଲା କେମିତି ମୁଁ କିଛି ବୁଝି ପାରିଲିନି।  ସେ କଥା କଥାକେ ଚିଡି ଯିବା, ଆଉ ରକ୍ତ ଚାପ ଜନିତ ରୋଗରେ ଆକ୍ରାନ୍ତ ହୋଇ ପ୍ରତି ମୁହୂର୍ତ୍ତରେ ମୁଁ ତାକୁ ଗାଳି କରିବା ଭିତର ଦେଇ ଆମେ ଉଭୟେ ଉଭୟଙ୍କୁ ହରେଇ ବସିଲୁ ..  

ମୁହଁରେ ଥରେ ଭିନ୍ନ ଭିନ୍ନ ରଙ୍ଗ ବୋଳି ହେବା ପରେ ଅସଲ ପରିଚୟ ଛୁପି ଯାଏ ସେଇ ରଙ୍ଗ ଭିତରେ। ଆମେ ଖାଲି ଅଭିନୟ ହିଁ କରୁଥିଲୁ, ସମସ୍ତଙ୍କୁ କଣ ହସେଇ ହୁଏ ? ....ବାସ୍ତବତା କିନ୍ତୁ ଅଲଗା ଥିଲା ଜୀବନର ଏଇ ନାଟକରେ।

ଦୁଇ ଲକ୍ଷ ଟଙ୍କା ଯୌତୁକ ଲାଳସାରେ ମୁଁ ନିଜକୁ ହରେଇ ବସିଲି ମୋ ଭିତରୁ ସବୁଦିନ ପାଇଁ। ଆଦର୍ଶବାଦ ର ଷ୍ଟାମ୍ପ ମାରି ବୁଲୁଥିବା ବାପାଟି ପ୍ରକୃତରେ ହାରିଗଲା। ଲୋଭ ମଣିଷ ଭିତରେ ଛୁପି ରହିଥିବା ମଣିଷପଣିଆ କୁ କିଛି କ୍ଷଣ ପାଇଁ କାବୁ କରିନିଏ, ମଣିଷ ଅସହାୟ ହୋଇଯାଏ। ବଡ଼ ପୁଅ କିନ୍ତୁ  ଜିତିଗଲା ସବୁଦିନ ପାଇଁ। ବିନା ଯୌତୁକରେ ଗରିବ ଝିଅକୁ ମନ୍ଦିରରେ ବାହା ହୋଇ ସମାଜ ପାଇଁ ମସିହା ବନିଯାଇଥିଲା ସେ।

ସାଇ ପଡ଼ିଶା ଭୁଟ ଭାଟ କରି ତାର ପ୍ରଶଂସା କରନ୍ତି, ନିଜ କାନରେ ମୁଁ ଶୁଣିଛି। 

ସୁତରାଂ..

"ମୋ ନାମିତ ମୋଟ ଦୁଇ ଏକର ଘର ଡିହରୁ ଗୋଟାଏ ଏକର ମୋ ବଡ ପୁଅକୁ ଦେବାକୁ ଚାହୁଁଛି। ସାନ ପୁଅ , ସାନ ଝିଅ ବିଦେଶରେ ଭଲ ଭାବେ ସେଟେଲ ହୋଇ ଯାଇଛନ୍ତି । ପଚାଶ ପଚାଶ ଡିସିମିଲ ଲେଖାଏଁ ସେମାନେ ପାଇବେ।"


ମୋର ନିଃଶ୍ୱାସ ପ୍ରଶ୍ଵାସ ବନ୍ଦ ହୋଇଯିବା ଉପରେ, ସମ୍ଭାଳି ପାରିଲିନି ନିଜକୁ। ନତମସ୍ତକ କଲି ଏକ ଅଦୃଶ୍ୟ ଶକ୍ତି ପାଖରେ। ଅହଙ୍କାର ଖୋଳପା ଭିତରେ କୋଉଠି ନା କୋଉଠି ସ୍ନେହ ଟିକିଏ ଲୁଚି ରହିଥାଏ। 

ଆଜି କାହିଁକି ବାପାଙ୍କ ଆଙ୍ଗୁଳି ଧରି ଗାଆଁ ଦାଣ୍ଡରେ ଛାତି ଫୁଲେଇକି ଚାଲିବା ପାଇଁ ଅନେକ ଇଚ୍ଛା ହେଲା, ବାପା ବଞ୍ଚିଥାଆନ୍ତେ କି !!!! ବାପାଙ୍କୁ ଅବହେଳା କରି ମୁଁ ଭୁଲ କରିଛି, ବହୁତ ଭୁଲ କରିଛି। ବାପା ତାଙ୍କ ଉଇଲ ମାଧ୍ୟମରେ ଯାହା କହିଲେ ବି ଗୋଟାଏ କଥା ସବୁଦିନ ପାଇଁ ସତ ହୋଇ ରହିବ, ମୋ ବାପା ମହାନ ଥିଲେ, ମୁଁ କିନ୍ତୁ ଅମଣିଷ ଟିଏ....


ଜୀବନରେ ଅଳ୍ପ କିଛି ପାଇ ବହୁତ କିଛି ହରେଇ ଥିବାର ଦୁଃଖରେ ମୁଁ ବିବ୍ରତ ହୋଇ ଉଠିଲି। ବାପାଙ୍କୁ ଦେଖିବା ପାଇଁ ପ୍ରବଳ ଇଚ୍ଛା ହେଲା। ଘର ଚାରି କାନ୍ଥ କୁ ଅନେଇଲି, ବାପାଙ୍କ ଫଟୋଟିଏ ବି ନାହିଁ। ମୃତ୍ୟୁ ପୂର୍ବରୁ କେହି କଣ ନିଜ ଫଟୋ ଉଠେଇ କାନ୍ଥରେ ଲଗେଇ ଥାଏ ??? 

ବୋଉର ଫଟୋ କୁ ଅନେଇ କାନ୍ଦିବା ଛଡ଼ା କିଛି ଉପାୟ ନ ଥିଲା ମୋ ପାଖରେ।....


  





Rate this content
Log in

Similar oriya story from Abstract