STORYMIRROR

Gopal Das

Abstract Inspirational

4  

Gopal Das

Abstract Inspirational

ଅକୁହା ଅଭିମାନ !

ଅକୁହା ଅଭିମାନ !

4 mins
1


ମୋର ଏଇଟା ବଦଭ୍ୟାସ ହେଉ କି ସ୍ଵଭାବ ଜାଣେନି, ହେଲେ ପଶୁପକ୍ଷୀମାନଙ୍କୁ ଖୁବ୍ ଭଲପାଏ। ମୋତେ ଲାଗେ, ଏହି ନିରୀହ ପ୍ରାଣୀମାନେ ବୋଧହୁଏ ଆମ ଭଳି ମଣିଷମାନଙ୍କୁ ସବୁବେଳେ ଆଶୀର୍ବାଦ କରନ୍ତି। ସେମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି; "ହେ ଭଗବାନ! ଏ ମଣିଷମାନଙ୍କୁ ଭଲରେ ରଖ, ସେମାନେ ସୁରକ୍ଷିତ ରହିଲେ ସିନା ଆମେ ନିଶ୍ଚିନ୍ତରେ ବଞ୍ଚିବୁ!"
ମୋ ଘରେ ପାଖାପାଖି କୋଡ଼ିଏରୁ ଅଧିକ ବିଦେଶୀ ଚଢ଼େଇ, ଦୁଇଟି ଶୁଆ ଓ ଗିନିପିକ୍ ଅଛନ୍ତି। ମୁଁ ଓ ମୋ ପତ୍ନୀ ଦୁହେଁ ଯାକ ଚାକିରିଆ। ମୁଁ ସଫ୍ଟୱେର୍ ଇଞ୍ଜିନିୟର ଓ ସେ ସରକାରୀ ସ୍କୁଲର ଶିକ୍ଷୟିତ୍ରୀ। ବ୍ୟସ୍ତବହୁଳ ଜୀବନ, ତା’ ସହିତ ପରିବାରର ଭାର ସାଙ୍ଗକୁ ସାମାଜିକ ବନ୍ଧନ: ସବୁକିଛି ବେଳେବେଳେ ମଣିଷକୁ ଭାରାକ୍ରାନ୍ତ କରେ। ଏମିତି ବି କିଛି ସମୟରେ ଆମ ପରିବାରରେ ଅଶାନ୍ତି, ରାଗ-ରୁଷା ଲାଗିରହେ। କାରଣ ଭୁବନେଶ୍ୱର ଭଳି ସହରରେ ଯେଉଁଠି ପବନ ପର୍ଯ୍ୟନ୍ତ କିଣିବାକୁ ପଡ଼େ, ସେଠାରେ ଅର୍ଥର ଅଭାବ ତ ରହିବ! ତଥାପି ତା’ ଭିତରେ ବି ମୁଁ ସେମାନଙ୍କ ଯଥାସମ୍ଭବ ଯତ୍ନ ନିଏ। ମୁଁ ଅଫିସରୁ ଫେରିଲେ ମୋ ପରିବାର ଲୋକେ ହୁଏତ ପଚାରିବାକୁ ଭୁଲିଯାଆନ୍ତି ଯେ ଆଜି ଦିନଟି କେମିତି କଟିଲା, କିନ୍ତୁ ଏହି ନିଷ୍ପାପ ଜୀବମାନେ କେବେ ଭୁଲନ୍ତି ନାହିଁ। ବେଳେବେଳେ ଲାଗେ ସତରେ ମଣିଷ ଜୀବନଟା କେତେ ଅସହାୟ! ମଣିଷର ସିନା ବୁଦ୍ଧି ଆଉ ବିବେକ ଅଛି, ହେଲେ ସେହି ବୁଦ୍ଧି ଓ ବିବେକର ସେ କେବେ ବି ସଦୁପଯୋଗ କରେନାହିଁ। ନହେଲେ କ’ଣ ନିଜର ଆତ୍ମବଡ଼ିମା ଓ ଗର୍ବ-ଅହଂକାରରେ ଅନ୍ଧ ହୋଇ ସେ ମହାବିଶ୍ୱଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିଥାନ୍ତା? ଛାଡ଼ନ୍ତୁ ସେସବୁ, ଏସବୁ ଆଲୋଚନା କରିବା ଆମକୁ ଶୋଭା ପାଏନାହିଁ।
ସେହି ନିଷ୍ପାପ ଜୀବମାନଙ୍କ କଳରବରେ ଯେମିତି ମୋ ସାରା ଦିନର କ୍ଳାନ୍ତି ହଜିଯାଏ। କିଛିଦିନ ତଳେ ମୋ ସାନ ପୁଅର ଜନ୍ମଦିନରେ ମୁଁ ତାକୁ ଦୁଇଟି ସୁନ୍ଦର ଗିନିପିକ୍ ଉପହାର ଦେଇଥିଲି। ଦୁଇ-ତିନି ଦିନ ଭିତରେ ସେମାନେ ମୋତେ ଚିହ୍ନିଗଲେ। ମୁଁ ପାଖକୁ ଗଲେ ସେମାନେ ଗେଲ ହେବା ପାଇଁ ଅଦ୍ଭୁତ ଶବ୍ଦ କରନ୍ତି। ନିଜର ଗୋଡ଼ ଦୁଇଟାକୁ ଉପରକୁ ଟେକି ଖାଦ୍ୟ ପାଇଁ ଅଳି କରନ୍ତି, ବେଳେବେଳେ ଦୁହେଁ ପାଖକୁ ଆସି ଗେଲ କଲା ଭଳି ଘଷି ହୁଅନ୍ତି। ଆଉ ଦୁଇ ଗୋଡ଼କୁ ଉପରକୁ ଟେକି ତାଙ୍କ ଭାଷାରେ କ’ଣ ସବୁ କହିଯାଆନ୍ତି। ଏମିତି ବି ହୁଏ, ଯେଉଁଦିନ ବେଶୀ କ୍ଳାନ୍ତି ଯୋଗୁଁ ଯଦି ସେମାନଙ୍କ ପାଖକୁ ଯାଇପାରେନାହିଁ, ସେମାନେ ମନଦୁଃଖ ମଧ୍ୟ କରନ୍ତି। ଯେଉଁଦିନ ସେମାନଙ୍କୁ ଅଫିସ ଯିବା ଆଗରୁ ଦେଖା ଦେଇପାରେନାହିଁ, ସେମାନେ ସେଦିନର ଖାଦ୍ୟ ମଧ୍ୟ ଖାଆନ୍ତି ନାହିଁ। ତେଣୁ ଅଫିସ ଯିବା ଆଗରୁ ସେମାନଙ୍କୁ ଦେଖାକରେ ଓ ଆସିବା ପରେ ପାଞ୍ଚ ମିନିଟ୍ ସେମାନଙ୍କ ସହ ସମୟ କଟାଏ, ନହେଲେ ସମସ୍ତ ଚଢ଼େଇ, ଶୁଆ ଓ ଗିନିପିକ୍ ଏକା ସ୍ୱରରେ ଶବ୍ଦ କରିବା ଆରମ୍ଭ କରନ୍ତି। ଯେମିତି ଲାଗେ ଏମାନେ ବୋଧେ ଆମ ମଣିଷ ସମାଜର କାଇଦା କାନୁନ୍ ସବୁ ଜାଣିସାରିଛନ୍ତି। ସବୁଦିନ ମୋତେ ଦିନରେ ଦୁଇଥର ଦେଖିବାକୁ ସେମାନେ ମନ ବଳାନ୍ତି। ଆଉ ଲାଗେ ଯେମିତି ଏମାନେ ମୋତେ ଦେଖିଲା ପରେ ଭଗବାନଙ୍କୁ ସେମାନଙ୍କ ଅସ୍ପଷ୍ଟ ସ୍ୱରରେ ଧନ୍ୟବାଦ ଦିଅନ୍ତି; "ହେ ପ୍ରଭୁ! ମୋ ମାଲିକକୁ ସୁସ୍ଥ ରଖିଥିବାରୁ ଧନ୍ୟବାଦ।"
ହେଲେ ଗତ କିଛି ଦିନ ହେବ ମୁଁ ଏକ ବିଚିତ୍ର କଥା ଲକ୍ଷ୍ୟ କଲି। ପୁରୁଷ ଗିନିପିକ୍‌ଟି ତା’ ସାଥୀ (ସ୍ତ୍ରୀ ମୂଷା) ସହିତ ଆଦୌ ମିଶୁ ନଥିଲା। ସ୍ତ୍ରୀ ମୂଷାଟି ମଧ୍ୟ ମନମାରି ବସିଥିଲା। ଆଗରୁ ଖାଇବା ଦେଲେ ପୁରୁଷଟି ସ୍ତ୍ରୀ ପାଇଁ ଅପେକ୍ଷା କରୁଥିଲା, କିନ୍ତୁ ଏବେ ସବୁ ଓଲଟା। ସେମାନଙ୍କ ଘର ଭିତରେ ଯେମିତି ଏକ 'ଶୀତଳ ଯୁଦ୍ଧ' ଚାଲିଛି! ମୁଁ ମନେ ମନେ ଭାବିଲି, ଏମାନଙ୍କ ଭିତରେ ବି କ’ଣ ଝଗଡ଼ା ହୁଏ? ଦୁଇ ଦିନ ଅପେକ୍ଷା କରିବା ପରେ ବି ଯେତେବେଳେ ସ୍ଥିତି ବଦଳିଲା ନାହିଁ, ମୁଁ ଏକ ଉପାୟ ପାଞ୍ଚିଲି।
ରବିବାର ସକାଳେ ମୁଁ ସ୍ତ୍ରୀ ମୂଷାଟିକୁ ବାହାରକୁ ଆଣି ତା’ ମୁଣ୍ଡକୁ ଟିକେ ସାଉଁଳେଇ ଦେଲି। ସେ ଏକ କରୁଣ ନୟନରେ ମୋତେ ଚାହିଁଲା ଆଉ ଲାଗିଲା ସେ ଯେମିତି ତାର ଅଭିମାନଭରା ଆଖିରେ ସବୁକିଛି କହିଦେଉଛି; କେମିତି ଆଗ ଭଳି ତା’ ସ୍ୱାମୀ ତାକୁ ଭଲ ପାଉନି, ତା’ ସହିତ ଗପୁନି, କି ମିଶୁନି। ମୁଁ ମଧ୍ୟ ଏସବୁକୁ ଅନୁଭବ କରି ତା’ ସହିତ କଥା ହେଲି। ସେ ସବୁକିଛି ବୁଝିଗଲା କି କ’ଣ, ମୋ କୋଳରୁ ବାହାରି ଦୁଇ ଗୋଡ଼ରେ ଠିଆ ହୋଇ ନିଜ ଶବ୍ଦରେ କ’ଣ ସବୁ କହିଲା।
ଏପଟେ ପୁରୁଷ ମୂଷାଟି ଦୁଇ ଗୋଡ଼ରେ ଛିଡ଼ା ହୋଇ ଏକଲୟରେ ଚାହିଁ ରହିଥାଏ। ତା’ ଆଖିରୁ ଲାଗୁଥିଲା ସେ ଯେମିତି ମୋତେ କହୁଛି; "ମାଲିକ! ଟିକେ ବୁଝାଅ ତାକୁ। ମୁଁ ପୁରୁଷଟିଏ ହୋଇ କେତେ ଧୈର୍ଯ୍ୟ ଧରିବି? ସେ ସିନା ପିଲା ଜନ୍ମ କରିବ, କିନ୍ତୁ ସେମାନଙ୍କ ଲାଳନପାଳନ, ଶତ୍ରୁ କବଳରୁ ରକ୍ଷା କରିବା ଆଉ ଖାଦ୍ୟ ଯୋଗାଡ଼ କରିବା ଦାୟିତ୍ୱ ତ ମୋର! ଏତେ କଥା ବୁଝି ବି ସେ କାହିଁକି ଏମିତି କଳିଗୋଳ କରୁଛି?" ମୁଁ ଏସବୁ ବୁଝି ପୁରୁଷ ମୂଷାଟିକୁ ମଧ୍ୟ ହାତ ବଢ଼ାଇ ସ୍ୱାଗତ କଲି। ସ୍ତ୍ରୀ ମୂଷାଟି ମଧ୍ୟ ପୁରୁଷଟିର ଶବ୍ଦ ଶୁଣି ଗୁଣୁଗୁଣୁ ହୋଇ କିଛି କହୁଥିଲା। ଲାଗୁଥିଲା ସତେ ଯେମିତି ଗୋଟିଏ ଅଭିମାନିନୀ ସ୍ତ୍ରୀ ତା’ ସ୍ୱାମୀକୁ ଓଲଟା ଶୁଣାଉଛି। କିଛି ସମୟ ଏହି ଅଭିନୟ ଚାଲିବା ପରେ ମୁଁ ଯେତେବେଳେ ସ୍ତ୍ରୀ ମୂଷାକୁ ତଳେ ଛାଡ଼ିଦେଲି, ସେ କାଳବିଳମ୍ବ ନକରି ଦୌଡ଼ିଗଲା ପୁରୁଷଟି ପାଖକୁ।
ତା’ପର ଦୃଶ୍ୟଟି ଥିଲା ଖୁବ୍ ହୃଦୟସ୍ପର୍ଶୀ। ଦୁହେଁ ପ୍ରାୟ ଦୁଇ-ତିନି ମିନିଟ୍ ପର୍ଯ୍ୟନ୍ତ ପରସ୍ପରକୁ ଚାଟିବାରେ ଲାଗିଲେ। ସେହି ସ୍ପର୍ଶରେ ଯେମିତି ସବୁ ରାଗ, ରୁଷା ଆଉ ଅଭିମାନ ପାଣି ପରି ମିଳେଇଗଲା। ପୁଣିଥରେ ସେମାନେ ଖୁସିରେ ନିଜ ନିଜ ରାସ୍ତାରେ ଚାଲିଲେ। ମୁଁ ଅନୁଭବ କଲି, ଆମେ ମଣିଷମାନେ ହୁଏତ ଭାଷା ଜାଣିଛୁ, କିନ୍ତୁ ସମ୍ପର୍କ ସଜାଡ଼ିବା ଜାଣିନୁ। ଏହି ନିରୀହ ପ୍ରାଣୀମାନେ ବିନା ଶବ୍ଦରେ କେତେ ଶୀଘ୍ର ପରସ୍ପରକୁ କ୍ଷମା କରିଦିଅନ୍ତି। ସେମାନଙ୍କ ଦୁନିଆରେ ଅହଂକାର ନାହିଁ, ଅଛି କେବଳ ଅକୁଣ୍ଠିତ ପ୍ରେମ ଆଉ ଭଲପାଇବା। ସେମାନେ ଆଗାମୀ କାଲିକୁ ଦେଖିନାହାନ୍ତି, ହେଲେ 'ଆଜି' ଉପରେ ବିଶ୍ୱାସ ରଖନ୍ତି। ସେମାନେ ଅତୀତକୁ ଖୁବ୍ ଶୀଘ୍ର ଭୁଲିଯାଆନ୍ତି ଓ ବର୍ତ୍ତମାନକୁ ସ୍ୱାଗତ କରନ୍ତି। ସେମାନଙ୍କ ମଧ୍ୟରେ ନଥାଏ ଦେଖାଇ ହେବାର ପ୍ରତିଯୋଗିତା, କି ନଥାଏ ବୃଥା ଅହଂକାର! ସତରେ ସେମାନେ ମଣିଷଠାରୁ ବହୁତ ଛୋଟ, ମଣିଷ ଭଳି ସିନା ବିବେକ ନାହିଁ, ହେଲେ ଏମାନେ ନିଜର ଆତ୍ମବଡ଼ିମାରେ ଅନ୍ଧ ହୋଇ ଅନ୍ୟର କ୍ଷତି କରନ୍ତି ନାହିଁ କି ଏଭିଲି ଭୟାଭବ ବିଶ୍ୱଯୁଦ୍ଧକୁ ଆମନ୍ତ୍ରଣ କରନ୍ତେ ନାହିଁ!
  
                            ଗାଳ୍ପିକ: ଗୋପାଳ କୃଷ୍ଣ ଦାସ 
                                  ଭୁବନେଶ୍ବର, ଓଡ଼ିଶା 
  


Rate this content
Log in

Similar oriya story from Abstract