puspanjali das

Abstract

2  

puspanjali das

Abstract

ଅବ୍ୟକ୍ତ ବ୍ୟଥା

ଅବ୍ୟକ୍ତ ବ୍ୟଥା

4 mins
370


'ନମି ବୋଉ','ନମି ବୋଉ ' କୁଆଡେ ଗଲ କହି ଘର ଭିତରକୁ ପଶି ଆସିଥିଲେ ବାପା। ବାଡ଼ି ପଟୁ ବୋଉ ଲୁଗା ସୁଖା ଛାଡ଼ିଦେଇ ଲୁଗାକାନି ରେ ହାତ ପୋଛୁ ପୋଛୁ ଆସିଯାଇଥିଲା ବାପାଙ୍କ ପାଖକୁ। ଅନେକ ଆଶା ଓ ଆଶଙ୍କା ର ସ୍ପର୍ଶ ତା ମୁହଁ ରେ ସ୍ପଷ୍ଟ ବାରିହେଇପଡୁଥିଲା। ବାପାଙ୍କ ପାଖରେ ବସିପଡି ଧୀରେ କରି ପଚାରିଥିଲା-ପାଣି ଗିଲାସେ ଆଣିବି? ବାପାଙ୍କର ଶୁଖିଲା ମୁହଁ ଟା ରୁ ବାହାରି ପଡ଼ିଥିଲା, ନାଇଁ, ପାଣି ଦରକାର ନାହିଁ,ଏଇଠି ଟିକିଏ ବସ। ବୋଉ ସେଇଠି ବସିପଡି ପଚାରିଥିଲା-କଣ ହେଲା? ବାପାଙ୍କ ପାଣ୍ଡୁର ମୁହଁଟା ଯେମିତି, ଆଉ ଟିକେ ଅଧିକା ପାଣ୍ଡୁର ହୋଇଯାଇଥିଲା,ହତାଶା ଓ କ୍ରୋଧ ମିଶ୍ରିତ ସ୍ୱର ତାଙ୍କର ଭାସି ଆସିଥିଲା-ନାହିଁ, କିଛି ହବ ନାହିଁ। ବୋଉ କିଛି ନ ବୁଝି ପାରି ଟିକେ ଡରି ଯାଇ ଧୀରେ ପଚାରି ଦେଇଥିଲା-କଣ କିଛି ହବନି? ବାପା ହଠାତ୍ କିଛି କହି ନ ପାରି ଗୋଟାଏ କାଗଜ ବୋଉ ହାତକୁ ବଢ଼ାଇ ଦେଇଥିଲେ। ବୋଉ ର ସ୍ୱରରେ ଥିଲା ଅନେକ ଉତ୍କଣ୍ଠା, ପଚାରି ଦେଇଥିଲା,କଣ ଏ କାଗଜ ଟା? ବାପା କିଛି କହିନ ପାରି ଖାଲି କହିଥିଲେ, ଖୋଲିକି ଦେଖ। ବୋଉ ର ହାତ ଟିକେ କମ୍ପି ଉଠିଥିଲା,ବାପାଙ୍କର ଏମିତି କଥା ରେ,ତଥାପି ଯେମିତି ସବୁଯାକ ମନର ବଳ ଏକାଠି କରି ଖୋଲିଦେଇ ପଢିବାକୁ ଆରମ୍ଭ କରିଥିଲା ପ୍ରଥମେ କିଛି ସମୟ ପଢିବା ପରେ ମଧ୍ୟ କିଛି ନ ବୁଝିପାରିବାରୁ ବାପା ଙ୍କୁ ପଚାରିଥିଲା-ଅରେ ଏଗୁଡା ତ କେତେଗୁଡିଏ ଜିନିଷ ପତ୍ର ର ନାଁ ର ଲିଷ୍ଟ ତମେ କ'ଣ ଏଗୁଡାକ ଆମ ନମି କୁ ଦେବାପାଇଁ ଯୋଗାଡ଼ କରିବ ଭାବୁଛ,ଆମର ଏଇ ପାଞ୍ଚ ଜଣିଆ ଅଭାବୀ ପରିବାର ରେ? ବାପା, ବୋଉ ର ସେଇ ସରଳ ଶୁଖିଲା ମୁହଁଟିକୁ ଚାହିଁ କି ଟିକେ ରହିଯାଇଥିଲେ,ଆଉ ବୋଉ କୁ ବୁଝାଇବାକୁ ଚେଷ୍ଟା କରିଥିଲେ-ଆରେ, ମୁଁ କଣ ଏସବୁ କେବେବି ଯୋଗାଡ କରିପାରିବି ଭାବୁଛ? ଏସବୁ ତା' ହବାକୁ ଥିବା ଶ୍ବଶୁର ଙ୍କ ବରାଦ। ଆମେ ତ ଦେଇପାରିବାନି, ତା'ଛଡା, ଏମିତି ପରିବାର ରେ ମୋ ଝିଅ କୁ ମୁଁ କେବେହେଲେ ଦେଇ ପାରିବିନି। ସତେ ଯେମିତି ବୋଉ ଉପରେ କିଏ ଗରମ ପାଣି ପକେଇଦେଲା,ଚମକି ପଡି କହିଲା-ସେମାନେ ତ ଆମ ଜଣା ଶୁଣା ଲୋକ,ଝିଅ କୁ ମୋର ଦେଖିକି କେତେ ଖୁସି ହୋଇ ଯାଇଥିଲେ। ସବୁ ଠିକ ଠାକ କରିକି ଗଲେ। ହଠାତ୍ ଏମିତି ଏତେକଥା ଦବାକୁ କେମିତି କହିପାରିଲେ ବାପା କହିଲେ ,ଛାଡ ,ତା ଭାଗ୍ୟରେ ଅନ୍ୟ କୋଉଠି ଅଛି। ଏତକ କହି ବାପା ତାଙ୍କ କ୍ଲିନିକ କୁ ଚାଲିଗଲେ। ହେଲେ ବୋଉ,ସେଇଠି ବସି ରହିଲା, ଆଉ ଲୁଚେଇ ଲୁଚେଇ ଗଡି ଆସୁଥିବା ଲୁହତକ ତା'ଲୁଗା କାନିରେ ପୋଛି ପକାଇଲା। ଅଜାଣତରେ ତା'ର ଦୀର୍ଘ ନିଶ୍ଵାସ ଟିଏ ବହାରିପଡିଥିଲା,ସତେ ଯେମିତି ନିଜକୁ ବୁଝାଇଦେଉଥିଲା, କାହାକୁ କିଛି ନ କହିବାକୁ ନିଷ୍ପତ୍ତି ନେଇ। ନମ୍ରତା,ବାପା ବୋଉ ଙ୍କ ର ଗେଲ୍ହା ଝିଅ ନମି,ଅଜାଣତରେ ଆର ଘରେ ଥାଇ ସବୁ ଦେଖି ପାରୁଥିଲା,ଆଉ ବୁଝି ବି ପାରୁଥିଲା। ଘର ଭିତରର ଡ୍ରେସିଂ ଟେବୁଲ ଟା ଆଗକୁ ଧୀରେ ଧୀରେ ଯାଇ ନିଜକୁ ନିଠେଇ ଦେଖିଥିଲା-ଗୋରା ତକ୍ ତକ୍ ଚେହେରା ଟା ତାର ତାକୁ ଯେମିତି ଥଟ୍ଟା କରୁଥିଲା-ଏତେ ସୁନ୍ଦର ଚେହେରା ରଖିଛୁ,ଜୀବନର କୋଡ଼ିଏ ଟି ବସନ୍ତ ଜମା ଦେଖିଛୁ,ଆଉ ଏତେ ଗୁଣ ତୋର ଅଛି,ତଥାପି ଏତେ ବ୍ୟତିବ୍ୟସ୍ତ ତୋର ବାପ ମା କାହିଁକି ହଉଛନ୍ତି? ଜୀବନରେ ଆଉ ଜଣକର ସହାରା ନେଇ ଜୀବନ କଟାଇବାକୁ କଣ ତାର ଏତେଶିଘ୍ର ଦରକାର କାହିଁକି ତା'ବାହାଘର ପାଇଁ ଏତେ ଚିନ୍ତା ସମସ୍ତଙ୍କର, ସାନ ଭଉଣୀ ଟା ତ ଏତେ ଛୋଟ ଟିଏ,ଆଉ ବଡ ଭଉଣୀ ବି ତ ବହାହେଇ ସାରିଛି କାହିଁକି ତାକୁ ଗୀତ ଗାଇବାକୁ ରେଡ଼ିଓ ଷ୍ଟେସନ ରୁ ଡାକରା ଆସିଲେ ବି ତା' ବାପା ତାକୁ ପଠାଇବାକୁ ରାଜି ହେଲେନି ତା ଠାରୁ ଜୁନିଅର ଥିବା ଶିକ୍ତା ଦାସ ତ ଏବେ କେତେ ଗୀତ ରେଡ଼ିଓ ରେ ଗାଉଛି,ସମସ୍ତେ କେତେ ପ୍ରଶଂସା କରୁଛନ୍ତି। ତା'ଗୀତ ସାର ତ ତାକୁ ତାଙ୍କ ଗୀତ ଶିଖିବା ଗ୍ରୁପ ରେ ସବୁଠୁ ଭଲ ଗାଉଥିଲା ବୋଲି ଅନେକ ଥର ପ୍ରଶଂସା କରିଛନ୍ତି। ହେଲେ ରେଡ଼ିଓ ରେ ଗୀତ ଗାଇବାଟା କଣ ଗୋଟାଏ ଅପରାଧ ଏମିତି କେତେ କଣ ନମ୍ରତା ର ମନ ଭିତରେ ଘାଣ୍ଟି ହୋଇ ଯାଉଥିଲା। ଅଭିମାନ ରେ ତା ଭିତରଟା ଯେମିତି ଫୁଲି ଫୁଲି ଉଠୁଥିଲା। ବାହାଘର ଭାଙ୍ଗି ଯିବା ଦୁଃଖ ତାକୁ ଟିକିଏ ବି ଛୁଇଁ ପାରି ନଥିଲା,ହେଲେ ତା ସ୍ବପ୍ନ ର ସମାଧି ଟା ତାକୁ ଯେମିତି ବ୍ୟତିବ୍ୟସ୍ତ କରିପକାଉଥିଲା। ଡ୍ରେସିଂ ଟେବୁଲ ଟାରେ ନିଜର ଚେହେରାଟାକୁ ବେଶି ସମୟ ଆଉ ଦେଖିପାରିନଥିଲା,ରାଗ ଆଉ ବିରକ୍ତି ରେ ଗୋଡ କଚାଡି ଅନ୍ୟ ଘରକୁ ଚାଲିଯିବାକୁ ବସିଥିଲା...ହଠାତ୍ 'ବୋଉ' କଣ ହେଲା ,ଡାକରେ ଚମକି ଉଠିଥିଲା ନମ୍ରତା। ଖଟ ଉପରେ ଉଠି ବସିପଡିଥିଲା। ଆଖି ମଳି ମଳି ମୁଣ୍ଡ ପାଖରେ ଥିବା ଚଷମା ଟାକୁ ଆଣି ଆଖିରେ ଦେଇ ପ୍ରକୃତିସ୍ଥ ହୋଇଥିଲା। ପାଖରେ ପୁଅ ତା'ର କେତେବେଳୁ ଆସି ହଲାଇକି ଉଠାଉ ଥିଲା,ଜାଣିପାରିନଥିଲା। ପୁଅ ର ମୁହଁ ଟାକୁ ଦେଖିଦେଇ ଜାଣିପାରିଲା ଯେ ସେ ସ୍ବପ୍ନ ଦେଖୁଥିଲା। ହଠାତ୍ ପଚାଶ ବର୍ଷ ତଳକୁ କାହିଁକି କେଜାଣି ତା' ସ୍ୱପ୍ନ ରେ ଚାଲି ଯାଇଥିଲା ଜାଣିପାରିଲାନି। ପୁଅ କୁ କିଛି ହେଇନି,କଣ ଗୋଟାଏ ସ୍ବପ୍ନ ଦେଖୁଥିଲି ବୋଲି କହି ଭୁଲାଇ ଦେଇଥିଲା, ହେଲେ ତା'ର ଅବ୍ୟକ୍ତ ବ୍ୟଥା କୁ ନିଜ ପାଖରୁ ଯେମିତି ଲୁଚାଇ ପାରିନଥିଲା। କାହାକୁ ତ ଏ ବ୍ୟଥା କୁ ଦିନେ ହେଲେ ବି ସେ ଖୋଲିକି କହିପାରିନି। ଯେତେବେଳେ ଟିଭି,ରେଡ଼ିଓ ରେ ସିକ୍ତା ଦାସ ର ଗୀତ ଟିଏ ଶୁଣେ,ମନ ଭିତରଟା ତାର ଯେମିତି କୁହୁଳି ଉଠେ,ଅଭିମାନ ର ଭାରା ଟା ତାକୁ ଅସହ୍ୟ ଲାଗେ। ସେ ଅଭିମାନ ତା'ର ତା'ବାପା ଙ୍କୁ ଉପରେ କି ନିଜ ଉପରେ ନିଜେ ବି ଜାଣିପାରେନା।

ନମ୍ରତା ତର ତର ହୋଇ ଖଟରୁ ଓହ୍ଲାଇ ପଡ଼ିଥିଲା, ଘର ର ସବୁ କାମ ସାରି ଶୀଘ୍ର ତାକୁ ତା' ଝିଅ ର ପ୍ରଥମ କରି ହେଉଥିବା ଷ୍ଟେଜ ସୋ କୁ ଯିବାକୁ ହେବ। ଅନେକଦିନ ପରେ ଯୋଉ ଖୁସିର ଦିନଟି ତା' ଝିଅ ଜୀବନ ରେ ଆସିଛି,ସେଇଟା ଯେମିତି ତାର ଇପ୍ସିତ ଆଶା କୁ ପୂରଣ କରିବାକୁ ଯାଉଛି, ଯୋଉଠି ଦିନେ ସେ ନିଜକୁ ଦେଖିବ ବୋଲି ସ୍ବପ ଦେଖିଥିଲା,ଆଜି ସେଇଠି ତା' ଝିଅ କୁ ଦେଖି ହୁଏତ ସବୁକିଛି ମାନ ଅଭିମାନ କୁ ସବୁଦିନ ପାଇଁ ଭୁଲି ଯାଇପାରିବ।


Rate this content
Log in

Similar oriya story from Abstract