Bibhu Samanta

Abstract Romance

3  

Bibhu Samanta

Abstract Romance

ଅବିର ଫରୁଆ

ଅବିର ଫରୁଆ

3 mins
221



"ଫଗୁଣ ଆସିଛି, 

କୁହୁଡ଼ିର ପରଦା ଆଡେଇ ନାଲି ସୁରୁଜ ଟା ନିଠେଇ ହସୁଛି। ରାତି ସାରା ମଧୁବନ୍ତି ରାଗରେ ରିଆଜ କରିଥିବା କୋଇଲି ଟା ଆମ୍ବ ଗଛରେ ନୂଆ ସୁର ତୋଳୁଛି।  

ଫଗୁଣ ଆସିଛି, 

ନୂଆବୋହୁ ପରି ଫୁଲ ସବରୀରେ, ରଙ୍ଗର ପସରା ଧରି। ଅବିର ଅଗଣାରେ ମୁରୁକି ହସରେ କାହା ନାଁ ଲେଖିବ ବୋଲି। 

ଚନ୍ଦ୍ରିକା ର ନୀଳିମା କୁ ଦେହରେ ବୋଳି, କିଏ ଆସିଛି ମୁଠାଏ ଅବିର ଧରି। ସେ କି ଜାଣେ ହୋଲି ତ କେବେ ଠୁ ଗଲାଣି ଚାଲି "


 ଏମିତି ଇଆଡୁ ସିଆଡୁ ଗରାଉ ଥିଲି ଖଟରେ ଶୋଇ, ଏତିକି ବେଳକୁ ପାଟି ଶୁଭିଲା।

"ସାବୀ , ସାବୀ ଆଲୋ ହେ ସାବୀ। ଆଲୋ ଅଛୁ ନା କୁଆଡେ ଗଲୁଣୁ ବା। ବେଇଗି, ପାଣି ନୋଟାଏ ଦେଲୁ ମୁହଁଟା ଧୋଇଦିଏ। ଆଜି ସକାଳୁ କାହା ମୁହଁ ଦେଖିଲା ମଣିଷ, କେଜାଣି ଦିନ ଟା କେମିତି ଯିବ ?" ବଡ଼ ପାଟିରେ ଚିତ୍କାର କରୁଥିଲା ମଞ୍ଜୁଳା ଖୁଡି। ପାଣି ନୋଟା ନେଇ ଘରୁ ବାହାରି ଆସିଲା ସାବୀ ନୂଆଉ ପଚାରିଲା , "କ'ଣ ହେଲାକି ଖୁଡି, ସକାଳୁ ଏମିତି କଣ ଦେଖିଲ କି?" ମୁହଁରେ ପାଣି ଛାଟି ମଞ୍ଜୁଳା ଖୁଡି କହିଲା," କହନା ଲୋ ସେକଥା! ଆଜି ସକାଳୁ ନଈ ଆଡେ ଗଲା ବେଳେ ସେ ପୋଡାମୁହିଁ ଘଇତାଖାଇ ସେବ କୁ ଦେଖିଲି।ଫୁଲ ତୋଳୁଥିଲା, ଗୀତ ଗାଇ ଗାଇ। ଏଇ ବୟସରେ ବି କେତେ ନାଗର ଗୋଟାଉଛି ସେ। ବାହାଘର କେଇଟା ବରଷ ଯାଇନି ସ୍ୱାମୀ କୁ ଖାଇଲା। ଶାଶୂଘରୁ ବିଦା ହୋଇ ଆସିଲା ପରେ ଦିନରାତି ସେଇ ମନ୍ଦିର ଦୁଆରେ ବସି ରହୁଛି। କେବେ ତା ମୁହଁରେ ଦୁଃଖ ଦେଖିଛୁ? ଗୋଟେ ସୁଆଙ୍ଗ ଚଲେଇଛି।" ଘର ଭିତରେ ଥାଇ ସବୁ ଶୁଣୁଥିଲି ମୁଁ। ମଞ୍ଜୁଳା ଖୁଡି ଯେମିତି ସେ ନିଶ୍ଚୟ କହିଥିବ ଦି ପଦ ସେବ ନାନୀ କୁ। ଆହା! ବିଚାରି, ନିଆଶ୍ରି ଟା, କେତେ କଷ୍ଟ ନ ପାଇଥିବ। ଅଳ୍ପ ବୟସରେ ଜଗା ଦାଦି, ତା ବାହାଘର କରିଦେଇଥିଲେ, ତା ସ୍ବାମୀ ଗୋଟେ ଦୁର୍ଘଟଣାରେ ଚାଲିଗଲା,ଆରପାରିକୁ। ଆଖି ଆଗେ ନାଚୁଥିଲା ସେବ ନାନୀର ଲୁହ ଛଳଛଳ ଦୁଇ ଆଖି। ମୋତେ ଆସିବା ଦେଖି ମଞ୍ଜୁଳା ଖୁଡି ମୁହଁରେ ଲୁଗା ଦେଇ ପଳେଇଗଲା ସାହି ଭିତରକୁ। ଆଉ ମୁଁ ଚାଲିଲି ମନ୍ଦିର ଆଡେ, ସେବ ନାନୀ ପାଖକୁ।

ମୁଁ ଯାଇ ଦେଖେ ତ ମନ୍ଦିର ବାରଣ୍ଡାରେ ଫୁଲତୁଳସୀ ଗୁନ୍ଥଚି, ଗୁଣୁଗୁଣୁ ହେଇ। ମୁଁ ଦିଅଁଙ୍କୁ ମୁଣ୍ଡିଆ ମାରି ଆସିଲି ତା ପାଖକୁ। ତାକୁ କିଛି ପଚାରିବାକୁ ଯାଉଛି ସେ କହିଲା, "ଦେଖିଲୁ, ନା ବିନୁ ଆଜି କାଳିଆ ମୁହଁଟା ସୁଖୀ ଯାଇଛି କେମିତି!" ମୁଁ କହିଲି, "ହଁ, କେହି ଜଣେ ସକାଳୁ ଦି ପଦ ଶୁଣେଇ ଦେଇଥିବ।" ସେ ବୁଝିପାରି ହସିଲା। କହିଲା," କଥା ଥିଲା ମାଳତୀ ର ମାଳା ଗୁନ୍ଥି ଦେବାକୁ ତା ପାଇଁ। ଦେଇ ପାରିନି ବୋଲି ରୁସିଛି।" ତୋତେ କ'ଣ ମଞ୍ଜୁଳା ଖୁଡି କଥା ବାଧିନି ସେ କହିଲା, "ନା ରେ, ବାଧିବ କାହିଁକି? ସେ ଯାହା କହୁଛି ସବୁ ତ ସତ?ତେବେ କଣ ତୁ ସତରେ...."

"ହଁ , ମୁଁ ସତରେ ନାଗର କରିଛି। କାହାକୁ ଜାଣିଛୁ? ସେଇ ଯାହାକୁ ତୁ ଦିଅଁ କହି ମୁଣ୍ଡିଆ ମାରି ଆସିଲୁ। ତା ଚକା ଆଖିରେ କି କୁହୁକ କେଜାଣି? ମୁଁ ଚାହିଁକି ବି ଦୁରେଇ ରହି ପାରୁନି। କାହିଁକି କେଜାଣି ମୋ ପଣତ କାନି ଟା ଚନ୍ଦନ ଚନ୍ଦନ ବାସୁଛି। ଶେଯ ରେ କିଏ ଯେମିତି ତୁଳସୀ ବିଞ୍ଚି ଦେଇଛି। ତାକୁ ଯେତେ ଦେଖିଲେ ବି ତୃଷା ବଢି ବଢି ଚାଲିଛି। ମତେ ତ ନିଶା ଲାଗିଯାଇଛି। ସପନ ଦେଖିଲେ ଦେଖୁଛି, ମୟୂରଚନ୍ଦ୍ରିକା ନିଳିମା ଭିତରେ ଦୁଇଟା କଳା କଳା ଡୋଳା। ତୁ ଜାଣୁ ବିନୁ, ମୋତେ ଇର୍ଷା ହୁଏ , ରାଧାରାଣୀ ଙ୍କ ଉପରେ। ଇଚ୍ଛା ହୁଏ ସେଠି ମୁଁ ରହନ୍ତି କି। ଦେଖୁଥାନ୍ତି ତାକୁ। ମୁଁ ଜାଣେ, ପ୍ରେମ ରେ ଇର୍ଷା ର ସ୍ଥାନ ନାହିଁ। ହେଲେ, କ'ଅଣ କରିବି, ମୁଁ ତ ଝିଅ ଟେ, ଏଇ ପ୍ରବୃତ୍ତି ତ ରହିବ। କାହାକୁ ତା ପ୍ରିୟ ପୁରୁଷ ପାଖେ ଦେଖିଲେ, ସେ କଣ ସହିପାରିବ? ତୁ ଜାଣୁ, ମୁଁ କଣ ସ୍ୱପ୍ନ ଦେଖେ, କେଉଁ ଏକ ଗୋଧୂଳି ବେଳାରେ , ମୁଁ ମଥା ରଖି ଶୋଇଥିବି ତାରି କୋଳରେ, ତା ରଙ୍ଗ ଅଧର ରୁ ଝରୁଥିବା ନାଲି ଅବିର ସବୁ ପଡୁଥିବ ମୋ ମଥାରେ।"  କ'ଣ କହିବି ଜାଣିପାରିଲିନି, ମୁଁ ଦେଖୁଥିଲି ଭିନ୍ନ ଏକ ରଙ୍ଗ ସେବ ନାନୀ ମୁହଁରେ। ଭିନ୍ନ ଏକ ପୃଥିବୀ ! ତା ଜୀବନ ରୁ ରଙ୍ଗ ସବୁ ମୁହଁ ବୁଲେଇ ନେଲାବେଳେ ତାକୁ କେହି ଜଣେ ଦେଇ ଯାଇଛି, ଅବିର ଫରୁଆ ଟେ। ତା ପାଇଁ ତ ସେ ଅବିର ନୁହେଁ, ସିନ୍ଦୁର। ତେବେ ସେ କଣ ପାଗେଳି ହେଇଗଲା। ଚାଲି ଆସୁ ଆସୁ ଶୁଣିଲି ସେ ଗାଉଥିଲା...

ତୋ ମୁରୁକି ହସା, ତୋ ଚନ୍ଦନ ଚିତା

ତୋ ଆଖିର ଭାଷା, ତୋ ଗଜମୁକୁତା

ମୋ ଆଖିରେ ଭରି ଦେଲା ତୋରି ନିଶା

ପଡିଲା କି ମତେ ସତେ ରାଧାର ଦଶା।।




Rate this content
Log in

Similar oriya story from Abstract