Pratibha Priyadarshini

Drama Romance

3.3  

Pratibha Priyadarshini

Drama Romance

ଅଭି-ଲିପ୍ସା

ଅଭି-ଲିପ୍ସା

7 mins
14.2K


ଅଭି-ଲିପ୍ସା



ସନ୍ଧ୍ୟାର ହାଲ୍କା କିରଣ ସାଙ୍ଗକୁ ସାଗର କୂଳରେ ପବନର ଅପୂର୍ବ ସିମ୍ଫୋନୀ। ରାଶି ରାଶି ସ୍ବର୍ଣ୍ଣାଭ ବାଲୁକାରେଣୁ ଉପରେ ଆତ୍ମଗୋପନ ଛାଡି ନାଲି କଙ୍କଡା ଗୁଡାଏ ବ୍ୟଗ୍ର ପଦପାତରେ ଆଗେଇ ଚାଲିଛନ୍ତି ନିଜ ସ୍ବଚ୍ଛନ୍ଦତାର ଆନନ୍ଦ ନେବାକୁ। ଦୂରନ୍ତ ଦିଗ୍ ବଳୟ ଯେଉଁଠି ସାଗର ବୁକୁରେ ମୁହଁଗୁଞ୍ଜି ଶାନ୍ତିରେ ନିଶ୍ବାସ ନେଉଛି ଆକାଶ। ଉଭୟଙ୍କ ନିଳୀମାର ଏକିକୃତ କାନ୍ଭାସ୍ ରେ ଝଲସି ଉଠୁଛି ନୀଡ ବାହୁଡା ପକ୍ଷୀଙ୍କ ରଙ୍ଗୀନ ଡେଣା ଯେତେ। ଉଦ୍ ବେଳିତ ମନ ଓ ବିକ୍ଷିପ୍ତ ଚିନ୍ତନରୁ ସମ୍ବିତ ଫେରିପାଇଲା ଲିପ୍ସା ଯେତେବେଳେ ପୁଅ ହସି ହସି ପାଟି କରୁଥିଲା,"ମାମା, ଦେଖ୍ ତୋ ଜୋତାକୁ sea ନେଇଗଲା। ତୁ ଏବେ ଖାଲି ପାଦରେ ଯିବୁ''। ସତେତ! ସେ ଏତେ ଅନ୍ୟମନସ୍କ ଥିଲାଯେ, କେତେବେଳେ ନୂଆ ଜୋତା ହଳକ ସମୁଦ୍ର ସମାଧୀ ପାଇଲା ସେକଥା ଜାଣି ପାରିଲାନି। ପୁଅ ସାଙ୍ଗେ ଖେଳୁଥିଲେବି ଅଭି ଏସବୁ ଲକ୍ଷ୍ୟ କରିଥିଲେ। ସେତେବେଳେ କିଛି କହିଲେନି। ରାତିରେ ପୁଅ ଶୋଇଯିବା ପରେ ଯେବେ ଅବସ ଦେହ,ମନ କୁ ଶେଯରେ ଢାଳିଦେବାକୁ ଲିପ୍ସା ଉପକ୍ରମ କରୁଥିଲା, ସେହି ସମୟକୁ କଥା ହେବାପାଇଁ ଉଚିତ ମନେକଲେ ଅଭି।

ଲିପ୍ସାକୁ ଅନୁରୋଧ କଲେ କିଛି ସମୟ କଥା ହେବାପାଇଁ। ସେ ମଧ୍ୟ ବାଧ୍ୟ ଶିଶୁଟି ଭଳି ତାଙ୍କ ପାଖରେ ବସିଗଲା। ତା ହାତ ପାପୁଲିକୁ ମୁଠେଇଧରି, କଥାରେ ସ୍ନେହସ୍ପର୍ଶ ଦେଇ ଅଭି ପଚାରିଲେ, "ଏତେ ଅନ୍ୟମନସ୍କ କାହିଁକି ତୁମେ''? ଲିପ୍ସା କ'ଣ ଉତ୍ତର ଦେବ ଚିନ୍ତା କରିବା ଆଗରୁ ସେ ପୁଣି କହିଲେ,"ତୁମେ ଲିପ୍ସାର ଆସିବା କଥାକୁ ନେଇ ଏତେ ଶଙ୍କିତ, ବିବ୍ରତ ଓ ଚିନ୍ତିତ କାହିଁକି? ସେ ଏକଦା ତୁମର ରୁମ୍ ମେଟ୍, ପ୍ରିୟ ବାନ୍ଧବୀ, ବାନ୍ଧବୀ ତ ନୁହେଁ ସହୋଦରା ଭଉଣୀ ସମାନ ଥିଲା। ତାକୁ ନେଇ ଏତେ ଦ୍ବନ୍ଦ''?

ଲିପ୍ସା ହଠାତ୍ ଚକିତ ହେଲା, ବିନା କୌଣସି ଗୌରଚନ୍ଦ୍ରିକାରେ ଅଭିଙ୍କ ସଳଖ ପ୍ରଶ୍ନଯାକ ଶୁଣି। ଅତର୍କିତ ଧରାପଡି ଯାଇଥିବା ଅପରାଧୀଟି ଭଳି ଲିପ୍ସାର ପାପୁଲି ଝାଳରେ ଭିଜିଗଲା। ଅବନତ ମୁହଁକୁ ତାର ତୋଳିଧରି ଅଭୟ ଦେବାଭଳି ଦୃଢ କଣ୍ଠରେ ଅଭି କହିଲେ,"ତୁମେ ଯେଉଁ କଥାଟି ପାଇଁ ଚିନ୍ତିତ, ସେ ସତ୍ୟ ସହିତ ମୁଁ ଆମ ପ୍ରଥମ ସାକ୍ଷାତ ଦିନରୁ ଅବଗତ। ସେ ସତ୍ୟ ମୋ ଠାରୁ ଲୁଚେଇ ରଖିଛ ବୋଲି ନିଜ ଭିତରେ ଏଯାଏ ଆତ୍ମଯୁଦ୍ଧ ଚଳେଇଛ!?! ଏବେପୁଣି ଲିପ୍ସା ଆସିବା କଥା ଜାଣି ଅପରାଧ ବୋଧରେ ନିଜକୁ ଭାରାକ୍ରାନ୍ତ କରିପକାଉଛ। ମୁଁ ସବୁ ଜାଣେ, ବରଂ ତୁମେ ବହୁତ କିଛି ଜାଣି ନାହଁ''। ଏତିକି ଶୁଣିବା ପରେ ବନ୍ଧ ଭାଙ୍ଗି ଲିପ୍ସା ଆଖିରୁ ଉଜାଣି ବହିଲେ ଅଶ୍ରୁର ଗଙ୍ଗା ଯମୁନା। କୋଳେଇ ନେଲେ ଅଭି। ତାଙ୍କ ପ୍ରଶସ୍ଥ ବକ୍ଷରେ ମୁହଁଗୁଞ୍ଜି ମନ ହାଲ୍କା ହେବାଯାଏଁ କାନ୍ଦିଲା ଲିପ୍ସା।

ଅଭି ପୁଣି ଆରମ୍ଭ କଲେ,"ତୁମେ ଆଜି ସବୁ ସତ୍ୟ ଶୁଣିନିଅ, ତା ପରେ ତୁମ ନିଷ୍ପତ୍ତି ଯାହାହେବ ମୁଁ ନିଃସର୍ତ୍ତ ମାନିନେବି। ଆଜିଠୁ ଦୀର୍ଘ 11 ବର୍ଷ ତଳେ, ଯେବେ ମୁଁ ବୈଜ୍ଞାନିକ ଅଭିଜିତ୍ ସାମନ୍ତ ନଥିଲି। ଥିଲି ଯୁବ ଲେଖକ ଅଭି। DRDO ର ପ୍ରୟୋଗଶାଳା ନୁହେଁ ବରଂ ବାଣୀବିହାର ପଦାର୍ଥବିଜ୍ଞାନ ବିଭାଗରେ ଦିନ ବାତୁଥିଲା। ପାଠପଢା ଭିତରେ କାହାଣୀ ଲେଖିବାର ସଉକ ଏବଂ ପ୍ରମୁଖ ଏକ ଗଳ୍ପ ପତ୍ରିକା ଯିଏ ନୂଆ ଲେଖକଙ୍କୁ ପ୍ରୋତ୍ସାହନ ଦେଉଥିଲା, ସେଥିରେ ପ୍ରକାଶନ ପରେ ଖୁବ୍ ଗୋଟାଏ ଗାଳ୍ପିକର ପରିଚୟ ପାଇଥିଲି। ମୋ କାହାଣୀର ନାୟିକା ଭିତରେ ନିଜକୁ ଖୋଜି ପାଉଥିଲେ ଅନେକ ତରୁଣୀ। ପ୍ରତିଦିନ ଗଦା ଗଦା ଶୁଭେଚ୍ଛା ଚିଠି ମିଳେ। କେଉଁଠି ପ୍ରଶଂସାର ପାହାଡ, ପୁଣି କେଉଁଥିରେ ବାସ୍ନା ମହମହ ଗୋଲାପି ପ୍ରେମ ନିବେଦନ। ସେ ସବୁ ଚିଠି ଭିତରେ ମୁଁ କିନ୍ତୁ ଖୋଜେ ଗୋଟିଏ ଠିକଣା, ରୁମ୍ ନଂ-8, ରେଭେନ୍ସା ଛାତ୍ରୀନିବାସ। ଗୋଲ ଗୋଲ ସୁନ୍ଦର ହସ୍ତାକ୍ଷରରେ ଖୁବ୍ ସାର୍ଥକ ସମାଲୋଚନା (ଉଭୟ ସକାରାତ୍ମକ ଓ ନକାରାତ୍ମକ) ଲେଖି ପଠାଏ ଜଣେ +2 ଛାତ୍ରୀ "ଲିପ୍ସା''। ଖୁବ୍ କମ୍ ପାଠକ ଙ୍କ ଚିଠିର ଉତ୍ତର ଦିଏ ମୁଁ। ସେ ଥିଲା ଜଣେ ଏମିତି ପାଠିକା ଯାହାକୁ ମୁଁ ପ୍ରତିଥର ଚିଠିର ଉତ୍ତର ଲେଖେ। ଚିଠି ଲେଖା ଭିତରେ ଭଲ ପରିଚୟ ହୋଇଯାଇଥିଲା ଆମର। ସେ ସହଜ ହେଇଯିବା ପରେ ପ୍ରାୟତଃ ତା ରୁମ୍ ମେଟ୍ ଅନ୍ୟ ଜଣେ ଲିପ୍ସା ବିଷୟରେ କହେ। ଦୁହିଁଙ୍କ ନା ସମାନ, ଖାଲି ସାଙ୍ଗିଆ ଭିନ୍ନ। ଏମିତି 6-7 ମାସ ଚିଠି ଦେବାନେବା ଭିତରେ ଝିଅଟା ପ୍ରତି ମୋର ଏକ ପ୍ରକାର ପ୍ରତ୍ୟୟ ଆସିଯାଇଥିଲା। ତାକୁ exactly ପ୍ରେମ ବୋଲି କୁହାଯାଇ ନପାରେ, କାନ୍ତୁ ତା ସହିତ ଦେଖା କରିବାର ଇଚ୍ଛା କ୍ରମଶଃ ଜୋର ଧରୁଥିଲା ମୋ ଭିତରେ। ଥରେ ସାହାସ କରି ଚିଠି ଲେଖିଲି। ଜାନୁୟାରୀ 1୦ ତାରିଖ, ଶନିବାର। ସେଦିନ ଶାମ୍ବଦଶମୀ। ଛୁଟିଦିନ ଥିଲା, ତେଣୁ ସକାଳ 11 ଟା ବେଳେ ରେଭେନ୍ସା କଲେଜର ମୁକ୍ତାକାଶ ମଞ୍ଚ ନିକଟରେ ଭେଟିବାକୁ କହିଲି। ମୁଁ ତାକୁ ପଚାରି ନଥିିଲି, ବରଂ ରୀତାମତ ଆଦେଶ ଦେଇଥିଲି। ଚିଠି ପାଇବା ପରେ ହଷ୍ଟେଲ୍ ରେ କ'ଣ ହେଲା ସେକଥା ତୁମେ କୁହ ଲିପ୍ସା''।

ସେତେବେଳକୁ ଲିପ୍ସା କାନ୍ଦିବା ବନ୍ଦକରି, ଶାନ୍ତହୋଇ ଶୁଣୁଥିଲା ସବୁ। ମୁଣ୍ଡ ସଳଖି ଅଭିଙ୍କ ସ୍ମିତହାସ୍ୟ ଦେଖି ସହଜ ହେଲାପରେ କହିଲା,"ଲିପି ଓ ମୋ ନାଁ ଏକା ଥିଲା। ତା ନାଁ ଲିପ୍ସା ମିଶ୍ର ଓ ମୋ ନାହ ଲିପ୍ସା ଦାଶ। ତେଣୁ ସମସ୍ତେ ତାକୁ ଲିପି ଓ ମତେ ଲିପୁ ବୋଲି ଚିହ୍ନୁଥିଲେ ଯେହେତୁ ଆମେ ଦୁହେଁ ପରସ୍ପରକୁ ଏଇ ନାଁ ରେ ଡାକୁଥିଲୁ। ସାଙ୍ଗ ନୁହେଁ, ବରଂ ଦୁଇ ଭଉଣୀ ଭଳି ଥିଲା ଆମ ସମ୍ପର୍କ। ତୁମ ଚିଠି ଆସିଲେ ଆମେ ଦିଜଣ ମିଶିକି ପଢୁ। ମୋର ଗଳ୍ପ ପଢିବାରେ ଆଗ୍ରହ ନଥାଏ କି ସେ ଚିଠିରେ ତୁମକୁ କ'ଣ ଲେଖେ, ମୁଁ ସେଥିରେ ବି ଧ୍ୟାନ ଦିଏନି। ହେଲେ ସେ ବୟସରେ ଜଣେ ତରୁଣ ରୋମାଣ୍ଟିକ୍ ଲେଖକ ଠାରୁ ଆସିଥିବା ଚିଠି ପଢିବାରେ କେମିତି ଗୋଟେ ରୋମାଞ୍ଚ ଥିଲା। କହିବାକୁ ଗଲେ, ଲିପି ତୁମର ଏମିତି ଗୋଟେ ଇମେଜ ତିଆରି କରିଥିଲା ଯେ, ଯେ କୌଣସି ଝିଅ ସହଜରେ ଢଳିଯିବ। ତୁମେ ଯେବେ ଦେଖା କରିବା ପାଇଁ କହିଲ, ସେ ବଡ ଚିନ୍ତାରେ ପଡିଯାଇଥିଲା। ଖୁବ୍ ସରଳ ଝିଅଟି ସେ। ପ୍ରଥମକରି ଜଣେ ଅଜଣା ପୁଅକୁ ଏକୁଟିଆ ଦେଖା କରିବାକୁ ଅସମ୍ଭବ ଡରୁଥିଲା। ଦୁହେଁମିଶି ଠିକ୍ କଲୁ, ପ୍ରଥମେ ମୁଁ ଯାଇ ପରଖିନେବି ତୁମେ କେମିତି ମଣିଷ ଟିଏ। ତା ପରେ ସେ ଚିଠିରେ ସତକଥା ଜଣାଇ କ୍ଷମା ମାଗିନେବ। ସେଦିନ ସେଥିପାଇଁ ତା ବଦଳରେ ମୁଁ ଯାଇଥିଲି ତୁମକୁ ଦେଖା କରିବାକୁ। ସେଦିନର ସାକ୍ଷାତ ପରେ ମୁଁ ତୁମପ୍ରତି ଅସମ୍ଭବ ଆକୃଷ୍ଟ ହୋଇପଡିଥିଲି ଏବଂ ତୁମ ଚିଠାରୁ ଜାଣିଲି ତୁମେ ମଧ୍ୟ ମୋତେ ପସନ୍ଦ କରୁଥିଲ। ଲିପି କଟକ ଚଣ୍ଡୀଙ୍କ ରାଣ ଖାଇକି କହିଥିଲା ଯେ କେବଳ ତା'ର ମୋ'ର ବ୍ୟତିତ ତୃତୀୟ କେହି ଜାଣିବେନି ଯେ ତୁମକୁ ଚିଠା ଲେଖୁଥିବା ଲିପ୍ସା ଓ ତୁମେ ଦେଖିଥିବା ଲିପ୍ସା ଦୁଇଜଣ ଭିନ୍ନ ମଣିଷ ବୋଲି। ହେଲେ ଏତେବର୍ଷ ପରେ ଆତ୍ମପ୍ରକାଶ କରି ଲିପି ପୁଣିଥରେ ମତେ ସଂଶୟ ଗହ୍ବରକୁ ଠେଲି ଦେଇଛି''। ଏତିକି କହି ସେ ପୁଣିଥରେ ଅଭିଙ୍କ ଉପରକୁ ଆଉଜି ପଡିଲା।

ତା ଅଲରା କେଶକୁ ଆଙ୍ଗୁଳିରେ କେରି କେରି ଭାଙ୍ଗ କରୁ କରୁ ଅଭି ଦୀର୍ଘଶ୍ବାସ ଟିଏ ନେଇ କହିଲେ,"ତୁମେ ଜାଣିନ ଲିପ୍ସା, ତୁମ ଲିପିର କାୟା ସିନା ଛୋଟ, ମନଟା ତା'ର ବେଶ୍ ବଡ। ସେ ତୁମ ସୁଖସଂସାରରେ ଭୂମିକମ୍ପ ଆଣିବାକୁ ଆତ୍ମପ୍ରକାଶ କରିନି। ତା ତ୍ୟାଗ ଯୋଗୁଁ ହିଁ ତୁମେ ଆଜି ସଂସାର କରି ସୁଖ ପ୍ରାଚୁର୍ଯ୍ୟ ଭୋଗ କରିପାରୁଛ। ମୁଁ ନିଜେ ତାକୁ ଆମନ୍ତ୍ରଣ କରିଚି ଆମ ଘରକୁ (ପ୍ରଶ୍ନିଳ ଦୃଷ୍ଟିରେ ନିର୍ବୋଧଙ୍କ ଭଳି ଚାହିଁଥାଏ ଲିପ୍ସା)।

ସେଇ ପ୍ରଥମ ସାକ୍ଷାତ ଦିନହିଁ ତୁମକୁ ଦେଖିବା ମାତ୍ରେ ଜାଣି ପାରିଥିଲି, ତୁମେ ସେଇ ଲିପ୍ସା ନୁହେଁ ଯିଏ ମୋତେ ଚିଠି ଲେଖେ। ସେ ଚିଠିରେ ପୁରା ନାଁ ନଲେଖିଲେବି ଥରେ କଥା ପ୍ରସଙ୍ଗରେ ତା ଆଜାନୁ ଲମ୍ବିତ ବେଣୀ କଥା ଲେଖିଥିଲା। ତୁମେ ଦୁହେଁ ହୁଏତ ସେକଥା ଭୁଲି ଯାଇଥିଲ। ତୁମ ବବ୍ କରା କେଶ ଦେଖି ମୁଁ ସତ୍ୟ ଜାଣି ପାରିଥିିଲି। ହେଲେ ସାମ୍ନାରେ ତୁମଭଳି ରୂପସୀକୁ ଦେଖି ମନେ ମନେ କୁରୁଳି ଉଠିଥିଲି ଲଟେରୀ ଜିତିବା ଭଳି। ଗେଟ୍ ବନ୍ଦ ହେଇଯିବ ବୋଲି ତରବର ହୋଇ ହଷ୍ଟେଲ ଫେରିବା ବେଳେ ତୁମେ ମନିପର୍ସଟା ରେଷ୍ଟୁରାଣ୍ଟ ଟେବୁଲ ଉପରେ ଛାଡି ଆସିଲ। ମୁଁ ସେଥିରୁ ଚୋରି କରିଥିଲି ତୁମ ଝାଳ ମଖା ରୁମାଲ୍ ଟିକୁ ପ୍ରଥମ ସାକ୍ଷାତର ସନ୍ତକ ଭାବେ। ହଷ୍ଟଲ୍ ଯାଏ ଆସିିିଲି ପର୍ସଟା ଫେରେଇ ଦେବାକୁ। ମୁଁ ଜଗୁଆଳକୁ ଡାକି ପର୍ସ ଫେରେଇବା ଲାଗି ଦେଲାବେଳେ ଦେଖିଲି ତନୁପାତଳୀ ଅଳ୍ପ ଉଚ୍ଚତାର ଝିଅଟେ ତାକୁ ଅନୁନୟ କରୁଥିଲା ମୁଣ୍ଡବିନ୍ଧା ନିବାରଣ ଔଷଧ ଆଣିଦେବାକୁ। ଖଣ୍ଡେ ଛୋଟ କାଗଜରେ ଔଷଧ ନାଁ ଆଉ ନିଜ ନାଁ, ରୁମ୍ ନଂ ଲେଖି ଦରୁଆନକୁ ବଢାଇଲା ସେ। ଦୁର୍ଯୋଗ ଯେ କାଗଜ ଖଣ୍ଡକ ଉଡିଆସି ମୋ ପାଖରେ ପଡିଲା। ସେଖଣ୍ଡିକ ଉଠାଇ ଝାଡି ଦେଉ ଦେଉ ଦେଖିଲି  ସେଥିରେ ସେହି ପରିଚିତ ହସ୍ତାକ୍ଷର ଓ ପରିଚିତ ଠିକଣା, ଲିପ୍ସା, ରୁମ୍ ନଂ-8। ମୋର ବୁଝିବା ବାକି ରହାଲାନି, ଯେ ସେ ଥିଲା ମୋ କ୍ରିଟିକ୍ ଲିପ୍ସା,ତୁମ ଲିପି। ସେ ଦିନ ପରେ ସେ ଆଉ ଚିଠି ଲେଖେନି। ଚିଠି ତୁମେ ନିଜେ ଲେଖୁଥିଲ। ମୋ ଗଳ୍ପ ର ସମାଲୋଚନା ବଦଳରେ ତୁମ ମନକଥା, ଖଟା ମିଠା ପ୍ରେମକଥାରେ ମହ ମହ ବାସୁଥିଲା ତୁମ ଚିଠିର ଫର୍ଦ୍ଦ ସବୁ।

ତା ପରେ ଆମର 5 ବର୍ଷ ର ସମ୍ପର୍କ, ଆଉ ବାହାଘର। ଆମ ପ୍ରଥମ ସନ୍ତାନ ନଷ୍ଟ ହେବାବେଳେ ଡାକ୍ତର ଯେବେ କହିଥିଲେ ତୁମ ଜରାୟୁର କ୍ଷୁଦ୍ରତା ଗର୍ଭଧାରଣ ଲାଗି ଅନୁପଯୁକ୍ତ, ତୁମେ ଏକବାର ଭାଙ୍ଗି ପଡିଥିଲ। ତୁମକୁ ଧୈର୍ଯ୍ୟ ଦେଉଥିଲେ ବି, ମୋ ମନ ଏକାନ୍ତରେ ବିଳାପ କରୁଥିଲା ସନ୍ତାନ ଲୋଭରେ।

ସେତେବେଳେ ଲିପି ହିଁ ଦେବଦୂତ ଭଳି ପୁଣିଥରେ ଆସିଥିଲା ଆମ ଜୀବନରେ। ସେ ଡାକ୍ତରଙ୍କ ଦୂର ସମ୍ପର୍କୀୟା। ଆମକୁ ସରୋଗେସି ପାଇଁ ରାଜି କରେଇଥିଲେ ଡାକ୍ତର। ନିଜ ସନ୍ତାନ ଲାଗି ସୁରକ୍ଷିତ ଏବଂ ଭଲ ମାତୃଗର୍ଭ ଟିଏ ଖୋଜିବା ବେଳେ, ଲିପି କୁ ଏକଥା ଜଣେଇଥିଲେ ଆମ ନାମ ଗୋପନ ରଖି। ସେ ଅବିବାହିତା ରହିବାର ନିଷ୍ପତ୍ତି ନେଇସାରିଥିଲା, ତେଣୁ ତା ଆଡୁ ହଁ ଭରିଥିଲା। ଆମ ପୁଅକୁ ଲିପି ହିଁ ତା ଗର୍ଭରେ ଧରି ଜନ୍ମ ଦେଇଥିଲା। କେଉଁ ଏକ ତପସ୍ବିନୀ ଭଳି ଅବିବାହିତା ରହି ଏକ ଅସଙ୍ଗତ ମୋକ୍ଷ ଲାଳସାରେ କୃଚ୍ଛ୍ର ସାଧନା ଚଳେଇଥିବା ସେ କ୍ଷୀଣାଙ୍ଗୀ ଝିଅଟା ହଠାତ୍ ଖବ୍ ବଡ ହେଇଯାଇଥିଲା। ଅନ୍ୟ ଜଣେ ଅପରିଚିତା ନାରୀ ଜୀବନରେ ପୂର୍ଣ୍ଣତା ଭରିଦେବାକୁ ଏତେ ବଡ ତ୍ୟାଗ କରିବା କିଛି କମ୍ କଥା ନୁହେଁ।

ମୁଁ ବି ତା'ର ଏ ଉପକାର କଥା ଜାଣିପାରି ନଥାନ୍ତି। ସେ ଡାକ୍ତରଙ୍କ ଠାରୁ ସତ୍ୟ କରେଇ ନେଇଥିଲା ତା ନାଁ ଚିର ଗୋପନ ରଖିବାକୁ। ଜାଣିଛ, ସେ ଆଜି ମୃତ୍ୟୁର ଖୁବ୍ ପାଖାପାଖି। ତାକୁ ସର୍ଭାଇକାଲ୍ କ୍ୟାନ୍ସର୍ ବୋଲି  ଏଇ ନିକଟରେ ଜଣା ପଡିଲା। ଭଲହେବାର ସମ୍ଭାବ୍ୟ ସମୟ ଅତିକ୍ରାନ୍ତ ହେଇସାରିଛି। ହେଲେ ମୃତ୍ୟୁ ପୂର୍ବରୁ ଜନ୍ମିତ ସନ୍ତାନକୁ ଥରେ ଆଖି ପୁରେଇ ଦେଖିବା ଲାଗି ଶେଷ ଇଚ୍ଛା ସ୍ବରୂପ ଡାକ୍ତରଙ୍କୁ ଅନୁରୋଧ କରିଥିଲା ବଡ ସନ୍ତର୍ପଣରେ। ଡାକ୍ତରଙ୍କ ଠାରୁ ଏକଥା ଜାଣି ମୁଁ ଆଜି କ୍ଲିନିକ୍ କୁ ଯାଇଥିଲି ଜଣେ ମା'ର ଶେଷ ଆଶା ପୁରଣ ଲାଗି ଦିନ, ସ୍ଥାନ ଓ ସମୟ ସ୍ଥିର କରିବାକୁ। ସୁଯୋଗ କୁହ ବା ଦୁର୍ଯୋଗ, ସେଠି ଦେଖାହେଲା ଲିପ୍ସା ମିଶ୍ର, ମୋ ବିଦଗ୍ଧ ପାଠିକା, ସଚ୍ଚୋଟ କ୍ରିଟିକ୍, ତୁମ ମୋ ସମ୍ପର୍କର ସୂତ୍ରଧର ଓ ଆମ ସନ୍ତାନର ଜନ୍ମଦାତ୍ରୀ। ଡାକ୍ତର ହିଁ ସବୁ ସତ୍ୟ ପ୍ରକାଶ କଲେ। ଏକ ପ୍ରକାର ଭଲହେଲା। ଅନ୍ତିମ ସମୟରେ ତାକୁ ସତ୍ୟ ନଜଣେଇବା ମସ୍ତବଡ ଅପରାଧ ହୋଇଥାନ୍ତା, ନୁହେଁକି? ମୁଁ ତାକୁ କାଲି ଆମଘରକୁ ଆସିବା ଲାଗି ଜୋର୍ କରି କହି ଆସିଛି, ତୁମ ନାଁ ଓ ପୁଅ ନାଁ ର ଦ୍ବାହିଦେଇ। ଏବେ ସବୁକିଛି ଜାଣିବାପରେ ତୁମେ ଯାହା ନିଷ୍ପତ୍ତି ନେବ ମୁଁ ସେଥିରେ ରାଜି। ରାତି ଅନେକ ହେଲାଣି, ଚାଲ ଶୋଇ ପଡିବା''।

 

ପରଦିନ ସକାଳ ନୂଆ ଏକ ସୂର୍ଯୋଦୟ ନେଇ ଆସିଥିଲା। ଲିପ୍ସା ସକାଳୁ ଘରକୁ ଭଲକରି ସଜାଡିନେଲା। ଲିପିକୁ ସାଙ୍ଗରେ ଧରି ପହଞ୍ଚିଲେ ଅଭି। ଦୁଇ ବାନ୍ଧବୀ ଦଶନ୍ଧି ପରେ ପରସ୍ପରକୁ କୋଳାଗ୍ରତ କରି ଖୁବ୍ ଭାବୁକ ହେଲେ। ସେତିକି ବେଳେ କୁନିପୁଅ ଆସି ଲିପିକୁ ନମସ୍କାର ଆଣ୍ଟି ବୋଲି କହିବା ବେଳେ ଲିପ୍ସା ତାକୁ ବୁଝେଇ କହିଲା,"ବାବୁରେ, ଇଏ ଆଣ୍ଟି ନୁହନ୍ତି। ମା ବୋଲି ଡାକ୍। ମୁଁ ତୋ ମାମା ଆଉ ଇଏ ତୋ ମା''। ଏତିକି ଶୁଣି ଲିପ୍ସା-ଅଭି-ଲିପ୍ସା ଙ୍କ ଆଖି ସଜଳ ହୋଇ ଉଠୁଥିଲା। ଆଉ ଟିକି ପିଲାଟି ଦୁଇ ମାଆଙ୍କ କୋଳମଣ୍ଡନ କରି ଏସବୁ ଦେଖୁଥିଲା ନିିଷ୍ପାପ, ନିର୍ବୋଧ ଦୃଷ୍ଟିରେ, ହେଲେ ବୁଝି ପାରୁନଥିଲା ଏ ମଧୁର ମମତା ବନ୍ଧନର ଈତିବୃତ୍ତି।


Rate this content
Log in

Similar oriya story from Drama