Sachidananda Kar

Classics

3  

Sachidananda Kar

Classics

ଆତ୍ମବିଶ୍ବାସ

ଆତ୍ମବିଶ୍ବାସ

2 mins
180



            - " ତୁମେ ବଞ୍ଚିଛ ନା ନାହିଁ ? " ହଠାତ୍ କେହି ଜଣେ ମୋତେ ଏମିତି ପଚାରିଲେ।


            ମୁଁ ତାଙ୍କୁ ବୁଲି ଚାହିଁଲି।ଅଳ୍ପ ଚିହ୍ନା,ବେଶୀ ଅଚିହ୍ନା ଲାଗୁଥିଲେ ସେ।


            - " କ'ଣ ଭଗବାନ ତୁମକୁ ପଠାଇଛନ୍ତି ? ମୋ ଠାରୁ ଉତ୍ତର ଆଦାୟ କରି ନେଇ ତାଙ୍କୁ କହିଵ ? " ଓଲଟି ଏମିତି ତାଙ୍କୁ ପଚାରି ଦେବାକୁ ଇଚ୍ଛା ହେଲା।


            ବିରକ୍ତି ଅନୁଭବ ମୋ ଭିତରେ ଥିଲା।ହେଲେ ପ୍ରଶ୍ନଟା ଏତେ ଅଖାଡୁଆ ଥିଲା ଯେ ପଚାରି ପାରିବିନି ଭାବିଲି।


             ସେ ମୋ ଉତ୍ତର ଅପେକ୍ଷାରେ ଥିଲେ।


             ବିଳମ୍ବରେ ହେଲେ ମଧ୍ୟ କିଛି ଗୋଟିଏ ଉତ୍ତର ମିଳିଯିବ ବୋଲି ବିଶ୍ଵାସ କରୁଥିଲେ ସେ।ତାଙ୍କ ମୁହଁରୁ ତାହା ସ୍ପଷ୍ଟ ଜଣା ପଡ଼ୁଥିଲା।


             - " ଦେଖ ବନ୍ଧୁ, ମୁଁ ବଞ୍ଚିଛି।ତୁମେ ବଞ୍ଚିଛ।ସମସ୍ତେ ବଞ୍ଚିଛନ୍ତି।କିଛି ତ କାରଣ ଅଛି।ତା' ନ ହେଲେ ଏଠି ସମସ୍ତେ କ'ଣ ପାଇଁ ବଞ୍ଚିଛନ୍ତି ? " ମୁଁ କହିଲି।


             - " ତାହା ସତ,ହେଲେ ଯେଉଁ ଭିଟାମାଟି ଉପରେ ଘର ତୋଳିଛ ତାକୁ ଅନ୍ୟ କେହି ନିଜର ବୋଲି ଦାବି କରୁନାହିଁ ତ ? ଏ ବାବଦରେ ତୁମେ ନିଶ୍ଚିତ ତ ? ତା' ଛଡା ତୁମର ପଡୋଶୀମାନେ କେବେ କେମିତି ତୁମକୁ ଉଲଗ୍ନ କରୁନାହାନ୍ତି ତ ? " ସେ ପୁଣି କହିଲେ।


             - " ଦେଖନ୍ତୁ, ସାତପୁରୁଷର ଭିଟାମାଟି ଉପରେ ମୋର ଘର।କୋଶ କୋଶ ଦୂରରୁ ନିଜର ଘରଦ୍ଵାର ଛାଡି ଚିଲିକାକୁ ଉଡି ଆସିଥିବା ସାମୁଦ୍ରିକ ପକ୍ଷୀ ନୁହେଁ ମୁଁ।ପଡୋଶୀଙ୍କ କଥା କ'ଣ ପଚାରୁଛନ୍ତି ? ଦେଶ ମାଆର ପଣତରେ ଯେତେ ରକ୍ତ ଦାଗ ଲାଗିଛି ମମତାର ବର୍ଷାରେ ସେସବୁ ଧୋଇ ଯାଇଛି ନାହିଁ ? ସେହିପରି ବଞ୍ଚିବାକୁ ପଡୁଛି।ଯେତେ ଯାହା ହେଲେ ପଡୋଶୀ ତ ପଡୋଶୀ ନା ? ତାକୁ ବଦଳାଇ ହୁଏ ନା ହେବ ? " ମୁଁ କହିଲି।


              - " ତେବେ ସବୁ ଠିକ୍ ଚାଲିଛି ? " ମୋ କଥାଶେଷରେ ସେ କହିଲେ।


              - " ଭଗବାନ କାହାକୁ କେମିତି କରି ଗଢିଛନ୍ତି।ସଂସାର ଗାଡିଟା ସହଜରେ, ସ୍ବଚ୍ଛନ୍ଦରେ ଚାଲେ ନାହିଁ।ଜନ୍ମ ସହିତ କର୍ମ ଯୋଡି ହୋଇ ଥାଏ।କିଏ ଶାନ୍ତି କରୁଥାଏ ତ କିଏ ଯୁଦ୍ଧ।ଏଠି ସଂଘର୍ଷ ନ କରି କିଏ ବଞ୍ଚିପାରିଛି ଯେ ? କେତେବେଳେ କିଏ କିଛି ହଜେଇ ଦେଉଛି ତ କେତେବେଳେ କାହାଠାରୁ କିଛି ଛଡେଇ ଆଣିବାକୁ ପଡୁଛି।ବଞ୍ଚିବାରେ ଆକାଶ ଛତା ହେଉଛି,ଛାତ ବି ହେଉଛି।ଆଖିର କଜ୍ବଳ ହେଉଛି ସ୍ବପ୍ନ।ନିଃଶ୍ବାସ, ପ୍ରଶ୍ବାସ,ଦୀର୍ଘଶ୍ବାସ - ସବୁକୁ ନିୟନ୍ତ୍ରିତ କରୁଛି ସେ।ଧୀରେ ହେଉ ବା ଦ୍ରୁତ ଗତିରେ - ସଂସାର ଗାଡି ଆଗକୁ ଗଡୁଛି। " ମୁଁ କହିଲି।


              - " ବଞ୍ଚିଛ ତେବେ ? ହେଲେ କାହାପାଇଁ ତ ବଞ୍ଚୁଥିବ ? " କଥା ଆଗକୁ ବଢାଇବାକୁ ଚାହିଁଲେ ସେ।


              - " ମୋ ଆଗରେ କିଛି ଅଛନ୍ତି।ସେମାନେ ମୋର ବାପା, ଗୋସବାପା ହୋଇଥିବେ।ମୋ ପଛରେ ବି କିଛି ଅଛନ୍ତି।ସେମାନେ ମୋର ପୁଅ,ଝିଅ, ନାତି,ନାତୁଣୀ ହୋଇଥିବେ।ବାପା, ଗୋସବାପା କହୁଛନ୍ତି, ତୁ ଆ'।ଭୟ କରନା।ଆମେ ପରା ଆଗରେ ଅଛୁ।ସେମାନଙ୍କ ପଦାଙ୍କ ଅନୁସରଣ କରି ଚାଲିଛି ମୁଁ।ପୁଅ,ଝିଅ, ନାତି,ନାତୁଣୀମାନେ କହୁଛନ୍ତି,ବାପା, ତୁମେ ଆଗେଇ ଚାଲ।ଡରନି।ତୁମେ ମରିବନି।ଆମେ ସବୁ ତୁମ ପଛରେ ଅଛୁ।ତୁମ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛୁ।ସେମାନଙ୍କ କଥା ମତେ ଶକ୍ତି, ସାହସ, ପ୍ରେରଣା ଯୋଗାଉଛି।ନିର୍ଭୟରେ ମୁଁ ଆଗକୁ ଆଗକୁ ଚାଲିଛି। " ମୁଁ କହିଲି।


               ଆଉ କିଛି ନ କହି ସେ ନିରବ ରହିଲେ।


               ମୁଁ ପୁଣି କହିଲି - " ଏବେ ବୋଧହୁଏ ବୁଝି ଯାଇଥିବ କ'ଣ ପାଇଁ ମୁଁ ଏଇଠି ଅଛି।ଆଉ କ'ଣ ପଚାରିବ ମୁଁ ବଞ୍ଚିଛି ନା ନାହିଁ ? "


               ସେ କହିଲେ - " ନା,ମୁଁ ଏବେ ଯାଉଛି। "


               - " କୁଆଡ଼େ ? " ମୁଁ ପଚାରିଲି।


               - " ଯାଉଛି ତୁମର ସବୁ କଥା ଭଗବାନଙ୍କୁ କହିବି। " ସେ କହିଲେ।


               ହଠାତ୍ ମୋତେ ଜଣେ ଦିବ୍ୟ ପୁରୁଷ ଭଳି ସେ ଦିଶିଲେ।ମୁଁ ଆଶ୍ଚର୍ଯ୍ୟ ହେଉ ହେଉ ସେ କୁଆଡ଼େ ଅର୍ନ୍ତଧ୍ୟାନ ହୋଇଗଲେ।


               ତାଙ୍କୁ କିଛି ଭୁଲ୍,ମିଛ ବା ମନଗଢା କଥା କହିଦେଇ ନାହିଁ ତ ? ନିଜକୁ ପ୍ରଶ୍ନ କଲି।ହେଲେ ମୋତେ କାହିଁକି ସେମିତି ଲାଗୁ ନ ଥିଲା।


Rate this content
Log in

Similar oriya story from Classics