STORYMIRROR

Sachidananda Kar

Classics

3  

Sachidananda Kar

Classics

ଆଶାରେ ଆଶାରେ

ଆଶାରେ ଆଶାରେ

2 mins
179


       ଅପେକ୍ଷାରେ ଥିଲି। 


       କାହା ହାତରୁ ଟେକାଟିଏ ଖସିବ।ଆସି ମୋ ମଥାରେ ବାଜିବ।ମୋର ଭାଗ୍ୟୋଦୟ ହେବ। ଏମିତି ଭାବୁଥିଲି। 


       ସମ୍ଭାବନାର ସ୍ବପ୍ନ ଦେଖିବାରେ ଥିଲି ମୁଁ ମସଗୁଲ।ସବୁବେଳେ ନୂଆ ସମ୍ଭାବନାକୁ ଅପେକ୍ଷା କରୁଥିଲି। 


       ଆଗକୁ ଆଗକୁ ଯିବା ମଣିଷର ଧର୍ମ।ମୁଁ ଆଗକୁ ଆଗକୁ ଚାଲିଥିଲି।ଦିନେ ନା ଦିନେ ସୁବର୍ଣ୍ଣ ସୁଯୋଗ ଆସିବ - ଏଇ ବିଶ୍ୱାସଟି ମୋ ଭିତରେ ଦୃଢ଼ ହେବାରେ ଲାଗିଥିଲା। 


       ଆଜିର ଦୃଶ୍ୟପଟ କାଲିକି ବଦଳି ଯାଇପାରେ।ଅସମ୍ଭବ ନୁହେଁ।କ'ଣ ଏଠି ସ୍ଥାୟୀ ଆଉ ସ୍ଥିର ଯେ? - ଭାବୁଥିଲି ଏମିତି। 


       ଏବଂ ଏହି କାରଣରୁ ସୁଖଦୁଃଖ, ହାନିଲାଭ,ଏପରିକି ମୃତ୍ୟୁକୁ କାନ୍ଧରେ ବୋହି, ଚୁମା ଦେଇ ବଞ୍ଚିବାର ଆନନ୍ଦରେ ମୁଁ ବିଭୋର ହେଉଥିଲି।ମୋ ସ୍ବପ୍ନ ପାଇଁ ମୋତେ ରାତି ଅଣ୍ଟୁ ନ ଥିଲା।ମୋର ଆଗାମୀ ଦିନଗୁଡ଼ିକ ପାଇଁ ସ୍ବପ୍ନ ଦେଖୁଥିଲି ମୁଁ।ମୋ ସ୍ବପ୍ନ ଛାଇ ଭଳି ମୋ ପଛରେ ଠିଆ ହୋଇ ରହିଥିଲା। 


       - କାଲି ସକାଳକୁ କାହିଁକି ଅପେକ୍ଷା କରୁଛୁ?ଭାଗ୍ୟୋଦୟ ହେବ ବୋଲି କିଏ କହିବ?ମଣିଷ ଜିତି ପାରେନାହିଁ ସବୁବେଳେ।ସବୁ ସ୍ଵପ୍ନ ସତ ହୁଏ ନାହିଁ।ଏଇ ମୁହୂର୍ତ୍ତ ବି ହୋଇପାରେ ଜୀବନର ଶେଷ ଘଡ଼ି।ଏଠି ନୂଆ ନୂଆ ସମ୍ଭାବନାର ସ୍ବପ୍ନ ଦେଖିବା ବୃଥା।ଆଜି ନ ହେଲେ ବି କାଲି ସମସ୍ତଙ୍କୁ ପରା ଯମ ନିଏ। 


       ଦିନେ ମୋର କିଛି ବନ୍ଧୁଙ୍କ ଗହଣରେ ମୁଁ ଥିବାବେଳେ ମୋତେ ଲକ୍ଷ୍ୟ କରି କିଛି ବନ୍ଧୁ ଏମିତି କହିଲେ।ଏସବୁ ନୈରାଶ୍ୟର କଥା।କିଛି ସମୟ ପାଇଁ ମୁଁ ନୈରାଶ୍ୟରେ ବୁଡ଼ିଗଲି।କୌଣସି ଉତ୍ତର ଦେଇ ପାରିଲି ନାହିଁ। 


       ଏଠି ପାଣି ପବନ ଥିଲେ ଡାଳରୁ କଅଁଳି ଉଠେ ନୂଆ ପତ୍ର।ଲତାର ଅଗ ମୋଡ଼ିଦେଲେ ବି ସେ ଜମା ଭାଙ୍ଗି ପଡ଼ିବାର ଦେଖାଯାଏ ନାହିଁ।ପୁଣି ନୂଆ କରି ଲଟେଇଯାଏ।ମୂଳରୁ ହାଣିଦେଲେ ମରିଯାଏନା ଅମରି।ପୁଣି ବଞ୍ଚେ, ପୁଣି ବଢ଼ିବାରେ ଲାଗିଯାଏ।ଭୋକ ଥିଲେ ଭେକ ଥାଏ।ଦୁଃଖୀ ମଣିଷର ନିସ୍ତେଜ ଆଖିରେ ଭାସୁଥାଏ ଢଳ ଢଳ ସ୍ବପ୍ନ। 


       କାହିଁକି ଏମିତି ହୁଏ?କାହିଁକି ବଞ୍ଚିବାର ଆନନ୍ଦରେ ସମସ୍ତେ ଏଠି ବିଭୋର?କାହିଁକି ଏଠି ଶୂନ୍ୟତାରେ ପୂର୍ଣ୍ଣତାର ସନ୍ଧାନ କରୁଥାନ୍ତି ସମସ୍ତେ? 


       ସେଦିନ ଘରକୁ ଫେରିବା ପରେ ମୋର ଏମିତି ପ୍ରଶ୍ନ ସବୁ ମୋତେ ଏମିତି ଆକ୍ତାମାକ୍ତା କଲା।ବାସ୍ତବରେ ସେମାନେ କ'ଣ ସେପରି ଜୀବନ ବଞ୍ଚନ୍ତି?ନିଜକୁ ପଚାରିଲି। 


       ସେମାନଙ୍କୁ ସେପରି ଜୀବନ ବଞ୍ଚୁଥିବା ଦେଖୁ ନ ଥିଲି।ସୁନ୍ଦର ମୁହୂର୍ତ୍ତ ବିତାଉଥିଲେ ସେମାନେ।ଚିତ୍ରିତ ଫୁଲମାନଙ୍କୁ ହାତପାପୁଲିରେ ଧରି ରଖୁଥିଲେ।ପଢ଼ୁଥିଲେ ସେମାନଙ୍କର ଭଲପାଇବାର ପରିଭାଷା।ନାନା ସ୍ବପ୍ନରେ ମନକୁ ସଜାଉଥିଲେ।ଆଗକୁ ଆଗକୁ ଆହୁରି ଆଗକୁ ବଢ଼ିବାକୁ ସାହସ ଓ ପ୍ରେରଣା ସଂଗ୍ରହ କରୁଥିଲେ।ନୂଆ ସମ୍ଭାବନାର ସକାଳ ପାଇଁ ସ୍ବପ୍ନ ପୂରଣ ଆଶାରେ ମସଗୁଲ ରହୁଥିଲେ। 


       ଏହାପରେ ମୁଁ ବୁଝିଗଲି ଯେ ଏସବୁ ସେମାନଙ୍କର ମୋ ପ୍ରତି କପଟତା ଓ ଛଳନା।ହିଂସା ଓ ଈର୍ଷାର ଅନ୍ୟନାମ ବୋଲି ମଧ୍ୟ ଏସବୁକୁ କୁହା ଯାଇପାରେ ବୁଝିଲି।ମୋତେ ମୋ ରାସ୍ତାରୁ ଦୂରେଇ ଦେବା ପାଇଁ ଷଡ଼ଯନ୍ତ୍ର ରଚୁଛନ୍ତି ସେମାନେ।ମୋତେ ମୋ ନିଜ ପାଇଁ ଓ ସମାଜ ପାଇଁ ଅଯୋଗ୍ୟ କରିଦେବାକୁ ଚାହୁଁଛନ୍ତି। 


       ଆଶା ନ ଥାଇ ଜୀବନ ନ ଥାଏ।ସେମିତି ଜୀବନ କେବେ ଖୋଜି ନ ଥିଲି ମୁଁ।ମରିବା ଆଗରୁ କତରା ଘୋଡ଼ାଇ ହୋଇ ଶୋଇବାକୁ କେହି ଚାହାନ୍ତି ନାହିଁ।ମୁଁ ଚାହିଁ ନ ଥିଲି। 


       ଦିନେ ପୁଣି ସେହି ବନ୍ଧୁମାନଙ୍କ ସହିତ ମିଳିତ ହେଲେ।ସେମାନେ ପୁଣି କିଛି କହିବା ଆଗରୁ ସେମାନଙ୍କୁ କହିଲି - ' ବନ୍ଧୁ!ବାସ୍ତବରେ କାଲି ସକାଳକୁ ଭାଗ୍ୟୋଦୟ ହେବ ବୋଲି ଭାବିବା ଆଦୌ ଠିକ୍ ନୁହେଁ।କୌଣସି ସମୟ ବି ଆମପାଇଁ ଜୀବନର ଶେଷ ସମୟ ହୋଇପାରେ।କାହିଁକି ନୂଆ ସମ୍ଭାବନା କଥା ମନକୁ ଆଣିବା?କାଳ ବିଳମ୍ବ ନ କରି ସମସ୍ତେ ଜୀବନ ଗୀତା ଗାଇବା ଭଲ।ସ୍ବର୍ଗ ଓ ନର୍କର ଦ୍ବାର ଆମପାଇଁ ସବୁବେଳେ ଖୋଲା ରହିଛି।କେଉଁ ବାଟରେ ଆମକୁ ଯିବାକୁ ହେବ,ତାହା ଆମେ ବେଳ ଥାଉଁ ଥାଉଁ ସ୍ଥିର କରିନେବା ଉଚିତ। ' 


       ଦେଖିଲି ମୋର ଏଇ କଥାଶେଷରେ ଖୁବ୍ ଖୁସି ଦିଶିଲେ ସେମାନେ।ମୋର ଏଇ ସତ ପରି ମିଛରୁ ମୁଁ ସେମାନଙ୍କ ଅସଲ ଉଦ୍ଦେଶ୍ୟ ବେଶ୍ ବୁଝିଗଲି। 


       ଛାତିର ରକ୍ତରେ ଏଠି ଲେଖିବାକୁ ହୁଏ ଯଶ ଗୌରବର ଗାଥା।ଜୀବନ ଥିବା ଯାଏ ଉପରକୁ ମଥା ଟେକି ଚାଲିବାକୁ ହୁଏ।ତେଣୁ ମୋ ସ୍ବପ୍ନ ଓ ସମ୍ଭାବନାକୁ କାହିଁକି ପର କରିଥାନ୍ତି?ସେମାନଙ୍କୁ ସାଥିରେ ଧରି ଆଶାରେ ଆଶାରେ ବଞ୍ଚୁଥିଲି ମୁଁ,ବଞ୍ଚିବାକୁ ଲାଗିଲି। 


       ନିରାଶାର ଜୀବନ କେହି ବଞ୍ଚିପାରେ କ'ଣ!


Rate this content
Log in

Similar oriya story from Classics