Trushna Das

Abstract Children Stories Drama

4.4  

Trushna Das

Abstract Children Stories Drama

ଆନିର କାହାଣୀ ଶୁଣା

ଆନିର କାହାଣୀ ଶୁଣା

5 mins
427


ଆନି ଗୋଟିଏ ଆଠ ବର୍ଷର ଝିଅ। ବାପା ବୈଭବ ଏବଂ ମାଆ ଶୋଭା ଦୁଇଜଣ ଯାକ ଚାକିରିଆ। ସେମାନେ ମୁମ୍ବାଇରେ ରୁହନ୍ତି। ସେମାନେ ସକାଳୁ ଚାକିରୀ ବାହାରି ପଳାନ୍ତି। ସନ୍ଧ୍ୟା ହେଲେ ଘରକୁ ଫେରନ୍ତି। ଆନି ସକାଳୁ ବିଦ୍ୟାଳୟ ଯାଏ। ଆସିଲା ପରେ ଘରର ଚାକରାଣୀ ପାଖରେ ଥାଏ। 


ପ୍ରାୟ ଅଧିକାଂଶ ଦିନ ଆନି ଆସି କାନ୍ଦି କୁହେ ମୋ ସାଙ୍ଗମାନେ କେତେ ସୁନ୍ଦର ସୁନ୍ଦର ପଞ୍ଚତନ୍ତ୍ର ଗପ ଆସି ବିଦ୍ୟାଳୟରେ କୁହନ୍ତି। ସେମାନଙ୍କୁ ସେ ସବୁ ତାଙ୍କ ଜେଜେମା, ଜେଜେବାପା, ଆଇ ଅଜା କହିଥାନ୍ତି କିନ୍ତୁ ମୋର ଆଈ ଅଜା କି ଜେଜେମା ଜେଜେବାପା କେହି ବି ନାହାଁନ୍ତି। ମୋତେ କାହାଣୀ କିଏ କହିବେ ? ବାବା ମାମା କୁହନା ମୋ ଜେଜେବାପା ଜେଜେମା କି ଅଜା ଆଈ କାହିଁକି ନାହାଁନ୍ତି।


ବୈବଭ ଓ ଶୋଭା ଆନିର ପ୍ରଶ୍ନୋତ୍ତର ଦେଇ ପାରନ୍ତି ନାହିଁ। ଚୁପ ରହି ତାକୁ ଅନ୍ୟ ଉପାୟରେ ବୁଝାଇବାକୁ ଚାହାଁନ୍ତି। କଣ କହିବେ ତାକୁ ଯେ ଶୋଭା ଅନାଥ। ସେ ନିଜେ ଜାଣି ନାହାଁନ୍ତି କିଏ ତାଙ୍କ ବାପା ମାଆ। ପୁଣି କେମିତି କହିବେ ତାକୁ ଯେ ବୈଭବ ଓ ଆନି ଭଲ ପାଇ ବିବାହ କରିଥିଲେ। ଆନି ଅନାଥ ହୋଇଥିବାରୁ ଏ ବିବାହରେ ରାଗି ଯାଇ ବୈଭବର ମାଆ ବାପା ତାଙ୍କ ସହ ସମ୍ପର୍କ ରଖି ନାହାଁନ୍ତି। ବୈଭବ ଓ ଶୋଭା ତା ସହ ଖେଳି କି ତାକୁ ବୁଲାଇବାକୁ ନେଇ ତାକୁ ଭୁଲାଇବାକୁ ଚେଷ୍ଟା କରନ୍ତି ତ ପୁଣି କେତେବେଳେ ତାକୁ ରାଗି ଯାଇ ତାକୁ ଗାଳି କରନ୍ତି ତ ପୁଣି ବେଳେ ବେଳେ ବେଳେ ତା ଉପରକୁ ହାତ ଉଠେଇ ଦିଅନ୍ତି। କିନ୍ତୁ ପରେ ସେମାନେ ନିଜେ ବହୁତ ଅନୁତାପ କରନ୍ତି ଯେ ବିନା କାରଣରେ ତାଙ୍କ ଗେହ୍ଲିକୁ ଗାଳି ଦେଲେ କି ମାଡ ମାରିଲେ।


ଦିନେ ଆନି ବିଦ୍ୟାଳୟରୁ ଆସି ତା ବାବା ମାମାଙ୍କୁ ଫୋନ କରି ଭୋ ଭୋ ହୋଇ ବହୁତ କାନ୍ଦିଲା। ତା ଫୋନ ପାଇ ବୈଭବ ଓ ଶୋଭା ଦିନ ଅଧାରୁ ଘରକୁ ଫେରିଲେ।ଆସିଲା ପରେ ଜାଣିଲେ ସେଦିନ ବିଦ୍ୟାଳୟରେ ପଞ୍ଚତନ୍ତ୍ର କାହାଣୀ ଉପରେ ପ୍ରତିଯୋଗିତା ହେଲା। ତା ସାଙ୍ଗମାନେ ସମସ୍ତେ କହିଲେ। ଆନି ନ କହି ପାରିବାରୁ ତାକୁ ତା ଶିକ୍ଷୟିତ୍ରୀ ଗାଳି କରି କହିଲେ ତୁ କଣ ଜେଜେମା ଜେଜେବାପା କି ଅଜା ଆଈ କହୁଥିବା ପଞ୍ଚତନ୍ତ୍ର କାହାଣୀକୁ ଟିକେ ବି ମନେ ରଖି ନାହୁଁ। ତା ପରେ କିଛି ବଦମାସ ପିଲା ଆନିର ଜେଜେମା ଜେଜେବାପା କି ଅଜା ଆଈ ନାହାଁନ୍ତି ଆନିର ମଜା ଉଡେ଼ଇଲେ।


ବୈଭବ ଓ ଶୋଭା ବହୁତ ଚେଷ୍ଟା କରୁଥାଆନ୍ତି ଆନିକୁ ବୁଝାଇବା ପାଇଁ। ହେଲେ ଆନିର ଗୋଟିଏ ଜିଦ୍ ଯେ ତାର ଜେଜେମା ଜେଜେବାପା କି ଅଜା ଆଈ ଦରକାର। 


ଠିକ ସେତିକିବେଳକୁ ବୈଭବଙ୍କ ମାଉସୀ ମାଳତୀଙ୍କ ଫୋନ ଆସିଲା। ସେ ବି ମୁମ୍ବାଇରେ ତାଙ୍କ ପୁଅ ବୋହୂ ସହ ରହୁଥିଲେ। ସେ ଫୋନରେ କାନ୍ଦି କହିଲେ ଯେ ତାଙ୍କ ପୁଅ ବୋହୂ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି। ତାଙ୍କୁ ଟିକେ ଗାଁକୁ ପଠାଇବାକୁ ବ୍ୟବସ୍ଥା କରିବା ପାଇଁ। ବୈଭବ ଓ ଶୋଭା ସଙ୍ଗେ ସାଙ୍ଗ ଯାଇ ମାଳତୀଙ୍କୁ ଘରକୁ ଆଣିଲେ। ମାଳତୀଙ୍କୁ ଦେଖି ଆନି ଆସି ହଠାତ୍ ଆଈ କହି କୁଣ୍ଢାଇ ପକାଇଲା।କାରଣ ସେ ମାଳତୀଙ୍କୁ ଭି କେବେ ଦେଖି ନ ଥିଲା କି ତା ଆଈକୁ ଭି ଦେଖି ନ ଥିଲା। 


ମାଳତୀ ବି ଆନିକୁ ଧରି ବହୁତ ଗେହ୍ଲ କଲେ। ସନ୍ଧ୍ୟା ସମୟରେ ମାଳତୀ ଆନି କାନ୍ଦୁ ଥିବାର କାରଣ ଜାଣିଲେ।ରାତିରେ ସେ ଖାଇ ସାରିଲା ପରେ ସେ ଆନିକୁ ଡାକିଲେ।ଆନି ଆସିଲାରୁ ଆନିକୁ କହିଲେ ଆଜି ଠାରୁ ମୁଁ ଥିବା ପର୍ଯ୍ୟନ୍ତ ପ୍ରତିଦିନ କିଛି ପଞ୍ଚତନ୍ତ୍ର କାହାଣୀ କହିବି। ଆନି ଖୁସି ହୋଇ ଆସି ମାଳତୀଙ୍କ ପାଖରେ ବସି କାହାଣୀ ଶୁଣିଲା। 


ପଞ୍ଚତନ୍ତ୍ର କାହାଣୀ:

           ୧.ଧନର ପାରା


ବହୁତ ବର୍ଷ ତଳର କଥା।ରାମୁ ନାମକ ଗୋଟିଏ ବହୁତ ଗରିବ ଲୋକ ଥିଲା।ସେ ଚାଷ କାମ କରି ନିଜର ଓ ନିଜ ମାଆର ପେଟ ପୋଷୁ ଥିଲା।ହେଲେ ଗୋଟିଏ ବର୍ଷ ମରୁଡି ପଡିବାରୁ ଚାଷ ହୋଇ ପାରିଲା ନାହିଁ। ଚଳିବା ପାଇଁ ସେ ଗାଁର ବହୁତ ଲୋକଙ୍କଠାରୁ ବହୁତ ଋଣ ନେଇ ସାରିଛି।କିନ୍ତୁ ବର୍ଷେ ହେବାକୁ ବସିଲାଣି। ସେ ଋଣ କାହାକୁ ବି ସୁଝି ପାରି ନାହିଁ। 


ଶେଷରେ ଗାଁ ଲୋକମାନେ ଋଣ ପରିଶୋଧ କରିବା ପାଇଁ ତାକୁ ଯାଇ ପାଟି କରିଛନ୍ତି ଏବଂ ତାକୁ ପିଟା ମରା କରି ଗାଁରୁ ବାହାର କରି ଦେଇଛନ୍ତି। 


ସେ କାନ୍ଦି କାନ୍ଦି ଯାଇ ଗାଁ ବାହାରେ ଥିବା ଲକ୍ଷ୍ମୀ ମାଆଙ୍କ ମନ୍ଦିରରେ ପହଞ୍ଚିଛି।ସେଠାରେ କାନ୍ଦି କାନ୍ଦି କହିଛି, ମାଆ ଲକ୍ଷ୍ମୀ ମୋର କଣ ଦୋଷ। ମୁଁ ତ ପରିଶ୍ରମ କଲି।ହେଲେ ମରୁଡି ପାଇଁ ମୁଁ ଟଙ୍କା ଉପାର୍ଜନ କରି ନ ପାରି ଋଣ କଲି।ତାପରେ ଋଣ ଆଉ ସୁଝି ନ ପାରିବାରୁ ମୋତେ ଗାଁରୁ ବାହାର କରିଦିଆ ହେଲା। ମାଆ ମୋତେ ବାଟ ଦେଖାଅ। 


ଏମିତି କିଛି ସମୟ ମନ୍ଦିରରେ ବସିବା ପରେ ତାକୁ ଗୋଟିଏ ପାରା ଆସି ତା ଉପରେ ବସିଲା ଏବଂ ତା ଉପରେ ଗୋଟିଏ ସୁନାର ମୁଦି ପକାଇଲା। ସେ ମୁଦି ପାଇ ବହୁତ ଖୁସି। ତାକୁ ବିକ୍ରି କରି ଯେଉଁ ଟଙ୍କା ପାଇଲା ସେହି ଟଙ୍କାରେ ସହରରୁ ଜିନିଷ କିଣି ବିକ୍ରି କରିବାକୁ ଲାଗିଲା। ଏମିତି ବ୍ୟବସାୟ ତାର ଟିକେ ବଢିଲା।ତାପରେ ମଝିରେ ଯାଇ ସେ ମନ୍ଦିରରେ ବସି ଧନ ପାରାକୁ ଡାକିଲେ ସେ ସୁନାର କିଛି ନା କିଛି ଜିନିଷ ଦିଏ। ସେ ସବୁକୁ ବିକ୍ରି କରି ଟଙ୍କା ଆଣି ବ୍ୟବସାୟ କରେ ଏବଂ ଅଳ୍ପ ଅଳ୍ପ କରି ଋଣ ସୁଝି ଦିଏ। 


ଋଣ ସୁଝିଲା ପରେ ରାମୁ ଗାଁରେ ରହି ବ୍ୟବସାୟ କଲା। କିଛି ଦିନ ପରେ ତାର ବିବାହ ହେଲା। ବିବାହ ପରେ ରାମୁ ମନରେ ଧନକୁ ନେଇ ଗର୍ବ ହେଲା। ସେ ଆଉ ବ୍ୟବସାୟ କଲା ନାହିଁ। ଯାହା ବି ଧନର ପାରା ଠାରୁ ପାଉଥାଏ ସେ ସବୁକୁ ବିକି ଭାଙ୍ଗି ଚାଲିଲା। ପୁରା ଅଳସୁଆ ହୋଇ ଗଲା। 


ପ୍ରତିଥର ପରି ରାମୁ ଯାଇ ମନ୍ଦିରରେ ଧନର ପାରାକୁ ଡାକିଛି। ପାରା ଆସି ତା ଉପରେ ବସିଲା।ହେଲେ କିଛି ବି ଦେଲା ନାହିଁ। ରାମୁ ଏମିତି ତିନି ଦିନ ଗଲା। ହେଲେ ଧନର ପାରାଠାରୁ କିଛି ଭି ପାଇଲା ନାହିଁ। ଶେଷରେ ସେ ରାଗି ଯାଇ ପାରାକୁ ବାଡିରେ ବାଡ଼େଇବାକୁ ଚେଷ୍ଟା କଲା।


ସେହି ସମୟରେ ଧନର ପାରା ରାମୁ ଉପରେ ହସିଲା। କହିଲା ସେଦିନ ତୁ ଭଗବାନଙ୍କୁ ଡାକିବା ସମୟରେ ମୁଁ ତୋତେ ସୁନାର ମୁଦି ଦେଇଥିଲି ଯେ ତୁ ତାକୁ ବିକି ଟଙ୍କା ଆଣି ନିଜ ବ୍ୟବସାୟ କରି ଚଳ। ତୁ ପ୍ରଥମେ ସେଇଟା କରୁଥିଲୁ। ତୋ ବ୍ୟବସାୟରେ ଉନ୍ନତି ହେଉ ବୋଲି ମୁଁ ତୋତେ ବହୁତ ଥର ସୁନାର ଜିନିଷ ଦେଇଛି। ତାପରେ ତୋ ମନରେ ଧନର ଲୋଭ ଆସିଛି ଏବଂ ତୁ ଧନୀ ହୋଇ ଯାଇଛୁ ବୋଲି ଗର୍ବ କଲୁ। କାମ ନ କରି ଅଳସୁଆ ହୋଇ ଗଲୁ। ଅଳସୁଆ ଲୋକଙ୍କର ମୁଁ ତ ମୁଁ ଭଗବାନ ଭି ସାହାଯ୍ୟ କରିବେ ନାହିଁ। 


ଏବେ ରାମୁ ନିଜ ଭୂଲ ବୁଝି ପାରିଲା ଏବଂ ଭଗବାନ ଓ ଧନର ପାରାକୁ କ୍ଷମା ମାଗିଲା।ଘରକୁ ଯାଇ ଘରେ ଯାହା ବି ଅଳ୍ପ ଟଙ୍କା ଥିଲା ସେଥିରେ ଆଉ ଥରେ ବ୍ୟବସାୟ ଆରମ୍ଭ କଲା। କିଛି ବର୍ଷ ଭିତରେ ରାମୁ ବିନା ଧନର ପାରାର ସାହାଯ୍ୟରେ ଜଣେ ସୁପ୍ରତିଷ୍ଠିତ ବ୍ୟବସାୟ ହୋଇ ଗଲେ। 


ନୀତିଶିକ୍ଷା:

୧. ଧନର ପାରା ଗପରୁ ଏହି ଶିକ୍ଷା ମିଳିଲା ଯେ ପଶୁ ପକ୍ଷୀମାନେ ମଣିଷର ବିପଦ ସମୟରେ ମଣିଷକୁ ସାହାଯ୍ୟ କରନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସେହି ମଣିଷ ପଶୁ ପକ୍ଷୀମାନଙ୍କୁ ମାରିବାକୁ ପଛାନ୍ତି ନାହିଁ। 

୨. ଏହି କାହାଣୀର ଦ୍ୱିତୀୟ ଶିକ୍ଷା ରହିଲା ଅଳସୁଆକୁ କେହି ସାହାଯ୍ୟ କରନ୍ତି ନାହିଁ। 

୩. ଏହି କାହାଣୀର ତୃତୀୟ ଶିକ୍ଷା ରହିଲା ପରିଶ୍ରମ କଲେ ନିଶ୍ଚୟ ସଫଳ ହେବ। 


ପଞ୍ଚତନ୍ତ୍ର କାହାଣୀ :

              ୨. ଏକତା


ଦିନେ ଗୋଟିଏ ହାତୀ ଛୁଆ ତା ମାଆ ସହ ନଦୀ କୂଳରେ ଖେଳୁଥିଲା। ମାଆ ହାତୀ ପାଣି ପିଇବାକୁ ନଦୀ ଭିତରକୁ ଯାଇଥାଏ। ସେହି ସମୟରେ ସର୍କସର ଲୋକମାନେ ଆସି ହାତୀ ଛୁଆକୁ ନେଇ ଗଲେ। ମାଆ ହାତୀ ତା ଛୁଆକୁ ବଞ୍ଚାଇବାକୁ ଗଲାରୁ ସେମାନେ ତାକୁ ନିଆଁ ଦେଖାଇ ଘଉଡାଇ ଦେଲେ। ମାଆ ହାତୀ ଲୁଚି ଲୁଚି ଦେଖିଲା ସେମାନେ କେଉଁଠି ତା ଛୁଆକୁ ରଖିଲେ। ତାପରେ ରାତି ହେବାରୁ ମାଆ ହାତୀ ଦଶଟା ପାଖାପାଖି ହାତୀଙ୍କୁ ନେଇ ସେଠାକୁ ଆସିଲା। ଏତେ ହାତୀ ଦେଖି ସର୍କସର ଲୋକମାନେ ଦୌଡି ପଳାଇଲେ। ହାତୀମାନେ ସର୍କସକୁ ଭାଙ୍ଗି ଚୁରମାର କରି ଦେଇ ହାତୀ ଛୁଆକୁ ନେଇ ପଳାଇଲେ। 


ନୀତିଶିକ୍ଷା:

ଏହି କାହାଣୀର ନୀତିଶିକ୍ଷା ଏକତାରେ ହିଁ ବଳ। ସାଙ୍ଗ ହୋଇ କାମ କଲେ ସବୁ କାମ ସହଜରେ ହୋଇ ଯିବ। 


ଏହି ଦୁଇଟି କାହାଣୀ କହି ସାରି ମାଳତୀ ଦେଖିଲେ ଆନି ଶୋଇ ପଡିଛି। 


ବୈଭବ ଆଉ ଶୋଭା ଆସି ମାଳତୀଙ୍କୁ କହିଲେ ମାଉସୀ ଆପଣ ଗାଁକୁ ଯାଆନ୍ତୁ ନାହିଁ। ଶୋଭା କହିଲେ ମୁଁ ତ ଅନାଥ। ମାଆର ସ୍ନେହ ପାଇ ନାହିଁ। ଆପଣ ମୋ ମାଆ ଆଉ ଆନିର ଆଈ ହୋଇ ଆମ ଘରେ ରୁହନ୍ତୁ।ଏହା ଶୁଣି ମାଳତୀଙ୍କ ଆଖିରୁ ଖୁସିରେ ଲୁହ ବହିଗଲା। 


ଏବେ ମାଳତୀ ଶୋଭାଙ୍କର ମାଆ ଓ ଆନିର ଆଈ ହୋଇ ତାଙ୍କ ସହ ରହିଲେ। ଆନି ବି ପଞ୍ଚତନ୍ତ୍ର କାହାଣୀ ଶୁଣି ବିଦ୍ୟାଳୟ ଯାଇ କୁହେ। ଆନିର କାହାଣୀ ଶୁଣା ଜିଦ୍ ପାଇଁ ଆଜି ଶୋଭାକୁ ତାଙ୍କ ମାଆ ମିଳିଲେ। 


Rate this content
Log in

Similar oriya story from Abstract