ଆଖିରେ ଆଖିଏ ଅପେକ୍ଷା
ଆଖିରେ ଆଖିଏ ଅପେକ୍ଷା
ନିଦ ମାଉସୀ,ଦେ ଆଉଁଶି..
ଡଲି ଶୋଉଛି,ଦେଖିଯା ଆସି....।
ଖିଲି ଖିଲି ହସି ଉଠିଲା ଡଲି।ମାମା,ଇଏ କି ଗୀତ।ଏସି ଟିକେ ଲଗାଇ ଦିଅ,ଶୋଇ ପଡିବି।ଗୀତ ଦରକାର ନାହିଁ। କହୁଥିଲା ୫ବର୍ଷର ଝିଅ ଡ଼ଲି ମାମା ରୋଜିକୁ। ଓଃ!କି ଯୁଗ ହେଲାରେ ବାବା!ମାଆର ଗୀତ ବି ଝିଅକୁ ପସନ୍ଦ ନାହିଁ।ଛୋଟଟିଏ ହୋଇଥିଲୁ ବାପା ଚାଲିଗଲେ। ଗାଁ ଜମିଦାର। କେଉଁଥିରେ ଅଭାବ ରଖିନାହାନ୍ତି। ସମ୍ପତ୍ତି ର ଅଭାବ ନାହିଁ। ହେଲେ ତୁ ଏମିତି ଜମିଦାରୀ ଦେଖାଇଲେ ଚଳିବନି।ଏସି ବିଲ୍ ମାସକୁ ୨୦୦୦ ଆସୁଛି।୫ବର୍ଷର ଝିଅ ହେଲୁଣି।କୁଟା ଖଣ୍ଡକ ଦିଖଣ୍ଡ କରୁନୁ। ଓଃ!ଏସି ଚଲାଇ ଏଠାରୁ ଯାଅ। ମୁଁ ପାଠପଢି ବଡ଼ ଅଫିସର ହେବି, ତମକୁ ବହୁତ ଖୁସି ଦେବି।ଆଖିରେ ଆଖିଏ ଅପେକ୍ଷା ରଖି ହସିଦେଇ ଏସି ଲଗାଇ ରୋଷେଇ ଘରକୁ ଚାଲିଗଲେ ରୋଜି।
ସମୟ ଅତିକ୍ରାନ୍ତ ହେଲା।
ଭଲ ପାଠ ପଢ଼ୁଥିଲା ଡ଼ଲି। ଜମିବାଡ଼ି କଥା ରୋଜି ବୁଝୁଥିଲେ। କେଉଁଥିରେ ଅଭାବ ନଥିଲା।ଡଲିକୁ ଭଲ ସଂସ୍କାର ଦେଇ ପଢ଼ାଇ ଚାଲିଥିଲେ ମାଆ ରୋଜିଦେବୀ।
କଲେଜରୁ ଛୁଟିରେ ଆସିଲା ଡ଼ଲି।ଘରେ ପହଞ୍ଚିଲା କ୍ଷଣି ରୋଜିଦେବୀ ତାକୁ ଅନାଇ ରହିଥିଲେ।ଏ ମାମା! କ'ଣ ଏମିତି ଅନେଇ ରହିଛୁ? ଗାଁ ସାରା ଏମିତି ଅନେଇ ରହିଥିଲେ ମୁଁ ଘରକୁ ଆସିଲାବେଳେ।ଶଳା, ଗାଉଁଲି ମଫ!! ଉତକ୍ଷିପ୍ତ ହୋଇ ଉଠିଲେ ରୋଜି। ଏମିତି କ'ଣ କଥାବାର୍ତ୍ତା କରୁଛୁ? ଝିଅ ପିଲାଟା। ଏମିତି ବେଶ ପୋଷାକ କ'ଣ ପାଇଁ?ଏ କି ପରମ୍ପରା।ମୋ ସଂସ୍କାର ତ ଏମିତି ନଥିଲା।ମୋ ମୁଣ୍ଡରୁ ଓଢ଼ଣା କେବେବି ତଳକୁ ଖସିନି।ତୋ ବାପା ଗଲା ପରଠୁଁ ମୁଁ ଗାଁ ଦାଣ୍ଡକୁ ବାହାରିନି।ଅଥଚ ତୋର ଏ କି ଅର୍ଦ୍ଧନଗ୍ନ ବେଶଭୂଷା?? ଓଃ,ମାମା ତୁମେ ବୁଝିବନି।ସେକାଳ ପଖାଳ ଆଉ ନାହିଁ।ଏହା ଆଜିକାଲିର ସହରୀ ସଭ୍ୟତା।କେବେ ବାହାରକୁ ଯାଇନ ତ କିଛି ଜାଣିନ କି ଦେଖିନ।ଦେଲ ଖାଇବାକୁ କ'ଣ ଗଣ୍ଡେ।ଭୋକ ଲାଗିଲାଣି।ଗରଗର ହୋଇ ଚାଲିଗଲେ ରୋଜିଦେବୀ।ଖାଇବା ବଢ଼ା ହେଲା।ଖାଇବା ଥାଳି ଫୋପାଡ଼ି ଦେଲା ଡ଼ଲି।ନିରନନା, ଏ କି ଖାଦ୍ୟ?ମଞ୍ଚୁରିୟାନ, ଚିକେନ,ମଟନ ବିନା ମୁଁ ଖାଏନି।ଶାଗ, ପଖାଳ କ'ଣ ବାଢିଦେଇଛ? ନିରନନା ଉତ୍ତର ଦେଲେ,ମାଆ, ସହରରେ ତ ଏସବୁ ଖାଉଛ।ଘରରନ୍ଧା ଖାଅ।ଭାରୀ ସୁଆଦ ଲାଗିବ।ମାଆ ପରା ବରାଦ କରିଥିଲେ। ମୁହଁ ଛିଞ୍ଚାଡି କହି ଉଠିଲା ଡ଼ଲି,ଯା ଯା ଛୋଟଲୋକ କେଉଁଠି କାର। କିଛି ଜାଣିନି।ବ୍ରୃଦ୍ଧ ରୋଷେୟା ନିର ଆଖିରେ ଲୁହ।ଛିଣ୍ଡା ଗାମୁଛାରେ ଲୁହ ପୋଛୁ ପୋଛୁ କହିଉଠିଲା ଛୋଟବେଳୁ ବାପଛେଉଣ୍ଡ ଛୁଆଟାକୁ କୋଳେଇ କାଖେଇ ବଡ କରିଥିଲି,ସହର ଯାଇ ଏ କି ପରିବର୍ତ୍ତନ?ରୋଜି ବି ଚୁପ୍। କ'ଣ ବା କହିବେ।୨,୩ ଦିନପରେ ଡ଼ଲି ବାହାରିଲା ସହରକୁ। କହିଲା,ମାମା ତମର ବୟସ ହେଲାଣି,ମୋର ପାଠପଢ଼ା ସରିବା ଉପରେ। ଚାକିରୀ ପାଇ ତୁମକୁ ମୋପାଖକୁ ନେଇଯିବି।ଏ ଗାଁ ଛାଡ଼ିଦେବା।ଜମା କିଛି ଶୁଣିବିନି। ଗାଁ,ମମତା,ସ୍ନେହ, ସ୍ମ୍ରୂତି ମୋତେ ଆଉ ବୁଝେଇବନି।ରୋଜି କିଛି କହିବା ଆଗରୁ ବାହାରି ଗଲା ଡଲି। ରୋଜି ଦେବୀଙ୍କ ଚିନ୍ତା ବଢ଼ିଗଲା। ତଥାପି ଝିଅ ଉପରେ ଅଗାଧ ବିଶ୍ୱାସ।
କିଛି ମାସ ପରେ.......
ଡଲିର ଫୋନ୍ ଆସିଲା। କହିଲା,ମାମା ମୁଁ କଲିକତାରେ ଚାକିରୀ ପାଇଗଲି। ବଡ଼ ଚାକିରୀ,ବ୍ୟସ୍ତ ହେବନି।ଏକା ଏକା ବହୁତ କଷ୍ଟ ପାଇଲ।ଏଥର ଖୁସିରେ ରହିବା। ମୁଁ ତୁମର ଝିଅ ନୁହେଁ ପୁଅ।ଘର ଠିକ୍ କରି ମୁଁ ଗାଁ କୁ ଆସିବି। ତମକୁ ନେଇଆସିବି।ମୋ ପାଖରେ ସବୁଦିନ ପାଇଁ ରହିବ।କଲିକତାରେ ଘର କିଣିଦେବା। ଗାଁ ର କାଗଜପତ୍ର ପ୍ରସ୍ତୁତ କରି ରଖିଥାଅ। ମୁଁ ତ କଥା ହୋଇଥିଲି।ଦାମବାବୁ ସବୁକିଛି କିଣିନେବେ। କିଛି ଚିନ୍ତା କରିପାରିଲେନି ରୋଜିଦେବୀ। ଏକମାତ୍ର ଝିଅ।ତାଙ୍କ ଜୀବନ।ବାଧ୍ୟ ହୋଇ ରାଜି ହୋଇଗଲେ। କିଛି ଦିନ ପରେ ପହଞ୍ଚି ଗଲା ଡ଼ଲି। ଆଗରୁ ରୋଜି ଦେବୀ ସବୁ ବ୍ୟବସ୍ଥା କରି ସାରିଥିଲେ। ଦୁଇ ତିନିଦିନ ରେ ସବୁ ବିକ୍ରି ବଟା କରି ସବୁକିଛି ଝିଅ ହାତକୁ ଟେକି ଦେଲେ ରୋଜି।ଏହି ଦୁଇ ତିନିଦିନ ଭିତରେ ଡ଼ଲି ମାମାର ବହୁତ ସେବା କଲା।ଭଲରେ ଦେଖାଯାଉନି, ଗୋଡ଼ ବାତ ଯୋଗୁଁ ଚାଲି ହେଉନି।ତେଲ ଘସି ଦେଲା ଡଲି। ଟିକେ ଭଲ ଲାଗୁଥିଲା ରୋଜିକୁ। ଭିଟାମାଟି କୁ ପ୍ରଣାମ ଜଣାଇ ଝିଅ ସାଙ୍ଗରେ ବାହାରିଗଲେ କଲିକତା ଅଭିମୁଖେ।ପହଞ୍ଚିଗଲେ ରାଜଧାନୀ। ଡ଼ଲି କହିଲା ମାମା, ତୁମକୁ ଦେଖା ଯାଉନି,ଚୋରି ହୋଇଯିବ।ତମ ବ୍ୟାଗ୍ ଧରି ବସିଥାଅ। ମୁଁ କଲିକତା ଟିକେଟ କରି ଆସୁଛି। ହଁ ଭରିଲେ ରୋଜି ଦେବୀ।
ଗାଁ ଓ ସହର।ଆକାଶ ପାତାଳ ଫରକ।ନଭସ୍ଚୁମ୍ଭୀ ଅଟ୍ଟାଳିକା। ବଡ଼ ବଡ଼ ଗାଡ଼ି।ମନୁଷ୍ୟାରଣ୍ୟ। କଂକ୍ରିଟ ଜଙ୍ଗଲ। ଗାଁ ରୁ କେବେ ପାଦକାଢିନଥିବା ରୋଜିକୁ କେମିତି କେମିତି ଲାଗୁଥାଏ।ଦେଖୁ ଦେଖୁ ୪ଘଣ୍ଟା ବିତିଗଲା।ଝିଅ ଡ଼ଲି ର ଦେଖାନାହିଁ।ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ନୂଆଁ ଯାଗା।ବୁଢୀଲୋକ।ଭୋକ ବି ପ୍ରବଳ ହେଲାଣି।୩ଟା ବାଜିଲାଣି।ଝିଅଟା ଏକୁଟିଆ। କୁଆଡେ଼ ଗଲା। କାନ୍ଦିବାକୁ ଲାଗିଲେ ରୋଜି। ଭିଡ଼ ଭିତରେ ଯେ ଯା କାମରେ ବ୍ୟସ୍ତ।ବୁଢୀଟିକୁ କାନ୍ଦୁଥିବାର ଦେଖି କିଛି ଶ୍ରମିକଶ୍ରେଣିର ଲୋକ ପାଖରେ ରୁଣ୍ଡ ହୋଇଗଲେ। କ'ଣ ହେଲା ପଚାରିଲେ।ସରଳ,ନିଷ୍କପଟ,ଆମାୟିକ ରୋଜି ସବୁ ବର୍ଣ୍ଣନା କଲେ।ତା ଭିତରୁ ଜଣେ ଝିଅ ଡ଼ଲି ର ହୁଲିଆ ପଚାରିଲା।ରୋଜି କହିଲେ ନିଳ ଜିନପ୍ୟାଣ୍ଟ,ଧଳା ସାର୍ଟ ପିନ୍ଧିଛି ମୋ ଝିଅ।ଜିନିଷପତ୍ର,ପଇସାପତ୍ର ସବୁ ଧରିଛି।ଏତେ ବଡ ଯାଗା।କିଏ କିଛି ଅଘଟଣ ଘଟାଇଲା ନା କ'ଣ,ଡର ମାଡ଼ୁଛି। ଭିଡ଼ ଭିତରୁ ଜଣେ କହିଉଠିଲା ଆରେ ନା ନା ଜଣେ ଯୁବକ ସହ ଏହି ଝିଅକୁ ମୁଁ କଲିକତା ବସରେ ଜିନିଷପତ୍ର ସହ ଚଢାଇ ଆସିଲି ୨ ଘଣ୍ଟା ତଳେ।ଏ ମାଆ ଚାଲ୍ ପୋଲିସ କୁ କହିବା।ମନାକଲେ ରୋଜି।ନା ନା ମୋ ଝିଅ କେବେ ସେମିତି କରିବନି।ସେ ମୋତେ ବହୁତ ଭଲପାଏ। କାହାର କିଛି କରିବାର ନାହିଁ। ତୁମେମାନେ ଏଠାରୁ ଯାଅ। ଭିଡ଼ ଖାଲି ହୋଇଗଲା। ସନ୍ଧ୍ୟା ହେବାକୁ ବସିଲା।
ଅନନ୍ୟୋପାୟ ହୋଇ ରୋଜି ଚଢିଗଲେ ଜଗନ୍ନାଥଧାମ ପୁରୀ ବସରେ। ବଡ଼ଦାଣ୍ଡରେ କଟିଲା ରାତି।
ପରଦିନଠାରୁ ବଞ୍ଚିବା ପାଇଁ ସଂଘର୍ଷ।
କାଲିର ଜମିଦାର ଆଜି ବଡ଼ଦାଣ୍ଡର ଭିକାରୀ...!!
ଭାଗ୍ୟର ବିଡମ୍ବନା।ଆଦରିନେଲେ ରୋଜି..।।
କିଛି ବର୍ଷ ପରେ..........
ଲମ୍ବା ଲାଇନ ଭିତରେ ରୋଜି ଦେଖିବାକୁ ପାଇଲେ ନୂଆଁ ମୁହଁ। ମୁହଁ ସାରା ଦାଗ।କୋଳରେ ଛୋଟ ଅପରିଷ୍କାର ଛୁଆ।ଏତେ ବର୍ଷ ଏଠାରେ ବସି ବସି ସମସ୍ତଙ୍କୁ ଚିହ୍ନି ସାରିଥିଲେ ରୋଜି। ସ୍ତ୍ରୀ ଲୋକଟି ପାଖକୁ ଯାଇ କହିଲେ ଝିଅ ମୋତେ ଭଲରେ ଦେଖାଯାଉନି,ମୋ ଝିଅ ତ ମୋତେ ବଡ଼ଦାଣ୍ଡରେ ଭିକାରୀ କଲା,ତୋତେ କିଏ ଏ ପରିସ୍ଥିତି ରେ ପହଞ୍ଚାଇଲା? ଝିଅଟି କାନ୍ଦି କାନ୍ଦି କହିଲା,ମାମା! ଯାହାର ହାତ ଧରିଲି ସେ ମୋତେ ଧୋକା ଦେଲା।ମୋତେ କ୍ଷମା କରିଦେ। ଆଖିରେ ଆଉ ଅଶ୍ରୁ ନଥିଲା ରୋଜିଦେବୀଙ୍କର।ମାଆଲୋ,ମୋ ଜୀବନ ମୁଁ ଜିଇଁ ସାରିଲି।୧୦ ମାସ ୧୦ ଦିନ ଗର୍ଭରେ ଧରି ତତେ ଝିଅ ନୁହଁ ପୁଅର ଆସନରେ ବସାଇଥିଲି। ଅପେକ୍ଷା ର ମଧୁର ମିଳନ ଆଜି ଜଗନ୍ନାଥ ଦେଖାଇ ଦେଲେ।ଏଥର ତୋ ରାସ୍ତା ତୁ ଦେଖ।ପାଖରେ ଥିବା ପୁଡିଆରୁ ଔଷଧ ବାହାର କରି ପାଣି ଢୋକେ ପିଇ ନିଜ ଆସନକୁ ଚାଲିଗଲେ। କିଛି କ୍ଷଣପରେ ସେଇଠି ଲୋଟିଥିଲା ରୋଜିଙ୍କ ନିର୍ଜିବ ଶରୀର।
ମ୍ୟୁନିସିପାଲିଟିର ଗାଡି ଠିଆ ହୋଇଥିଲା ଶବ ନେବାପାଇଁ।ଅନ୍ୟ ଭିକାରୀ ମାନେ ପଚାରୁଥିଲେ ଡଲିକୁ,ତମେ ୟାଙ୍କୁ ଚିହ୍ନିଛ? ହତବାକ ହୋଇ ଅନାଇ ଥିଲା ଡ଼ଲି,ଆଉ କୋଳରେ ଥିବା ଅପରିଷ୍କାର ଛୁଆଟା କିଛି ନବୁଝି କାହିଁକି କେଜାଣି କଇଁ କଇଁ ହୋଇ କାନ୍ଦୁଥିଲା। ସବୁକିଛି ଯଥାସ୍ଥାନରେ ଥିଲା ।ନୀଳଚକ୍ର ନେତ ଫର ଫର ଉଡୁଥିଲା.....।

