ଆଜିର ମଣିଷ
ଆଜିର ମଣିଷ


ରଘୁପୁର ଗାଁରେ ରୀମାର ଘର। ଘରେ ତା' ସହ କେବଳ ତା ବାପା ରହନ୍ତି। ବାପ ଝିଅଙ୍କୁ ନେଇ ତାଙ୍କର ଏକ ଛୋଟ ପରିବାର। ଭାରି ଗରିବ ସେମାନେ, କିନ୍ତୁ ଯେତେବେଳେ ଯେତିକି ବି ମିଳେ ସେତିକିରେ ଖୁସିରେ ଚଳି ଯାଆନ୍ତି ବାପ ଝିଅ। ରିମାର ବାପା ମୁଲ ମଜୁରି ଲାଗି ଯେତିକି ଟଙ୍କା ରୋଜଗାର କରନ୍ତି ସେତିକିରେ ତାଙ୍କ ଘର ଚଳିବା ସହିତ ରିମାର ପାଠ ପଢା ଖର୍ଚବି କଷ୍ଟେମଷ୍ଟେ ଚଳିଯାଏ।
ବିଧିର ବିଧାନକୁ କିନ୍ତୁ କଣ କିଏ କେବେ ବଦଳାଇ ପାରିବ? ଗତ ଚାରିମାସ ହେଲାଣି କୋଭିଡ୍-୧୯ ନାମକ ଭୁତାଣୁ ଦ୍ୱାରା ବ୍ଯପ୍ତ କରୋନା ମହାମାରୀ କାରଣରୁ ସମଗ୍ର ବିଶ୍ୱ ତ୍ରାହି ତ୍ରାହି ଡାକ ଦେବାରେ ଲାଗିଛି। ଏମିତି ଏକ ଘଡିସନ୍ଧି ମୂହୁର୍ତ୍ତରେ ମହାମାରୀର ମୁକାବିଲା ପାଇଁ ସରକାର ତାଲାବନ୍ଦ ଘୋଷଣା କଲେ। ଫଳରେ ରୀମାର ବାପାଙ୍କୁ ମୂଲ ମଜୁରୀ ମିଳିବା ବନ୍ଦ ହୋଇଗଲା। ଧିରେଧିରେ ସେମାନଙ୍କ ଅବସ୍ଥା ଶୋଚନୀୟ ହେବାକୁ ଲାଗିଲା। ଭୋକ ଉପାସରେ ବାପ ଝିଅ ଦିନ କାଟିବାକୁ ଲାଗିଲେ।
ଦିନେ କିନ୍ତୁ ହଠାତ୍ ରୀମାର ବାପାଙ୍କ ଦେହ ଭିଷଣ ଖରାପ ହୋଇଗଲା। ସେ ଘର ବାରଣ୍ଡାରେ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ। କିଛି ବୁଦ୍ଧିବାଟ ନପାଇ ରିମା ୧୦୮ କୁ କଲ୍ କରି ଆମ୍ବୁଲାନ୍ସକୁ ଡାକିଲା। କିଛି ସମୟପରେ ଆମ୍ବୁଲାନ୍ସ ଆସି ପହଞ୍ଚିଲା। ଏତିକି ସମୟ ଭିତରେ ସାଇ ପଡିଶାର ଲୋକ ସବୁ ଆସି ସେଠାରେ ଭିଡ ଜମାଇ ସାରିଥାନ୍ତି। ରୀମାର ବାପା ବାରଣ୍ଡାରେ ସେମିତି ଛଟପଟ ହେଉଥାନ୍ତି। କିନ୍ତୁ କାଳେ ସେ କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବେ ଭାବି ଆମ୍ବୁଲାନ୍ସର କର୍ମଚାରୀମାନେ ତାଙ୍କୁ ଛୁଇଁ ଆମ୍ବୁଲାନ୍ସକୁ ନେଲେ ନାହିଁ। ରୀମା ଗାଁ ଲୋକଙ୍କୁ ବହୁତ ନେହୁରା ହେଲା। କାକୋତି ମିନତି କଲା। କିତୁ ତାକୁ ସାହାଯ୍ଯ କରିବାକୁ କେହି ଜଣେ ବି ଆଗକୁ ଆସିଲେ ନାହିଁ। ବରଂ କିଏ ଭିଡିଓ ସୁଟିଂରେ ତ ଆଉ କିଏ ଫେସବୁକରେ ଲାଇଭ୍ କରିବାରେ ବ୍ଯସ୍ତ। ପୁଣି କିଏ ଫଟୋ ଉଠାଉ ଥାଏ ତ ଆଉ କିଏ ନୀରବ ଦ୍ରଷ୍ଟା ସଜି ସବୁ ଦେଖୁଥାଏ।
ଶେଷରେ ଛଟପଟ ହୋଇ ରୀମାର ବାପାଙ୍କ ପ୍ରାଣ ସେଇଠି ଚାଲିଗଲା। ଆମ୍ବୁଲାନ୍ସ ଫେରିଗଲା ନିଜ ରାସ୍ତାରେ। ଲୋକମାନେ ବି କିଛି ସମୟ ପରେ ନିଜ ନିଜ ଘରକୁ ଫେରିଗଲେ। ସତରେ ଏସବୁଥିରେ ଯେମିତି ସେମାନଙ୍କର କିଛି ଯାଏ ଆସେ ନାହିଁ। ଯେଉଁମାନଙ୍କ ପାଖରେ ସାମାନ୍ଯ ମଣିଷ ପଣିଆ ଓ ମାନବିକତା ନାହିଁ ସେମାନେ କଣ ପ୍ରକୃତରେ ମଣିଷ ପଦବାଚ୍ଯ? କେତେ ସ୍ୱର୍ଥପର ହୋଇଗଲାଣି ଏ ମଣିଷ ସମାଜ। କରୋନା ରୂପି ମହାମାରୀ ପରେବି ଏମାନଙ୍କ ଠାରେ କୌଣସି ପରିବର୍ତ୍ତନ ନାହିଁ। ଏହା କଣ ମଣିଷ ମାନଙ୍କର ବିନାଶ କାଳେ ବିପରୀତ ବୁଦ୍ଧି। ଏବେ ରୀମା ହୋଇଗଲା ଅନାଥ। ଆଉ ଏତେବଡ ଦୁନିଆରେ ପୁରା ଏକା। ଏବେ ତା ଲୁହ ପୋଛିବାକୁ ବି ତା ପାଖରେ କେହି ଜଣେ ବି ନାହାଁନ୍ତି।
ହେଲେ ଏଥିପାଇଁ ଦାୟୀ କିଏ? କରୋନା ନା ଦାରିଦ୍ର୍ଯତା, ଏ ସମାଜ ନା ଲୋକଙ୍କ ମାନସିକତା?