ଆଜିର ବଉଳା
ଆଜିର ବଉଳା


ଯଦି ବା ମୁଁ ନାସ୍ତିକ ନୁହେଁ ତଥାପି ଦିନ ରାତି ଭଗବାନଙ୍କ ନାମ ଜପିବା ମଧ୍ୟରୁ ବି ନୁହେଁ ।କର୍ମ ଉପରେ ମୁଁ ବେଶୀ ବିଶ୍ବାସ କରେ ।ଭଗବାନଙ୍କୁ ଡାକେ । କିନ୍ତୁ ବେଶୀ ଡାକି ଭଗବାନଙ୍କୁ ହଇରାଣ କରେନି ।
କେହି କଣ ଦେଖେଇବା ପାଇଁ ପୂଜା କରୁଥିବେ କି ?
କେଜାଣି ...?
ସେ କଥା ଭକ୍ତ ଓ ଭଗବାନ ହିଁ ବୁଝୁଥିବେ ।ମୁଁ ଛାର ଅଧମ କୁଆଡୁ ବୁଝିବି ? ମୁଁ ମୋର ଯାହାକୁ ବହୁତ ଭଲ ପାଏ ,ତାର ପ୍ରତିଟି ଜିନିଷକୁ ମଧ୍ୟ ଭଲପାଏ ।
ତେବେ ଯେଉଁ ମାନେ କୃଷ୍ଣଙ୍କୁ ଭଲ ପାଉଛନ୍ତି ,ଏତେ ଭକ୍ତିରେ ପୂଜା କରୁଛନ୍ତି ସେମାନେ କୃଷ୍ଣଙ୍କର ଅତି ପ୍ରିୟ ଗୋମାତାଙ୍କୁ ମଧ୍ୟ ଭଲ ପାଉଥିବେ । ଯଦି ଏତେ ଭଲ ପାଇବା ଲୋକ ଅଛନ୍ତି ତେବେ ଗୋ -ଚାଲାଣ ହେଉଛି କେମିତି ?
ନିହାତି ଭାବରେ ଦୁଇଟି କଥା ଥିବ !
ପ୍ରଥମତଃ ---ଏ ପୂଜା ,ଏ ଭକ୍ତି ଲୋକଦେଖାଣିଆ ହୋଇଥିବ ।
ନଚେତ୍
ଦ୍ବୀତିୟତଃ -----ସ୍ବାର୍ଥ ହାସଲ ଏବଂ ଧନ ଉପାର୍ଜନ ପାଇଁ ଗୋମାତା କୁ ବିଚ୍ ବଜାର୍ ରେ ନିଲାମ୍ କରି ସହଜ ,ସରଳ ଉପାୟ ପାଇଥିବ ଏ ମୁର୍ଖ ମଣିଷ ।
ଦିନକର କଥା । ଗୋଟିଏ ବସ୍ ଷ୍ଟପ୍ ରେ ଅପେକ୍ଷା କରିଥିବା ସମୟରେ ଶୁଣିଲି କେହି ଜଣେ କହୁଥାନ୍ତି - "ସାର୍ ଜାଣିଛନ୍ତି ଅମୁକ ଲୋକ ଟା ଖାଇବାକୁ ପାଉ ନ ଥିଲା ,ଦୁଇ ବର୍ଷ ହେଲାଣି ଗୋରୁ ବେପାର କରି ଭାରି ବଢିଆ ରୋଜଗାର୍ କରୁଛି "
ମୁଁ ଭାବିଲି କାହିଁକି ଗୋରୁ ବେପାର ର ନାମ ଦେଉଛ ହେ ,ସିଧା କହୁନ କି ଗୋ-ହତ୍ୟା । ବେପାର କରୁଥିବା ଲୋକ ଟି ଗାଁ ଗାଁ ବୁଲି ଲୋକଙ୍କ ପାଖରୁ ଗାଇ ,ବଳଦ କିଣି ଆଣନ୍ତି ,ତାପରେ କଂସେଇକୁ ବିକି ଦିଅନ୍ତି ।ସେମାନେ କଣ ଜାଣି ନ ଥାନ୍ତି କି ବିକିଥିବା ଗାଇ ଟିର ହତ୍ୟା ହେବ ।ନୃଶଂସ ମଣିଷ ତାର ଜୀବିତ ଅବସ୍ଥାରେ ତା ଉପରେ ଗରମ ପାଣି ପକେଇବ ଆଉ ଚମଡା ବାହାର କରିବ ,ତାପରେ ସେ ଦେହକୁ ଖଣ୍ଡ ଖଣ୍ଡ କରି ପକେଇବେ ।ବଜାରରେ ଚଢା ଦରରେ ବିକ୍ରି କରିବେ ।
ସୋ କଲ୍ଡ ବିଫ୍ ନାମରେ ରେସ୍ତୁରାଁ ବିକ୍ରି ହେବ ,ପୁଣି ପ୍ରୋଟିନ୍, ନ୍ୟୁଟ୍ରିଏଣ୍ଟ୍ସ ଭରପୁର୍ ବୋଲି ମଧ୍ୟ କୁହାଯିବ ।ବାହାର ଦେଶରେ ବି ଚାହିଦା ବି ମଧ୍ୟ ବଢୁଥିବ ଏ ବିଫ୍ ର ।
ବେପାର କରୁଥିବା ଲୋକ ବି କେବେ ନା କେବେ ତ କୃଷ୍ଣ ଙ୍କୁ ଡାକି ଥିବ ,କିଛି ନ ହେଲେ ଛୋଟ ବେଳେ ଗପରେ ତ ଶୁଣିଥିବ କି କେତେ ପ୍ରିୟ ଗୋମାତା କୃଷ୍ଣଙ୍କର । କିଛି ବି ଆସେ ନା ତା ମନକୁ ?ନା ବୋଧେ ଆସେ ନି । ଯଦି ଆସେ କେବଳ ଟଙ୍କା ଆସିବାର ସହଜ ରାସ୍ତା ।
ଆଜିର ଏ କଂସେଇ ଠୁ ବହୁତ ଭଲ ଥିଲା "ବଉଳା "ଗପର ସେ ବାଘ । ବଉଳା କଥା ରଖି ଆସିଥିଲା ବୋଲି ସେ ତାକୁ ଛାଡି ଦେଇଥିଲା ।ଆଜିର ବଉଳା କେତେ ହତଭାଗା ।ସେ ତ ତା ପିଲା କୁ ଶେଷ ଥର ପାଇଁ ଦେଖି ପାରୁଥିବ କି ନାହଁ କେଜାଣି ।କଷ୍ଟ ସମୟରେ ତା ଆଖିରୁ ବହୁଥିବା ଲୁହକୁ କେହି ବୋଧେ ଦେଖି ପାରୁନ ଥିବେ ।
ବାଘ ଟା ପଶୁ ହୋଇ ବି କେତେ ଦୟାବାନ୍ ଥିଲା ।ମଣିଷ ସ୍ବାର୍ଥ ପାଇଁ ଏତେ ନିର୍ଦ୍ଦୟ ?
ଗାଇ ଟିକୁ ଘରେ ପାଳୁଥିବା ଲୋକ ଟି ତା ବାଛୁରୀ କୁ ବି ଠିକ୍ ଭାବରେ ଟିକେ ଖାଇବାକୁ ଦିଏନା ତା ମା'ର କ୍ଷୀରକୁ।ଚିର ର ଶେଷ ବିନ୍ଦୁ ଯାଏ ସବୁ ତକ ତା ବାଲ୍ଟି କୁ ନିଗାଡି ଆଣେ ।
ଆଉ ଆଜିର ବଉଳା ଟା ତା ବାଛୁରୀ କୁ ଜିଭରେ ଚାଟି ,ଗେହ୍ଲ କରି ବୁଝାଇ କହି ଦିଏ କି ରହ ରେ ଧନ ,ବିଲକୁ ଗଲେ ତୋତେ ଚୁପ୍ କରି ଖାଇବାକୁ ଦେଇଦେବି ।ଏ ମଣିଷ ଆମକୁ ଖାଇବାକୁ ଦେଉଛନ୍ତି ତାକୁ ଯଦି କ୍ଷୀର ନ ଦେବି ଆଉ ସେ କ୍ଷୀର କୁ ବିକି ସିଏ ଯଦି ଠିକ୍ ପଇସା ନ ପାଇବ ,କେଉଁ କଂସେଇ କୁ ମୋତେ ବିକି ଦେବରେ ।ତୁ କଣ ମୋତେ ଛାଡି ରହି ପାରିବୁ .....? ତେଣୁ ଟିକିଏ ଭୋକ ରେ ରହିଯା ।ଚରିବାକୁ ଗଲେ ପେଟ ପୁରି ଖାଇଦେବୁ ।ବାଛୁରୀ ବି ବୁଝିଯାଏ ସେ କଥା ।
ତଥାପି ମଣିଷର ନିଷ୍ଠୁରତା ତାକୁ ଏତେ ତଳକୁ ଖସେଇ ଦିଏ ଯେ କେଇ ଟଙ୍କା ଲୋଭରେ କଂସେଇ ହାତକୁ ବଢେଇ ଦିଏ ।ଗଲା ବେଳେ ବଉଳା ତା ପିଲାକୁ କହିଯାଏ ,ମୁଁ ତ ଯାଉଛି ତୁ କିନ୍ତୁ କେବେ ବି ମାଲିକ ମନରେ ଦୁଃଖ ଦେବୁନି ।ଭଲ କ୍ଷୀର ଦେବୁ ,ତୋ ଭାଇକୁ କହିବୁ ସିଏ ଭଲ ହଳ କରିବ ।କିନ୍ତୁ ବଉଳା ଜାଣି ନ ଥାଏ ତା ପିଲା ବି ଟିକିଏ ଅକାମି ହେଲେ ତାରି ପରି ବିକ୍ରି ହୋଇଯିବେ ।
ଥରେ ଟ୍ରେନ୍ ରେ ଯାଉଥିବା ସମୟରେ ଗୋଟିଏ ଗାଇ ଟ୍ରେନ୍ କଡରେ ମରିକି ପଡିଥିବାର ଦେଖିଲି ।ଭାବିଲି ଯଦି ମଣିଷ ଟେ ହୋଇଥାନ୍ତା ତେବେ କେତେ ଫଟୋ ଉଠେଇ କେତେ ନ୍ୟୁଜ୍ ଚ୍ୟାନେଲ୍ ରେ ଆସିଥାନ୍ତା ।କିଛି ଚ୍ୟାନେଲ ହାତରେ ଯଦି କିଛି ଖବର ନ ଥାନ୍ତା ତେବେ ସେହି ମଲା ମଣିଷର ଫଟୋକୁ ନେଇ ଏପରି ଖବର ବନେଇଥାନ୍ତା ଯେ ରାତାରାତି ଚ୍ୟାନେଲ ର ଟିଆରପି ସର୍ବୋଚ୍ଚ ରେ ଥାନ୍ତା ।କିନ୍ତୁ ଏ ଗାଇ ଟା ବୋଲି ତା ମର ଶରୀର କଥା କେହି ବି ବୁଝୁ ନାହାନ୍ତି ।ବିଚରା ତା ବାଛୁରୀ ର କଣ ହୋଇଥିବ ।ମା ଛେଉଣ୍ଡ ହୋଇ ଆଖିରୁ ଲୁହ ଗଡଉଥିବ ,ସେ ଓ ଏତିକି ବି ଜାଣି ନ ଥିବ କି ତା ମା ଫେରିବ କି ନାହିଁ ।
ସତରେ ଏ କୃଷ୍ଣ ଭକ୍ତ ମାନେ କେତେ ସ୍ବାର୍ଥପର ।
କେବେ କେବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଫଟୋ କି ଭିଡିଓ ରୁ ଦେଖେ କି । କିଛି ଏପରି ବି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ପକେଟ୍ ଗୋଲାପି ନୋଟ୍ ଟିଏ ପୂରାଇବା ପାଇଁ ,ଗୋମାତା ଚାଲାଣ୍ ହେଉଥିବା ଗାଡି କୁ ପାର କରେଇ ଦିଅନ୍ତି ।ଆଉ ସେ ପଇସାରେ ହୋଟେଲ୍ ରେ ମଦ ,ମାଂସ ହେଉ ଅବା ଘରର ସ୍ତ୍ରୀ ,ପିଲା ପାଇଁ ଉପହାର ନିଅନ୍ତି ।
ଛି ଛି ........ ଖରାପ ଲାଗେନି .........?ଏପରି କାମ କରିବାକୁ ।ଗୋମାତା ଚାଲାଣକୁ ଅଟକେଇ ଯେଉଁଠି ପୂଣ୍ୟ ଅର୍ଜନ କରିପାରିବାର ରାସ୍ତା ଥାଏ ସେଇଠି ପରୋକ୍ଷରେ ଗୋ-ହତ୍ୟା କୁ ପ୍ରୋତ୍ସାହିତ କରିବା କେତେ ଦୂର ଯଥାର୍ଥ .......?
ପ୍ରକୃତରେ ଦେଖିବାକୁ ଗଲେ କେହି ଏଇଠି ସମର୍ପିତ ମନରେ ଭକ୍ତ ହୋଇପାରି ନାହାନ୍ତି ।ଯଦି ହୋଇଥାନ୍ତେ ଆଜି ଆଉ ଏ ପ୍ରକାର ର ଗୋ -ଚାଲାଣ ହେଉ ନ ଥାନ୍ତା । ଭଗବାନ୍ ଙ୍କର ଏତେ ପ୍ରିୟ ଗୋ-ମାତା କୁ ଏମିତି ହତ୍ୟା ପାଇଁ ନିର୍ଦୟ କଂସେଇର ଅନ୍ଧକୂପ କୁ କେହି ଠେଲି ନ ଥାନ୍ତେ ।
ରେ ବଉଳା ଏଇଠି ତୋତେ କି ତୋ ମନ କଥା ବୁଝିବାକୁ କେହି ନାହାନ୍ତି ରେ ।କେହି ବି ପଛେଇବେନି ତୋ ପ୍ରାଣକୁ ବଳି ପକାଇବାକୁ ।ଗହ୍ମାପୁନେଇଁ ରେ ଯେଉଁ ହାତରେ ତୋତେ ପୂଜା କରନ୍ତି ,ସେଇ ହାତରେ ତୋତେ କଂସେଇ କୁ ଟେକିଲା ବେଳେ କେବେ ବି ଥରିବନି ଏ ମଣିଷର ହାତ ।କେବେ ବି ମନେ ପକେଇବେନି ତୋ ଠୁ ପାଇଥିବା ଉପକାର କୁ ।
ତୁ ଫେରି ଯା -ସେ ବାଘ ମାମୁଁ ପାଖକୁ ।କିଛି ନ ହେଲେ ପଶୁ ହେଲେ ବି ସେ ବୁଝିବ ତୋ ମନ କଥା ।ନିଜେ ଉପାସରେ ରହି ବି ସେ ବାଘମାମୁଁ ତୋତେ ଜୀବିତ ଛାଡି ଦେବ ତୋ ପିଲା ପାଇଁ ।
ଆଜିର ଏ କଳିଯୁଗରେ ତୁ କେବେ ବି ପାଇବୁନି ସେ ବାଘମାମୁଁ ପରି ଦୟାବାନ୍ କୁ ।
ସତରେ କେତେ ନିର୍ଦୟ ଏ ମଣିଷ ,କେତେ ଦେଖେଇହେବା ପଣରେ ନିଜକୁ ଶ୍ରେଷ୍ଠ ବୁଲାଉଛନ୍ତି ଏ ସମାଜ ।ଦରକାର ,ବିପଦ ସମୟରେ ଯେଉଁ ଭଗବାନଙ୍କ ଗୋଡ ତଳେ ପଡି ଯାଆନ୍ତି ସେହି ଭଗବାନଙ୍କ ପ୍ରିୟ ବଉଳା କୁ ହତ୍ୟା କରିବାରେ ପଛଉ ନାହାଁନ୍ତି ।କେତେ ତଳକୁ ଖସି ଯାଉଛି ଏ ସମାଜ ।
କେତେ ହତଭାଗା ତୁ ଆଜିର 'ବଉଳା ' ।
କାହାର ଭକ୍ତିଭାବକୁ ଆକ୍ଷେପ କରିବା ମୋର ଉଦ୍ଦେଶ୍ୟ ନୁହେଁ ।ଯଦି ଆଘାତ କରିଥାଏ କ୍ଷମା ଚାହୁଁଛି ।