ଆଘାତ
ଆଘାତ
ହଠାତ ମେଡିସିନି କିଣି ସ୍ୱାମୀ ଦିନେଶଙ୍କ ବାଇକ ପଛରେ ବସିବାକୁ ସୁମିତ୍ରା ଯାଉଛି, କିଏ ଜଣେ ଅଚିନ୍ହା ଭଦ୍ରବ୍ୟକ୍ତି ପଛରୁ ଡାକି କହିଲେ,
-ମାଡାମ ନୋଟଟା ଆପଣଙ୍କ ପର୍ସରୁ ବାହାରି ତଳେପଡିଲା ବୋଧ ହୁଏ l
-ହଁ ତ, l ଭଲହେଲା, କହିଦେଲେ l ଥାଙ୍କ ୟୁ l
- ଆପଣ ସୁମିତ୍ରା ରଥ ନା ? ସେକ୍ଟର ଦୁଇ, ସରକାରୀ ଉଚ୍ଚ ବିଦ୍ୟାଳୟରୁ?
ଆରେ ଏତେ ଭଲରେ ମୋତେ ଚିନ୍ହିଲା ଵାଲା କିଏ ସେ ଲୋକ ? ସାନ୍ଧ୍ୟଆଲୋକ କ୍ରମଶଃ ଲୋକ ଚିନ୍ହିବାର କ୍ଷମତାକୁ ହ୍ରାସକରି ଦେଉଥାଏ l ନିରିଖେଇ ଦେଖି ସୁମିତ୍ରା ପଚାରିଲେ
- ହଁ l ହେଲେ ଆପଣ କିଏ କହିଲେ? ମୁଁ ଜାଣି ପାରୁନି l
- ଆପଣଙ୍କ ସାଙ୍ଗରେ ଅବିନାଶ ପଣ୍ଡା ବୋଲି କିଏ ପଢୁଥିଲା କି?ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ନାଁ ପ୍ରାଞ୍ଜଳ ମନେଅଛି ସୁମିର l ସେ ବି ଅବିନାଶ!!! ନଣ୍ଡା?
ମାନେ, ଯଉ ଗେଡାହୋଇ , ଲଣ୍ଡା ପିଲାଟି l ତାକୁ କିଏ ଭୁଲିବ? ତାସାଙ୍ଗେ ତ କିଛି ଗୁରୁତ୍ୱପୂର୍ଣ ଘଟଣାକୁ ନେଇ ତାଙ୍କ ମସ୍ତିଷ୍କରେ ଟିକେ ଅଧିକ ଷ୍ଟୋରେଜ ବୋଧେ ଥିଲା l ସେସବୁ ଘଟଣା କଣ ଭୁଲି ହବ?
- ହଁ, ମନେଅଛି କାହିଁ ? କ'ଣ ହେଲା?
- ମୁଁ ସେଇ ଅବିନାଶ l
ପାଟି ଆଁ ମେଲି ଚାହିଁଥିଲେ ସୁମି l ଭୁଟୁ ଭୁଟୁ ଶବ୍ଦ କରି ସ୍ୱାମୀ ବାଇକ ର ହର୍ଣ ତୀବ୍ରରୁ ତୀବ୍ରତର କରୁଥିଲେ l ଆଉ ପଛରେ ବସି ଆଉଥରେ ବୁଲି ବୁଲି ଚାହୁଁଥିଲା ସୁମି ଅପସରିଯାଉଥିବା ତାର ସେହି ବାଲ୍ୟ ବନ୍ଧୁର ମୁହଁଟିକି ଯାହା ସେ ଦେଖୁଥିଲା ଦୀର୍ଘ କୋଡିଏ ବର୍ଷ ପରେ l ବୋଧହୁଏ ମିଶେଇବାକୁ ଚେଷ୍ଟା କରୁଥିଲା ସେ ପିଲାବେଳ ଚେହେରା ସାଙ୍ଗରେ ଆଜିର ଚେହେରାକୁ l
ଏହା ଭିତରେ ଦିନେ ସ୍କୁଲ ସାଙ୍ଗ ପ୍ରଣତି ଫୋନ କରିବାରୁ ତାକୁ ଅବିନାଶ ବିଷୟରେ ପଚାରିଲେ ସୁମିତ୍ରା l
- ଆରେ ତୁ ଜାଣିନୁ, ଅବିନାଶ ଆମ ସ୍କୁଲ ପାଇଁ କେତେବଡ଼ ଗୌରବ ଆଣି ଦେଇଛି l ଆଇ.ଆଇ.ଟି. ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ଏବେ ଖୁବ ବଡ଼ କମ୍ପାନୀରେ ଅଛି l ବଡ଼ଘରଟେ କିଣିଛି, ହେଲେ ଏକା ରହୁଛି ଶୁଣିଲି l ତୁ ତାକୁ ଚିନ୍ହି ପାରିଲୁନି କେମିତି?
ସତରେ, ଏ ପ୍ରଶ୍ନର ଉତ୍ତର ନଥିଲା ସୁମିତ୍ରାଙ୍କ ପାଖରେ l ଚିନ୍ହିବାକୁ କେବଳ ଆଖି ନୁହେଁ, ଖୋଲା ହୃଦୟଟିଏ ବି ଦରକାର l
- ଆରେ ସେ ପିଲାବେଳେ ଲଣ୍ଡା ଥିଲା l ଏବେ ଡେଙ୍ଗା ହେଇ, ମୁଣ୍ଡରେ ମୁଣ୍ଡେ ଚୁଟି, କିଏ ଚିନ୍ହିବ? ସାଇକେଲ ବଦଳରେ ବଡ଼ ଗାଡିରେ ସୁଟ ବୁଟ ପିନ୍ଧା ବାବୁ ହେଇ ବୁଲୁଚି ... ବୁଝିଲୁ ସାଙ୍ଗ, ତାକୁ ଦେଖି ତ ମୁଁ କାବାଆଉ !!
- ହଁ ପରା, ଭାରି ବିଚକ୍ଷଣ ନଥିଲା ପଢାପଢିରେ?
କଷ୍ଟକର ପରିସ୍ଥିତିରେ ପ୍ରତି ମୁହୂର୍ତ୍ତ ସଂଗ୍ରାମକରି ଆଜି ଏ ସ୍ତରକୁ ଆସି ପହଞ୍ଚିଛି l ତୁ ତାକୁ ସ୍କୁଲରୁ ରିଜେକ୍ଟ କରିଦେଇ ଥିଲୁ l ଆଜିଯାଏ ସେଥିପାଇଁ ବାହା ହେଇନି ବୋଧେ l
ମୃଦୁ ହସି ପୁଣି ସୁମି ପଚାରିଲା ...
-ତୋର ମନେ ଅଛି ପ୍ରଣତି, କେମିତି ମୋତେ ପ୍ରପୋଜ କରିବାକୁ ଯାଇ ବରଡ଼ାପତ୍ର ପରିକା ଥରୁଥିଲା?
- ହଁ, ଆଉ ଏତକବି ମନେ ଅଛି ବିଚରାକୁ କେମିତି ଗାଳି କରିଥିଲୁ l ତୁ ଯଦି ଟିକେ ତା ଶ୍ୟାମଳରଙ୍ଗ ବା ଚେହେରାକୁ ଏତେ ଗୁରୁତ୍ୱ ନଦେଇ ତା ଗୁଣକୁ ସମ୍ମାନ ଦେଇଥାନ୍ତୁ, ତେବେ ଆଜି ଗୋଟେ ଆଇ. ଆଇ. ଟି. ଇଞ୍ଜିନିଅରର ସ୍ତ୍ରୀ ହୋଇଥାନ୍ତୁ l ସେ ଆଜିଯାଏ ତୋ ପାଇଁ ବିବାହ କରିନି l କିଛି ନହେଲେବି ତା ମନ ରଖିବାକୁ ତାକୁ ଥରେ ମେସେଜ କରିଦେ l କାଳେ ସେ ବିବାହ କରିବାକୁ ଆଗେଇବ l ସାଙ୍ଗ ହିସାବରେ କିଛିତ କର୍ତ୍ତବ୍ୟ ବନୁଛି ଆମର ତାକୁ ବୁଝେଇବାକୁ l ତୋତେ ତା ନମ୍ବର ଫରୱାର୍ଡ଼ କଲି l
ପ୍ରଣତି ଫୋନ ରଖିଲା ପରେ ସେଦିନ ବହୁତ ଭାବିଲା ସୁମି l କେମିତି ତା ସହ କଥା ହେବାକୁ, ପାଖକୁ ଆସିବାକୁ ବାହାନା ଖୋଜେ ଅବିନାଶ l ହେଲେ ଆଇନାରେ ତା ଚେହେରାକୁ ଚାହିଁ କୌଣସି ଝିଅକୁ ପ୍ରପୋଜ କରିବା ଆଗରୁ ଭାବିବାକୁ ଚେତାଇ ଦେଇଥିଲା କିପରି ସେ !
ବିଚରା ଭିତରେ ଭିତରେ ବଡ଼ କଷ୍ଟ ପାଇଥିବ ତା ଆଖିରୁ ଜଣା ପଡୁଥିଲା ସେଦିନ l ହଁ କରି ଆଗେଇଥିଲେ ଆଜି କାହାଣୀ ଆଉ କିଛି ହୋଇଥାନ୍ତା l ହେଲେ ସେତେବେଳେ କିଏ ଜାଣିଥିଲା ଏତେବଡ ଅଫିସର ହେବ ବୋଲି ଦିନେ?
ପୁରୁଣା କଥା ଛାଡି ହ୍ୱାଟ୍ସଆପ କଲେ ଆପତ୍ତି କଣ? ଭଲମନ୍ଦ ପଚାରି ଦେଲେ ଟିକେ କ'ଣ ଅସୁବିଧା?
-ହାଏ, ଅବିନାଶ l ପ୍ରଣତି ଠାରୁ ନମ୍ବର ମିଳିଲା l ସେଦିନ ଅଚାନକ ଦେଖାହେଲା, ତରତରରେ ଘରକୁ ଡାକି ପାରିଲିନି l ଆଇ. ଆର. ସି. ଭିଲେଜରେ ହିଁ ରହୁଛି l ଆସିବ କେବେ ଘରଆଡେ l
ଲେଖି ତ ଦେଇଛି l
ହେଲେ ଦିନେଶ କଣ ଭାବିବେ?
ଛାଡ଼ l ଯା ଭାବିଲେ ଭାବନ୍ତୁ l ପ୍ରାଇଭେଟ କମ୍ପାନୀ ଚାକିରିଆକୁ ବାହାହେଇ କି ଲାଭ ପାଇଲି? ଜୀବନର ଛ ବର୍ଷ ଏମିତି ଫୋପାଡ଼ି ଦେଲି ଯାହା l ଅଭାବ, ଅସୁବିଧା ଯେପରି ଘେରି ରହିଛି ସବୁବେଳେ l
ଘର ଆଡେ କାଟି ପାଖରେ ଥିବା କଫି ସପରେ ବୋଲି ଲେଖିଲେ l
ମେସେଜ ର ରିପ୍ଲାଏ ଆସିଲା -
ହାଏ ସୁମି l ହଁ, ଦେଖା ହେବା l ବୁଧବାର, ବାରଟା, କଫିସପରେ?
ଆଇନା ଆଗରେ ଛିଡା ହୋଇ ନିଜକୁ ଦେଖିଲେ ସୁମି l ଏବେବି କିଛି ବଦଳିନି l ଟିକେ ଚେଷ୍ଟାକଲେ ବଡ଼ମାଛ ଜାଲରେ ପଡିବାର ଯୋଗ ଅଛି l ଭାଗ୍ୟ କେତେବେଳେ ବଦଳିବ କିଏ ଜାଣେ?
ଏମିତି ମଝିରେ ମଝିରେ ମିଳାମିସା, ମେସେଜ କଲାପରେ ମାମଲା ଟିକେ ଆଗକୁ ବଢିଲା l ଦୁଇଜଣ ଟିକେ ପରସ୍ପରପ୍ରତି ସହଜ ହେଲେ l
ଦିନେ ଏମିତି ମୁଡ଼ ହେଲା ସୁମି,ଗୋଟେ ଷ୍ଟୋରୀ ରଚିଲେ ଆଉ ଅବିନାଶଙ୍କୁ ଲେଖିଲେ:
- ଅବିନାଶ, ମୁଁ ସିନା ବାହା ହେଇଗଲି, ଖାଲି ବାପା ଜବରଦସ୍ତି କରିବାଯୋଗୁଁ l ୟାଙ୍କ ପ୍ରପୋସାଲରେ ମୁଁ ରାଜି ନ ହେବାରୁ ବାପା ମୋ ଉପରେ ଖୁବ ରାଗିଥିଲେ l ରାତିରେ ସ୍ୱପ୍ନ ଦେଖିଲି ବାପା ବିଷଖାଇ ଦେଇଛନ୍ତି l ଏସବୁ ଦୁଶ୍ଚିନ୍ତା ଏଡାଇ ଡରିକରି ରାଜି ହୋଇଗଲି l
ସେମିତି ଆଙ୍କ ଭିତରେ କିଛି ଖାସକଥା ନାହିଁ ଯେଉଁଥିପାଇଁ ଜଣେ ଜୀବନଟା ପୁରାପୁରି ବିତେଇଦେବ l ବାହାହେଇ ମୁଁ ଖୁବ କଷ୍ଟରେ ଅଛି l ଆଉ ତୁମେ ମୋତେ ଝୁରି ଝୁରି l ବାହାଘର ଗୋଟେ ବେକାର ଜଞ୍ଜିର l ମୋଡର୍ଣ ଯୁଗରେ କେହି କାହାରି ସାଙ୍ଗେ ଏତେ ଲଗା ପଘା ନାହିଁ l ରାତିରେ ବାହାଘର, ସକାଳେ ଡିଭୋର୍ସ l ତମେ ଚାହିଁଲେ ଆମେ ନିଶ୍ଚିତ ପୂର୍ଵର ଅଧାଗଢ଼ା ସ୍ୱପ୍ନ ପୁରା କରିପାରିବା l ଭାବୁଚି, ତୁମେ ମୋ ଉଦ୍ଦେଶ୍ୟ ବୁଝୁଥିବ l
- ଏଥର ମେସେଜ ପଢି ଉଦ୍ଦେଶ୍ୟ ସାଙ୍ଗରେ ସୁମିତ୍ରାର ଚରିତ୍ର ପୁରାପୁରି ଭାବେ ବୁଝି ଯାଇଥିଲେ ଅବିନାଶ l ପ୍ରଣତି ତାଙ୍କୁ ଆଗରୁ ସୁମିତ୍ରାର ସ୍ୱଭାବ ବିଷୟରେ ସାବଧାନ କରାଇଥିଲେ l ଏଇ ଚେହେରା ପଛରେ ପଡି ଦିନେଶକୁ ନ ପାଇଲେ ମରିଯିବାର ଧମକ ଦେଇ ଘର ଲୋକଙ୍କ ବିରୁଦ୍ଧରେ କେତେଯେ ନାଟକ କରିଥିଲା ସୁମି l
ହେଲେ ପ୍ରେମ ପରା ଅନ୍ଧ l ଯେପରି କଥାରେ ଅଛି, ନିଜେ ନ ମଲେ ସ୍ୱର୍ଗ ଦେଖିବା ଅସମ୍ଭବ, ସେପରି ହିଁ ହେଲା l ଭଲ ହେଲା,ଗୋଟେ ଛୋଟିଆ ଡ୍ରାମା କରିବା ଦ୍ୱାରା ସେ ଠିକ ସମୟରେ ଆଖି ଆଗରୁ ଅନ୍ଧପୁଟୁଳି ଖୋଲି ପାରିଥିଲେ l
ପାଦରେ ଆଘାତ ଲାଗିଲେ ମଣିଷ ସଠିକ ଭାବେ ଚାଲିବା ଶିଖିଯାଏ ଏବଂ ହୃଦୟରେ ଆଘାତ ଲାଗିଲେ ମଣିଷ ବଞ୍ଚିବା ଶିଖିଯାଏ l ଦିନେ ଏପରି ଏକ ଅର୍ଥସର୍ବସ୍ୱ, ସ୍ୱାର୍ଥପର, ଚରିତ୍ରହିନା ସ୍ତ୍ରୀ ଲୋକର ସୁନ୍ଦର ଚେହେରା ପଛରେ ପାଗଳ ହୋଇ ଆଜୀବନ ବିବାହ ନକରି ଏକ ସନ୍ୟାସୀ ପରି ତ୍ୟାଗମୟ ଜୀବନ ବିତେଇବା ପାଇଁ ଧାର୍ଯ୍ୟ କରିଥବାରୁ ଲଜ୍ଜିତ ହୋଇଥିଲେ l ସମୟ ଥାଉ ଥାଉ ବଞ୍ଚିବା ଶିଖି ଯାଇଥଲେ ଅବିନାଶ ଆଉ ବ୍ଲକ କରିଦେଇଥିଲେ ସୁମିତ୍ରାଙ୍କ ନମ୍ବର l
