Sambit Srikumar

Abstract Tragedy Classics

4.4  

Sambit Srikumar

Abstract Tragedy Classics

ଆଦର୍ଶ ଝିଅ

ଆଦର୍ଶ ଝିଅ

4 mins
374


ଜାଣିବା ଶୁଣିବା ଲୋକେ ସଭିଏଁ କହୁଥିଲେ ଶିବାନୀ ଭଳି ଝିଅ ଜଗତରେ ନାହିଁ! କେଉଁ ଜନ୍ମରେ କି ପୂଣ୍ୟ କରିଥିଲେ କେଜାଣି ତା' ଭଳି ଝିଅଟିଏର ବାପା ହେବାକୁ ସୌଭାଗ୍ୟ ଅର୍ଜନ କରିଥିଲେ ନିତ୍ୟାନନ୍ଦ ବାବୁ। ବୟସାଧିକ୍ୟ ହେତୁ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିବା ବାପାଙ୍କୁ ପାଖରେ ରଖି ନିଜ ପିଲା ପରି ଯତ୍ନ କରୁଛନ୍ତି ଶିବାନୀ ଦେବୀ। ବାପାଙ୍କର ଯାବତୀୟ କାର୍ଯ୍ୟ ଏଇ ଯେମିତି ଗାଧେଇ ଦେବା, ପୋଷାକ ପିନ୍ଧାଇ ଦେବା, ଖୁଆଇ ଦେବା, ହ୍ବିଲ୍ ଚେୟାର୍.ରେ ବୁଲାଇ ଆଣିବା ଇତ୍ୟାଦି ଇତ୍ୟାଦି ନିଜ ହାତରେ କରୁଛନ୍ତି ସେ।

ଏଥିପାଇଁ ଅବଶ୍ୟ ଜ୍ବାଇଁ ଆଶୁତୋଷଙ୍କ ଦୃଢ଼ ସମର୍ଥନ ଓ ସହଯୋଗ ମିଳେ ତାଙ୍କୁ। ଶ୍ବଶୁରଙ୍କୁ ନିୟମିତ ବ୍ୟବଧାନରେ ଡାକ୍ତରଖାନା ନେବା ଓ ଔଷଧ କିଣି ଆଣିବାରେ କେବେ ବି ହେଳା କରି ନାହାଁନ୍ତି ସେ। ବରଂ ଅଫିସ୍ ଯିବା ବନ୍ଦ କରିଦେବେ, ସବୁ କାମଦାମ ପଛରେ ପକାଇ ଶ୍ବଶୁରଙ୍କ କଥା ଆଗେ ବୁଝନ୍ତି। ଝିଅଟିଏକୁ ସଫଳ ଓ ସନ୍ତୁଳିତ ଜୀବନ ଜୀଇଁବା ପାଇଁ ଏମିତି ହୃଦୟବାନ ଏବଂ ଅନ୍ତରକୁ ବୁଝିପାରୁଥିବା ସମଝଦାର ଜୀବନସାଥି ହିଁ ଦରକାର। ତେବେ ଯାଇ ଯିଏ କେହିବି ଖୁସି ହୋଇପାରିବ। ଖାଲି କଥାରେ କହି ଦେଲେ ହେବ କି? କାମରେ ବି କରିକି ଦେଖାଇବା ନିହାତି ଆବଶ୍ୟକ।

ନିତ୍ୟାନନ୍ଦ ବାବୁ ସର୍ବ ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ପ୍ରଶାସକ। ପ୍ରଶାସନିକ ଅଧିକାରୀମାନଙ୍କ ଜୀବନ ବି ବଡ଼ ବିଚିତ୍ର! କ୍ଷମତାରେ ଥିବା ଯାଏଁ କି ଦପ୍ତର କି ଘର ଆଗରେ ପଛରେ ଲୋକବାକ ହାଉଜାଉ ହେଉଥିବେ। ତୁଣ୍ଡରୁ ଶବ୍ଦ ନ ବାହାରିବା ପୂର୍ବରୁ ହିଁ ସବୁକିଛି ଛାମୁଙ୍କ ସେବାରେ ପ୍ରସ୍ତୁତ ହୋଇ ରହିଥିବ। ବିଭିନ୍ନ କାମ କରିବା ପାଇଁ ଚାକରବାକର, ମାଳି, ପୂଜାରୀ, ଡ୍ରାଇଭର୍ ସଭିଏଁ ସଦାସର୍ବଦା ତୟାର। ସାହେବଙ୍କୁ ଜୋତା ପିନ୍ଧାଇ ଦେବାକୁ ବି ଲୋକଟିଏ ଥିବ। କୋଟି କୋଟି ଟଙ୍କାର ସୁଅ ଛୁଟୁଥିବ ବ୍ଯକ୍ତିଗତ ଖାତାକୁ। କିନ୍ତୁ ଅବସର ଗ୍ରହଣ ପରେ କ୍ଷମତା ଅଳିନ୍ଦରୁ ଅପସରି ଗଲା ମାତ୍ରକେ କେହି ବି ପଚାରିବେ ନାହିଁ। ଅନେକ ଦିନ ଧରି ବୋଲହାକ କରୁଥିବା ଅଧସ୍ତନ କର୍ମଚାରୀମାନେ ବାଟରେ ଘାଟରେ କଦବା କ୍ବଚିତ୍ ଦେଖା ହେଲେ ବାଟ ଭାଙ୍ଗି ପଳାଇବେ। ଯଦି ଚାକିରୀ କାଳରେ ସେମାନଙ୍କୁ ଉତ୍ତମ ବ୍ଯବହାର ପ୍ରଦର୍ଶନ କରିଛନ୍ତି ତେବେ ଅଲଗା କଥା। ଚିରଦିନ ମନରେ ଭକ୍ତି କରୁଥିବେ ଓ ବିପଦ ଆପଦରେ ସାହାଯ୍ୟ ବି କରିବାକୁ ଆଗେଇ ଆସିବେ।

ନିତ୍ୟାନନ୍ଦ ବାବୁ ଦଶ ଦଶଟି ସନ୍ତାନ ସନ୍ତତିଙ୍କ ଜନକ। ନ' ପୁଅ ଆଉ ଗୋଟିଏ ବୋଲି ଝିଅ, ଶିବାନୀ। ପତ୍ନୀ ମାଳତୀ ଦେବୀ ଏଇ କିଛି ବର୍ଷ ପୂର୍ବରୁ ସ୍ଵର୍ଗବାସୀ। ହାତ ଗୋଡ଼ ଚଳୁଥିବାବେଳେ ପୁଅ ବୋହୂମାନେ ଯାହିତାହି ସେବା ଶୁଶ୍ରୂଷା କରୁଥିଲେ। କିନ୍ତୁ ଗାଧୁଆଘର ଚଟାଣରେ ପଡିଯାଇ ଆହାତ ହୋଇ ଶଯ୍ଯାଶାୟୀ ହେବା ପରେ ଆଉ କେହି ମୁହଁକୁ ଚାହିଁଲେ ନାହିଁ। ଏଣୁ ବାଧ୍ଯ ହୋଇ ଝିଅ ଘରେ ଆଶ୍ରୟ ନେଇଛନ୍ତି। ନିତ୍ୟାନନ୍ଦ ବାବୁ ଯେ, ସ୍ଵୟଂଚାଳିତ ହୋଇ ଝିଅ ଘରକୁ ଆସିଲେ, ଏକଥା କହିବା ଠିକ୍ ହେବନି। ବରଂ ଶିବାନୀ ଅତି ବାଧ୍ଯ କରି ନିଜ ବସାକୁ ନେଇ ଆଣିଛନ୍ତି ବାପାଙ୍କୁ ତାଙ୍କର, ପୁଅ ବୋହୂଙ୍କ ଅଣଦେଖାରୁ ମୁକ୍ତ କରି ତାଙ୍କୁ ନୂଆ ଜୀବନ ଦେବାକୁ।

ଧିରେ ଧିରେ ସୁଧାର ଆସୁଥାଏ ନିତ୍ୟାନନ୍ଦ ବାବୁଙ୍କ ସ୍ବାସ୍ଥ୍ୟବସ୍ଥାରେ। ସହରଟା ସାରା ଚାରିଆଡ଼େ ଶିବାନୀର ଚର୍ଚ୍ଚା। ସଭିଏଁ ବାଃ ବାଃ କରୁଛନ୍ତି। ଝିଅଟିଏ କେବେ ବି ବୋଝ ନୁହେଁ ବରଂ ଦଶ ଦଶଟା ଅଯୋଗ୍ୟ ପୁଅଙ୍କ ଠାରୁ ଶହେ ଗୁଣ ଭଲ। ନହେଲେ ଆଜିକାଲି ଯେଉଁ କଥା କୋଉ ପୁଅ ଝିଅ ବାପାମାଆଙ୍କର ଏତେ ସେବା ଯତ୍ନ କରୁଛନ୍ତି। ଏଇ ଦେଖୁନାହାନ୍ତି, ଦେଶର ପୂର୍ବତନ ନିର୍ବାଚନ କମିଶନର ଥିବା ଅତ୍ୟନ୍ତ ଦକ୍ଷ ପ୍ରବଳ ପ୍ରତାପୀ ଭଦ୍ରବ୍ୟକ୍ତି ଆଜି କେମିତି ଜୀବନର ସାୟାହ୍ନରେ ଜରାଶ୍ରମର ଅତିଥି। ଟଙ୍କା ପଇସା ଧନ ସମ୍ପତ୍ତି କେଉଁଥିରେ ଅବା ଉଣା? କିନ୍ତୁ ତାଙ୍କର କେହି ଜ୍ଞାତି କୁଟୁମ୍ବ ଅଛନ୍ତି କି ନାହିଁ କାହାରିକୁ ଜଣା ନାହିଁ।

ଏଇ ଶିବାନୀ ନିଜ ଶାଶୁ ଶ୍ବଶୁର ବଞ୍ଚିଥିବା ବେଳେ ଗାଁରୁ ସେମାନଙ୍କ ହାନିଲାଭ ବିଷୟରେ କିଛି ବି ଖବର ଆସିଲେ ସ୍ବାମୀ ଆଶୁତୋଷଙ୍କୁ ଆଦୌ ଜଣାନ୍ତି ନାହିଁ। ଏପରିକି କହି ଦିଅନ୍ତି ଯେ, "ସିଏ ଟୁର୍.ରେ ସହର ବାହାରକୁ ଯାଇଛନ୍ତି!" ଶ୍ବଶୁର ଦୀର୍ଘ ଚାରି ମାସ ଧରି ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇ ଅସହ୍ୟ କଷ୍ଟ ଭୋଗ କରୁଥିଲେ। ଶାଶୁ ପଡିଶାଘର ଲୋକଙ୍କୁ କୁହାବୋଲା କରି ବାରମ୍ବାର ଫୋନ୍ କରନ୍ତି ଭୁବନେଶ୍ବର ପୁଅ ପାଖକୁ। କିନ୍ତୁ ପ୍ରତିଥର ଶୁଣିବାକୁ ମିଳେ ସେଇ ଏକା ଉତ୍ତର, "ବାବୁ ଟୁର୍.ରେ ଯାଇଛନ୍ତି।"

ଦିନେ ଅଚାନକ ଆଶୁତୋଷ ବାବୁଙ୍କୁ ଗାଁରୁ ଫୋନ୍ ଆସିଲା। ପାଖ ପଡୋଶୀ କରିଥିଲେ ଫୋନ୍। ଖବର ଥିଲା, "ବାପା ଚାଲିଗଲେ " ଆକାଶରୁ ଖସି ପଡୁଥିବା ଭଳି ଅନୁଭବ କରୁଥିଲେ ସେ। କାହିଁ କିଛି ତ ନଥିଲା ଅଚାନକ ଏମିତି ହେଲା କେମିତି? କିଛି ବି ତ ରୋଗ ବୈରାଗ ନଥିଲା। ଯଦି ବି କିଛି ଥିଲା, କେହି କେମିତି ତାଙ୍କୁ ଖବର ଟିକେ ଦେଲେ ନାହିଁ ଏତେ ଦିନ ଧରି?

ଯାହା ଯେମିତି ବାପାଙ୍କର ଶୁଦ୍ଧିକ୍ରିୟା ଶେଷ କରି ମାଆଙ୍କୁ ସାଙ୍ଗରେ ଆଣି ଭୁବନେଶ୍ବର ଆସିବାକୁ ବାହାରିଲା ବେଳକୁ ଶିବାନୀ ଦେବୀଙ୍କ କୂଟନୀତିରେ ସେଇ ପ୍ରସ୍ତାବ ଶୀତଳଭଣ୍ଡାରରେ ରହିଗଲା। କଥା ପ୍ରସଙ୍ଗରେ ସେ କହିଲେ, "ମାଆ ଭୁବନେଶ୍ବର ଯିବା ପରେ ଏଠିକାର ଘର ଦ୍ବାରା, ଗାଈଗୋରୁ, ବିଲବାଡି କଥା ବୁଝିବ କିଏ? ବରଂ ସିଏ ଏଇଠି ଥାଇ ଦେଖାଶୁଣା କରୁଥାଆନ୍ତୁ। ବଳ ବୟସ ତ ଅଛି, ନିଜେ ବି ରାନ୍ଧି ବାଢି ଖାଇପାରୁଛନ୍ତି। ଏଇଠି ପାଖ ପଡିଶା ଲୋକଙ୍କ ସହିତ ମିଳାମିଶାରେ ସମୟ କଟିଯିବ ତାଙ୍କର। ସେଠି ତ ଦିନସାରା ଖାଲି ବସି ବସି ବୋର୍ ହେବେ, କାମିକା ଲୋକ ଏମିତି ବସିଗଲେ ଦେହ ହାତରେ ଜଙ୍କ୍ ଲାଗିଯିବ।"

ଉଚ୍ଚଶିକ୍ଷିତା ଶିବାନୀର ପ୍ରସ୍ତାବ ଆଶୁତୋଷ ବାବୁଙ୍କ ମଗଜରେ ଏକଦମ୍ ଢୁକିଗଲା। ଅଗତ୍ୟା ମାଆ ରହିଲେ ଗାଁରେ ଏକାଏକା ବାପାଙ୍କ ସ୍ମୃତିର ସାହାରାରେ। କିଛିଦିନ ବିତିଗଲା ଏମିତି ସୁଖ ଦୁଃଖରେ। ମଝିରେ ମଝିରେ ଶିବାନୀଙ୍କ ଅନିଚ୍ଛା ସତ୍ତ୍ବେ ଛୁଟି ହେଲେ ଗାଁରୁ ଘେରାଏ ବୁଲି ଆସନ୍ତି ଆଶୁତୋଷ ବାବୁ। କିନ୍ତୁ ମାଆଙ୍କୁ ସାଥିରେ ଧରି ଭୁବନେଶ୍ଵର ଆସିବାକୁ ସାହାସ ଜୁଟେଇ ପାରନ୍ତି ନାହିଁ। ଆଜିକାଲି ପିଲାମାନଙ୍କର ଯେଉଁ ପ୍ରକାରର ପ୍ରତିଦ୍ବନ୍ଦିତାମୂଳକ ପାଠପଢ଼ା, ସେଥିରେ ଯଦି ଜେଜେମାଙ୍କ ସହିତ ଖେଳିବେ ତେବେ କ୍ଯାରିୟର ବରବାଦ୍ ହେବାର ଆଶଙ୍କା ଅଧିକ।

ପାଞ୍ଚ ପାଞ୍ଚଟି ଝିଅ ପରେ ବହୁ ଦେବାଦେବୀ ପୂଜା କରି, ମାନସିକ ଉପବାସର ଫଳ ସ୍ବରୂପ ପାଇଥିଲେ ଆଶୁତୋଷଙ୍କୁ ତାଙ୍କ ମାଆ। କିନ୍ତୁ ପରିଣତ ବୟସରେ ମାଆଙ୍କ ସାହାରା ହେବା ବଦଳରେ ତାଙ୍କୁ ସାହାରାର ଆବଶ୍ୟକ ପଡୁଥିଲା, ନିଜର ଧର୍ମପତ୍ନୀ ଶିବାନୀ ଦେବୀଙ୍କର। ପୁଅର ଅସହାୟତାକୁ ମାଆ ଠିକ୍ ଭାବେ ବୁଝି ପାରନ୍ତି। କିନ୍ତୁ ଦୁହେଁ କିଂକର୍ତ୍ତବ୍ଯବିମୁଢ। ଶିବାନୀଙ୍କୁ ଆଦୌ ପସନ୍ଦ ନୁହେଁ ତାଙ୍କର ଅପାଠୋଇ ଶାଶୁ। ସିଏ ଭୁଲିଯାଇଥିଲେ ଯେ, ଏଇ ଅପାଠୋଇ ଶାଶୁ ହିଁ ତାଙ୍କ ହାକିମ ସ୍ବାମୀଙ୍କ ଜନ୍ମଦାତ୍ରୀ। କୋଳେଇ କାଖେଇ ନିଜ ପୁଅକୁ ବଡ କରି ଦୁନିଆ ଦେଖାଇଛନ୍ତି, ଦୁନିଆର ପାଞ୍ଚ ଜଣରେ ଜଣେ ସଫଳ ବ୍ୟକ୍ତିତ୍ୱ କରାଇପାରିଛନ୍ତି।

ଛାତିର ଦୁଃଖକୁ ଛାତିରେ ଚାପିରଖି ଦିନେ ନୀରବରେ ଝରିଗଲେ ଆଶୁତୋଷ ବାବୁଙ୍କ ମାଆ ଅର୍ଥାତ୍ ଶିବାନୀ ଦେବୀଙ୍କ ଶାଶୁ। ନଣନ୍ଦମାନଙ୍କ ଝିନଝଟ୍ ମୂଳରୁ ନଥିଲା। ଶାଶୁଙ୍କ ବିୟୋଗରେ ନିଷ୍କଣ୍ଟକ ହୋଇଗଲେ ଶିବାନୀ। ଭୁବନେଶ୍ୱର ଠାରୁ ଗାଁ ସବୁଠି ଚାଲିଲା ତାଙ୍କର ହୁକୁମ୍। ବିଲବାଡିର ହିସାବ ଠାରୁ ହଳିଆ ମୂଲିଆ କୋଠିଆ ସମସ୍ତଙ୍କ ହିସାବ ତାଙ୍କ ନଖ ଦର୍ପଣରେ। ଆଶୁତୋଷ ବାବୁଙ୍କ ମତରେ, "ଗୃହିଣୀ ମୋର ଦକ୍ଷ ପରିଚାଳକ!" ବିପତ୍ତିକୁ ପ୍ରତିହତ କରି ସମ୍ପଦ ଅର୍ଜନ କରିବାର କଳା କେବଳ ତାଙ୍କୁ ହିଁ ଜଣା। ବେଶ୍ ଲକ୍ଷ୍ମୀମନ୍ତ ଭାର୍ଯ୍ୟା। ସେଥିପାଇଁ ତ ଶିବାନୀଙ୍କୁ ବିବାହ କରିବା ପରେ ରାଜଧାନୀ ସାରା ଭର୍ତ୍ତି ହୋଇଛି ତାଙ୍କର କୋଠା ଆଉ ବଙ୍ଗଳା।

ଶିବାନୀର ଅକ୍ଲାନ୍ତ ପରିଶ୍ରମ, ଅଧ୍ୟବସାୟ ଓ ନିଷ୍ଠାପର ଉଦ୍ୟମ ଫଳବତୀ ହେବାକୁ ଲାଗିଲା। ଆଜିକାଲି ନିତ୍ୟାନନ୍ଦ ବାବୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଚଲାବୁଲା କରୁଛନ୍ତି ବିନା କୌଣସି ସାହାଯ୍ୟରେ। କିନ୍ତୁ ବାପ ଝିଅ କେହି କାହାକୁ ଛାଡି ଅନ୍ୟତ୍ର ରହିବାକୁ ନାରାଜ୍। ଜୀବନର ଶେଷ ଶ୍ବାସ ପର୍ଯ୍ୟନ୍ତ ବାପାଙ୍କର ସେବା ଯତ୍ନ କରିବାକୁ ଶିବାନୀ ବଦ୍ଧ ପରିକର। ଧର୍ମପତ୍ନୀ ଓ ଶ୍ବଶୁରଙ୍କୁ ଖୁସିରେ ଥିବା ଦେଖି ଆଶୁତୋଷ ବାବୁ ମଧ୍ୟ ଉତଫୁଲ୍ଲିତ। ଯାହା ହେଉ ଏଇ ଶିବାନୀଙ୍କ ପାଇଁ କେତେ ବାଃ ବାଃ ସିଏ ବି ତ ଶୁଣିବାକୁ ପାଉଛନ୍ତି "ସୁଯୋଗ୍ୟ ଜାମାତା" ବୋଲି ।


Rate this content
Log in

Similar oriya story from Abstract