ଆଧିପତ୍ୟର ପ୍ରତୀକ
ଆଧିପତ୍ୟର ପ୍ରତୀକ


ଟ୍ରେନରେ ଯାତ୍ରା କଲାବେଳେ କେତେଥର ଦେଖିଛି, ସହର ବାହାରେ ଥିବା କଳକାରଖାନାର ଭୀମକାୟ ଚିମ୍ନୀଗୁଡ଼ାକ ମୁହଁରୁ ର୍ନିଗତ କଳା କଳା ଧୂଆଁରେ ସଂନ୍ଧ୍ୟାର ପାଚିଲା ଆକାଶଟି କଳାହାଣ୍ଡିଆ ମେଘ ଢାଙ୍କିଲା ପରି ଢାଙ୍କିହୋଇ ଯାଇଥାଏ । ଏ ଦୃଶ୍ୟଟି ବ୍ରିଟିଶ ରୋମାଂଟିକ୍ ଚିତ୍ରକର ଟରନର୍ ଙ୍କ ଛବିଭଳି ଲାଗେ, ଦୂରରୁ ବଡ଼ ଗରିମାମୟ, ରୋମାଞ୍ଚକର , ହେଲେ ବାସ୍ତବ ସତ୍ୟଟି ବଡ଼ ଭୟାବହ ! ଏହି ଚିମ୍ନୀକୁ ଦେଖି ପୁଣି ଆଖି ଆଗରେ ଝଲସି ଉଠେ ଉ୍ୱଲିୟମ୍ ବ୍ଲେକଙ୍କ କାରୁଣ୍ଯଭରା ଚିମ୍ନୀ ସୁଇପର କବିତାରେ ବର୍ଣ୍ଣିତ ସେ ହତଭାଗା ଛୋଟ ପିଲାଟିର ମୁହଁଟି ।
ଆଖିକୁ ସୁନ୍ଦର ଦେଖା ଯାଉଥିବା ଦୃଶ୍ୟ ସବୁବେଳେ ବାସ୍ତବରେ ସୁନ୍ଦର ନୁହେଁ। ଯେମିତି କି ଜର୍ମାନ ଇତିହାସରର ସବୁଠୁ ବିଭତ୍ସ ଅଧ୍ଯାୟ, ହିଟଲରଙ୍କ ନାଜିପାର୍ଟି ଜିୟୁଙ୍କ ପ୍ରତି କରିଥିବା ଲୋମ ଟାଙ୍କୁରା, ଅମାନୁଷିକ ନରସଂହାରର ସାକ୍ଷ ସ୍ୱରୂପ ହୋଲୋକାଷ୍ଟ ର ଫଟୋ ମଧ୍ୟରୁ କିଛି, ଯାହାକୁ ଦେଖିଲେ ନ ଜାଣିଥିବା ଲୋକଟି ସେ ଫଟୋ ଗୁଡ଼ିକ ଦେଖି କହିବ,ବାଃ କି ସୁନ୍ଦର ରୋମାଞ୍ଚକର ଛବି ସବୁ !
ଚିମ୍ନୀରୁ ଧୂଆଁ ନିର୍ଗତ ହେଉଥିବା ଦୃଶ୍ୟଟି ଦୂରରୁ ସୁନ୍ଦର ଆଉ ମନୋହର ପ୍ରତୀତ ହେଲେ ବି ତା' ଅନ୍ତରାଳେ ଥିବା କଳା ଧଳାର ସତ୍ୟ ବିଷୟରେ ଛୋଟ ପିଲାଟିଏ ବି ଜାଣେ, ତେଣୁ ପରିବେଶକୁ ନେଇ ରଚନାଟିଏ ଲେଖିଲା ବେଳେ ସେ ଏ ଦୃଶ୍ୟର ବର୍ଣ୍ଣନା କେବେ ବି ଭୂଲେନି । ମଣିଷର ଜ୍ଞାନକୌଶଳ, କ୍ଷମତା, ଦୁଃସାହସିକତା ଆଉ ପ୍ରକୃତି ଉପରେ ତା'ର ଆଧିପତ୍ୟର ପ୍ରତୀକ ମଧ୍ୟରୁ ଚିମ୍ନୀ ଅନ୍ୟତମ । ପ୍ରକୃତି ଗର୍ଭରେ ଲୁକ୍କାୟିତ ଜୀବନି ଶକ୍ତି ଆଉ ସଂପଦକୁ ଲୁଟିଆଣି ପୁଣି ପ୍ରକୃତି ରକ୍ତକୁ ଇନ୍ଧନ କରି ନିଜ ବ୍ୟବହାର୍ଯ୍ୟ ମୁତାବକ ଭାଟିରେ ତରଳାଇ, ଭାଙ୍ଗି ବିଭିନ୍ନ କୁତ୍ରିମ ରୂପ ଦେଇ ନିଜ ଭୋକ ଆଉ ଶୋଷ ମେଣ୍ଟାଏ ।ଏ ଚିମ୍ନୀ ବେଳେବେଳେ ସ୍ପେନୀୟ ଚିତ୍ରକର "ଫ୍ରାନସିସ୍ ଗୋୟା"ଙ୍କର ଦି କଲୋସିସ୍ ବା ଦି ଜାଏଣ୍ଟ୍ ଭଳି ଦେଖାଯାଏ ମଣିଷର ଉଚ୍ଚ ଆକାଂକ୍ଷା ଆଉ ତୃଷ୍ଣାର ବିରାଟ ରାକ୍ଷସ ! ଯାହାର ଭୋକ ଅଦମ୍ୟ ଆଉ ଅସୁମାରୀ ।