Nityananda Nandi

Abstract Classics

4  

Nityananda Nandi

Abstract Classics

୨୦୮୦

୨୦୮୦

5 mins
164



କାନ୍ଥ ଘଡିକୁ ଦେଖି ଦେଖି ମୁଁ ଶୋଇବାକୁ ଚେଷ୍ଟା କରୁଥିଲି, ଅଚାନକ ସ୍ବପ୍ନ ମୋତେ କାବୁ କରିନେଲା, ମୋ ଅଜାଣତରେ..

ଅନେକ କଥା ପଛରେ ରହିଗଲା, ଘଡି କଣ୍ଟା କିନ୍ତୁ ଟିକ୍ ଟିକ୍ କରି ମାଡି ଚାଲିଲା ଆଗକୁ, ଅନେକ ଆଗକୁ, ୨୦୮୦ ମସିହା ପର୍ଯ୍ୟନ୍ତ 


ହାଭାନା ସହରର ଉତ୍ତର ପୂର୍ବ ପ୍ରାନ୍ତରେ ସମୁଦ୍ରକୁ ଲାଗି ଅତ୍ୟାଧୁନିକ ଡ୍ୟୁପ୍ଲେକ୍ସ ରେ ମୁଁ ରହୁଥିଲି ବାପାଙ୍କ ସାଥିରେ। ସନ୍ଦୀପ ସକ୍ସେନା ନାଁ ରେ ପରିଚିତ ମୋ ବାପା ହାଭାନା ସହରରେ। ବାପାଙ୍କ ପାଖରୁ ଭାରତୀୟ ଭାଷା , ପୋଷାକ, ସଂସ୍କୃତି ର ଧାରା ମୋ ଭିତରକୁ ପ୍ରବାହିତ ହୋଇ ଆସିଛି। ମାଆ କ୍ୟୁବାର ଅଧିବାସୀ। ତାଙ୍କ ଶିରା ପ୍ରଶିରା ରେ ଖୁନ୍ଦି ରହିଥାଏ ପାଶ୍ଚାତ୍ୟ ସଭ୍ୟତା। ଯଦିଓ ବାପାଙ୍କୁ ପ୍ରେମ କରି ବାହା ହୋଇଥିଲେ ମୋ ମାଆ, ମୁଁ ଜନ୍ମ ହେବାର ତିନି ବର୍ଷ ପରେ ସେ ଘର ଛାଡି ଚାଲି ଯାଇଥିଲେ ବୋଲି ଶୁଣିଛି। ବିବାହର ଅଳ୍ପ ଦିନ ପରେ ଡିଭୋର୍ସ। ମାଆଙ୍କ ଭିତରେ ମୋ ପାଇଁ ଏତେ ଦୁର୍ବଳତା ନ ଥିଲା ବୋଧେ। ମୋତେ ଛାଡ଼ି ଯିବା ପାଇଁ ତିଳେ ହେଲେ କୁଣ୍ଠାବୋଧ କରି ନ ଥିଲେ ସେ । ବ୍ୟସ୍ତ ବହୁଳ ସହର ଭିତରେ କାଆଁ ଭାଆଁ କେମିତି ଦେଖା ହୋଇଯାଏ ମାଆ ସହିତ, ବାସ୍...

ନା ସେ ମୋତେ ଡାକନ୍ତି, ନା ମୁଁ ତାଙ୍କୁ ଡାକେ। ସୀମିତ ସମ୍ପର୍କ ମାତ୍ର।


ରକ୍ତ ରଞ୍ଜିତ ଯୁଦ୍ଧଭୂଇଁ ର ନିରବତା ପରି ଆମର ଛୋଟ ଏଇ ପୃଥିବୀଟା ନିଃସଙ୍ଗ ଲାଗୁ ଥିଲା ମାଆ ଯିବା ପରେ। ରାତିର ଶେଷ ପ୍ରହର ପରି ଖାଁ ଖାଁ ଲାଗୁଥିଲା ଘର ଭିତରଟା। ଦିଗବଳୟ ବ୍ୟାପୀ ମରୁଯାତ୍ରା ପରେ ଆକାଶକୁ ଚାହିଁ ଥକା ମେଣ୍ଟାଉଥିଲି ମୁଁ। କିଛି ଗୋଟାଏ ଅତି ପ୍ରିୟ ସମ୍ପର୍କର ଆତ୍ମହତ୍ୟା ପରେ ମୋତେ କାହିଁକି କେଜାଣି ଭାରି ଏକୁଟିଆ ଲାଗୁଥିଲା ଆମ ଘରେ। ଦଶ ବର୍ଷ ବିତି ଗଲାଣି ଏହା ଭିତରେ। ବାପା କହୁଥିଲେ, ମାଆ ଅସୁସ୍ଥ, ହସ୍ପିଟାଲ ରେ ଅଛନ୍ତି। ଆନ୍ତରିକତା ନାହିଁ, ଦେଖିବାକୁ ଇଚ୍ଛା ହୁଏନି ମାଆ କୁ..


ଆଜି ଏପ୍ରିଲ ମାସ ୨୦୮୦। ବାପା ବିଜିନେସ ଟ୍ରିପରେ ଯାଇ ଥାଆନ୍ତି ଭାରତକୁ। 

ବାପାଙ୍କ ଆଲମୀରା ଭିତରେ ଡଲର ଖୋଜୁ ଖୋଜୁ ଆଖି ପଡ଼ିଲା ଗୋଟାଏ ପୁରୁଣା ଡାଇରୀ ଉପରେ। ୨୦୮୦ ମସିହାର ଏ ପୃଥିବୀ। ନିଃଶ୍ୱାସ ପ୍ରଶ୍ୱାସ କୁ ଛାଡ଼ିଦେଲେ ସବୁ ପ୍ରାୟ ଡିଜିଟାଲ। ସ୍ୱାଭାବିକ, ମୁଁ ଆଶ୍ଚର୍ଯ୍ୟ ହେଲି ଡାଇରୀକୁ ଦେଖି। ନିଜ କୌତୁହଳ କୁ ଆଉ ନିୟନ୍ତ୍ରଣ କରି ପାରିଲିନି। ଡାଇରୀଟିକୁ ଉଠେଇ ଆଣି ଦେଖିଲି, କଣ ଲେଖା ଅଛି ତା ଭିତରେ। ବହୁତ ପୁରୁଣା ଡାଇରୀ।


କଭର ପୃଷ୍ଠା ରେ ଲେଖା ଥାଏ ରୂପା ସକ୍ସେନା, ମୋ ଜେଜେମା। ମୋ ଜନ୍ମର ଅନେକ ଆଗରୁ ମରି ଯାଇଥିଲେ ବୋଲି ମୁଁ ଶୁଣିଛି।

ପୂରା ଡାଇରୀଟି ଖାଲି, କିଛି ଲେଖା ନାହିଁ। ଶେଷ ପୃଷ୍ଠାରେ ହିଁ ବୋଧେ କିଛି ଲେଖାଥିଲା। କୋଉ ଭାଷା, କିଛି ବୁଝି ପାରିଲିନି। ଫଟୋ ନେଇ ସୁପର ଆଡଭାନସ୍ ଗୁଗଲ ଟ୍ରାନସଲେଟର ମାଧ୍ୟମରେ ଇଂରାଜୀ ଭାଷାକୁ ବଦଳେଇ ଦେଲି। ବୁଝିବାକୁ ଚେଷ୍ଟା କଲି ଜେଜେମା କଣ ଲେଖିଥିଲେ ତାଙ୍କ ଡାଇରୀ ରେ ଷାଠିଏ ବର୍ଷ ଆଗରୁ।


"ସେଦିନ ୨୦୨୧ ଏପ୍ରିଲ ତିନି ତାରିଖ, ସନ୍ଦୀପ ଦଶ ବର୍ଷ ର ହୋଇଥାଏ, ରେଣୁ ଦୁଇ ବର୍ଷର।

ହସ୍ପିଟାଲ ରୁ ଫୋନ ଆସିଲା, କରୋନା ଭାଇରସରେ ଆକ୍ରାନ୍ତ ତମ ବୋଉ ଙ୍କ ଅବସ୍ଥା ସାଙ୍ଘାତିକ। ଯେତେ ଶୀଘ୍ର ପାରୁଛ ଦେଖି ଯାଅ। ମୁଁ ଦୁଇ ଛୁଆଙ୍କୁ ଘରେ ଛାଡ଼ି ଦୌଡିଲି ହସ୍ପିଟାଲକୁ। ଜଳ ବିହୀନ ମାଛ ପରି ମୋ ବୋଉ ପାକ ପାକ କରୁଥାଏ, ବେଡ ଉପରେ। ଷ୍ଟାଫନର୍ସ କହିଲେ, ଅକ୍ସିଜେନ୍ ନ ଦେଲେ ତାଙ୍କୁ ବଞ୍ଚେଇ ରଖିବା କଷ୍ଟ। ବୋଉର ଏ ଅବସ୍ଥା ଦେଖି କଣ କରିବି କିଛି ବୁଝି ପାରିଲିନି। ମୋ ଆଖି ଆଗରେ ମୋ ବୋଉର ମମତା ଭରା ଅସ୍ତିତ୍ଵ ଧରାଶାୟୀ ହୋଇ ଯିବାର ପୂର୍ବ ମୁହୂର୍ତ୍ତ, କେତେ ଯନ୍ତ୍ରଣା ଦାୟକ। ବୀଣାର କର୍କଶ ଧ୍ଵନୀ ଗୁଞ୍ଜି ଉଠୁଥିଲା ମୋ କାନ ପାଖରେ। ସମ୍ପର୍କର ସୂକ୍ଷ୍ମ ତନ୍ତୁ ଛିଡି ଯାଇଥିଲେ ଶବ୍ଦରେ ସେମିତି କିଛି ମଧୁରତା ନ ଥାଏ । ହୃଦୟ ଭିତରେ ବହୁତ ବଡ଼ ସମ୍ଭାବ୍ୟ ଶୂନ୍ୟତା। ମୋ ବୋଉ, ମୋ ପୃଥିବୀ ଚୋରାବାଲି ପରି ପାଦ ତଳୁ ଖସି ଯିବାର ପୂର୍ବ ମୁହୂର୍ତ୍ତ କୁ ଅନୁଭବ କରିବାର ଦୁର୍ଭାଗ୍ୟକୁ ନେଇ ମୁଁ ଅବଶ ହୋଇ ଉଠିଲି। ବୋଉ କୁ କଣ ଏମିତି ହରେଇ ହୁଏ। ମୁଁ ଅସହାୟ ହରିଣୀ ଶାବକ ପରି ବାଘ ମୁହଁରେ ଚାପି ହୋଇ ଯାଉଥିବା ହରିଣୀ ଆଗରେ ଡେଉଁଥିଲି ବିକଳ ହୋଇ। 


କିଛି ଉପାୟ ନ ପାଇ ଦୌଡ଼ିଲି ଡାକ୍ତରଙ୍କ ଚେମ୍ବର୍ କୁ। ଡାକ୍ତର କହିଲେ ମୁଁ କଣ କରିବି, ଅକ୍ସିଜେନ୍ ନାହିଁ, ଯାଅ। ହସ୍ପିଟାଲ ଡାଇରେକ୍ଟରଙ୍କୁ କୁହ।

ଫୋନ ଲଗେଇଲି, ବାର ବାର ସେ ଫୋନ କାଟି ଦେଲେ। ଦୌଡ଼ି ଲି ବୋଉ ଶୋଇଥିବା କୋଠରୀ ଭିତରକୁ। ମୋ ବୋଉକୁ ଶେଷ ନିଃଶ୍ୱାସ ନେଉଥିବାର ଦେଖି ମୁଁ ନିଜକୁ ଆଉ ନିୟନ୍ତ୍ରଣ କରି ପାରିଲି ନାହିଁ। ମୁଁ ମୋ ମୁହଁ କୁ ବୋଉ ମୁହଁରେ ଯୋଡ଼ି ଦେଇ ଘନ ଘନ ନିଶ୍ବାସ ଭରି ଦେଲି ବୋଉ ଭିତରେ। ବେଦମ୍ ହୋଇ ଗଲି ନିଃଶ୍ୱାସ ଦେଇ ଦେଇ। କିନ୍ତୁ ହାଇ ! ସବୁ ଶେଷ ହୋଇ ଯାଇଥିଲା। ବୋଉ ର ବଡ ବଡ ଆଖିକୁ ଦେଖି ବୁଝି ଗଲି, ବୋଉ ଆଉ ଏ ଦୁନିଆରେ ନାହିଁ...


ଶେଷ ପୃଷ୍ଠା କୁ ଓଲଟାଇ ଦେଲି। ଫଟୋ ଲାଗିଛି। Mouth to mouth contact of my Grandmother and Great Grand mother.


ମୋ ଦେହଟା ଶିହରି ଉଠିଲା। ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ। ଦୁଇ ଟୋପା ଲୁହ ଠପ୍ ଠପ୍ କରି ପଡ଼ିଲା ଡାଇରୀ ଉପରେ। ଭାରତ ଉନ୍ନତ ଦେଶ ବୋଲି ଶୁଣିଥିଲି ବାପାଙ୍କ ପାଖରୁ, ଅକ୍ସିଜେନ୍ ଅଭାବରେ ଲୋକେ ମରୁଥିଲେ ସେତେବେଳେ !!!! 

ମୁହଁ କୁ ମୁହଁ ଯୋଡ଼ି ହୋଇଥିବା ଫଟୋ କୁ ଯେତେଥର ଦେଖୁଥିଲି, ମୋ ଭିତରେ ନୂତନ ଶକ୍ତିର ଉଜାଗର ହେଉଥିଲା। ତାହା ହିଁ ବୋଧେ ଭାରତୀୟ ସଭ୍ୟତା !! ସ୍ନେହ , ମମତା ହିଁ ସବୁ ସମ୍ପର୍କର ଆଧାର !!


ମନେ ପଡ଼ିଲା ମୋ ମାଆ କଥା। ବାପା କହୁଥିଲେ ସେ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି।

ଦୌଡ଼ିଲି ହସ୍ପିଟାଲ ଅଭିମୁଖେ। ରିସେପସନ୍ ରୁ ବୁଝିଲି ରୁମ୍ ନମ୍ୱର ୧୧୦୨। ପହଞ୍ଚିଲି ଯାଇ ରୁମ୍ ଭିତରେ। ମାଆ ଶୋଇଛନ୍ତି ନିଘୋଡ଼ ନିଦରେ, ଅକ୍ସିଜେନ ଲାଗିଛି। କେହି ନାହାନ୍ତି, ସବୁ କିଛି ସମ୍ପୂର୍ଣ୍ଣ ସ୍ଵୟଂଚାଳିତ। ମୁହଁରୁ ଅକ୍ସିଜେନ ପାଇପ ବାହାର କରି ଦେଇ ମାଆ ର ମୁହଁ ରେ ମୁହଁ ଲଗେଇ ଦେଲି, ବହୁତ ଦିନରୁ ସଞ୍ଚିତ ସ୍ନେହ, ମମତା ଭରିଦେଲି ମାଆ ମୁହଁରେ..ଷାଠିଏ ବର୍ଷରେ ପୃଥିବୀ କେତେ ବଦଳି ଯାଇଛି !!! ମୁଁ ବି କେମିତି ଭୁଲି ଯାଇଥିଲି ମୋ ମାଆ କୁ , ଜାଣି ପାରୁନି।

ଜେଜେମା ନିଜ ବୋଉକୁ ବଞ୍ଚେଇ ପାରି ନ ଥିଲା ସିନା, ଆଜି କିନ୍ତୁ ମୁଁ ମୋ ମାଆକୁ ମରିବାକୁ ଦେବିନି।

ପାଶ୍ଚାତ୍ୟ ସଭ୍ୟତାର ଅତ୍ୟଧିକ ଚାପରେ ଲୁଚି ଯାଇଥିବା ବାତ୍ସଲ୍ୟ ମମତାର ସୁପ୍ତ ଆଗ୍ନେୟଗିରି ବିସ୍ଫୋରିତ ହେଲା ମୋ ଭିତରେ। ଷାଠିଏ ବର୍ଷ ତଳର ଜେଜେମାଙ୍କ ଫଟୋର ଆନ୍ତରିକ ଉଷ୍ମତା ଭସ୍ମ କରିଦେଲା ଆମ ଦେହରେ ଢାଙ୍କି ହୋଇଥିବା ଅହଙ୍କାର ପୂର୍ଣ୍ଣ ଆବରଣକୁ। 

ସେଦିନର ମାଆ ଝିଅ ଆଉ ଆଜି ର ମାଆ ଝିଅ ଭିତରେ ପାର୍ଥକ୍ୟ କାହିଁକି ?? 

ଅପଭ୍ରଂଶ ମାନସିକତା !!! ମନଟା ଥରେ ସଫା ହୋଇଗଲେ ମାଆ ଝିଅ ଭିତରେ ଥିବା ସମ୍ପର୍କ ରେ ଔଜଲ୍ୟତା ଫେରି ଆସେ । ମୁହଁ ରୁ ମୁହଁ ଉଠାଇ ମନ ଭରି ଦେଖିଲି ମୋ ମା'କୁ। ମାଆ ବେଡ ଉପରେ ବସି ମୋ ମଥାକୁ ସାଉଁଳୁ ଥିଲେ। ଅନେକ ଦିନ ପରେ ମାଆର ଏ ସ୍ପର୍ଶ, ଅଜବ ଥିଲା ସେଇ ଉଷ୍ମତା।

ଆଲେକ୍ସା, ତୁ ଏବେ କୋଉଠି ? ଫୋନ ଆସିଲା ବାପାଙ୍କ ପାଖରୁ।

ବାପା ! ମୁଁ ମାଆ ପାଖରେ ବସିଛି, ହସ୍ପିଟାଲରେ। 

ବାପା ! ମୁଁ ଆଜି ମୋ ମାଆକୁ ଖୋଜି ପାଇଛି। ତମ ଭିତରେ ପ୍ରତି ମୁହୂର୍ତ୍ତରେ ମୁଁ ମାଆକୁ ଖୋଜୁଥିଲି। ତମେ ମୋର ସବୁକଥା ବୁଝିଲ, ଧୀରେ ଧୀରେ ମାଆ ଶବ୍ଦର ଆକ୍ଷରିକ ଅର୍ଥକୁ ମୁଁ ଭୁଲି ଗଲି। ମାଆକୁ ମୁଁ ଖୋଜୁଥିଲି, ତମେ କିନ୍ତୁ ଆକାଶରେ ଅସ୍ତଗାମି ଜହ୍ନକୁ ଦେଖେଇ ଦେଖେଇ ମୋ ପିଠି ଥାପୁଡୁ ଥିଲ। ମାଆ କୁ ନେଇ ଆସ ବୋଲି କାକୁତି ମିନତି କରୁଥିଲି, ଖେଳନା ଧରେଇ ଦେଉଥିଲ ମୋ ହାତରେ। ଡାଇରୀ ଭିତରେ ତମ ମାଆର ଫଟୋ ଦେଖିବା ପରେ ମୁଁ ସବୁ ନିୟନ୍ତ୍ରଣ ହରେଇ ବସିଛି ବାପା। ମାଆ ବିନା ଜୀବନଟା ସମ୍ପୂର୍ଣ୍ଣ ହୁଏନି ! ମାଆ ଶବ୍ଦଟା ହିଁ ବିଚିତ୍ର, ମନ ମୁଗ୍ଧକର୍। ଆଉ ମୁଁ ମୋ ମା'ଙ୍କୁ ହରେଇବି ନାହିଁ ବାପା।

ତମେ ଶୀଘ୍ର ଆସିବ, ପ୍ଲିଜ୍ ମନା କରିବନି, ମାଆକୁ ଆମ ଘରକୁ ନେଇଯିବା...ବାପା କହିଲେ ଠିକ୍ ଅଛି, ମୁଁ ଆସୁଛି, ତୁ ସେଇଠି ଥା। ମୁଁ ଖୁସିରେ ଫୁଲି ଉଠିଲି।

ମାଆକୁ ମନ ଭରି ଆଉଥରେ ଦେଖିଲି, ଆନନ୍ଦାଶ୍ରୁ ଝରି ପଡୁଥିଲା ମୋ ମାଆର ଆଖି ଭିତରୁ..ଭାବିଲି, କିଛି ହରେଇ କିଛି ପାଇବା ଭିତରେ ହିଁ ଜୀବନର ସାର୍ଥକତା ଲୁଚି ରହିଥାଏ....


ଆଖି ଖୋଲିଗଲା, କାନ୍ଥ ଘଣ୍ଟାକୁ ଅନେଇ ପଡି ରହିଲି ବିଛଣାରେ

କି ଅଜବ ଏ ସ୍ବପ୍ନ !! ୨୦୮୦ ମସିହା ! ଆଜି କିନ୍ତୁ ମଇ ୯ ତାରିଖ ୨୦୨୧। ମୋ ବାପା ବୋଉ କିନ୍ତୁ ଖୁସିରେ ଚା ପିଉଥିଲେ ବାରଣ୍ଡାରେ ବସି...





Rate this content
Log in

Similar oriya story from Abstract