STORYMIRROR

SARATA KUMAR DAS

Abstract Others

3  

SARATA KUMAR DAS

Abstract Others

ଯୁଦ୍ଧ

ଯୁଦ୍ଧ

1 min
255


ଅନବରତ ଲାଗିଛି ଯୁଦ୍ଧ 

ମାଟିରେ,ଆକାଶରେ ,ପତ୍ର ଗହଳରେ,

ପକ୍ଷୀ ସାବକର କୋମଳ ଥଣ୍ଟରେ ,

ପୁଣି ସମୁଦ୍ରର ଅଥଳ ଗର୍ଭରେ,

କେତେବେଳେ ଢେଉ ସହ ତ

ଆଉ କେତେବେଳେ ପବନ ସହ

ପୁଣି କେତେବେଳେ ମରୁ ମରୀଚିକା ସହ ।


ନିଜକୁ ଜିତାଇବାର ଏକ 

ଅଦ୍ଭୁତ ଖିଆଲି ନିଶାରେ 

ବନ୍ଧା ପଡିଛି ଜୀବନର ସକଳ ମାର୍ଗ 

କେତେବେଳେ ସଚେତନରେ

ପୁଣି କେତେବେଳେ ଅବଚେତନରେ 

କେତେବେଳେ ଉର୍ଦ୍ଧ୍ବମୁଖୀ ତ 

ଆଉ କେତେବେଳେ ନିମ୍ନମୁଖୀ ।


ଏ ଯୁଦ୍ଧ ଏବର ନୁହେଁ, 

ଏ ତ ଅସ୍ଥିମଜ୍ଜାଗତ ,ଚିରାଚରିତ

ପୁଣି ନିହାତି ଗତାନୁଗତିକ, 

ରକ୍ତର ପ୍ରତିଟି ବିନ୍ଦୁରେ ଅଙ୍କୁରଦୋଗମ 

ଏ ଯୁଦ୍ଧର ବିଭୀଷିକା ।

ପୃଥିବୀର ଜନ୍ମ ବେଳରୁ ତ ଆଜି ଯାଏ

ଶୈଶବରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ 

ଜନ୍ମରୁ ପୁଣି ମୃତ୍ୟୁ ପର୍ଯ୍ୟନ୍ତ 

ଯୁଦ୍ଧ ....ଯୁଦ୍ଧ .....ଯୁଦ୍ଧ.....

କେବଳ ହିଁ ଯୁଦ୍ଧ 

ପ୍ରତ୍ୟକ୍ଷ ଅବା ପରୋକ୍ଷରେ  

ଛାୟା ପୁଣି ମାୟାରେ ।


ଅନେକ ଛକାପଞ୍ଝା ସହ 

ଟଣା ଓଟରାର ଭିଡ ଭିତରେ 

ଯୁଦ୍ଧର ମୃଦୁ କୋଳାହଳ ,

ହାରିବା ଓ ଜିତିବାର ତୂର୍ଯ୍ୟନାଦ 

କେତେବେଳେ ଗୁରୁ ଗମ୍ଭୀର ତ

ଆଉ କେତେବେଳେ ଦୋଳାୟମାନ

ମେଘଖଣ୍ଡକୁ ଟକ୍କର ଦେଉଥିବା

ଭୀଷଣ ଗର୍ଜନ ସହ ଯୁଦ୍ଧର ଆବାହନ ।


ଏ ଯୁଦ୍ଧ ହିଂସାର ପୁଣି ଧ୍ୱଂସର

ସ୍ବାର୍ଥର, ଅହଙ୍କାରର ପୁଣି କପଟତାର,

ଘେରି ରହିଛି ବାୟୁମଣ୍ଡଳ

ସଚରାଚର ବିଶ୍ବ ବ୍ରହ୍ମାଣ୍ଡ,

ନା ଅଛି ଏଥିରୁ ମୁକ୍ତି 

ନା ଅଛି କିଛି ନିଆରା ବିକଳ୍ପ ,

ଚତର୍ଦିଗ ଲହ ଲହ ଜିଭ ତଳେ 

ଅସହାୟତାର ଆର୍ତ୍ତ ଚିତ୍କାର ।


ମୁଠାଏ ମାଟିର ମୋହରେ

ଭୂପତିତ ଯେତ ଜୀବନ ଜୀଇଁବାର ଇଚ୍ଛା ,

ରଙ୍ଗିନ୍ ସ୍ବପ୍ନମାନଙ୍କ କବର ତଳେ

ହାଡ,ରକ୍ତ,ମାଂସର କରୁଣ ବିଳାପ ।

ଆଖୋଜା ଅଲୋଡା ଲାଗେ ଚାଖଣ୍ଡେ ସାହାରା

ଖିଲି ଖିଲି ହସର ସାମ୍ରାଜ୍ୟ ।


ଆଉ କେତେ କାଳର ଅପେକ୍ଷା 

ବାଟ ଖୋଜି ପାଇବାର  

ବହଳ ଅନ୍ଧାର ଭିତରୁ ଜହ୍ନ ଆଲୁଅର ?

ଆଉ କେତେ ଅନ୍ବେଷଣ ବା ଅଗ୍ନିପରୀକ୍ଷା

ବନ୍ଧନର ଶକ୍ତ ଖୋଳପାରୁ ମୁକ୍ତିର ସନ୍ଧାନ ?

ଆସିଛି ସମୟ ନିର୍ବାପିତ କରିବାକୁ

ଏ ଯୁଦ୍ଧର ଲେଲିହାନ ଶିଖା,

ନୀତି ସହ ସାଲିସ୍ କରି ବଂଚି ଶିଖିବାର ।



Rate this content
Log in

Similar oriya poem from Abstract