ଯୁବକ
ଯୁବକ
ଅଫୁରନ୍ତ ଶକତିର ଗନ୍ତାଘରଟିଏ
ମନେ ତାର ଅଦମ୍ଯ ବାସନା
ଧରାକୁ ମଣଇ ସରା
ଆଖିରେ ତା ଆଖିଏ କାମନା ।
ଚମକରେ ଚମକାଏ ଧରା
କିଏ ହେବ ତା ସହ ସମାନ
ମନେ ଭାବେ ମହାବଳୀ ସେହି
ଦୁର୍ଜୟ ସେ ସର୍ବ ଶକ୍ତିମାନ ।
ଦୁର୍ବାର ତା ଭାବନାର ଖିଅ
ଦୁର୍ନିବାର ନିଜକୁ ମଣଇ
ଭାବେ ନିଜେ ସର୍ବମୟ କର୍ତ୍ତା
ଦ୍ଵିତୀୟ କେ ତାର ସମ ନାହିଁ ।
ଉତ୍ସାହ ତା ଅଦମ୍ଯ ଅପାର
ସତେ କି ସେ ମହାପାରାବାର
ଉର୍ମି ଯାର କୂଳ ଲଙ୍ଘେ ସଦା
ଆବଦ୍ଧ ସେ ନୁହେଁ ବନ୍ଧନର ।
ସୁତ ଧନ ଯୁବତୀ ସୁଖରେ
ସୁଖୀ ହୁଏ ମଦାନ୍ଧ ତିମିରେ
ବିଭିଷୀକା ନଦେଖେ ଆଗରେ
ଜୀବନରେ କାହାକୁ ନଡରେ ।
ଝଡଝଞ୍ଜା କେବେ ତ ଆସିବ
ମନେହୁଏ ଭାବେନା ସେ କେବେ
ବର୍ତ୍ତମାନ ସର୍ବସ୍ବ ତାହାର
ଯାହା ସିଏ ଆଣେ ଅନୁଭବେ ।
ହେ ଯୁବକ ! ହୁଅ ସଦା ସ୍ଥିର
ଏ ସଂସାର ସର୍ବଦା ନଶ୍ବର
ଏ ଯୌବନ ନଥୁବ କାଲିକି
ଯାହା ଲାଗି ଗର୍ବ ଏତେ ତୋର ।
ଧନ ଜନ ଅବା ଯଉବନ
ଗରବର ନୁହେଁ ଏ ଭାଜନ
ନିମିଷକେ ହରି ନିଏ କାଳ
ସଦା ସତ୍ଯ ଏହା ଚିରନ୍ତନ ।
