ଯଶୋଧାରା
ଯଶୋଧାରା


ଵୁଦ୍ଧତ୍ବର ଅନ୍ଵେଷଣରେ ଚାଲିଯାଆନ୍ତି ସିଦ୍ଧାର୍ଥ
ସଂସାର ଦୁ଼ଃଖମୟ ଆଉ ନାରୀ ନରକର ଦ୍ବାର
ଵୁଝନ୍ତି ଯାଇ ସନ୍ତାନର ଜନ୍ମପରେ ,
ହେଲେ ଯଶୋଧାରା ପଡି ରହନ୍ତି ଦୁଃଖ ଭିତରେ
ଦୁଃଖର ଅତଳ ସାଗର ଭିତରେ
ଖୋଜନ୍ତି ସୁଖର ମୁକ୍ତା ।
ପୁଅର ହସ ସିଦ୍ଧାର୍ଥଙ୍କୁ ଦିଶିପାରେ ମାୟା ଵୋଲି
କିନ୍ତୁ ମାଆ ଆଖିରେ ସିଏ ତ ସୁନ୍ଦରତମ
ପୁଅର ମାଆ ଡାକ ସିଦ୍ଧାର୍ଥଙ୍କୁ ଲାଗିପାରେ
ଚରମ ମୋହ ଆଉ ଵନ୍ଧନ ଭଳି
ହେଲେ ମାଆପାଇଁ ସେଇ ଡାକ
ମୁଗ୍ଧ ଏକ ମନ୍ତ୍ରର ଉଚ୍ଚାରିତ ଶବ୍ଦ ମାତ୍ର ।
ହେ ଉଚ୍ଚ ଚେତନାଧାରୀ ଵୁଦ୍ଧ ଶୁଣିରଖ
ସୃଷ୍ଟି ଯେତେ ଦୁ଼ଃଖଦାୟକ ହେଲେ ବି
ତାର ଆଧାର ଚରମ ଆନନ୍ଦର ଉତ୍ସ
ନାରୀ କେଵଳ ନାରୀଟିଏ ନୁହେଁ
ନୁହେଁ ଉପଭୋଗ କରି ଫିଙ୍ଗି ଦିଆଯାଉଥିବା
କେବଳ ଏକ ସାମଗ୍ରୀ ମାତ୍ର
ଯେମିତି ମୋ ନିଦ୍ରିତ ଜ୍ଯୋତ୍ସ୍ନାରଞ୍ଜିତ ମୁହଁକୁ
ସେଦିନ କେଵଳ ମାୟା ଉଦ୍ରେକ କାରୀ ଵସ୍ତୁ ଭଳି
ଭାବିଥିଲ ଆଉ ଏକମୁହାଁ ଫେରିଯାଇଥିଲ ।
ସେଇ 'ମୁଁ' ହିଁ ସାଇତି ରଖିଥିଲି ତୁମ ସନ୍ତାନକୁ
ସୃଷ୍ଟିର ଆଗାମୀ ସମ୍ଭାବନାପାଇଁ
ଦୁ଼ଃଖ ଭିତରେ ଵି ଖୋଜିଵାକୁ ସୁଖର ମୁକ୍ତା ।
ଅନେକ ଅନୁଭବ ଭିତରେ ନିର୍ଲିପ୍ତରହିଵାର ସାଧନା
ଶିଖେଇପାରେ ନାରୀଟିଏ ଯଶୋଧାରା ରୂପରେ
ଯୁଗଯୁଗଧରି ବୁଦ୍ଧଙ୍କ ସାଥୀରେ ନଥାଇ ଵି ଥିଲା ପରି ।
ବୁଦ୍ଧପୂର୍ଣ୍ଣିମାର ଶୁଭେଚ୍ଛା ।