ଯନ୍ତ୍ରଣା
ଯନ୍ତ୍ରଣା
ବହୁ ମୂଲ୍ଯବାନ ମାନବ ଜୀବନ
ଭୁଲିଯିବା ନାହିଁ କେହି
ସୁଖ ବି ରହିଛି ଦୁଃଖ ବି ରହିଛି
ଦୁଃଖବିନା ସୁଖ ନାହିଁ ।
ଏହି ମୋ ଜୀବନେ ଘଟିଯାଇ ଅଛି
କେତେ ଯେ ,ଦୁଃଖ ଘଟଣା
ଆଜି ବି ସେ ଦୁଃଖ ଭୁଲିପାରି ନାହିଁ
ପାଇଛି କେତେ ଯନ୍ତ୍ରଣା ।
ଯଉବନ ବେଳେ ଯନ୍ତ୍ରଣାଟି ମିଳେ
ଦେହ ମନକୁ ଥରାଏ
ହସ କାଡ଼ିନିଏ ଲୁହ ଭରିଦିଏ
ସୁଖ ସପନ ହଜାଏ ।
ଆଗ ପଛ ହୋଇ ଗଲେ ଦୁଇ ଭାଇ
ଛାଡ଼ି ପ୍ରିୟ ପରିଜନ
ବିରହ ଯନ୍ତ୍ରଣା କରେ ବାଟ ବଣା
ବିବ୍ରତରେ ବିତେ ଦିନ ।
ସାଥେ,ସାଥେ ଗଲେ ମାତା, ପିତା ,ଭଗ୍ନୀ
ପ୍ରିୟ ପରିବାର ଛାଡ଼ି
ଦୁଃଖ ଯନ୍ତ୍ରଣାରେ ଜୀବନ ବିତୁଛି
ସମୟ ଯାଉଛି ଗଡ଼ି ।
ଭଣଜାଟି ଥିଲା ଚାରିଦିନ ହେଲା
କରୋନାରେ ପ୍ରାଣ ଗଲା
ସୁନାର ସଂସାର ଚୁନା ହୋଇ ଗଲା
ଯନ୍ତ୍ରଣା ବଢ଼ାଇ ଦେଲା ।
ଜୀବନ ଯନ୍ତ୍ରଣା କରିବାକୁ ଉଣା
ଦେଖଇ କେତେ ସପନ
ଏକ ,ଏକ,ଦୁଃଖ ଆସୁଛି ଅନେକ
ଆଘାତ ହେଉଛି ମନ ।
କଷଣ ଯନ୍ତ୍ରଣା କରେ ବାଟବଣା
ଜୀବନର ଚଲାପଥେ
ଦୁଃଖ ସଙ୍କଟର ସୀମା ଟପିଲାଣି
ଯନ୍ତ୍ରଣା ପାଉଛି କେତେ ।
ପଥ ମୁଁ ଖୋଜିଲି ଆଗକୁ ଚାଲିଲି
ପାଇଲି ନବ ଜୀବନ
ପତ୍ନୀ ,ପୁତ୍ର ,କନ୍ଯା ସେନେହ ଡୋରିରେ
ହୋଇଲା ମୋର ବନ୍ଧନ ।
