କେହିଜଣେ
କେହିଜଣେ


ଅସହ୍ୟ ଗ୍ରୀଷ୍ମର ଝାଞ୍ଜିରେ ଏ ତମାମ ଶରୀରଟା
ଯେତେବେଳେ ବ୍ୟସ୍ତ ବିବ୍ରତ ହେଉଥିଲା
କେହିଜଣେ ବସନ୍ତର ମଳୟ ସାଜି
ଶରୀରର ଉଷ୍ମତାକୁ ଆଦରି ନେଲେ
ଏ ଓଠରେ ଚେନାଏ ହସ ଦେଇ।।
ମୋ ନିଶ୍ୱାସର ଦିକିଦିକି ଆଞ୍ଚରେ
ଜୀବନଟା ହୁତୁହୁତୁ ହେଇ ଜଳୁଥିବା ବେଳେ
କେହିଜଣେ ଆସିଥିଲେ ମୋ ହୃଦୟ କନ୍ଦରକୁ
ବିଶାଳ ସାଗର ଟେ ହୋଇ
ଏ ଆଖିର ଲୁହ ସବୁକୁ ସାଉଁଟି ଚାଲୁଥିଲେ
ଶାମୁକାର ମୁକ୍ତା ପରି।।
ଜୀବନର କଣ୍ଟକିତ ପଥରେ ଏକୁଟିଆ ଚାଲୁଚାଲୁ
ମୁହଁ ମାଡି ଝୁଣ୍ଟି ପଡିବା ଆଗରୁ
କେହିଜଣେ ଆସି ମୋତେ ଧରିନେଲେ
ମନ ଭିତରର ଦୁଃଖ ସବୁକୁ
ହଳାହଳ ବିଷ ପରି ପିଇ
ଏ ମନରେ ଆକଣ୍ଠ ସୁଖ ଭରି ଦେଲେ।।
ନିସ୍ତବ୍ଧ ରଜନୀରେ
କିଟମିଟ ଅନ୍ଧାରକୁ ଡରି
ଥିରିଥିରି ଚାଲୁଥିବା ବେଳେ
ନୀରନ୍ଧ୍ର ଅନ୍ଧକାର ଚିରି
କେହିଜଣେ ଜୀବନକୁ ଜୀଇଁବାର
ଆଶା ରୂପୀ ଆଲୋକ ସାଜି
ଜୀବନକୁ ଭରିଦେଲେ ଏକ ଅକୁହା ପୁଲକରେ।।