ଯକ୍ଷପ୍ରଶ୍ନ
ଯକ୍ଷପ୍ରଶ୍ନ
● ଯକ୍ଷପ୍ରଶ୍ନ
ସାମ୍ରାଜ୍ୟ ବିସ୍ତାରର ଯୋଜନା ଚୁଡାନ୍ତ
ଆଉକିଛି ଏ ଭୂଲୋକର ଅଂଶ
ବିଧ୍ବସ୍ତ ହେବା ନିଶ୍ଚିତ , ତା' ପୂର୍ବରୁ
ମଗଧାଧିପତି ଚଣ୍ଡାଶୋକ ଏବେ ନିଦ୍ରାମଗ୍ନ
ନରସଂହାରର ରକ୍ତସ୍ନାନ ପରେ
ସେ ବୀତଶୋକ ,
ସୁଷୁପ୍ତିର ଚିତ୍ତବୃତ୍ତି ଆଉ ବ୍ୟାଘାତ ନହେଉ
ଶାନ୍ତି ବଜାୟ ରହୁ , ଏହି ହେତୁ
ଛିଙ୍କିବା କାଶିବା ସମ୍ପୂର୍ଣ୍ଣ ନିଷେଧ ।
ବ୍ୟବସ୍ଥାରେ ଦଖଲ ନଦେଉ କେହି
ଚାଲୁଥାଉ ଏ ବ୍ୟବସ୍ଥା
ଆହୁରି ଦୀର୍ଘକାଳ .. ଭବିଷ୍ୟତ ଯାଏଁ
ଶାନ୍ତିରେ ସହବସ୍ଥାନ ହେଉ
ମଗଧରେ ନରହିବ ତ କୁଆଡ଼େ ଯିବ ?
ସୀମାନ୍ତ ସେପାରି ?
ତୁମର କି ଯାଏଆସେ
ନାମକୁ ମାତ୍ର କହିବାର ଲାଗି କି ମଗଧ !
ରହିବାର ଯୋଗ୍ୟ ନୁହେଁ ବୋଲି
କାହିଁକି କହୁଛ ?
ଚୁପ୍ କର ଏଥର ,
ବିରୋଧ କରିବା ବନ୍ଦ କର , ଅନ୍ୟଥା
ଶାସକ ବିରୁଦ୍ଧରେ ସ୍ବର ଉଠାଇବା
ପ୍ରଥା ହୋଇଯିବାର ଆଶଙ୍କା ଅଛି ।
କାହିଁ କେହି ତ ପ୍ରଶ୍ନ କରୁନାହାନ୍ତି
ଯେତେ ଚେଷ୍ଟା କରି ଦେଖିନିଅ ତୁମେ
ବରଂ ତୁମକୁ ହିଁ ପ୍ରଶ୍ନ କରାଯିବ
ଯକ୍ଷପ୍ରଶ୍ନ ....
ରାଜପଥରେ ଶବଯାତ୍ରା ଚାଲିଥିବା
ସେହି ଲୋକଟିର ମୃତ୍ୟୁ ହେଲା କିଭଳି ?
କିଛି ଲୋକଙ୍କ ଅକାଳମୃତ୍ୟୁ ପାଇଁ
ତୁମେ ଦାୟୀ ନୁହଁ ତ
