ଯେତେବେଳେ ଯାହା
ଯେତେବେଳେ ଯାହା
ସକାଳ ଆସିଲେ
ଉଠିଯାଉ ବାସି ବିଛଣା ଛାଡ଼ି
ସଂଜ ଆସିଗଲେ
ଧରିନେଉ ବେଗେ ଫେରନ୍ତା ଗାଡ଼ି ।।
ସୁଖଟି ଆସିଲେ
ଜୀବନଟି ଭାରି ସୁନ୍ଦର ଲାଗେ
ଦୁଃଖଟି ଆସିଲେ
ମନରେ ଆମରି ନିରାଶ ଜାଗେ ।।
ହସଟି ଆସିଲେ
ଖୁସିର ଝରଣା ଯାଏରେ ବହି
କାନ୍ଦଟି ଆସିଲେ
ଅଭାବର କଥା ଦିଏ ସେ କହି ।।
ଖରାଟି ଆସିଲେ
ମନ ଚାହେଁ ଘରକଣରେ ଥିବା
ଛାଇଟି ଆସିଲେ
ପାଦ କହେ ଦଣ୍ଡେ ଅଟକି ଯିବା ।।
ହାନୀଟି ଆସିଲେ
ମଧୁର ବି ଲାଗେ ପାଟିକି ପିତା
ଲାଭଟି ଆସିଲେ
ହୋଇଯାଉ ଆମେ ଜଗତଜିତା ।।
ନିଜର ଆସିଲେ
ସରଗଟା ପଡେ ହାତକୁ ଖସି
ପର ଆସିଗଲେ
କେତେ କ'ଣ ଭାବୁ ନ ପାରୁ ହସି ।।
ସତଟି ଆସିଲେ
ଖୁସି ବାଣ୍ଟିବାକୁ ମିଳେନି ଭାଷା
ମିଛଟି ଆସିଲେ
ତୁଟିଯାଏ ସବୁ ଭରସା ଆଶା ।।
କିଏ କେବେ ଦୂରେ
କିଏ କେବେ ଅତି ପାଖରେ ଥାଏ
ଯେତେବେଳେ ଯିଏ
ଆସିବାର କଥା ଆସି ତ ଯାଏ ।।