STORYMIRROR

Narayan chandra Senapati

Romance

4  

Narayan chandra Senapati

Romance

ଯା'ରେ ସପନ

ଯା'ରେ ସପନ

1 min
386


ନିଘୋଡ଼ ନିଦରେ ଶୋଇଛି ମୋ ପ୍ରିୟା

ଦେଖୁଛି ମିଠା ସପନ

ମରୁଭୂମି କୂଳେ ଗଢ଼ିଛି ଉଦ୍ୟାନ

ସତେ ଅବା କୁଞ୍ଜବନ  ।୧।


ବାଲୁକା ସ୍ତୁପରେ ଆଙ୍କିଛି ମହଲ

ସତେ ବା ତାଜମହଲ

ତୁଠ ପଥରରେ ଘଷୁଛି ତା ପାଦ

ସ୍ୱର୍ଣ୍ଣ ଶଙ୍ଖ ମଲମଲ  ।୨।


ସରଗ ପୁରକୁ କରୁଛି ସେ ଯାତ୍ରା

ସାଜିଣ ସୁନ୍ଦରୀ ପରୀ

ରମ୍ଭା ମେନକାଏ ଫିକା ପଡିଯିବେ

ତା ମହକେ ଇନ୍ଦ୍ରପୁରୀ  ।୩।


ମଧୁ ପ୍ରେମ ଗୀତି ଗାଇ ସରାଗରେ

ଖୋଜୁଥିବ ମୋତେ କେତେ

ଯାହାକୁ ଦେଖିବ ଲାଗୁଥିବି ମୁଁ

ବିଭୋର ହୋଇବ ସତେ ।୪।


ସ୍ୱପ୍ନ ସହରରେ ବୁଲୁଛି ବସି ସେ

ମନ ପବନର ଶୀର୍ଷେ

ଭାବୁଛି ମୋ ସାଥେ ଉଡୁଛି ଆକାଶେ

ଗ୍ରହ ନକ୍ଷତ୍ରର ପାଶେ   ।୫।


ପ୍ରୀତି ପାରିଜାତ ତୋଳି ଗଢୁଥିବ

ପ୍ରଣୟର ଫୁଲ ହାର

ମୋ ଗଳାରେ ଦେଇ ପୁଜିବ ଭକ୍ତିରେ

ହୋଇ ଆନନ୍ଦ ବିଭୋର  ।୬।


ଆକାଶ ଗଙ୍ଗାରେ ପାରିହେବା ପାଇଁ

ନାଆରେ ବସିବ ଯାଇ

କାଲିଜାଇ ସ୍ମରି ଭୟରେ ଶିହରୀ

ମୋତେ ଧରିବ କୁଣ୍ଢେଇ  ।୭।


ସ୍ୱର୍ଗର ନନ୍ଦନକାନନରେ ବସି

ଆଙ୍କୁଥିବ ମୋର ଚିତ୍ର

ରଙ୍ଗ ଦେଇ ମୋତେ ଦେବତା ଗଢ଼ିବ

ଚହଲିବ ସର୍ବ ନେତ୍ର  ।୮।


ଅପୂର୍ବ ସ୍ୱାଦିଷ୍ଟ ଦିବ୍ୟ ଖାଦ୍ୟ ଆଣି

ମୋ ଆଗେ ଦେବ ପରଶି

ପାଖେ ବସି ବିଞ୍ଚି ବଳାଇ ଖୋଇବ

ମୁରୁକି ମୁରୁକି ହସି  ।୯।


ଯା'ରେ ସପନ ସତ ହୋଇଯାଆ

ପ୍ରିୟା ହେଉଥାଉ ଭୋଳ

ତ୍ରିଭୁବନ ଯାକ ତା ହାତରେ ମିଳୁ

ବଞ୍ଚିଥିବୁ ଯେତେ କାଳ   ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance