ଉତ୍କଳର ଐତିହ
ଉତ୍କଳର ଐତିହ
ଉତ୍କଳ କୀରତି ଗାଥା ଗଉରବ ଦିଗନ୍ତ ବିସ୍ତାରି ସ୍ଫୁରିତ ସୌରଭ
ସୁରଭିତ କରେ ଏ ସାରା ସଂସାର
କାହିଁ ତାର ପଟାନ୍ତର
ଉତ୍କଳ ଭାରତୀ ଭାଷା ଗନ୍ତାଘର ଉତ୍କଳିୟ ଶିଳ୍ପୀ କବି କଳାକାର
ଚୁନାଚୁନା ଫୁଲ ପସରା ସମ୍ଭାର
ଆହା କେଡେ ଚମତ୍କାର ।।
ଶସ୍ୟ ଶ୍ୟାମଳା ସେ ଘନବନ ଘେରା ନିଳଉର୍ମୀ ମାଳା ମହୋଦଧି ବେଳା
ନୀଳ ପରବତ ଉତୁଙ୍ଗ ଶିଖରେ
ଘୁମୁରଇ କଳା ପାରା
ଉତ୍କଳର ଶ୍ରେଷ୍ଠ ମୋ ଇଷ୍ଟ ସେ ପାରା ଅଠାକାଠିରେ ସେ ନପଡଇ ଧରା
ତା ଡୋରୀରେ ବନ୍ଧା ଏ ଜଗତ ସାରା
(ସେ) ଉତ୍କଳର ଧ୍ରୁବ ତାରା ।।
ଗଙ୍ଗାଠାରୁ ଗୋଦାବରୀ ଯା କୀରତି ଉଡଇ ପବନେ ଯାର କୀର୍ତ୍ତି ଜୈତ୍ରୀ
ଉତ୍କଳର ରାଜା ରାଜ ଚକ୍ରବର୍ତ୍ତୀ
ନବକୋଟି ଅଧିପତି
>
ଉତ୍କଳର ଯୋଗ୍ୟ ସନ୍ତାନ ସନ୍ତତି ମଧୁ ଗୋପବନ୍ଧୁ ସଙ୍ଗେ ସେନାପତି
ରାମଚନ୍ଦ୍ର ଭଞ୍ଜ ଗଙ୍ଗାଧର କୃତି
ଯେହ୍ନେ ଢାଳେ ସୂର୍ଯ୍ୟ ଜ୍ୟୋତି ।।
ଉତ୍କଳର ମଣୀ ଉତ୍କଳ ଗୌରବ କବିକୁଳ ସୂର୍ଯ୍ୟ ସେ ଯେ ବଳଦେବ
ଉତ୍କଳର ବ୍ୟାସ “କବି କୁଳ ଚନ୍ଦ୍ର”
“ଜୟ ଜୟ ଜୟଦେବ”
ଏ ମାଟିର ଟେକ ଏ ମାଟିର ଗର୍ବ ଏ ମାଟିର ବୀର ପୁରୁଷ ପାଇକ
ଯା କୀରତି ପୂର୍ଣ୍ଣଚନ୍ଦ୍ର ଆଲୋକିତ
ସମ ଶୁଭ୍ର ଏ ଭୂଖଣ୍ଡ ।।
ଏହି ମୋ ଉତ୍କଳ ମୋର ଜନ୍ମଭୂମି ସେହି ମୋ ଜନନୀ ବୀରପ୍ରସବିନୀ
ତା ପଦ ପଦ୍ମରେ ନିତି ସେବୁଥିବି
କରି ତାକୁ ଗଳା ମାଳି
ତା ପାଇଁ ମୋହର ଏହି ପରିଚୟ ନ କରିବି କେବେ ତାର ଅପଚୟ
ଜୀବନ ମୋ ଧନ୍ୟ ତା କୋଳେ ଜନମି
ସେ ମୋର ଅଭୁଲା ଛବି ।।