ଉନ୍ମେଷ
ଉନ୍ମେଷ
ଉନ୍ମେଷ
ଝାଉଁଳିଲା ଫୁଲ ଝରିଯିବା ତୁଲ
ବୃନ୍ତରୁ ତଳକୁ ଖସି
ଧୈର୍ଯ୍ୟ ହାରେ ଯିଏ ମରିଯାଏ ସିଏ
ଜୀବନ ଜଞ୍ଜାଳେ ଫସି ।
ଗଲେ ମଧ୍ୟ ହାରି ସଙ୍କଟରୁ ପାରି
ହେବା ହିଁ ଜଗତେ ରୀତି
ବାଟ ଭୁଲି ଯିଏ ରୋକେନାହିଁ ସିଏ
ଜୀବନକୁ ଯାଏ ଜିତି ।
ସତତ ସଂଗ୍ରାମ ଆବଶ୍ୟକ ଆମ
ସତ୍ୟଧର୍ମେ ଥିବା ଚାହିଁ
ଧର୍ମେ ଆନୁଗତ୍ୟ ଏକମାତ୍ର ସତ୍ୟ
ଅନ୍ୟଥା ଉପାୟ ନାହିଁ ।
ନିଜ ଆଖିଲୁହ ପୋଛିବାରେ କୁହ
କାହାକୁ ଲାଗଇ ଲଜ୍ଜା
ସବୁକଥା ବୁଝି ବଞ୍ଚିବାରେ ଯୁଝି
ନିହିତ ପ୍ରକୃତ ମଜା ।
ନିଜର ହୃଦୟେ ନିଜକୁ ହିଁ ଲୟେ
ଖୋଜିବାକୁ ହେବ ଆଜି
ବିଫଳତା ପରେ ପୁଣି ଆଉଥରେ
ଲାଗି ରହିଥାଉ ବାଜି ।
ଧୈର୍ଯ୍ୟ ବଳ ସଞ୍ଚି ପୁନର୍ବାର ରଚି
ଶ୍ରେୟସ୍କର କଉଶଳ
ପରାଜୟ ଡର ତେଜି ଅଗ୍ରସର
ହେଲେ ତ ମିଳଇ ଫଳ ।
ଭ୍ରମଜାଲେ ଛନ୍ଦି କେହି ପ୍ରତିଦ୍ବନ୍ଦ୍ବୀ
କୁଶଳେ କରେ କି ରଣ
ଘଡି ଦୁଇଘଡି ଆସକ୍ତିରେ ଜଡି
ପାସୋରିବା ନାହିଁ ପଣ ।
ଉନ୍ମେଷ ସକାଶେ ପ୍ରଖର ପ୍ରକାଶେ
ଭାସ୍ବର ହୁଅଇ ଭାନୁ
ଅଛି ପ୍ରାପ୍ୟ ଭାଗ ଉଠ ଏବେ ଜାଗ
ଗ୍ଳାନିଶ୍ରାନ୍ତ ଅଭିମାନୁ ।