ଉଡାଣ
ଉଡାଣ
ଜନମ କାଳରୁ ମରଣ ଯାତ୍ରାରେ
ଜଞ୍ଜାଳ ମୁଣ୍ଡରେ ଧରି
ସାରିଦେଲି ବେଳ ପାଶେ ମହାକାଳ
ଠିଆ ଯମଫାଶ ଧରି।
ସାରିଛି ସମୟ ନାହିଁ ତ ସନ୍ଚୟ
ଧନ ଦୌଲତ ଆଶେ
ଦେଇନାହିଁ ତୁଣ୍ଡେ ଏ ସାରା ବ୍ରହ୍ମାଣ୍ଡେ
ଶେଷ ବେଳେ ଯମ ହସେ।
କୁଟୁମ୍ବ ପାଳିଲି ଯୌବନ ସାରିଲି
ଜରା ହେଲା ଉପଗତ
ପଞ୍ଚେନ୍ଦ୍ରିୟ ସବୁ ଖସିଗଲେ ହାତୁ
ସବୁ ଶରୀର ଭକତ।
ଶରୀର ସାଧୁଛି ଦାଉ ଦେଖଉଛି
ରୋଗ ଗନ୍ତାଘର ହେଲା
ତଥାପି ମନରୁ ଲୋଭ ନଛାଡିଲା
ମୁକ୍ତି ପଥ ହୁଡିଗଲା।
ହୀନିମାନ ଏଇ ଜୀବନ ଟା ପାଇଁ
କାହାର ରଦ ନାହିଁ
ପାଳିପୋଷି ଯାରେ ଆପଣାର କଲି
ଯେଝା ବାଟେ ଗଲେ ରହି।
ଅଲୋଡ଼ା ପଣରେ ଭାବେ ଅକାରଣେ
ସାରିଛି ସମୟ ଯାହା
ଏବେବି ଚାହିଁଲେ ମୁକତି ମିଳିବ
ସାହାହେବେ ଚଉବାହା।
ମୁକ୍ତିପଥରେ ଉଡାଣ ଭରିବି
ଭରସା ଉପର ବାଲା
ମନର ଉଡାଣ କମାଣ ସମାନ
ସାହସ କରିଲେ ହେଲା।