ତ୍ୟାଗ
ତ୍ୟାଗ
ତ୍ୟାଗ କରେ ଯିଏ ଏଇ ଦୁନିଆରେ
ସବୁଠାରୁ ବଡ ସିଏ
ତାର ସେଇ ତ୍ୟାଗ ନା ଏଇ ମାନବ
ନା କେବେ ବୁଝି ଥାଏ ।
ତ୍ୟାଗ କରି କରି ଜୀବନରେ ସିଏ
ଦୁଃଖ କଷ୍ଟ ସହୁଥାଏ
ଜୀବନ ଜୁଇର ଯନ୍ତ୍ରଣା ନିଆଁରେ
ଛଟପଟ ଖାଲି ହୁଏ ।
ତଥାପି ଜୀବନେ ଶାନ୍ତି ପାଏ ନାହିଁ
ଜଳି ଜଳି ମରୁ ଥାଏ
ଏ ଆଖିର ଲୁହ ସେ ଆଖିରେ ମାରି
ଦିନ ସାରୁ ଥାଏ ସିଏ ।
ଘର ପରିବାର ଦାୟିତ୍ବ ନିଏ ସେ
ସବୁ ମନ ନେଇ ଚଳେ
ତଥାପି ତାହାକୁ ନିନ୍ଦାରେ ଗାଧାନ୍ତି
ଭିଜେ ସିଏ ଲୁହ ଜଳେ ।
ସବୁ ସମ୍ପତ୍ତିରୁ କରିଲେ ବଞ୍ଚିତ
କରୁଥିଲେ ଅତ୍ୟାଚାର
ସହି ଯାଉଥିଲେ ସେ ଦୁଇ ପରାଣୀ
ଭାବି ନିଜ ପରିବାର ।
ରୋଜଗାର ସ୍ୱାମୀ କରେ ତାର ଯାହା
ସେଥିରେ ଚଳନ୍ତି ସବୁ
ଘର ପାଇଟିର ସବୁ କାମତକ
କରିବାକୁ ପଡେ ତାକୁ ।
ଦିଅର ନଣନ୍ଦ ପଢେଇଲା ପାଠ
କରିଲେ ଚାକିରୀ ସିଏ
ନିଜ ଅଳଙ୍କାର ବିକ୍ରି କରି ଦେଇ
ମଣିଷ କରେଇ ଦିଏ ।
ବାକି ଅଳଙ୍କାର ନଣନ୍ଦଙ୍କୁ ଦେଇ
ବିବାହ କରାଇ ଦେଲା
ଯାନି ଯଉତୁକ ଭାର ତୁର ଦେଇ
ଶେଷେ ସର୍ବସ୍ବାନ୍ତ ହେଲା ।
ନିଜେ ଓପାସରେ ରହିଣ ସେ ଦୁହେଁ
ଖାଇବାକୁ ତାଙ୍କୁ ଦେଲେ
ପୁରୁଣା ଲୁଗାକୁ ନିଜ ଦେହେ ପିନ୍ଧି
ତାଙ୍କୁ ସବୁ ଯୋଗାଇଲେ ।
ବିବାହର ପରେ ସେଇ ଭାଇମାନେ
ତାକୁ ଧୋକା ଦେଇଗଲେ
ବାପା ମାଆଙ୍କର ସବୁ କରଜକୁ
ତା ମୁଣ୍ଡରେ ଲଦି ଦେଲେ ।
ଦୁଆର ମଝିରେ ପ୍ରାଚୀର ଉଠିଲା
ତ୍ୟାଗ ତାର ବୁଝିଲେନି
ଧନ ସମ୍ପତ୍ତିର ପ୍ରାଚୁର୍ଯ୍ୟରେ ବୁଡି
ଭାଇ ମୁହଁ ଚାହିଁଲେନି ।
ଗର୍ଭଧାରୀ ମାଆ ପାତର ଅନ୍ତର
କପଟ ଛଳନା କଲା
ସବୁ ସମ୍ପତ୍ତିକୁ ଅନ୍ୟ ପୁଅଙ୍କୁ ସେ
ବିକ୍ରି ସ୍ବତ୍ତ୍ବେ ଦେଇ ଦେଲା ।
ଘର ଡିହ ବିକ୍ରି କରିବାର ପାଇଁ
ଯେବେ ସିଏ କହି ଦେଲେ
ବିଚାରି ସେମାନେ ହତୋତ୍ସାହ ହେଇ
ଛାଡିବାକୁ ବାଧ୍ୟ ହେଲେ ।
ମାଟି କୁଡିଆଟି ତିଆରି କରିଣ
ରହିଲେ ସେ ଖଣ୍ଡେ ଦୂରେ
ସେଇ ଘରେ ପୁଅ ବୋହୂ ସହିତରେ
ରହିଲା ସେ ଆନନ୍ଦରେ ।
ଦିନ ପରେ ଦିନ ଗଡି ତ ଚାଲିଲା
ହେଲା ମାଆ ରୋଗାକ୍ରାନ୍ତ
ପୁଅ ବୋହୂ ଘୃଣା ଆଖିରେ ଦେଖିଲେ
କଲେ ଭାରି ହନ୍ତ ସନ୍ତ ।
ଖାଇବା ପିଇବା ଦେଲେ ନାହିଁ କିଛି
ବାର କଥା କହୁ ଥିଲେ
କେବେ ଅଲକ୍ଷଣୀ ବୁଢୀଟା ମରିବ
ମୁହେଁ ମୁହେଁ କହି ଦେଲେ ।
ଖର୍ଚ୍ଚ କରି ପାରିବୁନି ତୋର ପିଛା
ଯାଉନୁ ତା ପାଖେ ତୁହି
ବଡ ପୁଅ ବୋହୂ ହାତରୁ ଖାଇବୁ
ଜୀବନ ଛାଡିବ ତହିଁ ।
ସେଇ ବାଟ ଦେଇ ପୁଅ ଯାଉଥିଲା
ତା ପାଦ ଅଟକି ଗଲା
ସେଇଠୁ ରୋଗୀଣା ମାଆକୁ ଆଣିଲା
ରଖି ସେବା ସିଏ କଲା ।
ମନେ ଭାବୁଥିଲା ଜନନୀ ତାହାର
କୈକେୟୀ ପରିକା ହେଲି
ଏଇ ଜଗତରେ ମୋ ପୁଅର ତ୍ୟାଗ
କେତେ ଆଜି ବୁଝି ନେଲି ।
ଭରତ, ଲକ୍ଷ୍ମଣ ତ୍ୟାଗର ମହିମା
ରାମାୟଣ କହି ଦିଏ
ପିତାମହ ଭୀଷ୍ମ ତ୍ୟାଗ ଯେ ଅନେକ
କଳି ବା ପାରିବ କିଏ ?
ସ୍ୱାର୍ଥ ଯୋଉଠାରେ ତ୍ୟାଗ କରାଯାଏ
ସୁଖ ସେଠି ରହିଥାଏ
ସ୍ନେହ, ଶାନ୍ତି, ପ୍ରୀତି ଖୁସିର ମହଲେ
ତା ସଂସାର ହସୁଥାଏ ।