ତୁଠ ପଥର
ତୁଠ ପଥର
ତୁଠ ପଥରଟି ତୁଠରେ ପଡିଛି
କେତେ କାଳରୁ ସେଇଠି
କିଏ ସେ ଜାଣିଛି ଇତିବୃତ୍ତ ତାର
ଏମିତି ଜଣେ ନାହିଁଟି ।
କାହାର କି ଯାଏ ତାକୁ କିଏ କହ
କାହିଁକି ମନେ ରଖିବ
ପାଦ ଘଷା ଲୁଗା କଚା କଚି ଛଡା
ସିଏ କି କାମେ ଆସିବ ।
କେ କେତେ ଆସିଲେ ସ୍ନାହାନ କରିଲେ
ସେ ତୋଠକୁ ଆସିକରି
କେ ପାଦ ଘଷିଲା ତାହାରି ଉପରେ
ରଖିଛି ସ୍ମୃତି ସବୁରି ।
ଖରା ବର୍ଷା ଶୀତ ସବୁ ସହି ନିତି
ସେମିତି ପଡି ରହିଛି
ପାଟିରୁ ତାହାର କଥା କି ବାହାରେ
କାହାକୁ ନ କହେ କିଛି ।
ଗାଈ ଗୋରୁ ଯଦି ତୋଠକୁ ଆସିଲେ
ପାଣି ପିଇ ଚାଲିଯାନ୍ତି
ତୁଠ ପଥରଟି ପଡିଛି ସେମିତି
କେହି ତାକୁ ନଦେଖନ୍ତି ।
କେତେ ଦିନ ବର୍ଷ ଯୁଗ ଗଲା ଚାଲି
ଠିକଣା ରହିଲା ନାହିଁ
ଘାଟ କରିବାକୁ ବିଚାରିଲେ ଲୋକେ
ପଥର ଦେବେ ହଟାଇ ।
ଖଣ୍ଡେ ଦୂରେ ନେଇ ପକାଇଲେ ତାକୁ
ଘାଟ କରିଲେ ତିଆରି
ତୁଠ ପଥରଟି ପଡିଛି ସେମିତି
ନଜର ନାହିଁ କାହାରି ।
ଅଜଣା ଅଦେଖା ହୋଇଛି ସେ ଏବେ
ରଖିଛି ସବୁ ହିସାବ
କହି ତ ପାରୁନି ପଚାରିଲେ ତାକୁ
ସିଏ କି କଥା କହିବ ।
କ୍ଷୟ ଅଛି ସିନା ସବୁ ଜିନିଷର
ଦିନେ ବି ସେ ହଜିଯିବ
କିଏ ବା କହିବ କେତେ କାଳ ସିଏ
ଏମିତି ପଡି ରହିବ ।